Unknown

 

 

 

 

 

 

 

 

 

ଅଜ୍ଞାତବାସର ଇତିକଥା

ଡ. ଶକୁନ୍ତଳା ବଳିଆରସିଂହ

 

ଅନୁବାଦକର ଟିପ୍ପଣୀ

 

‘‘ମୁଁ ଗୋଟାଏ ରୋଗୀ... ମୁଁ ବିଦ୍ୱେଷ ପରାୟଣ... ଅସୁନ୍ଦର । ମତେ ଲାଗୁଛି ମୋ ଯକୃତଟି ରୋଗାକ୍ରାନ୍ତ ହୋଇଛି... ହୋଇପାରେ ଲିଭର୍‌... । ଏଥିପାଇଁ ମୁଁ କେବେ ଡାକ୍ତର ପରାମର୍ଶ ବି କରିନାହିଁ... କେବଳ ଗୋଟାଏ ଜିଦିରେ ଯେ ଯକୃତ ଖରାପ ହୋଇଛି ତ । ଯାଉ, ଆହୁରି ଖରାପ ହୋଇଯାଉ !’’ ନିଜକୁ କେହି ଏମିତି କହିପାରେ?

 

ହଁ ସେଇ, ତଥାପି ବଞ୍ଚି ରହିଥିବା, ଗୋଟାଏ ପୀଢ଼ିର ପ୍ରତିନିଧିତ୍ୱ କରୁଥିବା, ଲୋକଲୋଚନରୁ ଦୂରରେ ଅଜ୍ଞାତବାସରେ ରହୁଥିବା ଲୋକଟିଏ ଏପରି କହିପାରେ । ସେଇ କହିପାରେ ଯିଏ ଜୀବନରେ ପୋକଟିଏ ହୋଇପାରିଲାନି ବୋଲି ଅସ୍ୱସ୍ତିରେ ସଢ଼ି ଚାଲିଥାଏ, ଯିଏ ‘ସଚେତନତା ହିଁ ମଣିଷର ସବୁଠାରୁ ବଡ଼ ରୋଗ’ ବୋଲି ଜାଣିଥାଏ । କାରଣ ସଚେତନ ମଣିଷଟିଏ ସ୍ୱାଭାବିକ, ନର୍ମାଲ ମଣିଷଠାରୁ ଅଲଗା । କାରଣ ସଚେତନ ମଣିଷଟିର ଜନ୍ମ ସ୍ୱାଭାବିକତାରୁ ହୋଇ ନଥାଏ, ହୋଇଥାଏ ପ୍ରତିବାଦରୁ ।

 

ସଚେତନ ମଣିଷଟିଏ ଏଇ ସ୍ୱାଭାବିକ, ମୂର୍ଖ ଲୋକମାନଙ୍କ ଉପସ୍ଥିତିରେ ନିଜକୁ ମୂଷା ରୂପରେ ଦେଖି ବରଂ ଖୁସି ହୁଏ । କାରଣ ମୂଷାଟିଏ ନିଜର ନିରୋଳା କ୍ରୋଧକୁ ଯେତିକି ସରଳଭାବରେ ପ୍ରକାଶ କରିପାରେ ମଣିଷ ସେତିକି କରିପାରେ କି? ଗୋଟିଏ ମୂଷାର ଆତ୍ମମଗ୍ନତା ଟିକକ ବି ମଣିଷ ପାଖରେ ସେ ଦେଖେ ନାହିଁ ।

 

‘ନୋଟସ୍ ଫ୍ରମ୍‍ ଅଣ୍ଡରଗ୍ରାଉଣ୍ଡ’ରେ ଏହିପରି ଗୋଟିଏ ମଣିଷ ନିଜର ପରିଚୟ ଦେଉଛି ଆଉ ଆପଣା ବିଚାରକୁ ଉପସ୍ଥାପିତ କରୁଛି ।

 

ଏଇ କ’ଣ ଅସ୍ତିତ୍ୱବାଦୀ ଚିନ୍ତାଧାରା? ସ୍ଥିତିବାଦର ଦର୍ଶନ?

 

ଅସ୍ତିତ୍ୱବାଦ ଗୋଟାଏ ଦର୍ଶନ ନୁହେଁ ବା କୌଣସି ନିର୍ଦ୍ଦିଷ୍ଟ ଧାରଣାର ନିର୍ଦ୍ଦିଷ୍ଟ ପୀଠସ୍ଥଳୀ ନୁହେଁ । ବରଂ ଗତାନୁଗତିକ ଦର୍ଶନ ବିରୁଦ୍ଧରେ ଭିନ୍ନ ଭିନ୍ନ ସମୟରେ ବହୁତ ପ୍ରଚାରିତ ଗୋଟାଏ ଛାପ ବା ଲେବଲ୍ । ଅସ୍ତିତ୍ୱବାଦ ହେଉଛି ଗୋଟେ ପ୍ରକାର ନରମ ସ୍ପର୍ଶକାତରତା-ସମୟହୀନତାର-। କାଳଖଣ୍ଡ ବାହାରେ ଏହାର ବିଚରଣ । କେଉଁ ଦୂର ଅତୀତରୁ ଏହାର ଆରମ୍ଭ । ଏଠି-ସେଠି, ଯେଉଁଠି-ସେଇଠି, ଖଣ୍ଡ ଖଣ୍ଡ ହୋଇ ପ୍ରକାଶିତ । ହେଲେ ବିଂଶ ଶତାବ୍ଦୀରେ ଏହା ବେଶ୍ ଦାନା ବାନ୍ଧି ଜମାଟ ହୋଇପାରିଛି । କଠିଣରୁ କଠିଣତର ହୋଇଛି ଗୋଟେ ପ୍ରକାର ନିରବିଚ୍ଛିନ୍ନ, କ୍ରମାଗତ ପ୍ରତିବାଦ ଆଉ ଆତ୍ମମଗ୍ନତାରେ ।

 

ସେଇଥିପାଇଁ ଆଜିର ମଣିଷ ଶୁଣେ ପୂରାପୂରି ଗୋଟେ ନୂଆସ୍ୱର, ଦସ୍ତଭସ୍କିଙ୍କ ‘ନୋଟସ୍ ଫ୍ରମ୍‍ ଅଣ୍ଡରଗ୍ରାଉଣ୍ଡ’ରେ । ଏ ସ୍ୱରର ତାଳ ନୂଆ, ପ୍ରତିବାଦ କ୍ଳାନ୍ତ ଆଉ ଅବସନ୍ନ ଭାବ ଆତ୍ମନିମଜ୍ଜିତ ।

 

‘‘ମୋର ଦୂର ସଂପର୍କୀୟମାନେ ମୋତେ ସ୍କୁଲକୁ ପଠାଉଥିଲେ । ଗୋଟାଏ ଏକାକୀ, ନିଃସଂଗ, ନୀରବ, ଚକିତ ବାଳକ ସେମାନଙ୍କ ଭର୍ତ୍ସନାରେ ବହୁ ଆଗରୁ ତଳିତଳାନ୍ତ ହୋଇ, ସଂଦେହର ଜାଲ ଭିତରେ ବନ୍ଦୀ ହୋଇ ରହିଥିଲା । ଏଣୁ ସ୍କୁଲରେ ସମସ୍ତଙ୍କୁ ସେ ଜାନ୍ତବ ଅବିଶ୍ୱାସରେ ଦେଖିବା ସ୍ୱାଭାବିକ ।       +      +      + ପ୍ରଥମରୁ ସେମାନଙ୍କୁ ମୁଁ ଘୃଣା କରୁଥିଲି ଆଉ ନିଜର ଭୀରୁତା ଓ ଆହତ ଅହଂକାରରେ ନିଜକୁ ସମସ୍ତଙ୍କଠାରୁ ଦୂରେଇ ନେଇ ନିଜ ଭିତରେ ନିଜର ଶକ୍ତି ହୋଇ ରହିଥିଲି । +      +      + ଆମ ସ୍କୁଲର ବାଳକମାନଙ୍କର ମୁହଁ ଗୋଟାଏ ସ୍ୱତନ୍ତ୍ର ବାଟରେ ଅବକ୍ଷୟଆଡ଼କୁ ଅଧିକ ମୂର୍ଖ ହୋଇ ବଢ଼ିଗଲା ପରି ଜଣାଯାଉଥିଲା । କେତେ ସୁନ୍ଦର ବାଳକ ଆମ ସ୍କୁଲକୁ ଆସିଥିଲେ ! ଅଳ୍ପ କେଇଟା ବର୍ଷରେ ସେମାନଙ୍କୁ ଆଉ ଚାହିଁ ହେଉ ନଥିଲା । ଏପରିକି ଷୋଳବର୍ଷରେ ବି ସେମାନଙ୍କୁ ଅନେଇଲେ ମୋତେ ଦୁଃଖ ଲାଗୁଥିଲା; ସେତେବେଳେ ବି ସେମାନଙ୍କ ଭାବନାର ନ୍ୟୂନତା ମୋତେ ବାଧିଥିଲା, ସେମାନଙ୍କ ଜିଜ୍ଞାସା, ଖେଳ ଓ କଥାବାର୍ତ୍ତାର ମୂର୍ଖପଣ ମୋତେ ଚକିତ କରିଥିଲା... ।”(୨)

 

ସୁନ୍ଦରତାର ଅଭାବକୁ ଲିପିବଦ୍ଧ କରିବା ହାସ୍ୟାସ୍ପଦ ମନେହୋଇପାରେ: ଅଭିଜାତ, ଆତ୍ମମର୍ଯ୍ୟାଦାର ସୁନିୟନ୍ତ୍ରିତ ଅବସ୍ଥା ବି ଏଠି ସ୍ୱାଭାବିକ ଲାଗେ ନାହିଁ, ଲାଗେ ନାହିଁ ବିରୋଧାଭାସର ଉପାଦାନ ଭଳି; ଏସବୁ ଯେମିତି ବାଟ ଖୋଲିଦିଏ ଅଭିନୟଆଡ଼କୁ, ମୁଖାଆଡ଼କୁ- ମନ ଭିତରେ ଚାଲିଥିବା ଡ୍ରାମା ଯାହା ନିଜ ଭିତରେ ନିଜେ ଯଥେଷ୍ଟ ହେଲେ ବି ଏହାର ପ୍ରତିଟି ଦୁର୍ବଳତା ପ୍ରତି ସଚେତନ ଆମ ନାୟକ ସତେ ଯେମିତି ଦୃଢ଼ ପ୍ରତିଜ୍ଞ ଖୋଳି ତାଡ଼ି ବାହାର କରିଦେବାକୁ ଭିତରର ପ୍ରତିଟି ଗୁମର କଥା । ମଣିଷର ସଜ୍ଞା ନିରୂପଣ କରି ସେ କହନ୍ତି ମଣିଷ ଗୋଟିଏ ଦିଗୋଡ଼ିଆ କୃତଘ୍ନ ଜୀବ । ଦୁର୍ବାର ଇଚ୍ଛା ହିଁ ମଣିଷର ସମଗ୍ର ଜୀବନକାଳର ରୂପଛବି ।

 

ଏଠି ଆମେ ଦେଖେ କ’ଣ? ଶୁଣେ କ’ଣ?

 

ବ୍ୟକ୍ତି ସତ୍ତାର ସେଇ ସଂଗୀତ ଯାହା କେବେ ଆଗରୁ ଶୁଣାଯାଇ ନଥିଲା: ଏ ସଂଗୀତ ଶାସ୍ତ୍ରୀୟ ନୁହେଁ କି ବାଇବେଲୀୟ ନୁହେଁ କି ରୋମାଣ୍ଟିକ୍ ବି ନୁହେଁ । ବ୍ୟକ୍ତିସତ୍ତା ଉପରେ ଏଠି ଟିପେ ବି ରଂଗ କେଉଁଠି ବୋଳା ହୋଇନାହିଁ କି ଆଦର୍ଶ ଗୋଳା ହୋଇନାହିଁ କିମ୍ବା ପବିତ୍ରତାର ଗଙ୍ଗାପାଣି ଢଳା ହୋଇନାହିଁ । ଏହା କୁତ୍ସିତ, ବିକାରଭରା, ଅପମାନରେ ଭରପୂର ତଥାପି ଏହାର ସମସ୍ତ ଦୀନତା ସହିତ ହିଁ ଏହା ସର୍ବୋତ୍ତମ, ସର୍ବୋତ୍କୃଷ୍ଟ ।

 

      +      +      + ଛୁଟି ଦିନର ଅପରାହ୍‌ଣ ଚାରିଟାବେଳେ ନେଭସ୍କି ରାଜପଥ ଧାରରେ ମୁଁ ଚାଲି ଚାଲି ବୁଲେ । ଏହି ଭ୍ରମଣ ସମୟରେ ବି ମୁଁ ଏପଟୁ ସେପଟ, ସେପଟୁ ଏପଟ ହେଉଥିଲି ଅତି କାତର ଭାବରେ, ତିମିମାଛ କଡ଼ ଲେଉଟେଇଲା ପରି କ୍ରମାଗତ ଏପଟ ସେପଟ ହେଉଥିଲି ଜେନେରଲ, ଅଫିସର, ରକ୍ଷୀ, ବର୍ଗୀ ବା ନାରୀମାନଙ୍କୁ ବାଟ ଛାଡ଼ି ଦେବାକୁ । ଏଇ ମୁହୂର୍ତ୍ତମାନଙ୍କରେ ମୋ ଛାତି ତଳେ ଅନୁଭୂତ ହେଉଥିଲା ଗୋଟେ ପ୍ରକାର ବେଦନାଦାୟକ ସଂକୋଚନ-ପ୍ରସାରଣର ଯନ୍ତ୍ରଣା । ମୋ ପୋଷାକର, ମୋ ଚେହେରାର ଦୟନୀୟ ରୂପର ଭାବନା ହିଁ ସତେ ଯେପରି ମୋ ମେରୁଦଣ୍ଡ ଭିତରୁ ଉଷ୍ମ ଶସ ନିଗାଡ଼ି ଦେଉଥିଲା । ଏହା ଥିଲା ଗୋଟେ ପ୍ରକାର ପ୍ରତିଦିନ ଶହୀଦ ହେବା, ଆଉ ଏଇ ଭାବନାରେ ପ୍ରତି ମୁହୂର୍ତ୍ତରେ ଉପହସିତ ହେବାର ଅନୁଭବିବା, ମୋ ଭିତରଟାକୁ ଏହା ଏପରି ସ୍ପର୍ଶକାତର କରିଦେଉଥିଲା ଯେ, ମୁଁ ଭାବୁଥିଲି, ତା ହେଲେ ଏ ଦୁନିଆ ଆଖିରେ ମୁଁ କେବଳ ଗୋଟାଏ ମାଛି, ଗୋଟାଏ ଘୃଣ୍ୟ, ମଇଳା ମାଛି- ହୋଇପାରେ ଅନ୍ୟ ମାଛିଠାରୁ ଅଧିକ ବୁଦ୍ଧିମାନ, ଅନୁଭବରେ ଅଧିକ ସୂକ୍ଷ୍ମ, ହେଲେ ଗୋଟାଏ ମାଛି ତ ! - ଯିଏ ସବୁବେଳେ ସମସ୍ତଙ୍କପାଇଁ ବାଟ କରିଚାଲିଛି ।”(୩)

 

ଏହାକୁ କ’ଣ ଆପଣ କଳ୍ପନା ପ୍ରବଣତା କହିବେ?

ବିଜ୍ଞାନ ବିରୋଧୀ ପକ୍ଷପାତ ଧାରଣା ଦୃଷ୍ଟିରୁ ଆମକୁ ଏହା ରୋମାଣ୍ଟିସିଜ୍‌ମ୍ କଥା ହୁଏତ ମନେ ପକାଇ ଦେଇପାରେ : ହେଲେ ଆମର ଏଇ ‘ନୋଟସ୍‍ ଫ୍ରମ୍‍ ଅଣ୍ଡରଗ୍ରାଉଣ୍ଡ’ ଅତିମାତ୍ରାରେ ରୋମାଞ୍ଚବିହୀନ, ଭାବପ୍ରବଣତାଠାରୁ ବହୁତ ଦୂରରେ- ଜୀବନର ବହୁ ବିରୋଧାଭାସର ଗୋଟାଏ ଉପକଥା ।

 

ରୋମାଣ୍ଟିସିଜମ୍‌ର ଆକୃତିକ- ଅଂଗରେଖାର ନରମ, ମୁଲାଏମ୍ ପଣଠାରୁ ଦସ୍ତଭସ୍କିଙ୍କ ନୋଟସ୍ କେତେ ଦୂରରେ ! ନୋଟସ୍‌ର ସ୍ୱର ନୁହେଁ ନରମ ବା ଅସ୍ପଷ୍ଟ । ଆଉ ଅଧିକ ତିକ୍ତ ହୁଏତ ହୋଇପାରି ନଥାନ୍ତା ଏ ସ୍ୱର, ହୋଇପାରି ନଥାନ୍ତା ଅଧିକ ଉଜ୍ୱଳ ଏହାର ସ୍ପଷ୍ଟତା ।

 

ଜୀବନର ଅହେତୁକତାରେ, ଦୁର୍ବୋଧ୍ୟତାରେ, ଜଟିଳତାରେ ଆମେ ଆଶ୍ଚର୍ଯ୍ୟ ହୁଏ । ହେଲେ ସେଇ ଆଶ୍ଚର୍ଯ୍ୟ ପଛରୁ ତ ଝଟକୁ ଥାଏ ଘୃଣ୍ୟ, ନଗ୍ନ ସତ୍ୟ!

 

“ଯେତେ ବି ସଂପତ୍ତି ବା ସମ୍ମାନ ବା ଯଶ ମିଳୁ ପଛେ, ଆତ୍ମପ୍ରତାରଣାରୁ କାଣିଚାଏକୁ କେହି ଯଥାର୍ଥ ବା ଠିକ୍ ବୋଲି ପ୍ରମାଣ କରିପାରିବ କି? କୁତ୍ସିତ ବାସ୍ତବତାରୁ ମୁହଁ ବୁଲେଇ କ୍ଷଣକପାଇଁ ଅସତ୍ୟକୁ ସତ୍ୟ କରି ଦେଇପାରିବ କି?”(୪)

ଉତ୍ତର-ନା ।

 

ଯଦି ନୁହେଁ ତା ହେଲେ ଘଟଣାର ବାସ୍ତବିକତା ସହ ଏହାର ବନ୍ଧନ ସାହିତ୍ୟିକ ସ୍ୱାଭାବିକତା କାହିଁକି ହେବ? ଏହା ମଣିଷର ଅନ୍ତରୀଣ ଜୀବନ, ତାର ଇଚ୍ଛା, ଆବେଗ, ବ୍ୟସ୍ତତା ଆଉ ତାର ନିଷ୍ପତ୍ତି - ଯାହାକୁ ମଣିଷ ଜୀବନସାରା ବଦଳେଇ ଚାଲିଥାଏ, ଶେଷଯାଏଁ ବି ଜାଣି ନଥାଏ ପ୍ରକୃତରେ କ’ଣ ତାର ଇଚ୍ଛା, କ’ଣ ତାର ଆବେଗ... । ଯାହା ସବୁ ତାର ସୁନାମରେ ଆଞ୍ଚ ଆଣିବାକୁ ଯଥେଷ୍ଟ ସେଇଭଳି କାମରେ ପ୍ରବୃତ୍ତ ହେବାକୁ ମଣିଷ ଇଚ୍ଛା କରେନାହିଁ କି? ପ୍ରକୃତରେ ସେ ସୁନାମ ଚାହେଁ ବୋଲି ଆପଣ ଭାବନ୍ତି କି?

 

ଏହି ‘ନୋଟସ୍‍’ ସହିତ ସାମାନ୍ୟ ବି ସମାନତା ରଖୁଥିବା ବହି ୟୁରୋପୀୟ ଦର୍ଶନ ସାହିତ୍ୟରେ ବି ବିରଳ । ହେଲେ ଅଗଷ୍ଟାଇନ୍‌, ପାସ୍କାଲଙ୍କ ଭଳି ଖ୍ରୀଷ୍ଟୀଆନ ଲେଖକଙ୍କ ରଚନାରେ ଏଇଭଳି କିଛିଟାର ସନ୍ଧାନ ମିଳିପାରେ । ତେବେ ସମାନତାଠାରୁ ଏଠି ଅସମାନତା ବହୁତ ବେଶୀ-। ଦସ୍ତଭସ୍କିଙ୍କର ପ୍ରଥମ ଆକ୍ରମଣ ହେଉଛି ସେଇ ଭିତ୍ତିଭୂମି ଉପରେ ଯେଉଁଠି ଭିତ୍ତିଭୂମି ଖ୍ରୀଷ୍ଟଧର୍ମର - ଯାହା ମୂଳପାପରେ ବିଶ୍ୱାସୀ । ଡଷ୍ଟଭସ୍କି କହନ୍ତି ଏହା ହିଁ ତ ମଣିଷର ଅନ୍ତରୀଣ ଜୀବନ । ମଣିଷଟିଏ କାଦୁଅରେ ଲଟପଟ ହେବ ହିଁ ହେବ ଆଉ ବିବେକର ବାରମ୍ବାର ତର୍ଜନ-ଗର୍ଜନ ସତ୍ୱେ ଗୋଟେ ବେସାଲିସ ଦୃଢ଼ତାର ସହ ଏହା ସେ ବାରମ୍ବାର କରିଚାଲିବ । ନୈତିକ ଅବକ୍ଷୟ ଆଉ ଭ୍ରଷ୍ଟତାରେ ଗଡ଼ିବା ମଣିଷର ମୂଳ ପ୍ରକୃତି । ମଣିଷର ଅନ୍ତରୀଣ ଜୀବନର ଇଏ କଳାଦିଗ ।

 

ରୁଷୋ ତାଙ୍କ ‘କନଫେସନ୍‌ସ’ ବହିରେ ‘ମୂଳପାପ’ ଇଚ୍ଛାକୁ ଅସ୍ୱୀକାର କରିଛନ୍ତି । ବଦଳରେ ମଣିଷର ଭଲପଣକୁ ସ୍ୱୀକାର କରିଛନ୍ତି ଆଉ ନିଜର ସମସ୍ତ ଦୁର୍ନୀତି, ଅପବାଦର ଦୋଷ ସମାଜ ମୁଣ୍ଡରେ ଢାଳି ଦେଇଛନ୍ତି । ତା’ପରେ ସେ ଆଗେଇ ଆସିଛନ୍ତି ବୁଝେଇବାକୁ କେମିତି ମଣିଷର ସମସ୍ତ ନୀତିହୀନ ଭ୍ରଷ୍ଟାଚାର ଗୋଟେ ସୁସ୍ଥ ସମାଜରେ ନିଶ୍ଚିହ୍ନ ହୋଇଯାଇ ପାରେ, ଅର୍ଥାତ ସୁସ୍ଥ ସମାଜ ସେଇ ଯାହା ସର୍ବସାଧାରଣଙ୍କ ଇଚ୍ଛାରେ ପରିଚାଳିତ ।

 

ସର୍ବସାଧାରଣଙ୍କ ଇଚ୍ଛା? ‘ନୋଟସ୍ ଫ୍ରମ୍‍ ଅଣ୍ଡରଗ୍ରାଉଣ୍ଡ’ ପଚାରେ । ଅଂଗୁଳି ଦେଖାଇ କହେ କୌଣସି ବି ସମାଜ ମଣିଷକୁ ନୀତିହୀନ ହେବାରୁ ମୁକୁଳେଇ ପାରିବ ନାହିଁ ।

 

ରୁଷୋ, ପ୍ଲେଟୋ, ଆରିଷ୍ଟଟଲଙ୍କଠାରୁ ଆରମ୍ଭ କରି ହବସ୍‌, ଲକ୍‌, ହେଗେଲ, ଜନ୍ ଷ୍ଟୁଆର୍ଟ ମିଲ୍‌ଙ୍କ ଯାଏ ସମଗ୍ର ସାମାଜିକ ଦର୍ଶନର ପରଂପରା ବିରୁଦ୍ଧରେ ନୋଟସ୍‍ ଫ୍ରମ୍‍ ଅଣ୍ଡରଗ୍ରାଉଣ୍ଡ ଏକ ବୌଦ୍ଧିକ-ବିତର୍କ । ମଣିଷର ନୀତିହୀନ ଇଚ୍ଛାଠାରୁ ଆରମ୍ଭ କରି ଅନେକ କିଛି ଏହାର ଭିତ୍ତିଭୂମି ।

 

ଏଇ ପୁସ୍ତକରେ ଦସ୍ତଭସ୍କି ତିଆରି କରିଛନ୍ତି ଯେଉଁ ବ୍ୟକ୍ତିଟିକୁ- ସେ ସେଇସବୁକୁ ବହନ କରି ଚାଲିଛି ଯାହାକୁ ପାରମ୍ପରିକ ଖ୍ରୀଷ୍ଟଧର୍ମ ନୈତିକ ଅବକ୍ଷୟ ବା କଳଙ୍କର ନାମ ଦେଇଛି । ହେଲେ ସେ ନା ବିଶ୍ୱାସ କରେ ମୂଳପାପରେ ନା ଈଶ୍ୱରରେ । ଆଉ ତା’ପାଇଁ ମଣିଷର ସ୍ୱ-ଇଚ୍ଛା କେବେ ବି ନୀତିହୀନ ବା ଭ୍ରଷ୍ଟାଚାର ନୁହେଁ । ଏହା ସେଇ ତର୍କବାଦୀମାନଙ୍କ ଦୃଷ୍ଟିକୋଣରୁ କେବଳ ହୋଇପାରେ ବିକୃତ ଓ ଦୋଷଦୁଷ୍ଟ, ଯେଉଁମାନେ ବ୍ୟକ୍ତିସ୍ୱାତନ୍ତ୍ର‌୍ୟର ଆଡ଼ମ୍ବରପୂର୍ଣ୍ଣ ସ୍ଥୂଳ ଆବରଣ ଉପରେ ଅଙ୍କିତ ପରିଚ୍ଛନ୍ନ ଅଥଚ କୁଟିଳ ଚକ୍ରାନ୍ତକୁ ଅଧିକ ଗୁରୁତ୍ୱ ଦିଅନ୍ତି ।

 

ଫିଦର ମିଖାଇଲୋଭିତ ଦସ୍ତଭସ୍କିଙ୍କର ଜନ୍ମ ୧୮୨୧ରେ ମସ୍କୋନଗରୀରେ । ୧୮୬୪ରେ ପ୍ରକାଶ ପାଏ ‘ନୋଟସ୍ ଫ୍ରମ୍‍ ଅଣ୍ଡରଗ୍ରାଉଣ୍ଡ ।’ ପରେ ପରେ ପ୍ରକାଶିତ ‘କ୍ରାଇମ ଏଣ୍ଡ ପନିସ୍‍ମେଣ୍ଟ’, ‘ଦି ଇଡିୟଟ୍‌’, ‘ଦି ପୋଜେସଡ୍‌’, ‘ବ୍ରଦର କରମାଜୋଭ’ ।

 

ଏଇ ମହାନାୟକଙ୍କ ଜୀବନର ଅବସାନ ହୁଏ ୧୮୮୧ରେ ।

 

ସେତେବେଳକୁ ସେ ହୋଇସାରିଥାନ୍ତି ଜାତିର ନାୟକ ନିଜ ଅଜାଣତରେ ଆଉ କାଳର ଅନ୍ତରାଳରେ ।

 

ଦସ୍ତଭସ୍କିଙ୍କର ଦୁଇଟି ବହି ମୁଁ ଅନୁବାଦ କରିଛି, ‘ଦି ଇଡିୟଟ’ ଆଉ ‘ନୋଟସ୍‍ ଫ୍ରମ୍‍ ଅଣ୍ଡରଗ୍ରାଉଣ୍ଡ ।’ ଆଗରୁ ଅନୂଦିତ ହୋଇସାରିଥିବା କ୍ରାଇମ ଏଣ୍ଡ ପନିସ୍‌ମେଣ୍ଟ ଓ ବ୍ରଦର କରମାଜୋଭକୁ ପୁଣିଥରେ ଅନୁବାଦ କରିବାର କଳ୍ପନା ରଖିଛି । ଦସ୍ତଭସ୍କିଙ୍କୁ ପଢ଼ି ମୁଁ ବୁଝିଛି ଜୀବନର ବିରୋଧାଭାସକୁ । ଜାଣିଛି କେମିତି ଆମେ ସମସ୍ତେ ଜୀବନର କେନ୍ଦ୍ରରୁ ବିଚ୍ୟୁତ, ପ୍ରତି ମୁହୂର୍ତ୍ତରେ ପ୍ରକୃତି ମାତା ସହ ସଂଘର୍ଷରତ-ମାତୃହନ୍ତା-ବିକଳାଙ୍ଗ ଦଳ ବଞ୍ଚିଚାଲିଛେ ଏମିତି ଗୋଟେ ଜୀବନ ଯେଉଁଠି ଗୋଟାଏ ଖଳନାୟକର ଯାବତ ଆବଶ୍ୟକୀୟ ଚତୁରତା ଓ କୌଶଳ ସ୍ପଷ୍ଟ ଦିବାଲୋକରେ ଖୋଲାଖୋଲି ଠୁଳ ହୋଇ ପ୍ରକାଶିତ ହେଉଛି ଆଉ ସବୁ ମିଶି କିଭଳି ନିତାନ୍ତ ଅରୁଚିକର ଧାରଣା ସୃଷ୍ଟି କରୁଛି ।

 

ପ୍ରେମ ବି ଏଠି ଗୋଟାଏ ଖଣ୍ଡଯୁଦ୍ଧ ଛଡ଼ା ଆଉକିଛି ନୁହେଁ । ଏହା ଆରମ୍ଭ ହୁଏ ଘୃଣାରେ ଆଉ ଶେଷ ହୁଏ ବିଶେଷ ନୈତିକ ବିଚାରରେ । ଆଉ ତା’ପରେ ଆମେ କେବେ ବି ଖୋଜିପାରେ ନାହିଁ ଏଇ ନୈତିକ ବିଚାର ପରିସରଭୁକ୍ତ ପ୍ରେମଟିକୁ ନେଇ କ’ଣ କରିବା?

 

ଜୀବନର ଏଭଳି କେତେ ସତ୍ୟକୁ ଦସ୍ତଭସ୍କି କହନ୍ତି-ଏହାହିଁ ଚିରନ୍ତନ । ଏହି ପୁସ୍ତକ ପ୍ରକାଶନର ଦେଢ଼ଶହ ବର୍ଷ ପରେ ଆଜି ଜୀବନକୁ ଅନୁଶୀଳନ କଲାବେଳେ ଆମ ଚାରିପାଖେ ଆମେ ସେହି ଖଣ୍ଡଯୁଦ୍ଧ ଆଉ ନୀତିହୀନତା ଛଡ଼ା ଆଉ କ’ଣ ବା ଦେଖୁଛେ?

 

କେତେ ସହଜରେ ଆଉ ଗର୍ବରେ ଆମେ ନିଜକୁ ଦୁର୍ନୀତିଗ୍ରସ୍ତ କରି ଦେବାକୁ ସମର୍ଥ ହୁଏ । ସୂକ୍ଷ୍ମତମ ଆବେଗର ମୁହୂର୍ତ୍ତରେ ଆଉ ଜଣକୁ ଲଜ୍ଜା ଅପମାନରେ ତଳିତଳାନ୍ତ କରିପାରେ, ସିଧାସଳଖ ତା ହାତମୁଠା ଖୋଲିଦେଇ ଥୋଇଦିଏ ନୋଟ୍‌ଟିଏ... ଘୃଣାରେ । ଏହା ଆସେ କେଉଁଠୁ? ହୃଦୟର ଆବେଗରୁ ନା ଅପରାଧୀ ମନରୁ ନା ନିଷ୍ଠୁରତାରୁ?

 

‘ନୋଟସ୍ ଫ୍ରମ୍‍ ଅଣ୍ଡରଗ୍ରାଉଣ୍ଡ’ରେ ନିଜକୁ ହଜାଇ ଦେବା ପରେ ଆଉ ଦରକାର ପଡ଼େ ନାହିଁ ବଂଧୁ, ଜ୍ଞାତି, ସମାଜ ଓ ସଂପ୍ରଦାୟ । ଏଠି ନଥାଏ ନିଜ ଭୀରୁତାର ବନ୍ଧନ, ନଥାଏ ଅପକର୍ମ ଅନ୍ଧକାରେ ଆକୁଳକ୍ରନ୍ଦନ । ଏକାକୀତ୍ୱ ବି ନଥାଏ, ନଥାଏ ଏଠି ନିସଂଗତା । ବରଂ ଥାଏ ମୁକ୍ତି ଯେଉଁଠି ଦୂର ଅତୀତର ପାପର ସ୍ୱର ଆଉ ଡରେଇ ପାରେନି, ଦର୍ପଣରେ ମୁହଁ ଆଉ ଦିଶେନି କୁତ୍ସିତ । ନିଜକୁ ଜାଣିଜାଣି ବାରମ୍ବାର ଠକିବାର ବାହାନା ଏଠାରେ ନଥାଏ ।

 

‘ନୋଟସ୍ ଫ୍ରମ୍‍ ଅଣ୍ଡରଗ୍ରାଉଣ୍ଡ’ରେ ଲେଖକ ଯାହା କହିଛନ୍ତି ତାହା ପ୍ରତ୍ୟେକ ଲୋକର ଜୀବନରେ କେତେବେଳେ ନା କେତେବେଳେ ଘଟିଚାଲିଛି । ଜୀବନ ଏମିତିରେ ଅନେକ ଭୀରୁତା, ଭ୍ରାନ୍ତି, ବନ୍ଧନ, କ୍ରନ୍ଦନ, ଭୟ, ନିଃସଂଗତାରେ ଭରା । ହେଲେ ସେସବୁକୁ ଧରି ମଣିଷ କିପରି ଆଗେଇ ଚାଲିବ? ଏପରି ଏକ ଶୈଳୀ ଆପଣେଇଛନ୍ତି ଲେଖକ ଏ ପୁସ୍ତକରେ ଯାହାକୁ ତନ୍ନତନ୍ନ କରି ଅଧ୍ୟୟନ କଲେ ଜଣେ ବୁଝିପାରିବ ଜୀବନରେ ଏପରି ଘଟେ କାହିଁକି? ଆଉ ଯଦି ଘଟେ ସେଥିରୁ ମୁକୁଳିବାର ବାଟ ବି ଅଛି । କାରଣ କୌଣସି ଅଘଟଣ କାହା ଜୀବନରେ ପ୍ରଥମ ଥରପାଇଁ ଘଟେ ନାହିଁ, ଯାହା ଆଗରୁ କେବେ ଘଟି ନାହିଁ । ଏଭଳି କେତେ ଜୀବନ-ସୂତ୍ର ଏଥିରେ ଅଛି ଯାହା ମଣିଷ ମନରୁ ଡର ଅନ୍ତର୍ହିତ କରାଇଦେବାକୁ ସମର୍ଥ । ଜୀବନକୁ ଜୀଇଁବା, କଳା ମଧ୍ୟ ଏଥିରେ ବର୍ଣ୍ଣିତ । ସେହି କଳା ହେଉଛି ‘ସତ୍ୟ’ ଓ ସରଳତା ।

‘ନୋଟସ୍ ଫ୍ରମ୍‍ ଅଣ୍ଡରଗ୍ରାଉଣ୍ଡ’ କେବଳ ଜଣେ ନିର୍ବାସିତ ଲେଖକର ଆତ୍ମଲିପି ନୁହେଁ, ଏହା ସ୍ୱନିର୍ବାସିତ ମଣିଷର ସ୍ୱ-ଆବିଷ୍କାର ।

 

ଶକୁନ୍ତଳା ବଳିଆରସିଂହ

 

୧, ୨, ୩, ୪- ଉଦ୍ଧୃତାଂଶ ଗୁଡ଼ିକୁ ‘ନୋଟସ୍ ଫ୍ରମ୍‍ ଅଣ୍ଡରଗ୍ରାଉଣ୍ଡ’ରୁ ଅନୁଦିତ ।

ଲେଖକ ।

 

ପ୍ରଥମ ଅଧ୍ୟାୟ

(ଏକ)

 

ମୁଁ ଗୋଟିଏ ରୁଗ୍‌ଣ (୧) ବିଦ୍ୱେଷ ପରାୟଣ ଲୋକ, ରାଗୀ ଆଉ ଅସୁନ୍ଦର ବି । ଏହା ବି ହୋଇପାରେ ମୋ ଲିଭର୍‌ଟି କାନ୍‌ସର ଗ୍ରସ୍ତ । ମୋତେ ତ ଲାଗୁଛି ମୋ ଯକୃତଟି ସଂପୂର୍ଣ୍ଣ ରୋଗାକ୍ରାନ୍ତ ହୋଇଯାଇଛି । ତେବେ ମୋ ରୋଗ ବିଷୟରେ ନିର୍ଦ୍ଦିଷ୍ଟ ଭାବରେ ମୁଁ କିଛି ଜାଣିନାହିଁ । ଏପରିକି ପ୍ରକୃତରେ ମୋର କ’ଣ ହୋଇଛି ସେ ବାବଦରେ ବି ମୋର ଧାରଣା ଭାରି ଅସ୍ପଷ୍ଟ । ଏଥିପାଇଁ କୌଣସି ଡାକ୍ତରଙ୍କୁ ମୁଁ ପରାମର୍ଶ କରିନାହିଁ, କେବେ ବି କରିନାହିଁ, ଏହାର ଅର୍ଥ ହେଲା ଏୟା ଯେ ଭେଷଜ ବିଜ୍ଞାନ ଆଉ ଡାକ୍ତରଙ୍କ ପ୍ରତି ମୋର ସମ୍ମାନ ନାହିଁ । ତା ଛଡ଼ା ଔଷଧରେ ବିଶ୍ୱାସ କରିବାପାଇଁ ଯେଉଁ ସବୁ କୁସଂସ୍କାର ଦରକାର ତାହା ବି ମୋ ଭିତରେ ଅଛି । ମୁଁ ଉଚ୍ଚଶିକ୍ଷିତ, ମୋ ପାଖରେ କୁସଂସ୍କାର ରହିବା କଥା ନୁହେଁ, ଅଥଚ ମୁଁ ସଂସ୍କାରଗ୍ରସ୍ତ । ନା, ସଂସ୍କାର ବା କୁସଂସ୍କାରପାଇଁ ନୁହେଁ, ସତ କଥା ହେଲା, ମୁଁ ଡାକ୍ତର ପରାମର୍ଶ କରେନାହିଁ କେବଳ ରାଗରେ-। ଏଇ କଥାଟାକୁ ତୁମେ ବୁଝିପାରିବ କି ନାହିଁ କେଜାଣି, ହେଲେ ମୁଁ ବୁଝିଛି । ଅବଶ୍ୟ ଏଠି ପ୍ରକୃତରେ କେଉଁ ଜିନିଷ ପ୍ରତି ରାଗରୁ ମୁଁ ମୋର ବିରକ୍ତି ପ୍ରକାଶ କରୁଛି ତାହା ବି ତୁମକୁ ମୁଁ ବୁଝାଇ ପାରିବି ନାହିଁ; କାରଣ ମୁଁ ଭଲ କରି ଜାଣେ ଯେ ଯଦି ମୁଁ ଡାକ୍ତରୀ ପରାମର୍ଶ ନ କଲେ ଡାକ୍ତରର କିଛି ହେବ ନାହିଁ, ଆଉ ଏକଥା ବି ବେଶ୍ ଭଲ କରି ବୁଝେ ଯେ ଏଭଳି କରିବାଦ୍ୱାରା ମୁଁ ମୋ ନିଜର ହିଁ କେବଳ କ୍ଷତି କରୁଛି, ଆଉ କାହାରି ନୁହେଁ । ତଥାପି ଯଦି ମୁଁ ଡାକ୍ତର ପରାମର୍ଶ କରୁନାହିଁ- ତାହା କେବଳ ମୋରି ଜିଦି ଯୋଗୁ କରି ନାହିଁ । ଜିଦି: ମୋ ଯକୃତ ଖରାପ ହୋଇଯାଇଛି ତ ଯାଉ, ଆହୁରି ଖରାପ ହୋଇଯାଉ !

 

[୧.ଏଇ ଟିପ୍‌ପଣୀର ଗାଥାକାର ଆଉ ଏଇ ଟିପ୍‌ପଣୀଗୁଡ଼ିକ ଅବଶ୍ୟ କାଳ୍ପନିକ । ତଥାପି ବି ଯେଉଁ ପରିସ୍ଥିତିରେ ଆମ ସମାଜ ଗଢ଼ା ହୋଇଥିଲା ତାହାକୁ ବିଚାରକୁ ନେଲେ ଏକଥା ସ୍ପଷ୍ଟ ହେଉଛି ଯେ ଏଇ ଟିପ୍‌ପଣୀର ଲେଖକ ପରି ଲୋକମାନେ ଥାଇପାରନ୍ତି କେବଳ ନୁହେଁ, ନିଶ୍ଚୟ ଆମ ସମାଜରେ ରହିଛନ୍ତି । ଜନସାଧାରଣଙ୍କ ଗୋଚରାର୍ଥେ ତାଙ୍କ ସାମ୍ନାରେ ନିକଟ ଅତୀତର ଗୋଟିଏ ଚରିତ୍ରକୁ ଅନ୍ୟମାନଙ୍କଠାରୁ ଅଧିକ ମୁକୁଳା କରି ଦେଖେଇବାକୁ ମୁଁ ଚେଷ୍ଟା କରିଛି । ସେ ଚରିତ୍ରଟି ହେଉଛି ତଥାପି ବଞ୍ଚି ରହିଥିବା ଗୋଟିଏ ପୀଢ଼ିର ପ୍ରତିନିଧି ସ୍ଥାନୀୟ ଚରିତ୍ରଟିଏ । ଏଇ ଅଣ୍ଡରଗ୍ରାଉଣ୍ଡ (ଅଜ୍ଞାତବାସ) ଶୀର୍ଷକ ଅଂଶଟିରେ ଏ ଲୋକଟି ନିଜର ପରିଚୟ ଦେଉଛି ଓ ଆପଣା ବିଚାରକୁ ଉପସ୍ଥାପିତ କରୁଛି । ଆଉ ସ୍ୱାଭାବିକ ଭାବରେ କାହିଁକି ଓ କ’ଣ ପାଇଁ ସେ ଆମ ଭିତରକୁ ଆସିଛି ବା ଆସିବାକୁ ବାଧ୍ୟ ହୋଇଛି ତାହାର ତର୍ଜମା କରିବାକୁ ଚେଷ୍ଟା କରୁଛି । ଦ୍ୱିତୀୟାର୍ଦ୍ଧରେ ତାର ଜୀବନରେ ଘଟିଥିବା କେତେକ ନିର୍ଦ୍ଦିଷ୍ଟ ଘଟଣାକୁ ନେଇ ତାର ପ୍ରକୃତ ଟିପ୍‌ପଣୀ ଲିପିବଦ୍ଧ ହେବ ।      

 

(ଲେଖକଙ୍କ ଟିପ୍‌ପଣୀ ।)]

ଏମିତି ତ ମୁଁ ବହୁତ ଦିନ ହେଲା ଚଳି ଆସୁଛି- କୋଡ଼ିଏ ବର୍ଷ ହେଲାଣି । ଏବେ ମତେ ହେଲାଣି ଆସି ଚାଳିଶ ବର୍ଷ । ଆଗରୁ ମୁଁ ସରକାରୀ ଚାକିରୀରେ ଥିଲି, ଏବେ ଆଉ ନାହିଁ । ମୁଁ ଗୋଟାଏ ବଦ୍‌ମିଜାଜ୍‌ର ଅଫିସର ଥିଲି । ଭାରି କଡ଼ା କଡ଼ା କଥା କହୁଥିଲି ଆଉ ସେଥିରୁ ଆନନ୍ଦ ବି ପାଉଥିଲି । ଦେଖ, ମୁଁ ଲାଞ୍ଚ ନେଉ ନଥିଲି ଓ ସଚ୍ଚୋଟ ଥିଲି । ଏଣୁ ସଚ୍ଚୋଟତାର ଫଳରୂପେ କିଛି ଫାଇଦା ତ ମୁଁ ପାଇବା ଉଚିତ । (ଇୟେ ଗୋଟାଏ ଶସ୍ତା ପରିହାସ, ହେଲେ ଏହାକୁ ମୁଁ କାଟି ଦେବି ନାହିଁ, ଲେଖିଲାବେଳେ ମୁଁ ଭାବିଥିଲି ଏହା ଖୁବ୍ ସୁନ୍ଦର ବ୍ୟଙ୍ଗଟିଏ ହେବ; ହେଲେ ଏବେ ମୁଁ ନିଜେ ଦେଖୁଛି ଯେ, କେବଳ ଦେଖେଇ ହେବାକୁ ମୁଁ ଚାହୁଁଥିଲି । ତେଣୁ ଏହାକୁ ଇଚ୍ଛା କରି ମୁଁ କାଟିବି ନାହିଁ !)

 

ଆବେଦନକାରୀମାନେ ଯେତେବେଳେ ମୋ ଟେବୁଲ ପାଖକୁ କିଛି ଜାଣିବା ବା ବୁଝିବାପାଇଁ ଆସୁଥିଲେ ମୁଁ ସେମାନଙ୍କୁ ଦେଖି ଦାନ୍ତ ରଗଡୁଥିଲି, ସେମାନଙ୍କୁ ଅପ୍ରତିଭ, ଅପଦସ୍ତ, ଅପମାନିତ କରୁଥିଲି, ଆଉ ସେମାନେ ଦୁଃଖୀ ଦେଖାଯାଉଥିଲେ ତ ମୋର ଖୁସିର ସୀମା ରହୁନଥିଲା । ଅଧିକାଂଶବେଳେ ଏଇ କାମରେ ମୁଁ ସଫଳ ହିଁ ହେଉଥିଲି । କାରଣ ସେଗୁଡ଼ାଙ୍କ ଭିତରୁ ଅଧିକାଂଶ ଥିଲେ ଭୀରୁ- ପୁଣି ସେମାନେ ଥିଲେ ଆବେଦନକାରୀ । ହେଲେ ଉଦ୍ଧତମାନଙ୍କ ଭିତରେ ଗୋଟାଏ ନିର୍ଦ୍ଦିଷ୍ଟ ଅଫିସର ଥିଲା ଯାହାକୁ ମୁଁ ଜମା ସହି ପାରୁ ନଥିଲି । ନମ୍ରତା ଜିନିଷଟା କ’ଣ ସେ ତ ଆଦୌ ଜାଣି ନଥିଲା, ଆଉ ଅତି ବିରକ୍ତିକର ଭାବରେ ତା’ର ଔଦ୍ଧତ୍ୟ ରୂପକ ହତିଆରଟାକୁ ବାରମ୍ବାର ମୋ ସାମ୍ନାରେ ଝଣଝଣ କରୁଥିଲା । ସେଇ ହତିଆରଟାକୁ ନେଇ ତା’ର ମୋର ତିକ୍ତତା ଚାଲିଲା ଅଠରମାସ ଧରି । ଶେଷରେ ମୁଁ ଜିତିଲି ଆଉ ସେ ହାରିଲା । ତଲୱାର ଝଣ୍‌ଝଣ୍ କରିବା ସେ ଛାଡ଼ିଦେଲା । ଏହା ଅବଶ୍ୟ ମୋ ଯୁବାବେଳର ଘଟଣା ଥିଲା ।

 

ହେଲେ ଭଦ୍ରଜନେ, ତୁମେମାନେ ଜାଣ କି କାହିଁକି ମୁଁ ରାଗୁଥିଲି? ମୋ କ୍ରୋଧର ଆଉ ଘୃଣାର କାରଣଟି କ’ଣ ଥିଲା? ଅସଲ କଥାଟି ହେଲା ଏୟା ଯେ କଥାର ପ୍ରକୃତ ମଞ୍ଜିଟି ସେଇଥିରେ ହିଁ ଥିଲା-କ୍ରୋଧ ଆଉ ଘୃଣାରେ । ମୋର ସବୁଠାରୁ ରୁଗ୍‌ଣ ଅବସ୍ଥାରେ, ସବୁଠାରୁ କଷ୍ଟକର ବାତ ମାରିବା ମୁହୂର୍ତ୍ତରେ ବି ମୁଁ ଭିତରେ ଭିତରେ ଘୋର ଲଜ୍ଜା ଆଉ ଗ୍ଲାନିରେ ଅବିରତ ଅବଗତ ଥିଲି ଯେ ମୁଁ ଗୋଟାଏ କ୍ରୋଧୀ ମଣିଷ କେବେ ବି ନଥିଲି, ଏପରି କି ସାମାନ୍ୟ ତିକ୍ତତା ବି ମୋ ଭିତରେ ନଥିଲା । ଏଇ କେବଳ ଅତି ବେଶୀରେ ମଝିରେ ମଝିରେ ଏଠି ସେଠି ଦି ଚାରିଟା ଘରଚଟିଆଙ୍କୁ ଯାହା ମୁଁ ଡରେଇ ଦେଇ ନିଜକୁ ଆମୋଦିତ କରୁଥିଲି । ଏହା ହିଁ ତ ଥିଲା ମୋର କ୍ରୋଧ ଆଉ ଘୃଣାର ମୂଳ କାରଣ ।

 

ପ୍ରକୃତରେ ମୋ ପ୍ରକୃତି କେତେ ନରମ ଥିଲା ଜାଣ? ମୁଁ ବହୁତ କଷ୍ଟ ପାଉଥିଲାବେଳେ ଆଉ ମୋ ପାଟିରୁ ଫେଣ ବାହାରି ଯାଉଥିଲାବେଳେ ବି ମତେ ଖେଳିବାକୁ ଗୋଟାଏ ପ୍ଲାଷ୍ଟିକ୍ କଣ୍ଢେଇ ଆଣି ଦେଇ ଦିଅ ବା କପେ ଚା’ରେ ମେଞ୍ଚାଏ ଚିନି ଦେଇ ପିଇବାକୁ ଦେଇ ଦିଅ, ଦେଖିବ ସେତିକିରେ ମୁଁ ସନ୍ତୁଷ୍ଟ ହୋଇଯିବି । ଏତିକିରେ ମୋ ହୃଦୟ ସତେ ସତେ ତରଳି ବି ଯିବ, ଅବଶ୍ୟ ପରେ ପରେ ମୋ ନିଜକୁ ନିଜେ ମୁଁ ଧିକ୍କାର କରି ଦାନ୍ତ ରଗଡ଼ିପାରେ, ଘୋର ଗ୍ଲାନିରେ ରାତି ସାରା ଅନିଦ୍ରା ରହି ମାସ ମାସ କଟାଇ ଦେଇପାରେ । ଏହା ହିଁ ଥିଲା ମୋର ପ୍ରକୃତି । ମୁହୂର୍ତ୍ତକରେ ଅତି ଅଳ୍ପରେ ସନ୍ତୁଷ୍ଟ ଆଉ ପରେ ପରେ ଅସନ୍ତୋଷ ଓ ଗ୍ଲାନିରେ ଜର୍ଜରିତ । ରାଗୀ ନୁହେଁ ବରଂ ଏତେ ନରମ ପ୍ରକୃତିର ଥିଲି ବୋଲି ଲଜ୍ଜାରେ ମୁଁ ମରିଯାଉଥିଲି ।

 

ଏଇଲାଗେ ଯେତେବେଳେ ମୁଁ କହୁଥିଲି ଯେ ମୁଁ ବଦମିଜାଜ୍‌ର ଗୋଟାଏ ପ୍ରତିଶୋଧ ପରାୟଣ ଅଫିସର ଥିଲି, ମୁଁ ମିଛ କହୁଥିଲି । ରାଗରୁ ମୁଁ ମିଛ କହୁଥିଲି । ମୋ ନିଜ ଉପରେ ଏଇଭଳି ରାଗ କାରଣରୁ ଆବେଦନକାରୀଗଣ ଆଉ ସେ ଅଫିସରଟା ସାଥିରେ ମୁଁ କେବଳ ମଜା କରୁଥିଲି ମଜାପାଇଁ, ପ୍ରକୃତରେ ମୁଁ କେବେ ପ୍ରତିଶୋଧ ପରାୟଣ ନଥିଲି କି ହୋଇ ବି ପାରିବି ନାହିଁ । ପ୍ରତିଶୋଧ ନେବା ମୋ ଜାତକରେ କେବେ ନଥିଲା, ବରଂ ଏହାର ଏକଦମ୍ ବିରୋଧୀ ବହୁତ ବହୁତ ଗୁଣ ବା ଦୁର୍ଗୁଣ ମୋ ଭିତରେ ଥିବାର ପ୍ରତି ମୁହୂର୍ତ୍ତରେ ମୁଁ ଅନୁଭବ କରୁଥିଲି । ଏପରିକି ସେ ଗୁଣମାନ ମୋ ଭିତରେ ଅନବରତ ଲହଡ଼ି ଭାଙ୍ଗୁଥିବାର ବି ମୁଁ ଜାଣିପାରୁଥିଲି ।

 

ଏଇ ବିରୋଧୀ ଭାବଗୁଡ଼ିକ, ସାରା ଜୀବନ ମୋ ଭିତରେ ଏପଟ ସେପଟ ହେଉଥିବାର, ଆଉ ବାହାରକୁ ବାହାରି ଆସିବାପାଇଁ ବ୍ୟଗ୍ର ଉଦ୍ୟମ କରୁଥିବାର ଅନୁଭବ କେତେଥର ମୋର ହୋଇଛି । ହେଲେ ମୁଁ କେବେ ସେମାନଙ୍କୁ ବାହାରିବାକୁ ଦେଉ ନଥିଲି, ଇଚ୍ଛା କରି ସେମାନଙ୍କୁ ବାହାରକୁ ବାହାର କରୁନଥିଲି । ମୁଁ ଏକେବାରେ ତଳିତଳାନ୍ତ ହେଲା ଯାଏଁ ଏଇ ବିରୋଧୀ ଭାବନାମାନ ମୋତେ କାତର କରି ଚାଲିଥିଲେ । ଏପରିକି ସେ ସବୁ ମିଶି ଶେଷରେ ମୋତେ ବାତଗ୍ରସ୍ତ କରିପକାଇଲେ, ରୁଗ୍‌ଣ କରି ପକାଇଲେ ଆଉ ଶେଷରେ କିମିତି ସେମାନେ ମୋତେ ଦୟନୀୟ, ବ୍ୟସ୍ତ, ଉପହସିତ, ବିବ୍ରତ ଅବସ୍ଥାରେ ପକାଇ ଦେଲେ !

 

ସୁଧୀଜନେ, ତୁମେମାନେ କ’ଣ ବର୍ତ୍ତମାନ ଅନୁଭବ କରୁନାହଁ ଯେ, ମୋ ମନର ଏଇ ଦ୍ୱନ୍ଦ୍ୱାତ୍ମକ ଅବସ୍ଥା, ପରସ୍ପର ବିରୋଧୀ ଭାବନାପାଇଁ ଏବେ ମୁଁ ଦୁଃଖ ପ୍ରକାଶ କରୁଛି, ଲଜ୍ଜିତ ହେଉଛି, ଆଉ ସେଥିପାଇଁ ମୁଁ ତୁମମାନଙ୍କଠାରୁ କ୍ଷମା ଚାହୁଁଛି ବୋଲି? ମୁଁ ନିଶ୍ଚିତ ଯେ, ତୁମେ ଭାବୁଛ... ଠିକ୍ ଅଛି, ଯାହା ଇଚ୍ଛା ତୁମେ ଭାବ । ସେମିତି ହେଲେ ମୁଁ ବି ଖାତିର୍ କରେନି ।

 

ଏତିକି କେବଳ ନୁହେଁ ଯେ ମୁଁ ପ୍ରତିଶୋଧ ପରାୟଣ ହୋଇ ପାରିନଥିଲି । ଆଉକିଛି ହେବା ବି ମୋତେ ଜଣା ନଥିଲା; କୋପୀ ବା ଦୟାଳୁ, ଗୋଟାଏ ବଦମାସ ବା ସାଧୁଲୋକ, ଗୋଟାଏ ଯଶସ୍ୱୀ ନାୟକ ବା ଗୋଟାଏ ପୋକ ହେବା ବାଟ ବି ମୋତେ ଜଣା ନଥିଲା । ଏବେ, ମୁଁ ମୋ ମାଟିତଳ ଘର କୋଣରେ ଲୁଚି ରହି ଆଉ ନିଜକୁ ଉପହାସ କରି କରି ମୋ ଜୀବନଟାକୁ ନିଃଶେଷ କରିଚାଲିଛି, ଆଉ ମୋ ମନକୁ ଏଇ ଘୃଣ୍ୟ, ବୃଥା ସାନ୍ତ୍ୱନା ଦେଉଛି ଯେ ଗୋଟାଏ ବୁଦ୍ଧିମାନ ଲୋକ ପ୍ରକୃତରେ କିଛି ବି ହୋଇପାରେ ନାହିଁ, ଆଉ ଯେଉଁମାନେ କିଛି ହୁଅନ୍ତି ସେମାନେ କେବଳ ବୋକା ଦଳ ।

 

ହଁ, ଆମ ଊନବିଂଶ ଶତାବ୍ଦୀର ଗୋଟାଏ ଲୋକ ନିଶ୍ଚିତ ଭାବରେ; ଆଉ ନୈତିକ ଦୃଷ୍ଟିରୁ ବି ଅତିମାତ୍ରାରେ ଚରିତ୍ରହୀନ ଜୀବଟିଏ ହେବାକୁ ବାଧ୍ୟ ଥିଲା । କାରଣ ଦୃଢ଼ ଚରିତ୍ରର ଲୋକଟିଏ, କର୍ମଠ ଲୋକଟିଏ ପ୍ରକୃତରେ ଅତିମାତ୍ରାରେ ସୀମିତ ଜୀବଟିଏ । ଏଇ ଚାଳିଶବର୍ଷର ଜୀବନକାଳ ଭିତରେ ତାହା ହିଁ ମୋର ଅନୁଭୂତି, ଆଉ ତାହା ହିଁ ମୋର ଦୃଢ଼ ବିଶ୍ୱାସ ହୋଇ ରହିଆସିଛି । ଏବେ ମୁଁ ଚାଳିଶବର୍ଷର ପ୍ରୌଢ଼ଟିଏ; ଆଉ ତୁମେ ତ ଜାଣ ଚାଳିଶ ବର୍ଷ ହେଉଛି ଗୋଟେ ସଂପୂର୍ଣ୍ଣ ଜୀବନକାଳ, ଏହା ବେଶ୍ ପରିଣତ ବୟସ ବି । ଚାଳିଶ ବର୍ଷରୁ ଅଧିକ ବଞ୍ଚିବାଟା ଅଭଦ୍ରାମୀ, ଅଶାଳୀନ, ରୁଚିହୀନ, ଅମାର୍ଜିତ ଆଉ ନୀତିହୀନ ବି । କିଏ ଚାଳିଶ ବର୍ଷ ପରେ ବଞ୍ଚେ? ଛାତିରେ ହାତ ଥୋଇ ସାଧୁଭାବରେ ଏହାର ଉତ୍ତର ଦେଲ । ମୁଁ ତୁମକୁ କହିବି କିଏ ଏପରି କରେ; ବୁଦ୍ଦୁ ଓ ଅଥର୍ବ ଦଳ । ସବୁ ବୁଢ଼ା ଲୋକଙ୍କ ମୁହଁରେ ମୁଁ ଏଇ କଥା କହେ, ଯେତେ ସବୁ ସମ୍ମାନିତ ବୃଦ୍ଧଗଣ, ଏଇ ଯେତେ ସବୁ ଶୁଭ୍ର କେଶ ଓ ପୂଜ୍ୟ ଗୁରୁଜନ ବୃନ୍ଦ । ସାରା ସଂସାରର ମୁହଁ ଉପରେ ମୁଁ ଏଇ କଥାଟା କହେ । ବାରମ୍ବାର ବି କହିବି । ଏପରି କହିବାର ଅଧିକାର ମୋର ଅଛି, କାରଣ ମୁଁ ନିଜେ ଷାଠିଏ ବର୍ଷ ପର୍ଯ୍ୟନ୍ତ ବଞ୍ଚିବି । ବା ସତୁରୀ ! ବା ଅଶୀ !... ରୁହ, ମୁଁ ଟିକିଏ ନିଃଶ୍ୱାସ ନିଏ ।

 

ସୁଧୀବୃନ୍ଦ, ତୁମେ ନିଶ୍ଚୟ ଭାବୁଥିବ ଯେ ତୁମମାନଙ୍କୁ ମୁଁ ହସେଇବାକୁ ଏଇ ସବୁ କଥା କହୁଛି । ସେଥିରେ ବି ତୁମେମାନେ ଭୁଲ କରୁଛ । ତୁମମାନଙ୍କ ଭାବନାର ଦଉଡ଼ ମତେ ବେଶ୍ ଜଣା । ତୁମେମାନେ ଯେପରି ଭାବୁଛ ବା ଭାବି ପାରିବ, ମୁଁ ସେପରି ମଉଜିଆ ଲୋକଟିଏ ଆଦୌ ନୁହେଁ । ସେ ଯା’ ହେଉ, ମୋର ଏଇ ବଜର ବଜରରେ ବିରକ୍ତ ହୋଇ ତୁମେମାନେ ମୋତେ ପଚାରିପାର ମୁଁ କିଏ- ତା ହେଲେ ମୋର ଉତ୍ତର ହେଲା ମୁଁ ଗୋଟିଏ ଚର୍ଚ୍ଚର ଟିକସ ହିସାବକାରୀ । ମୁଁ ଏଇ ଚାକିରୀଟା କରୁଥିଲି ତା ହେଲେ ଦି ଓଳି ଦି ମୁଠା ଭାତ ଖାଇ ବଞ୍ଚି ପାରିବି । (ଏଇଟା ହିଁ ମୋ ଚାକିରୀର ଏକମାତ୍ର କାରଣ ଥିଲା), ଆଉ ଗତବର୍ଷ ମୋର ଜଣେ ଦୂର ସଂପର୍କୀୟ ତାଙ୍କ ଉଇଲ୍‌ରେ ଯେତେବେଳେ ମୋପାଇଁ ଛ ହଜାର ରୁବଲ୍ ଛାଡ଼ିଗଲେ, ମୁଁ ସଂଗେ ସଂଗେ ଚାକିରୀରୁ ଇସ୍ତଫା ଦେଇ ମୋ ମାଟିତଳ ଭାଡ଼ି କୋଣରେ ଛପିଗଲି । ଆଗରୁ ଏଇ କୋଣଟିରେ ମୁଁ ଚଳି ଯାଉଥିଲି, ଆଉ ଏବେ ବି ଏଠି ମୁଁ ବେଶ୍ ଆରାମରେ ଅବସ୍ଥାନ କରୁଛି ।

 

ମୋର ଏଇ ସହର ବାହାର ଲୋକଗହଳିଠୁ ଦୂର କୋଠରୀଟି ଗୋଟିଏ ଦୟନୀୟ, ଭୟାନକ ସ୍ଥାନ । ମୋ ଚାକରାଣୀଟି ଗୋଟିଏ ଗାଉଁଲୀ ବୁଢ଼ୀ, ମୁର୍ଖ, ତେଣୁ ଚିଡ଼ିଚିଡ଼ା, ତା ସାଙ୍ଗକୁ ପୁଣି ତା ଦେହରୁ ସବୁବେଳେ ଗୋଟାଏ ଉଷୁମାଳିଆ ଗନ୍ଧ ବାହାରୁଥାଏ । ପିଟର୍ସବର୍ଗର ପାଣି ପବନ ମୋ ଦେହରେ ଯାଏନି ମୁଁ ଜାଣେ, ଆଉ ମଧ୍ୟ ମୋର ଅଳ୍ପ ଅର୍ଥରେ ଏଠି ଗୁଜୁରାଣ ମେଣ୍ଟାଇବା କଷ୍ଟକର । ବହୁ ଅନୁଭୂତି ସଂପନ୍ନ ମୋର ଉପଦେଷ୍ଟା ତଥା ଶୁଭଚ୍ଛୁମାନଙ୍କ ଅପେକ୍ଷା ଏଇ କଥାଟିକୁ ମୁଁ ବେଶୀ ଭଲ କରି ଜାଣେ... ତଥାପି ମୁଁ ଏଇ ପିଟର୍ସବର୍ଗରେ ହିଁ ରହୁଛି; ମୁଁ ଏଠାରୁ ଆଉ କୁଆଡ଼େ ଯାଉ ନାହିଁ । ମୁଁ ଯାଉ ନାହିଁ କାରଣ... ଥାଉ ! ମୁଁ କୁଆଡ଼େ ଯାଉଛି ବା ଯାଉନାହିଁ ସେଥିରେ କିଛି ଯାଏ ଆସେ ନାହିଁ ।

 

ହେଲେ କହିଲ, ଜଣେ ସଂଭ୍ରାନ୍ତ ଲୋକ ସବୁଠାରୁ ଖୁସିରେ କେଉଁ କଥାଟି ବଖାଣି ଚାଲେ?

ଉତ୍ତର : ତା ନିଜ କଥା ।

ଠିକ୍ ଅଛି, ତା ହେଲେ ମୁଁ ମୋ ନିଜ କଥା ହିଁ କହିବି ।

 

(ଦୁଇ)

 

ସୁଧୀବୃନ୍ଦ, ତୁମେମାନେ ମୋ କଥା ଶୁଣିବାକୁ ଚାହଁ କି ନ ଚାହଁ ସେଥିକି ମୋର ଖାତିର ନାହିଁ, ମୁଁ କିନ୍ତୁ ତୁମମାନଙ୍କୁ ବର୍ତ୍ତମାନ କହିବାକୁ ଚାହୁଁଛି କାହିଁକି ମୁଁ ପୋକଟିଏ ବି ହୋଇପାରିଲି ନାହିଁ । ଅତ୍ୟନ୍ତ ନମ୍ରତାର ସହିତ ମୁଁ କହୁଛି ଯେ ବହୁତଥର ମୁଁ ପୋକଟିଏ ହେବାକୁ ଚେଷ୍ଟା କରିଛି-। ସାମାନ୍ୟ ପୋକଟିଏ, ହେଲେ ସେତିକିପାଇଁ ବି ମୁଁ ଯୋଗ୍ୟ ନଥିଲି । ଏପରିକି ତାର ସମତୁଲ ବି ନଥିଲି ।

 

ମୁଁ ଛାତିରେ ହାତ ରଖି ପ୍ରତିଜ୍ଞା କରି କହୁଛି, ବଂଧୁଗଣ, ଆତ୍ମଜ୍ଞାନ ସଚେତନ ହେବାଟା କି ଯେ ଭୟଙ୍କର ରୋଗ- ଓଃ ଗୋଟାଏ ଖୁବ୍ ଲମ୍ବା ଆଉ କଷ୍ଟକର ବେମାରୀ । କାରଣ, ଦେଖ, ଗୋଟିଏ ମଣିଷର ଦୈନନ୍ଦିନ ଆବଶ୍ୟକତା ପୂରଣପାଇଁ ଗୋଟେ ମାମୁଲି ଲୋକର ସଚେତନତା ବି ଢେର, ଗୋଟେ ମାମୁଲି ଲୋକର ବୁଦ୍ଧି ବି ଢେର୍ । ମୋ କହିବାର ମତଲବ୍ ହେଲା, ଆମ ଲୋକମାନେ ତଥାପି ଏତେ ଅସୁଖୀ କାହିଁକି? କାରଣ ଊନବିଂଶ ଶତାବ୍ଦୀର ଏ ସଭ୍ୟ ଲୋକମାନଙ୍କ ପାଖରେ ଯେତିକି ସଚେତନତା ଅଛି ତାର ଅଧା ବା ଚଉଠେ ଥିଲେ ବି ଚଳିଯାଇଥାନ୍ତା- ବିଶେଷକରି ଯେଉଁମାନଙ୍କର ଅନ୍ତତଃ ପିଟର୍ସିବର୍ଗ (ରାଜଧାନୀ)ରେ ବାସ କରିବାର ଚରମ ଦୁର୍ଭାଗ୍ୟ ହୋଇଛି । ପିଟର୍ସବର୍ଗ ଆମ ସାରା ପୃଥିବୀର ସବୁଠାରୁ ଅଜବ ଆଉ ସବୁଠାରୁ ଯୋଜନାବଦ୍ଧ ସହର । କାରଣ ଏଠାରେ ବହୁ ଯତ୍ନରେ ଯୋଜନା କରାଯାଇଥିବା ପୁଣି ଆଦୌ ଚିନ୍ତା କରାଯାଇ ନଥିବା ନଗର ମାନ ଅଛି । ଉଦାହରଣସ୍ୱରପ, ଏଠି ଯେତେ ସବୁ ତଥାକଥିତ, ସାଧାସିଧା କର୍ମବୀରମାନଙ୍କର ଯେତିକି ସଚେତନତା ଅଛି ସେତିକି ସାରା ପୃଥିବୀର ଲୋକଙ୍କପାଇଁ ବି ଢେର୍ ହୋଇଥାଆନ୍ତା । ତୁମେମାନେ ହୁଏତ ଭାବୁଥିବ ଏସବୁ ମୁଁ ଦେଖେଇ ହେବାପାଇଁ ଲେଖୁଛି, କର୍ମବୀରମାନଙ୍କୁ ଥଟ୍ଟା କରି ପ୍ରତ୍ୟୁତ୍ପନ୍ନମତ୍ତିତାର ବାହାଦୂରୀ ନେବାପାଇଁ ଏ ସବୁ ଲେଖୁଛି; ପୁଣି ସେଇ ବର୍ବରୋଚିତ ଦେଖେଇ ହେବା ଗୁଣରୁ, ସଚେତନତାର ହତିଆରଟାକୁ ମୁଁ ବି ସେଇ ଅଫିସର ପରି ଝଣଝଣ କରୁଛି । ହେଲେ ଭଦ୍ରଜନେ କହିଲ, ସଚେତମାନସ ଭଳି ଗୋଟେ ଦୀର୍ଘକାଳୀନ ବେମାରୀକୁ ନେଇ କେହି ଗର୍ବ କରିପାରେ? ପୁଣି ସେଇ ବେମାରୀ ଉପରେ ନିଜର ଔଦ୍ଧତ୍ୟ ଦେଖାଇପାରେ?

 

[୨) ଇମାନୁଏଲ୍ କାଣ୍ଟଙ୍କ ରଚନା ‘Of the Lofty and the Beautiful’ ପ୍ରତି ଉଦ୍ଦିଷ୍ଟ ।]

 

ଦେଖାଇପାରେ । ଯା’ ହେଲେ ବି ସମସ୍ତେ ସେୟା ହିଁ କରନ୍ତି । ଲୋକେ ସେମାନଙ୍କର ରୋଗମାନଙ୍କୁ ନେଇ ବେଶ୍ ଗର୍ବ କରନ୍ତି; ଆଉ ମୁଁ ବି କରେ, ହୁଏତ ଅନ୍ୟମାନଙ୍କଠାରୁ ଟିକିଏ ବେଶୀ କରେ । ହଉ, ୟା ଉପରେ ଆମେ ଆଉ ତର୍କ କରିବା ନାହିଁ; ହେଲା ଏବେ ମୋର ବକ୍ତବ୍ୟ ଥିଲା ଉଦ୍ଭଟ ଆଉ ଅର୍ଥହୀନ । ତଥାପି ବି ମୋର ବଦ୍ଧମୂଳ ଧାରଣା ଯେ ଅଧିକାଂଶ ସଚେତନତା, ମାନେ ପ୍ରକୃତରେ ଯେତେ ପ୍ରକାରର ଆତ୍ମଜ୍ଞାନ ଅଛି, ସେ ସବୁ ଗୋଟିଏ ଗୋଟିଏ ରୋଗ ଛଡ଼ା ଆଉକିଛି ନୁହେଁ । ମୋର ଏ ଧାରଣାକୁ ତୁମେ ବଦଳାଇ ପାରିବ ନାହିଁ । ଆଚ୍ଛା ହଉ, ସେ ସବୁକୁ ବି ମିନିଟିକପାଇଁ ଛାଡ଼ି ଦିଅ । ମତେ ଆଗ ଏତିକି କହିଲ, ଏମିତି କାହିଁକି ଘଟେ ଯେ ଯେତେବେଳେ ମୁଁ ଜୀବନର ଯାହା କିଛି ‘ଭଲ ଓ ସୁନ୍ଦର’ର ପ୍ରତିଟି ସୂକ୍ଷ୍ମ ପରସ୍ତକୁ ଅନୁଭବ କରିବାକୁ ସବୁଠାରୁ ବେଶୀ ବ୍ୟାକୁଳ ହେଉଥାଏ, ଠିକ୍ ସେତିକିବେଳେ ସତେ ଯିମିତି କିଏ ଗୋଟାଏ ଚକ୍ରାନ୍ତ କଲା ପରି କେମିତି କେଜାଣି ସବୁ ଓଲଟ ପାଲଟ ହୋଇଯାଏ । ମୁଁ କେବଳ ହାଡ଼େ ହାଡ଼େ ଏହା ଅନୁଭବ କରି ନାହିଁ, ଓଲଟା ଏଭଳି କୁତ୍ସିତ କାମମାନ କରିଛି, ଯେମିତି... ଆଃ, ସଂକ୍ଷେପରେ କହିଲେ, ସମସ୍ତେ ସଂଭବତଃ ଏଇମିତି କୁତ୍ସିତ କାମମାନ ହିଁ କରନ୍ତି ।

 

ହେଲେ ଯେତେବେଳେ ମୁଁ ସବୁଠାରୁ ଅଧିକ ସଚେତନ ଥାଏ ଯେ ଏଭଳି ବିଭତ୍ସ ଅପକର୍ମ କରିବା ମୋର ଆଦୌ ଉଚିତ ନୁହେଁ, ଠିକ୍ ସେଇ ମୁହୂର୍ତ୍ତରେ ଯିମିତି ଉଦ୍ଦେଶ୍ୟମୂଳକ ଭାବରେ ସବୁ କିଏ ଓଲଟାଇ ଦିଏ ଆଉ ସବୁଠାରୁ ବଡ଼ ଭୁଲ ମୁଁ ନିଜେ ହିଁ କରି ବସେ । ଯେତେସବୁ ଭଲ, ଯେତେସବୁ ‘ସଂଭ୍ରାନ୍ତ, ସୁନ୍ଦର’(୨) ବାବଦରେ ଯେତେ ଯେତେ ମନ ଭିତରେ ମୁଁ ଅଧିକ ସଚେତନ ହୋଇଛି, ସେତେ ସେତେ ଅଧିକ ଗଭୀର ଭାବରେ ପଙ୍କ ଭିତରେ ଲଟପଟ ହୋଇଛି, ଆଉ ସେଥିରେ ପୂରାପୂରି ବୁଡ଼ି, ଘାଣ୍ଟି ହେବାକୁ ବେଶୀ ବେଶୀ ମନ କରିଛି । ମୁଁ ଚାହିଁଛି ଗୋଟାଏ କଥା ପୁଣି କରିଛି ଆଉ ଗୋଟାଏ କାମ । ସେଥିରେ ପୁଣି ସବୁଠାରୁ ବଡ଼ କଥାଟି କ’ଣ ଜାଣ? ଏସବୁ କେବେ ମୋ ଭିତରେ ଆକସ୍ମିକ ଘଟି ଯାଉ ନଥିଲା, ବରଂ ଯିମିତି ଏସବୁ ଘଟିବାପାଇଁ ବାଧ୍ୟ ଥିଲା-। ଏତିକି କରିବା ଛଡ଼ା ଯିମିତି ଆଉକିଛି ମୁଁ କରିପାରି ନଥାନ୍ତି ! ଏସବୁ ଯିମିତି ମୋ ମନର ସବୁଠାରୁ ସ୍ୱାଭାବିକ ଅବସ୍ଥା ଥିଲା, ଆଉ ମୋର କୌଣସି ମାନସିକ ରୋଗ ବା ନୈତିକ ସ୍ଖଳନ ଯୋଗୁ ଯେ ଏହା ଆଦୌ ଘଟୁ ନଥିଲା, ଏକଥା ମୁଁ ଭଲ କରି ଜାଣିଥିଲି । ଫଳରେ ଶେଷରେ ଏୟା ହେଲା ଯେ ନୈତିକ ସ୍ଖଳନ ବିରୁଦ୍ଧରେ ଯୁଦ୍ଧ କରିବାର ସବୁ ଇଚ୍ଛା ମୋର ଅଚିରେ ଅନ୍ତର୍ହିତ ହୋଇଗଲା । ‘ଏଇଟା ମୋର ପ୍ରକୃତି’, ‘ମୁଁ ଏଇ ଧାତୁରେ ଗଢ଼ା’ ‘ଏହା ଛଡ଼ା ମୁଁ ଆଉକିଛି କରିପାରିବିନି’- ଏଇ ବିଶ୍ୱାସରେ ପ୍ରାୟ (ସତ କହିବାକୁ ଗଲେ ବୋଧେ ମୁଁ ସେୟା ହିଁ ବିଶ୍ୱାସ କରୁଥିଲି) ଏହାର ପରିସମାପ୍ତି ଘଟିଥିଲା ।

 

ହେଲେ ପ୍ରଥମେ ପ୍ରଥମେ ଏହି କଳଙ୍କିତ ଜୀବନର ପ୍ରାରମ୍ଭରେ ସେଇ ମାନସିକ ସଂଗ୍ରାମ ଯୋଗୁ ମୁଁ କି କାତର ଯନ୍ତ୍ରଣାମାନ ସହିଥିଲି ! ହେଲେ ଅନ୍ୟମାନଙ୍କ ଜୀବନରେ ବି ଯେ ଏଇ ଦଶା ହେଉଥିବ ଏକଥା ମୁଁ କେବେ ମନକୁ ଆଣି ବି ନଥିଲି, ଆଉ ସାରା ଜୀବନ ମୋ ନିଜ ଭିତରେ ଏଇ କଥାଟିକୁ ଗୋଟିଏ ଲଜ୍ଜାକର ଗୋପନ ଜିନିଷ ପରି ମୁଁ ଲୁଚାଇ ରଖିଥିଲି । ମୁଁ ଲଜ୍ଜିତ ହୋଇଥିଲି (ବୋଧହୁଏ ଏବେ ବି ମୁଁ ଲଜ୍ଜିତ ହେଉଛି) ପିଟର୍ସବର୍ଗର କେତେ କୁତ୍ସିତ ରାତିରେ ମୋର ସେଇ ପାତାଳପୁରୀର ଟୁଙ୍ଗୀଘରକୁ ଫେରିବାବେଳେ ଗୋଟେ ପ୍ରକାର ଗୋପନ, ଅସ୍ୱାଭାବିକ, ନୀତିହୀନ, ଘୃଣ୍ୟ, ବିକୃତ ଆନନ୍ଦ ଅନୁଭବ କରିବା ଅବସ୍ଥାକୁ ମୁଁ ଚାଲିଯାଇଥିଲି, ଅଥଚ ସେଇ ଏକା ସମୟରେ ଅତିମାତ୍ରାରେ ସଚେତନ ବି ଥିଲି ଯେ ସେଦିନ ମୁଁ ପୁଣିଥରେ ଗୋଟାଏ ଅତି ଘୃଣ୍ୟ କାମ କରିଥିଲି, ନିରୁପାୟ ହୋଇ ଭାବୁଥିଲି ଯେ ଯାହା ଘଟିଗଲା ତାକୁ କେବେ ତ ଆଉ ବଦଳାଇ ହେବ ନାହିଁ, ଏଣେ ଭିତରେ ଭିତରେ ଗୋପନରେ ଲୁଚେଇ ଲୁଚେଇ ମୋ ନିଜ ଭିତରଟାକୁ ଏହା ଦାନ୍ତରେ ଝୁଣି ଖିନ୍‌ଭିନ୍ କରି ପକାଉଥିଲା, ଟିକି ଟିକି କରି ମୋତେ କାଟି ଖାଇ ଏମିତି ଅବସ୍ଥାକୁ ନେଇ ଆସୁଥିଲା ଯେ ଶେଷରେ ମୋ ଭିତରର ତିକ୍ତତା ଗୋଟେ ପ୍ରକାର ଗ୍ଲାନିକର ଅଭିଶପ୍ତ ମଧୁରତାରେ ବଦଳି ଯାଉଥିଲା, ଆଉ ଶେଷରେ ରୂପ ନେଉଥିଲା ପ୍ରକୃତ ସ୍ଫୂର୍ତ୍ତିମୟ ଆମୋଦରେ !

 

ହଁ, ହଁ, ଆନନ୍ଦରେ ଏହା ବଦଳି ଯାଉଥିଲା, ପୂର୍ଣ୍ଣ ଆନନ୍ଦରେ ! ଏଇ କଥାଟିକୁ ମୁଁ ବାରମ୍ବାର କହିଛି, ଏବଂ ଏବେ ଆଉଥରେ ବି କହୁଛି କାରଣ ମୁଁ ପ୍ରକୃତରେ ଜାଣିବାକୁ ଚାହୁଁଛି ଯେ ଅନ୍ୟ ଲୋକମାନେ ଏଇଭଳି ଆନନ୍ଦ ଅନୁଭବ କରନ୍ତି କି? କଥାଟାକୁ ମୁଁ ବୁଝେଇ ଦେଉଛି; ଏଇ ଆନନ୍ଦ ଆସେ କେବଳ ତୁମ ନିଜର ଅଧଃପତନର ଅତ୍ୟଧିକ ଗଭୀର ସଚେତନତାରୁ; ଏୟା ହୁଏ ଯେ ତୁମେ ନିଜେ ଅନୁଭବ କର କିପରି ତୁମେ ସ୍ଖଳନର ଶେଷ ସୀମାରେ ପହଞ୍ଚି ଯାଇଛ; ତୁମେ ଅନୁଭବ କର ଯେ ଏହା ଅତ୍ୟନ୍ତ ଭୟାନକ ହୀନକର୍ମ, ହେଲେ ଏହାଛଡ଼ା ଆଉକିଛି ଭିନ୍ନ ହୋଇ ବି ପାରିନଥାନ୍ତା; ଆଉ ଏଥିରୁ ତୁମର ମୁକୁଳିବାର ବାଟ ବି ନଥାଏ । ଆଉ ତୁମେ କେବେ ବି ଅଲଗା ପ୍ରକାର ଲୋକଟିଏ ହୋଇ ପାରିନଥାନ୍ତ; ଏପରିକି ସମୟ ଓ ପ୍ରତ୍ୟୟ ତଥାପି ବି ଯଦି ତୁମକୁ ସୁଯୋଗ ଦେଇଥାନ୍ତା ଆଉ କିଛିରେ ବଦଳିଯିବାକୁ, ତା ହେଲେ ବି ତୁମେ ସଂଭବତଃ ବଦଳିବାକୁ ଚାହିଁ ନଥାନ୍ତ; କିମ୍ବା ଯଦି ବା ଚାହିଁ ଥାନ୍ତ ତେବେ ବି ତୁମେ ସେ ବାବଦରେ କୌଣସି ପଦକ୍ଷେପ ନେଇ ନଥାନ୍ତ; କାରଣ ବୋଧହୁଏ ଏଇଥିପାଇଁ ଯେ ତୁମପାଇଁ ସେତିକିବେଳେ ବାସ୍ତବରେ ଏପରି କିଛି ବିକଳ୍ପ ନଥାଏ ଯେଉଁଥିରେ ତୁମେ ବଦଳି ପାରିଥାଆନ୍ତ ।

 

ଏଥିରେ ସବୁଠାରୁ ଖରାପ କଥାଟି କ’ଣ ଜାଣ? ଏହାର ପ୍ରକୃତ ତତ୍ତ୍ୱଟି ହେଲା ଏୟା ଯେ ‘ଅତ୍ୟଧିକ ସଚେତନତା’ର ଯେଉଁସବୁ ସ୍ୱାଭାବିକ ଆଉ ମୂଳ ନିୟମମାନ ରହିଛି ତାହା ସହିତ ଏହା ପୂରା ଖାପ ଖାଇ ଯାଉଛି । ଦେଖ, ଏଇ ସଚେତନତାର ନିୟମମାନଙ୍କର ସିଧାସଳଖ ପରିଣତିରୁ ଗୋଟିଏ ସରଳ ଉତ୍ତେଜନା ମିଳେ, ଆଉ ସେଇଥିପାଇଁ ତ ତା’ପରେ ବି କେବଳ ଏତିକି ନୁହେଁ ଯେ ଜଣେ ଆଉ ଗୋଟେ ଭିନ୍ନ ମଣିଷରେ ବଦଳିଯିବାକୁ ଅସମର୍ଥ ହୁଏ, ସେ ଆଉକିଛି ବି ହୋଇପାରେ ନାହିଁ ବା ହେବାକୁ ଚାହେଁ ନାହିଁ । ତା’ପରେ ଅତି ସଚେତନତାର ପରିଣାମସ୍ୱରୂପ ଏମିତି ବି ଘଟେ ଯେ ସେ ଭାବେ - ଜଣେ ସଇତାନ ହୋଇଛି ବୋଲି ସେଥିପାଇଁ ତ ସେ ଦାୟୀ ନୁହେଁ; ସତ କହିବାକୁ ଗଲେ ସେ ଯେ ଗୋଟିଏ ସଇତାନ- ଏକଥା ଥରେ ବୁଝିଗଲା ପରେ ଅବଶ୍ୟ ଏଭଳି ସଚେତନତା ବା କି ସାନ୍ତ୍ୱନା ଦେଇପାରିବ? ଏଃ, ଗୁଡ଼ାଏ ବାଜେ କଥା ମୁଁ କହି ପକାଇଲିଣି, ହେଲେ କ’ଣ ବା ମୁଁ ବୁଝାଇ ପାରିଛି? ଏଥିରେ ଥିବା ଗୂଢ଼ ଉଲ୍ଲସିତ ଅନୁଭବଟାକୁ କିମିତି ବା ବୁଝାଇ ହେବ? କିନ୍ତୁ ମୁଁ ବୁଝାଇ ଦେବି । ମୁଁ ଏହାର ସବା ତଳକୁ ଯିବି, ପୂରା ଗହୀରକୁ ! ସେଇଠୁ ୟାର ଚେରକୁ ଉପାଡ଼ି ଆଣି ଦେଖାଇଦେବି । ସେଇଥିପାଇଁ ତ ମୁଁ ମୋର କଲମ ଧରିଛି... ।

 

ମୋର ପ୍ରଚୁର ଆତ୍ମସମ୍ମାନ ଜ୍ଞାନ ଅଛି । ଗୋଟାଏ କୁଜା ବା ବାମନ ଭାବିଲା ପରି ଅପମାନକୁ ମୁଁ ବିଭତ୍ସ ବୋଲି ଭାବେ ଆଉ ସହି ବି ଯାଏ । ହେଲେ ସତ କହୁଛି,ବେଳେବେଳେ ଏମିତି ମୁହୂର୍ତ୍ତମାନ ଆସେ, କେହି ଯଦି ମୋ ମୁହଁରେ ସେତେବେଳେ ଥାପ୍ପଡ଼ଟାଏ ମାରିଥାନ୍ତା, ମୁଁ ନିଶ୍ଚୟ ସେଥିରେ ଖୁସି ହୋଇଥାନ୍ତି । ଏପରିକି ସେଥିରୁ ଗୋଟେ ପ୍ରକାର ବିଚିତ୍ର ଆନନ୍ଦ ବି ମୁଁ ପାଇପାରିଥାନ୍ତି- ସେ ଆନନ୍ଦ ଅବଶ୍ୟ ନିରାଶାର ଆନନ୍ଦ ହୋଇଥାନ୍ତା; ହେଲେ ନିରାଶାରେ ବି ତ କେତେ ଗଭୀର ଆନନ୍ଦ ଅଛି, ବିଶେଷ କରି ଜଣେ ଯେତେବେଳେ ତା ନିଜ ସ୍ଥିତିର ବ୍ୟର୍ଥତାକୁ ନେଇ ଅତିମାତ୍ରାରେ ସଚେତନ ହୁଏ ସେତିକିବେଳେ ଏହା ଘଟେ ।

 

ଆଉ ଜଣେ ଯେତେବେଳେ ନିଜ ମୁହଁ ଉପରେ ସିଧାସଳଖ ଥାପ୍ପଡ଼ଟିଏ ଖାଏ - ସେତେବେଳେ ମୁଠାଏ ପାଉଁଶ ହୋଇଯିବାର ସଚେତନତା ତାକୁ ପୂରାପୂରି ଗ୍ରାସ କରିଦେବାକୁ ବାଧ୍ୟ ।

 

ତେବେ ମୋ କ୍ଷେତ୍ରରେ ସବୁଠାରୁ ଖରାପ କଥାଟି ହେଲା ଏୟା ଯେ ଯିଏ ଯୋଉ ଦିଗରୁ ଏହାକୁ ଦେଖିଲେ ବି, ସବୁଥିପାଇଁ ମୋତେ ହିଁ ଦାୟୀ କରାଯାଉଥିଲା । ଆଉ ସବୁଠାରୁ ଅପମାନଜନକ କଥାଟି ହେଲା ମୋ ଭୁଲ ଯୋଗୁ ମୋତେ ଦାୟୀ କରାଯାଉ ନଥିଲା, ତାହା ବଦଳରେ ନୈତିକ ମୂଲ୍ୟବୋଧ ଅନୁଯାୟୀ ଏଭଳି ଦୋଷୀ ସାବ୍ୟସ୍ତ କରିବା କଥା ବୋଲି କରାଯାଉଥିଲା । ଅର୍ଥାତ, ଉଦାହରଣସ୍ୱରୂପ, ପ୍ରଥମତଃ, ମୁଁ ଦୋଷୀ ଥିଲି କାରଣ ମୁଁ ଚାଲାକ ଥିଲି-। ମୋ ଚାରିପାଖର ଯେ କୌଣସି ଲୋକଠାରୁ ମୁଁ ଅଧିକ ଚାଲାକ ଥିଲି । ମୋ ଚାରିପାଖର ଲୋକଙ୍କଠାରୁ ମୁଁ ନିଜକୁ ସର୍ବଦା ଅଧିକ ଚତୁର ମନେକରି ଆସିଛି ଏବଂ ଏଥିପାଇଁବେଳେବେଳେ ଲଜ୍ଜିତ ବି ହୋଇଛି ବୋଲି କହିଲେ ତୁମେମାନେ ବିଶ୍ୱାସ କରିବ ତ? (ତେବେ ଯା ହେଉ, ମୋ ଜୀବନ ସାରା ମୁଁ କେବେ କାହାରିକୁ ସିଧାସଳଖ ଆଖିରେ ଆଖି ମିଳାଇ ଚାହିଁ ନାହିଁ, ମୁହାଁମୁହିଁ ହୋଇଗଲେ ଆଖି ବୁଲାଇ ନେଇଛି ।) ଦ୍ୱିତୀୟତଃ, ମୁଁ ଦୋଷୀ ଥିଲି କାରଣ ମୁଁ ବହୁତ ଉଦାର ଥିଲି-। ହେଲେ ଏ ଉଦାରତା କାହାର କୋଉ କାମରେ ନ ଆସିବାର ଧାରଣାରୁ ଗୁଡ଼ାଏ ଯନ୍ତ୍ରଣା ପାଇବା ସାର ହୋଇଥିଲା । କାରଣ ଉଦାର ହୋଇଥିବା ଯୋଗୁ ଦୃଢ଼ ନିଶ୍ଚିତ ଭାବରେ ମୁଁ କେବେ କୌଣସି କାମ କରିବାକୁ ସମର୍ଥ ନଥିଲି । ଏପରି ହେବାଟା ସ୍ୱାଭାବିକ ମଧ୍ୟ । ଏପରିକି କ୍ଷମା କରିଦେବାକୁ ବି ମୁଁ ଯୋଗ୍ୟ ନଥିଲି । ଉଦାହରଣସ୍ୱରୂପ, ଧରାଯାଉ ମୋ ଶତ୍ରୁ ତା’ର ସ୍ୱାଭାବିକ ଶତ୍ରୁ ପ୍ରକୃତିର ନିୟମାନୁଯାୟୀ ମୋତେ ଥାପ୍ପଡ଼ଟିଏ ମାରିଥାଆନ୍ତା, ଆଉ ଜଣେ ତ ପ୍ରକୃତିର ନିୟମମାନଙ୍କୁ କ୍ଷମା କରିବାର ଦୁଃସାହସ କରିପାରିବ ନାହିଁ; ତୃତୀୟ କାରଣଟି ହେଲା ନ ଭୁଲି ପାରିବା । ଏହା ଯଦିଓ ପ୍ରକୃତିର ନିୟମ ଯୋଗୁ ଘଟୁଥିଲା, ପ୍ରକୃତି ମତେ ସେମିତି ଗଢ଼ିଥିଲା, ତଥାପି ବି ଏହା ଗୋଟେ ଅପମାନଜନକ ବ୍ୟାପାର ତ ଥିଲା ଶେଷରେ ! ମୁଁ ଉଦାର ନ ହୋଇ ଆଉକିଛି ଯଦି ବି ହେବାକୁ ଚାହିଁଥାନ୍ତି, ଯଦି ବି ନିଷ୍ଠୁର ଭାବରେ ମୋ ଶତ୍ରୁ ଉପରେ ପ୍ରତିଶୋଧ ନେବାକୁ ଚାହିଁଥାନ୍ତି, ତାହେଲେ ସେତକ ବି ମୁଁ କରିପାରି ନଥାନ୍ତି । କାରଣ ନିର୍ଦ୍ଦିଷ୍ଟ ଭାବରେ ଏଥିପାଇଁ କ’ଣ କରିବାକୁ ହେବ ମୁଁ ମନଭିତରେ କେବେ ସ୍ଥିର କରିପାରୁ ନଥିଲି, ଅଥଚ ଦେଖ, ଏଭଳି କାମପାଇଁ ମୋ ଭିତରେ ଯଥେଷ୍ଟ ସାମର୍ଥ୍ୟ ଥିଲା । ହେଲେ ମୁଁ କାହିଁକି ମନ ସ୍ଥିର କରିପାରୁ ନଥିଲି? ସେଇ ନିର୍ଦ୍ଦିଷ୍ଟ ବିଷୟରେ ମୁଁ କିଛି କହିବାକୁ ଚାହେଁ ।

 

(ତିନି)

 

କେତେ ଲୋକ ଏପରି ଅଛନ୍ତି, ଯେଉଁମାନେ ପ୍ରତିଶୋଧ କିପରି ନେବାକୁ ହୁଏ ଜାଣନ୍ତି ଆଉ ନିଜ ସପକ୍ଷରେ ନିଜେ ଠିଆ ହେବାର କାଇଦା ବି ସେମାନଙ୍କୁ ମାଲୁମ; ଏହା ସେମାନେ କିପରି କରନ୍ତି? ଧରାଯାଉ, ପ୍ରତିଶୋଧ ପରାୟଣ ହୋଇ ସେମାନେ ଯେତେବେଳେ ପାଗଳପ୍ରାୟ ହୋଇଯାଉଥିବେ, ସେତେବେଳେ କିଛି ସମୟପାଇଁ ସେମାନଙ୍କ ସମଗ୍ର ସତ୍ତାରେ ଆଉକିଛି ନୁହେଁ, କେବଳ ଏଇ ପ୍ରତିଶୋଧର ଅନୁଭବଟି ରହୁଥିବ । ଏଭଳି ଭଦ୍ରଲୋକଟିଏ କ’ଣ କରିବ? ଗୋଟାଏ ପାଗଳ ଷଣ୍ଢ ପରି ଶିଂଘ ତଳକୁ କରି ସିଧା ତାର ଲକ୍ଷ୍ୟ ବସ୍ତୁ ଉପରକୁ ଲମ୍ଫ ପ୍ରଦାନ କରିବ, ଆଉ ସେତେବେଳେ କେବଳ ଗୋଟାଏ କାନ୍ଥ ଛଡ଼ା ଆଉକିଛି ତାକୁ ରୋକି ପାରିବ ନାହିଁ । (ଆଉ ପ୍ରସଂଗକ୍ରମେ ଏଇ ସିଧାସଳଖ କାମିକା ଲୋକଗୁଡ଼ା- କାନ୍ଥର ସାମ୍ନାସାମ୍ନି ହୋଇ ବି ପ୍ରକୃତରେ ଅବିଚଳିତ ଥାଆନ୍ତି । ସେମାନଙ୍କପାଇଁ କାନ୍ଥଟିଏ ବି ଗୋଟାଏ ପ୍ରତିବନ୍ଧକ ନୁହେଁ, ଯେମିତି ଆମମାନଙ୍କପାଇଁ । ଆମେସବୁ ଭାବି ଯାଏ ବୁହୁତ କିଛି, ହେଲେ ପ୍ରକୃତରେ କିଛି ବି କରୁନା; ଏହା ପଛେଇ ଯିବାପାଇଁ, ରାସ୍ତାରୁ ଓହରି ଯିବାପାଇଁ ଗୋଟେ ବାହାନା ନୁହେଁ, ହେଲେ ଏହା ଏମିତି ଗୋଟେ ବାହାନା ଯୋଉଥିପାଇଁ ଆମେ ସଦାବେଳେ ଭିତରେ ଭିତରେ ଖୁସି ହୁଏ । ଅବଶ୍ୟ ଆମ ନିଜର ବି ଏହା ଉପରେ ଖୁବ୍ କମ୍ ବିଶ୍ୱାସ ଥାଏ । ଏହାକୁ ଆମେ କେବେ ବି ଗୋଟେ ନିୟମ ବୋଲି ଧରିନଥାଏ । ସେମାନେ କିନ୍ତୁ ସବୁ କାମରେ ଅଟଳ । ଏପରିକି କାନ୍ଥଟା ବି ସେମାନଙ୍କପାଇଁ ଗୋଟାଏ ନିଶା, ଗୋଟାଏ ନୈତିକ ସାନ୍ତ୍ୱନା । ସେମାନେ ବୋଧେ କାନ୍ଥକୁ ଗୋଟାଏ ‘ଶେଷକଥା’ର ପ୍ରତୀକରୂପେ ଦେଖନ୍ତି- ଏପରିକି ବୋଧହୁଏ ଏଥିରେ ଗୋଟେ ପ୍ରକାରର ରହସ୍ୟମୟ କିଛି... ଥାଉ, କାନ୍ଥ କଥା ପରେ ।)

 

ତେବେ ଏଇଭଳି ସିଧାସଳଖ ମଣିଷକୁ ମୁଁ ପ୍ରକୃତ ସ୍ୱାଭାବିକ ମଣିଷଟିଏ ବୋଲି ଭାବେ । ତା’ର ସୁକୋମଳ ପ୍ରକୃତି ଜନନୀ ଯେତେବେଳେ ତାକୁ ପୃଥିବୀ ପୃଷ୍ଠକୁ ସଶରୀରେ ଗର୍ବରେ ଆଣିଛି, ସେତେବେଳେ ଯେଭଳି ରୂପରେ ତାକୁ ଦେଖିବାକୁ କଳ୍ପନା କରିଛି, ସେଇଭଳି କରି ଗଢ଼ିଛି-। ଏଭଳି ଲୋକଙ୍କୁ ମୁଁ ଭାରି ଈର୍ଷା କରେ । ସେ ଯେ ମୂର୍ଖ, ଏକଥାକୁ ମୁଁ ଖଣ୍ଡନ କରୁ ନାହିଁ, ହେଲେ ସ୍ୱାଭାବିକ ମଣିଷଟିଏ ମୂର୍ଖ ହେବା ଉଚିତ ବି, କିମିତି ଜାଣ? ଘଟଣା ଦୃଷ୍ଟିରୁ ଦେଖିଲେ ଏହା ଖୁବ୍ ସୁନ୍ଦର ବି ମନେ ହୋଇପାରେ-। ଅବଶ୍ୟ ମୁଁ ଏ ସୁନ୍ଦରତାକୁ ବି ସନ୍ଦେହ ଦୃଷ୍ଟିରେ ଦେଖେ ।

 

ଉଦାହରଣସ୍ୱରୂପ, ଯଦି ତୁମେ ସ୍ୱାଭାବିକ ମଣିଷର ସଂପୂର୍ଣ୍ଣ ବିପରୀତଟିକୁ ନିଅ, ଅର୍ଥାତ ଅତିମାତ୍ରାରେ ସଚେତନ ମଣିଷଟିଏ, ଯିଏ ଆସି ନାହିଁ ପ୍ରକୃତିର ପ୍ରେମମୟ କୋମଳ କୋଳରୁ, କିନ୍ତୁ ଜନ୍ମ ନେଇଛି ଉନ୍ମତ୍ତ ଆକ୍ରମଣରୁ, (ଏହା ପ୍ରାୟ ରହସ୍ୟବାଦ, ହେଲେ ଏହାକୁ ବି ମୁଁ ସନ୍ଦେହ କରେ ।) ଏହି ଆକ୍ରମଣ ସମ୍ଭୂତଟିବେଳେବେଳେ ତା’ର ସଂପୂର୍ଣ୍ଣ ବିପରୀତ (ସ୍ୱାଭାବିକ ମଣିଷ, ନର୍ମାଲ ଲୋକ)ର ଉପସ୍ଥିତିରେ ଏତେ ଅଥର୍ବ ହୋଇଯାଏ ଯେ ତାର ସମସ୍ତ ଚେଷ୍ଟା କରା ବିପୁଳ ସଚେତନତା ସତ୍ୱେ ସେ ନିଜକୁ ମୂଷାଟିଏ ବୋଲି ସତକୁ ସତ ଭାବେ, ମଣିଷ ବୋଲି ଭାବେ ନାହିଁ, ଏହା ହୁଏତ ଗୋଟିଏ ଅତି ସଚେତନ ମୂଷା ହୋଇପାରେ, ତଥାପି ମୂଷା ତ ! ଅଥଚ ଅନ୍ୟଟି ଜଣେ ମଣିଷ ! ଆଉ ସବୁଠାରୁ କଦର୍ଯ୍ୟ କଥାଟି ଏଥିରେ ହେଲା ଏୟା ଯେ, ସେ ନିଜେ ହିଁ ନିଜକୁ ଗୋଟିଏ ମୂଷା ରୂପରେ ଦେଖେ; କେହି ତାକୁ ଏପରି ଦେଖିବାକୁ କହି ନଥାଏ; ସେଇଟା ହିଁ ତ ଏଥିରେ ସବୁଠୁ ବଡ଼ କଥା, ନିଜକୁ ନିଜେ ମୂଷାରୂପେ ଦେଖିବା ।

 

ଏବେ ଚାଲ, ଏଇ ମୂଷାଟି କ’ଣ କରୁଚି ଦେଖିବା । ଥରକପାଇଁ ମନେକରାଯାଉ ଯେ ଇୟେ ବି ଅପମାନିତ ଅନୁଭବ କରେ, (ଆଉ ଇୟେ ପ୍ରାୟ ସବୁବେଳେ ଅପମାନିତ ହିଁ ଅନୁଭବ କରୁଥାଏ) ଏବଂ ପ୍ରତିଶୋଧ ନେବାକୁ ବି ଇଚ୍ଛା କରେ । ପ୍ରକୃତିର ନିୟମମାନ ମଣିଷ ଭିତରେ ଯେଉଁ କ୍ରୋଧ ଦେଇଛି ତା’ଠାରୁ ବହୁଗୁଣ କ୍ରୋଧ ଏଇ କ୍ଷୁଦ୍ର ଜୀବଟିଠାରେ ହୁଏତ ଠୁଳ ହୋଇଛି । ପ୍ରକୃତିର ନିୟମରୁ ସୃଷ୍ଟ ମଣିଷମାନଙ୍କ ଅପେକ୍ଷା, ଏଇ କ୍ଷୁଦ୍ର ଅପରିଚ୍ଛନ୍ନ ଜୀବଟିଠାରେ ପ୍ରତିଶୋଧ ନେବାର ମୌଳିକ ଈର୍ଷା ଓ ହୀନ କାମନା ବୋଧହୁଏ ଅଧିକ କୁତ୍ସିତ ଭାବରେ ଥାଏ । କାରଣ, ନିଜର ଜନ୍ମଗତ ମୂର୍ଖତା ଯୋଗୁ ମଣିଷଟିଏ ତା’ର ପ୍ରତିଶୋଧକୁ ନିରୁତା ନ୍ୟାୟ ବୋଲି ଭାବେ; ଯେତେବେଳେ ମୂଷାଟିଏ ତାର ଗଭୀର ସଚେତନତା ଯୋଗୁ ଏହାର ନ୍ୟାୟ ଗୁଣରେ ବିଶ୍ୱାସ କରେ ନାହିଁ ।

 

ଶେଷରେ ଆସିବା ପ୍ରତିଶୋଧର ସେଇ ନିର୍ଦ୍ଦିଷ୍ଟ କ୍ରିୟାଟି ପାଖକୁ । ତାର ମୌଳିକ କୁତ୍ସିତ ପଣଟିକୁ ଛାଡ଼ିଦେଲେ, ବିଚାରା ହତଭାଗ୍ୟ ମୂଷାଟି ନିଜ ଚାରିପଟେ ସନ୍ଦେହସ୍ୱରୂପ, ଗୋଟେ ଉପରେ ଗୋଟେ ଅସଂଖ୍ୟ ଅସମାହିତ ପ୍ରଶ୍ନରୂପକ ଗୁଡ଼ାଏ କଦର୍ଯ୍ୟ ଜିନିଷ ତିଆରି କରିବାରେ ସଫଳ ହୁଏ, ଗୋଟିଏ ପ୍ରଶ୍ନରେ ଅନେକ ଅଛିଣ୍ଡା ପ୍ରଶ୍ନ ଯୋଡ଼ି ନିଜ ଚାରିପଟେ ଗୋଟେ ମୃତ୍ୟୁ-ଯନ୍ତା ଠିଆ କରାଇ ଦିଏ, ସନ୍ଦେହ ଓ ଆବେଗରେ ତିଆରି ଗୋଟେ ଭୟଙ୍କର ଜାଲ, ଆଉ ସିଧାସଳଖ କାମ କରି ଦେଖାଇବାରେ ବିଶ୍ୱାସ କରୁଥିବା କର୍ମବୀରମାନେ ଅତ୍ୟନ୍ତ ନମ୍ରଭାବରେ ତା ଚାରିପଟେ ବିଚାରକ ଭଳି ଠିଆ ହୋଇ ସେମାନଙ୍କ ପେଟ ଦରଜ ହସ ହସି ଚାଲିଥାନ୍ତି, ହସି ହସି ଥୁଥୁ କରି ପକାଉଥିବା ଛେପର ଗୋଟେ ଘେର ହେଲାଯାଏ । ଅବଶ୍ୟ ଏସବୁକୁ ପଞ୍ଝା ହଲାଇ ବେଖାତିର କଲା ପରି ଉଡ଼େଇ ଦେବା ଛଡ଼ା ମୂଷାଟି ପାଖରେ ଆଉ ଅନ୍ୟ ବାଟ ନଥାଏ । ଆଉ ତାପରେ ଗୋଟେ ତିଆରି କରା ଘୃଣାର ହସ (ଯହିଁରେ ତା’ର ନିଜର ବି ବିଶ୍ୱାସ ନଥାଏ) ସହିତ ଅପମାନରେ ଗୁଡ଼େଇ ହୋଇ ନିଜର ମୂଷାଗାତ ଭିତରେ ସେ ପଶିଯାଏ । ସେଇଠି ସେଇ କଦର୍ଯ୍ୟ, ପୂତିଗନ୍ଧମୟ, ମାଟିତଳ ପାତାଳପୁରୀରେ ଆମର ଏଇ ଲାଞ୍ଛିତ, ଦଳିତ, ଉପହସିତ ମୂଷାଟି ସଂଗେ ସଂଗେ ନିମଜ୍ଜିତ ହୋଇଯାଏ ଅତ୍ୟନ୍ତ ଭୟଙ୍କର, ଶୀତଳ, ସଂକ୍ରାମକ ଆଉ କ୍ରମାଗତ ନିରୋଳା ପ୍ରତିଶୋଧ ଲିପ୍‌ସାରେ ।

 

ଗତ ଚାଳିଶ ବର୍ଷ ଧରି ଘଟିଯାଇଥିବା ପ୍ରତିଟି କ୍ଷୁଦ୍ରତମ ଆଘାତକୁ ଗୋଟି ଗୋଟି କରି ଏକାଠି କରେ ମନେ ପକେଇ ପକେଇ, ସବୁଠାରୁ ଅପମାନଜନକ ଘଟଣାକୁ ଟିକିନିଖି କରି ସେ ଭାବେ, ଆଉ ଛୋଟରୁ ଛୋଟ ଅପମାନମାନଙ୍କୁ ମନେପକାଇ ପ୍ରତିଥର ନିଜର କଟାଘାଆରେ ଚୂନବୋଳି ଚାଲେ । ତା’ପରେ ନିଜର କଳ୍ପନାରେ ଏଗୁଡ଼ିକ ଅତିରଞ୍ଜିତ କରି ନିଜକୁ ନିଜେ ଅଧିକ କ୍ରୋଧରେ କଟୁକଥାମାନ କହି ଯନ୍ତ୍ରଣାକାତର କରେ, କଲିଜାକୁ ଟିକି ଟିକି କରି କାଟେ । ନିଜ କଳ୍ପନାକୁ ଦେଖି ସେ ନିଜେ ଲଜ୍ଜିତ ହୁଏ, ତଥାପି ବି ଏହାକୁ ସେ ମନେପକାଏ ଆଉ ସୂକ୍ଷ୍ମାତିସୂକ୍ଷ୍ମ ଘଟଣାଗୁଡ଼ିକର ସ୍ମୃତିଚାରଣ କରି ଅଧିକରୁ ଅଧିକ ଆତ୍ମମଗ୍ନ ହୁଏ ।

 

‘ଏଭଳି ଘଟଣାମାନ ଘଟିବି ତ ପାରେ’ ଭାବି ଛଳନା କରି କାନ ଶୁଣି ନଥିବା ଜିନିଷମାନ ନିଜ ବିରୁଦ୍ଧରେ ଉଦ୍ଭାବନ କରେ ମୂଷାଟି, ଆଉ କୌଣସି ଜିନିଷକୁ କ୍ଷମା କରେ ନାହିଁ । ୟାର ପ୍ରତିଶୋଧ ଲିପ୍‌ସା ଯେହେତୁ ଗୋଟେ ଚୁଲି ପଛରେ ପଡ଼ିଥିବା ଖଣ୍ଡଖଣ୍ଡ ଅଲୋଡ଼ା ଅଙ୍ଗାର ପରି ଏଣୁ ଏ ପ୍ରତିଶୋଧରେ ତା’ର ଅଧିକାର କେତେଦୂର ସେ ଜାଣି ନଥାଏ ବା ଏହାର ସଫଳତା କେତେଦୂର ତହିଁରେ ବିଶ୍ୱାସ କରୁ ନଥାଏ । ଫଳରେ ପ୍ରତିଶୋଧ ନେବାର ଯାବତୀୟ ପ୍ରୟାସ ଯୋଗୁ ଯାହା ଉପରେ ପ୍ରତିଶୋଧ ନେବାର ଥାଏ ତା’ଠାରୁ ଶହେଗୁଣ ନିଜେ କ୍ଷତିଗ୍ରସ୍ତ ହେବ ଜାଣି, ଏପରିକି ଶତ୍ରୁଟିକୁ ସେ ଟିକିଏ ଆଞ୍ଚୁଡ଼ି ବି ପାରିବ ନାହିଁ ଜାଣି ମଧ୍ୟ ପ୍ରତିଶୋଧ ନେବାକୁ ହୁଏତ ଆରମ୍ଭ କରେ । ହୁଏତ ଆପଣାର ମୃତ୍ୟୁଶଯ୍ୟାରେ ବି ଇଏ ପୁଣିଥରେ ମନରେ ଗୁଣି ହେବ ଏତେ ବର୍ଷର ଯନ୍ତ୍ରଣାକୁ, ବିପର୍ଯ୍ୟୟକୁ, ଟିକିନିଖି ସୁଧମୂଳ ସହିତେ ଆଉ...

 

ହେଲେ ଏତେସବୁ ଘଟଣା କୋଉଠି ଘଟିଚାଲିଥାଏ ଜାଣ? ସେଇ ଶୀତଳ, ଘୃଣ୍ୟ ଅର୍ଦ୍ଧ ନିରାଶାରେ, ଅର୍ଦ୍ଧବିଶ୍ୱାସରେ, ଅଜ୍ଞାତବାସରେ ଚାଳିଶବର୍ଷ ଧରି ଆପଣାକୁ ଜାଣିଶୁଣି, ବୁଝି, ଜ୍ଞାତସାରରେ ଖିନ୍‌ଭିନ୍ କରି ମାଟିତଳ ଘରେ ଜୀଅନ୍ତା ସମାଧି ଦେଇଥିବାର ଦୁଃଖ ଭିତରେ ଘଟି ଚାଲିଥାଏ । ଜଣକର ସ୍ଥିତିର, ଜୀବନର ଅତି ପରିଚିତ ତଥାପି ଆଂଶିକ ସନ୍ଦେହରେ ଭରା ନିରାଶା ପଣରେ ଏହା ଘଟିଚାଲିଥାଏ । ସେଇ ଅସନ୍ତୁଷ୍ଟ କାମନାମାନ ଆପଣାଆଡ଼କୁ ମୁହାଁଇବାର ଯେଉଁ ନର୍କାବସ୍ଥା, ସେଇ ଦୋଳାୟମାନ ଅବସ୍ଥାରେ, ସବୁଦିନପାଇଁ ଗୋଟାଏ ସିଦ୍ଧାନ୍ତ ନେବାର ଦୃଢ଼ ପ୍ରତିଜ୍ଞା କରାଯାଏ ଆଉ ପର ମୁହୂର୍ତ୍ତରେ ପୁଣି ଘୋର ଅନୁତାପ କରାଯାଏ- ଯେ, ଏଇ ଯେତେସବୁ ଅଦ୍ଭୁତ ଆନନ୍ଦର ସ୍ୱାଦ, ପତନରୁ ଆନନ୍ଦପ୍ରାପ୍ତିର କଥା ମୁଁ କହିଛି ସେ ସବୁ ମିଛ । ଏହା ଏତେ ସୂକ୍ଷ୍ମ, ଏହାକୁ ବିଶ୍ଳେଷଣ କରିବା ଏତେ କଷ୍ଟ ଯେ ଯେଉଁମାନଙ୍କର ବ୍ୟକ୍ତିତ୍ୱ ସୀମିତ ବା ମୁହଁ ଟାଣ ଲୋକମାନେ ଏଥିରୁ କାଣିଚାଏ ବି ବୁଝିପାରିବେ ନାହିଁ । ତୁମେ ବି ହସି ହସି ହୁଏତ ଏଥିରେ ଯୋଡ଼ି ଦେଇପାର ଯେ : “ ‘ହଁ’, ସଂଭବତଃ ସେମାନେ ବି ବୁଝିପାରିବେ ନାହିଁ ଯେଉଁମାନେ ନିଜ ମୁହଁ ଉପରେ ସଳଖ ଥାପ୍ପଡ଼ଟାଏ କେବେ ପାଇ ନାହାନ୍ତି,” ଆଉ ଏହାଦ୍ୱାରା ତୁମେ ଭଦ୍ରଭାବରେ ମୋତେ ହିଁ ଲକ୍ଷ୍ୟ କରି କହୁଛ ଯେ ବୋଧହୁଏ ମୋ ମୁହଁ ଉପରେ ସଳଖ ଥାପ୍ପଡ଼ ଖାଇବାର ଅନୁଭୂତି ମୋର ଅଛି । ମୁଁ ଜାଣେ ତୁମେ ସେୟା ଭାବୁଛ । ହେଲେ, ଶାନ୍ତ ହୁଅ ଭଦ୍ରମଣ୍ଡଳୀ, ମୁଁ ମୁହଁ ଉପରେ ଥାପ୍ପଡ଼ ଖାଇ ନାହିଁ, ଆଉ ବି ତୁମେ ଏ କଥାରେ କ’ଣ ଭାବୁଛ ମୋର ସେଥିରେ କିଛି ଯାଏ ନାହିଁ କି ଆସେ ନାହିଁ । ସମ୍ଭବତଃ ମୁଁ ଦୁଃଖ ବି କରେ ଯେ ମୋ ଜୀବନକାଳ ଭିତରେ ଏତେ ଅଳ୍ପ ଥାପ୍ପଡ଼ ଏତେ ଅଳ୍ପ ମୁହଁ ଉପରେ ମୁଁ ମାରିଛି... ହେଲେ ଥାଉ, ତୁମ ମନରେ ଏଭଳି ଆଗ୍ରହ ସୃଷ୍ଟି କରୁଥିବା ବିଷୟ ଉପରେ ଆଲୋଚନା ଆଉ କରିବା ନାହିଁ ।

 

ହଁ, ଏବେ, ମୁହଁ ଟାଣ, ସ୍ଥୂଳ ଚେତନାର ଲୋକମାନଙ୍କ ପାଖକୁ ଆସିବା ଯେଉଁମାନେ ଆନନ୍ଦର, ସୁଖର ନିର୍ଦ୍ଦିଷ୍ଟ ସୂକ୍ଷ୍ମତାକୁ ବୁଝନ୍ତି ନାହିଁ, ସେଇମାନଙ୍କ ବିଷୟରେ ଶାନ୍ତ ଭାବରେ କିଛି କହିବି । ଏଇ ସ୍ଥୂଳ ଭଦ୍ରଲୋକମାନେ ଅବଶ୍ୟ କେତେଟା ଯାଗାରେ ବଳଦ ପରି ସେମାନଙ୍କର ସବୁଠାରୁ ବଡ଼ ପାଟିରେ ଚିଲ୍ଲାନ୍ତି, ଧରାଯାଉ ଏହା ସେମାନଙ୍କୁ ସେତେବେଳେ ଅଧିକ ସମ୍ମାନଜନକ ମନେହୁଏ, ତଥାପି ଯାହା ମୁଁ ଆଗରୁ କହିଛି, ଅସମ୍ଭବର ସାମ୍ନା ହେଲା ମାତ୍ରେ ସେମାନେ ହଠାତ୍ ଚୁପ୍ ହୋଇ ଯାଆନ୍ତି । ଅସମ୍ଭବର ଅର୍ଥ ହେଲା ସେଇ ପଥର କାନ୍ଥ ! ହେଲେ କୋଉ ପଥର କାନ୍ଥ?

 

ପଥରକାନ୍ଥ ମାନେ, ଏଇ ଜାଗତିକ ନିୟମମାନ, ସ୍ୱାଭାବିକ ବିଜ୍ଞାନର ସିଦ୍ଧାନ୍ତମାନ, ଆଉ ଗଣିତମାନ । ଉଦାହରଣସ୍ୱରୂପ ଯେତେ ଶୀଘ୍ର ସେମାନେ ଏଇ ଅଙ୍କକଷାଦ୍ୱାରା ତୁମକୁ ପ୍ରମାଣ କରିଦିଅନ୍ତି; ଯେ ତୁମେ ଗୋଟାଏ ମାଙ୍କଡ଼ରୁ ବିବର୍ତିତ ହୋଇଛ, ତା’ପରେ ଆଉ ପାଟିକରି କିଛି ଲାଭ ନାହଁ, ବରଂ ଏହାକୁ ତଥ୍ୟରୂପେ ଗ୍ରହଣ କରି ନେବାରେ ହିଁ ମଙ୍ଗଳ । ଯେତେବେଳେ ସେମାନେ ପ୍ରମାଣ କରିଦିଅନ୍ତି ଯେ ପ୍ରକୃତରେ ତୁମ ଚର୍ବିର ଗୋଟିଏ ବୁନ୍ଦା ବି ତୁମରି ଭଳି ଶହେ ହଜାର ଜୀବଙ୍କଠାରୁ ତୁମପାଇଁ ଅଧିକ ମୂଲ୍ୟବାନ, ଆଉ ଏଇ ସିଦ୍ଧାନ୍ତଟି ତୁମର ତଥାକଥିତ ଯେତେ ପୂଣ୍ୟ, ଯେତେ କର୍ତ୍ତବ୍ୟ, ତାହା ଉପରେ ଶେଷ ସିଦ୍ଧାନ୍ତ ବୋଲି ଯେତେବେଳେ ଗୃହୀତ ହୋଇଯାଏ, ପୁଣି ଏଇଭଳି ଯେତେସବୁ ବିଚାର ଓ ଧାରଣାକୁ ସେମାନେ ନିରାଟ ବାସ୍ତବତା ରୂପରେ ଯେତେବେଳେ ପ୍ରମାଣ କରି ଦିଅନ୍ତି, ସେତେବେଳେ ତୁମେ ଏହାକୁ କେବଳ ଗ୍ରହଣ କରିବା କଥା, ଏହାଛଡ଼ା ଅନ୍ୟଗତି ନାହିଁ । କାରଣ ‘ଦୁଇର ଅର୍ଥ ଦୁଇଗୁଣ’ ହେଉଛି ଗୋଟିଏ ଗାଣିତିକ ନିୟମ । ଏହାକୁ ବିରୋଧ କରିବାକୁ ଚେଷ୍ଟା କରି ଦେଖ ତ !

 

ମୁଁ କହୁଛି, ସେମାନେ ଚିତ୍କାର କରିବେ, “ବିରୋଧ କରି ଲାଭ ନାହିଁ, ଏହା ଦୁଇ ଦୁଗୁଣେ ଚାରିର ବିଚାର ! ପ୍ରକୃତି ତୁମର ଅନୁମତି ମାଗେ ନାହିଁ, ତୁମ ଇଚ୍ଛାରେ ତା’ର କିଛି କରିବାର ନଥାଏ, ଆଉ ତୁମେ ତା’ର ନିୟମମାନଙ୍କୁ ଭଲ ପାଅ କି ନ ପାଅ ସେ ଯେମିତି ସେଇମିତି ତାକୁ ଗ୍ରହଣ କରିବାକୁ ତୁମେ ବାଧ୍ୟ, ଆଉ ତାପରେ ତାର ସମସ୍ତ ସିଦ୍ଧାନ୍ତକୁ । ଦେଖ, ଗୋଟାଏ କାନ୍ଥ ହେଉଛି ଗୋଟାଏ କାନ୍ଥ... ସେଇମିତି ଚାଲିବ, ସେଇମିତି ଗଡ଼ି ଚାଲିବ... ।”

 

ଭଗବାନ, ରକ୍ଷାକର । ହେଲେ ପାର୍ଥିବ ସେଇ ନିୟମକୁ ବା ଗଣିତକୁ ମୁଁ କାହିଁକି ଖାତିର କରିବି ଯେତେବେଳେ କୌଣସି କାରଣ ଯୋଗୁ ସେଇ ନିୟମମାନଙ୍କୁ ମୁଁ ଘୃଣା କରୁଛି, ଆଉ ଦୁଇ ଦୁଗୁଣେ ଚାରି ତଥ୍ୟକୁ ନାପସନ୍ଦ କରୁଛି ! ଅବଶ୍ୟ କାନ୍ଥଟିକୁ ଭୁଷୁଡ଼େଇ ଦେବାର ଶକ୍ତି ଯଦି ମୋର ପ୍ରକୃତରେ ନାହିଁ ତା ହେଲେ ସେଥିରେ ଯେତେ ମୁଣ୍ଡ ପିଟିଲେ ବି ଏହାକୁ ମୁଁ ଭାଙ୍ଗି, ଟପିଯାଇ ପାରିବି ନାହିଁ । ହେଲେ, ଏହା ଗୋଟିଏ ପଥର କାନ୍ଥ ବୋଲି, ଆଉ ମୋର ଶକ୍ତି ନାହିଁ ବୋଲି ମୁଁ ଏହା ସହିତ କୌଣସି ପ୍ରକାର ସାଲିସ୍ କରିବାକୁ ବି ରାଜି ନୁହେଁ ।

 

ସତେ ଯେମିତି ଏମିତିକା ଗୋଟିଏ ପଥରକାନ୍ଥ ପ୍ରକୃତରେ ଗୋଟିଏ ସାନ୍ତ୍ୱନା, ଆଉ ସତ କହିବାକୁ ଗଲେ ଯେମିତି ଏଥିରେ ସାଲିସ୍‌ର ଶବ୍ଦମାନ ଖଞ୍ଜି ହୋଇ ରହିଛି, କାରଣ ଏହା ଦୁଇଦୁଗୁଣେ ଚାରି ଭଳି ସତ୍ୟ । ଓଃ, ଉଦ୍ଭଟତାର ଚରମ । କେତେ ଭଲ ହୁଅନ୍ତା ଏଇ ସବୁକୁ ବୁଝି ପାରିଲେ, ଚିହ୍ନି ପାରିଲେ ଏଇ ଅସମ୍ଭବମାନଙ୍କୁ, ଏଇ ପଥରକାନ୍ଥମାନଙ୍କୁ; କେତେ ଭଲ ହୁଅନ୍ତା ବୁଝି ପାରିଲେ ଏଇ ସବୁ ଅପରିହାର୍ଯ୍ୟ ତର୍କମାନଙ୍କୁ ଯାହାର ସଂଯୋଗରୁ ଆମେ ଚିରସ୍ଥାୟୀ ବସ୍ତୁମାନଙ୍କ ଉପରେ ଗୋଟାଏ ଘୃଣ୍ୟ ସିଦ୍ଧାନ୍ତରେ ପହଞ୍ଚିଯାଏ ! ସାଲିସ୍ କରିବାଟା ଯଦି ତୁମକୁ ମାନହାନିକାରକ ଲାଗୁଛି ତା ହେଲେ ସେଇ ଅସମ୍ଭବମାନଙ୍କ ସାଥିରେ ଅର୍ଥାତ ପଥରକାନ୍ଥମାନଙ୍କ ସାଥିରେ ସାଲିସ ନ କଲେ କେତେ ଭଲ ହୁଅନ୍ତା ସତେ !

 

ଅଥଚ ତୁମେ କର କ’ଣ? ସବୁଠାରୁ ବିରକ୍ତିଜନକଭାବେ ସୁପରିଚିତ ତର୍କର ସାହାଯ୍ୟ ନେଇ ସବୁଠାରୁ ସ୍ଥାୟୀ ବସ୍ତୁମାନଙ୍କ ଉପରେ ସିଦ୍ଧାନ୍ତ ନେବାପାଇଁ ଯେମିତି ତୁମେ ବାଧ୍ୟ, ଏହା ହେଉ ପଛେ ଅତ୍ୟନ୍ତ ଅରୁଚିକର, ଘୃଣ୍ୟ । ପୁଣି ଦେଖିବାକୁ ଗଲେ ସେଇମିତି ଏଇ ପଥରକାନ୍ଥଟିପାଇଁ ତୁମେ ବି କୋଉ ନା କୋଉ ବାଟରେ ଦାୟୀ, ଅଥଚ ଏହା ବି ଦିବାଲୋକ ଭଳି ସତ୍ୟ ଯେ ତୁମେ ଏଥିପାଇଁ ଆଦୌ ଦାୟୀ ନୁହଁ । ଆଉ ସେଥିପାଇଁ ତୁମେ ଦାନ୍ତ କାମୁଡ଼ି, ନୀରବ ନପୁଂସକତା, ଅଥର୍ବତା ଭିତରେ ବୁଡ଼ି ରହ, ବିଚଳିତ ହୁଅ ଏଇ ଆବେଗରେ ଯେ ତୁମ ଚାରିପାଖେ କେହି ଜଣେ ବି ନାହିଁ ଯାହା ବିରୁଦ୍ଧରେ ପ୍ରତିଶୋଧ ପରାୟଣ ହେବାର ତୁମେ ଅନୁଭବ କରିବ, ବିଚଳିତ ଏଇଥିପାଇଁ ହୁଅ ଯେ କେହି ଜଣେ ବି କେବେ ଅତୀତରେ ନଥିଲା, ବା ଭବିଷ୍ୟତରେ ପାଇବ ବି ନାହିଁ ପ୍ରତିଶୋଧ ନେବାପାଇଁ ଗୋଟାଏ ବସ୍ତୁକୁ । ଏସବୁ ଗୋଟେ ହାତ ସଫେଇ, ଧୂର୍ତ୍ତତାର ଲମ୍ବା ହାତର ସଫେଇ, ଗୋଟେ ଚାତୁରୀ, ତାସ ଖେଳାଳୀର ଯାଦୁ, ଜଣାନାହିଁ କ’ଣ ଏସବୁ, ଜଣାନାହିଁ କିଏ କରୁଛି ଏସବୁ । ହେଲେ ଏତେସବୁ ଅବ୍ୟବସ୍ଥା ଅନିଶ୍ଚିତତା ସତ୍ୱେ, ଧୂର୍ତ୍ତତା ସତ୍ୱେ, ତଥାପି ତୁମ ଭିତରେ ରହିଥାଏ ଗୋଟାଏ ବେଦନା, ଆଉ ଯେତେ ବେଶୀ ତୁମେ ନ ଜାଣିପାର, ସେତେ ଅଧିକ ହୁଏ ସେ ପୀଡ଼ା ।

 

(ଚାରି)

 

“ହା, ହା, ହାଃ ! ଏହାପରେ ତୁମେ ଦାନ୍ତ ବିନ୍ଧାରେ ବି ଆନନ୍ଦ ଖୋଜି ପାଇବ ।” ହସ ମିଶା କାନ୍ଦୁରା ସ୍ୱର ତୁମର ପାଟିରୁ ବାହାରିବ “ତା ହେଲେ?” “ଦାନ୍ତ ବିନ୍ଧାରେ ବି ସୁଖ ଅଛି,” ମୋର ଉତ୍ତର । ଥରେ ପୂରା ଗୋଟେ ମାସ ଧରି ମୋର ଦାନ୍ତ ବିନ୍ଧା ହୋଇଥିଲା ଆଉ ମୁଁ ଜାଣେ ସେଥିରେ ଆନନ୍ଦ ଅଛି । ସେ କ୍ଷେତ୍ରରେ ଅବଶ୍ୟ ଲୋକେ ନୀରବରେ ଅନିଷ୍ଟକାରୀ ହୋଇନଥାନ୍ତି, କେବଳ କୁନ୍ଥଉ ଥାଆନ୍ତି; ହେଲେ ସେ କୁନ୍ଥା ବି ବିଶୁଦ୍ଧ କୁନ୍ଥା ନୁହେଁ, ସେଗୁଡ଼ା ହେଉଛି ତୀବ୍ର ବଢ଼ୁଥିବା କୁନ୍ଥା, ଆଉ ସେଇ ଅନିଷ୍ଟକାରୀ ତୀବ୍ର ବ୍ୟାପିବା ହିଁ ହେଉଛି ଏଠି ମୂଳକଥା । କଷ୍ଟ ପାଉଥିବା ଲୋକଟିର ଖୁସି ଏଇ କୁନ୍ଥାମାନଙ୍କ ବାଟେ ପ୍ରକାଶ ପାଇଥାଏ; ସେ ସେଥିରେ ସୁଖ ପାଉ ନଥିଲେ ଏମିତି କେବେ କୁନ୍ଥଉ ନଥାନ୍ତା । ଏଇଟା ଗୋଟାଏ ଭଲ ଉଦାହରଣ, ମୁଁ ଏହାକୁ ଆହୁରି ଭଲ କରି ବୁଝେଇ ଦେଉଚି ।

 

ପ୍ରଥମରେ ଏହା ପ୍ରକାଶ କରେ ଯେ ତୁମ ଯନ୍ତ୍ରଣାଗୁଡ଼ାକ ଅତ୍ୟନ୍ତ ସ୍ଥୂଳ ଆଉ ଲକ୍ଷ୍ୟହୀନ, ଫଳରେ ଏହା ତୁମର ସଚେତନତାକୁ ବିଦ୍ରୂପ କରେ; କାରଣ ଜାଗତିକ ଯେତେ ଯେତେ କାନୁନୀ ବ୍ୟବସ୍ଥା ଅଛି, ଯାହା ଉପରେ ତୁମେ ସବୁବେଳେ ଘୃଣାରେ ଛେପ ପକାଉଥାଅ, ଦେଖିଲାବେଳକୁ ତାହାରି ଯୋଗୁ ତୁମେ କଷ୍ଟ ବି ପାଅ, ଅଥଚ ତୁମ କଷ୍ଟରେ ତାର (ଭୌତିକ ଜଗତର) କିଛି ଯାଉ ନଥାଏ କି ଆସୁ ନଥାଏ । ପ୍ରକୃତିର ନିୟମମାନ ସିଧାସଳଖ ଏଇ ସଚେତନତା ପ୍ରକାଶ କରନ୍ତି ଯେ ପ୍ରକୃତରେ ତୁମର କେହି ଶତ୍ରୁ ନାହିଁ ଶାସ୍ତି ଦେବାକୁ, ହେଲେ ତୁମର ଯନ୍ତ୍ରଣା ଅଛି; ସଚେତନତା ଏୟା ଯେ ଦାନ୍ତ ଅଛି ମାନେ ଦାନ୍ତ ବିନ୍ଧିବ ଆଉ ସମସ୍ତ ମନଲୋଭା ବିଜ୍ଞାପନ ସତ୍ୱେ ତୁମେ ତୁମ ଦାନ୍ତର ସଂପୂର୍ଣ୍ଣ ଦାସ; ଅର୍ଥାତ କେହି ଜଣେ (ଦାନ୍ତ ଡାକ୍ତର) ଯଦି ଚାହେଁ, ତାହେଲେ ତୁମର ଦାନ୍ତବିନ୍ଧା ଛାଡ଼ିଯିବ, ସେ ନ ଚାହିଁଲେ ତୁମେ ଆହୁରି ତିନିମାସ ଧରି ଦାନ୍ତ ବିନ୍ଧାର କଷ୍ଟ ଭୋଗିବ । ଆଉ ଶେଷରେ ଯଦି ତୁମେ ତଥାପି ବି ଅବାଧ୍ୟ ହୁଅ ଆଉ ତଥାପି ପ୍ରତିରୋଧ କର ତା ହେଲେ ନିଜ ସନ୍ତୋଷପାଇଁ ତୁମେ ନିଜକୁ ବା ତୁମ ହାତମୁଠାକୁ ଯେତେ ଜୋର୍ ପାର କାନ୍ଥରେ ପିଟିପାର, ହେଲେ ଫଳ କିଛି ହେବ ନାହିଁ ।

 

ବାସ, ଏଇ ସବୁ ମାରାତ୍ମକ ଅପମାନ, ଏଇ ଉପହାସ ଯେକୌଣସି ଗୋଟେ ସାଧାରଣ ଲୋକ ପକ୍ଷରେ ଶେଷରେ ବାସ୍ତବରେ ଏକ ପ୍ରଚଣ୍ଡ ଆନନ୍ଦରେ ରୂପାନ୍ତରିତ ହୁଏ । ଗୋଟିଏ କଥା ମୁଁ ଏଠି କହେ, ସୁଧୀଜନେ, ତୁମେମାନେ ଊନବିଂଶ ଶତାବ୍ଦୀର ଗୋଟାଏ ଶିକ୍ଷିତ ଲୋକର ଦାନ୍ତବିନ୍ଧା ବେଳର କୁନ୍ଥାକୁ କିଛି ସମୟପାଇଁ ଶୁଣ, ଦ୍ୱିତୀୟ ବା ତୃତୀୟ ଦିନ ଯେତେବେଳେ ସେ କୁନ୍ଥେଇବାକୁ ଆରମ୍ଭ କରେ, ତାହା ପ୍ରଥମ ଦିନର କୁନ୍ଥାଭଳି ଆଉ ଶୁଭେ ନାହିଁ, ଅର୍ଥାତ୍ ଏହା ତା’ର କେବଳ ଦାନ୍ତବିନ୍ଧାରୁ ହେଲା ପରି ଲାଗେ ନାହିଁ, କିମ୍ବା ଯେକୌଣସି ଖଟିଖିଆ ମଜଦୂର କୁନ୍ଥେଇବା ଭଳି ଶୁଭେନାହିଁ, ବଦଳରେ ୟୁରୋପୀୟ ସଭ୍ୟତା ଓ ପ୍ରଗତିଦ୍ୱାରା ପ୍ରଭାବିତ ଗୋଟାଏ ଅଭିଜାତ ଲୋକପରି, ମାଟିର ଜଡ଼ରୁ ଓ ଜାତୀୟ ଉପାଦାନରୁ ବିଚ୍ୟୁତ ଲୋକଟିଏ ପରି ସେ କୁନ୍ଥାଏ । ତାର କୁନ୍ଥା ଧୀରେ ଧୀରେ କୁତ୍ସିତ, ବିରକ୍ତିକର ଭାବରେ ବିଭତ୍ସ ହୋଇ ଦିନ ଦିନ ଆଉ ରାତି ରାତି ଧରି ବଢ଼ି ବଢ଼ିଚାଲେ । ଅବଶ୍ୟ ସେ ନିଜେ ବି ଜାଣିଥାଏ ଯେ ଏହି କୁନ୍ଥାଦ୍ୱାରା ସେ ନିଜର କିଛି ଭଲ କରୁ ନାହିଁ; କାରଣ ଅନ୍ୟମାନଙ୍କଠାରୁ ସେ ନିଜେ ଏକଥା ବେଶୀ ଭଲ କରି ଜାଣିଥାଏ ଯେ ସେ ଖାଲିଟାରେ, ଅଯଥାରେ କେବଳ ନିଜକୁ ଓ ଅନ୍ୟମାନଙ୍କୁ ଅଧିକରୁ ଅଧିକ ବିରକ୍ତ ଆଉ ବିଦୀର୍ଣ୍ଣ କରୁଛି; ସେ ଜାଣିଥାଏ ଯେ ଯେଉଁମାନଙ୍କ ଆଗରେ ସେ ଏପରି କରୁଛି ସେମାନେ ଓ ତା’ର ପରିବାରବର୍ଗ ତା କୁନ୍ଥାକୁ ଘୃଣାର ସହ ଶୁଣୁଛନ୍ତି, କାଣିଚାଏ ବି ବିଶ୍ୱାସ ସେମାନଙ୍କର ନାହିଁ ତା ଉପରେ । ମନେମନେ ସେ ବି ଭାବେ ଯେ ଅଲଗା ପ୍ରକାର ହୁଏତ ସେ କୁନ୍ଥେଇ ପାରନ୍ତା, ଦେଖେଇ ନହୋଇ, ଅଧିକ ସରଳ ଭାବରେ, ଆଉ ଗୋଟେ ପ୍ରକାର ଅତି କଦର୍ଯ୍ୟ ପରିହାସ ଓ ରାଗଦ୍ୱାରା ସେ ନିଜକୁ କେବଳ ଆମୋଦିତ କରେ । ବୋଧହୁଏ, ଏଇସବୁ ଦେଖେଇ ହେବାର ଫମ୍ପା ପଣ ଆଉ ଅପମାନରେ ଗୋଟାଏ ବିରାଟ ଆନନ୍ଦ ବି ଥାଏ । ଯେମିତି ସେ ମନକୁ ମନ କହୁଥାଏ (କହୁଥିବ ନିଶ୍ଚୟ) ଯେ, “ମୁଁ ତୁମକୁ ବ୍ୟସ୍ତ କରୁଛି, ତୁମ ହୃଦୟକୁ ଆଘାତ ଦେଉଛି, ଘରେ ସମସ୍ତଙ୍କୁ ଚିଆଁଇ ରଖିଛି ତ ! ଠିକ୍ ଅଛି, ତା ହେଲେ ଚେଇଁ ରୁହ, ତୁମେମାନେ ବି ମୋ ଦାନ୍ତ ବିନ୍ଧାର ପ୍ରତିଟି ମୁହୂର୍ତ୍ତକୁ ଅନୁଭବ କର । ଏବେ ମୁଁ ତୁମମାନଙ୍କ ଆଗରେ ଆଉ ହିରୋ ହୋଇନାହିଁ, ଯେମିତି ଆଗରୁ ଦେଖେଇବାକୁ ଚେଷ୍ଟା କରିଥିଲି । ବର୍ତ୍ତମାନ ମୁଁ କେବଳ ଗୋଟାଏ କୁତ୍ସିତ ସାଧାରଣ ଲୋକ, ଗୋଟାଏ ପ୍ରତାରକ ବନି ଯାଇଛି । ହଉ, ତାହା ହିଁ ହେଉ ! ମୁଁ ଭାରି ଖୁସି ଯେ ତୁମେ ମୋ ଭିତରଟାକୁ ଦେଖି ପାରୁଛ । ମୋର ଘୃଣ୍ୟ କୁନ୍ଥା ଶବ୍ଦ ତୁମକୁ କୁତ୍ସିତ ଲାଗୁଛି ତ ! ଠିକ୍ ଅଛି, ହଉ ଏ କୁତ୍ସିତ; ତା’ଠାରୁ ଆହୁରି ବିରକ୍ତିକର କୁନ୍ଥାରେ ଗୋଟାଏ ମିନିଟରେ ମୁଁ ତୁମମାନଙ୍କୁ...”

 

ଏବେ ବି ତୁମେମାନେ କଥାଟାକୁ ଭଲ କରି ବୁଝିପାରୁ ନାହଁ? ନା, ଯାହା ଜଣାଯାଉଛି, ସୁଖ ଓ ଆନନ୍ଦର ଏଇ ଜଟିଳତାକୁ ବୁଝିବାକୁ ଆମର ସମସ୍ତ ମାନସିକ ଅଗ୍ରଗତି ଆଉ ସଚେତନତା ଆହୁରି ସୂକ୍ଷ୍ମ ହେବା ଦରକାର । ‘ଆଉ, ମୁଁ ଯଦି କଷ୍ଟ ପାଉଛି, ତୁମେ ବି କଷ୍ଟ ପାଅ । ସେଇଥିରୁ ମୁଁ ଆନନ୍ଦ ପାଇବି’ ତତ୍ତ୍ୱକୁ ବୁଝିବାକୁ । ତୁମେ ହସୁଛ? ଖୁସି ହେଉଛ? ମୋ ବ୍ୟଙ୍ଗ ଅବଶ୍ୟ ରୁଚିହୀନ, ମାନୁଚି ଏହା ଦେହରୁ ମାଉଁସ କାଟି ଦେଲା ପରି ନିର୍ମମ, ଏହା ଜଟିଳ ବି । ହେଲେ, ତାହା ଏପରି ରୁଚିହୀନ ହୋଇଛି କାହିଁକି? କାରଣ ମୋର ନିଜର ନିଜ ପ୍ରତି ଟିକେ ବି ସମ୍ମାନ ନାହିଁ ।

ସତ୍ୟକୁ ଦେଖିପାରୁଥିବା କୋଉ ମଣିଷ କେବେ ବି ନିଜକୁ ସମ୍ମାନ କରିପାରେ?

 

(ପାଞ୍ଚ)

 

ଆଚ୍ଛା କହିଲ, ନିଜ ଅଧଃପତନର ଅନୁଭବରେ ଯିଏ ଆନନ୍ଦ ଖୋଜିବାକୁ ଚେଷ୍ଟା କରେ ତା ପାଖରେ ନିଜପ୍ରତି ସମ୍ମାନର ସାମାନ୍ୟ ଝଲକ ରହିବା ସମ୍ଭବ କି? ଏହା ମୁଁ କୌଣସି ଅଭିମାନଭରା ପ୍ରବଣତାରୁ କହୁ ନାହିଁ, ଆଉ ସତ କହିବାକୁ ଗଲେ ମୁଁ କେବେ ବି ସହିପାରେନି କହିବା, “ବାପା, ମତେ କ୍ଷମାକର, ମୁଁ ଆଉ କେବେ ଏମିତି କରିବି ନାହିଁ ।” ଏହା କହିବାକୁ ମୁଁ ଯେ ଅସମର୍ଥ ତା ନୁହେଁ, ବରଂ ଅନ୍ୟମାନଙ୍କ ଅପେକ୍ଷା ଅଧିକ ଭଲ କରି କହିବାକୁ ସମର୍ଥ । ଆହୁରି ଅଧିକ କୌଶଳରେ କହିବାକୁ ସମର୍ଥ ବି ! ସେଇଥିପାଇଁ ବୋଧହୁଏ ଏହାକୁ ମୁଁ ସହ୍ୟ କରେନା । ଅଥଚ ସତେ ଯେମିତି ଗୋଟାଏ କିଏ ଚ୍ରକାନ୍ତ କଲା ପରି ସଂପୂର୍ଣ୍ଣ ବିନା ଦୋଷରେ ମୁଁ ଏମିତି ଚକ୍ରବ୍ୟୁହରେ ପଡ଼ିଯାଏ ଯେ ସଂପୂର୍ଣ୍ଣ ମୂକ ପାଲଟିଯାଏ ଆଉ ସବୁଠୁ କଦର୍ଯ୍ୟ କଥା ହେଲା, ଏଭଳି ପରିବେଶରେ ବି ମୋ ହୃଦୟ ବିଗଳିତ ହୋଇ ଚାଲିଥାଏ । ମୁଁ ଅନୁତାପ କରି ଚାଲିଥାଏ । ଅବଶ୍ୟ ଆଖିରୁ ଲୁହ ବୁହାଇ କେତେ ନିଜକୁ ଧିକ୍‌କାରୁ ଥାଏ, ଆଉ ନିଜକୁ ପ୍ରବଞ୍ଚିତ କରିଥାଏ । ହେଲେ ଏସବୁ ମୋର ଅଭିନୟ କେବେ ନଥାଏ । ସେତେବେଳେ ବି ମୋ ଭିତରେ ଥାଏ ଗୋଟାଏ ଅଦ୍ଭୁତ ବିରକ୍ତିକର, ଭଲ ନ ଲାଗିବାର ଅନୁଭବ... ସେଥିପାଇଁ ଜଣେ କାହାରିକୁ, ଏପରିକି ଭୌତିକ ନିୟମମାନଙ୍କୁ ବି ଦୋଷ ଦେଇପାରିବ ନାହିଁ । ଅଥଚ ଏଇ ଜାଗତିକ ନିୟମମାନେ ହିଁ ସାରାଜୀବନ ଲଗାତାର ମୋତେ ସବୁଠାରୁ ଅଧିକ ଅପଦସ୍ତ କରି ଆସିଛନ୍ତି । ଏସବୁ ଆଜି ମନେ ପକାଇବାକୁ ବି ଘୃଣା ଲାଗୁଛି, ସେତେବେଳେ ବି ଏହା ଘୃଣ୍ୟ ଥିଲା । ଅବଶ୍ୟ ଗୋଟାଏ ବା ଦୁଇ ମିନିଟ୍ ପରେ ମୁଁ କ୍ରୋଧର ସହିତ ଜାଣି ପାରୁଥିଲି ଯେ ଏସବୁ ଥିଲା କେବଳ ମିଥ୍ୟା, ଗୋଟାଏ ଭୟଙ୍କର ଘୃଣ୍ୟ ମିଥ୍ୟା, ଅତ୍ୟନ୍ତ ପ୍ରଭାବଶାଳୀ ମିଥ୍ୟା । ଏଇ ଯେତେ ଅନୁତାପ, ଏ ଆବେଗ, ନିଜକୁ ବଦଳାଇବାର ପ୍ରତିଜ୍ଞାମାନ ସବୁ ଥିଲା କେବଳ ମିଥ୍ୟା ହିଁ ମିଥ୍ୟା । ତୁମେ ହୁଏତ ପଚାରିପାର, ଏଭଳି ପୁରୁଣା କଥାଗୁଡ଼ା ମନେପକାଇ ମୁଁ ବ୍ୟସ୍ତ ହେଉଛି କାହିଁକି-। ଉତ୍ତର: କାରଣ ଦୁଇହାତ ଯୋଡ଼ି ଚୁପଚାପ ବସିବା ଭାରି ବିରକ୍ତିକର, ତେଣୁ ଜଣେ ଏଇଭଳି ଡିଆଁ ଡେଇଁ କାମ କରେ-। ପ୍ରକୃତ କଥାଟି ସେୟା-

 

ନିଜକୁ ଭଲ କରି ଦେଖ ସାଧୁଜନେ, ତା ହେଲେ କଥାଟାକୁ ବୁଝିପାରିବ ଯେ ଏହା ହେଉଛି ସେୟା । ମୁଁ ନିଜକୁ ଉଲ୍ଲସିତ କରିବାପାଇଁ କେତେ ରୋମାଞ୍ଚକର କଥା ଉଦ୍ଭାବନ କରି ଗୋଟାଏ ସଂପୂର୍ଣ୍ଣ ଜୀବନର କଳ୍ପନା କରିଛି, ତା ହେଲେ ଅନ୍ତତଃ କୌଣସି ପ୍ରକାର ବଞ୍ଚିଯାଇ ହେବ । କେତେଥର ଏମିତି ବି ଘଟିଛି ଯେ କିଛି ନଥାଇ ମୁଁ ଜାଣି ଜାଣି ମନକୁ ମନ ତୁଚ୍ଛାଟାରେ ନିଜ ଉପରକୁ ଅପମାନକୁ ଟାଣି ଆଣିଛି; ଏହା ବି ତ ଗୋଟାଏ ଜଣା କଥା ଯେ କୌଣସି କାରଣ ନଥାଇ ଜଣେ ଅପମାନିତ ହୁଏ । ଅର୍ଥାତ ଅପମାନଟାକୁ ମନକୁ ମନ ଗଢ଼େ, ଆଉ ଗଢ଼ୁ ଗଢ଼ୁ ଶେଷରେ ଜଣେ ନିଜକୁ ସତେ ସତେ ଅପମାନିତ ବୋଧକରେ । ସାରାଜୀବନ ଏଇଭଳି ନିଜକୁ ନିଜେ ଟାହି ଟାପରା କରିବାର ଆବେଗ ମୋ ଭିତରେ ରହିଥିଲା, ସେଥିପାଇଁ ଶେଷରେ ମୋ ନିଜ ଭିତରେ ଏହାକୁ ମୁଁ ଆଉ ରୋକି ପାରିଲି ନାହିଁ । ଆଉ ଥରେ, ନାଃ, ସତ କହିବାକୁ ଗଲେ ଦୁଇଥର ମୁଁ ପ୍ରେମରେ ପଡ଼ିବାକୁ ଚେଷ୍ଟା କରିଥିଲି । ବହୁତ କଷ୍ଟ ପାଇଲି । ସାଧୁଜନେ, ଗାରେଣ୍ଟି ଦେଇ କହୁଛି । ହେଲେ ସେ ଯନ୍ତ୍ରଣାରେ ବି ମୋର ପ୍ରକୃତରେ ବିଶ୍ୱାସ ନଥିଲା, ସେସବୁ ବି ମନଗଢ଼ା ଯନ୍ତ୍ରଣା ଥିଲା । କେବଳ ଉପହାସର ମୃଦୁ ଝଂକାର । କିନ୍ତୁ ତଥାପି ମୁଁ କଷ୍ଟ ପାଇଲି, ପ୍ରକୃତ ପୁରୁଣା-ଜମାନା ରୀତିରେ ଭୋଗିଲା ପରି ଭୋଗିଲି କେତେ ଜ୍ୱଳନ; ମୁଁ ଥିଲି ଇର୍ଷାପରାୟଣ, ମୋ ନିଜ ପାଖରେ...ଆଉ ମୋର ନଥିଲା କିଛି କାମ...ତହିଁରୁ ଜାତ ହେଲା ମାନସିକ ବିଷାଦ; ସଜ୍ଜନ ମଣ୍ଡଳୀ, ଏସବୁ ଥିଲା ନିସ୍ପୃହ-ବିରକ୍ତିର ନିଷ୍କ୍ରିୟତା, ଆଉ ସେଇ ଜଡ଼ତାର ନିଶା ମୋତେ ଶେଷରେ ସଂପୂର୍ଣ୍ଣ ଆୟତ୍ତ କରିନେଲା ।

 

ତୁମେ ଜାଣ ସଚେତନତାର ପ୍ରଥମ ନ୍ୟାୟ ସଂଗତ ଫଳ କ’ଣ? ସଚେତନତା ପ୍ରଥମେ କାହାକୁ ଜନ୍ମ ଦିଏ? ଆଳସ୍ୟ ଓ ନିସ୍ପୃହତାକୁ । ସଚେତନତାର ପ୍ରତ୍ୟକ୍ଷ, ପ୍ରକୃତ ସନ୍ତାନ ହେଉଛି ନିସ୍ପୃହତା । ଅର୍ଥାତ ହାତ ଗୋଡ଼ ଯୋଡ଼ି, ସବୁ ଅବଗତ ହୋଇ ବସିବାରୁ ଏହା ଆସେ । ଏକଥା ମୁଁ ଆଗରୁ କହିସାରିଛି ଆଉ ଥରେ ଦୃଢ଼ ଭାବରେ ପୁନରାବୃତ୍ତି କରୁଛି; କର୍ମର ଜଟିଳ ଜାଲ ବିଛେଇ ବସିଥିବା ଲୋକ ସବୁ ହେଉଛନ୍ତି ସଳଖ ସିଧା ମଣିଷ ଆଉ ଯେତେ ସିଧାସଳଖ ଲୋକ ସମସ୍ତେ କାର୍ଯ୍ୟବ୍ୟସ୍ତ କାରଣ ସେମାନେ ସମସ୍ତେ ବୋକା ଆଉ ଏକଦମ ସୀମିତ ବ୍ୟକ୍ତିତ୍ୱର ମଣିଷ । ତାକୁ କିମିତି ବୁଝାଇବା? ମୁଁ ବୁଝାଇ ଦେଉଛି; ନିଜର ଅକ୍ଷମତା ପରିଣାମରୁ ସେମାନେ ପ୍ରଥମ କଷ୍ଟକର ବାଟକୁ ଛାଡ଼ି ଦେଇ ନିକଟତମ ଦ୍ୱିତୀୟ ସହଜିଆ ବାଟଟିକୁ ପ୍ରଥମ ରୂପେ ଗ୍ରହଣ କରିନିଅନ୍ତି, ଆଉ ତାହାଦ୍ୱାରା ଅନ୍ୟମାନଙ୍କ ଅପେକ୍ଷା ଅଧିକ ଶୀଘ୍ର ଓ ସହଜରେ ନିଜକୁ ବୁଝାଇ ପାରନ୍ତି ଯେ ସେମାନେ ଭାରି କାର୍ଯ୍ୟଦକ୍ଷ ଆଉ ନିଜର କାର୍ଯ୍ୟଦକ୍ଷତା ଦେଖାଇବାପାଇଁ ଗୋଟାଏ ନିର୍ଭୁଲ ଭିତ୍ତିଭୂମି ସେମାନେ ପାଇ ପାରିଛନ୍ତି । ତାଦ୍ୱାରା ସେମାନଙ୍କ ମନ ମଧ୍ୟ ବଡ଼ ଆରାମରେ ରହେ । ସେମାନେ ପ୍ରକୃତରେ କରନ୍ତି କ’ଣ? କର୍ମ ନାମରେ ବିଷ ବୃକ୍ଷ ରୋପଣ ଓ ଉତ୍ପାଟନ? ଯା ହେଲେ ବି ମନତ ସେମାନଙ୍କର ଶାନ୍ତିରେ ରହେ ! ସେଇଟାତ ସବୁ ବଡ଼ କଥା । ମନଟାକୁ ଶାନ୍ତିରେ ରଖିପାରିବା । ମନ କୋଉଥିରେ ସଂପୂର୍ଣ୍ଣ ଶାନ୍ତିରେ ରହିବ ସେ ବାବଦରେ କୌଣସି ସନ୍ଦେହ ରହିବା ଉଚିତ ନୁହେଁ । ଉଦାହରଣସ୍ୱରୂପ ମୁଁ କିମିତି ମୋ ମନକୁ ଶାନ୍ତ ରଖିପାରିବି? ପ୍ରାଥମିକ କାରଣଗୁଡ଼ିକ ଏହାର କ’ଣ, ଯାହା ଉପରେ ଏହି ଶାନ୍ତିକୁ ମୁଁ ଗଢ଼ି ପାରିବି? ମୋର ମୂଳ କୋଉଠି? କେଉଁଠାରୁ ମୁଁ ତାହାର ସନ୍ଧାନ ପାଇବି? ବହୁତ ମୁଁ ଭାବେ, ଆଉ ପରିଣାମସ୍ୱରୂପ ଏହିଭଳି ମୌଳିକ ପ୍ରଶ୍ନ ସହିତ ଆଉ ଗୋଟିଏ ତା’ଠାରୁ ଅଧିକ ଗଭୀର ମୌଳିକ ପ୍ରଶ୍ନ ମୁଣ୍ଡ ଟେକେ, ତା’ପରେ ଆଉ ଗୋଟିଏ, ଏଇମିତି ଅସଂଖ୍ୟ ପ୍ରଶ୍ନ, ଅସଂଖ୍ୟ କାରଣ ଆଗରେ ଆସି ଠିଆ ହୁଅନ୍ତି । ତାହା ହିଁ ସମସ୍ତ ପ୍ରକାର ସଚେତନତା ଓ ତାକୁ ଧରି ରଖିବାର ମୂଳ ତତ୍ତ୍ୱ । ଏହା ବି ନିଶ୍ଚୟ ସେଇ ପ୍ରାକୃତିକ-ନିୟମର ଗୋଟେ ଧାରା ହୋଇଥିବା । ଶେଷରେ ଏହାର ଫଳ କ’ଣ ହୁଏ? କାହିଁକି, ସେଇ ଏକା ପରିଣାମ । ମନେପକାଅ, ଏଇ ଏବେ ମୁଁ ତୀବ୍ର ପ୍ରତିଶୋଧର କଥା କହିଥିଲି ନା? (ତୁମେ ଏ କଥାକୁ ଆଦୌ ଗୁରୁତ୍ୱ ଦେଇନାହଁ ମୁଁ ଜାଣେ ।)

 

ମୁଁ କହିଥିଲି ଯେ ଗୋଟାଏ ସାଧାରଣ, ସ୍ୱାଭାବିକ, ଲୋକ ନିଜର ଉଦ୍ଦେଶ୍ୟ ପ୍ରତି ହୋଇଥିବା ଅନ୍ୟାୟର ପ୍ରତିଶୋଧ ନିଏ କାରଣ ଏଥିରେ ସେ ଭେଟେ ନ୍ୟାୟକୁ, ଭେଟେ ଯଥାର୍ଥତାକୁ । ଫଳରେ ଏଇ ପ୍ରତିଶୋଧ ଭିତରେ ଗୋଟେ ମୁଖ୍ୟ କାରଣ ସେ ପାଇଯାଏ । ମୂଖ୍ୟ କାରଣଟି ହେଲା ନ୍ୟାୟ ଓ ଯଥାର୍ଥତା । ତେଣୁ ଚାରିଆଡ଼ୁ ସେ ଶାନ୍ତିରେ ରହିଲା ଆଉ ଗୋଟାଏ ଭାରି ନ୍ୟାୟ ଓ ସାଧୁକର୍ମ କରୁଛି ବୋଲି ବହୁତ ଶାନ୍ତ ଭାବରେ ଓ ସଫଳ ଭାବରେ ନିଜ ମନରେ ବିଶ୍ୱାସ ଜନ୍ମାଇ ସଫେଇ ଦେଇ ଆପଣା ପ୍ରତିଶୋଧକୁ କାର୍ଯ୍ୟକାରୀ କଲା । ହେଲେ ମୁଁ ଏଥିରେ କୌଣସି ନ୍ୟାୟ ଦେଖେ ନାହିଁ, ଏଥିରେ କୌଣସି ପୂଣ୍ୟ ବି ଦେଖେ ନାହିଁ, ସେଇଥିପାଇଁ ପରିଣାମରେ ଯଦି କେବେ ପ୍ରତିଶୋଧ ନେବାକୁ ଇଚ୍ଛା କରେ ତାହା କେବଳ କ୍ରୋଧ ଓ ଘୃଣାବଶତଃ କରେ । ଅବଶ୍ୟ ଘୃଣା ଏମିତି ଗୋଟେ ଜିନିଷ ଯାହା ସବୁ ଜିନିଷ ଉପରେ, ମୋର ସବୁ ସନ୍ଦେହ ଉପରେ ବି ମୁଣ୍ଡ ଟେକି ପାରେ । ଏଣୁ ଏହା ବି ସଫଳ ଭାବରେ ପ୍ରାଥମିକ କାରଣର ସ୍ଥାନ ନେଇ ପାରେ । ଏଭଳି କହୁଛି କାରଣ, ସଂକ୍ଷେପରେ କହିଲେ ଏହା ଆଦୌ ଗୋଟେ କାରଣ ବି ନୁହେଁ । ହେଲେ କ’ଣ କରାଯାଇପାରେ, ଯଦି ମୋର ମୂଳରୁ ଘୃଣା ନାହିଁ? (ଯୋଉ କଥା ଏବେ କହୁଥିଲି ।)

[୩) ଏନ୍‌. ଏନ୍‌. ଗ୍ୟୁଏଙ୍କ ଛବିର ପ୍ରଦର୍ଶନୀ ୧୮୬୩ରେ ପିଟର୍ସବର୍ଗରେ ହୋଇଥିଲା--ଏହାକୁ ଧର୍ମର ଏକ ଅତିବାସ୍ତବ ଚିତ୍ର କହି ସାଂବାଦିକମାନେ ଏହା ଉପରେ ଆକ୍ରମଣ

କରିଥିଲେ ।]

 

ପୁଣିଥରେ ସେଇ ଅଭିଶପ୍ତ ସଚେତନତାରୁ ଆଉ ପ୍ରକୃତିର ନିୟମର ପରିଣତି ଯୋଗୁଁ ମୋ ଭିତରର ଭୟାନକ କ୍ରୋଧ ରାସାୟନିକ କ୍ରିୟାରେ ଖଣ୍ଡଖଣ୍ଡ ହେଲା ପରି ଭୁଷୁଡ଼ି ଚୁରମାର ହୋଇଯାଏ । ଏବେ ଏଇ କଥାଟିର ଭିତରଟାକୁ ଚାହିଁ ଦେଖ, ଅସଲ ଉଦ୍ଦେଶ୍ୟଟି (ପ୍ରତିଶୋଧ) ଏ ଭିତରେ ପବନରେ କୁଆଡ଼େ ମିଳେଇ ଗଲାଣି, ତୁମର ତର୍କ ଅନ୍ତର୍ଦ୍ଧାନ । ତୁମର ସବୁ ଯୁକ୍ତି ଉଭାନ୍‌, ଅପରାଧୀ ମିଳିବାର ନାହିଁ, ଏବେ ଭୁଲ ଆଉ ଭୁଲ ହୋଇ ରହେ ନାହିଁ, ହୋଇଯାଏ ଗୋଟାଏ କାଳ୍ପନିକ ବସ୍ତୁ, ଦାନ୍ତବିନ୍ଧା ପରି ଯୋଉଥିପାଇଁ କାହାରିକୁ ଦୋଷ ଦେବାର ବି ନାହିଁ, ଆଉ ଶେଷରେ ସେଇ ଗୋଟିଏ ବାଟ କେବଳ ଥାଏ ଏଥିରୁ ମୁକୁଳିବାର- ତାହା ହେଲା ଯେତେ ଜୋର୍ ସମ୍ଭବ କାନ୍ଥକୁ ପିଟିବା ।

 

କିନ୍ତୁ ହାତଟାକୁ ହଲେଇ ଦେଇ ଏ କାର୍ଯ୍ୟଟିକୁ ବି ତୁମେ ପରିତ୍ୟାଗ କର, କାରଣ ତୁମେ ଏ କାମ କରିବାପାଇଁ ଗୋଟାଏ ଯଥାର୍ଥ ମୌଳିକ କାରଣ ଖୋଜି ପାଅ ନାହିଁ । ତୁମର ନିଜର ଅନୁଭବ ସ୍ରୋତରେ ନିଜକୁ ଭାସି ଯିବାକୁ ଛାଡ଼ିଦିଅ, ଅନ୍ଧଭାବରେ, କିଛି ନ ଭାବି, କୌଣସି ମୌଳିକ କାରଣ ନ ଖୋଜି, ସବୁକିଛି ଭୁଲିଯାଇ, ମୁହୂର୍ତ୍ତକପାଇଁ ଅନ୍ତତଃ ସଚେତନତାକୁ ଭଲ ପାଇ ହେଉ ବା ଭଲ ନ ପାଇ, ଘୃଣା କରି ହେଉ, ଯଦି ହାତ ଗୋଡ଼ ଯୋଡ଼ି ବସିବାକୁ ନ ଚାହଁ, ତା ହେଲେ ନିଜ ଅନୁଭବରେ ନିଜକୁ ଭସାଇ ଦିଅ । (ଏହା ଛଡ଼ା ଆଉ ବାଟ ବି ନାହିଁ ।) ଅତି ବେଶୀରେ ତୃତୀୟ ଦିନକୁ ଦେଖିବ ତୁମେ ନିଜକୁ ନିଜେ ଜାଣି ଜାଣି ଠକିଥିବା ଯୋଗୁ ନିଜକୁ ଘୃଣା କରିବାକୁ ଆରମ୍ଭ କରିବ । ଫଳାଫଳ; ଗୋଟାଏ ସାବୁନ୍ ଫେଣର ବୁଦ୍‌ବୁଦ୍ ଆଉ ଜଡ଼ତା । ଭଦ୍ରଜନେ, ତୁମେମାନେ ଜାଣ, ମୁଁ ସମ୍ଭବତଃ ନିଜକୁ ଗୋଟାଏ ବୁଦ୍ଧିମାନ ଲୋକ ବୋଲି ବିଚାର କରେ, ତାର ଏକମାତ୍ର କାରଣ ହେଲା ସାରାଜୀବନ ମୁଁ କିଛି ଆରମ୍ଭ କରିବାକୁ ବା ଶେଷ କରିବାକୁ ସମର୍ଥ ହୋଇ ନାହିଁ । ହେଲା ଏବେ, ମୁଁ ବେଶୀ ବକର ବକର ହେଉଛି, କାହାରି କ୍ଷତି କରିପାରୁ ନଥିବା, ବିରକ୍ତିକର କୁହାଳିଆଟାଏ ମୁଁ, ଆମ ସମସ୍ତଙ୍କ ପରି । ହେଲେ ଯଦି ସବୁ ବୁଦ୍ଧିମାନ ଲୋକଙ୍କର ଏକମାତ୍ର ପେଶା, ସିଧାସଳଖ ପେଶା ହୁଏ ବାଜୁରୁ ବାଜୁରୁ ହେବା, ତା ହେଲେ କ’ଣ କରାଯିବ? ଅର୍ଥାତ ୟେ ବହୁତ କଣା ହୋଇଯାଇଥିବା ଗୋଟାଏ ମୋଟା ଷ୍ଟିଲ୍ ପାଇପ୍‌ରୁ ଇଚ୍ଛାକୃତଭାବେ ଅହରହ ପାଣି ବାହାରିବା କଥା ହେଲା ନା?

 

(ଛଅ)

 

ଆଃ, କେବଳ ଅଳସୁଆ ହୋଇ ମୁଁ କିଛି ହେଲେ କରି ନଥାନ୍ତି କି ! ହାୟ ଭଗବାନ, ତା ହେଲେ ମୁଁ ନିଜକୁ କେତେ ସମ୍ମାନ ଦେଇପାରିଥାନ୍ତି, ମୁଁ ନିଜକୁ ଢେର ସମ୍ମାନ କରିଥାନ୍ତି, କାରଣ ଅନ୍ତତଃ ମୁଁ ଅଳସୁଆଟାଏ ହେବାକୁ ସମର୍ଥ ହୋଇଛି ବୋଲି, ତାଦ୍ୱାରା ମୋ ଭିତରେ ଗୋଟାଏ ଗୁଣ ତ ଅନ୍ତତଃ ରହିଥାନ୍ତା, ଯେଉଁଥିପାଇଁ ମୋ ନିଜକୁ ମୁଁ ସମ୍ମାନ କରି ପାରିଥାନ୍ତି । ପ୍ରଶ୍ନ: ସେ ଗୁଣଟି କ’ଣ? ଉତ୍ତର: ଅଳସୁଆ ହେବା । ନିଜ ବିଷୟରେ ଏପରି ଶୁଣିବାଟା କି ଆନନ୍ଦଦାୟକ ! ଏହାର ଅର୍ଥ ହୋଇଥାନ୍ତା ଯେ ନିର୍ଦ୍ଦିଷ୍ଟ ଭାବରେ ମୋର ଗୋଟାଏ ସଂଜ୍ଞା ଅନ୍ତତଃ ନିରୂପିତ ହୋଇ ଯାଇଥାଆନ୍ତା । ଏହାର ଅର୍ଥ ମୋ ବାବଦରେ ନିର୍ଦ୍ଦିଷ୍ଟ ଭାବରେ କିଛି ଗୋଟାଏ କହିବାର ଥାନ୍ତା । ‘ଅଳସୁଆ’, କାହିଁକି ଏହା ତ ଗୋଟିଏ ନାମ ଆଉ ଗୋଟିଏ କାମ, ଏହା ତ ଗୋଟାଏ ବୃତ୍ତି । ଥଟ୍ଟା କର ନାହିଁ, ଏହା ସତ୍ୟ । ତା ହେଲେ ମୋ ନିଜ ଅଧିକାରରେ ମୁଁ ସବୁଠାରୁ ଭଲ କ୍ଲବର ସଭ୍ୟ ହୋଇପାରିଥାନ୍ତି । ଆଉ ସବୁବେଳେ ମୋର ଗୋଟାଏ ପେଶା ଅଛି ବୋଲି ନିଜକୁ ମୁଁ ତ ସମ୍ମାନ ଦେଇ ଚାଲିଥାନ୍ତି ।

 

ମୁଁ ଏପରି ଜଣେ ଭଦ୍ରଲୋକଙ୍କୁ ଜାଣେ ଯିଏ ସାରା ଜୀବନ ଭଲ ମନ୍ଦର ସ୍ୱାଦ ଜାଣି ପାରୁଥିଲେ ବୋଲି ଭାରି ଗର୍ବ କରୁଥିଲେ । ଏହାକୁ ସେ ନିଜର ଖୁବ୍ ଗୋଟାଏ ବଡ଼ ଗୁଣ ବୋଲି ଭାବୁଥିଲେ, ଆଉ କେବେ ବି ନିଜକୁ ଏଥିପାଇଁ ସନ୍ଦେହ କରି ନଥିଲେ । ସେ କେବଳ ଶାନ୍ତିରେ ମୃତ୍ୟୁବରଣ କରି ନଥିଲେ, ବିଜୟୀ ହୋଇଥିବାର ଭାବନା ଓ ବିବେକ ମଧ୍ୟ ତା ସହିତ ମିଶି ଥିଲା । ଆଉ ସେ ବି ଠିକ୍ ବୁଝିଥିଲେ । ତା ହେଲେ ମୁଁ ବି ମୋ ନିଜପାଇଁ ଗୋଟାଏ ବୃତ୍ତି ବାଛି ନେବା ଉଚିତ ଥିଲା ।

ମୁଁ ଗୋଟାଏ ଅଳସୁଆ ଓ ପେଟୁ ହେବା ଉଚିତ ଥିଲା । ସାଧାରଣ ପେଟୁ ନୁହେଁ, ଏପରି ପେଟୁ ଯାହାର ଯେତେସବୁ ‘ଭଲ ଓ ସୁନ୍ଦର’ ପ୍ରତି ଆଦର ଥାଆନ୍ତା । ତୁମକୁ କିମିତି ଲାଗୁଛି ଏ କଥାଟା? ସେଇ ‘ଭଲ ଓ ସୁନ୍ଦର’ କଥାଟା ମୋ ମନରେ ଏଇ ଚାଳିଶ ବର୍ଷ ଧରି ବିରାଟ ଗୋଟେ ଓଜନ ହୋଇ ବସି ଯାଇଛି । ହେଲେ ସେଇଟା ଚାଳିଶ ବର୍ଷରେ; ସେତେବେଳେ - ଓଃ ସେତେବେଳେ ଯଦି ଏହା ମୋ ମନରେ ବସା ବାନ୍ଧି ପାରିଥାନ୍ତା ମୋ ଜୀବନ କେତେ ଭିନ୍ନ ହୋଇଥାନ୍ତା! ଏଇଥିରେ ମାତି ମୁଁ ନିଜପାଇଁ କେତେ ପ୍ରକାର କର୍ମ ଯୋଜନା ସ୍ଥିର କରି ପାରିଥାନ୍ତି, ଅର୍ଥାତ୍ ସଂକ୍ଷେପରେ, ଯାହା କିଛି ‘ଭଲ ଓ ସୁନ୍ଦର’ ତାରି ନାଁରେ ମୁଁ ମୋର ସମଗ୍ର ଜୀବନଟାକୁ ଉତ୍ସର୍ଗ କରିଦେଇ ପାରିଥାନ୍ତି । ସାମାନ୍ୟତମ ସୁଯୋଗରେ ମୋ ସୁରାପାତ୍ରରେ ଲୋତକ ବିନ୍ଦୁଟିଏ ଢାଳି ତା’ପରେ ତାକୁ ‘ଭଲ ଓ ସୁନ୍ଦର’ ନାମରେ ନିଃଶେଷ କରିଥାନ୍ତି । ତା’ପରେ ସବୁ ଜିନିଷକୁ ମୁଁ ‘ଭଲ ଓ ସୁନ୍ଦର’ରେ ବଦଳେଇ ଦେଇ ପାରିଥାନ୍ତି; କୁତ୍ସିତତମ ଘୃଣ୍ୟ ଆବର୍ଜନାରେ ମୁଁ ଖୋଜିଥାନ୍ତି ‘ଭଲ ଓ ସୁନ୍ଦର’କୁ । ଓଦା ସ୍ପଞ୍ଜ ପରି ମୁଁ ଅହରହ ଲୋତକ ବର୍ଷିଥାନ୍ତି । ଉଦାହରଣସ୍ୱରୂପ, ଧର ଗୋଟାଏ କଳାକାର, ଯିଏ ଗ୍ୟୁଏ(୩)ଙ୍କ ଭଳି ମୂଲ୍ୟବାନ ଛବିଟିଏ ଆଙ୍କିଥାନ୍ତା । ତତ୍‌କ୍ଷଣାତ୍ ଗ୍ୟୁଏଙ୍କ ଛବି ଆଙ୍କିଥିବା ସେହି କଳାକାରର ସ୍ୱାସ୍ଥ୍ୟର କାମନା କରି ମୁଁ ମଦପିଇ ଥାନ୍ତି । କାରଣ ଯାହା କିଛି ‘ଭଲ ଓ ସୁନ୍ଦର’ ସେ ସବୁକୁ ମୁଁ ଯେ ଭଲ ପାଏ । ଜଣେ ଲେଖକ ‘ଆଜ୍ ୟୁ ଲାଇକ୍ ଇଟ୍‌’ ଲେଖିଛନ୍ତି । ତତ୍‌କ୍ଷଣାତ୍ ମୁଁ ସେଇ ଲେଖକଙ୍କର ଉତ୍ତମ ସ୍ୱାସ୍ଥ୍ୟର କାମନା କରି ସୁରାପାନ କରିଥାନ୍ତି । କାରଣ ମୁଁ ‘ଭଲ ଓ ସୁନ୍ଦର’କୁ ଯେ ଭଲ ପାଏ ।

ଏପରି କରୁଥିବା ଯୋଗୁ ମୁଁ ସମ୍ମାନ ବି ଦାବୀ କରିଥାନ୍ତି ଓ କରିବା ଉଚିତ ମଧ୍ୟ । ଯିଏ ମୋତେ ସମ୍ମାନ ନ ଦେଖାଇଥାନ୍ତା, ତାକୁ ଦଣ୍ଡିତ କରିବାର ଅଧିକାର ବି ମୋର ରହିଥାନ୍ତା ଓ ରହିବା ଉଚିତ ମଧ୍ୟ । ମୁଁ ସମ୍ମାନର ସହ ମରିବା ବି ଉଚିତ, କାରଣ ଏ ସବୁ ଅତି ‘ଭଲ ଓ ସୁନ୍ଦର’ ତଥା ଆକର୍ଷଣୀୟ ! ଆଉ କି ସୁନ୍ଦର ଗୋଲ ପେଟଟିଏ ମୋ ଚାରିପଟେ ମୁଁ ବଢ଼େଇଥାନ୍ତି, କି ମୋଟା ମୋଟା ଗାଲ ଆଉ ଭାଙ୍ଗ ଭାଙ୍ଗ ଚିବୁକ କରିଥାନ୍ତି, ତା ସାଂଗକୁ ନାଲି ମୋଟା ନାକଟିଏ, ତା ହେଲେ ମୋତେ ଦେଖି ସମସ୍ତେ କହିଥାନ୍ତେ, “ଏଇ ପ୍ରକୃତରେ ଆମର ଜାତୀୟ ସଂପଦ ! ଏଇଠି ଅଛି ଆମ ମାଟିର ବାସ୍ତବ ଲୌହମାନବ !” ଆଉ ତୁମେ ଯାହା କୁହ ପଛେ, ଆଜିର ଏ ନାସ୍ତିବାଚକ ଯୁଗରେ ନିଜ ବିଷୟରେ ଏଭଳି ମନ୍ତବ୍ୟ ଶୁଣିବାଟା ନିଶ୍ଚୟ ବହୁତ ସୁଖକର ।

 

 

(ସାତ)

 

ହେଲେ ଏସବୁ କେବଳ ସୁନେଲି ସପନ । ସପନ ନୁହେଁ ତ ଆଉ କ’ଣ? ଆଚ୍ଛା କହିଲ ଦେଖି, କିଏ ସିଏ ଯିଏ ପ୍ରଥମେ ଏକଥା କହିଥିଲେ ଆଉ ପ୍ରଥମକରି ଘୋଷଣା କରିଥିଲେ ଯେ ମଣିଷ କେବଳ ଅପ୍ରୀତିକର ନିକୁଚ୍ଛିଆ କାମମାନ ହିଁ କରେ, କାରଣ ସେ ଜାଣେ ନାହିଁ ତା ନିଜର ସୁବିଧା କେଉଁଥିରେ ନିହିତ; ଆଉ ସେ ଯଦି ଯଥେଷ୍ଟ ବୁଦ୍ଧିମାନ ଆଉ କୁସଂସ୍କାର ମୁକ୍ତ ହୋଇଥାନ୍ତା, ତାର ଆଖି ତା ନିଜର ଭଲ ଓ ସୁବିଧାପାଇଁ ଖୋଲା ରଖିଥାନ୍ତା, ତା ହେଲେ ସେ ସଂଗେ ସଂଗେ ଅତି ଭଲ ଆଉ ବିବେକୀ ହୋଇଯାଆନ୍ତା, ଆଉ ସବୁ କଦର୍ଯ୍ୟ କାମ କରିବା ଛାଡ଼ି ଦିଅନ୍ତା, କାରଣ ନିଜର ପ୍ରକୃତ ସୁଯୋଗମାନଙ୍କୁ ସେ ବୁଝିପାରନ୍ତା, ଆଉ ନିଜ ଭିତରର ଆଲୋକକୁ ଦେଖିପାରି ଜାଣିପାରନ୍ତା ଯେ ଭଲ କାମ କରିବାରେ ହିଁ ତା’ର ମଙ୍ଗଳ, ତାର ସୌଭାଗ୍ୟ, ତା’ର ଉତ୍କୃଷ୍ଟତା ସବୁ କିଛି ନିହିତ । ଆଉ କେଉଁଥିରେ ନାହିଁ । ଏ କଥାତ ଆମେ ସମସ୍ତେ ଜାଣିଚେ ଯେ ଜଣେ ଜାଣିଶୁଣି ସଚେତନ ଭାବରେ ନିଜର ମଙ୍ଗଳ ବିରୁଦ୍ଧରେ କାମ କେବେ ବି କରିବ ନାହିଁ, ଫଳରେ ଏଇ ଆବଶ୍ୟକତା ଯୋଗୁ ସେ ଭଲ କାମ କରିବାକୁ ଆରମ୍ଭ କରିବ । ହାୟ ଭଗବାନ ! ମଣିଷ, ନିରୀହ, ନିଷ୍ପାପ ଶିଶୁଟିଏ ବେଳୁ, ନା-ନା ପ୍ରଥମରୁ, ସୃଷ୍ଟି ଆରମ୍ଭରୁ ଏଇ ହଜାର ହଜାର ବର୍ଷରେ ନିଜର ସୁଖ ସ୍ୱାଚ୍ଛନ୍ଦ୍ୟ ଲାଗି କେବେ ଥରେ ହେଲେ କାମ କରିଛି କି? ହାୟ- ବରଂ ଲୋକମାନେ ଜାଣିଶୁଣି, ଅର୍ଥାତ୍ ନିଜର ପ୍ରକୃତ ମଙ୍ଗଳକୁ ଭଲଭାବେ ବୁଝି ମଧ୍ୟ, ସେଗୁଡ଼ିକ ପଛକୁ ଫିଙ୍ଗି ଦେଇ ଆଖି ବୁଝି ଧ୍ୱଂସ ଓ ବିପଦ ପଥରେ ଲମ୍ଫ ପ୍ରଦାନ କରନ୍ତି । କେହି ସେମାନଙ୍କୁ ଏଭଳି ନିଜପାଇଁ ବିପଦ ସୃଷ୍ଟିକାରୀ, ବିଧ୍ୱଂସକାରୀ ପଥରେ ଯିବାକୁ ବାଧ୍ୟ କରନ୍ତି ନାହିଁ । ହେଲେ ବହୁତ ଲୋକ ସିଧାସଳଖ ବାଟକୁ ଜାଣି ଜାଣି ଅଗ୍ରାହ୍ୟ କରି ସ୍ୱଇଚ୍ଛାରେ ଜିଦି କଲାଭଳି ଆଉ ଗୋଟେ ଜଟିଳ, ଉଦ୍ଭଟ, ଅନ୍ଧକାରମୟ, କଣ୍ଟକିତ ତଥା କଳଙ୍କିତ ପଥକୁ ବାଛି ନିଅନ୍ତି । ତେଣୁ ମୁଁ ମନେକରେ ଏଇ ଉଚ୍ଛୃଙ୍ଖଳତା, ଏଇ ବିକୃତି ହିଁ ସେମାନଙ୍କପାଇଁ ଯେକୌଣସି ଉତ୍କୃଷ୍ଟ ପଥଠାରୁ ଅଧିକସୁଗମ, ସୁଖକର ଓ ପ୍ରିୟ ନିଶ୍ଚୟ ହୋଇଥିବ । ହେଲେ ଏଠି ଆଉ ଗୋଟେ ପ୍ରଶ୍ନ । ଉତ୍କୃଷ୍ଟତା? ଶ୍ରେଷ୍ଠତା? ସୁବିଧା? କ’ଣ ସେ ଜିନିଷ?

 

ତୁମେ କ’ଣ ଏକଦମ ସଠିକ ଭାବରେ ବୁଝେଇ ଦେଇପାରିବ ମଣିଷର ଶ୍ରେଷ୍ଠତା କେଉଁଥିରେ, କେଉଁ କେଉଁ ପଦାର୍ଥର ସମଷ୍ଟିରେ ତିଆରି ହୋଇଛି? ଆଉ ଯଦି ଏମିତି ଘଟେ ଯେ ମଣିଷ ବହୁତବେଳେ ତା ନିଜପାଇଁ ଯାହା କ୍ଷତିକାରକ ଆଉ ଆଦୌ ମଙ୍ଗଳକାରକ ନୁହଁ ତାହା କରିବାକୁ ଇଚ୍ଛା କରେ ଆଉ ତାହା ହିଁ ସେତେବେଳେ ତାପାଇଁ ସୁବିଧାଜନକ ହୋଇଥାଏ, ତା ହେଲେ? ଏଭଳି ଯଦି ଗୋଟିଏ ବି ମଣିଷ ଥାଏ, ତା ହେଲେ ତ ପ୍ରକୃତିର ସମସ୍ତ ନିୟମାବଳୀ ମାଟିରେ ମିଶିଯିବ । ତୁମେ କ’ଣ ଭାବୁଛ? ଏପରି କେବେ ଘଟିଛି? ତୁମେ ହସୁଛ । ହସ ସାଧୁଜନେ, ହସ, ହେଲେ ମୋର ପ୍ରଶ୍ନର ଏତିକି ଉତ୍ତର ମାତ୍ର ଦିଅ; ମଣିଷର ସୁବିଧାମାନ ନିଶ୍ଚିତ ଓ ସଠିକ ଭାବରେ କେବେ ହିସାବ ହୋଇ ଲିପିବଦ୍ଧ ହୋଇ ପାରିଛି କି? ଏଭଳି କ’ଣ କେତେ କଥା ନାହିଁ ଯାହା ଏଇ ସୁବିଧା-ତାଲିକାଭୁକ୍ତ ହୋଇ ନାହିଁ କେବଳ ନୁହେଁ ବରଂ କୌଣସି ପରିସ୍ଥିତିରେ କେବେ ବି ଏହାର ଅନ୍ତର୍ଭୁକ୍ତ ହୋଇପାରିବ ନାହିଁ?

 

ଦେଖ, ତୁମେ ଭଦ୍ରଲୋକମାନେ ହିଁ ମଣିଷର ସୁବିଧା ସୁଯୋଗର ପୂରା ତାଲିକା ବନାଇଛ, ପୁଣି ତାକୁ ବନାଇଛ ରାଜନୀତିକ-ଆର୍ଥନୀତିକ ଫର୍ମୁଲାର ସର୍ବେକ୍ଷଣକୁ ଆଉ ବହିରେ ଲିପିବଦ୍ଧ ପରିସଂଖ୍ୟାନକୁ ଅନୁସରଣ କରି । ତୁମ ଦୃଷ୍ଟିରେ ସୁବିଧାମାନ ହେଲା ସ୍ୱଚ୍ଛଳତା, ପଦୋନ୍ନତି, ଧନ, ସ୍ୱାଧୀନତା, ଶାନ୍ତି- ଏହିପରି ଅନେକ କିଛି । ଏଣୁ କେହି ଏଇ ତାଲିକା ବିରୁଦ୍ଧରେ ଗଲେ, ତୁମେ ତାକୁ ଗୋଟାଏ ପାଗଳ ବୋଲି ଭାବିବ, ମୁଁ ବି ସେୟା ଭାବିବି । ହେଲେ, ତୁମେ ଜାଣ, ଏଇଟା ହିଁ ଆଶ୍ଚର୍ଯ୍ୟଜନକ ଯେ, ଯେତେସବୁ ଏଇ ତାଲିକାକାରୀ, ମୁନିଋଷି, ମାନବ ଜାତିର ହିତାକାଂକ୍ଷୀଗଣ, ଯେତେବେଳେ ମଣିଷର ସୁବିଧା-ସୁଯୋଗର ତାଲିକା ବନାନ୍ତି, ପ୍ରାୟ ଗୋଟିଏ ଜିନିଷକୁ ସମସ୍ତେ ଛାଡ଼ି ଯାଆନ୍ତି କାହିଁକି? ଏପରିକି ଏଇ ଗୋଟିକୁ ସେମାନେ ବିଚାରକୁ ମଧ୍ୟ ନିଅନ୍ତି ନାହିଁ । ଅନ୍ତତଃ ଭାବନ୍ତି ନାହିଁ ଯେ ଏହା ବିଚାରଭୁକ୍ତ ହେବା ଉଚିତ । ଅଥଚ ସମସ୍ତ ବିଚାର, ହିସାବ, ଗଣାଗଣି ଏହାରି ଉପରେ ହିଁ ନିର୍ଭର କରେ । ଏଇଟା ବି ଇମିତି କିଛି ଗୋଟାଏ ବଡ଼ କାମ ନୁହେଁ, ସେମାନେ କେବଳ ଏଇଟିକୁ ଗ୍ରହଣ କରିନେବା କଥା, ଅର୍ଥାତ୍ ଏଇ ଶ୍ରେଷ୍ଠତାଟିକୁ, ଆଉ ଏଇଟିକୁ ତାଲିକାରେ ଯୋଡ଼ି ଦେବା କଥା । ହେଲେ ଅସୁବିଧାଟି ଏଠି ହେଲା ଏୟା ଯେ, ଏଇ ଅଦ୍ଭୁତ ସୁଯୋଗଟି କୌଣସି ନିର୍ଦ୍ଦିଷ୍ଟ ଶ୍ରେଣୀ ବିଭାଗରେ ପଡ଼େ ନାହିଁ । ଏଣୁ ତାଲିକାଭୁକ୍ତ ହୋଇପାରେ ନାହିଁ । ଉଦାହରଣସ୍ୱରୂପ, ମୋର ଗୋଟିଏ ବଂଧୁ ଅଛି... ମାନେ, ସୁଧୀବୃନ୍ଦ, ସେ ତୁମର ବି ବଂଧୁ, ଆଉ ଏମିତି ଦେଖିବାକୁ ଗଲେ ସେ ସମସ୍ତଙ୍କର ବଂଧୁ, କାହାର ବଂଧୁ ନୁହଁ ବୋଲି କେହି କହିପାରିବେ ନାହିଁ !

 

କୌଣସି ଲୋକ ଯେତେବେଳେ କୌଣସି କାର୍ଯ୍ୟଭାର ଗ୍ରହଣ କରିବାକୁ ତିଆର ହେଉଥାଏ, ସେତେବେଳେ ସଂଗେ ସଂଗେ ଏଇ ବଂଧୁଟି କିପରି ଆଇନ ସଂଗତ, ଯୁକ୍ତିଯୁକ୍ତ ଭାବରେ ଠିକ୍ ବାଟରେ ଏ କାମଟି ହୋଇପାରିବ-ତାହା ସ୍ପଷ୍ଟ ଓ ଭଦ୍ରଭାବରେ କହିଦିଏ ଅତ୍ୟନ୍ତ ଅଭିଜାତ ଢଙ୍ଗରେ । ପୁଣି ବି ସେ ଉଦ୍ଦୀପନା ଓ ଗଭୀର ଆବେଗର ସହ ବିସ୍ତୃତ ଭାବରେ ତୁମକୁ ବୁଝେଇ ଦିଏ ମଣିଷର ସାଧାରଣ, ସ୍ୱାଭାବିକ ଆଗ୍ରହ ବିଷୟରେ, ମଣିଷର ସୁବିଧା, ସୁଯୋଗ ଓ ଆସକ୍ତି ବାବଦରେ, ପୁଣି ବି ସେ ବ୍ୟଙ୍ଗ ବିଦ୍ରୂପ କରି ବୁଝାଇଦିଏ ଯେ ଦୂରଦୃଷ୍ଟିହୀନ ମୂର୍ଖ ଲୋକେ କିପରି ନିଜର ସୁବିଧା ସୁଯୋଗ, ଭଲମନ୍ଦ କଥା ବିଚାର ନକରି କାମ କରନ୍ତି, ପୂଣ୍ୟର ପ୍ରକୃତ ମର୍ମ ସେମାନେ ବୁଝନ୍ତି ନାହିଁ ଇତ୍ୟାଦି; ତା’ପରେ ପୁଣି ପନ୍ଦରମିନିଟ୍ ଭିତରେ କୌଣସି କାରଣ ନଥାଇ, କ’ଣ ତା ଭିତରେ ଘଟେ କେଜାଣି, ସେ ସଂଗେ ସଂଗେ ଗୋଟାଏ ଅଲଗା ବାଟରେ କଥା ଆରମ୍ଭ କରେ-ସଂପୂର୍ଣ୍ଣ ଓଲଟା ବାଟରେ-ପନ୍ଦରମିନିଟ ପୂର୍ବରୁ କହିଥିବା କଥାର ଓଲଟା କଥାମାନ କହେ... ମୁଁ ତୁମକୁ ସତର୍କ କରାଇ ଦେଉଛି ଯେ ମୋ ବଂଧୁ ହେଉଛି ଗୋଟାଏ ଗହନ ଜିନିଷ, ଜଟିଳ ବ୍ୟକ୍ତିତ୍ୱ ବା ବହୁ ଉପାଦାନରୁ ମିଶ୍ରିତ ‘ମାନସିକତା’ ନାମ ତୁମେ ତାକୁ ଦେଇପାର? ତାହା ହେଉଛି ଆମ ବିବେକ-ଏଣୁ ତାକୁ ଗୋଟିଏ ବ୍ୟକ୍ତିବିଶେଷ ରୂପରେ ବି ଆମେ ଦୋଷୀ ଠଉରେଇ ପାରିବା ନାହିଁ ।

 

ତା ହେଲେ କଥାଟି ହେଲା, ଭଦ୍ରଜନେ, ଯାହା ଜଣାଯାଉଛି, ସବୁ ଲୋକଙ୍କର ସବୁଠାରୁ ମନଲୋଭା ସୁବିଧା ସୁଯୋଗ ଅପେକ୍ଷା ଏ ପୃଥିବୀରେ ଆଉ ଗୋଟାଏ ବି ଅଧିକ ପ୍ରିୟ ଜିନିଷ ଅଛି, ତାହା ହେଉଛି ସେମାନଙ୍କର ବିବେକ । ବିବେକ କଥା ମାନି ଚଳିବାପାଇଁ ଦରକାର ପଡ଼ିଲେ ଗୋଟାଏ ଲୋକ ସବୁ ଆଇନ, ଯୁକ୍ତି, ସମ୍ମାନ, ଶାନ୍ତି, ପ୍ରଗତି, ପ୍ରକୃତି ବିରୁଦ୍ଧରେ ଯିବାକୁ ପ୍ରସ୍ତୁତ ହୋଇପାରେ, ଏଇ ବିବେକ ନାମକ ସୁଯୋଗ ଅନୁମୋଦିତ ବାଟରେ ଯିବାପାଇଁ ସମସ୍ତ ଆବଶ୍ୟକୀୟ ବସ୍ତୁକୁ ତ୍ୟାଗ ବି କରିପାରେ, ଏଇ ସୁଯୋଗ-ସୁବିଧାଟିକୁ ହାସଲ କରିବାକୁ, ଏଇ ମୌଳିକ ବସ୍ତୁଟିକୁ ପାଇବାପାଇଁ ସେ ସମଗ୍ର ବିଶ୍ୱର ସମସ୍ତ ସୁଖ-ସୌଭାଗ୍ୟର ତାଲିକାକୁ ଫିଙ୍ଗି ଦେଇ ବି ପାରେ । କାରଣ ଏଇ ପରମ ବସ୍ତୁଟି ହିଁ ତାର ସବୁଠାରୁ ପ୍ରିୟ ।

 

ହେଲେ, ତୁମେ ୟାର ଓଲଟା ଯୁକ୍ତି ବି କରିପାର : “ଯା’ ହେଲେ ବି ଏହାତ ଗୋଟାଏ ଫାଇଦା ନା !” ହେଲେ ମୋତେ କ୍ଷମା କର, କଥାଟାକୁ ମୁଁ ସ୍ପଷ୍ଟ କରି ଦେଉଛି, ଆଉ ଏହାକୁ ଖାଲି ଶବ୍ଦର ଖେଳ ବୋଲି ଭାବ ନାହିଁ । କଥାଟି ହେଲା, ଏଇ ଯେଉଁ ସୁବିଧାର କଥା କହୁଛି ସେଇ ସୁବିଧାଟି ଏଇ ଦିଗରୁ ଉଲ୍ଲେଖଯୋଗ୍ୟ ଯେ ଏହା ମାନବପ୍ରେମୀମାନଙ୍କଦ୍ୱାରା ମାନବଜାତିର କଲ୍ୟାଣ ଉଦ୍ଦେଶ୍ୟରେ ତିଆରି ହୋଇଥିବା ସବୁ ଆଚରଣ ସଂହିତାକୁ ନିରବିଚ୍ଛିନ୍ନ ଭାବରେ ଭୁଲୁଣ୍ଠିତ କରି ଚାଲିଥାଏ ଆଉ ଆମର ସମସ୍ତ ଶୃଙ୍ଖଳାକୁ ମୁହୂର୍ତ୍ତକେ ଭାଂଗି ଚୂନା କରିଦିଏ । ପ୍ରକୃତରେ ଏଇ ‘ପରମ ସୁବିଧା’ ନାମଧ୍ୟେୟ ଜିନିଷଟି ସବୁ ଶ୍ରେଣୀ ବିଭାଗକୁ ଓଲଟ ପାଲଟ କରିଦିଏ । ଏଣୁ ଏଇ ଜିନିଷଟିକୁ ତୁମ ଆଗରେ ଉଲ୍ଲେଖ କରିବା ପୂର୍ବରୁ, ମୁଁ ବ୍ୟକ୍ତିଗତ ଭାବରେ ସାଲିସ କରି ନେବାକୁ ଚାହେଁ ଆଉ ସେଇଥିପାଇଁ ସାହସର ସହିତ ଘୋଷଣା କରେ ଯେ, ଏଇ ଯେତେସବୁ ସୁନ୍ଦର, ସୂକ୍ଷ୍ମ ବ୍ୟବସ୍ଥାମାନ, ମଣିଷକୁ ତା’ର ସୁଖ ଓ ଆଗ୍ରହମାନଙ୍କୁ ବୁଝାଇ ଦେବାର ଏଇ ଯେତେସବୁ ତତ୍ତ୍ୱ, ଯାହାକୁ ଲାଗି ପାତି ଅନୁସରଣ କଲେ ମଣିଷମାନେ ସଂଗେ ସଂଗେ ଭଲ ହୋଇଯାଆନ୍ତି, ବିଜ୍ଞ ହୋଇଯାଆନ୍ତି- ଏସବୁ ମୋ ମତରେ ତର୍କ ବିଜ୍ଞାନର କଥା ।

 

ହଁ, ତର୍କର ବ୍ୟାୟାମ ମାତ୍ର । ମଣିଷ ଜାତିର ଅଭ୍ୟୁତ୍‌ଥାନପାଇଁ ନିଜ ସୁଯୋଗକୁ ନିଜେ ଅନୁସରଣ କରିବାର ତତ୍ତ୍ୱକୁ ମାଜିମୁଜି ରଖିବା ମୋ ମତରେ ବକ୍‌ଲେଙ୍କୁ ଅନୁସରଣ କଲା ଭଳି କଥା, ଯିଏ କହିଥିଲେ ଯେ ବର୍ଷ ପରେ ବର୍ଷ ସଭ୍ୟତାର ପ୍ରଗତି ମାଧ୍ୟମରେ ମଣିଷ ଜାତିଟା ଓଦା, ନରମ କାଦୁଅ ମେଞ୍ଚାରେ ପରିଣତ ହୋଇଯାଏ । ଆଉ ପରିଣାମରେ ତା’ର ରକ୍ତପାନର ତୃଷ୍ଣା କମିଯାଏ ଆଉ ଯୁଦ୍ଧପାଇଁ ତା’ର ପୂର୍ବ ସାମର୍ଥ୍ୟ ସେ ହରାଇବସେ । ଯଥାର୍ଥତା ଦୃଷ୍ଟିରୁ ଦେଖିଲେ ବକ୍‌ଲେଙ୍କ ଯୁକ୍ତିରୁ ଏହା ହିଁ ସିଦ୍ଧ ହେଉଛି । ହେଲେ ସାଧାରଣ ଲୋକମାନଙ୍କର ଏଇ ଅନୁଶାସନ ବ୍ୟବସ୍ଥା ଆଉ ବ୍ୟବସ୍ଥାର ଉଦ୍ଭଟ ସିଦ୍ଧାନ୍ତ ପ୍ରତି ଏପରି ଗୋଟାଏ ସ୍ୱତନ୍ତ୍ର ଆନୁଗତ୍ୟ ଓ ପ୍ରୀତି ଅଛି ଯେ ସେମାନେ କେବଳ ନିଜ ତର୍କର ଯଥାର୍ଥତା ପ୍ରମାଣ କରିବାପାଇଁ ଇଚ୍ଛା କରି ସତ୍ୟକୁ ବିକୃତ କରିବାକୁ ପ୍ରସ୍ତୁତ ଥାଆନ୍ତି ଆଉ ଆଖି ଦେଖା ପ୍ରମାଣକୁ ବି ନମାନିବାକୁ ଓ ନିଜ ବିବେକର ବାର୍ତ୍ତାକୁ ଅଗ୍ରାହ୍ୟ କରିବାକୁ ସବୁବେଳେ ଆଗେଇ ଆସନ୍ତି । ଏଇ ଉଦାହରଣଟି ମୁଁ ଦେଉଛି, କାରଣ ଏଇଟି ହେଉଛି ୟାର ସବୁଠାରୁ ଜ୍ୱଳନ୍ତ ଉଦାହରଣ । କେବଳ ନିଜ ଚାରିପଟକୁ ଦେଖ ! ରକ୍ତ ସ୍ରୋତ ହୋଇ ବୋହୁଛି, ଆଉ ସବୁଠାରୁ ଉଲ୍ଲସିତ ରୂପରେ ବୋହୁଛି, ସତେ ଯେମିତି ଏହା ସାମ୍ପେନ୍‌ର ସ୍ରୋତ ! ସେଇମିତି ଲାଗୁଛି ।

 

ସାରା ଉନବିଂଶ ଶତାବ୍ଦୀଟିକୁ ନିଅ ଯେଉଁଥିରେ ବକ୍‌ଲେ ବଞ୍ଚି ରହିଥିଲେ । ନିଅ ନେପୋଲିୟନଙ୍କୁ-ଆଉ ନିଅ ବର୍ତ୍ତମାନର ନେପୋଲିୟନକୁ ବି । ନିଅ ଉତ୍ତର ଆମେରିକାକୁ-ଚିରନ୍ତନ ମିଳନୀର ପ୍ରତୀକ (ଆମେରିକା ଗୃହଯୁଦ୍ଧ ପ୍ରତିବ୍ୟଙ୍ଗ) । ନିଅ ସ୍ଲେସୱିଗ୍ ହଲ୍‌ଷ୍ଟେନ (ଡେନମାର୍କ ବନାମ ଅଷ୍ଟ୍ରିଆ ଓ ପ୍ରୁସିଆ ଯୁଦ୍ଧ, ୧୮୬୩-୬୪)ର ତାମସାକୁ... ତା ହେଲେ ସେ ଜିନିଷଟି କ’ଣ ଯାହାକୁ ଏଇ ସଭ୍ୟତା ନରମ କରିଦେଇଛି? ଆମ ଭିତରେ କୋଉ ଜିନିଷଟିକୁ ନରମେଇ ଦେଇଛି ସଭ୍ୟତା? ମାନବଜାତିପାଇଁ ସଭ୍ୟତାଠାରୁ ମାନବଜାତିର ଏକମାତ୍ର ଲାଭ ଏୟା ହୋଇଛି: ପ୍ରକାର ପ୍ରକାରର ରୋମାଞ୍ଚକ ଶିହରଣପାଇଁ ତାର ସାମର୍ଥ୍ୟର ବୃଦ୍ଧି । ଏହାଠାରୁ ଆଦୌ କିଛି ଅଧିକ ଲାଭ ହୋଇନାହିଁ ।

 

ଆଉ ଏଇ ବହୁମୁଖୀ ବିକାଶ ଜରିଆରେ ମଣିଷ ହୁଏତ ରକ୍ତପାତରେ ବି ସୁଖ ଭୋଗର ସନ୍ଧାନ ପାଇପାରେ । ପ୍ରକୃତରେ ଏହା ଘଟି ବି ଗଲାଣି । ତୁମେ ଗୋଟେ କଥା ଲକ୍ଷ୍ୟ କରିଛ? ଲକ୍ଷ୍ୟ କରିଥିଲେ ଜାଣି ବି ଥିବ ଯେ ସବୁଠାରୁ ଶିକ୍ଷିତ ଲୋକମାନେ ହିଁ ସବୁଠାରୁ ଦକ୍ଷ ହତ୍ୟାକାରୀ-। ଅଥଚ ସେମାନଙ୍କୁ କେହି ଅଙ୍ଗୁଳି ନିର୍ଦ୍ଦେଶ କରି ଦେଖାଇ ଦେଇ ପାରିବ ନାହିଁ- “ଏଇ ସେଇ ଶିକ୍ଷିତ ହତ୍ୟାକାରୀ” । ଏହାର କାରଣ ହେଲା ସେମାନଙ୍କୁ ଆମେ ପ୍ରାୟ ଦେଖୁ ଆଉ ସେମାନେ ଏତେ ସାଧାରଣ, ଆଉ ଆମର ଏତେ ପରିଚିତ ! ତେବେ ସେ ଯାହାହେଉ, କଥାଟା ନିରାଟ ସତ୍ୟ ଯେ ସଭ୍ୟତା ମଣିଷକୁ କେବଳ ଅଧିକ ରକ୍ତ ପିପାସୁ ଯଦି କରି ନାହିଁ, ତେବେ ନିଶ୍ଚୟ ଅଧିକ କଦର୍ଯ୍ୟ ଆଉ ଅଧିକ ଘୃଣ୍ୟ ଭାବରେ ରକ୍ତ ପିପାସୁ କରିଛି ।

 

ପୂର୍ବକାଳରେ ରକ୍ତପାତରେ ସେ ନ୍ୟାୟ ଦେଖୁଥିଲା, ଆଉ ବିବେକାନୁମୋଦିତ ଶାନ୍ତି ସ୍ଥାପନାପାଇଁ ହିଁ ଯେଉଁମାନଙ୍କୁ ହତ୍ୟା କରିବାକୁ ଉପଯୁକ୍ତ ମନେ କରୁଥିଲା, ସେଇମାନଙ୍କୁ ହିଁ କେବଳ ହତ୍ୟା କରୁଥିଲା । ଏବେ ଆମେ ଭାବୁ ରକ୍ତପାତ ଗୋଟାଏ ଘୃଣ୍ୟ ବ୍ୟାପାର ଆଉ ତଥାପି ସେଇ ଘୃଣ୍ୟ ବ୍ୟାପାରମାନଙ୍କରେ ଛନ୍ଦି ହୋଇ ରହୁ ଅଧିକରୁ ଅଧିକ ଶକ୍ତି ଖଟାଇ । କୋଉଟା ବେଶୀ ଖରାପ? ତୁମେ ନିଜେ ଠିକ୍ କର । ସେମାନେ କହନ୍ତି, କ୍ଲିଓପାଟ୍ରା କୁଆଡ଼େ ତାଙ୍କ ଦାସୀମାନଙ୍କ ସ୍ତନରେ ସୁନାର ପିନ୍‌କଣ୍ଟା ଫୋଡ଼ି ସେମାନଙ୍କ କାତର ଯନ୍ତ୍ରଣାକୁ ଉପଭୋଗ କରୁଥିଲେ, ମାନେ ସେ ଚିତ୍କାର ଶୁଣି ଆମୋଦିତ ହେଉଥିଲେ । ତୁମେ କହିବ ଯେ ସେ ସମୟ ଆଜି ତୁଳନାରେ ଥିଲା ଅଧିକ ବର୍ବର ଯୁଗ; ମୁଁ କହୁଚି ଏବେ ବି ବର୍ବର ଯୁଗ ଚାଲିଛି, ତୁଳନାତ୍ମକ ଭାବରେ କହିଲେ ଏବେ ବି ପିନ୍‌କଣ୍ଟା ଫୋଡ଼ା ଚାଲିଛି; ଯଦିଓ ସେ ସମୟର ବର୍ବର ଯୁଗଠାରୁ ଆଜିର ମଣିଷ ଅଧିକ ସ୍ୱଚ୍ଛ ଓ ଅଧିକ ସ୍ପଷ୍ଟ ଭାବରେ ଦେଖିବାକୁ ଆଉ ଯୋଜନା କରିବାକୁ ସମର୍ଥ ହୋଇଛି, ତଥାପି ବି ସେ ତର୍କ ଓ ବିଜ୍ଞାନ ନିର୍ଦ୍ଦେଶ ଦେଉଥିବା ଶିକ୍ଷା ଅନୁସାରେ କାମ କରିବା ଠାରୁ ବହୁତ ପଛରେ ଅଛି । ହେଲେ ଏତେସବୁ କହିଲା ପରେ ବି ତୁମେ ତଥାପି ନିଶ୍ଚିତ ଯେ ମଣିଷ ତା’ର କେତେଗୁଡ଼େ ପୁରୁଣା ବଦଭ୍ୟାସକୁ ଛାଡ଼ିଦେଲେ ଆଉ ସାଧାରଣ ଜ୍ଞାନ-ବିଜ୍ଞାନଦ୍ୱାରା ପୁନଃ ଶିକ୍ଷିତ ହୋଇପାରିଲେ ତା’ର ପିପାସାକୁ ସେ ଗୋଟେ ସ୍ୱାଭାବିକ ଦିଗରେ ବାଗେଇ ବୁଲେଇ ନେଇପାରିବ ଆଉ ସେତେବେଳେ ଆପେ ଆପେ ସବୁ କଥା ସେ ଶିଖିଯିବ ।

 

ପୁଣି ବି ତୁମେ ବିଶ୍ୱାସ କର ଯେ, ସେତେବେଳେ ମଣିଷ ଆଉ ଇଚ୍ଛାକୃତ ଭୁଲ କରିବ ନାହିଁ, ଆଉ କହିବାକୁ ଗଲେ ଗୋଟେ ପ୍ରକାର ନିଜର ସ୍ୱାଭାବିକ ସୁବିଧା ସୁଯୋଗ ବିରୁଦ୍ଧରେ ତା’ର ଇଚ୍ଛା ଶକ୍ତିକୁ ପ୍ରୟୋଗ ନ କରିବାକୁ ବାଧ୍ୟ ହେବ । ସେତିକି ବି ଯଥେଷ୍ଟ ହୁଏନି ଯେ, ତା’ପରେ ତୁମେ କୁହ, ବିଜ୍ଞାନ ନିଜେ କୁଆଡ଼େ ମଣିଷକୁ ଶିଖାଇ ଦେବ ଯେ ମଣିଷର ନିଜର ପ୍ରକୃତରେ କୌଣସି ଚପଳତା ବା ‘ଆବେଗପୂର୍ଣ୍ଣ ଅଭିମତ’ ବୋଲି କିଛି କେବେ ନଥିଲା । ସେ ଗୋଟିଏ ପିଆନୋର ଚାବି ପରି ବା ଯନ୍ତ୍ରର ଗୋଟେ ବନ୍ଦ ସୁଇଚ୍ ପରି । ଏହା ବାଦ ପୁଣି ‘ପ୍ରକୃତିର ନିୟମ’ ନାମକ ଜିନିଷମାନ ଅଛି, କ୍ଷତିପୂରଣପାଇଁ । ତା’ମାନେ ଯେଉଁସବୁ କାମ ସେ କରେ ସେ ସବୁ ସେ ନିଜ ଇଚ୍ଛାରେ କରି ନଥାଏ, ବରଂ ପ୍ରକୃତିର ନିୟମ ଯୋଗୁ କାର୍ଯ୍ୟ-କାରଣ ପଦ୍ଧତିରେ ଆପେ ହୋଇଯାଇଥାଏ । ଫଳସ୍ୱରୂପ ଆମେ କେବଳ ଏଇ ‘ପ୍ରକୃତିର ନିୟମ’ଗୁଡ଼ିକୁ ଆବିଷ୍କାର କରିବା କଥା, ତା’ପରେ ମଣିଷ ଆଉ ତା’ର କାର୍ଯ୍ୟପାଇଁ କାହାକୁ ଉତ୍ତର ଦେବା ଦରକାର ହେବ ନାହିଁ ଓ ଜୀବନ ତା’ପାଇଁ ଅତ୍ୟନ୍ତ ସରଳ ହୋଇଯିବ । ତା’ପରେ ଅବଶ୍ୟ, ମଣିଷର ସବୁ କାମ ଘଟଣା ଓ ତାର କାରଣ ମଧ୍ୟରେ ଥିବା ଅପରିବର୍ତ୍ତନୀୟ ସଂପର୍କ ଅନୁଯାୟୀ ତାଲିକାବଦ୍ଧ ହୋଇଯିବ ଓ ସେସବୁ ଗଣିତ ପରି ଲଘୁ ଗୁଣକୀୟ ଭାବରେ ବା ତା’ଠାରୁ ଆହୁରି ଭଲରେ ହିସାବ ହୋଇପାରିବ--ସେତେବେଳେ କେତେଗୁଡ଼ିଏ ଉତ୍ତମ ଇଚ୍ଛା ପ୍ରସୂତ କାମର ତାଲିକା ହୁଏତ ଶବ୍ଦକୋଷ ବା ଏନ୍‌ସାଇକ୍ଲୋପେଡ଼ିଆ ଆକାରରେ ପ୍ରକାଶିତ ହେବ ଆଉ ଏଥିରେ ସବୁ ଜିନିଷ ଏତେ ସ୍ପଷ୍ଟ ଭାବରେ ଏଭଳି ହିସାବ ହୋଇ ଲିପିବଦ୍ଧ ହୋଇଥିବ ଯେ ପୃଥିବୀରେ ଆଉ କୌଣସି କାମ ବା ରୋମାଞ୍ଚ ବାକି ନଥିବ ।

 

ତା’ପରେ ତୁମେ ଯାହା କହିବ ତାହା ଏତିକି-ନୂଆ ନୂଆ ଆର୍ଥିକ ସଂପର୍କ ପ୍ରତିଷ୍ଠା ହେବ, ଗାଣିତିକ ସଠିକତା ସହ ସବୁକିଛି ପୂର୍ବରୁ ପ୍ରସ୍ତୁତ ହୋଇଥିବ ଆଉ ଗାଣିତିକ ନିର୍ଦ୍ଦିଷ୍ଟତା ନେଇ ନିର୍ଦ୍ଧାରିତ ହୋଇଥିବ, ତା ହେଲେ ସବୁ ସମ୍ଭାବ୍ୟ ପ୍ରଶ୍ନ ଆଖି ପିଛୁଳାକେ ଉଭେଇ ଯିବ, କାରଣ ସବୁ ସମ୍ଭାବ୍ୟ ପ୍ରଶ୍ନର ଉତ୍ତର ବି ଲିପିବଦ୍ଧ ହୋଇରହିଥିବ । ତା’ପରେ ତିଆରି ହେବ ସ୍ଫଟିକର ପ୍ରାସାଦ । ଆଃ, ତା’ପରେ... ପ୍ରକୃତରେ ତାହା ହିଁ ହେବ ଶାନ୍ତି, ଶୃଙ୍ଖଳା ଓ ସମୃଦ୍ଧିର ସୁବର୍ଣ୍ଣ ଯୁଗ । ଏହାର ବି କୌଣସି ନିର୍ଭରୋକ୍ତି ନାହିଁ ଯେ ଏଇ ସ୍ଫଟିକର ପ୍ରାସାଦ ଅତି ମାତ୍ରାରେ ଭୟ ଜଗେଇଲା ଭଳି ଅନାକର୍ଷଣୀୟ ଆଉ ସ୍ଥବିର ଓ ଜଡ଼ ହେବ ନାହିଁ । ତେବେ ଅପର ପକ୍ଷରେ ଜଣକର କ’ଣ ବା କରିବାର ଅଛି, ଯେତେବେଳେ ଏଠି ସବୁ ଜିନିଷ ହେବ ଅସାଧାରଣ ଭାବରେ ଯୁକ୍ତିଯୁକ୍ତ ଓ ସଠିକ-। ସେତେବେଳେ ଅବଶ୍ୟ ଶିହରଣ ଓ ରୋମାଞ୍ଚର ସଂପୂର୍ଣ୍ଣ ଅଭାବରୁ ଜାତ ବିରକ୍ତି ଓ ଶିଥିଳତା ତୁମକୁ ଯାହାକିଛି ବି କରିବାକୁ ପ୍ରବର୍ତ୍ତାଇ ପାରେ । କାରଣ ଏଇ ଉତ୍ତେଜନାର ଅଭାବ ହିଁ ତ ଜଣକୁ ସୁନା-ପିନ୍ ଲୋକଙ୍କ ଦେହରେ ଫୋଡ଼ିବାକୁ ପ୍ରବର୍ତ୍ତାଏ । ତେବେ ସେଥିରେ କିଛି ଯାଏ ଆସେ ନାହିଁ-। କେବଳ ଏତିକି ଖରାପ ଏଥିରେ ଯେ ସେତେବେଳେ ଲୋକମାନେ ସୁନାପିନ୍‌ମାନଙ୍କ ପ୍ରତି ଭାରି କୃତଜ୍ଞ ହେବେ ।

 

ମଣିଷ ମାତ୍ରେଇ ମୂର୍ଖ, ତୁମେ ଜାଣ, ଉଲ୍ଲେଖଯୋଗ୍ୟ ଭାବରେ ମୂର୍ଖ; କିମ୍ବା ହୁଏତ ସେ ଆଦୌ ମୂର୍ଖ ନୁହେଁ, ହେଲେ ସେ ଏତେ ଅକୃତଜ୍ଞ ଯେ ସାରା ସୃଷ୍ଟିରେ ତା ଭଳି ଆଉ ଗୋଟିଏ ଜୀବ ତୁମେ ପାଇବ ନାହିଁ । ଉଦାହରଣସ୍ୱରୂପ, ମୁଁ ଆଦୌ ଆଶ୍ଚର୍ଯ୍ୟ ହେବି ନାହିଁ, ଯଦି ହଠାତ୍ ଶୂନ୍ୟଟାରେ ସାଧାରଣ ସ୍ୱଚ୍ଛଳତା ଭିତରୁ ଜଣେ ନୀଚମନା, କିମ୍ବା ପ୍ରତିକ୍ରିୟାଶୀଳ ବିଦ୍ରୂପକାରୀ ମୁହଁଟିଏ ଉଠେ ଏବଂ ହାତ ଦୁଇଟିକୁ ଛାତିରେ ଛନ୍ଦି ଆମ୍ଭମାନଙ୍କୁ କହେ, “ସୁଧୀବୃନ୍ଦ, ମୁଁ କହେ, ଏଇଠାରେ ଏଇସବୁ ଅଭିନୟକୁ ଲାତ ମାରି, ସମସ୍ତ ତର୍କକୁ ପବନକୁ ଫିଙ୍ଗି ଦେଇ, ଏଇ ଅଙ୍କ କଷାକୁ ନର୍କକୁ ଫୋପାଡ଼ି ଦେଇ, ଆମେ ଆମ ନିଜକୁ ଆଉ ଥରେ ଆମର ସେଇ ମଧୁର, ନିର୍ବୋଧ ଇଚ୍ଛାମାନଙ୍କ ଭିତରେ ବନ୍ଦୀ କରି ବଞ୍ଚିଲେ ଭଲ ହୁଅନ୍ତା ନାହିଁ!” ସେଥିରେ ବି ପୁଣି କାହାର କିଛି ଯିବ ନାହିଁ କି ଆସିବ ନାହିଁ; କିନ୍ତୁ ବିରକ୍ତିର କଥାଟି ଏୟା ହେବ ଯେ ତାକୁ ବି କେତେ ସମର୍ଥକ ସେତେବେଳେ ମିଳିଯିବେ- ଏହା ହିଁ ତ ମଣିଷର ପ୍ରକୃତି--ପୁଣି ଏସବୁ ଅତ୍ୟନ୍ତ ନିର୍ବୋଧ ଯୁକ୍ତିପାଇଁ !

 

ଏହା ଏତେ ନିର୍ବୋଧ ଯେ ଏହାକୁ ଲିପିବଦ୍ଧ କରିବା ବି ଅନାବଶ୍ୟକ । ଏହାର ଅର୍ଥ ଏୟା ଯେ, ପୃଥିବୀ ସାରା ସବୁ ଯାଗାରେ ଓ ସବୁ କାଳରେ ମଣିଷ: ସିଏ ଯିଏ ହେଉନା କାହିଁକି- ସଦା ସର୍ବଦା ନିଜ ମର୍ଜିରେ କାମ କରିବାକୁ ଅଧିକ ପସନ୍ଦ କରିଛି, ତା’ର ତର୍କ ମାନସ ଓ ତା’ର ପାଇଥିବା ସୁଯୋଗର ନିର୍ଦ୍ଦେଶରେ ସେ କିଛି କରେ ନାହିଁ । ଜଣେ ନିଜର ମନ ଆଉ ଆଗ୍ରହ ବିରୁଦ୍ଧରେ ବି କାମ କରିବାକୁ ବାଛି ପାରେ, ଆଉବେଳେବେଳେ ଜଣେ ନିହାତି ଏପରି କରିବା ବି ଉଚିତ । ଜଣକର ନିଜର ମୁକ୍ତ, ଅବଦମିତ କାମନା, ଜଣକର ନିଜର ଚପଳ ଆବେଗ, ତାହା ଯେତେ ବଣ୍ୟ ହେଉ ପଛେ, ଜଣକର ନିଜର ହୃଦୟାବେଗବେଳେବେଳେ ତାକୁ ଭାରି ଉତ୍ତେଜିତ ଆଉ ଉଦ୍ଦାମ କରିପକାଏ । ସେତେବେଳେ ଆମପାଇଁ ସେଇ ଯେଉଁ ସର୍ବାଧିକ ଲାଭଜନକ ସୁବିଧାଟିର କଥା କହୁଛ, ତାହାକୁ ଆମେ ଦେଖି ମଧ୍ୟ ଦେଖେ ନାହିଁ, ଯାହା କୌଣସି ନିର୍ଦ୍ଦିଷ୍ଟ ଶ୍ରେଣୀ ବିଭାଗର ଅନ୍ତର୍ଭୁକ୍ତ ନୁହେଁ, ଆଉ ଯାହା ବିପକ୍ଷରେ ଯେତେସବୁ ବ୍ୟବସ୍ଥା, ଥିଓରୀ ଓ ଫର୍ମୁଲା କ୍ରମାଗତ ଭାଙ୍ଗି ଚୂନା ହୋଇଚାଲିଛି ।

 

ତା ହେଲେ କେମିତି ଏ ବୁଦ୍ଧିମାନମାନେ ଜାଣିଲେ ଯେ ମଣିଷ ଗୋଟାଏ ସ୍ୱାଭାବିକ, ମଙ୍ଗଳମୟ, ପବିତ୍ର ଜୀବନ ବିତାଇବାକୁ ଚାହେଁ? ସେମାନଙ୍କ ମନରେ ଏପରି ଧାରଣା କିପରି ଜନ୍ମ ନେଲା ଯେ ମଣିଷ ନିଶ୍ଚୟ ଗୋଟାଏ ତର୍କଦ୍ୱାରା ପ୍ରମାଣିତ ହୋଇଥିବା ସୁଯୋଗକୁ ବାଛିବାକୁ ଚାହିଁବ? ମଣିଷ ଯାହା ଚାହେଁ ତାହା ସରଳ ଭାଷାରେ ହେଲା: ତା’ର ସ୍ୱାଧୀନତା, ପସନ୍ଦ କରିବାର, ବାଛିବାର ସ୍ୱାଧୀନତା । ସେଇ ସ୍ୱାଧୀନତାପାଇଁ ତାକୁ ଯେତେ ମୂଲ୍ୟ ଦେବାକୁ ପଡ଼ୁ ପଛେ, ଆଉ ତା’ର ପରିଣତି ଯାହା ହେଉ ପଛେ, ତା’ର ସ୍ୱାଧୀନତା ଦରକାର ଚୟନରେ- କୋଉଟା ସେ କରିବ, କ’ଣ ନ କରିବ, ତାହା ତା’ର ପସନ୍ଦ ଅନୁସାରେ ହେବା ସେ ଚାହେଁ । ମଣିଷର ଇଚ୍ଛା ଓ କାମନା ଅବଶ୍ୟ, ... କିଏ ଜାଣେ କ’ଣ ସେ ଇଚ୍ଛା... କ’ଣ ସେ କାମନା... ଭଗବାନ ତ ଜାଣି ନଥିବେ, କେଜାଣି... କ’ଣ ତା ହୋଇପାରେ... କେଜାଣି... ଜାଣିଥିଲେ ଜାଣିଥିବ ସଇତାନ...!

 

(ଆଠ)

 

ହାଃ ! ହାଃ ! ହାଃ ! ତୁମେ ବି ଭଲ କରି ଜାଣ ଯେ ପ୍ରକୃତରେ ଏଇଟା ବେଶୀ ଭଲ ନା ସେଇଟା ବେଶୀ ଭଲ ବୋଲି କିଛି ଏମିତି ବାଛିଲା ପରି ଏଠି ନଥାଏ, ଏତିକି କେବଳ କହିପାର ଯେ ଏତିକି ଭିତରୁ କୋଉଟା ତୁମେ ପସନ୍ଦ କର; ନିଜ ଭିତରେ ନିଜେ ତୁମେ ମନକୁ ମନ କୁହ, “ଏ ଯାବତ୍ ମଣିଷକୁ ବିଶ୍ଳେଷଣ କରି ବିଜ୍ଞାନ ଏୟା ବାହାର କରିଛି ଯେ ଚୟନର ପସନ୍ଦ ଆଉ ଇଚ୍ଛାର ସ୍ୱାଧୀନତା ବୋଲି ଯାହା କୁହାଯାଉଛି, ତାହା ଆଉକିଛି ନୁହେଁ କେବଳ-”

 

ଏଇଠି ଟିକିଏ ରହିଯାଅ ବଂଧୁଗଣ, ମୁଁ ମୋରିଠାରୁ ଆରମ୍ଭ କରିବାକୁ ଚାହୁଁଥିଲି । ମୁଁ ମାନୁଛି ଯେ ମୁଁ ଡରି ଯାଇଥିଲି । ମୁଁ କହିବାକୁ ଯାଉଥିଲି ଯେ କେବଳ ଦୁରାତ୍ମାଟିଏ ଜାଣେ ପସନ୍ଦ ନାମକ ବସ୍ତୁଟି କାହା ଉପରେ ନିର୍ଭର କରେ, ଆଉ ବୋଧହୁଏ ସେଇଟା ବି ଗୋଟେ ଭଲ ଜିନିଷ-ଏଇ ନିର୍ଭର କରିବା, ହେଲେ ବିଜ୍ଞାନର ଶିକ୍ଷାକୁ ମୁଁ ମନେରଖିଛି... ଆଉ ନିଜକୁ ସମ୍ଭାଳି ନେଇଛି । ଏଠି ପୁଣି ସେଇକଥା ତୁମେ ଆରମ୍ଭ କଲଣି । ପ୍ରକୃତରେ, ଯଦି କୋଉଦିନ ଆମକୁ ଭଲ ଲାଗୁଥିବା, ଆମେ ପସନ୍ଦ କରୁଥିବା, ଯେତେସବୁ କାମନା ଓ ଚପଳତାର ଗୋଟାଏ ଫର୍ମୁଲା ଆବିଷ୍କୃତ ହୁଏ- ଅର୍ଥାତ୍ ସେସବୁ କାହା କାହା ଉପରେ ନିର୍ଭର କରନ୍ତି, କେଉଁଥିରୁ ସେମାନଙ୍କ ଆରମ୍ଭ ଆଉ କିପରି ତାହା ବିକାଶ ଲାଭ କରେ, ତା’ର ବିଶ୍ଳେଷଣ ହୋଇଯାଏ, ଆଉ ଜଣକ କ୍ଷେତ୍ରରେ ଭଲ ଲାଗିବାର ଲକ୍ଷ୍ୟ-ବସ୍ତୁଟି କ’ଣ ଅନ୍ୟ ଜଣକ କ୍ଷେତ୍ରରେ ଲକ୍ଷ୍ୟଟି କ’ଣ ଇତ୍ୟାଦିକୁ ନେଇ ଗୋଟାଏ ପ୍ରକୃତ ଗାଣିତିକ ଫର୍ମୁଲା ଯଦି ଆବିଷ୍କୃତ ହୋଇଯାଏ- ତା’ପରେ କ’ଣ ହେବ କହିଲ? ତା’ପରେ ସମ୍ଭବତଃ, ମଣିଷ ହଠାତ୍ ଆଉକିଛି ଇଚ୍ଛା କରି ପାରିବନି, ନିଶ୍ଚୟ, ତାହା ହିଁ ହେବ ମଣିଷର ଅବସ୍ଥା । କାରଣ ନିୟମ କାନୁନ୍ ଫର୍ମୁଲାଦ୍ୱାରା କିଏ ସୁଖ ବାଛିବାକୁ ପସନ୍ଦ କରିବ? ତା ଛଡ଼ା ସେ ହଠାତ୍ ଗୋଟିଏ ଯାନ୍ତ୍ରିକ ଜୀବରେ, ମେସିନ୍‌ରେ ପରିଣତ ହୋଇଯିବ ବା ସେହିପରି କିଛି; କାରଣ କାମନା ବିନା ମଣିଷ କ’ଣ, ମୁକ୍ତ ଇଚ୍ଛା ବିନା ମଣିଷ କ’ଣ, ପସନ୍ଦର ସୁଯୋଗ ବିନା ମଣିଷ କ’ଣ, କେବଳ ଗୋଟାଏ ଯନ୍ତ୍ରର ବନ୍ଦ ସୁଇଚ ଛଡ଼ା? ତୁମେ କ’ଣ ଭାବୁଚ? ଏଥର ଆଲୋଚନା କରାଯାଉ- ଏଭଳି ଗୋଟାଏ ଜିନିଷ ଘଟିବ ନା ଘଟିବ ନାହିଁ?

 

“ହୁଁ ।” ତୁମେ ମନରେ ଭାବିଭାବି ଆଗ ସ୍ଥିର କର ମୁଁ ଯାହା କହୁଛି ଠିକ୍ କି ଭୁଲ୍ । ଏସବୁ ପୂରାପୂରି ଠିକ୍ । କାରଣ ଆମ ପସନ୍ଦ ବୋଲି ଯାହାକୁ ଆମେ ବାଛେ, ତାହା ସାଧାରଣତଃ ଆମ ଚାରିପାଖେ ସହଜରେ ମିଳୁଥିବା ଗୋଟେ ଛଳ-ଦୃଶ୍ୟକୁ ଭ୍ରାନ୍ତି ବଶତଃ ଚୟନ କରିବା ଛଡ଼ା ଆଉକିଛି ନୁହେଁ ।ବେଳେବେଳେ ଆମେ ବିଲ୍‌କୁଲ୍ ଅବାନ୍ତର ଜିନିଷଗୁଡ଼ାକୁ ବି ବାଛି ଥାଉ, କାରଣ ଆମ ବୋକାମୀ ଯୋଗୁ ସେଇ ନିରର୍ଥକ ଭିତରେ ଆମେ ଆମ ତଥାକଥିତ ଶ୍ରେଷ୍ଠତା ହାସଲର ସହଜତମ ବାଟଟି ପାଇଯାଉ । ହେଲେ ସେ ସବୁ ଯେତେବେଳେ କାଗଜ ଉପରେ ହିସାବ ହୋଇ ଲିଖିତ ଆକାରରେ ଆମ ଆଗରେ ପେଶ୍ କରାହେବ (ଯାହା ସଂପୂର୍ଣ୍ଣ ସମ୍ଭବ, କାରଣ ପ୍ରକୃତିର କେତେଗୁଡ଼େ ନିୟମକୁ ମଣିଷ କେବେ ବି ବୁଝିପାରିବ ନାହିଁ, ଏମିତି ଭାବିବା ଗୋଟେ ଘୃଣ୍ୟ, ମୂର୍ଖ କଥା) ସେତେବେଳେ ନିଶ୍ଚିତ ଭାବରେ ଏଇ ତଥାକଥିତ କାମନାମାନଙ୍କର ଆଉ କୌଣସି ସ୍ଥିତି ବା ଗୁରୁତ୍ୱ ରହିବ ନାହିଁ । କାରଣ ଯଦି କାମନା ଆଉ ତର୍କ ଭିତରେ ବିତର୍କ ହୁଏ, ତା ହେଲେ ଦେଖିବ ଆମେ କେବଳ ତର୍କରେ ମାତିବା, କାମନାରେ ନୁହେଁ । କାରଣ ଆମ କାମନାମାନଙ୍କ ଭିତରେ ନିର୍ବୋଧ, ସଂଜ୍ଞାହୀନ ହେବାପାଇଁ ଯେଉଁ ତର୍କ ଦରକାର ଶେଷଯାଏଁ ସେ ତର୍କକୁ ବଞ୍ଚେଇ ରଖିବା ଆମ ପକ୍ଷେ ଅସମ୍ଭବ । ଆମେ ବି ସେପରି ହେଉ ବୋଲି କେବେ ଚାହିଁବା ନାହିଁ । ଆଉ ସେଇ ବିଚାରରୁ ତର୍କ ଓ କାମନା ବିରୁଦ୍ଧରେ ଜାଣିଶୁଣି ଆମେ ଅଭିନୟ କରିବା କେବଳ ନିଜକୁ ଆହତ କରିବାପାଇଁ ।

 

ଆଉ ଯେହେତୁ ସକଳ ପ୍ରକାର ପସନ୍ଦ ଓ ତର୍କ ପ୍ରକୃତରେ ହିସାବ ହୋଇ ପାରିବ- କାରଣ ଦିନେ ନା ଦିନେ ଆମର ଏଇ ତଥାକଥିତ ଉନ୍ମୁକ୍ତ ଇଚ୍ଛାମାନ କେଉଁ କାରଣ ଓ କେଉଁ ନିୟମଦ୍ୱାରା ବଢ଼ି ଉଠୁଛନ୍ତି, ତାହା ଆବିଷ୍କୃତ ହୋଇଯିବ, ଆଉ ତା’ ଫଳରେ ଥଟ୍ଟା ନୁହେଁ, ଦିନେ ହୁଏତ ସେ ସବୁକୁ ନେଇ ପଣିକିଆ ଭଳି ଗୋଟାଏ କିଛି ଫର୍ମୁଲା ବା ସାରଣୀ ବି ତିଆରି ହୋଇଯିବ, ଆଉ ସେତେବେଳେ ଆମେ ବାସ୍ତବରେ ଏହାରି ଅନୁସାରେ ବାଛିବା ଓ ପସନ୍ଦ କରିବା ।

 

ଗୋଟେ ଉଦାହରଣ ଦେଉଚି: ଦିନେ ଯଦି ସେମାନେ ଗୁଣାଗୁଣି କରି ମୋତେ ପ୍ରମାଣ କରିଦିଅନ୍ତି ଯେ, କେବେ ଦିନେ କାହାକୁ ଦେଖି ମୁଁ ନାକ କୁଞ୍ଚେଇ ଥିଲି, କାରଣ ତାକୁ ଦେଖି ମୁଁ ନାକ କୁଞ୍ଚା ବନ୍ଦ କରି ପାରିନଥାନ୍ତି, ଆଉ ମୋର ସେଇ ସ୍ୱତନ୍ତ୍ର ଢଂଗରେ ନାକ କୁଞ୍ଚେଇବା ସେତେବେଳେ ନିହାତି ଦରକାର ଥିଲା, ତାହା ହେଲେ ମୋର ନାକ କୁଞ୍ଚେଇବା ଆଉ ନ କୁଞ୍ଚେଇବା ଭିତରେ କି ସ୍ୱାଧୀନତା ରହିଲା? ମୋର ମୁକ୍ତ ଇଚ୍ଛା ଆଉ ମୁକ୍ତ ହୋଇ ରହିଲା କୋଉଠି? ବିଶେଷ କରି ମୁଁ ଯଦି ଗୋଟାଏ ବିଜ୍ଞ ଲୋକ ଆଉ କୋଉଠୁ କୌଣସି ପ୍ରକାରେ ହାସଲ କରିଥିବା ଗୋଟାଏ ଡିଗ୍ରୀ ମୋ ପାଖରେ ଅଛି, ତା ହେଲେ ମୋର ପସନ୍ଦ ନାପସନ୍ଦର ସ୍ୱାଧୀନତା କାହିଁ? ତା ହେଲେ ତ ମୋର ଆଗାମୀ ତିରିଶ ବର୍ଷର ଜୀବନକାଳକୁ ମୁଁ ଆଗରୁ ହିସାବ କରିଦେବାକୁ ସମର୍ଥ ହୋଇପାରିବି । ସଂକ୍ଷେପରେ: ଏତକ ଯଦି ହୋଇ ପାରିବ ତା ହେଲେ ଆମର ଆଉକିଛି କରିବାକୁ ରହିବ ନାହିଁ; ସେ ଯା ହେଉ, ଆମେ ଏସବୁ ବୁଝିବା ନିହାତି ଦରକାର ।

 

ଆଉ ମଧ୍ୟ ସତ କହିବାକୁ ଗଲେ, ଆମେ ନିଜକୁ ନିଜେ ଲଗାତାର କହିଚାଲିବା ଦରକାର ଯେ, ଅମୁକ ଅମୁକ ସମୟରେ ଓ ଅମୁକ ଅମୁକ ପରିସ୍ଥିତିରେ ପ୍ରକୃତି ଆମର ଅନୁମତି ମାଗେ ନାହିଁ, ଆଉ ସେ ଯେମିତି ଅଛି ସେଇମିତି ତାକୁ ଆମେ ଗ୍ରହଣ କରିବାକୁ ବାଧ୍ୟ, ଏବଂ ଆମ ପସନ୍ଦକୁ ସୁହାଇଲା ପରି ଆମେ ତାକୁ ସଜେଇ ବି ପାରିବା ନାହିଁ । ପୁଣି ପ୍ରକୃତରେ ଯଦି ଆମେ ପ୍ରକୃତିର ନିୟମମାନଙ୍କର ଫର୍ମୁଲା ଓ ସାରଣୀ ସୂତ୍ର ପାଇଯିବାର ଆସ୍ପର୍ଦ୍ଧା ରଖିଥାଏ, ଏପରିକି ପ୍ରାକୃତିକ ରସାୟନିକ ପ୍ରକ୍ରିୟା ବିରୁଦ୍ଧରେ ମୁକାବିଲାର ଭାବନା ବି ଯଦି ଆମର ଥାଏ, ତା ହେଲେ ପ୍ରକୃତିର କ୍ରୁଦ୍ଧ ଉତ୍ତରରୁ ଆମକୁ କେହି ବି ରକ୍ଷା କରି ପାରିବେ ନାହିଁ, ଏ କ୍ରୋଧକୁ ଆମେ ଗ୍ରହଣ କରିବାକୁ ବାଧ୍ୟ, ଆଉ ଗ୍ରହଣ ନ କଲେ ବି ଏସବୁ ଆମ ସମ୍ମତି ବିନା ଗୃହୀତ ହୋଇଯିବ... ।

 

ଓଃ, ରୁହ ରୁହ, ଏଇଠି ମୁଁ ଟିକେ ଥମିଯାଏ ! ଅତି ମାତ୍ରାରେ ଦାର୍ଶନିକ ହୋଇ ପଡ଼ୁଥିବାରୁ ମୋତେ କ୍ଷମା କର ସୁଧୀଜନେ; ଏସବୁ ହେଉଛି ଅଜ୍ଞାତବାସରେ ଚାଳିଶବର୍ଷ ଧରି ଜୀଇଁଥିବା ଅନୁଭୂତିର ପରିଣତି ! ମୋତେ ମୋର କଳ୍ପନା ବିଳାସରେ ମଜ୍ଜିବାକୁ ଦିଅ । ଦେଖ, ଭଦ୍ରଜନେ, ତର୍କ ଯେ ଗୋଟାଏ ଚମତ୍କାର ଜିନିଷ, ଏଥିରେ କୌଣସି ମତଭେଦ ନାହିଁ, ହେଲେ ତର୍କ ତ କେବଳ ତର୍କ ଆଉ ଏହା ମଣିଷ ପ୍ରକୃତିର ଯୁକ୍ତିବାଦୀ ପକ୍ଷଟିକୁ ହିଁ କେବଳ ସନ୍ତୁଷ୍ଟ କରେ; ସେମିତି ଦେଖିବାକୁ ଗଲେ, ଦୁର୍ବାର ଇଚ୍ଛା ହିଁ ମଣିଷର ସମଗ୍ର ଜୀବନକାଳର ରୂପଚ୍ଛବି ଅର୍ଥାତ ମାନବର ସଂପୂର୍ଣ୍ଣ ଜୀବନ ପ୍ରତିଫଳିତ ହୁଏ ତା ଇଚ୍ଛାମାନଙ୍କରେ- ତର୍କ, ମାନସିକ ଉଦ୍ଦୀପନା ଓ ପ୍ରରୋଚନା ଏହି ଇଚ୍ଛାମାନଙ୍କ ସହିତ ମିଶି ରହିଥାନ୍ତି । ଆଉ ଯଦିଓ ଏହାର ଏଇ ପ୍ରତିଫଳନରେ, ଆମ ଜୀବନ ଅଧିକାଂଶବେଳେ ମୂଲ୍ୟହୀନ, ତଥାପି ଏହା ହିଁ ଜୀବନ ଆଉ ଏହା ନୁହେଁ ସରଳ ବର୍ଗମୂଳ ବାହାର କରିବା । ଏଇଠି ଦେଖ, ମୁଁ, ଉଦାହରଣସ୍ୱରୂପ, ବଞ୍ଚି ରହିବାକୁ ଚାହେଁ, ମୋ ଜୀବନର ସମସ୍ତ ସାମର୍ଥ୍ୟକୁ ସନ୍ତୁଷ୍ଟ କରିବାକୁ, ଏ ଇଚ୍ଛା ସରଳ ଭାବରେ ମୋର ତର୍କ -ସାମର୍ଥ୍ୟ ନୁହେଁ ।

 

କାରଣ ମୋ ଜୀବନ ସାମର୍ଥ୍ୟର କୋଡ଼ିଏ ଭାଗରୁ ଭାଗେ ସହିତ ବି ମୋର ତର୍କର ସାମର୍ଥ୍ୟ ସମାନ ନୁହେଁ । ତର୍କ ଜାଣେ କ’ଣ? ତର୍କ ସେତିକି କେବଳ ଜାଣେ ଯେତିକି ବିହି ପଢ଼ାରୁ ପାଇଛି । (ଏପରି କେତେ ଜିନିଷ ଅଛି ଯାହା କେବେ ଶିକ୍ଷାରୁ ମିଳେ ନାହିଁ; ଆଉ ତର୍କ କେବେ ବି ଜାଣି ପାରିବ ନାହିଁ, ହୋଇପାରେ ଏହା ନିମ୍ନ ଧରଣର ଗୋଟେ ବିଳାସ, ହେଲେ ଖୋଲାଖୋଲି ଏକଥା କହିବା ନାହିଁ କାହିଁକି?) ଆଉ ରହିଲା ମଣିଷର ପ୍ରକୃତିର କଥା, ଯେତେ ଯାହା ସାମର୍ଥ୍ୟ ତା ଭିତରେ ଅଛି, ସେ ସବୁକୁ ନେଇ ଗୋଟେ ପ୍ରକାର ପୂର୍ଣ୍ଣ ରୂପରେ ସେ କାମ କରେ, ଆଉ ଜାଣତରେ ହେଉ କି ଅଜାଣତରେ ହେଉ, ଯଦି ଭୁଲ ବାଟରେ ବି ଚାଲିଯାଏ, ତଥାପି ଏହା (ପ୍ରକୃତି) ବଞ୍ଚିରହେ । ମୁଁ ସନ୍ଦେହ କରୁଛି, ଭଦ୍ରମଣ୍ଡଳୀ, ତୁମେ ମୋତେ ଦୟା ଦୃଷ୍ଟିରେ ଦେଖୁଛ; ପୁଣି ମୋତେ କହୁଛ ଯେ ଗୋଟାଏ ବିଜ୍ଞ, ବିକଶିତ ବ୍ୟକ୍ତି, ସଂକ୍ଷେପରେ, ଭବିଷ୍ୟତର ବ୍ୟକ୍ତିଟି ଯେମିତି ହେବ, କେବେ ବି ସଚେତନ ଭାବରେ ତା ନିଜପାଇଁ ଅପ୍ରୀତିକର କିଛି କାମନା କରିପାରିବ ନାହିଁ, ଯାହା ଗାଣିତିକ ହିସାବ ନିକାଶଦ୍ୱାରା ପ୍ରମାଣ ହୋଇପାରିବ ।

 

ମୁଁ ଏଥିରେ ସଂପୂର୍ଣ୍ଣ ରାଜି, ଏହା ହୋଇପାରିବ- ଗଣିତ ସାହାଯ୍ୟରେ । ହେଲେ ମୁଁ ପୁଣି ଶହେ ଏକ ଥରପାଇଁ ପୁନରାବୃତ୍ତି କରୁଛି ଯେ, ଏପରି କେବଳ ଗୋଟିଏ ବିଚାର କ୍ଷେତ୍ର ଅଛି, କେବଳ ଗୋଟିଏ, ଯୋଉଠି ମଣିଷ ଜାଣିଶୁଣି, ସଚେତନ ଭାବରେ, ଉଦ୍ଦେଶ୍ୟମୂଳକ ଭାବରେ କାମନା କରିପାରେ, ଯାହା ତା ନିଜପାଇଁ କ୍ଷତିକାରକ, ଯାହା ଅତି ମାତ୍ରାରେ ତା’ର ମୂର୍ଖାମୀର ପରିଚାୟକ-ଆଉ ଏସବୁ ସେ ଚାହେଁ କେବଳ ନିଜ କାମନାର ଅଧିକାରକୁ ସାବ୍ୟସ୍ତ କରିବାକୁ । ଅର୍ଥାତ୍ ତାର କାମନା କରିବାର ପୂର୍ଣ୍ଣ ସ୍ୱାଧୀନତା ଅଛି ଦେଖାଇବାକୁ । ତା ହୋଇଥାଉ ପଛେ ମୂର୍ଖତା, କିନ୍ତୁ ଯାହା ସବୁ କେବଳ ବୁଦ୍ଧିମାନ କାମ ସେତିକି ଇଚ୍ଛା କରି ସେ କୌଣସି କୃତଜ୍ଞତାର ସୀମାରେ ନିଜକୁ ଆବଦ୍ଧ କରିବାକୁ ଚାହେଁ ନାହିଁ । ଅବଶ୍ୟ, ଏଇ ମୂର୍ଖ ଜିନିଷଟି, ଆମର ଏଇ ଚପଳ ଆବେଗ, ପାଗଳ ଚିନ୍ତାଟି, ବାସ୍ତବରେ ଆମପାଇଁ, ପୃଥିବୀର ଅନ୍ୟ ଯେକୌଣସି ଜିନିଷଠାରୁ ଅଧିକ ସୁବିଧାଜନକ ବି ହୋଇପାରେ, ବିଶେଷ କରି କେତେ ନିର୍ଦ୍ଦିଷ୍ଟ ଲୋକଙ୍କ କ୍ଷେତ୍ରରେ ।

 

ଆଉ ଆମର କେତେଗୁଡ଼ିଏ ନିର୍ଦ୍ଦିଷ୍ଟ କ୍ଷତି କରୁଥିଲାବେଳେ ବି ଏହା ଯେ କୌଣସି ସୁଯୋଗଠାରୁ ଅଧିକ ସୁବିଧାଜନକ ତଥା ଲାଭଦାୟକ ବି ଆମପାଇଁ ହୋଇପାରେ, ଆଉ ଆମ ମନଭିତରେ ସୁବିଧାକୁ ନେଇ ଉଠିଥିବା ତର୍କ ଝଡ଼ର ସର୍ବୋଚ୍ଚ ସିଦ୍ଧାନ୍ତକୁ ବିରୋଧ ବି କରିପାରେ- କାରଣ ଯେ କୌଣସି ପରିସ୍ଥିତିରେ ବି ଏହା ଆମପାଇଁ ଯାହା ସବୁଠାରୁ ମୂଲ୍ୟବାନ ଆଉ ସବୁଠାରୁ ଦରକାରୀ ତାହାକୁ ଠିକ୍ ସୁରକ୍ଷିତ କରି ରଖିଥାଏ- ତାହା ହେଉଛି ଆମର ବ୍ୟକ୍ତିତ୍ୱ, ଆମର ବ୍ୟକ୍ତିସତ୍ତା । କେତେକ କହନ୍ତି ଯେ, ଏହା ହିଁ ମାନବ ଜାତିପାଇଁ ସବୁଠାରୁ ମୂଲ୍ୟବାନ ଜିନିଷ; ଆଉ ପସନ୍ଦ ବି (ଅବଶ୍ୟ ଯଦି ଚାହେଁ) ତର୍କ ସହିତ ସହାବସ୍ଥାନ କରିପାରେ; ଆଉ ବିଶେଷ କରି ଯଦି ଏହାର ଅସଦ୍ ବ୍ୟବହାର ନ ହୁଏ ଓ ଏହା ଯଦି ସୀମା ଭିତରେ ରହେ, ତା ହେଲେ ତର୍କ ସହିତ ଏକତ୍ର ରହିବାରେ ଏହାର କୌଣସି ଅସୁବିଧା ନାହିଁ । ଏଭଳି ହେବାଟା ମଣିଷପାଇଁ ଢେର ଲାଭଜନକ ଆଉ ପ୍ରଶଂସାଯୋଗ୍ୟ ବି ହୋଇପାରେ । ହେଲେବେଳେବେଳେ ଏପରିକି ଅଧିକାଂଶବେଳେ ଏଇ ପସନ୍ଦ ଜିନିଷଟି ଅତି ନିର୍ମମ ଭାବରେ ତର୍କର ପୂରାପୂରି ବିରୋଧୀ ହୋଇଥାଏ... ଆଉ... ଆଉ ଜାଣିଛ କି ନାହିଁ ଯେ ତାହା ମଧ୍ୟ ବେଶ ଲାଭଜନକ ହୋଇଥାଏ, ଏପରିକିବେଳେବେଳେ ପ୍ରଶଂସାର ଯୋଗ୍ୟ ବି?

 

ସୁଧୀମଣ୍ଡଳୀ, ଧରାଯାଉ ଯେ ମଣିଷ ଆଦୌ ମୂର୍ଖ ନୁହେଁ । (ପ୍ରକୃତରେ, ଏଭଳି ଧାରଣା ମନକୁ କେବଳ ଗୋଟିଏ ବିଚାରରୁ ଆସେ ଯେ ମଣିଷ ଯଦି ମୂର୍ଖ ତା ହେଲେ ବୁଦ୍ଧିମାନ କିଏ?) ତେବେ ଯଦି ସେ ମୂର୍ଖ ନୁହେଁ, ତା ହେଲେ ସେ ଅତିମାତ୍ରାରେ କୃତଘ୍ନ । କାରଣ ଦେଖାଯାଇଛି ଯେ ମଣିଷ ଆଖିଦୃଶିଆଭାବେ କୃତଘ୍ନ ପୁଣି ବିନା କାରଣରେ ! ମୋର ତ ବିଶ୍ୱାସ ଯେ ମଣିଷର ସର୍ବଶ୍ରେଷ୍ଠ ସଂଜ୍ଞା ହେଉଛି; ମଣିଷ ଗୋଟିଏ ଦିଗୋଡ଼ିଆ କୃତଘ୍ନ ଜୀବ । ହେଲେ ସେତିକି କେବଳ ନୁହେଁ, ସେତିକି କେବଳ ତା’ର ସବୁଠାରୁ ବଡ଼ ଦୋଷ ନୁହେଁ; ତାର ସବୁଠାରୁ ବଡ଼ ଦୋଷ ହେଉଛି ତା’ର ନିରନ୍ତର ନୈତିକ ଅବକ୍ଷୟ । ଶାଶ୍ୱତ-ସୃଷ୍ଟିର ଆରମ୍ଭରୁ, ଗଂଗା ନଦୀରେ ଜଳଧାରର ସୃଷ୍ଟି ଦିନଠାରୁ ଆରମ୍ଭ ହୋଇଛି ତା’ର କ୍ରମିକ ନୈତିକ ଅବକ୍ଷୟ ଆଉ ତାହାର ପରିଣତି: ସତ୍‌ଚେତନାର ଅଭାବ; କାରଣ ନୈତିକ ଅବକ୍ଷୟ ହେଲେ ସତ-ଚିନ୍ତାର ଅଭାବ ଦେଖାଦିଏ ବୋଲି ବହୁକାଳୁ ଗୃହୀତ ହୋଇ ଆସୁଛି । ପରୀକ୍ଷା କରିବାପାଇଁ ମାନବଜାତିର ଇତିହାସ ଉପରେ ଆଖି ବୁଲେଇ ଆଣ । କ’ଣ ତୁମେ ଦେଖିବ? ମାଳମାଳ ଉଦାହରଣ । ସୀମା ନାହିଁ ତା’ର । ଏ ଦୃଶ୍ୟ ଭାରି ଚମତ୍କାର ନା? ସଂକ୍ଷେପରେ, ଯଦି ପୃଥିବୀର ଇତିହାସ ଉପରେ ଆଖି ବୁଲାଅ ତ ଦେଖିବ ରଂଗ ରଂଗର ମଣିଷ, ୟୁନିଫର୍ମ ପିନ୍ଧା ମଣିଷ (ସୈନିକ), ବିନା ୟୁନିଫର୍ମର ସାଧାରଣ ମଣିଷ, ସବୁ ବୟସର ମଣିଷ ସବୁଠି ଯୁଦ୍ଧରତ, ସମସ୍ତେ । ଆଗରୁ ଯୁଦ୍ଧ କରୁଥିଲେ । ଏବେ ବି କରୁଛନ୍ତି, କାରଣ କିଛି ନାହିଁ, କେବଳ ନୈତିକ ବିକୃତି । ଜଣେ ଏଠି ଯାହା ଇଚ୍ଛା ତାହା କରିପାରେ- ଅତ୍ୟନ୍ତ ବିଶୃଙ୍ଖଳିତ କଳ୍ପନା ଭିତରକୁ ଯାହା ଆସି ପାରିଲା । ହେଲେ ଜଣେ କଦାପି ଏତିକି ତ କହିପାରିବ ନାହିଁ ଯେ ଏହା ଯୁକ୍ତିସମ୍ମତ ଓ ଯଥାର୍ଥ ।

 

‘ଯଥାର୍ଥ’ ଶବ୍ଦଟି ଏଠାରେ ତା ତଣ୍ଟିରେ ଲାଗିବ । ସତେରେ, ଏଇ ଅଦ୍ଭୁତ ନୈତିକ ଅବକ୍ଷୟ ନିରବିଚ୍ଛିନ୍ନ ଭାବରେ ଘଟି ଚାଲିଛି: ଜୀବନକାଳ ଭିତରେ ସବୁବେଳେ ନୀତିବାଦୀ ଓ ଯଥାର୍ଥବାଦୀ ଯଥା - ମୁନିଋଷି ଓ ମାନବବାଦୀ ଦେଖା ଦିଅନ୍ତି । ସେମାନେ ସାରା ଜୀବନ ଯେତେଦୂର ସମ୍ଭବ ନୈତିକତା ଓ ଯଥାର୍ଥତା ଭିତରେ ବଞ୍ଚିଥାନ୍ତି । ସେମାନେ ତାଙ୍କ ପଡ଼ୋଶୀମାନଙ୍କୁ ଦେଖାଇ ଦେବାକୁ ଚାହାନ୍ତି ଯେ ଏଇ ପୃଥିବୀରେ ନୈତିକ ଓ ଯୁକ୍ତିସମ୍ମତ ସମ୍ବଳକୁ ନେଇ ବଂଚିବା ସମ୍ଭବ । ତଥାପି ଆମେମାନେ ସମସ୍ତେ ଜାଣୁ ଯେ ସେଇ ସେଇ ନିର୍ଦ୍ଦିଷ୍ଟ ଲୋକମାନେ ଶୀଘ୍ର ହେଉ ବା ବିଳମ୍ବରେ ହେଉ ନିଜ ପାଖରେ ନିଜେ ମିଥ୍ୟାଚାରୀ ହୋଇ ଯାଆନ୍ତି. ଅନ୍ୟମାନେ ଜମା ଦେଖିପାରୁ ନଥିବା ଏକ ପ୍ରକାର ଅଦ୍ଭୁତ ଯାଦୁଖେଳ ସେମାନେ ଦେଖାଉ ଥାଆନ୍ତି ।

 

ଏବେ ମୋର ଆପଣଙ୍କୁ ଗୋଟିଏ ପ୍ରଶ୍ନ: ଯେହେତୁ ମଣିଷ ଏଭଳି ଅଦ୍ଭୁତ ଗୁଣରେ ଭୂଷିତ ହୋଇଛି, ତା ହେଲେ ତାଠାରୁ କ’ଣ ଆଶା କରାଯିବ? ତା ଉପରେ ସମସ୍ତ ପାର୍ଥିବ ଆଶୀର୍ବାଦ ଅଜାଡ଼ି ଦିଅ, ତାକୁ ସୁଖର ସାଗରରେ ଏପରି ଡୁବାଇ ଦିଅ ଯେପରି ଉପରକୁ ଆଶୀଷର ପାଣିଫୋଟକା ଛଡ଼ା ଆଉକିଛି ଦେଖାଯିବ ନାର୍ହିଁ; ତାକୁ ଆର୍ଥିକ ସ୍ୱଚ୍ଛଳତା ଏପରି ଦିଅ, ଯେପରି ତା’ର କେବଳ ଶୋଇବା, ଗରିଷ୍ଠ ଖାଦ୍ୟ ଖାଇବା ଓ ତା’ରି ଭଳି ଅନ୍ୟମାନଙ୍କ ସହ ଗପ କରିବା ଛଡ଼ା ଆଉକିଛି କରିବାକୁ ଦରକାର ପଡ଼ୁ ନଥିବ, ଆଉ ତଥାପି ବି କେବଳ ଅକୃତଜ୍ଞ ଗୁଣ ଯୋଗୁ, କେବଳ ଇର୍ଷା ଯୋଗୁ, କୃତଘ୍ନତା ଯୋଗୁ ମଣିଷ କେତେକ ଅତି କଦର୍ଯ୍ୟ କାମ କରି ବସିବ ।

 

ଏପରି କି ସେ ତା’ର ସୁନ୍ଦର ଖାଦ୍ୟ ବଦଳରେ ଜାଣି ଜାଣି ଗର୍ହିତ ଅଖାଦ୍ୟ ଭକ୍ଷଣ କରିବ, ଅତ୍ୟନ୍ତ ଉଦ୍ଭଟ ଦାରିଦ୍ର‌୍ୟ ଭିତରେ ଜୀଇବାକୁ ଚାହିଁବ । ହେଲେ ସେ ଏପରି ଚାହିଁବ କାହିଁକି? କେବଳ ଏଇଥିପାଇଁ ଚାହିଁବ ଯେ, ତା ଭିତରେ ଯେଉଁ ଧ୍ୱଂସକାରୀ ଚମତ୍କାର କୃତଘ୍ନ ସତ୍ତାଟି ରହିଛି ତାହାକୁ ତା’ର ସମସ୍ତ ଶୁଭଜ୍ଞାନ ସାଥିରେ ପରିଚିତ କରାଇବାପାଇଁ । ଏହା ହିଁ ହେଉଛି ତା’ର ମନ ଗହନର ଚମତ୍କାର ସ୍ୱପ୍ନମାନ, ତା’ର ବିକୃତ ଦୋଷାବଳୀ ଯାହାକୁ ନିଜ ଭିତରେ ସେ ସବୁବେଳେ ରଖିବାକୁ ଚାହେଁ ।

 

ଏମିତି ସେ ଚାହେଁ କାହିଁକି? କେବଳ ନିଜ ପାଖରେ ନିଜେ ପ୍ରମାଣ କରିବାକୁ ଯେ, ମଣିଷ ତଥାପି କେବଳ ମଣିଷ - ସେ ନୁହେଁ ଗୋଟେ ପିଆନୋର ଚାବି ଫଳକ, ଯାହାକୁ ପ୍ରକୃତିର ନିୟମମାନ ଏହିପରି ସଂପୂର୍ଣ୍ଣ ଭାବରେ କବଳିତ କରିନେବାକୁ ଡରାଉଥାଏ । ଏପରି ଡରାଉଥାଏ ଯେପରି ଖୁବ୍‍ଶୀଘ୍ର ଜଣେ ଆଉକିଛି ବି କାମନା କରିବାକୁ ସମର୍ଥ ହେବ ନାହିଁ କେବଳ ଦିନ, ମାସ, ଋତୁ କ୍ରମରେ ଦିନ ବିତେଇବା ଛଡ଼ା ।

 

ପୁଣି ସେତିକି ବି ସବୁକିଛି ନୁହେଁ... ଯଦି ବା ପ୍ରକୃତରେ ମଣିଷ ଗୋଟାଏ ପିଆନୋର ଚାବି ବ୍ୟତିରେକେ ଆଉକିଛି ନୁହେଁ, ଏହା ଯଦି ବା ତାକୁ ପ୍ରକୃତି, ବିଜ୍ଞାନ ଓ ଗଣିତଦ୍ୱାରା ବୁଝାଇ ଦିଆଯାଏ, ତଥାପି ବି ସେ ଯଥାର୍ଥ ମଣିଷଟିଏ ହୋଇ ପାରିବ ନାହିଁ, ବଦଳରେ କେବଳ ଅକୃତଜ୍ଞ ଗୁଣରୁ ଗୁଡ଼ାଏ ବିକୃତ କାମ କରି ବସିବ, କେବଳ ନିଜ କଥାଟା ପ୍ରମାଣ କରିବାକୁ । ଆଉ ଏଇ କଦର୍ଯ୍ୟ କାମ ସପକ୍ଷରେ ସେ ଯଦି ସମର୍ଥନ ଖୋଜି ନପାଏ, ତା ହେଲେ ଗୁଡ଼ାଏ ଧ୍ୱଂସ କରି ପକାଇ ଗୋଟେ ବିବାଦୀୟ ପରିସ୍ଥିତି ସୃଷ୍ଟି କରିବ, ଯାବତ୍ ଯନ୍ତ୍ରଣା ନିଜପାଇଁ ଡାକି ଆଣିବ, ଆଉ ଏ ସବୁ ସେ କରିବ କେବଳ ଏତିକି ପ୍ରମାଣ କରିବାକୁ ଯେ ସେ ଯାହା କରୁଛି ଠିକ୍ କରୁଛି । ଆପଣା ଯୁକ୍ତିଟା ଠିକ୍ ବୋଲି ଦେଖେଇବାକୁ !

 

ତା’ପରେ ସାରା ପୃଥିବୀ ଉପରେ ସେ ଆମନ୍ତ୍ରଣ କରି ଆଣିବ ଯାବତ ଅଭିଶାପ, ଯେମିତି ମଣିଷମାନେ ଅଭିଶାପ ଦିଅନ୍ତି, (କାରଣ ଏହା ମଣିଷର ସ୍ୱାତନ୍ତ୍ର‌୍ୟ, ଅନ୍ୟ ପ୍ରାଣୀଠାରୁ ମଣିଷର ପ୍ରାଥମିକ ଭିନ୍ନତା) କାଳେ କେବଳ ନିଜର ଅଭିଶାପଦ୍ୱାରା ସେ ତାର ଚାହୁଁଥିବା ବସ୍ତୁକୁ ପାଇବା ହୁଏତ ସଂଭବ ହୋଇଯିବ ପରା ! ଅର୍ଥାତ, ନିଜକୁ ନିଜେ ଏହାଦ୍ୱାରା ବିଶ୍ୱାସ ଦିଏ ଯେ ସେ ହେଉଛି ଗୋଟାଏ ମଣିଷ, ନୁହେଁ ଗୋଟାଏ ପିଆନୋର ଚାବି ! ତୁମେ ପୁଣି ଯଦି କୁହ ଯେ ଏ ସବୁ ବି ଗଣାଗଣି ହୋଇ, ସୂତ୍ରବଦ୍ଧ ହୋଇ, ହିସାବ ହୋଇ ଶୃଙ୍ଖଳିତ ଭାବରେ ଲିପିବଦ୍ଧ ହୋଇ ପାରିବ; ଏଇ ଯେତେ ସବୁ ବିଶୃଙ୍ଖଳା, ଅନ୍ଧକାର ଓ ଅଭିଶାପ, ଘଟିବାର ବହୁପୂର୍ବରୁ, କେବଳ ୟାର ହିସାବ ନିକାଶର ସମ୍ଭାବନା ହିଁ ଏହାକୁ ବନ୍ଦ କରିଦେବ । ପୁଣି ତର୍କ ନିଜେ ଏହା ଭିତରକୁ ନିଜର ଅଧିକାର ସାବ୍ୟସ୍ତ କରିବାକୁ ପୁନର୍ବାର ପଶି ଆସିବ, ଫଳରେ ମଣିଷ ଜାଣି ଜାଣି, ଉଦ୍ଦେଶ୍ୟମୂଳକ ଭାବରେ ଏହି ତର୍କ ଗୋଳରୁ ରକ୍ଷା ପାଇବାପାଇଁ ଓ ନିଜ କଥାଟିକୁ (ଯେ ସେ ଗୋଟେ ମଣିଷ) ସବୁରି ଉପରେ ସାବ୍ୟସ୍ତ କରିବାପାଇଁ ପାଗଳ ହୋଇଯିବ !

 

ମୁଁ ଏଥିରେ ବିଶ୍ୱାସ କରେ, ଆଉ ସେଇଥିପାଇଁ ଏହାର ଉତ୍ତର ଦିଏ, କାରଣ ମଣିଷର ସମସ୍ତ କାର୍ଯ୍ୟ ଆଉକିଛି ନୁହେଁ, କେବଳ ଗୋଟିଏ କଥାକୁ ପ୍ରତି ମୁହୂର୍ତ୍ତରେ ନିଜ ସାମ୍ନାରେ ପ୍ରମାଣ କରିବାର ପ୍ରଚେଷ୍ଟା । ସେ କଥାଟି ହେଉଛି ଏୟା ଯେ, ସେ ଗୋଟିଏ ମଣିଷ, ପିଆନୋର ଚାବି ନୁହେଁ । ଏଇ କଥାଟିକୁ ପ୍ରମାଣ କରିବାକୁ ତାକୁ ତା’ର ଜୀବନ ଦେବାକୁ ପଡ଼ିପାରେ ବା ଅନ୍ୟର ଜୀବନ ନେବାକୁ ପଡ଼ିପାରେ - ଯାଏ ଆସେ ନାହିଁ କିଛି ।

 

କଥାଟା ଯଦି ଏପରି, ତା ହେଲେ ଆମେ କ’ଣ ଖୁସି ହେବା ଉଚିତ ନୁହେଁ କି ଯେ, ଏହା ଏ ଯାଏଁ ସଫଳ ହୋଇ ନାହିଁ, ଆଉ ଆମ କାମନାମାନ ତଥାପି ଏପରି ବସ୍ତୁଗୁଡ଼ିକ ଉପରେ ନିର୍ଭରଶୀଳ ହୋଇ ରହିଛନ୍ତି, ଯାହାକୁ ଆମେ ଜାଣିନାହୁଁ?

 

ହୁଏତ ତୁମେମାନେ ମୋତେ କାମୁଡ଼ି ଗୋଡ଼ାଇ କହିବ ଯେ କେହି ତ ମୋର ମୁକ୍ତ ଇଚ୍ଛାକୁ ଛୁଉଁ ନାହାନ୍ତି, ସମସ୍ତେ କେବଳ ଗୋଟିଏ କଥାପାଇଁ ଚିନ୍ତିତ ଯେ ମୋ ଇଚ୍ଛା କେବଳ ମୋରି ଇଚ୍ଛା ହୋଇ ରହୁ, ମୋରି ମୁକ୍ତ ଇଚ୍ଛାର ଇଲାକା ଭିତରେ ରହୁ, ମୋର ସ୍ୱାଭାବିକ ସ୍ୱାର୍ଥ ଓ ଆବେଗମାନଙ୍କ ସହ ମେଳଖାଉ ଆଉ ମିଳିଯାଉ ପ୍ରକୃତିର ନିୟମ ସହିତ ଓ ପଡ଼ିଯାଉ ଗାଣିତିକ ଫର୍ମୂଲାରେ ।

 

ହେ ଭଗବାନ, ସଜ୍ଜନ ମଣ୍ଡଳୀ, ଯେତେବେଳେ ହିସାବ ଓ ଗଣିତ ପାଖକୁ ଆମେ ଆସୁଛେ, ଦୁଇ ଦୁଗୁଣେ ଚାରି କରି ହିସାବ କରୁଛେ, ସେତେବେଳେ ମଣିଷର ଆଉ କି ପ୍ରକାର ମୁକ୍ତ ଇଚ୍ଛା ବଳକା ରହିପାରେ? ମୋ ଇଚ୍ଛା ବିନା ବି ଦୁଇଦୁଗୁଣେ ଚାରି ହୁଏ । ସତେ ଯେମିତି ମୁକ୍ତ ଇଚ୍ଛା ମାନେ ସେୟା!

 

(ନଅ)

 

ବନ୍ଧୂଗଣ, ମୁଁ କେବଳ ଥଟ୍ଟା କରୁଥିଲି । ମୁଁ ଜାଣେ ମୋ ଟାପରା ମାନ ଆଦୌ ଉଚ୍ଚକୋଟୀର ନୁହେଁ କିମ୍ବା ବୌଦ୍ଧିକତାରେ ବି ଭରା ନୁହେଁ । ହେଲେ ତୁମେମାନେ ଜାଣ ସବୁ ଜିନିଷକୁ ଜଣେ କୌତୁକରେ ନେଇପାରେ ନାହିଁ । ମୁଁ ବି ବୋଧହୁଏ ପରିହାସ କଲାବେଳେ ଭିତରେ ଭିତରେ ଦାନ୍ତ କଡ଼ମଡ଼ କରୁଥାଏ, ନିଜ ଭିତରେ ନିଜେ କେତେ କେତେ ପ୍ରଶ୍ନରେ ଜର୍ଜରିତ ହେଉଥାଏ; ସେଗୁଡ଼ିକର ଉତ୍ତର ମୋତେ ଦିଅ । ଉଦାହରଣସ୍ୱରୂପ, ତୁମେ ଲୋକମାନଙ୍କୁ ସେମାନଙ୍କ ପୁରୁଣା ଅଭ୍ୟାସରୁ ମୁକୁଳେଇବାକୁ ଚାହୁଁଛ, ବିଜ୍ଞାନ ଆଉ ସୁଜ୍ଞାନରେ ଦୀକ୍ଷିତ କରାଇ ସେମାନଙ୍କ ଇଚ୍ଛା ଶକ୍ତିରେ ସଂସ୍କାର ଆଣିବାକୁ ଚାହୁଁଛ, ହେଲେ ତୁମେ କିମିତି ଜାଣିଲ ଯେ, ସେଇ ଗୋଟିଏ ଉପାୟରେ ଗୋଟାଏ ଲୋକକୁ ସଂସ୍କାର କରିବା ସମ୍ଭବ ଆଉ ଉଚିତ ବୋଲି? ଆହୁରି ସଂକ୍ଷେପରେ କିମିତି ତୁମେ ଜାଣିଲ ଯେ ମଣିଷର ଇଚ୍ଛାମାନ ସଂସ୍କାର ଦରକାର କରନ୍ତି ବୋଲି? ପୁଣି କିମିତି ଜାଣିଲ ଯେ ଏଭଳି ସଂସ୍କାର ମଣିଷପାଇଁ ଉପକାରୀ?

 

କଥାଟାର ମୂଳକୁ ଗଲେ ଆମେ ପଚାରିବା: ତୁମେ ଏତେ ଦୃଢ଼ ଭାବରେ କିମିତି ଧରି ନେଇଛ ଯେ ତା’ର ପ୍ରକୃତ ସ୍ୱାଭାବିକ ଆବେଗମାନ ଗଣିତ ଭଳି ଗଣାଗଣି ହୋଇ ଯୁକ୍ତିର ସିଦ୍ଧାନ୍ତ ଉପରେ ନିର୍ଦ୍ଧାରିତ ହେଲେ ତାହା ନିଶ୍ଚୟ ସବୁବେଳେ ମଣିଷପାଇଁ ସୁବିଧାଜନକ ହେବ? ଆଉ ସବୁବେଳେ ନିଶ୍ଚୟ ମଣିଷ ଜାତିପାଇଁ ଏଇଟା ଗୋଟାଏ ଉତ୍କୃଷ୍ଟ ନିୟମ ହେବ? ତୁମେ ଏକଥା ବି ଭଲ କରି ଜାଣ ଯେ, ଏସବୁ କେବଳ ତୁମର ଅନୁମାନ ମାତ୍ର । କାରଣ ମଣିଷର ଆବେଗ ସବୁ ରହସ୍ୟମୟ । ଏହା ତର୍କର ନିୟମ ହୋଇପାରେ, ହେଲେ ମାନବ ପ୍ରକୃତିର ନିୟମ ନୁହେଁ । ତୁମେ ବୋଧେ ମୋତେ ପାଗଳ ବୋଲି ଭାବୁଥିବ, ହେଲେ ମୋ ସପକ୍ଷରେ ମୋତେ କିଛି କହିବାକୁ ଦିଅ-। ମୁଁ ମାନୁଛି ଯେ ମଣିଷ ମୁଖ୍ୟତଃ ଗୋଟିଏ ଉତ୍କୃଷ୍ଟ ସ୍ରଷ୍ଟାଜାତୀୟ ଜୀବ, ସଚେତନ ଭାବରେ ଗୋଟିଏ ଲକ୍ଷ୍ୟ ହାସଲପାଇଁ ସଂଗ୍ରାମ କରିବା ତା ଭାଗ୍ୟରେ ଆଗରୁ ଲେଖା ହୋଇଛି, ଆଉ ସେଇ କାମରେ ନିଜକୁ ଅହର୍ନିଶି ବ୍ୟସ୍ତ ରଖିବା ତା କପାଳ ଲିଖନ- ଯଥା - ପ୍ରକଳ୍ପ: ସବୁବେଳେ ଲଗାତାର ନୂଆ ନୂଆ ବାଟ ତିଆରି କରିବା, ସେ ବାଟ ଯୋଉଠିକି ଯାଉ ଥାଉ ପଛେ । ହେଲେ ନିଜ ତିଆରି ପଥରୁବେଳେବେଳେ ବିଚ୍ୟୁତ ହେବାକୁ ବି ମଣିଷ ଚାହେଁ, ହେଲେ କାହିଁକି? ବୋଧେ ଏଇ କାରଣରୁ ଯେ ବାଟ ତିଆରିର ଭାଗ୍ୟ ପୂର୍ବରୁ ସେ ଧରି ଆସିଛି ବୋଲି, ଆଉ ଗୋଟେ କାରଣ ବି ହୋଇପାରେ ଯେ ଏ ଯାଏ ସଂସାରର ବାସ୍ତବବାଦୀ ସିଧାସିଧା ମଣିଷଟି ଯେତେ ମୂର୍ଖ ହେଉ ପଛେ, ଏଇ ଚିନ୍ତାଟା ତା ମନକୁବେଳେବେଳେ ଅବଶ୍ୟ ଆସିବ ଯେ ଏ ବାଟ ମାନ କୋଉଠି ନା କୋଉଠି ତ ନିଶ୍ଚୟ ଯାଇ ପହଞ୍ଚୁଥିବ । ଆଉ ଯୋଉ ଲକ୍ଷ୍ୟସ୍ଥଳକୁ ଏହା ଯାଉଥିବ ମନେହୁଏ ଏଇ ବାଟ ବନେଇବା ପ୍ରକ୍ରିୟା ଅପେକ୍ଷା ଲକ୍ଷ୍ୟ କମ୍ ମୂଲ୍ୟବାନ୍ । ଅସଲ କଥାଟି ହେଉଛି ଆମ ପୃଥିବୀର ଚରିତ୍ରବାନ ଶିଶୁମାନଙ୍କୁ ଏଇ ଜଟିଳ ‘ବାଟ ତିଆରି’ କୌଶଳକୁ ଘୃଣା କରିବାରୁ ଦୂରେଇ ରଖିବା, ଆଉ ପରିଣାମତଃ ଡାକି ଆଣିବା ମୃତ୍ୟୁ ତୁଲ୍ୟ ଆଳସ୍ୟକୁ । ଅଉ ଆଳସ୍ୟ ଯେ ସବୁ ଦୁଷ୍କୃତିର ମାତା ଏ କଥା କିଏ ନ ଜାଣେ? ମଣିଷ ଯେ ବାଟ ତିଆରି କରିବାକୁ ଓ ସୃଷ୍ଟି କରିବାକୁ ଭଲପାଏ, ଏଥିରେ କୌଣସି ସଂଦେହ ନାହିଁ । ହେଲେ ତା’ର ଧ୍ୱଂସ ଓ ବିଶୃଙ୍ଖଳାପାଇଁ ବି କାହିଁକି ଏତେ ଆବେଗଭରା ପ୍ରେମ ଅଛି? କୁହ ମୋତେ, କର୍ମ ନାମରେ ବିଷବୃକ୍ଷ ରୋପଣ ଓ ଉତ୍ପାଟନ ସେ କରିଚାଲିଥାଏ କାହିଁକି? ମୋତେ ଏତିକି ଆଗ ବୁଝେଇ ଦେଲ! ୟାରି ଉତ୍ତରରେ ମୁଁ ଦିପଦ କହୁଚି ।

 

ଏମିତି ବି କ’ଣ ହୋଇପାରେ ନା ଯେ ସେ ବିଶୃଙ୍ଖଳା ଓ ଧ୍ୱଂସକୁ ଭଲପାଏ? (ବେଳେବେଳେ ଏହାକୁ ସେ ଯେ ଭଲ ପାଏ ଏଥିରେ ତ ଦ୍ୱିମତ ନାହିଁ ।) କାରଣ ସେ ପ୍ରବୃତ୍ତିଗତ ଭାବରେ ଲକ୍ଷ୍ୟ ସ୍ଥଳରେ ପହଞ୍ଚି ଯିବାକୁ ଆଉ ଯେଉଁ ମୀନାର ତିଆରି କରୁଥାଏ, ତାହାର ସଂପୂର୍ଣ୍ଣତାକୁ ଭୟ କରୁଥାଏ କି? କିଏ ଜାଣେ, ହୁଏତ ସେ ସେଇ ସୃଷ୍ଟିର ସଂପୂର୍ଣ୍ଣତାକୁ ଦୂରରୁ ଭଲ ପାଉଥିବ ଆଉ ପାଖରୁ ଦେଖିବାକୁ କେବେ ବି ଚାହୁଁ ନଥିବ; ସଂଭବତଃ ଏହାକୁ କେବଳ ତିଆରି କରି ଚାଲିବାକୁ ସେ ଚାହୁଁଥିବ, ଏହା ଭିତରେ ରହିବାକୁ କେବେ ବି ଚାହୁଁ ନଥିବ, ବରଂ ଏହା ସଂପୂର୍ଣ୍ଣ ହେବା ପରେ ଏହାଠାରୁ ଦୂରକୁ ପଳାଇ ଯିବାକୁ ଚାହୁଁଥିବ- ଏଥିରେ ଅନ୍ୟ ନ୍ୟୂନତର ଜୀବ ରହିବେ ବେଲେି, ଯଥା ପିମ୍ପୁଡ଼ି, ମେଣ୍ଢା ପରି ଜୀବମାନେ । ଏବେ ଦେଖ ପିମ୍ପୁଡ଼ିମାନଙ୍କ ରୁଚି ସଂପୂର୍ଣ୍ଣ ଭିନ୍ନ । ସେମାନେ ଏପରି ଚମତ୍କାର ସୌଧ ନିର୍ମାଣ କରନ୍ତି ଯେ ତାହା ଚିରକାଳପାଇଁ ଅକ୍ଷୁର୍ଣ୍ଣ ରହେ ଯଥା: ପିମ୍ପୁଡ଼ି ଗଦା ।

 

ଏଇ ପିମ୍ପୁଡ଼ି ଗଦା ସହ ପିମ୍ପୁଡ଼ିମାନଙ୍କର ସମ୍ମାନଜନକ ବଂଶ ବୃଦ୍ଧି ଆରମ୍ଭ ହୁଏ ଓ ପିମ୍ପୁଡ଼ି ଗଦାଟି ସହ ସେମାନେ ସମ୍ଭବତଃ ଶେଷ ବି ହୁଅନ୍ତି । ଏହି ଗଦାଟି ହିଁ ସେମାନଙ୍କ କଠିଣ ପରିଶ୍ରମ ଓ ସଦ୍‌ବୁଦ୍ଧିର ସର୍ବଶ୍ରେଷ୍ଠ ନମୂନା । ହେଲେ ମଣିଷ ଗୋଟାଏ ଚଞ୍ଚଳ ଆଉ ବିଶୃଙ୍ଖଳିତ ଜୀବ, ଆଉ ବୋଧହୁଏ ଗୋଟାଏ ଚେସ୍ ଖେଳାଳୀ ପରି ସେ, ଖେଳର ପଦ୍ଧତିକୁ ହିଁ କେବଳ ଭଲପାଏ, ଏହାର ଶେଷ ସେ ଚାହେଁ ନାହିଁ । ଆଉ କିଏ ଜାଣେ (ନିଶ୍ଚିତ ବୋଲି କିଛି ନାହିଁ ଏଠି) ମଣିଷର ସବୁ ପାଇବାର ଏଇ ନିରବିଚ୍ଛିନ୍ନ ପ୍ରଚେଷ୍ଟା ହିଁ ବୋଧେ ପୃଥିବୀ ଉପରେ ମଣିଷର ଏକମାତ୍ର ଲକ୍ଷ୍ୟ । ଅନ୍ୟ ଭାଷାରେ, ତା’ର ଲକ୍ଷ୍ୟ ହୁଏତ ସ୍ୱୟଂ ଜୀବନ, କିନ୍ତୁ ଜୀବନରୁ କ’ଣ ପାଉଛି ତାହା ତା’ପାଇଁ ଅର୍ଥହୀନ । ପାଇବାଗୁଡ଼ିକୁ ତ ଗୋଟାଏ ଫର୍ମୁଲା ପରି ପ୍ରକାଶ କରାଯାଇ ପାରେ, ଦୁଇ ଦୁଗୁଣେ ଚାରି ପରି ଏହା ସୁନିଶ୍ଚିତ, ଏ ନିର୍ଦ୍ଦିଷ୍ଟତା କିନ୍ତୁ ଜୀବନ ନୁହେଁ ଭଦ୍ରଜନେ, ପରନ୍ତୁ ଏହା ମୃତ୍ୟୁର ଆରମ୍ଭ ମାତ୍ର । ସେ ଯା’ ହେଉ ଏହା ନିଶ୍ଚୟ ଯେ, ମଣିଷ ସବୁବେଳେ ଏଇ ଗାଣିତିକ ନିଶ୍ଚିତତାକୁ ଡରି ଆସିଛି, ଆଉ ମୁଁ ବି ବର୍ତ୍ତମାନ ଏହାକୁ ଡରୁଛି ।

 

ହେଲା ଏବେ, ମଣିଷ କେବଳ ଏଇ ପାଇବାର ଗାଣିତିକ ନିଶ୍ଚିତତାକୁ ଖୋଜିବା ଛଡ଼ା ଆଉକିଛି କରି ନାହିଁ, ସେ ସମୁଦ୍ର ପାର ହୋଇପାରେ, ପର୍ବତାରୋହଣର ରୋମାଞ୍ଚ ଯାତ୍ରାରେ ଜୀବନ ଦେଇପାରେ । ହେଲେ ସଫଳ ହେବାକୁ ସେ ଭୟକରେ । କାହିଁକି? ପ୍ରକୃତରେ ସେ ସବୁର ଅନ୍ତିମ ରହସ୍ୟ ଖୋଜି ବାହାର କରିବାକୁ ସେ ଭୟ କରେ । ମୋତେ ବିଶ୍ୱାସ କର, ସେ ଅନୁଭବ କରେ ଯେ ଯେତେବେଳେ ସେ ସବୁ ପାଇଯିବ, ସେତେବେଳେ ତ ଆଉକିଛି ଖୋଜିବାକୁ ତା’ପାଇଁ ବାକି ରହିବ ନାହିଁ । ମୂଲିଆମାନେ ତାଙ୍କ କାମ କରି ସାରିଲା ପରେ ନିଜ ମୂଲଟିମାନ ଅନ୍ତତଃ ପାଇଯାଆନ୍ତି, ତା’ପରେ ସେମାନେ ପାନଶାଳାକୁ ଯାଆନ୍ତି, ସେଠାରୁ ସେମାନଙ୍କୁ ପୁଲିସ ନେଇଯାଏ - ଆଉ କାରାଗାରରେ ହପ୍ତାକର କାମ ମିଳିଯାଏ ତାଙ୍କୁ ।

 

କିନ୍ତୁ ମଣିଷଟିଏ କୋଉଠିକି ଯିବ? ତେବେ ମଣିଷ ଯେତେବେଳେ ଯେତେବେଳେ ଏହିପରି କିଛି ପାଇ ଯାଏ, ରହସ୍ୟର କୋଉ ଗୋଟେ କବାଟ ଯେତେବେଳେ ତା’ପାଇଁ ଫିଟିଯାଏ, ସେତେବେଳେ ତାର ଗୋଟାଏ ନିର୍ଦ୍ଦିଷ୍ଟ ଅସ୍ୱଚ୍ଛନ୍ଦ ଅନୁଭବକୁ ଜଣେ ବେଶ୍ ଲକ୍ଷ୍ୟ କରିପାରେ । ସେ କିଛି ହାସଲ କରିବାର ପନ୍ଥାଟିକୁ ଯେପରି ଭଲପାଏ, ଲକ୍ଷ୍ୟ ପୂରଣଟିକୁ ସେପରି ଭଲ ପାଇ ପାରେନାହିଁ, ଏହା ଗୋଟାଏ ଅତି ବିଚିତ୍ର କଥା । ସତ କହିବାକୁ ଗଲେ, ମଣିଷ ମାତ୍ରେଇ ଗୋଟାଏ ଗୋଟାଏ ଜୋକର; ଏସବୁଥିରେ ଗୋଟେ ପ୍ରକାର ପରିହାସ ଯେମିତି ସବୁଠି ଅଛି । ତଥାପି ଗାଣିତିକ ନିଶ୍ଚିତତା, ଯାହା ହେଲେ ବି, ଏପରି ଗୋଟାଏ ଔଦ୍ଧତ୍ୟ ଯାହାକୁ ସହିବା ମୁସ୍କିଲ । ଦୁଇ ଦୁଗୁଣେ ଚାରି ମୋତେ ଲାଗେ ଗୋଟେ ଅସହ୍ୟ ଉଗ୍ରତା ପରି । ଏହି ଦୁଇ ଦୁଗୁଣେ ଚାରି ଯେମିତି ଗୋଟାଏ ଅପଦାର୍ଥ ପରି ଛାତି ଉପରେ ହାତ ଛନ୍ଦି ତୁମର ପଥରୋଧ କରି ଠିଆ ହୋଇ ମୁହଁ ଉପରେ ତୁମର ଛେପ ପକାଉଛି । ମୁଁ ମାନୁଛି ଯେ ଦୁଇ ଦୁଗୁଣେ ଚାରି ଗୋଟାଏ ଚମତ୍କାର ଜିନିଷ, ହେଲେ ଆମେ ସବୁ ଜିନିଷକୁ ଯଦି ତା’ର ଉଚିତ ପ୍ରାପ୍ୟ ଦେବା ଉଚିତ, ତା ହେଲେ ଦୁଇ ଦୁଗୁଣେ ପାଞ୍ଚ ହେବାଟା ବିବେଳେବେଳେ ସେଇମିତି ରମଣୀୟ ଜିନିଷଟିଏ ହୋଇଯିବ ।

 

ଆଉ ତୁମେମାନେ କାହିଁକି ଏତେ ବିଜୟୋଲ୍ଲାସରେ ଦୃଢ଼ ନିଶ୍ଚିତ ଯେ, କେବଳ ଯାହା ସ୍ୱାଭାବିକ, ଯାହା ସକାରାତ୍ମକ ଅର୍ଥାତ ଯାହା ସବୁ ମଣିଷର ମଂଗଳପାଇଁ ସହାୟକ- ସେଇସବୁ ମଣିଷପାଇଁ ସୁବିଧାଜନକ ହୋଇଥିବ ବୋଲି? ସୁବିଧାର ମାନେ କ’ଣ? ତର୍କ ଯେତେବେଳେ ଭ୍ରମ ଭିତରେ ପଡ଼ିଯାଏ, ଆମେ ତାକୁ ସୁବିଧାର ନାମ ଦିଏ ନାହିଁକି? ମଣିଷ କ’ଣ ତାର ସ୍ୱାଚ୍ଛନ୍ଦ୍ୟର ବାହାରେ ଆଉ କେତେ କେତେ ଜିନିଷକୁ ଭଲପାଏ ନାହିଁ କି? ସଂଭବତଃ ସେ ସେହି ସମାନ ଭାବରେ ଯନ୍ତ୍ରଣାକୁ ବି ଭଲପାଏ? ସଂଭବତଃ ଯନ୍ତ୍ରଣା ବି ତା’ପାଇଁ ସ୍ୱଚ୍ଛନ୍ଦତା ପରି ଉପକାରୀ? ମଣିଷବେଳେବେଳେ ଅସାଧାରଣ ଆବେଗରେ ଯନ୍ତ୍ରଣାକୁ ଭଲପାଏ, ଏକଥା ଏକାନ୍ତ ସତ୍ୟ । ଏହାକୁ ପ୍ରମାଣ କରିବାକୁ ବିଶ୍ୱ ଇତିହାସଆଡ଼କୁ ଅନାଇବା ଦରକାର ନାହିଁ; କେବଳ ନିଜକୁ ପଚାର, ତୁମେ ଯଦି ଜଣେ ମଣିଷ ଆଉ ଜୀବନକୁ ଯଦି କିଛିଟା ବଞ୍ଚୁ ଥାଅ ତୁମରି ଭିତରେ ୟାର ଉତ୍ତର ଅଛି । ମୋ ବ୍ୟକ୍ତିଗତ ମତରେ, କେବଳ ସ୍ୱାଚ୍ଛନ୍ଦ୍ୟପାଇଁ ଯତ୍ନଶୀଳ ହେବାଟା ନିଶ୍ଚିତ ଭାବରେ ଗୋଟେ ପ୍ରକାର ଅଶିକ୍ଷା । ଭଲ ହେଉ ବା ମନ୍ଦ ହେଉ, ଜିନିଷ ଭଂଗାଭଂଗି କରିବା କାମ ବିବେଳେବେଳେ ବହୁତ ସୁଖ ଦିଏ । ଏହାଦ୍ୱାରା ମୁଁ ଯନ୍ତ୍ରଣା ସପକ୍ଷରେ ଅବା ସ୍ୱାଚ୍ଛନ୍ଦ୍ୟ ସପକ୍ଷରେ କହୁନାହିଁ । କେବଳ ଏତିକି କହୁଛି ଯେ... ମୋ ଚିତ୍ତ ଅବ୍ୟବସ୍ଥିତ ଆଉ ଚପଳ, ଆଉ ଦରକାରବେଳେ ଯାହା ହୋଇଗଲେ ବି ଏହା ମୋ ପାଖରେ ନିଶ୍ଚୟ ରହିବ- ଏଇ ହେଉଛି ମୋର ପରିଚୟ ।

ଉଦାହରଣସ୍ୱରୂପ, ମୁଁ ଜାଣେ ଯେ ଆମୋଦ-ପ୍ରମୋଦ ସ୍ଥଳୀରେ ଯନ୍ତ୍ରଣା ଗୋଟାଏ ବାହ୍ୟ ବସ୍ତୁ, ତାର ସ୍ଥାନ ସେଠି ନାହିଁ । ଆଉ ସ୍ଫଟିକ ପ୍ରାସାଦରେ ତ ଏହା ଭାବି ବି ହୁଏନି; କାରଣ ଯନ୍ତ୍ରଣାର ଅର୍ଥ ସନ୍ଦେହ, ନାସ୍ତିବାଚକ ଭାବନା, ଆଉ ସ୍ଫଟିକ ପ୍ରାସାଦ କି କାମକୁ ଯଦି ତାକୁ ନେଇ ସନ୍ଦେହ ଉପୁଜିଲା? ତଥାପି ମୁଁ ଭାବେ ମଣିଷ ଜାଣି ଜାଣି କେବେ ବି ପ୍ରକୃତ ଯନ୍ତ୍ରଣାକୁ ତ୍ୟାଗ କରିପାରିବନି, ଅର୍ଥାତ୍ ଧ୍ୱଂସ ଓ ବିଶୃଙ୍ଖଳାକୁ । ଯନ୍ତ୍ରଣା ହିଁ ତ ସମସ୍ତ ସଚେତନତାର ମୂଳ ଆତ୍ମା । ଯଦିଓ ପ୍ରାରମ୍ଭରୁ ମୁଁ ଏକଥା କହିଛି ଯେ ସଚେତନତା ହେଉଛି ମଣିଷର ସବୁଠାରୁ ବଡ଼ ଦୁର୍ଭାଗ୍ୟ, ତଥାପି ମୁଁ ଜାଣେ ମଣିଷ ଏହାକୁ ପ୍ରଶଂସା କରେ, ଆଉ କୌଣସି ସନ୍ତୋଷପାଇଁ ବି ଏହାକୁ ସେ ତ୍ୟାଗ କରିବ ନାହିଁ ।

 

ସଚେତନତା, ଉଦାହରଣସ୍ୱରୂପ, ଦୁଇ ଦୁଗୁଣେ ଚାରି ଭଳି ପୂର୍ବରୁ ସ୍ଥିର ସିଦ୍ଧାନ୍ତଠାରୁ ନିଶ୍ଚୟ ମହତ୍ତର । ଥରେ ତୁମେ ଗାଣିତିକ ନିଶ୍ଚିତତା ଓ ତାହାର ସୂତ୍ରଗୁଡ଼ିକୁ ପାଇଯାଅ, ତା’ପରେ ଆଉକିଛି କରିବାକୁ ବା ବୁଝିବାକୁ ତୁମର ବାକି ନଥାଏ । କେବଳ ପଞ୍ଚେନ୍ଦ୍ରିୟ ଠୁଳ କରି କାମରେ ଲାଗିଯିବା କଥା ସେଇ ସୂତ୍ର ଧାରାରେ । ଆଉ ଯେତେବେଳେ ତୁମେ ସଚେତନତାକୁ ଯାବୁଡ଼ି ଧର, ସେଇ ସମାନ ଫଳ ବି ତୁମେ ପାଅ, ଆଉ ସେଠି ବି କିଛି କରିବାକୁ ନଥାଏ, ହେଲେ ସଚେତନତା କ୍ଷେତ୍ରରେ ତୁମେ ଅତି କମ୍‌ରେବେଳେବେଳେ ନିଜକୁ କୋରଡ଼ା ମାଡ଼ ତ ଦିଅ, ଆଉ ତାହା ପୁଣିଥରେ ତୁମ ଦେହରେ ଜୀବନୀର ସଂଚାର କରିଦିଏ । ପ୍ରତିକ୍ରିୟାଶୀଳ ହେବାଟା ଏମିତିରେ ବି ଜମା କିଛି ନ ହେବାଠୁ ଭଲ ନୁହେଁ କି?

 

Unknown

(ଦଶ)

 

ତୁମେ ଏମିତି ଗୋଟିଏ ସ୍ଫଟିକ ପ୍ରାସାଦ ଉପରେ ଆସ୍ଥା ରଖିଛ, ଯାହା ନଷ୍ଟ ହେବ ନାହିଁ- ଏପରି ଗୋଟାଏ ପ୍ରାସାଦ ଯାହାକୁ କେହି କେବେ ଜିଭ ଲମ୍ବେଇ ନାକକୁଞ୍ଚେଇ ଲୁଚେଇ ଲୁଚେଇ ପରିହାସ ବି କରିପାରିବ ନାହିଁ । ଥଟ୍ଟାରେ ବି ନୁହେଁ । ସେଇଥିଯୋଗୁ କେବଳ ଏ ମନୋରମ ଚାରୁକଳାକୁ ମୁଁ ଭୟକରେ, ଭୟକରେ କାରଣ ଏ ପ୍ରାସାଦ ସ୍ଫଟିକର ଯାହା କେବେ ନଷ୍ଟ ହେବ ନାହିଁ, ଯାହାକୁ କେହି କେବେ ଜିଭ ଲମ୍ବେଇ ନାକ କୁଞ୍ଚେଇ ପରିହାସ ବି କରିବ ନାହିଁ ।

 

ଦେଖ, ଏହା ଯଦି ଗୋଟେ ପ୍ରାସାଦ ନ ହୋଇ ଗୋଟେ କୁକୁଡ଼ା ଭାଡ଼ି ହୋଇଥାନ୍ତା, ଆଉ ବର୍ଷାରୁ ରକ୍ଷା ପାଇବାକୁ ଗୁରୁଣ୍ଡି ଗୁରୁଣ୍ଡି ୟା ଭିତରକୁ ମୁଁ ପଶିଥାନ୍ତି, ତଥାପି ବି ମୋତେ ବର୍ଷାରୁ ରକ୍ଷା କରିଥିବାର କୃତଜ୍ଞତାବୋଧରୁ ଗୋଟେ କୁକୁଡ଼ା ଭାଡ଼ିକୁ ମୁଁ କେବେ ପ୍ରାସାଦ ବୋଲି କହନ୍ତି ନାହିଁ । ତୁମେ ହସି ଦେଇ କହିପାର ହଁ, ଏଭଳି ପରିସ୍ଥିତିରେ ଗୋଟେ କୁକୁଡ଼ା ଭାଡ଼ି ବି ଗୋଟେ ପ୍ରାସାଦ ପରି ଭଲ । ମୋର ଉତ୍ତର ହେଉଛି, ହଁ, ଜଣେ ଯଦି କେବଳ ବର୍ଷାରୁ ରକ୍ଷା ପାଇବାପାଇଁ ବଞ୍ଚୁଥାଏ ।

 

ହେଲେ କ’ଣ କରାଯିବ ଯଦି ମୋ ମୁଣ୍ଡ ଭିତରେ ଏ କଥାଟା ପଶିଯାଇଛି ଯେ ସେତିକି କେବଳ ଜୀଇଁବାର ଲକ୍ଷ୍ୟ ନୁହେଁ, ଆଉ ଜଣେ ଯଦି ଜାଣେ ଯେ ଜୀଇଁବାଟା ସୁନିଶ୍ଚିତ ତା ହେଲେ ବରଂ ପ୍ରାସାଦରେ ଜୀଇଁବା ଭଲ । ସେଇଟା ମୋର ପସନ୍ଦ, ମୋର ଇଚ୍ଛା । ତୁମେ ଯେତେବେଳେ ମୋର ପସନ୍ଦ ନାପସନ୍ଦକୁ ବଦଳାଇ ଦେବ, ସେତିକିବେଳେ କେବଳ ଏହାକୁ, ନିଶ୍ଚିହ୍ନ କରିଦେଇ ପାର । ଠିକ୍ ଅଛି, ବଦଳାଇ ଦିଅ ଏହାକୁ, ଦିଅ ମତେ ଅନ୍ୟ କିଛି ବିକଳ୍ପ ଆଦର୍ଶ ଜିନିଷ, ଚମତ୍କୃତ କର ମୋତେ ୟା ବଦଳରେ ଆଉକିଛି ସୁନ୍ଦର ବସ୍ତୁ ଦେଖାଇ । ହେଲେ ୟା ମଝିରେ ଗୋଟାଏ ପ୍ରାସାଦ ବଦଳରେ ଗୋଟାଏ କୁକୁଡ଼ା ଭାଡ଼ି ମୁଁ ନେବି ନାହିଁ । ସ୍ଫଟିକର ପ୍ରାସାଦ ହୋଇପାରେ ଗୋଟେ ନିରର୍ଥ ସ୍ୱପ୍ନ ବିଳାସ, ହୋଇପାରେ ପ୍ରକୃତିର ନିୟମ ଅନୁସାରେ ଅଳୀକ ବସ୍ତୁଟିଏ, ହୋଇପାରେ ଏହାକୁ ମୁଁ କେବଳ ମୋର ମୂର୍ଖତା ମାଧ୍ୟମରେ ସୃଷ୍ଟି କରିଛି, ମୋ ପୀଢ଼ିର ଯେତେ ସବୁ ପୁରୁଣାକାଳିଆ ଅଯୌକ୍ତିକ ଅଭ୍ୟାସ ଯୋଗୁ ହୁଏତ ତିଆରି କରିଛି ।

 

ତ କ’ଣ ହେଲା ସେଇଠୁ? ଏହା ଅଳୀକ ହେଲେ ମୋର କ’ଣ ଅଛି ସେଥିରେ? ମୋ ଇଚ୍ଛା ଭିତରେ ଏହା ଯେ ପର୍ଯ୍ୟନ୍ତ ଅଛି ଏହା ଅଳୀକ ବା ଶାଶ୍ୱତ ହେବାରେ ପାର୍ଥକ୍ୟ କ’ଣ ଅଛି? ବରଂ ଏହା କହିପାର ଯେ ମୋ ଇଚ୍ଛା ଯେ ଯାଏଁ ବଞ୍ଚିଛି ସେ ପର୍ଯ୍ୟନ୍ତ ଇୟେ ବି ବଞ୍ଚିଛି । ତୁମେ ବୋଧେ ପୁଣି ହସିବାକୁ ଆରମ୍ଭ କରୁଛ? ହସ, କିନ୍ତୁ ମୁଁ ପଛେ ଏ ଟାପରା, ଏ ପରିହାସକୁ ସହିବି, ହେଲେ ପେଟରେ ଭୋକ ରଖି ହେକୁଡ଼ି ମାରିବାର ଛଳନା କରିବି ନାହିଁ । କେବେ ହେଲେ ସାଲିସ୍ କରିବି ନାହିଁ ବାରମ୍ବାର ଜନ୍ମ ନେଉଥିବା ଗୋଟାଏ ‘ଶୂନ୍ୟ’ ସହିତ, କାରଣ ମୁଁ ଜାଣେ ପାର୍ଥିବ ନିୟମ ବ୍ୟବସ୍ଥାରେ ଏଇ ‘ଶୂନ’ଟି ସବୁବେଳେ ସମାନ, ସ୍ଥିର ଓ ନିଶ୍ଚିତ ହୋଇ ରହିଛି ଆଉ ପ୍ରକୃତରେ ଏହାର ନିର୍ଦ୍ଦିଷ୍ଟ ଗୋଟେ ସ୍ଥିତି ବି ଅଛି ।

 

ମୋ ଇଚ୍ଛାମାନଙ୍କର ମୁକୁଟରୂପେ ମୁଁ କେବେ ବି ଗ୍ରହଣ କରିପାରିବି ନାହିଁ ସେଇ ଗରିବ ଭଡ଼ାଟିଆ ଭର୍ତ୍ତି କୋଠାମାନଙ୍କରୁ ଗୋଟାଏ ଫ୍ଲାଟ୍‌ର ହଜାର ବର୍ଷର ଲିଜ୍‌କୁ ଆଉ ସେଠି ଝୁଲୁଥିବା ଗୋଟାଏ ଦାନ୍ତ ଡାକ୍ତରର ସାଇନବୋର୍ଡ଼କୁ । ଧ୍ୱଂସ କରିଦିଅ ମୋର ଇଚ୍ଛାମାନଙ୍କୁ, ନିଶ୍ଚିହ୍ନ କରିଦିଅ ମୋର ଆଦର୍ଶକୁ, ଦେଖାଇଦିଅ ମୋତେ ୟା’ଠାରୁ ଆଉକିଛି ଅଧିକ ଭଲ, ମୁଁ ତୁମରି ବାଟରେ ତୁମରି କଥା ମାନି ଚାଲିବି । ତୁମେ ହୁଏତ କହିପାର, ଏଇ ସାମାନ୍ୟ କଥାପାଇଁ ଏତେ ଝିନ୍‌ଝଟରେ ପଶିବା ଦରକାର ନାହିଁ । ସେଭଳି ହେଲେ ମୁଁ ବି ତୁମକୁ ଉତ୍ତର ଦେଇପାରେ, ଆମେ କେତେ ଗମ୍ଭୀର ଭାବରେ କେତେ ସିରିୟସ କଥା ଆଲୋଚନା କରୁଚେ; ହେଲେ ମୋ କଥା ଶୁଣିବାର ଛଳନା ବି ଯଦି ତୁମେ କରିପାରୁ ନାହଁ, ତା ହେଲେ ମୁଁ ବି ତୁମକୁ ଚିହ୍ନିବାକୁ ମନା କରିଦେଇ ପାରେ, ମୁଁ ବି ଫେରିଯାଇ ପାରେ ମୋର ମାଟିତଳ ଘରକୁ, ମୋର ଅଜ୍ଞାତବାସକୁ, ଲୋକଲୋଚନରୁ ଦୂରକୁ ।

 

ହେଲେ ଯେ ଯାଏଁ ମୁଁ ବଞ୍ଚିଛି ଆଉ ମୋର ଇଚ୍ଛାମାନ ବଞ୍ଚି ରହିଛନ୍ତି, ଏଭଳି ଗୋଟାଏ ପାରାଭାଡ଼ି କୋଠା ତିଆରିପାଇଁ ଗୋଟେ ବି ଇଟା ଯଦି ମୁଁ ବୋହି ଆଣେ ତ ମୋ ହାତ ଛିଡ଼ି ପଡ଼ିବ । ମୋତେ ମନେପକାଇ ଦେବା ଦରକାର ନାହିଁ ଯେ ଏଇ ସାଂଗେ ସାଂଗେ ମୁଁ କେବଳ ସେଇ ଗୋଟିଏ କାରଣପାଇଁ ସ୍ପଟିକ ପ୍ରାସାଦର କଳ୍ପନାକୁ ତ୍ୟାଗ କରିଥିଲି । କାରଣ: ଜଣେ ସ୍ଫଟିକ ପ୍ରାସାଦକୁ ଜିଭ ଲମ୍ବେଇ ନାକ କୁଞ୍ଚେଇ ପରିହାସ ବି କରି ପାରିବ ନାହିଁ । ସେ କଥା ମୁଁ ପ୍ରକୃତରେ ସେପରି କହି ନଥିଲି, କାରଣ ଖତେଇ ହେବାଟା ମୋର ଗୋଟାଏ ପ୍ରିୟ ଅଭ୍ୟାସ । କେବଳ ଗୋଟିଏ କଥାକୁ ମୁଁ ବିରୋଧ କରି ଆସିଛି ଯେ ତୁମେ ଯେଉଁ ମନୋରମ ଅଟ୍ଟାଳିକାମାନ ନିର୍ମାଣ କରିଛ ସେଥିରେ ଏପରି ଗୋଟିଏ ବି ଅଟ୍ଟାଳିକା ନାହିଁ ଯାହାକୁ ଦେଖି ଜଣେ ଜିଭ ଲମ୍ବେଇ ନାକ କୁଞ୍ଚେଇ ଖତେଇ ନ ହୋଇ ରହିପାରିବ । ବଦଳରେ ବରଂ ଏଭଳି କୌଣସି ବ୍ୟବସ୍ଥା ଯଦି ହୋଇପାରନ୍ତା ଯହିଁରେ ମୁଁ ଜିଭ ଲମ୍ବେଇ ନାକ କୁଞ୍ଚେଇ ଖତେଇ ହେବାର ଇଚ୍ଛାକୁ ହରାଇ ବସନ୍ତି ତା ହେଲେ କୃତଜ୍ଞତାରେ ମୋ ଜିଭଟାକୁ କାଟି ଦେବାକୁ ବି ଦେଖାଇ ଦିଅନ୍ତି । ପୁଣି ଏମିତି ଠିକ୍‌ରେ ସବୁ ଜିନିଷ ସଜା ହୋଇ ଯାଆନ୍ତା ଯେ ମୋର ଆଉ ଜିଭ ଲମ୍ବେଇ ଖତେଇ ହେବାକୁ ଇଚ୍ଛା ବି ହୁଅନ୍ତା ନାହିଁ । ହେଲେ ଜିନିଷଗୁଡ଼ା ଏପରି ସଜା ହୋଇ ଯେ ପାରିବ ନାହିଁ, ଏହା ତ ମୋର ଦୋଷ ନୁହେଁ, ଏଣେ ପୁଣି ଜଣେ ଏଇ ମଡ଼େଲ ଫ୍ଲାଟମାନଙ୍କୁ ନେଇ ସନ୍ତୁଷ୍ଟ ରହିବାକୁ ବାଧ୍ୟ--ତା ହେଲେ ଏଭଳି ଇଚ୍ଛାମାନଙ୍କ ସମ୍ମିଶ୍ରଣରେ ମୁଁ ତିଆରି ହେଲି କାହିଁକି? ମୁଁ କ’ଣ ତିଆରି ହୋଇଛି କେବଳ ଏଇ ସିଦ୍ଧାନ୍ତରେ ଶେଷରେ ପହଞ୍ଚିବାକୁ ଯେ ମୋ ଭିତରର ସମଗ୍ର ବ୍ୟବସ୍ଥାଟା ଗୋଟାଏ ଛଳନା? ଗୋଟେ ପ୍ରକାର ଶଠତା ଓ କପଟତା? ଏହା ହିଁ କ’ଣ ମାନବ ଜୀବନର ଉଦ୍ଦେଶ୍ୟ? ମୁଁ ଏହାକୁ ତ ବିଶ୍ୱାସ କରି ପାରୁନାହିଁ ।

 

ହେଲେ କଥାଟା କ’ଣ କି: ମୁଁ ଏତିକି ଭଲ ଭାବରେ ଜାଣିଛି ଯେ ଆମେ ଲୁଚିଛପିକି ଅଜ୍ଞାତବାସରେ ରହୁଥିବା ଲୋକମାନେ ପୂରାପୂରି ନିଷ୍ପେଷିତ ଦଳିତ ହୋଇ ଚିରକାଳ ରହିବା ଉଚିତ । କାରଣ ଆମେ ଅଜ୍ଞାତବାସରେ ଚାଳିଶବର୍ଷ ଧରି ପାଟି ନଖୋଲି ଚୁପଚାପ ରହିପାରୁ, ହେଲେ ଯେତେବେଳେ ଆମେ ଦିବା ଲୋକକୁ ବାହାରି ଆସୁ, ଆମ ଶୃଙ୍ଖଳ ଯେମିତି ଛିଣ୍ଡିଯାଏ, ଆମେ ଖେଳେଇ ହୋଇ ଯାଉ, ଆଉ ସଂପୂର୍ଣ୍ଣ ବିଶୃଙ୍ଖଳିତ ହୋଇ ଆମେ ଖାଲି କଥା କହୁ, କହୁ ଆଉ କହିଚାଲୁ... ।

 

(ଏଗାର)

 

ଏସବୁ କଥାର ତା ହେଲେ ସାରାଂଶ ଏତିକି ହେଲା ସୁଧୀବୃନ୍ଦ, ଯେ କିଛି ନକରିବାଟା ହିଁ ଅପେକ୍ଷାକୃତ ଭଲ ! ଅପେକ୍ଷାକୃତ ଭଲ ସଚେତ ମାନସର ଭାବପ୍ରବଣତା । ଏଣୁ ପାତାଳପୁରୀର ଜୟ ହେଉ ! ଅଜ୍ଞାତବାସର ଜୟ ହେଉ ! ଯଦିଓ ମୁଁ ଆଗରୁ କହିସାରିଛି ଯେ ସ୍ୱାଭାବିକ ଅବସ୍ଥାର ମଣିଷକୁ ମୁଁ ମୋର ଅନ୍ତର ତଳୁ ଇର୍ଷା କରେ, ତଥାପି ସେଇ ସ୍ୱାଭାବିକ ମଣିଷ, ବର୍ତ୍ତମାନ ଯୋଉ ଅବସ୍ଥାରେ ଅଛି, ମରିଯିବି ପଛେ ତାର ସେଇ ଯାଗାରେ ରହିବାପାଇଁ ମୁଁ କେବେ ବି ଚାହିଁବି ନାହିଁ (ଯଦିଓ ତାକୁ ଇର୍ଷା କରିବା ବି ମୁଁ କେବେ ବନ୍ଦ କରିବି ନାହିଁ) । ନା, ନା, ଯାହା ହେଲେ ବି ମାଟିତଳ ଜୀବନରେ କେତେବେଶୀ ସୁବିଧା । ସେଠି ଯେକୌଣସି ଅବସ୍ଥାରେ ବି ଜଣେ... ଓଃ, ଏବେ ବି ମୁଁ ମିଛ କହୁଛି ! ମୁଁ ମିଛ କହୁଛି କାରଣ ମୁଁ ନିଜେ ଭଲ କରି ଜାଣେ ଯେ, ’ଅପେକ୍ଷାକୃତ ଭଲ’ ଏ ମାଟି ତଳଟା ଆଦୌ ନୁହେଁ, ମାତ୍ର କିଛିଟା ଭିନ୍ନ ନା-ନା, ପୂରାପୂରି ଭିନ୍ନ, ଯୋଉ ଭିନ୍ନତାପାଇଁ ମୁଁ ତୃଷାର୍ତ୍ତ ହୋଇ ରହିଛି, ଅଥଚ ତାହା କ’ଣ ମୁଁ ଜାଣେ ନାହିଁ! ଚୁଲିକି ଯାଉ ଏ ମାଟିତଳ !

 

ମୁଁ ଆଉ ଗୋଟାଏ କଥା ତୁମକୁ କହିବି, ଯାହା କହିଦେବାଟା ହିଁ ଠିକ୍ ହେବ, କଥାଟି ହେଲା ଯାହା ସବୁ ଏଇଲେ ମୁଁ ଲେଖିଛି ସେ ସବୁରୁ କେଉଁଥିରେ ବି ଯଦି ମୁଁ ଟିକେ ହେଲେ ନିଜେ ବିଶ୍ୱାସ କରୁଥାନ୍ତି ! ମୁଁ ପ୍ରତିଜ୍ଞା କରି କହୁଛି, ସୁଧୀବୃନ୍ଦ, ଏଇ ଯାହାସବୁ ମୁଁ ଲେଖିଛି ତହିଁରୁ ଗୋଟିଏ ଶବ୍ଦ ବା ଗୋଟିଏ ବି ଜିନିଷକୁ ମୁଁ ବିଶ୍ୱାସ କରେ ନାହିଁ । ଅର୍ଥାତ, ବିଶ୍ୱାସ ହୁଏତ କରେ, ହେଲେ ସେଇ ଏକା ସାଥିରେ ମୁଁ ଅନୁଭବ ବି କରେ ଆଉ ସନ୍ଦେହ ବି କରେ ଯେ ଗୋଟାଏ ମୋଚି ପରି ମୁଁ ମିଛ କହି ଚାଲିଛି ।

 

“ତା ହେଲେ କାହିଁକି ଏସବୁ ଲେଖିଚ?” ତୁମେ ମୋତେ ପଚାରିପାର ।

 

“ଏଇ ପ୍ରଶ୍ନର ଉତ୍ତରରେ ତୁମକୁ ମୁଁ ବିନା କାମରେ ଲୋକଲୋଚନରୁ ଦୂରରେ ଗୋଟିଏ ଘରେ ଚାଳିଶ ବର୍ଷ ରଖି ଦେବା ଉଚିତ, ଆଉ ତା’ପରେ ତୁମ ବେସମେଣ୍ଟକୁ ଆସି ଦେଖନ୍ତି ତୁମେ କୋଉ ଅବସ୍ଥାରେ ଆସି ପହଞ୍ଚିଚ ! ଗୋଟାଏ ମଣିଷ କିଛି ନ କରି ଚାଳିଶ ବର୍ଷ କିମିତି ରହିପାରେ?”

 

“ଏହା ସତେରେ କେତେ ଲଜ୍ଜାକର ନା? ଏହା ସତେରେ କେତେ ଅସମ୍ମାନଜନକ ନା?” ତୁମେ ହୁଏତ ଘୃଣାରେ ଭାରି ଜମକରେ ମୁଣ୍ଡଟାକୁ ହଲେଇ ହଲେଇ କହିବ । “ତୁମେ ଜୀବନପାଇଁ ଆତୁର ହେଉଛ, ଏଣେ ପୁଣି ଜୀବନର ସମସ୍ୟାମାନଙ୍କୁ ତର୍କ ମାର୍ଗରେ ସମାଧାନ କରିବାକୁ ଚାହୁଁଛ? କି ନଛୋଡ଼ବନ୍ଧା ତୁମେ, କି ଔଦ୍ଧତ୍ୟ ଭରା ତୁମର ବିତର୍କ ! ପୁଣି କି ଆଦିମ ଭୟ ଭିତରେ ତୁମେ ରହିଛ ! ଗୋଟାଏ ପଟେ ତୁମେ ଅର୍ଥହୀନ ଗୁଡ଼ାଏ କଥା କହୁଛ ପୁଣି ଅପରପକ୍ଷରେ ସେଥିପାଇଁ ଖୁସି ବି ହେଉଛ; ତୁମେ ନିର୍ଲଜ ଅସମ୍ମାନଜନକ କଥାମାନ ବାରମ୍ବାର କହି ଚାଲିଛ ଆଉ ସେଥିପାଇଁ ସତର୍କ ହୋଇ ବାରମ୍ବାର କ୍ଷମା ବି ମାଗି ଚାଲିଛ । ତୁମେ ଘୋଷଣା କରୁଛ ଯେ, କାହାରିକୁ ତୁମେ ଡର ନାହିଁ କାହାକୁ ଖାତିର କର ନାହିଁ? ଆଉ ସେଇ ଏକା ସମୟରେ ଆମର ସାଦର ସହଯୋଗପାଇଁ ଆମ ସାଂଗେ ମିଳାମିଶା କରିବାକୁ ବ୍ୟାକୁଳ ବି ହେଉଛ । ତୁମେ ମାନୁଛ ଯେ ତୁମେ ଘୃଣାରେ ଦାନ୍ତ ନିକୁଟାଉଛ, ଅଥଚ ସେଇ ଏକା ସମୟରେ ତୁମେ ଆମ ସାମ୍ନାରେ ପ୍ରତ୍ୟୁତ୍ପନ୍ନ ବୋଧଶକ୍ତି ଦେଖାଇବାକୁ ଚେଷ୍ଟା କରୁଚ, ଯେମିତି ଆମକୁ ଖୁସି କରାଇ ପାରିବ । ତୁମେ ବେଶ ଭଲଭାବେ ଜାଣ ଯେ ତୁମେ ଯେତେ ବି ଚାଲାକ କଥା କୁହ, ସେ କଥାମାନ ପ୍ରକୃତରେ ସେତେ ରହସ୍ୟମୟ ଓ ବୁଦ୍ଧିମନ୍ତ ନୁହେଁ । ହେଲେ ତୁମ କଥାରୁ ଜଣାଯାଉଛି, ଏହାର ସାହିତ୍ୟିକ ମୂଲ୍ୟକୁ ନେଇ ତୁମେ ବେଶ ସନ୍ତୁଷ୍ଟ ।

 

ତୁମେ, ହୋଇପାରେ, ଜୀବନରେ ବହୁତ ଯନ୍ତ୍ରଣା ପାଇଛ, ତ କ’ଣ ହେଲା ସେଇଠୁ? ତୁମର ନିଜର ଯନ୍ତ୍ରଣାପାଇଁ ବି ଟିକିଏ ହେଲେ ସମ୍ମାନ ତୁମର ନାହିଁ । ତୁମର ସାଧୁତା ଥାଇପାରେ, ହେଲେ ତୁମର ନମ୍ରତା ନାହିଁ; ଏଇ ହୀନ ଅହଂକାର ଯୋଗୁ ତୁମର ସମସ୍ତ ବିଶ୍ୱସ୍ତପଣ ଲାଗେ ଯେମିତି କେବଳ ଗୋଟେ ଲୋକଦେଖାଣିଆ ଚାତୁରୀ ଆଉ ଆତ୍ମପ୍ରଚାର, ଆଉ ତୁମେ ଏଥିରୁ ପାଅ କ’ଣ? ଗୁଡ଼ାଏ ଅପଯଶ କେବଳ ! ତୁମେ ନିଃସନ୍ଦେହରେ ବିକଳ, କିଛି କହି ପକେଇବାକୁ, ହେଲେ କଥାର ଶେଷ ଶବ୍ଦଟିକୁ ତୁମେ ଭୟ ଭିତରେ ଲୁଚାଇ ଦିଅ, କାରଣ ଶେଷଆଡ଼କୁ ଏହାକୁ ଉଚ୍ଚାରଣ କରିବାର ଇଚ୍ଛା ବି ତୁମ ପାଖରେ ଆଉ ନଥାଏ, ଥାଏ କେବଳ ଗୋଟାଏ ଭୀରୁ ଉଗ୍ରତା । ତୁମେ ଆତ୍ମଜ୍ଞାନପାଇଁ ଗର୍ବ କର, ଅଥଚ ତୁମ ନିଜ ପାଦ ତଳର ମାଟି ବାବଦରେ ବି ତୁମେ ନିଶ୍ଚିତ ନୁହଁ, କାରଣ ତୁମ ମୁଣ୍ଡ ଖୁବ୍ କାମ କରୁଥାଇ ପାରେ, ହେଲେ ତୁମ ହୃଦୟ ତଥାପି କାଳିମା ଓ ଦୁର୍ନୀତିରେ ଭରା ହୋଇ ରହିଛି, ଆଉ ତୁମେ ଗୋଟିଏ ନିର୍ମଳ ସ୍ୱଚ୍ଛ ହୃଦୟ ବିନା ସଂପୂର୍ଣ୍ଣ ସତ୍ ସଚେତନତା ହାସଲ କରିପାରିବ ନାହିଁ । ପୁଣି ତୁମେ କିମିତି ସମସ୍ତଙ୍କ ମାମଲାରେ ନାକ ପୁରାଅ, କିମିତି ଜବରଦସ୍ତ, କେତେ ପରିହାସ କର ! ମିଛ, ମିଛ, ମିଛ !”

 

ଅବଶ୍ୟ ଏଇ ଯାହା ସବୁ ତୁମେ କହୁଛ ବୋଲି ବର୍ତ୍ତମାନ ଲେଖିଲି ସେ ସବୁ ମୁଁ ନିଜେ ନିଜେ ମନରୁ ତିଆରି କରିଛି । କଳ୍ପନା ! ହାଃ, ପୁଣି ସେ ସବୁ ବି ମଣିଷ ସମାଜଠାରୁ ଦୂରରେ ରହି-! ଚାଳିଶ ବର୍ଷ ଧରି ମୁଁ ତୁମକୁ ଶୁଣି ଆସୁଛି କାନ୍ଥର ଗୋଟିଏ ଫାଟ ଦେଇ । ହଁ, ହଁ, ଏଇ ସବୁ କଥାକୁ ମୁଁ ନିଜେ ଉଦ୍ଭାବନ କରିଛି, ଏହାଛଡ଼ା ଆଉକିଛି ତ ମୁଁ ଉଦ୍ଭାବନ କରିପାରି ନଥାନ୍ତି । କିମ୍ବା ଆଉକିଛି ବି ମୁଁ କରିପାରି ନଥାନ୍ତି । ସେଇଥିପାଇଁ ତ ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ ଯେ ଏସବୁ ମୋର ମୁଖସ୍ଥ ହୋଇ ଯାଇଛି ଆଉ ଏସବୁ ଗୋଟିଏ ସାହିତ୍ୟ ରୂପ ନେଇଛି...

 

ହେଲେ ତୁମେ କ’ଣ ସତରେ ଏସବୁ ବିଶ୍ୱାସ କରିବାକୁ ଏତେବେଶୀ ବ୍ୟାକୁଳ ହୋଇ ପଡ଼ିଛ ଯେ ଭାବୁଛ ଏହାକୁ ମୁଁ ସତେରେ ଛପାଇ ଦେବି ଆଉ ତୁମକୁ ପଢ଼ିବାକୁ ବି ଦେବି? ଆଉ ଗୋଟିଏ ସମସ୍ୟା ବି ଏଥିରେ ଅଛି: କାହିଁକି ମୁଁ ତୁମକୁ ‘ଭଦ୍ରଲୋକ’, ‘ସୁଧୀଜନ’,ବୋଲି ସମ୍ବୋଧନ କରୁଛି, କାହିଁକି ତୁମମାନଙ୍କୁ ଏପରି ସଂବୋଧନ କରୁଛି ଯେପରି ତୁମେମାନେ ମୋର ପାଠକ? ଏଭଳି ସ୍ୱୀକାରୋକ୍ତି, ଯାହା ମୁଁ କରିବାକୁ ମନସ୍ଥ କରିଛି ସେଗୁଡ଼ିକୁ କେବେ ଛପାଯାଏ ନାହିଁ ବା ଅନ୍ୟ କାହାରିକୁ ପଢ଼ିବାକୁ ଦିଆଯାଏ ନାହିଁ । ତେବେ ସେଥିପାଇଁ ମୋର ଯଥେଷ୍ଟ ଦୃଢ଼ ମନବଳ ନାହିଁ, ଆଉ ମୁଁ ବି କୌଣସି କାରଣ ଦେଖୁନାହିଁ କାହିଁକି ମୁଁ ସେପରି ହୋଇଥାନ୍ତି । ହେଲେ ତୁମେ ଦେଖୁଥିବ ଏବେ ଏବେ ଗୋଟାଏ ସଉକ ମୋତେ ଘାରିଛି, ଆଉ ସେ ସଉକକୁ ମୁଁ ସବୁ ମତେ ଅନୁଭବିବାକୁ ଚାହେଁ, ସେଥିପାଇଁ ଯାହା ମୂଲ୍ୟ ମୋତେ ଦେବାକୁ ପଡ଼ୁ ପଛେ । ଭଲ କରି ସେଇ ସଉକ କଥାଟା ବୁଝାଇ ଦେଉଛି ।

 

ପ୍ରତ୍ୟେକ ଲୋକର ସ୍ମୃତିରେ ଏମିତି କେତେ କଥା ଥାଏ ଯାହା ସେ ସମସ୍ତଙ୍କୁ କହେ ନାହିଁ, କହେ କେବଳ ତାର ବଂଧୁମାନଙ୍କୁ । ତା ମନରେ ଆହୁରି ଅନେକ କଥା ଥାଏ ଯାହା ସେ ତାର ବଂଧୁମାନଙ୍କୁ ବି ଖୋଲି କରି କହେ ନାର୍ହି, କହେ କେବଳ ନିଜକୁ, ତାହା ପୁଣି ଏକାନ୍ତରେ ଗୋପନ ଭାବରେ । ହେଲେ ଏହାବାଦ ଆହୁରି ଅନେକ ଜିନିଷ ଥାଏ ଯାହା ଜଣେ ନିଜକୁ ଗୋପନରେ ବି କହିବାକୁ ଡରେ । ଆଉ ପ୍ରତ୍ୟେକ ଭଦ୍ରଲୋକର ମନରେ ଏହିଭଳି ଅନେକ ଜିନିଷ ସର୍ବଦା ଜମା ହୋଇ ରହିଥାଏ । ମଣିଷ ଯେତେ ଅଧିକ ଭଦ୍ର ହୁଏ ତା ମନ ଭିତରେ ଏହିପରି ଜମା ଜିନିଷର ଗଦା ବଢ଼ି ବଢ଼ି ଚାଲେ । ତେବେ, ମୋର ଏଇ ଚାଳିଶ ପରବର୍ତ୍ତୀ ଜୀବନ କାଳରେ ହିଁ କେବଳ ମୁଁ ମୋର ଆଦ୍ୟ ଜୀବନର କେତୋଟି ରୋମାଞ୍ଚକର କଥାକୁ ମନେ ରଖିବାର ଦୃଢ଼ ନିଷ୍ପତ୍ତି ନେଇଛି । ଏ ପର୍ଯ୍ୟନ୍ତ ସେ ସବୁକୁ ମୁଁ ନିଜଠାରୁ ଦୂରେଇ ରଖି ଆସିଥିଲି, ଏପରିକି ଗୋଟେ ପ୍ରକାରର ନିଶ୍ଚିତ ଅସହଜ ଭାବ ସହିତ ମୁଁ ସେ ସବୁକୁ ମନରୁ ଦୂରେଇ ଦେଉଥିଲି । ଆଜି ଯେତେବେଳେ ସେ ସବୁକୁ ମୁଁ କେବଳ ମନେପକାଉ ନାହିଁ, ପ୍ରକୃତରେ ତାହାର ବିବରଣୀ ଲିପିବଦ୍ଧ କରିବାକୁ ସ୍ଥିର କରିଛି, ସେତେବେଳେ ମୁଁ ପରୀକ୍ଷା କରି ଦେଖିବାକୁ ଚାହେଁ ଯେ ଜଣେ, ଏପରିକି ତା ନିଜ ସାମ୍ନାରେ ବି ଜଣେ ସଂପୂର୍ଣ୍ଣ ମୁକ୍ତ ହୋଇପାରେ କି ହୋଇ ପାରେନି, ଆଉ ସଂପୂର୍ଣ୍ଣ ସତ୍ୟ ସାମ୍ନାରେ ଡରି ସେ ମୁହଁ ବୁଲାଇ ନିଏ ନା ନିଏ ନାହିଁ ।

 

ଏକଥା ମଧ୍ୟ ମୁଁ ଜାଣେ ଯେ ହେଇନ୍ କହନ୍ତି- ଗୋଟାଏ ସତ୍ୟ ଆତ୍ମଜୀବନୀ ଏକପ୍ରକାର ଅସମ୍ଭବ ଆଉ ମଣିଷ ତା ନିଜ ବିଷୟରେ ମିଛ କହିବାକୁ ବାଧ୍ୟ । ସେ ଭାବନ୍ତି ଯେ ରୁଷୋ ତାଙ୍କ ସ୍ୱୀକାରୋକ୍ତିରେ ନିଶ୍ଚିତ ଭାବରେ ମିଛ କହିଛନ୍ତି ତାଙ୍କ ନିଜ ବିଷୟରେ, ଏପରିକି ଇଚ୍ଛା କରି ଏଭଳି ମିଛ କଥା କହିଛନ୍ତି, ଅହଂକାର ବଶତଃ । ମୋର ମଧ୍ୟ ଦୃଢ଼ ଧାରଣା ଯେ ହେଇନ୍ ଠିକ୍ ହିଁ କହିଛନ୍ତି, ମୁଁ ଠିକ୍ ବୁଝିପାରୁଛି କିପରିବେଳେବେଳେ ଜଣେ, କେବଳ ବିଶୁଦ୍ଧ ଅହଂକାର ବଶତଃ, ନିଜ ଉପରେ ନିୟମିତ ଅପରାଧର ବୋଝ ଲଦି ଦିଏ, ଆଉ ସତ କହିବାକୁ ଗଲେ ସେ ପ୍ରକାର ଅହଂକାରକୁ ମୁଁ ବେଶ୍ ବୁଝିପାରୁଛି । କିନ୍ତୁ ଯେଉଁମାନେ ଜନସାଧାରଣଙ୍କ ନିକଟରେ ସେମାନଙ୍କର ସ୍ୱୀକାରୋକ୍ତି ପ୍ରକାଶ କରନ୍ତି କେବଳ ସେଇମାନଙ୍କୁ ହେଇନ୍ ବିଚାରକୁ ନେଇଛନ୍ତି । ମୁଁ କେବଳ ମୋ ନିଜପାଇଁ ଲେଖୁଚି, ଆଉ ମୁଁ ମଧ୍ୟ ପ୍ରଥମ ଓ ଶେଷ ଥରପାଇଁ ଘୋଷଣା କରିଦେବାକୁ ଚାହେଁ ଯେ ଯଦି ମୁଁ ଏପରି, ଲୋକଙ୍କୁ କହିଲା ପରି ଲେଖିଛି, ତା ହେଲେ ସେପରି ଲେଖିବାର ଏକମାତ୍ର କାରଣ ହେଉଛି ଏହି ଶୈଳୀରେ ଲେଖିବା ମୋ’ପାଇଁ ସହଜ ହୋଇଛି । ଏହା ଏକ ଲିଖନ-ଶୈଳୀ ମାତ୍ର, ଗୋଟାଏ ଫମ୍ପା -ଶୈଳୀ । ମୁଁ ମୋର ଏ ଲେଖାପାଇଁ ପାଠକ ପାଇବି ନାହିଁ, ଏହା ମୁଁ ପୂର୍ବରୁ ସ୍ପଷ୍ଟ କରିଦେଇଛି...

 

ମୋ ଟିପ୍ପଣୀଗୁଡ଼ିକ ସଂକଳନ କରିବାରେ କୌଣସି ଅଙ୍କୁଶ ବାଧା ଦେଉ ଏହା ମୁଁ ଚାହେଁ ନାହିଁ । ମୁଁ କୌଣସି ଗତାନୁଗତିକ ଧାରା ବା ନିର୍ଦ୍ଦିଷ୍ଟ ଶୈଳୀରେ ଏହାକୁ ଲେଖିବି ନାହିଁ ଯେତେବେଳେ ଯେମିତି ମନକୁ ଆସିବ ସେଇମିତି ଟିପି ଦେବି ।

 

ହେଲେ ଏଇଠି, କେହି ଜଣେ ହୁଏତ ଗୋଟାଏ ଶବ୍ଦକୁ ଏଥିରୁ ଧରି ପକାଇବ ଆଉ ମୋତେ ପଚାରିବ: ଯଦି ତୁମେ ପାଠକ ଉପରେ ନିର୍ଭର କରୁନାହଁ, କାହିଁକି ତେବେ ଏପରି ନିଜ ସାଥିରେ ବନ୍ଧନର ମାୟା ଯୋଡୁଛ? କାଗଜ ଉପରେ ବି-ଯଥା: ତୁମେ କୌଣସି ଶୈଳୀ ବା ବନ୍ଧନକୁ ମାନୁନାହଁ, ଯେପରି ମନକୁ ଆସୁଛି ସେପରି ଲେଖିଯାଉଛ, ଏତେ ସବୁ କଥା କାହିଁକି? କାହିଁକି ତୁମେ ବ୍ୟାଖ୍ୟା କରୁଛ? କାହିଁକି କ୍ଷମା ମାଗୁଛ?

 

ଠିକ୍ କଥା, ମୁଁ ତାର ଉତ୍ତର ଦେଉଛି ।

ଏ ସବୁରେ ଗୋଟାଏ ସଂପୂର୍ଣ୍ଣ ମନସ୍ତତ୍ତ୍ୱ ବି ଅଛି । ସଂଭବତଃ ସରଳ ଭାବରେ କହିଲେ, ମୁଁ ଗୋଟାଏ ଭୀରୁ । ଆଉ ବୋଧହୁଏ ମୁଁ ଜାଣି ଜାଣି ମୋ ସାମ୍ନାରେ ଗୋଟାଏ ଦର୍ଶକ ମଣ୍ଡଳୀର କଳ୍ପନା କରୁଛି ଯାହା ଫଳରେ ଲେଖିଲାବେଳେ ଅଧିକ ସଂଭ୍ରମତାର ସହିତ ଏହା ମୁଁ କରିପାରିବି । ଏହିପରି ହଜାର କାରଣ ଥାଇପାରେ । ପୁଣି ସଂକ୍ଷେପରେ, ମୋ ରଚନାର ଉଦ୍ଦେଶ୍ୟ କ’ଣ? ଯଦି ଏହା ଜନସାଧାରଣଙ୍କପାଇଁ ଉଦ୍ଦିଷ୍ଟ ନୁହେଁ, ତା ହେଲେ ଏହି ଘଟଣାମାନଙ୍କୁ କାଗଜରେ ନ ଲେଖି କେବଳ ମନେପକାଇ ମୁଁ ସନ୍ତୁଷ୍ଟ ରହୁନି କାହିଁକି?

 

ଠିକ୍ କଥା; କିନ୍ତୁ ତଥାପି କାଗଜ ଉପରେ ଏହା ଅଧିକ ଶକ୍ତିଶାଳୀ । ସେଠାରେ ଏହାର ପ୍ରଭାବ ଅଧିକ; ଏହାଦ୍ୱାରା ମୁଁ ନିଜକୁ ଅଧିକ ସମାଲୋଚନା କରିବାକୁ ସମର୍ଥ ହେବି ଆଉ ନିଜର ଶୈଳୀକୁ ଅଧିକ ମାର୍ଜିତ କରିପାରିବି । ତା ଛଡ଼ା ବୋଧହୁଏ କାଗଜ ଉପରେ ଲେଖିପକାଇଲେ ମୁଁ ସେଥିରୁ ପ୍ରକୃତ ସାନ୍ତ୍ୱନା ପାଇବି । ଆଜି, ଉଦାହରଣସ୍ୱରୂପ, ମୁଁ ମୋର ସୁଦୂର ଅତୀତର ଗୋଟେ ଘଟଣାଦ୍ୱାରା ବିଶେଷ ଭାବରେ ପୀଡ଼ିତ ହେଉଛି । କଥାଟା ମୋ ମନକୁ ଅଳ୍ପ କିଛି ଦିନ ତଳେ ସ୍ପଷ୍ଟଭାବେ ଆସିଥିଲା, ଆଉ ସେଇଦିନଠାରୁ ଏହା ଗୋଟାଏ ବିରକ୍ତିକର ସୁର୍ ପରି ମୋ ଭିତରେ ରହି ମତେ ଟିକି ଟିକି କରି ଖାଇ ଚାଲିଛି । ଚାହିଁଲେ ବି ମୁଁ ସେଥିରୁ ମୁକ୍ତ ହୋଇପାରୁ ନାହିଁ । ତଥାପି ଯେକୌଣସି ପ୍ରକାରେ ମୋତେ ସେଥିରୁ ମୁକୁଳିବାକୁ ହେବ । ଏହିଭଳି ଶହଶହ ସ୍ମୃତି ମୋର ଅଛି; ହେଲେବେଳେବେଳେ ସେଇ ଶହେ ଭିତରୁ ଗୋଟାଏ ବାରି ହୋଇ ବାହାରି ଆସେ ଆଉ ମୋତେ ଭାରି ନିଷ୍ପେଷିତ, ନିର୍ଯ୍ୟାତିତ କରେ । କେତେଗୁଡ଼ିଏ କାରଣରୁ ମୁଁ ଭାବେ ଯେ ଯଦି ଏଗୁଡ଼ିକୁ ମୁଁ ଲେଖି ପକାଇବି, ତା ହେଲେ ଏଥିରୁ ମୋତେ ମୁକ୍ତି ମିଳିଯିବ ପରା । ତା ହେଲେ ଚେଷ୍ଟା ନକରିବି କାହିଁକି?

 

ତା ଛଡ଼ା ମୁଁ ବୋର୍ ହେଉଛି, ମୋର କରିବାକୁ କେବେ କିଛି କାମ ନଥିଲା, ଏବେ ବି ନାହିଁ-। ଲେଖିବାଟା ଗୋଟେ ପ୍ରକାର କାମ ହେବ । କଥାରେ କହନ୍ତି ଖଟଣି, ମଣିଷକୁ ଦୟାଳୁ ଆଉ ସାଧୁ କରେ । ଠିକ୍ ଅଛି, ଯା ହେଲେ ବି ମୋପାଇଁ କାମର ଗୋଟାଏ ସୁଯୋଗ ତ ମୋ ସାମ୍ନାକୁ ଆସିଯାଇଛି ।

ଆଜି ଏଠି ବରଫ ପଡ଼ୁଛି, ହଳଦିଆ, ଫୁଲ୍‌କା ଫୁଲ୍‌କା, ଅଳ୍ପ ଅଳ୍ପ । ଏହା କାଲି ବି ପଡ଼ିଥିଲା, ଆଉ କେତେଦିନ ଆଗରୁ ବି ପଡ଼ିଥିଲା । କଳ୍ପନାରେ ମସଗୁଲ ହୋଇ ମୁଁ ଭାବୁଛି ଏଇ ଆର୍ଦ୍ର ତୁଷାର ହିଁ ମୋ ମନରେ ସେଇ ଘଟଣାଟିକୁ ଉଖାରି ଦେଲା, ଯେଉଁଥିରୁ ମୁଁ ଏବେ ଆଉ ମୁକୁଳିବାର କୌଣସି ବାଟ ଦେଖିପାରୁ ନାହିଁ, ତା ହେଲେ ଏହା ହେଉ ଗୋଟିଏ କାହାଣୀ ସେଇ ‘ଆର୍ଦ୍ର ତୁଷାର’ର ।

 

•••

 

ଦ୍ୱିତୀୟ ଭାଗ

 

ଆର୍ଦ୍ର ତୁଷାରର କଥା

ଅପକର୍ମ ଅନ୍ଧକାରେ

ବନ୍ଦୀ ତୁମେ ନିଜ ଭୀରୁତାରେ

ଆବେଗ ଆକୁଳ ମୋର

ଅନୁନୟ ଶୁଣି ଅନ୍ତରରେ

ଫେଡ଼ି ଦେଲ ବନ୍ଧନର କାରାଗାର

ମୁକ୍ତ ହେଲ ନିଜେ ନିଜ ଠାରେ

ମୁହଁ ମାଡ଼ି ଶୋଇ ତୁମେ ଛଟପଟ

ନିଜର କ୍ଲେଶରେ

ଅଭିଶପ୍ତ ମଣି ନିଜେ ମନେ ପକାଇଲ

କେତେ ପାପ ଥିଲା ଜୀବନରେ ।

ଚେଇଁଲା ସ୍ମୃତିର ନିଆଁ ଧାସ ବାଜି

ସୁଷୁପ୍ତ ବିବେକ

ଖୋଲି ଦେଲ ମୋ ଆଗରେ ତୁମର ସେ

କଦାକାର ଜୀବନର ଭେକ

ହଠାତ ଦିଶିଲ ତୁମେ

ରୁଗ୍‌ଣ ଓ ବିଷର୍ଣ୍ଣ

କାନ୍ଦି କାନ୍ଦି ଲୁଚାଇଲ

ପାପୁଲିରେ ମୁହଁ

ମନେ ଗୁଣି ପୁତି ଗନ୍ଧମୟ

ଅପଯଶ

ସେ ମୁହଁରେ ଥିଲା ତୀବ୍ର

ପାଗଳର ରୋଷ ଆଉ ଭୀଷଣ ଆକ୍ରୋଶ ।

                                                      (ନେବ୍ରାସୋଭ)

 

 

(ଏକ)

 

ସେତେବେଳେ ମୋତେ ମାତ୍ର ଚବିଶ ବର୍ଷ । ସେତେବେଳେ ବି ମୋ ଜୀବନ ଥିଲା ସଂଶୟାଚ୍ଛନ୍ନ, ବିଶୃଙ୍ଖଳ, ଆଉ ଗୋଟାଏ ବର୍ବରର ଜୀବନ ପରି ନିଃସଂଗ ଓ ନିର୍ଜନ । ମୁଁ କାହା ସହିତ ବଂଧୁତା କରି ନଥିଲି, ଆଳାପ ତ ଥିଲା ବହୁତ ଦୂରର କଥା ଆଉ ଅଧିକରୁ ଅଧିକ ମୁଁ ନିଜକୁ ମୋ ପାତାଳପୁରୀ ଖୁଆଡ଼ ଭିତରେ ଲୁଚାଇ ରଖୁଥିଲି । ଅଫିସ୍‌ରେ କାମବେଳେ କେବେ କାହା ମୁହଁକୁ ମୁଁ ଚାହିଁବାର ପ୍ରଶ୍ନଇ ନଥିଲା, ହେଲେ ମୁଁ ବେଶ୍ ସଚେତନ ଥିଲି ଯେ ମୋ ସହକର୍ମୀମାନେ ମୋତେ କେବଳ ଗୋଟାଏ ବିଚିତ୍ର ଜୀବରୂପେ ବିଚାରୁ ନଥିଲେ- ଗୋଟେ ପ୍ରକାର ଘୃଣାରେ ବି ମୋତେ ଦେଖୁଥିଲେ ବୋଧେ- ମୁଁ ସବୁବେଳେ ସେମାନଙ୍କ ଘୃଣାଟାକୁ ଜାଣିଥିଲି ଆଉବେଳେବେଳେ ଆଶ୍ଚର୍ଯ୍ୟ ବି ହେଉଥିଲି ଯେ କାହିଁ ମୋ ବ୍ୟତୀତ ଆଉ କେହି ତ ତା ନିଜ ପ୍ରତି ଏପରି ନାସିକା କୁଞ୍ଚନକୁ ଦେଖିପାରୁ ନଥିଲା? ଘୃଣାରେ ତଥା ବିରକ୍ତିରେ ତାକୁ ଯେ ଅନା ହେଉଛି କଳ୍ପନା କରିପାରୁ ନଥିଲା?

 

କିରାଣୀମାନଙ୍କ ଭିତରୁ ଗୋଟାକର ଥିଲା ଭାରି ବିରକ୍ତିକର ଗୋଟାଏ ବସନ୍ତ ଦାଗ ଥିବା ମୁହଁ, ଏ ମୁହଁ ନିଶ୍ଚିତ ଭାବରେ ଥିଲା ଗୋଟେ ଖଳନାୟକର ମୁହଁ ପରି । ମୁଁ ଭାବୁଛି ମୋର ଏପରି ଭୟାନକ ମୁହଁଟିଏ ଥିଲେ ମୁଁ କାହାରିକୁ ଅନେଇବାକୁ ସାହସ ବି କରି ନଥାନ୍ତି । ଆଉ ଜଣେ ତ ଏତେ ମଇଳା ପୁରୁଣା ପୋଷାକ ପିନ୍ଧୁଥିଲା ଯେ ତା ଚାରିପାଖରୁ ଗୋଟେ ପ୍ରକାରର ନିହାତି ଉସୁମାଳିଆ ଗନ୍ଧ ବାହାରୁଥିଲା । ତଥାପି ଏଇ ଭଦ୍ରଲୋକଙ୍କ ଭିତରୁ କେହି ଜଣେ ବି ସାମାନ୍ୟତମ ଆତ୍ମସଚେତନତା ନିଜ ପୋଷାକ ବାବଦରେ ବା ଚେହେରା ବା ନିଜ ଚରିତ୍ର ବାବଦରେ ଦେଖାଉ ନଥିଲେ । ସେମାନଙ୍କ ଭିତରୁ କେହି କେବେ ହୁଏତ କଳ୍ପନା ବି କରି ନଥିଲେ ଯେ ସେମାନେ ଘୃଣାର ସହିତ ଲକ୍ଷିତ ହେଉଥିଲେ; ଯଦି ସେମାନେ ଏହା କଳ୍ପନା କରିପାରିଥାନ୍ତେ ତା ହେଲେ ବି ସେମାନେ କିଛି ଭାବି ନଥାନ୍ତେ-ଯେତେଦିନ ଯାଏଁ ତାଙ୍କ ଉପର ହାକିମ ତାଙ୍କୁ ଏପରି ଆଖିରେ ନଦେଖିଛି ସେମାନଙ୍କର ଭାବିବା ଦରକାର କ’ଣ?

 

ଏବେ ମୋ ଆଗରେ ଏଇ କଥାଟି ବେଶ୍ ସ୍ପଷ୍ଟ ହୋଇ ଯାଇଛି ଯେ, ମୋ ନିଜର ଅସୀମ ଅହଂକାର ଆଉ ମୋ ନିଜପାଇଁ ନିଜେ ତିଆରି କରିଥିବା ଉଚ୍ଚ ମାନଦଣ୍ଡ ଯୋଗୁ, ଅଧିକାଂଶବେଳେ ମୁଁ ନିଜକୁ ନିଜେ ଭୟଙ୍କର କ୍ରୋଧମିଶା ଅସନ୍ତୋଷରେ ଦେଖିଛି ଆଉ ସେଥିରୁ ଜନ୍ମ ନେଇଛି ପ୍ରବଳ ଘୃଣା ଆଉ ଭିତରେ ଭିତରେ ଏଇ ଅନୁଭବଟିକୁ ମୁଁ ପ୍ରସାରି ଦେଇଛି, ବିସ୍ତାରି ଦେଇଛି ।

 

ମୋ ମୁହଁକୁ ମୁଁ ଘୃଣା କରିଛି, ଅର୍ଥାତ୍ ଏହାକୁ ମୁଁ ବିରକ୍ତିକର ଭାବିଛି, ଏପରି କି ସନ୍ଦେହ ବି କରିଛି ଯେ ମୋ ବ୍ୟବହାର ଓ ଚାହାଣୀରେ କିଛି ଗୋଟାଏ ନ୍ୟୂନତା ଅଛି । ଏଣୁ ପ୍ରତିଦିନ ମୁଁ ଅଫିସକୁ ଆସିଲାମାତ୍ରେ ମୋ ସାଧ୍ୟମତେ ସହଜ ଭାବରେ ବ୍ୟବହାର କରିବାକୁ ଯଥାସମ୍ଭବ ଚେଷ୍ଟା କରୁଥିଲି, ମୁହଁରେ ଏପରି ଭାବ ଦେଖାଉଥିଲି ଯେପରି ମୋତେ ଗୋଟାଏ ଅଧଃପତିତ ମଣିଷ ବୋଲି କେହି ନଭାବିବ । “ମୋ ମୁହଁ ଅସୁନ୍ଦର ହୋଇପାରେ’’, ମୁଁ ଭାବୁଥିଲି, “ହେଲେ ଏହା ସଂଭ୍ରାନ୍ତ ହୋଇ ରହୁ; ନିଜକୁ ପ୍ରକାଶ କରିପାରିବାର ଦକ୍ଷତା ସହିତ ଏହା ଅତ୍ୟନ୍ତ ବୁଦ୍ଧିମାନ ମନେହେଉ ।’’ ହେଲେ ଅତ୍ୟନ୍ତ ଦୁଃଖର ସହିତ ମୁଁ ସଚେତନ ଥିଲି ଯେ ଏତେଗୁଡ଼ିଏ ଗୁଣର ପ୍ରତିଫଳନ କରିବାକୁ ମୋ ଚେହେରା କେବେ ବି ସମର୍ଥ ନଥିଲା । ଆଉ ସବୁଠାରୁ ଦୟନୀୟ ହେଲା, ମୁଁ ଭାବୁଥିଲି ଯେ ପ୍ରକୃତରେ ମୋ ମୁହଁଟା ଗୋଟାଏ ମୁର୍ଖର ମୁହଁ ପରି ଦିଶୁଥିଲା, ଆଉ ମୁଁ ବୁଦ୍ଧିମାନ ଦେଖାଯାଇଥିଲେ ସତରେ ଭାରି ସନ୍ତୁଷ୍ଟ ହୋଇଥାନ୍ତି । ଏପରିକି ଅତି ସାଧାରଣ ଦେଖାଯିବାଟାକୁ ବି ମୁଁ ସହି ଯାଇଥାନ୍ତି, ଯଦି ତା ସହିତ ମୁହଁଟା ମୋର ଚୈତନ୍ୟ ଉଦ୍ରେକ କଲା ଭଳି ବୁଦ୍ଧିମାନ ହୋଇଥାନ୍ତା ।

 

ଅବଶ୍ୟ ମୁଁ ମୋର ସହ-କିରାଣୀମାନଙ୍କୁ ଗୋଟି ଗୋଟି କରି ଘୃଣା କରୁଥିଲି, ଆଉ ସେମାନଙ୍କୁ ସମସ୍ତଙ୍କୁ ନିକୁଛିଆ କରି ଦେଖିବା ଭିତରେବେଳେବେଳେ ଏମିତି ବି ହେଉଥିଲା ଯେ, ମୁଁ ସେମାନଙ୍କୁ ଡରୁଥିଲି । ସତ କହିବାକୁ ଗଲେ,ବେଳେବେଳେ ଏମିତି ଘଟୁଥିଲା ଯେ ମୋ ନିଜଠାରୁ ସେମାନଙ୍କୁ ବଡ଼ ବୋଲି ମୁଁ ଭାବୁଥିଲି । କିମିତି କେଜାଣି, ହଠାତ୍ ପୁଣି ଏମିତି ଘଟିଗଲା ଯେ ସେମାନଙ୍କୁ ଘୃଣା କରିବା ଆଉ ମୋ ନିଜଠାରୁ ସେମାନଙ୍କୁ ବଡ଼ କରି ଭାବିବା ଭିତରେ ମୁଁ ଏପଟ ସେପଟ ହୋଇ ଲାଗିଲି । ଗୋଟେ ସୁରୁଚିସଂପନ୍ନ, ଭଦ୍ରଲୋକ ନିଜପାଇଁ ଗୋଟାଏ ଭୟଙ୍କର ଉଚ୍ଚ ମାନଦଣ୍ଡ ସ୍ଥିର କରିବା ବିନା ଆଉବେଳେବେଳେ ନିଜକୁ ନ୍ୟୂନ ଭାବିବା, ଏପରିକି ଘୃଣା କରିବା ବିନା କେବେ ବି ନିଜର ବଡ଼ିମା ଅହଂକାରକୁ ବଞ୍ଚେଇ ରଖି ପାରିବ ନାହିଁ ।

 

ତେବେ ସେମାନଙ୍କୁ ହୁଏତ ମୁଁ ଘୃଣା କରୁଥିଲି, ନହେଲେ ସେମାନଙ୍କୁ ବଡ଼ ବୋଲି ଭାବୁଥିଲି, ଯାହା ହେଉ, କିନ୍ତୁ ସେମାନଙ୍କୁ ଦେଖିଲା ମାତ୍ରେ ପ୍ରାୟ ପ୍ରତିଥର ମୁଁ ଆଗ ଆଖି ତଳକୁ କରି ଦେଉଥିଲି ନିଶ୍ଚୟ । କେତେଥର ମୁଁ ମନରେ ଭାବିନେଉଥିଲି ଯେ ଅମୁକ ଲୋକ ମୋତେ ଅନାଇଲେ, ମୁଁ ତାକୁ ଏଥର ସିଧା ଆଖିରେ ଆଖି ମିଳାଇ ଚାହିଁବି, ହେଲେ ଦେଖିଲାବେଳକୁ ମୁଁ ହିଁ ପ୍ରଥମେ ଆଖି ତଳକୁ କରୁଥିଲି । ଏହା ମୋତେ ଟିକି ଟିକି କରି କାଟି ପକାଉଥିଲା, ଏହା ମୋତେ ବିବ୍ରତ, ହତଚକିତ କରି ଦେଉଥିଲା । ଉପହସିତ ହେଉଥିବାର ଗୋଟେ ରୁଗ୍‌ଣ ଭୟ ବି ମନରେ ଥିଲା, ଆଉ ସେଇଥିପାଇଁ ଯେତେସବୁ ବାହ୍ୟ ଲୋକ ଦେଖାଣିଆ ଚିଜରେ ପରଂପରାକୁ ଖୋଜିବା ପ୍ରତି ଗୋଟେ ପ୍ରକାର ଦାସ ସୁଲଭ ଆବେଗ ମୋ ଭିତରେ ଜନ୍ମ ନେଲା । ସାଧାରଣ ଜୀବନର ଚିରାଚରିତ ଶଗଡ଼ଗୁଳାରେ ପଡ଼ି ଯିବାକୁ ମୁଁ ଭଲ ପାଇଲି, ଆଉ ମୋ ନିଜ ଭିତରର ଯେକୌଣସି ମାତ୍ରାଧିକ କାର୍ଯ୍ୟକଳାପ ପ୍ରତି ମୋର ପୂରାପୂରି ଭୟ ଆସିଗଲା ।

 

ହେଲେ ମୁଁ କିପରି ଏତେ ସବୁକୁ ନେଇ ବଂଚି ପାରିଥାନ୍ତି? ଆମ ସମୟର ଯୁବକଟିଏ ଯେମିତି ହେବା ଉଚିତ, ମୁଁ ବି ସେଇମିତି ଥିଲି-ପାଗଳପ୍ରାୟ ସ୍ପର୍ଶକାତର । ସେମାନେ ସମସ୍ତେ ଥିଲେ ବୋକା, ଏକୁ ଆରେକ ବଳି ମୂର୍ଖ ମେଣ୍ଢାଦଳ । ସେ ଅଫିସ୍‌ରେ ବୋଧେ ମୁଁ ହିଁ ଏକମାତ୍ର ଥିଲି ଯିଏ କଳ୍ପନା କରିଥିଲା ଯେ ମୁଁ ଗୋଟାଏ ଭୀରୁ ଆଉ ଗୋଟାଏ ଦାସ । ଏ କଥାଟାକୁ ମୁଁ ଭାବି ପାରିଥିଲି କାରଣ ମୁଁ ଅନ୍ୟମାନଙ୍କଠାରୁ ଥିଲି ଅଧିକ ଉନ୍ନତ । ହେଲେ ଏହା ଏପରି ନଥିଲା ଯେ ଏସବୁ ମୁଁ କେବଳ କଳ୍ପନା କରିଥିଲି । ବାସ୍ତବରେ ବି ଘଟଣାଟା ସେୟା ଥିଲା । ମୁଁ ଥିଲି ଗୋଟାଏ ଭୀରୁ ଆଉ ଗୋଟାଏ ଭୃତ୍ୟ ମାତ୍ର । ଟିକିଏ ବି ଅପ୍ରତିଭ ନହୋଇ ଏ କଥା ମୁଁ କହୁଛି । ଆମ ସମୟର ପ୍ରତିଟି ଭଦ୍ରଲୋକ ନିଶ୍ଚିତ ଭାବରେ ଗୋଟିଏ ଗୋଟିଏ ଭୀରୁ ଆଉ ଗୋଟିଏ ଗୋଟିଏ ଆଜ୍ଞା ପାଳନକାରୀ ଗୋଲାମ । ତାହା ହିଁ ତା’ର ସ୍ୱାଭାବିକ ଅବସ୍ଥା । ଏ ବାବଦରେ ମୁଁ ଦୃଢ଼ ନିଶ୍ଚିତ-। ସେୟା ହେବାକୁ ହିଁ ସେ ତିଆରି ହୋଇଛି ଆଉ ଶେଷ ଯାଏ ସେୟା ହିଁ ହୋଇ ରହିବ ।

 

ପୁଣି, କେବଳ ବର୍ତ୍ତମାନ ସମୟରେ କେତେଗୁଡ଼ିଏ ପରିସ୍ଥିତିର ଚାପରେ ସେ ଯେ ଏପରି ହୋଇଛି ତା ନୁହେଁ, ପରନ୍ତୁ ସବୁବେଳେ, ସବୁ କାଳରେ ଗୋଟାଏ ପ୍ରକୃତ ଭଦ୍ରଲୋକ ଭୀରୁ ଓ ଗୋଲାମ ହେବାକୁ ବାଧ୍ୟ । ପୃଥିବୀ ସାରା ସବୁ ଭଦ୍ରଲୋକଙ୍କପାଇଁ ଏହାହିଁ ପ୍ରକୃତିର ନିୟମ । ସେମାନଙ୍କ ଭିତରୁ କେହି ଜଣେ, କେବେ ଯଦି, କୋଉ ଜିନିଷରେ ଅଧିକ ବୀରତ୍ୱ ଦେଖାଇଥାଏ, ତା ହେଲେ ସେଥିରେ ଖୁବ୍‍ଗୁଡ଼ାଏ ଖୁସି ହୋଇ ଭାସିଯିବାର କିଛି ନାହିଁ; ଆଉ ବେଶୀ କିଛି ଘଟିବା ପୂର୍ବରୁ ସେ ତାର ପ୍ରକୃତ ରୂପ ଖୁବ୍‍ଶୀଘ୍ର ଦେଖାଇଦେବ-ଭୀରୁ ଓ ଭୃତ୍ୟ । ସେଇମିତି ହିଁ ଏମାନେ ହୋଇଥାନ୍ତି ଆଉ ଅତିଶୀଘ୍ର ଏହାର ଅନ୍ତ ବି ଘଟେ । କେବଳ ଗଧ ଆଉ ଖେଚରଗୁଡ଼ାକ ସାହସୀ ହୋଇଥାନ୍ତି, ସେଗୁଡ଼ାଙ୍କର ସାହସ ପୁଣି ସେଇଯାଏଁ ଥାଏ- ଠେଲା ହୋଇ କାନ୍ଥ ପାଖରେ ପହଞ୍ଚିଲା ଯାଏ । (ଅର୍ଥାତ, ଗଧର ଧୈର୍ଯ୍ୟ ବହୁତ ବେଶୀ) ତେବେ ସେଗୁଡ଼ାଙ୍କ ଆଡ଼କୁ ନଜର ଦେବାର ଆବଶ୍ୟକତା ନାହିଁ, କାରଣ ସେମାନେ କୋଉ କାମର ନୁହଁନ୍ତି ।

 

ଆଉ ଗୋଟିଏ ପରିସ୍ଥିତି ବି ସେତେବେଳେ ମତେ ବିବ୍ରତ କରିଥିଲା; ସେଠି ମୋ ଭଳି ଆଉ ଜଣେ ବି କେହି ନଥିଲା, ଆଉ ମୁଁ ବି ଅନ୍ୟ କାହା ପରି ନଥିଲି । ଏଣୁ ମୋ ଚିନ୍ତାର ବିଷୟ ଥିଲା- “ମୁଁ ଏକୁଟିଆ ଗୋଟେ ପଟେ, ଆଉ ସେମାନେ ସମସ୍ତେ ଗୋଟେ ପଟେ ।’’

 

ଏଇଥିରୁ ସ୍ପଷ୍ଟ ଜଣାଯାଉଛି ମୁଁ ତଥାପି କେତେ ଅନଭିଜ୍ଞ ଥିଲି ।

 

ପୁଣିବେଳେବେଳେ ଏହାର ଠିକ୍ ଓଲଟା ହିଁ ଘଟୁଥିଲା ।ବେଳେବେଳେ ଅଫିସ ଯିବାଟା ଭାରି ବିରକ୍ତିକର ଲାଗୁଥିଲା; ଆଉ ଅବସ୍ଥା ଏତେ ଅସମ୍ଭାଳ ହୋଇ ଯାଉଥିଲା ଯେ ମୁଁ ପ୍ରାୟତଃ ଘରକୁ ଅସୁସ୍ଥ ହୋଇ ଫେରୁଥିଲି । ହେଲେ, ହଠାତ୍ ପୁଣି, ଶୂନ୍ୟତା ଭିତରୁ ମାଡ଼ି ଆସୁଥିଲା ନିରାଶାର ଗୋଟେ ଗୋଟେ ହାବୁକା, ସାରା ଦୁନିଆ ପ୍ରତି ଗୋଟେ ନିସ୍ପୃହ ଭାବ, ହୀନମନ୍ୟତା (ଏସବୁ ଗୋଟିଏ ପରେ ଗୋଟିଏ ମୋ ଉପର ଦେଇ ବୋହି ଯାଉଥିଲା), ଆଉ ମୁଁ ନିଜେ ମୋ ନିଜର ଅସହିଷ୍ଣୁ, ଚୋପାଛଡ଼ା ଗୁଣ ଦେଖି ନିଜ ଉପରେ ନିଜେ ହସୁଥିଲି, ଅତିମାତ୍ରାରେ ରୋମାଣ୍ଟିକ ହୋଇଯାଉଛି କହି ନିଜକୁ ନିଜେ ଗାଳି ଦେଉଥିଲି ।ବେଳେବେଳେ କାହାରି ସାଂଗେ ବି କଥା ହେବାକୁ ଇଚ୍ଛା କରୁନଥିଲି, ଆଉବେଳେବେଳେ କେବଳ ଆଳାପ କରୁନଥିଲି, ସେମାନଙ୍କ ସଂଗେ ବେଶ୍ ବଂଧୁତା ସ୍ଥାପନ କଲା ଭଳି ଘୃଣ୍ୟ କାର୍ଯ୍ୟ କରିବାକୁ ବି ଆଗେଇ ଯାଉଥିଲି । ମୋର ସବୁ ବାଛବିଚାର ଶକ୍ତି ହଠାତ କୌଣସି ଛନ୍ଦମେଳ ନଥାଇ, କୌଣସି କାରଣ ନଥାଇ କୁଆଡ଼େ ଉଭେଇ ଯାଉଥିଲା । କିଏ ଜାଣେ, ବୋଧହୁଏ ଏ ଗୁଣ କେବେ ବି ମୋ ଭିତରେ ନଥିଲା, ଏହା ବୋଧେ କେବଳ ବହି ପଢ଼ାରୁ ଆସିଥିଲା ଆଉ ମୋତେ ପ୍ରଭାବିତ କରିଥିଲା । ଆଜିଯାଏଁ ବି ଏଇ କଥାଟିର ସମାଧାନ ମୁଁ କରିପାରି ନାହିଁ । ଥରେ ମୁଁ ସେମାନଙ୍କ ସଂଗେ ଖୁବ୍ ସାଂଗ ହୋଇ ଯାଇଥିଲି, ସେମାନଙ୍କ ଘରକୁ ଯାଇଥିଲି, ତାସ ଖେଳିଥିଲି, ଭୋଡକା ପିଇଥିଲି, ପ୍ରମୋସନ ବାବଦରେ କଥା ହୋଇଥିଲି... ହେଲେ ଏଇଠି ମୋ ମୂଳ ବକ୍ତବ୍ୟରୁ ବିଚ୍ୟୁତ ହୋଇ ଆଉ ଗୋଟେ କଥା କହୁଛି ।

 

ସାଧାରଣ ଭାବରେ କହିଲେ, ଆମ ରୁଷୀୟ ଲୋକମାନଙ୍କ ଭିତରେ କେବେ ସେମିତି ନିର୍ବୋଧ ଦାର୍ଶନିକ, କଳ୍ପନା ବିଳାସୀ ଦେଖାଯାନ୍ତି ନାହିଁ, ଯେମିତି ଜର୍ମାନ ବା ତତୋଧିକ ଫରାସୀମାନଙ୍କ ଭିତରେ ଦେଖାଯାନ୍ତି- ଯେଉଁମାନଙ୍କ ଉପରେ କୌଣସି ଜିନିଷ କେବେ ବି ପ୍ରଭାବ ପକାଏ ନାହିଁ; ଯଦି ଗୋଟାଏ ଭୂମିକମ୍ପ ବି ହୋଇଯାଏ; ଯୁଦ୍ଧରେ ଯଦି ସମଗ୍ର ଫ୍ରାନ୍ସ ଲୋପ ପାଇଯାଏ, ତେବେ ବି ସେମାନେ ସେଇ ଏକା ପରି ରହିଥିବେ, ଗୋଟାଏ ପରିବର୍ତ୍ତନକୁ ପ୍ରତ୍ୟକ୍ଷ କଲାଭଳି ସାଧାରଣ ସୌଜନ୍ୟ ବି ସେମାନଙ୍କର ନାହିଁ, ତା ବଦଳରେ ସେମାନେ ତଥାପି ଗାଇ ଚାଲିଥିବେ ମୁକ୍ତିର ଦର୍ଶନ-ସଂଗୀତ, ମୃତ୍ୟୁର ପୂର୍ବ ମୁହୂର୍ତ୍ତ ଯାଏଁ, କାରଣ ସେମାନେ ସମସ୍ତେ ନିର୍ବୋଧ ।

 

ଆମ ରୁଷିଆରେ କେହି ସେଭଳି ବୋକା ନାହାନ୍ତି; ଏଇଟା ଗୋଟାଏ ଜଣାଶୁଣା କଥା । ତାହା ହିଁ ଆମକୁ ବିଦେଶ ଭୂଇଁରୁ ଅଲଗା କରି ଚିହ୍ନାଇଛି । ତେବେ ପରବର୍ତ୍ତୀ କାଳରେ ଦେଖାଯାଇଛି ଯେ ଏଇ ଦାର୍ଶନିକ ପ୍ରକୃତିମାନ ଆମ ଭିତରେ ଆଉ ଆଗଭଳି ତାର ସେହି ମୌଳିକ ସ୍ୱଚ୍ଛ ଉପାଦାନ ସହିତ ପ୍ରକାଶ ପାଉ ନାହିଁ । ବଦଳରେ ଦାର୍ଶନିକ କଳ୍ପନାବିଳାସ, ମୁକ୍ତିଚେତନା ଆଦି ଭଳି ଜିନିଷ ଯେ ଅଛି, ଏ ଧାରଣା ଆମେ ସେ କାଳର ବାସ୍ତବବାଦୀ ସାମ୍ବାଦିକ ଆଉ ସମାଲୋଚକମାନଙ୍କ ଦୟାରୁ ପାଉଛୁ । ସେମାନେ ସବୁବେଳେ କୋସ୍ତାଞ୍ଜେଗୋଲ (୧) ଓ ଅଙ୍କଲ୍ ପିଟର ଇଭାନୋଭିଚ(୨)ମାନଙ୍କ ଅନ୍ୱେଷଣରେ ଥାଆନ୍ତି ଆଉ ନିର୍ବୋଧ ପରି ସେମାନଙ୍କୁ ଆମର ଆଦର୍ଶ ବୋଲି ଭାରି ବଡ଼ ପାଟିରେ କହି ବୁଲନ୍ତି; ଜର୍ମାନ ଓ ଫ୍ରାନ୍‌ସରେ ଯେମିତି ରୋମାଣ୍ଟିକମାନଙ୍କୁ ମୁକ୍ତି ଚେତନାର ଚିନ୍ତକ ବା ଦାର୍ଶନିକରୂପେ ଦେଖନ୍ତି, ସେଇଭଳି ଆମ ରୋମାଣ୍ଟିକମାନଙ୍କୁ ଆଦର୍ଶ ଭାବି ସେମାନଙ୍କ ମୌଳିକତାକୁ ଟିକିଟିକି କରି କାଟି ସତ୍ୟାନାଶ କରି ଦେଇଛନ୍ତି, ଆମ ରୋମାଣ୍ଟିକମାନଙ୍କୁ ହତ୍ୟା କରିଛନ୍ତି ଏଇ ସମାଲୋଚକମାନେ ଅଥଚ ଆମ ରୋମାଣ୍ଟିକମାନଙ୍କ ଚରିତ୍ର ସଂପୂର୍ଣ୍ଣ ଭାବରେ ୟୁରୋପୀୟ ଦାର୍ଶନିକ ଚରିତ୍ରର ଠିକ ଓଲଟା ରହି ଆସିଛି, ଆଉ କୌଣସି ବି ୟୁରୋପୀୟ ମାନଦଣ୍ଡ ସେମାନଙ୍କ ପ୍ରତି ଆଦୌ ପ୍ରଯୁଜ୍ୟ ହୋଇାପାରିବ ନାହିଁ । (ଏହି ଶବ୍ଦଟି ପ୍ରୟୋଗ କରିବାକୁ ମୋତେ ଅନୁମତି ଦିଅ- ‘ରୋମାଣ୍ଟିକ’ ଗୋଟାଏ ପୁରୁଣାକାଳିଆ ଆଉ ଅତି ସମ୍ମାନଜନକ ଶବ୍ଦ ଯାହା ପୃଥିବୀର ବହୁତ ମଂଗଳ କରିଛି ଆଉ ସମସ୍ତଙ୍କର ଅତି ପରିଚିତ ।)

 

ଆମ ରୋମାଣ୍ଟିକମାନଙ୍କର ଚରିତ୍ର ହେଲା ସବୁ ଜିନିଷକୁ ଭଲ କରି ବୁଝିବା, ସବୁ ଜିନିଷକୁ ଭଲ କରି ଦେଖିବା, ଆଉ ଏହାକୁ ବାସ୍ତବବାଦୀମାନେ ଯେପରି ଦେଖନ୍ତି, ତାଠାରୁ ଅଧିକ, ଅତୁଳନୀୟ ସ୍ପଷ୍ଟତାର ସହ ଦେଖିବା, କାହାରିକୁ ବା କୌଣସି ଜିନିଷକୁ ଗ୍ରହଣ କରିବାକୁ ମନା କରିଦେବା, ଅଥଚ ସେଇ ଏକା ସାଥିରେ କୌଣସି ଜିନିଷକୁ ଘୃଣା ନ କରିବା; ନୀତି ନିୟମ ବୋଲି କିଛି ନ ମାନିବା, ପୋଷା ମାନିଯିବା; କେବେ ବି ଗୋଟାଏ ଦରକାରୀ ପାର୍ଥିବ ବସ୍ତୁକୁ ଆଖି ସାମନାରୁ ଦୂରେଇ ନଦେବା (ଯେମିତି ସରକାରୀ ଖର୍ଚ୍ଚରେ ଭଡ଼ା-ମୁକ୍ତ ବିରାଟ ଘର, ପେନ୍‌ସନ୍‌, ପଦବୀ, ସମ୍ମାନ, ଉପାଧି-ପଦକ ଇତ୍ୟାଦି), ଯେତେ ସବୁ ଉତ୍ସାହ ଆଉ ଯେତେସବୁ ବସ୍ତାବସ୍ତା ଗୀତିମୟ ବା ଗୀତିହୀନ କବିତା ଭିତରେ ବି ଆଖିକୁ ସେଇ ଦରକାରୀ ବସ୍ତୁ ଉପରେ ଥାପି ରଖିବା, ଆଉ ଏକା ସାଥିରେ ‘ଭଲ ଓ ସୁନ୍ଦର’କୁ ଅକ୍ଷତ ଭାବରେ ନିଜ ଭିତରେ ଶେଷ ନିଃଶ୍ୱାସ ଯାଏ ସଂରକ୍ଷଣ କରି ରଖି ନିଜକୁ ବି ସୁରକ୍ଷିତ ରଖିବା, ଗୋଟାପଣେ ନିଜକୁ ଅକ୍ଷତ ରଖିବା, ଅତି ମୂଲ୍ୟବାନ ରତ୍ନାଳଙ୍କାରକୁ ତୁଳା ଭିତରେ ରଖିଲା ପରି, ହେଉ ପଛେ ଏହା କେବଳ ‘ଭଲ ଓ ସୁନ୍ଦର’ର ମାନରକ୍ଷାପାଇଁ ।

 

ଆମ ରୋମାଣ୍ଟିକମାନେ ହେଉଛନ୍ତି ଗୋଟିଏ ଗୋଟିଏ ବିପୁଳ ବ୍ୟାପ୍ତି ଥିବା ମଣିଷ ଆଉ ଆମର ସବୁ ସଇତାନମାନଙ୍କ ଭିତରେ ସବୁଠାରୁ ବଡ଼ ସଇତାନ, ପାଜି, ହଁ ମୁଁ ଯାହା କହୁଛି, ବିଶ୍ୱାସ କର, ମୁଁ ମୋ ଅନୁଭୂତିରୁ ଏ କଥା କହୁଛି । ଅବଶ୍ୟ, ଏକଥା ସତ ଯେ, ଏସବୁ ଘଟେ ଯଦି ସେ ବୁଦ୍ଧିମାନ ହୋଇଥାଏ । ହେଲେ ମୁଁ ଏ କ’ଣ କହୁଛି? ରୋମାଣ୍ଟିକ ତ ସବୁବେଳେ ବୁଦ୍ଧିମାନ, ଆଉ ମୁଁ କେବଳ ଏୟା କହିବାକୁ ଚାହୁଁଛି ଯେ, ଯଦିବା ଆମର ବୋକା-ରୋମାଣ୍ଟିକ ଅଛନ୍ତି ସେମାନଙ୍କର କେହି ହିସାବ ରଖନ୍ତିନି, ଆଉ ସେମାନେ ବି ଏପରି ହେବାର କାରଣ ଅଛି । କାରଣ, ଯୌବନ ଆରମ୍ଭ ହେଉ ହେଉ ସେମାନେ ଅଧଃପତିତ ହୋଇ ଜର୍ମାନମାନଙ୍କ ଆଡ଼କୁ ଢଳି ପଡ଼ନ୍ତି, ଆଉ ସେମାନଙ୍କ ମୂଲ୍ୟବାନ ଅଳଙ୍କାର (ପତ୍ନୀ)ମାନଙ୍କୁ ଅଧିକ ଆରାମରେ ରଖିବାକୁ ସେଇଠି କୋଉଠି ରହିଯାଆନ୍ତି, ଘରଦୁଆର କରି-ପସନ୍ଦଯୋଗ୍ୟ ଯାଗାରେ, ପ୍ରାୟତଃ ୱେଇମାର ବା ବ୍ଲାକ ଫରେଷ୍ଟରେ, ସ୍ୱଇଚ୍ଛାରେ ।

 

ମୁଁ ସତରେ, ଭାରି ଘୃଣା କରୁଥିଲି ମୋ ଅଫିସ୍ କାମକୁ, ହେଲେ ଖୋଲାଖୋଲି କେବେ ଏହାର ଅବମାନନା କରୁନଥିଲି, କାରଣ ମୁଁ ନିଜେ ଏହାରି ଭିତରେ ଥିଲି ଆଉ ଏଥିପାଇଁ ଦରମା ପାଉଥିଲି । ସେ ଯା ହେଉ, ମନେରଖ, ମୁଁ କେବେ ଏହାର ଖୋଲାଖୋଲି ଅବମାନନା କରି ଏହାକୁ ଗାଳି ଦେଇ ନଥିଲି । ଆମ ରୋମାଣ୍ଟିକମାନେ ପାଗଳା ହୋଇଯିବେ ପଛେ- ଏପରି ଯଦିଓ କ୍ୱଚିତ ଘଟେ- କିନ୍ତୁ ଖୋଲା ଗାଳି କେବେ ଦେବେ ନାହିଁ, ଅବଶ୍ୟ ତାଙ୍କର ଯଦି ଅନ୍ୟ ଚାକିରୀ ଉପରେ ଆଖିଥାଏ ତା ହେଲେ ଭିନ୍ନ କଥା; ଆଉ ସେମାନଙ୍କର ଚାକିରୀ କେବେ ଯାଏ ନାହିଁ । ଅତିବେଶୀରେ ତାଙ୍କୁ ସେମାନେ ‘ସ୍ପେନ୍ ଦେଶର ରାଜା’ ପରି ପାଗଳ ଗାରଦକୁ ନେଇଯାନ୍ତି, ଯଦି ସେମାନେ ଅତିବେଶୀ ପାଗଳାମୀ ଦେଖାନ୍ତି । ତେବେ କେବଳ ଦୁର୍ବଳ ଆଉ ସାଧୁ ଲୋକମାନେ ରୁଷିଆ ଦେଶରେ ପାଗଳ ହୁଅନ୍ତି ।

 

ଅସଂଖ୍ୟ ରୋମାଣ୍ଟିକ ପରବର୍ତ୍ତୀ ଜୀବନକାଳରେ ଚାକିରୀରେ ବେଶ୍ ଉଚ୍ଚପଦବୀରେ ଅଧିଷ୍ଠିତ ହୋଇଛନ୍ତି । ସେମାନଙ୍କ ବହୁମୁଖୀ ପ୍ରତିଭା ପ୍ରକୃତରେ ଲକ୍ଷ୍ୟ କରିବା ଭଳି ଜିନିଷ । ଆଉ କି ପ୍ରବଳ ଦକ୍ଷତା ସେମାନଙ୍କର ପୂରାପୂରି ବିପରୀତଧର୍ମୀ ଆବେଗ ପ୍ରକାଶ କରିବାରେ ! ସେତେବେଳେ ବି ଏଇକଥା ଭାବି ମୁଁ ସାନ୍ତ୍ୱନା ପାଉଥିଲି, ଆଉ ଆଜି ବି ମୋର ମତ ସେଇମିତି ଅପରିବର୍ତ୍ତିତ ରହିଛି ।

 

ସେଇଥିପାଇଁ ତ ଆମ ଭିତରେ ଏତେ ଅଧିକ ସଂଖ୍ୟାରେ ‘ଉଦାର ପ୍ରକୃତିର ପ୍ରଶସ୍ତମନା’ ଲୋକ ଅଛନ୍ତି, ଯେଉଁମାନେ ନିଜର ଆଦର୍ଶକୁ କେବେ ଜଳାଞ୍ଜଳି ଦିଅନ୍ତି ନାହିଁ; ଅଧଃପତନର ଚରମ ଅବସ୍ଥାରେ ବି ନୁହେଁ; ପୁଣି ସେମାନେ ଯଦିଓ ନିଜ ଆଦର୍ଶପାଇଁ ଆଙ୍ଗୁଳିଟିଏ ବି କେବେ ହଲାନ୍ତି ନାହିଁ, ଯଦିଓ ସେମାନେ ଜନ୍ମରୁ ଚୋର ଓ ମୂର୍ଖ, ତଥାପି ସେମାନେ ଛଳଛଳ ନୟନରେ ସେମାନଙ୍କ ପ୍ରଥମ ଆଦର୍ଶକୁ ବେଶ୍ ବଞ୍ଚାଇ ରଖନ୍ତି ଆଉ ହୃଦୟ ଭିତରେ ଭାରି ସାଧୁ ବୋଲି କହି ହେଉଥାନ୍ତି ।

ହଁ, କେବଳ ଆମରି ଭିତରେ ହିଁ ଥାଆନ୍ତି ଏଇଭଳି ଅଭ୍ୟାସଗତ ସଇତାନମାନେ ଯେଉଁମାନେ ନିଜକୁ ସଇତାନ ହେବାରୁ କେବେ ବି ନିବୃତ୍ତ ନ କରି, ହୃଦୟ ଭିତରେ ଅସାଧାରଣ ସାଧୁ ହୋଇ, ବେଶ୍ ଆରାମରେ, ସ୍ୱଚ୍ଛନ୍ଦରେ ରହିପାରନ୍ତି । ପୁଣି ଥରେ କହୁଛି ମୁଁ, ଆମ ରୋମାଣ୍ଟିକମାନେ, ପ୍ରାୟତଃ ଏଇମିତି ଚଇନି ଚିକ୍କଣ, ଚରଣଚୂଟିଆ ରାସକେଲ ହୋଇ ରହିଥାଆନ୍ତି ଜୀବନସାରା । (ରାସକେଲ ଶବ୍ଦଟିକୁ ଏଠି ମୁଁ ସ୍ନେହରେ ପ୍ରୟୋଗ କରୁଛି), ପୁଣିବେଳେବେଳେ ହଠାତ୍ ଏଭଳି ସାଂସାରିକ ଜ୍ଞାନର ଅବତାରଣା କରନ୍ତି, ଏଭଳି ବିଷୟବୁଦ୍ଧି ପ୍ରଦର୍ଶନ କରନ୍ତି ଯେ, ସେମାନଙ୍କୁ ଆଦୌ ବୁଝିପାରୁ ନଥିବା ସେମାନଙ୍କ ଉପର ହାକିମ ଆଉ ସାଧାରଣ ଲୋକେ ବି ଜଳକା ହୋଇ କେବଳ ରହିଯାନ୍ତି ଆଉ ଉପରବାଲାକୁ ସ୍ମରଣ କରନ୍ତି ।

 

ସେମାନଙ୍କ ବହୁରୂପୀ ଢଂଗ ଆଉ ବହୁ ଦିଗକୁ ଏକା ସାଂଗରେ ଭିଡ଼ି ଯିବାର ଦକ୍ଷତା ଦେଖିଲେ, ପ୍ରକୃତରେ ତୁମେ ଅବାକ ନହୋଇ ରହିପାରିବନି, ଆଉ କେବଳ ଈଶ୍ୱରଙ୍କୁ ଗୋଚର ପରବର୍ତ୍ତୀ କାଳରେ ବିକଶିତ ହୋଇ ଏହା କିଭଳି ରୂପ ନେବ ଆଉ ଏହାର ଭବିଷ୍ୟତ ଗର୍ଭରେ ଆମପାଇଁ କ’ଣ ଲେଖା ହୋଇଛି । ଏହାକୁ ଗୋଟିଏ ସାଧାରଣ ଜିନିଷ ବୋଲି ଆଦୌ ଭାବନାହିଁ ! ଏ କଥା ମୁଁ କୌଣସି ମୂର୍ଖତା ବା ଅହଂକାରଭରା ଦେଶଭକ୍ତିରୁ କହୁନାହିଁ ! ତୁମେ ବୋଧେ ଭାବୁଛ ମୁଁ ଥଟ୍ଟା କରୁଛି ବୋଲି? ନ ହେଲେ ଏହାର ଠିକ ବିପରୀତ ଭାବୁଥିବ । ତେବେ ତୁମର ଏହି ଉଭୟ ଦୃଷ୍ଟିକୋଣକୁ ମୁଁ ସମାନ ଶ୍ରଦ୍ଧାର ସହ ସ୍ୱାଗତ କରିବି, ହେଲେ କୋଉ କଥାରୁ ଆସି କୋଉଠି ପହଞ୍ଚିଲିଣି । ମୋର ଏଇ ବିଚ୍ୟୁତିକୁ କ୍ଷମାକର ।

 

ଆଗରୁ ତ କହିଛି ଯେ, ମୁଁ ମୋ ସହକର୍ମୀମାନଙ୍କ ସହ ବିଶେଷ ବଂଧୁତା ରଖିପାରି ନଥିଲି, ଫଳରେ ଖୁବ୍ ଶୀଘ୍ର ସେମାନଙ୍କ ସହ ମୁହାଁମୁହିଁ ହୋଇ ହାତାହାତି ଆବସ୍ଥାକୁ ଆସିଗଲି, ଆଉ ମୋର ନିଜର ବୟସ କମ ସାଙ୍ଗକୁ ଅନୁଭୂତିର ଅଭାବ ଯୋଗୁଁ ସେମାନଙ୍କ ପାଖରେ ମୁଣ୍ଡ ନୁଆଁଇବା ବି ହଠାତ୍ ଛାଡ଼ି ଦେଲି । ଅବଶ୍ୟ ଏମିତି ଗୋଟିଏ ଥର ଘଟିଥିଲା । କାରଣ ମୁଁ ସବୁବେଳେ ଏକୁଟିଆ ହିଁ ଥିଲି ।

 

ପ୍ରଥମ କଥା, ମୁଁ ଅଧିକାଂଶ ସମୟ ଘରେ ହିଁ କଟାଉଥିଲି, ବହି ପଢ଼ି । ମୋ ଭିତରେ ଅହରହ ସଁ ସଁ ହେଉଥିଲା ଗୋଟାଏ ବାମ୍ଫ, ଆଉ ସେଇ ବାମ୍ଫକୁ ଚାପି ଦେବାକୁ ମୁଁ ଚେଷ୍ଟା କରୁଥିଲି, ମୋର ବାହାରୁ ପାଇଥିବା ବିଚାରଦ୍ୱାରା । ଆଉ ମୋର ସେଇ ବାହାର ଉପାୟଟି ଥିଲା ବହି ପଢ଼ିବା । ପଢ଼ିବା କାମଟି ଅବଶ୍ୟ ମୋତେ ବହୁତ ସାହାଯ୍ୟ କରିଥିଲା- ଉତ୍ତେଜିତ କରୁଥିଲା ମୋତେ, ସୁଖ ଓ ଦୁଃଖ ଉଭୟ ଦେଇ, ହେଲେ ଭୟାନକଭାବେ ବିରକ୍ତ ବି କରୁଥିଲା ।

 

ସବୁ ଜିନିଷ ସତ୍ୱେ ଜଣେ କିଛି ଗୋଟାଏ କରିବାକୁ ଚାହେଁ, ମୁଁ ବି ସେଇଭଳି ଚାହୁଁଥିଲି, ଆଉ ତତ୍‌କ୍ଷଣାତ ଲମ୍ଫ ପ୍ରଦାନ କରୁଥିଲି ଅନ୍ଧାର ଭିତରକୁ, ପାତାଳପୁରୀକୁ, ହୀନତମ ଘୃଣ୍ୟ ଅପରାଧ ଜଗତ ଭିତରକୁ । ମୋର କୁତ୍ସିତ ଆବେଗମାନ ଥିଲା ପ୍ରବଳ, ଆଉ ସୁଯୋଗ ପାଇଲାମାତ୍ରେ ମତେ ଯାବୁଡ଼ି ଧରି ପକାଉଥିଲା । ଏସବୁ ଘଟୁଥିଲା କେବଳ ମୋର ଲଗାତାର କଦର୍ଯ୍ୟ ନିଷ୍କ୍ରିୟତାରୁ । ଲୁହ ଓ ବାତ ସହିତ ହଠାତ ଉତ୍ତେଜିତ ହୋଇ ପଡ଼ିବା ହିଷ୍ଟ୍ରିଆ ରୋଗ ମୋର ଥିଲା । ପଢ଼ିବା ବ୍ୟତୀତ ଆଉକିଛି ବାଟ ବି ନଥିଲା ମୋ ପାଖରେ, ଅର୍ଥାତ ମୋ ପରିବେଶରେ ପଢ଼ାକୁ ଛାଡ଼ିଦେଲେ ଆଉକିଛି ଏପରି ନଥିଲା, ଯାହାକୁ ମୁଁ ସମ୍ମାନ କରି ପାରିଥାନ୍ତି ବା ଯାହା ମୋତେ ଆକର୍ଷିତ କରିଥାନ୍ତା । ଅବସାଦ ତ ଥିଲା ମୋର ଚିର ସାଥୀ; ତା ସାଙ୍ଗକୁ ଉଦ୍ଭଟତା ଆଉ ବିରୋଧାଭାସ ପ୍ରତି ମୋର ଗୋଟେ ପ୍ରକାର ପାଗଳ ଆକର୍ଷଣ ଥିଲା । ଏଣୁ ମୁଁ ପାପକୁ ଗ୍ରହଣ କରିନେଲି । ଏସବୁ ମୁଁ କହୁ ନାହିଁ ନିଜକୁ ଯଥାର୍ଥ ପ୍ରମାଣ କରିବାକୁ... କିନ୍ତୁ ନାଃ । ମୁଁ ପୁଣି ମିଛ କହୁଛି । ମୁଁ ନିଜକୁ ଯଥାର୍ଥ ପ୍ରମାଣ କରିବାକୁ ହିଁ ଚାହୁଁଛି । ମୁଁ ସେଇ ଛୋଟିଆ ‘ଯଥାର୍ଥ’ଟି ଉପରେ ବେଶ୍ ନଜର ରଖିଛି । ମୋ ନିଜର ଉପକାରପାଇଁ ଭଦ୍ରଜନେ, ଏବେ ମୁଁ ଆଉ ଅଧିକ ମିଛ କହିବାକୁ ଚାହେଁନି । ନିଜ ପାଖରେ ନିଜେ ମୁଁ ପ୍ରତିଜ୍ଞା କରିଛି ଆଉ ମୁଁ ମିଛ କହିବି ନାହିଁ ।

 

ତାହେଲେ ମୋଠୁ ସତ ଶୁଣ । ଲୁଚି ଲୁଚି ଚୋର ପରି, ପଳାତକ ପରି, ଭୀରୁ ପରି ଏକାନ୍ତରେ, ନିଭୃତ ରାତିରେ ମୁଁ ଘୃଣ୍ୟ ପାପରେ ଲିପ୍ତ ହୋଇଛି, ସାଥିରେ ରହିଛି ସବୁବେଳେ ଗୋଟାଏ ଗ୍ଲାନିକର ଲଜ୍ଜା ଯାହା ମୋତେ କେବେ ବି ଛାଡ଼ି ଯାଇ ନାହିଁ । ଏପରିକି ସବୁଠାରୁ ଘୃଣ୍ୟ ମୁହୂର୍ତ୍ତମାନଙ୍କରେ ବି, ଏଇ ଲଜ୍ଜା ଯୋଗୁ ନିଜକୁ ମୁଁ ଅଶ୍ରାବ୍ୟ ଭାଷାରେ ଗାଳି ଦେଇଛି । କେତେ କାତର ହୋଇଛି । ସେତେବେଳେ ବି ମୋ ଆତ୍ମା ଭିତରେ ମୋର ଏଇ ଅନ୍ଧାରି ଦୁନିଆ ବେଶ୍ ଜୋର୍ ବସା ବାନ୍ଧି ରହିଛି । ମୁଁ ପ୍ରାଣାନ୍ତକ ଭୟ କରିଛି, କାଳେ କିଏ ଦେଖି ଦେବ, କାଳେ କିଏ ଭେଟ ହୋଇଯିବ, କାଳେ କିଏ ଚିହ୍ନି ପକାଇବ । ବେଶୀ ଲୋକ ଯାଉ ନଥିବା, କେତେ ଅପରିଚିତ ବଦନାମ ଗଳିରେ ଘୁରି ବୁଲିଛି ମୁଁ- ବାରମ୍ବାର, ଲୁଚିଲୁଚି ।

 

ଏଇମିତି ଦିନେ ରାତିରେ ଗୋଟାଏ ପାନ୍ଥଶାଳା ବାଟ ଦେଇ ଯାଉଥିଲାବେଳେ ଗୋଟେ ଆଲୋକିତ ଝର୍କା ବାଟେ ଦେଖିଲି କେତେଜଣ ଭଦ୍ରଲୋକ ବିଲିୟାର୍ଡ ବାଡ଼ି ଧରି ମରାମରି ହେଉଛନ୍ତି, ତାପରେ ଦେଖିଲି ସେମାନଙ୍କ ଭିତରୁ ଜଣକୁ ବାହାରକୁ ଫିଙ୍ଗି ଦିଆହେଲା । ଅନ୍ୟ ସମୟରେ ଏ ଦୃଶ୍ୟ ମୋତେ ବିରକ୍ତ କରିଥାନ୍ତା, ହେଲେ ସେତେବେଳେ ମୋର ମନର ଅବସ୍ଥା ଏପରି ଥିଲା ଯେ ପ୍ରକୃତରେ ସେ ଝର୍କାରୁ ଫୋପଡ଼ା ହୋଇଥିବା ଲୋକଟିକୁ ମୁଁ ଈର୍ଷା କଲି- ତାକୁ ଏତେ ଈର୍ଷା କଲି ଯେ, ମୁଁ ନିଜେ ସେଇ ପାନ୍ଥଶାଳା ଭିତରକୁ ଗଲି ଆଉ ତାପରେ ଗଲି ସେଇ ବିଲିୟାର୍ଡ଼ କୋଠରୀକୁ । ଭାବିଲି, “ବୋଧହୁଏ ମୁଁ ବି ଗୋଟାଏ ଯୁଦ୍ଧର ସାମ୍ନା କରିବି ଓ ସେମାନେ ମୋତେ ରାସ୍ତା ଉପରକୁ ଫିଙ୍ଗି ଦେବେ ।’’

 

ମୁଁ ମାତାଲ ହୋଇ ନଥିଲି- କିନ୍ତୁ ଜଣକୁ କ’ଣ ଏପରି କରିବାକୁ ହେବ ଯାହା ଫଳରେ ଅନ୍ୟ ସଂଭ୍ରାନ୍ତମାନେ ସେଇ ଜଣକୁ ଏଭଳି ପାଗଳ ଅବସ୍ଥାକୁ ଫିଙ୍ଗି ଦେବେ । ହେଲେ ସେପରି କିଛି ଘଟିଲା ନାହିଁ । ବରଂ ସେଠାକୁ ଯାଇ ଜାଣିଲି ଯେ ଝର୍କା ବାଟେ ଫିଙ୍ଗା ହେବାର ଯୋଗ୍ୟ ବି ମୁଁ ନଥିଲି ଏବଂ ସେଠାରୁ ମୁଁ ପଳାଇ ଆସିଲି ବିନା ଯୁଦ୍ଧରେ ।

 

ପ୍ରଥମରୁ ହିଁ ଗୋଟାଏ ପୁଲିସ୍ ଅଫିସର ମୋତେ ମୋର ଯୋଗ୍ୟ ଯାଗାରେ ଥୋଇ ଦେଇଥିଲା ।

 

ବିଲିୟାର୍ଡ଼ ଟେବୁଲ ପାଖରେ ମୁଁ ଠିଆ ହୋଇଥିଲି ଆଉ ମୋ ଅଜାଣତରେ ବାଟ ଓଗାଳି ଠିଆ ହୋଇଥିଲି, ସେ ଭଦ୍ରଲୋକଟି ସେଇବାଟେ ଯିବାକୁ ଚାହୁଁଥିଲା; ମୋ କାନ୍ଧଧରି, କିଛି ପଦେ ବି କଥା ନକହି- କୌଣସି ସତର୍କ ବାଣୀ ନଶୁଣାଇ ବା କ୍ଷମାପ୍ରାର୍ଥନା ନକରି- ମୋତେ ମୋ ଯାଗାରୁ ନେଇ ଆଉ ଗୋଟେ ଯାଗାରେ ଥୋଇ ଦେଲା ଆଉ ସେଇ ବାଟ ଦେଇ ଏପରି ଚାଲିଗଲା ଯେପରି ସେ ମୋତେ ଦେଖି ନଥିଲା । ତା ମୁଥକୁ ମୁଁ କ୍ଷମା କରିପାରିଥାନ୍ତି, ହେଲେ ମୋତେ ଲକ୍ଷ୍ୟ ନକରି ଗୋଟାଏ ଯାଗାରୁ ଆଉ ଗୋଟେ ଯାଗାକୁ ଉଠାଇ ଦେବାଟାକୁ ମୁଁ କ୍ଷମା କରିପାରିଲି ନାହିଁ ।

 

ସଇତାନ କେବଳ ଜାଣିଥିଲେ ଜାଣିଥିବ ଗୋଟାଏ ନିୟମିତ, ପ୍ରକୃତ ବିବାଦ, ଅଧିକ ଭଦ୍ର, ଅଧିକ ଆକ୍ଷରିକ ଅର୍ଥରେ ଗୋଟାଏ ବିବାଦପାଇଁ ମୁଁ ସେତେବେଳେ କିମିତି ମୋର ସବୁ କିଛି ଦେଇ ଦେବାକୁ ପ୍ରସ୍ତୁତ ଥିଲି । ହେଲେ ମୁଁ ପାଇଲି କ’ଣ? ପାଇଲି, ଗୋଟାଏ ମାଛି ପରି ବ୍ୟବହାର । ଏ ପୁଲିସଟା ଛଅଫୁଟରୁ ଅଧିକ ଉଚ୍ଚ ଥିଲା, ଆଉ ମୁଁ ଥିଲି ଅତ୍ୟନ୍ତ ପତଳା, ଛୋଟିଆଟିଏ । ହେଲେ କଳହଟା ତ ମୋ ହାତରେ ଥିଲା । ମୁଁ କେବଳ ମୋର ନାରାଜି ଦେଖାଇଥାନ୍ତି, ଆଉ ନିଶ୍ଚିତ ଭାବରେ ମୋତେ ଝର୍କା ବାଟେ ଫିଙ୍ଗି ଦିଆଯାଇ ଥାଆନ୍ତା । କିନ୍ତୁ ମୁଁ ମୋର ମନ ବଦଳାଇ ନେଲି ଆଉ ତିକ୍ତ ପଛଘୁଞ୍ଚା ଦେବାକୁ ଅଧିକ ପସନ୍ଦ କଲି ।

 

ସେଇ ପାନ୍ଥଶାଳାରୁ ସିଧା ମୁଁ ଘରକୁ ଫେରି ଆସିଲି, ଚିନ୍ତିତ, ବିବ୍ରତ ହୋଇ । ଆଉ ପରଦିନ ରାତିରେ ମୋର ହୀନ ନୈତିକ ସ୍ଖଳନକୁ ଧରି, ଆହୁରି ଅଧିକ ଛପିଛପି, ବଡ଼ ଚୋରଟିଏ ପରି, ଆଗଠାରୁ ଅଧିକ ଦୟନୀୟ ଭାବରେ, ଆଖିରେ ଆଖିଏ ଲୁହଧରି ବାହାରିଲି- ହେଲେ ପୁଣିଥରେ ତଥାପି ବାହାରିଲି ତ ! ଭାବନାହିଁ ଯେ, ଭୀରୁତା ମୋତେ ସେ ଅଫିସରଠାରୁ ପଛେଇ ଆସିବାକୁ ବାଧ୍ୟ କରିଥିଲା; ମୁଁ ମୋ ହୃଦୟ ଭିତରେ ମନ ଭିତରେ ପ୍ରକୃତରେ କେବେ ଭୀରୁ ହୋଇାନାହିଁ, ହେଲେ ମୋ କାର୍ଯ୍ୟକଳାପରେ ସବୁବେଳେ ମୁଁ ଭୀରୁ ହୋଇ ଆସିଛି । ଏତେ ଚଞ୍ଚଳ ହସି ପକାଅ ନାହିଁ- କଥା ହେଉଛି ମୁଁ ଏସବୁର ସଂପୂର୍ଣ୍ଣ ବ୍ୟାଖ୍ୟା କରିପାରିବି ।

 

ଓଃ, ଯଦି ସେ ଅଫିସରଟା ସେଇମାନଙ୍କ ଭିତରୁ ଜଣେ ହୋଇଥାନ୍ତା, ଯିଏ ଗୋଟାଏ ଦ୍ୱନ୍ଦ୍ୱ ଯୁଦ୍ଧ ଲଢ଼ିବାକୁ ସମ୍ମତି ଦେଇଥାନ୍ତା ! କିନ୍ତୁ ନାଃ, ସେ ସେଇମିତି ଭଦ୍ରଲୋକ (ଆଃ, ବହୁକାଳୁ ବିଲୁପ୍ତ)ଙ୍କ ଭିତରୁ ଜଣେ ଥିଲା, ଯିଏ ବିଲିୟାର୍ଡ଼ ବାଡ଼ି ଧରି ଯୁଦ୍ଧ କରିବାକୁ ଅଧିକ ପସନ୍ଦ କରେ, କିମ୍ବା ଗୋଗଲ୍‌ଙ୍କ ଲେଫଟନାଣ୍ଟ ପିରାଗୋଭ(୩) ପରି ପୁଲିସର ସହାୟତା ନେବାକୁ ଅଧିକ ପସନ୍ଦ କରେ । ସେମାନେ ଦ୍ୱନ୍ଦ୍ୱଯୁଦ୍ଧ କେବେ କରନ୍ତି ନାହିଁ, ଆଉ ଯାହା ହେଲେ ବି ମୋ ଭଳି ଗୋଟେ ସାଧାରଣ ଲୋକ ସହ ଦ୍ୱନ୍ଦ୍ୱଯୁଦ୍ଧ କରିବାଟାକୁ ତ ସେମାନେ କାନ ଉଠିଲା ଦିନୁ ଶୁଣିନଥିବା କଥାଟାଏ ବୋଲି ଭାବି ଥାଆନ୍ତେ- ଆଉ ବି ଦ୍ୱନ୍ଦ୍ୱଯୁଦ୍ଧକୁ ସେମାନେ ଦେଖୁଥିଲେ ଗୋଟେ ପ୍ରକାର ଅସମ୍ଭବ, ଅବାଧ, ଅବାନ୍ତର ଫରାସୀୟ ଚେତନା ରୂପରେ । ହେଲେ ସେମାନେ ଛିଗୁଲେଇ, ଅପମାନ ଦେଇ ତଳିତଳାନ୍ତ କରିଦେବାକୁ ଥିଲେ ସଂପୂର୍ଣ୍ଣ ପ୍ରସ୍ତୁତ, ବିଶେଷ କରି ଯେତେବେଳେ ସେମାନେ ଛଅଫୁଟରୁ ଅଧିକ ଉଚ୍ଚ ଥିଲେ ।

 

ଭୀରୁ ବୋଲି ମୁଁ ପଛେଇ ଯାଇ ନଥିଲି, ହେଲେ ମୋର ସୀମାହୀନ ଅହଂକାର ଯୋଗୁ ପଛେଇ ଯାଇଥିଲି । ମୁଁ ତାର ଛଅଫୁଟ ଉଚ୍ଚତାକୁ ଡରି ନଥିଲି, କିମ୍ବା ଗୋଟାଏ ଜୋର୍ ଧକ୍‌କା ବା ଝର୍କାବାଟେ ଫିଙ୍ଗା ହେବାକୁ ଡରି ନଥିଲି; ସେଥିପାଇଁ ଯଥେଷ୍ଟ ଦୈହିକ ସାହସ ମୋର ଥିଲା; କିନ୍ତୁ ମୋର ନୈତିକ ସାହସ ନଥିଲା । ମୁଁ ପ୍ରକୃତରେ ଡରୁଥିଲି ସେଠାରେ ଉପସ୍ଥିତ ସମସ୍ତଙ୍କୁ-ସେ ଉଦ୍ଧତ ବାଡ଼ି ଧରିଥିବା ଲୋକଟିଠାରୁ ନ୍ୟୂନତର, ଛୋଟିଆ, ଗନ୍ଧଉଥିବା, ତେଲିଆ କଲରବାଲା ସେ କ୍ଲର୍କଟି ଯାଏଁ ସମସ୍ତଙ୍କୁ । ଡରିବାର କାରଣ? କାରଣ ହେଲା ମୁଁ ଭଲଭାବେ ଜାଣିଥିଲି ଯେତେବେଳେ ସେମାନଙ୍କୁ ସାହିତ୍ୟିକ ଭାଷାରେ ମୁଁ ମୋର ବିରୋଧ ବକ୍ତବ୍ୟ ଜଣାଇବି ସେଥିରୁ ସେମାନେ କିଛି ବୁଝି ତ ପାରିବେ ନାହିଁ, ଓଲଟି ମୋତେ ଦାନ୍ତ ନିକୁଟି ଚାହିଁବେ । ଏଭଳି ପରିବେଶରେ ନିଜର ସମ୍ମାନ ରକ୍ଷାପାଇଁ ଜଣେ ତ ସାହିତ୍ୟିକ ଭାଷାରେ କଥା କହିବାକୁ ବାଧ୍ୟ । ତା ନ ହେଲେ ଏହାର କୌଣସି ଅର୍ଥ ରହିବ ନାହିଁ, ପୁଣି ସର୍ବସାଧାରଣ ଭାଷାରେ ତ ‘ସମ୍ମାନ ବଜାୟ ରଖିବା’ କଥାଟିକୁ ବୁଝାଇ ହୁଏ ନାହିଁ । ମୁଁ ଅତି ଭଲଭାବେ ଜାଣିଥିଲି ଯେ ମୋ ମର୍ଯ୍ୟାଦାବନ୍ତ ସଂସ୍କୃତିସଂପନ୍ନ କଥାଶୁଣି ସେମାନେ ସମସ୍ତେ କେବଳ ହସିହସି ପଛ ବୁଲାଇ ଦେଇଥାନ୍ତେ, ଆଉ ସେ ଅଫିସରଟି ମୋତେ କେବେ ବି ଖାଲି ମାରି ନଥାନ୍ତା; ଅର୍ଥାତ୍ ମୋତେ ବିନା ଅପମାନରେ ମାରି ନଥାନ୍ତା, ନିଶ୍ଚୟ ତା ଆଣ୍ଠୁରେ ମୋ ପଛକୁ ବାରମ୍ବାର ମାରି ଚାଲିଥାନ୍ତା ବିଲିୟାର୍ଡ ଟେବୁଲ ଚାରିପଟ ଯାକ ଗୋଡେଇ ଗୋଡ଼େଇ, ଆଉ ତା’ପରେ ହିଁ କେବଳ ଦୟା କରିଥାନ୍ତା ଆଉ ଝର୍କା ବାଟେ ତଳକୁ ଗଳାଇ ପକାଇ ଥାନ୍ତା ।

 

ଅବଶ୍ୟ, ଏଇ ମାମୁଲି ଘଟଣାଟି ଏତିକିରେ ମୋପାଇଁ ସରିଯାଇ ନଥିଲା । ତା’ପରେ ଅନେକ ସମୟରେ ସେହି ଅଫିସରଟିକୁ ମୁଁ ରାସ୍ତାରେ ଦେଖୁଥିଲି ଆଉ ଭାରି ମନଧ୍ୟାନ ଦେଇ ତାକୁ ଲକ୍ଷ୍ୟ କରୁଥିଲି । ମୁଁ ଠିକ୍‌ରେ ଜାଣେନି, ସେ ମୋତେ ଚିହ୍ନି ପାରିଥିଲା କି ନାହିଁ, ଭାବୁଛି ବୋଧେ ଚିହ୍ନି ପାରି ନଥିଲା; କେତେଗୁଡ଼ିଏ ନିର୍ଦ୍ଦିଷ୍ଟ ସଂକେତରୁ ଅବଶ୍ୟ ମୁଁ ବିଚାର କରିପାରେ ଲୋକଟା ମୋତେ ଜାଣି ପାରୁଚି କି ନାହିଁ । କିନ୍ତୁ ମୁଁ- ମୁଁ ତାକୁ ତାତ୍ସଲ୍ୟ ଓ ଘୃଣାରେ ଅନାଉଥିଲି, ଆଉ ଏହିପରି ଚାଲିଲା... କେତେ ବର୍ଷ... ବହୁ ବର୍ଷ! ମୋର କ୍ଷୋଭ ବି ଗଭୀରତର ହୋଇ ଚାଲିଲା ଏଇ ବର୍ଷମାନଙ୍କ ସହିତ । ପ୍ରଥମେ ମୁଁ ଲୁଚାଇ ଲୁଚାଇ ସେ ଅଫିସର ବିଷୟରେ ପଚରାଉଚୁରା ଆରମ୍ଭ କଲି । ଏପରି କରିବା ମୋପାଇଁ ଭାରି କଷ୍ଟକର ଥିଲା, କାରଣ ମୁଁ କାହାରିକୁ ଜାଣି ନଥିଲି ।

 

କିନ୍ତୁ ଦିନେ ତାକୁ ଅଳ୍ପ ଦୂରତାରେ ଅନୁସରଣ କରୁଥିଲାବେଳେ ରାସ୍ତା ଉପରେ ଜଣେ ତା ସାଙ୍ଗିଆ ଧରି ପାଟି କରିବାର ମୁଁ ଶୁଣିଲି, ଏହିପରି ମୁଁ ତା ସାଙ୍ଗିଆ ଜାଣିଗଲି, ଆଉ ଦିନେ ତାକୁ ମୁଁ ତା ଫ୍ଲାଟ ଯାଏ ଅନୁସରଣ କଲି, ଆଉ ଦଶ କୋପେକ୍ ଦେଇ ଫ୍ଲାଟ ଜଗୁଆଳୀଠୁ ବୁଝି ନେଲି କୋଉଠି ସେ ରହୁଥିଲା, କୋଉ ମହଲା, ଏକୁଟିଆ ରହୁଥିଲା ନା କାହା ସାଥିରେ ଇତ୍ୟାଦି । ଆଗରୁ କେବେ ହାତରେ କଲମ ଧରି ନଥିଲେ ବି, ଦିନେ ସକାଳେ ହଠାତ୍ ଏଇ ଅଫିସରଟି ଉପରେ ଗୋଟିଏ ବ୍ୟଙ୍ଗ ଉପନ୍ୟାସ ଲେଖି ତାର ସଇତାନୀର ମୁଖା ଖୋଲି ଦେବାର ଇଚ୍ଛା ମୋ ମନକୁ ଆସିଲା । ଉପନ୍ୟାସ ଲେଖିଲାବେଳେ ମୋ ମନ ଆବେଗରେ ପୂର୍ଣ୍ଣ ହୋଇଗଲା, ମୁଁ ତାର ଖଳପ୍ରକୃତିର ମୁଖା ଖୋଲି ଦେଲି, ଏପରିକି ତାକୁ ବନେଇ ଚୁନେଇ ଲେଖିଲି; ପ୍ରଥମେ ମୁଁ ତାର ସାଙ୍ଗିଆକୁ ଏମିତି ଚତୁରତାର ସହ ବଦଳାଇ ଦେଇଥିଲି ଯେପରି ସହଜରେ ତାକୁ ଚିହ୍ନି ହେବ, କିନ୍ତୁ ପୁଣି କ’ଣ ଭାବି ତାକୁ ପୂରା ବଦଳାଇ ଦେଲି ଓ କାହାଣୀକୁ ଗୋଟିଏ ନାମୀ ପତ୍ରିକାକୁ ପଠାଇ ଦେଲି । ହେଲେ ସେତେବେଳେ ଏଭଳି ଆକ୍ରମଣର ପ୍ରଚଳନ ନଥିଲା ବା ଏହା ଗୋଟେ ସଉକରୂପେ ଗଣା ହେଉ ନଥିଲା । ଏଣୁ ଉପନ୍ୟାସଟି ପ୍ରକାଶିତ ହେଲା ନାହିଁ । ଏହା ମୋତେ ବହୁତ ବିରକ୍ତ କରିଥିଲା ।

 

ଏ ଘଟଣା ପରେ ଗୋଟେ ପ୍ରକାରର ଭୟଙ୍କର ଅସହନଶୀଳତା ମୋର ଗଳାକୁ ଜୋର୍ ଚାପି ଧରିଲା ପରି ମୋତେ ଲାଗିଲା । ଶେଷରେ ସମ୍ଭାଳି ନପାରି ମୋ ଶତ୍ରୁକୁ ଦ୍ୱନ୍ଦ୍ୱ ଯୁଦ୍ଧର ଆହ୍ୱାନ ଦେବାକୁ ମୁଁ ସିଦ୍ଧାନ୍ତ ନେଲି । ଗୋଟିଏ ଚମତ୍କାର, ଆକର୍ଷକ ଚିଠି ପ୍ରସ୍ତୁତ କଲି, ଏଥିରେ ମୋତେ କ୍ଷମା ମାଗିବାକୁ ବିନୀତ ଅନୁରୋଧ କରିଥିଲି, ଚିଠିଟିରେ ଶବ୍ଦମାନ ଏପରି ସଜ୍ଜିତ ହୋଇଥିଲା ଯେ, ଅଫିସରଟିର ଯଦି ‘ଭଲ ଓ ସୁନ୍ଦର’ ବାବଦରେ ସାମାନ୍ୟତମ ଧାରଣା ଥିବ ତା ହେଲେ ସେ ତତ୍‌କ୍ଷଣାତ୍ ଆସି ମୋତେ ଆଲିଙ୍ଗନ କରି ମୋ ସଂଗେ ବଂଧୁତା ସ୍ଥାପନ କରିବାର ପ୍ରସ୍ତାବ ଦେବ । ତା ହୋଇଥିଲେ କେତେ ଭଲ ହୋଇଥାନ୍ତା ସତେ । ଆମେ ଦୁହେଁ କିପରି ଗୋଟିଏ ସ୍ତରରେ ସମାନ ହୋଇଯାଇଥାନ୍ତୁ । ସେ ମୋତେ ତାର ଉଚ୍ଚ ପଦବୀର ଢାଲରେ ସୁରକ୍ଷିତ ରଖିଥାଆନ୍ତା, ଆଉ ମୁଁ ମୋର ସାଂସ୍କୃତିକ ଚେତନାଦ୍ୱାରା ତା ମନକୁ ଉନ୍ନତ କରି ପାରିଥାନ୍ତି, ଆଉ.. ମୋର ଚିନ୍ତା, ଧାରଣାଦ୍ୱାରା... କେତେ କେତେ ଜିନିଷ ଘଟି ପାରିଥାନ୍ତା ।’’

 

ସେ ମୋତେ ଅପମାନିତ କରିବାର ଦୁଇବର୍ଷ ପରର ମନଲୋଭା କଳ୍ପନା ଥିଲା ଏସବୁ । ମୋ ଚିଠିର ସରଳତା ଭିତରେ କାଳଗତ ଅସଂଗତିକୁ ଛପେଇବା ଆଉ ବୁଝାଇବା ସତ୍ୱେ ମୋ ଆହ୍ୱାନ ଗୋଟେ ପରିହାସମୂଳକ ତଥା ସ୍ଥାନ-କାଳ ଜ୍ଞାନ ନଥିବା ମୂର୍ଖର ଆହ୍ୱାନ ପରି ହୋଇଥାନ୍ତା-। ଭଗବାନଙ୍କୁ ଅଶେଷ ଧନ୍ୟବାଦ ଯେ ଚିଠିଟିକୁ ମୁଁ ତା ପାଖକୁ ପଠାଇ ନଥିଲି । ଏ ଚିଠିଟି ପଠାଇଥିଲେ କ’ଣ ହୋଇଥାନ୍ତା ଭାବିଲେ ଏବେ ବି ମୋ ମେରୁଦଣ୍ଡ ଭିତର ରସ ଉପରୁ ତଳ ଯାଏଁ ଶୀତଳ ହୋଇ କମ୍ପିଯାଏ ।

 

ତାପରେ ହଠାତ୍ ମୁଁ ମୋର ପ୍ରତିଶୋଧ ନେଲି, ଅତି ସରଳ ବାଟରେ, ସାମାନ୍ୟ ବୁଦ୍ଧି ପ୍ରୟୋଗକରି ଗୋଟିଏ ଝଲକରେ । ଗୋଟାଏ ଚମତ୍କାର ଧାରଣା ହଠାତ୍ ମୋ ଉପରେ ସବାର ହୋଇଗଲା ।ବେଳେବେଳେ ଛୁଟିଦିନର ଅପରାହ୍‌ଣ ଚାରିଟାବେଳେ ନେଭସ୍କି ରାଜପଥ ଧାରରେ ମୁଁ ଚାଲିଚାଲି ବୁଲେ । ବାହାରକୁ ଏହା ସାଂଧ୍ୟଭ୍ରମଣ ପରି ଦେଖାଯାଉଥିଲେ ବି, ପ୍ରକୃତରେ ଏହା ଅସଂଖ୍ୟ ଯାତନା, ଉପହାସ, ତିକ୍ତତା, କ୍ରୋଧ, ବିରୋଧ ଓ ପ୍ରତ୍ୟାଖ୍ୟାନର ମାଳାଟିଏ ଥିଲା କହିଲେ ଅତ୍ୟୁକ୍ତି ହେବ ନାହିଁ; ହେଲେ ମୁଁ ବି ତାହାକୁ ମନପ୍ରାଣ ଦେଇ ଯେ ଚାହୁଁଥିଲି, ଏଥିରେ ସନ୍ଦେହ ନଥିଲା । ଏହି ଭ୍ରମଣ ସମୟରେ ମୁଁ ଏପଟୁ ସେପଟ, ସେପଟୁ ଏପଟ ହେଉଥିଲି ଅତି କାତର ଭାବରେ, ତିମିମାଛ କଡ଼ ଲେଉଟାଇଲା ପରି, କ୍ରମାଗତ ଏପଟ ସେପଟ ହେଉଥିଲି ଜେନେରଲ, ଅଫିସର, ରକ୍ଷୀ, ବର୍ଗୀ ବା ନାରୀମାନଙ୍କୁ ବାଟ ଛାଡ଼ି ଦେବାକୁ ।

 

ଏଇ ମୁହୂର୍ତ୍ତମାନଙ୍କରେ ମୋ ଛାତିତଳେ ଅନୁଭୂତ ହେଉଥିଲା ଗୋଟେ ପ୍ରକାର ବେଦନା ଦାୟକ ସଂକୋଚନ-ପ୍ରସାରଣର ଯନ୍ତ୍ରଣା । ମୋ ପୋଷାକର, ମୋ ଚେହେରାର ଦୟନୀୟ ରୂପର ଭାବନା ହିଁ ମୋ ମେରୁଦଣ୍ଡ ଭିତରୁ ଗରମ ଶସ ନିଗାଡ଼ି ଦେଉଥିଲା । ଏହା ଥିଲା ଗୋଟେ ପ୍ରକାର ପ୍ରତିଦିନ ଶହୀଦ ହେବା, ଆଉ ଏଇ ଭାବନାରେ ପ୍ରତି ମୁହୂର୍ତ୍ତରେ ଉପହସିତ ହେବାର ଅନୁଭବ । ମୋ ଭିତରଟାକୁ ଏହା ଏପରି ସ୍ପର୍ଶକାତର କରି ଦେଉଥିଲା ଯେ, ମୁଁ ଭାବୁଥିଲି, ତା ହେଲେ ଏ ଦୁନିଆ ଆଖିରେ ମୁଁ କେବଳ ଗୋଟାଏ ମାଛି, ଗୋଟାଏ ଘୃଣ୍ୟ, ମଇଳା, ମାଛିଟାଏ- ହୋଇପାରେ ଅନ୍ୟମାଛିଠାରୁ ଅଧିକ ବୁଦ୍ଧିମାନ, ଅନୁଭବରେ ଅଧିକ ସୂକ୍ଷ୍ମ, ହେଲେ ଗୋଟାଏ ମାଛି ତ । ଯିଏ ସବୁବେଳେ ସମସ୍ତଙ୍କପାଇଁ ବାଟ କରି ଚାଲିଛି । କାହିଁକି ମୁଁ ନିଜ ଉପରେ ଏତେ ଯନ୍ତ୍ରଣା ଡାକି ଆଣୁଥିଲି, କାହିଁକି ମୁଁ ନେଭସ୍କି ଅଂଚଳକୁ ଯାଉଥିଲି ଜାଣେନି । ପ୍ରତିଟି ସମ୍ଭାବ୍ୟ ସୁଯୋଗରେ ମୁଁ ସେଠାକୁ ଟାଣି ହୋଇ ଗଲା ପରି ଅନୁଭବ କରୁଥିଲି ।

 

ସେତେବେଳକୁ ଗୋଟେ ପ୍ରକାର ଖୁସିର ଜୁଆର ସେଥିରୁ ମୋ ଭିତରକୁ ମାଡ଼ି ଆସିବାର ଅନୁଭବ କରିବା ବି ମୁଁ ଆରମ୍ଭ କରି ସାରିଥିଲି- ଯୋଉ କଥା ପ୍ରଥମରୁ ମୁଁ କହିଛି । ସେ ଅଫିସର ସାଂଗେ ସଂପର୍କ ପରଠାରୁ ସେ ଯାଗା ପ୍ରତି ମୁଁ ଅଧିକ ଆକର୍ଷିତ ହେଲା ପରି ମୋତେ ଲାଗୁଥିଲା । କାରଣ ନେଭସ୍କି ହିଁ ଥିଲା ସେଇ ଯାଗା ଯେଉଁଠାରେ ଅଧିକାଂଶବେଳେ ମୁଁ ତାକୁ ଭେଟୁଥିଲି, ସେଇଠି ମୁଁ ତାକୁ ପ୍ରଶଂସା ବି କରିପାରିଥାନ୍ତି । ସେ ବି ସେଠାକୁ ମୁଖ୍ୟତଃ ଛୁଟି ଦିନମାନଙ୍କରେ ବେଶୀ ଯାଉଥିଲା, ସେ ବି ତା ବାଟରୁ କଡ଼େଇ ଯାଉଥିଲା ଜେନେରଲ, ଉଚ୍ଚପଦସ୍ଥମାନଙ୍କୁ ବାଟ ଛାଡ଼ି ଦେବାକୁ, ସେ ବି ତାଙ୍କ ଭିତରେ ଏକଡ଼ ସେକଡ଼ ହେଉଥିଲା ତିମି ମାଛ ପରି; ହେଲେ ମୋ ଭଳି ଲୋକ ବା ମୋ’ଠାରୁ ଭଲ ପୋଷାକ ପିନ୍ଧା ଲୋକଙ୍କୁ ଦେଖି ସେ ସିଧା ତାଙ୍କ ଉପର ଦେଇ ଚାଲି ଯାଉଥିଲା ଯେପରି କେହି ତା ସାମ୍ନାରେ ନଥିଲେ ବା ଖାଲି ଯାଗାଗୁଡ଼ାଏ ସାମ୍ନାରେ ଥିଲା, ଆଉ ଅନ୍ୟ କୌଣସି ପରିସ୍ଥିତିରେ ବି ସେ ବାଟ ଭାଙ୍ଗି ଯାଉ ନଥିଲା । ତାକୁ ଦେଖି ଦେଖି, ଲକ୍ଷ୍ୟ କରି କରି ମୋ ଭିତରର ପ୍ରତିରୋଧରେ ମୁଁ ଜଳୁଥିଲି... ଆଉ ଇଚ୍ଛା ବିରୁଦ୍ଧରେ ତାକୁ ବାଟ ଛାଡ଼ି ଦେଉଥିଲି । ମତେ ସବୁଠାରୁ ବେଶୀ ରାଗ ଲାଗୁଥିଲା ଯେ ଅତି ସରୁ, ଶଙ୍କରୀ ଗଳି ରାସ୍ତା ଉପରେ ବି ମୁଁ ତାର ସମକକ୍ଷ ହୋଇ ପାରୁ ନଥିଲି ।

 

“କାହିଁକି ସବୁବେଳେ ତୁମେ ହିଁ ଆଗ କଡ଼େଇ ଯାଉଛ?’’ ପାଗଳ କ୍ରୋଧରେବେଳେବେଳେ ଭୋର ତିନିଟାବେଳେ ଉଠି ନିଜକୁ ନିଜେ ମୁଁ ପଚାରୁଥିଲି । “କାହିଁକି ଘୁଞ୍ଚି ଯାଉଥିବା ଲୋକଟି ତୁମେ ହିଁ ହେଉଛ, ସେ ହେଉ ନାହିଁ, କାହିଁକି? ଏହାର ତ କୌଣସି ନିୟମିତ ନିୟମ ନାହିଁ; ଲିଖିତ ନିୟମ ନାହିଁ । ତା ହେଲେ ବାଟ ଛାଡ଼ି ଦେବା କାମଟି ସମାନ ଭାବରେ ହେଉ- ସାଧାରଣତଃ ଯେପରି ଭଦ୍ରଲୋକମାନେ ପରସ୍ପରକୁ ଭେଟିଲେ ହୁଏ; ସେ ଅଧାବାଟ ଘୁଞ୍ଚୁ ତୁମେ ଅଧାବାଟ ଘୁଞ୍ଚି ଯାଅ; ତା ହେଲେ ପରସ୍ପର ପ୍ରତି ସମ୍ମାନର ସହ ଦୁହେଁ ପରସ୍ପରକୁ ଅତିକ୍ରମ କରିଯିବ ।’’

 

ହେଲେ ସେପରି କେବେ ଘଟିଲା ନାହିଁ, ମୁଁ ହିଁ ସବୁବେଳେ ପାଖେଇ ଯାଏ, ଅଥଚ ସେ ମୋର ପାଖେଇ ଯିବାଟାକୁ ଲକ୍ଷ୍ୟ ବି କରେ ନାହିଁ । ଅଥଚ ଦେଖ, ଏଭଳି ପରିସ୍ଥିତିରେ କିମିତି ଉଚ୍ଚକୋଟୀର ଧାରଣା ମୁଣ୍ଡକୁ ଜୁଟିଛି ମୋର । “କ’ଣ ହେବ?’’ ମୁଁ ଭାବିଲି, “ଯଦି ତାକୁ ମୁଁ ଦେଖେ ଆଉ ରାସ୍ତାରୁ ଗୋଟାଏ ପଟକୁ ଘୁଞ୍ଚି ନଯାଏ? କ’ଣ ହେବ ମୁଁ ପାଖେଇ ନଗଲେ? ଏପରି କି ମୁଁ ଯଦି ତା ସହ ଧକ୍କା ଲାଗିଯାଏ? ସେ କଥାଟା କିମିତି ହେବ?” ଏଇ ଉଦ୍ଧତ ଧାରଣାଟା ମୋ ଉପରେ ଏପରି ଚକାମାଡ଼ି ବସିଗଲା ଯେ ମୋର ମାନସିକ ଶାନ୍ତି ନଷ୍ଟ ହୋଇଗଲା । ଏଇ କଥାଟିକୁ ମୁଁ ବାରମ୍ବାର ସ୍ୱପ୍ନରେ ଦେଖି ଚାଲିଲି, ତାଠୁ ଭୟଙ୍କର କଥା ହେଲା, ଉଦ୍ଦେଶ୍ୟମୂଳକ ଭାବରେ ମୁଁ ଅଧିକଥର ନେଭସ୍କି ଅଂଚଳକୁ ଗଲି କେବଳ ମନ ଭିତରେ ସେଇ ଛବିଟିକୁ ଅଧିକ ସ୍ପଷ୍ଟଭାବେ ଧରି ରଖିବାକୁ ଯେ ଏହା କଲାବେଳେ କିମିତି ଏହାକୁ କରିବି । ଏଥିରୁ ଆନନ୍ଦ ବି ପାଇଲି ମୁଁ । ଏଇ ଅଭିପ୍ରାୟ ମୋତେ ଅଧିକ ବାସ୍ତବ, ଅଧିକ ସମ୍ଭବ ମନେହେଲା । ଅଭିପ୍ରାୟ: ରାସ୍ତାରୁ ଘୁଞ୍ଚି ନଯିବା, ତା ସହ ଧକ୍କା ଲାଗିବା ।

 

“ଅବଶ୍ୟ ପ୍ରକୃତରେ ମୁଁ ତାକୁ ଠେଲି ଦେବିନି,’’ ମନ ଖୁସି ଥିଲାବେଳେ ମୋର ଭଲ ପ୍ରକୃତି ଆହୁରି ଭଲ ହୋଇଯାଇଥାଏ । ତେଣୁ ମୁଁବେଳେବେଳେ ଭାବୁଥିଲି, “ମୁଁ ସାଧାରଣ ଭାବରେ ନଘୁଞ୍ଚି କେବଳ ସେଇଠି ଠିଆ ହୋଇ ରହିଯିବି ଆଉ ତା ଦେହରେ ବାଜିଯିବି, ବେଶୀ ଜୋର୍‌ରେ ନୁହେଁ, ଏଇ ଯେମିତି କାନ୍ଧରେ କାନ୍ଧ ବାଜି ଯାଏ ସେଇମିତି- ସେତିକି ବାଜିବି ଯେତିକି ସାଧାରଣ ଭଦ୍ରତା ଖାତିର୍‌ରେ ଅନୁମୋଦନୀୟ । ମୁଁ ତାକୁ ଠେଲିବି ସେତିକି ମାତ୍ର ଯେତିକି ସିଏ ଠେଲିବ ।’’ ଶେଷରେ ମୁଁ ମନରେ ମୋର ସିଦ୍ଧାନ୍ତ ନେଇଗଲି । ପ୍ରଥମ ହେଲା, ଯେତେବେଳେ ଗୋଟାଏ ଯୋଜନାକୁ ମୁଁ କାର୍ଯ୍ୟକାରୀ କରିବାକୁ ଯାଉଛି, ସେତେବେଳେ ମୁଁ ନିଜେ ବାହାରକୁ ଅଧିକ ଭଦ୍ର ଦେଖାଯିବା ନିହାତି ଉଚିତ, ଏଣୁ ମୋର ପୋଷାକ ବିଷୟରେ ମୋର ଭାବିବା ଉଚିତ । ଜରୁରୀ ପରିସ୍ଥିତିରେ, ଉଦାହରଣସ୍ୱରୂପ, ଧର ସେଠି କୌଣସି ପ୍ରକାର ଜନରବ ବା ସ୍କାଣ୍ଡାଲ ହେଲା (କାରଣ ସେଠାରେ କାଉଣ୍ଟେସ, ରାଜକୁମାର, ସାହିତ୍ୟିକ, ବୁଦ୍ଧିଜୀବୀ ସମସ୍ତେ ଚାଲନ୍ତି ।) ଏଣୁ ମୁଁ ଉତ୍ତମ ପୋଷାକରେ ରହିଥିବା ଦରକାର; ତାହା ଜଣକର ବଡ଼ିମାକୁ ଉତ୍ସାହିତ କରେ, ଆଉ ଏହାରି ଯୋଗୁ ସମାଜ ଆଖିରେ ଆମେ ଉଭୟେ ସମାନ ସ୍ତରରେ ରହିବୁ । ଏଇ ଉଦ୍ଦେଶ୍ୟରେ ମୁଁ ମୋ ଦରମାରୁ କିଛି ଅଗ୍ରୀମ ପାଇବାପାଇଁ ଲେଖି ଦେଲି, ଆଉ ଗୋଟେ ବିଶିଷ୍ଟ ପୋଷାକ ବ୍ୟବସାୟୀଠାରୁ ହଳେ କଳା ଗ୍ଲୋଭସ୍ ଓ ଗୋଟେ ସୁନ୍ଦର ଟୋପି କିଣିଲି । କଳା ଗ୍ଲୋଭସ ହଳକ ମତେ ଅଧିକ ସଂଭ୍ରାନ୍ତ ଲାଗିଲା ଲେମ୍ବୁ ରଂଗର ଗ୍ଲୋଭସ୍‍ଠାରୁ, ଯାହାକୁ ମୁଁ ପ୍ରଥମେ ବାଛିଥିଲି, ‘ସେ ରଂଗଟା ଅତି ଗାଢ଼, ଯେମିତି ଜଣେ ଦେଖେଇ ହେବାକୁ ଚାହୁଁଛି’; ସେଇମିତି ଲାଗିଥିଲା । ତେଣୁ ତାକୁ ମୁଁ ଆଣିଲି ନାହିଁ ।

 

ବହୁ ପୂର୍ବରୁ, ଗୋଟାଏ ଭଲ ଧଳା ସାର୍ଟ ମୁଁ ପ୍ରସ୍ତୁତ କରିରଖିଥିଲି, ଧଳା ହାଡ଼ରେ ତିଆରି ବୋତାମ ସେଥିରେ ଲାଗିଥିଲା; କେବଳ ମୋ ଓଭର କୋଟଟା ମତେ ପଛରୁ ଟାଣି ଧରିଥିଲା । ସେ କୋଟଟା ଖୁବ୍ ଭଲ ଥିଲା, ଏହା ମୋତେ ବେଶ ଉଷୁମ ରଖୁଥିଲା; ହେଲେ ଏହା ପୁରୁଣା ହୋଇ ପତଳା ହୋଇ ଯାଇଥିଲା ଆଉ ବେକ ପାଖର କଲାରଟା ପୋକ ଖାଇ ରଂଗ ଛାଡ଼ି ଯାଇଥିଲା ଯାହା ଥିଲା ଅଶ୍ଳୀଳତାର ଚରମ ପ୍ରତୀକ । ଏ କଲାରଟାକୁ ଯେମିତି ହେଲେ ମୋତେ ବଦଳାଇବାକୁ ହେବ, ଆଉ ଅଫିସରମାନେ ପିନ୍ଧିଲା ପରି ଗୋଟାଏ ରୁମୁରୁମିଆ ବିଭର୍ କଲାର ତା ଯାଗାରେ ଲଗାଇବାକୁ ପଡ଼ିବ । ଏଇ ଉଦ୍ଦେଶ୍ୟରେ ମୁଁ ଦୋକାନରୁ ଦୋକାନ ବୁଲି ଲାଗିଲି ଓ କେତେ ଚେଷ୍ଟା ପରେ ଗୋଟାଏ ଶସ୍ତା ଜର୍ମାନ ବିଭର୍ କଲାର୍ ପାଇଲି । ଅବଶ୍ୟ ଏ ଜର୍ମାନ ବିଭର୍‍ଗୁଡ଼ାକ ଖୁବ୍‍ଶୀଘ୍ର ମଇଳା ହୋଇଯାଏ ଓ ଭାରି କଦର୍ଯ୍ୟ ଦେଖାଯାଏ, ତେବେ ପ୍ରଥମରୁ ଏହା ଅତି ଚମତ୍କାର ଦିଶେ, ଆଉ ମୁଁ ତ ଏହାକୁ କେବଳ ଗୋଟିଏ ଥର ବ୍ୟବହାର କରିବାକୁ ଦରକାର କରୁଥିଲି । ମୁଁ ତାର ଦାମ ପଚାରିଲି; ତଥାପି ବି ଏହା ବେଶ୍ ଦାମୀ ଥିଲା । କେତେ ସମୟ ଭାବିଲା ପରେ ମୁଁ ମୋର ପୋକଖିଆ କଲାରଟିକୁ ବିକି ଦେବାକୁ ସ୍ଥିର କଲି । ବାକିତକ ଅର୍ଥ-ଯାହା ମୋପାଇଁ ଥିଲା ବହୁତ ବେଶୀ-ସେତକ ମୁଁ ମୋର ଉପର ହାକିମ, ଜଣେ ସିଧାସାଧା. ଗମ୍ଭୀର, ନ୍ୟାୟବନ୍ତ ଲୋକ ଆଣ୍ଟନ ଆଣ୍ଟୋନିକ୍ ସେତୋତ୍‌କିନ୍‌ଙ୍କଠାରୁ ଧାର ଆଣିବାକୁ ଠିକ୍ କଲି ।

 

ସେ କେବେ କାହାରିକୁ ଅର୍ଥ ଧାର ଦିଅନ୍ତି ନାହିଁ । କିନ୍ତୁ ମୁଁ ଚାକିରୀରେ ପ୍ରବେଶ କଲାବେଳକୁ ଜଣେ ବେଶ ପ୍ରତିପତ୍ତିଶାଳୀ, ମାନ୍ୟଗଣ୍ୟ ବ୍ୟକ୍ତି ସ୍ୱତନ୍ତ୍ର ପ୍ରଶଂସାପତ୍ର ସହ ତାଙ୍କ ପାଖକୁ ମୋତେ ପଠାଇଥିଲେ, ଯୋଉଥି ଯୋଗୁ ମୁଁ ଚାକିରୀ ପାଇଥିଲି । ମୁଁ ଭୟଙ୍କର ଭାବରେ ବିବ୍ରତ, ବିଚଳିତ ହୋଇପଡ଼ିଲି । ଆଣ୍ଟନ ଆଣ୍ଟୋନିକଠାରୁ କରଜ ଆଣିବା କଥାଟା ମୋତେ ଅତ୍ୟନ୍ତ ନାରକୀୟ ଓ ଲଜ୍ଜାକର ମନେହେଲା । ଦୁଇ ତିନିରାତି ମୋତେ ନିଦ ହେଲା ନାହିଁ । ସତରେ, ମୁଁ ସେତେବେଳେ ଭଲ କରି ଶୋଇ ପାରିନଥିଲି, ପ୍ରବଳ ଜ୍ୱର ରୋଗରେ ପୀଡ଼ିତ ହେଲି-। ଗୋଟିଏ ଅସ୍ପଷ୍ଟ ଦବିଗଲା ଭାବ ଛାତିତଳେ ସବୁବେଳେ ଲାଗି ରହିଲା, ନ ହେଲେ ହଠାତ୍ ଗୋଟେ ପ୍ରକାର ଧକ୍‌ଧକ୍‌, ଧକ୍‌ଧକ୍‌, ଧକ୍‍ଧକ୍ ଛାତି ଧରି ମୁଁ ପଡ଼ି ରହୁଥିଲି । ଆଣ୍ଟନ ଆଣ୍ଟୋନିକ ପ୍ରଥମେ ଆଶ୍ଚର୍ଯ୍ୟ ହୋଇଗଲେ, ତା’ପରେ ଗମ୍ଭୀର, ତା’ପରେ ପ୍ରତିକ୍ରିୟା ପ୍ରକାଶ କଲେ, ଆଉ ଶେଷରେ ମୋତେ ଧାର ଦେଲେ । ତା ବଦଳରେ ମୋ’ଠାରୁ ଗୋଟେ ଲିଖିତ ରସିଦ ଲେଖାଇ ନେଲେ ଯେ ପନ୍ଦର ଦିନ ପରେ ମୋ ଦରମାରୁ ସେ ଧାର ଦେଇଥିବା ଅର୍ଥ କାଟି

ନେବେ ।

 

ଏହିପରି ଭାବରେ ସବୁକାମ ଶେଷରେ ପ୍ରସ୍ତୁତ ହୋଇଗଲା । ଅପରିଚ୍ଛନ୍ନ ପୋକଖିଆ ଯାଗାରେ ଶୋଭା ପାଇଲା ସୁନ୍ଦର ଲୋମଶ ଜର୍ମାନ ବିଭର୍‍ କଲାର ଏବଂ ମୁଁ ଧୀରେ ଧୀରେ ମୋ କଳ୍ପିତ କାମରେ ମନ ଦେବାକୁ ସମର୍ଥ ହେଲି । ତରତରରେ ଏଭଳି କାମ ତ ହୁଏ ନାହିଁ; ଯୋଜନାକୁ ଧୀରେ ସୁସ୍ଥେ, ପାହାଚେ ପାହାଚେ କରି, ଚତୁରତାର ସହିତ କାର୍ଯ୍ୟକାରୀ କରିବାକୁ ହୁଏ । ହେଲେ ଏଠି ମୁଁ ନିଶ୍ଚୟ ମାନିବି ଯେ, ବହୁ ପ୍ରଚେଷ୍ଟା ପରେ ବି ମୁଁ ନିରାଶ ହେବାକୁ ଆରମ୍ଭ କରିଥିଲି: ଆମେ ଖାଲିଟାରେ ଏମିତି ପରସ୍ପରର ମୁହାମୁହିଁ ହୋଇ ପାରି ନଥାନ୍ତୁ । ମୁଁ ସବୁ ପ୍ରକାର ପ୍ରସ୍ତୁତି କରିଲି । ମୁଁ ପୂରାପୂରି ନିଶ୍ଚିତ ଥିଲି - ଥରେ ଏମିତି ହେଲା ଯେ ଜଣାଗଲା ଯେମିତି ଆମେ ପରସ୍ପର ସିଧା ସଳଖ ଧକ୍କା ହୋଇଯିବୁ-ଆଉ କ’ଣ କରୁଛି ଜାଣିବା ଆଗରୁ ତାକୁ ବାଟ ଛାଡ଼ି ମୁଁ ପାଖେଇ ଯାଇଥିଲି ଓ ସେ ମୋତେ ଲକ୍ଷ୍ୟ ନକରି ଚାଲି ଯାଇଥିଲା । ଏପରିକି ମୁଁ ପ୍ରାର୍ଥନା ବି କରିଥିଲି ଯେ ତା ପାଖାପାଖି ହେଲାବେଳକୁ ଭଗବାନ ମୋତେ ଦୃଢ଼ତା ଦିଅନ୍ତୁ । ଥରେ ମୁଁ ମୋର ମନକୁ ବେଶ ଦୃଢ଼ କରି ସ୍ଥିର କରି ନେଇଥିଲି, କିନ୍ତୁ ମୁଁ ଝୁଣ୍ଟିପଡ଼ି ତା ପାଦ ପାଖରେ ପଡ଼ିଯିବାରେ ଏହାର ପରିସମାପ୍ତି ଘଟିଥିଲା, କାରଣ ଠିକ୍ ଶେଷ ମୁହୂର୍ତ୍ତରେ ଯେତେବେଳେ ମୁଁ ତା’ଠାରୁ ମାତ୍ର ଛଅ ଇଞ୍ଚ ଦୂରରେ ଥିଲି ମୋ ସାହସ ଉଭେଇ ଗଲା । ସେ ଅତ୍ୟନ୍ତ ନିରାସକ୍ତ ଭାବରେ ମୋ ଉପରେ ପାଦ ପକାଇ ଆଗେଇ ଗଲାବେଳକୁ, ମୁଁ ଗୋଟାଏ ବଲ୍ ପରି ଗୋଟାଏ ପଟକୁ ଗଡ଼ି ଆସିଲି । ସେ ରାତିରେ ମୁଁ ପୁଣି ଜ୍ୱରରେ ବିଳିବିଳେଇ ରାତି ସାରା ଅସୁସ୍ଥ ହୋଇ ପଡ଼ିଲି ।

 

ଆଉ ତା’ପରେ, ଏହାର ଅତ୍ୟନ୍ତ ସୁଖଦ ସମାପ୍ତି ଘଟିଲା । ପୂର୍ବ ରାତିରେ ମୁଁ ହଠାତ୍ ସ୍ଥିର କରି ନେଇଥିଲି ଆଉ ଏ କଦର୍ଯ୍ୟ ଯୋଜନାକୁ ମୁଁ କାର୍ଯ୍ୟକାରୀ କରିବି ନାହିଁ ଓ ଏସବୁ ପରିତ୍ୟାଗ କରିବି, ଏହି ଲକ୍ଷ୍ୟରେ ମୁଁ ଶେଷଥରପାଇଁ ନେଭସ୍କି ଗଲି । ହଠାତ୍‌, ମୋ ଶତ୍ରୁଠାରୁ ମାତ୍ର ତିନିପାଦ ଦୂରରେ, ମୁଁ ଅପ୍ରତ୍ୟାଶିତ ଭାବରେ ମନ ସ୍ଥିର କରିନେଲି- ଆଖି ବନ୍ଦ କରିଦେଲି, ଏବଂ ସମଗ୍ର ଶରୀରକୁ ନେଇ ଆମେ ପରସ୍ପର ଧକ୍କା ଖାଇଲୁ କାନ୍ଧରେ କାନ୍ଧ, ଜଣକ ସାମ୍ନାରେ ଜଣେ ! ମୁଁ ଟିକିଏ ବି ଘୁଞ୍ଚିଲି ନାହିଁ ବରଂ ତାକୁ ଅତିକ୍ରମ କରି କିଛି ନ ଘଟିଥିଲା ପରି ଆଗେଇ ଗଲି ! ସେ ମୋତେ ବୁଲି କରି ଅନାଇଲା ବି ନାହିଁ, ବରଂ ଛଳନା କଲା ଯେପରି କିଛି ତା ନଜରରେ ପଡ଼ି ନାହିଁ; କିନ୍ତୁ ସେ କେବଳ ଛଳନା କରୁଥିଲା, ଏକଥା ମୁଁ ଭଲ କରି ଜାଣିଥିଲି । ଆଜି ପର୍ଯ୍ୟନ୍ତ ବି ମୋର ସେଥିରେ ଟିକିଏ ହେଲେ ସନ୍ଦେହ ନାହିଁ । ଅବଶ୍ୟ, ଏଥିରେ ମୋର ବେଶୀ କ୍ଷତି ହୋଇଥିଲା - ସେ ଥିଲା ଅଧିକ ଶକ୍ତିଶାଳୀ, ହେଲେ ତାହା ତ କଥାଟାର ମୂଳ ନଥିଲା । କଥାଟା ଥିଲା ଯେ ମୋର ଯାହା କରିବା କଥା ତାହା ମୁଁ କରି ଦେଇଥିଲି, ମୋର ସମ୍ମାନ ମୁଁ ରଖିଥିଲି, ପାଦେ ବି ପଛଘୁଞ୍ଚା ଦେଇ ନଥିଲି, ଏବଂ ସର୍ବସାଧାରଣଙ୍କ ସମକ୍ଷରେ ତା ସହ ସମାନ ସାମାଜିକ ମର୍ଯ୍ୟାଦାରେ ନିଜକୁ ସ୍ଥାପନା କରି ପାରିଥିଲି । ସବୁକଥାପାଇଁ ପୂରାପୂରି ପ୍ରତିଶୋଧ ନେଇ ପାରିଛି ଅନୁଭବ କରି ଘରକୁ ଫେରିଲି । ମୁଁ ବହୁତ ଖୁସି ଥିଲି, ଅବଶ୍ୟ, ଏହାର ତିନି ଦିନ ପରେ କ’ଣ ଘଟିଲା ତୁମମାନଙ୍କ ଆଗରେ ମୁଁ ବର୍ଣ୍ଣନା କରିବି ନାହିଁ; ଯଦି ତୁମେ ମୋର ପ୍ରଥମ ପରିଚ୍ଛେଦଟି ପଢ଼ିଥିବ, ତୁମେ ନିଜେ ବି କଥାଟାକୁ ଅନୁମାନ କରି ପାରିବ । ପରେ ଅଫିସରଟି ବଦଳି ହୋଇଗଲା; ଏବେ ଚଉଦ ବର୍ଷ ହେଲାଣି ମୁଁ ତାକୁ ଦେଖି ନାହିଁ । ମୋ ପ୍ରିୟଜନଟି ଏବେ କ’ଣ କରୁଛି? କାହା ଉପରେ ଏବେ ସେ ମାଡ଼ି ମକଚି ଚାଲୁଛି?

 

୧. କୋସ୍ତାଞ୍ଜେଗଲମ୍ ହେଉଛି ଗୋଗଲ୍‌ଙ୍କ ‘ମୃତ ଆତ୍ମା’ (Dead soul)ର ଗୋଟିଏ ଚରିତ୍ର ।

୨. ଅଙ୍କଲ ପିଟର ଇଭାନୋଭିଚ ହେଉଛି ଗୋଞ୍ଚାରୋଭ୍‌ଙ୍କ ଉପନ୍ୟାସ ‘ଆନ ଅର୍ଡିନାରୀ ଷ୍ଟୋରୀ’ର ନାୟକ ।

୩. ଗୋଗଲ୍‌ଙ୍କ ର୍ନେଭସ୍କି ପ୍ରସପେକ୍ଟ‘ ଗଳ୍ପର ନାୟକ ।

 

Unknown

(ଦୁଇ)

 

ହେଲେ ଆଉ ଗୋଟେ ସମସ୍ୟା ଥିଲା । ମୋର ଅନୈତିକ ଜୀବନ ଧାରାର ଅବଧି ଶେଷ ହୋଇଗଲା ପରେ ମୁଁ ସବୁବେଳେ ଭାରି ଅସୁସ୍ଥ ହୋଇ ପଡ଼ୁଥିଲି । ତା’ପରେ ମୋତେ ଘେରି ଯାଉଥିଲା ବିଷାଦ-ଅନ୍ତହୀନ ଉଦାସୀ- ମୁଁ ଚେଷ୍ଟା କରୁଥିଲି ତାକୁ ଦୂରେଇ ଦେବାକୁ । ଭାରି ଚିଡ଼ିଚିଡ଼ା ବି ଲାଗୁଥିଲା ମୋତେ । ତେବେ, ସେ ସବୁ ବି ଧୀରେ ଧୀରେ ଦେହସୁହା ହୋଇଗଲା । ହଁ, ସବୁ ଜିନିଷ ମୋର ଦେହସୁହା ହୋଇ ଯାଇଥିଲା, କିମ୍ବା ଏ ସବୁକୁ ସହିବାପାଇଁ ମୁଁ ନିଜକୁ ଯଥେଷ୍ଟ ନିର୍ବେଦ ଓ ଜଡ଼ କରି ଦେଇଥିଲି । ହେଲେ ମୋର ଆତ୍ମରକ୍ଷାର ଗୋଟେ ବାଟ ବି ମୋ ପାଖରେ ଥିଲା, ଯେଉଁଥିପାଇଁ ସବୁ ମୁଁ ସହି ଯାଇ ପାରୁଥିଲି । ବାଟଟି ହେଲା, ‘ଭଲ ଓ ସୁନ୍ଦର’ ଭିତରେ ନିରାପଦ ଆଶ୍ରୟଟିଏ ଖୋଜି ନେବା- ତାହା ପୁଣି ସ୍ୱପ୍ନରେ । ମୁଁ ଥିଲି ଗୋଟାଏ ଦୁର୍ବାର ସ୍ୱପ୍ନବାଦୀ, ଅବିଚ୍ଛିନ୍ନ ଭାବରେ ତିନିମାସ ସ୍ୱପ୍ନ ଦେଖି ପାରିବାର ସାମର୍ଥ୍ୟ ମୋର ଥିଲା, ମୋ ପାତାଳପୁରୀ ଘର କୋଣଟିରେ ଗୁଞ୍ଜି ହୋଇ ମୁଁ ମଜ୍ଜି ଯାଉଥିଲି ସ୍ୱପ୍ନରେ । ଆଉ ବିଶ୍ୱାସ କର, ସେଇ ମୁହୂର୍ତ୍ତମାନଙ୍କରେ ମୋର ଟିକିଏ ବି ସାମଞ୍ଜସ୍ୟ ରହୁ ନଥିଲା ସେଇ ଭଦ୍ର ଲୋକଟି ସାଥିରେ ଯିଏ ତାର କୁକୁଡ଼ା କଲିଜାର ଧକ୍‌ଧକ୍‌ରେ ବିବ୍ରତ ହୋଇ ତା ଓଭର କୋଟରେ ଗୋଟାଏ ଲୋମଶ ଜର୍ମାନ ବିଭର୍‍ କଲାର ଲଗାଇ ଦେଇଥିଲା । ଏତେବେଳେ ମୁଁ ଗୋଟାଏ ହିରୋ ବନି ଯାଉଥିଲି, ସେ ଛଅ ଫୁଟିଆ ଲେଫ୍ଟନାଣ୍ଟଟା ଯଦି ସେତେବେଳେ ମତେ ଦେଖା କରିବାକୁ ଆସିଥାନ୍ତା, ମୁଁ ତାକୁ ଘରେ ପଶିବାକୁ ବି ଅନୁମତି ଦେଇ ନଥାନ୍ତି । ମୋ ସାମ୍ନାରେ ସେ ଠିଆ ହେବାର ବି କଳ୍ପନା କରି ପାରୁନଥିଲି ମୁଁ ।

 

ମୋର ସ୍ୱପ୍ନମାନ କ’ଣ ଥିଲା ଓ ସେମାନଙ୍କୁ ନେଇ ମୁଁ ନିଜକୁ କିପରି ସନ୍ତୁଷ୍ଟ କରି ପାରୁଥିଲି, ଆଜି ସେ ସବୁ କହିବା ହୁଏତ କଷ୍ଟକର, ହେଲେ ସେତେବେଳେ, ସେମାନଙ୍କୁ ନେଇ ମୁଁ ସନ୍ତୁଷ୍ଟ ଥିଲି । ଅବଶ୍ୟ, ଆଜି ବି, ଏପରିକି ବର୍ତ୍ତମାନ ବି, ସେଇମାନଙ୍କ ଯୋଗୁ ମୁଁ ଅନେକ ପରିମାଣରେ ସନ୍ତୋଷରେ ଅଛି । ସ୍ୱପ୍ନମାନ ବିଶେଷ ଭାବରେ ମଧୁର ଓ ସ୍ପଷ୍ଟ ହୋଇ ଆସନ୍ତି ଅନୈତିକ ଆଚରଣର ସମୟସୀମା ପରେ; ମୋ ସ୍ୱପ୍ନ ମାନ ସେଇମିତି ଆସୁଥିଲା କେତେ ବିଷାଦ, କେତେ ଲୁହ ସାଥିରେ ଧରି, କେତେ ଅଭିଶାପ ମୁଣ୍ଡେଇ କେତେ ଯାନବାହାନରେ । ପୁଣି ତା’ରି ଭିତରେ ବି ସେଠି ଏଭଳି କେତେ ସୁନ୍ଦର, ସକାରାତ୍ମକ, ମତୁଆଲା ମୁହୂର୍ତ୍ତମାନ ଥିଲା, ଏଭଳି ସୁଖଦ ମୁହୂର୍ତ୍ତମାନ ଥିଲା ଯେ, ମୋ ଭିତରେ ସେତେବେଳେ ବ୍ୟଙ୍ଗ ବା ବିଦ୍ରୂପର ସାମାନ୍ୟତମ ହାଲ୍‌କା ଛିଟା ବି ରହୁ ନଥିଲା, ରାଣଖାଇ କହୁଚି । ମୋର ମନରେ ଥିଲା ଅତୁଟ ବିଶ୍ୱାସ, ଆଶା ଓ ପ୍ରେମ । ଏଇ ମୁହୂର୍ତ୍ତମାନଙ୍କରେ ମୁଁ ଅନ୍ଧଭାବରେ ବିଶ୍ୱାସ କରୁଥିଲି ଯେ କୋଉ ଯାଦୁ ବଳରେ, କୋଉ ଅଧିଭୌତିକ ପରିସ୍ଥିତିରେ, ଏ ଦୁନିଆରେ ହଠାତ୍ ଚାରିଆଡ଼େ ଖୋଲିଯିବ ପ୍ରେମର ଦ୍ୱାର, ଖେଳିଯିବ ପ୍ରେମର ଜୁଆର, ବିଚ୍ଛୁରି ଯିବ, ବିସ୍ତାରି ଯିବ; ସବୁଆଡ଼େ । ହଠାତ୍ ମୁକୁଳିଯିବ ମୋ ସାମ୍ନାରେ ଅପୂର୍ବ ଗୋଟେ ଦୁନିଆ ଉପଯୁକ୍ତ କର୍ମ ଚଞ୍ଚଳତାର- ଯାହା ହୋଇଥିବ ଉପକାରୀ, ଭଲ ଆଉ କାହାର ଯେମିତି କରିବାକୁ କିଛି ନଥିବ- ସବୁଥିବ ପୂରାପୂରି ପୂର୍ବରୁ ପ୍ରସ୍ତୁତ, ଏକେବାରେ ରେଡ଼ିମେଡ଼ (କି ପ୍ରକାର କର୍ମଚଞ୍ଚଳତା ମୋର ଧାରଣା ନଥିଲା, ହେଲେ ବଡ଼ କଥାଟା ଥିଲା ଯେ ମୋପାଇଁ ସବୁ ଆଗରୁ ତିଆରି ହୋଇ ରହିଥିବା ଉଚିତ)- ମୋ ସାମ୍ନାରେ ଧୀରେ ଧୀରେ ଏହା ଉଠି ରୂପ ନେବ- ଆଉ ମୁଁ ବାହାରି ଆସିବି ଦିବାଲୋକ ଭିତରକୁ, ଏକ ପ୍ରକାର ଧଳା ଘୋଡ଼ାରେ ଚଢ଼ି ଆଉ ମଥାରେ ପଦକ ମାଳାର ମୁକୁଟ ପିନ୍ଧି ।

 

ହେଲେ ଏତେ ସବୁ କଳ୍ପନା ଭିତରେ ମୋ ନିଜପାଇଁ ସବା ଆଗ ଯାଗାଟି ମୁଁ କେବେ ବି କଳ୍ପନା କରିପାରୁ ନଥିଲି, ଆଉ ସେଇ ନିର୍ଦ୍ଦିଷ୍ଟ କାରଣଟିପାଇଁ ବାସ୍ତବତା ଭିତରେ ନିମ୍ନତମ ସ୍ଥାନଟିକୁ ବେଶ୍ ସନ୍ତୋଷର ସହ ନିଜପାଇଁ ମୁଁ ବାଛି ନେଇଥିଲି । ଗୋଟାଏ ନାୟକ ହେବ ନଚେତ ପଙ୍କ ଭିତରେ ମୁହଁ ମାଡ଼ି ଲଟପଟ ହେବ- ୟା ମଝିରେ ଆଉକିଛି ନଥିଲା । ତାହା ହିଁ ଥିଲା ମୋର ପତନ, ତାହା ହିଁ ଥିଲା ମୋର ଅବକ୍ଷୟ, କାରଣ ମୁଁ ପଙ୍କରେ ପଶି ଲଟପଟ ହେଉଥିବାବେଳେ ନିଜକୁ ଏଇ ଭାବନାରେ ସାନ୍ତ୍ୱନା ଦେଉଥିଲି ଯେ ଅନ୍ୟ କେତେବେଳେ ମୁଁ ବି ହିରୋ ଥିଲି, ଆଉ ଏ ନାୟକଟି ଥିଲା ପଙ୍କର ଗୋଟେ ବହିରାବଣ ।

 

ଗୋଟାଏ ସାଧାରଣ ଲୋକପାଇଁ ନିଜକୁ କଳୁଷିତ କରିବା ଭାରି ଲଜ୍ଜାଜନକ, ହେଲେ ଗୋଟାଏ ହିରୋପାଇଁ ଚରିତ୍ରହୀନତାର ପଙ୍କିଳ ଦୁନିଆରେ ନିଜକୁ ଡୁବାଇ ଦେବା ଗୋଟାଏ ଉନ୍ନତ ବିଳାସ, ଆଉ ଏଇଥିପାଇଁ ସେ ନିଜକୁ ମନଇଚ୍ଛା ପଙ୍କରେ ବୁଡ଼ାଇ ପାରେ--ଏକଥା ବି ଏଠି କହି ଦେବା ଦରକାର ଯେ ଏଇ ମୂଲ୍ୟହୀନ ‘ଭଲ ଓ ସୁନ୍ଦର’ର ନାୟକ-ଭାବନା ହାବୁକା ହାବୁକା ହୋଇ ମୁଁ ପଙ୍କରେ ଲୋଟୁଥିବା ସମୟରେ ବି ଆସୁଥିଲା ଆଉ ବିଶେଷ ଭାବରେ ଆସୁଥିଲା ଯେତେବେଳେ ମୁଁ ପଙ୍କର ନିମ୍ନତମ ସ୍ତରକୁ ଛୁଇଁବି ଛୁଇଁବି ହେଉଥିଲି । ସେଇ ‘ଭଲ ଓ ସୁନ୍ଦର’ର ଆକ୍ରମଣମାନ ଆସୁଥିଲା ଅଲଗା ଅଲଗା ହୋଇ, ସଜୋରେ ନିର୍ଗତ ସ୍ରୋତ ପରି, ସତେ ଯେମିତି ମତେ ମନେ ପକେଇ ଦେଉଥିଲା ସେମାନଙ୍କ ବିଷୟରେ, ହେଲେ ଭାବନାରେ ଏଇ ‘ଭଲ ଓ ସୁନ୍ଦର’ର ଉପସ୍ଥିତି ମୋର ଅନୈତିକ କାର୍ଯ୍ୟକଳାପକୁ ହଟେଇ ଦେଇପାରି ନଥିଲା--ବରଂ, ତା ବଦଳରେ ଏହି ବିରୋଧୀ ଭାବଦ୍ୱାରା ଠିକ୍ ଓଲଟା ହିଁ ଘଟୁଥିଲା ବା ମୁଁ ଓଲଟା କାମମାନ କରୁଥିଲି-

 

ମୋର ସ୍ୱେଚ୍ଛାଚାରିତା ଓ ଅଧଃପତନ ସାଥିରେ ଗୋଟାଏ ସୁଗନ୍ଧ, ଗୋଟାଏ ଆନନ୍ଦ ଯୋଡ଼ି ହୋଇ ଯାଉଥିଲା, ଆଉ ସୁଗନ୍ଧିଯୁକ୍ତ କ୍ଷୁଧା ଉଦ୍ରେକକାରୀ ଖାଦ୍ୟ ଭଳି କେବଳ ପରିବେଷିତ ହେବାକୁ ଯେମିତି ଯଥେଷ୍ଟ ଭାବରେ ଉପସ୍ଥିତ ଥିଲା ମୋ ସାମ୍ନାରେ । ସେଇ ନିର୍ଲଜ୍ଜତା ପୁଣି ପ୍ରସ୍ତୁତ ହୋଇଥିଲା ବିରୋଧାଭାଷ ଓ ଯନ୍ତ୍ରଣାରେ, ଅତିକାତର ଅନ୍ତର୍ମୁଖୀ ଆତ୍ମବିଶ୍ଳେଷଣରେ । ପୁଣି ଏଇସବୁ ହାବୁକା ହାବୁକା ଦାରୁଣ ବେଦନା, ଛୁଞ୍ଚି ଫୋଡ଼ି ହେବାର ଅନୁଭବ ଦେଉଥିଲା ଗୋଟେ ନିଶ୍ଚିତ ପ୍ରକାର ମାନସିକ ଆନନ୍ଦ ଓ ଉତ୍ତେଜନା ମୋତେ । ଏପରିକି ମୋ ଅନୈତିକ, ଅପବିତ୍ର ଆଚରଣକୁ ଏଇ ନିର୍ଲଜ୍ଜତା ଦେଇଥିଲା ଗୋଟେ ଯଥାର୍ଥତା । ସତ କହିବାକୁ ଗଲେ, ଗୋଟାଏ କ୍ଷୁଧା ଉଦ୍ଦୀପକ ଲୋଭନୀୟ ଭୋଜନ ବ୍ୟବସ୍ଥାର ଏହା ଥିଲା ସଂପୂର୍ଣ୍ଣ ଉତ୍ତର । (ଆତ୍ମ ସମ୍ମାନ ଜ୍ଞାନ ଲୋପ ହୋଇଗଲେ ବିବେକର ସ୍ୱର ଏଇମିତି କ୍ଷୀଣ ହୋଇଯାଏ ।) ୟା ଭିତରେ ଗୋଟାଏ ନିର୍ଦ୍ଦିଷ୍ଟ ଗଭୀର ଅର୍ଥ ବି ଥିଲା । ଆଉ ମୁଁ ବି ଗୋଟାଏ କିରାଣୀର ସହଜ, କୁତ୍ସିତ, ଅଶ୍ଳୀଳ, ପ୍ରତ୍ୟକ୍ଷ ଲାମ୍ପଟ୍ୟକୁ ଆଉ ବେଶୀଦିନ ସହି ପାରି ନଥାନ୍ତି ବା ଏଇ ଜୀବନର ଯାବତ ଆବର୍ଜନାକୁ ଅଧିକ କାଳ ବୋହି ପାରି ନଥାନ୍ତି । ତା ହେଲେ ସେତେବେଳେ କୋଉ ଜିନିଷଟା ମୋତେ ଆକର୍ଷିତ, ପ୍ରଲୋଭିତ କରି ରାତି ଅଧଟାରେ ରାସ୍ତା ଉପରକୁ ଟାଣି ଆଣୁଥିଲା? ନା, ଏସବୁରୁ ବାହାରି ଯିବାପାଇଁ ଗୋଟାଏ ଉନ୍ନତ ସୁନ୍ଦର ବାଟ ମୋ ନିଜପାଇଁ ପ୍ରସ୍ତୁତ କରି ରଖିଥିଲି । (ମାନେ: ସ୍ୱଇଚ୍ଛାରେ ଯାଉଥିଲି ।)

 

ଆଉ ମୋର ସେଇ ସ୍ୱପ୍ନଭରା ଦିନମାନଙ୍କରେବେଳେବେଳେ କି ଅସୀମ ଦୟା, କି ପ୍ରେମମୟ କରୁଣା ମୁଁ ଅନୁଭବ କରୁଥିଲି, ସେଇ ‘ଭଲ ଓ ସୁନ୍ଦର’ ଭିତରେ କୌଶଳରେ ଛପି ରହି ଆଶ୍ରୟ ନେବାବେଳେ କି ଉଦାରତା ମୋତେ ଆଚ୍ଛନ୍ନ କରି ରଖୁଥିଲା ! ଯଦିଓ ଏସବୁ ଥିଲା ଅଦ୍ଭୁତ କାଳ୍ପନିକ ପ୍ରେମ, ଯଦିଓ ବାସ୍ତବରେ କେବେ କେଉଁ ମଣିଷ ପ୍ରତି ଏହା ପ୍ରୟୋଗ ହୋଇ ନଥିଲା, କି ହୋଇ ପାରିବ ନାହିଁ; ତଥାପି ଏଥିରେ ଏଇ ପ୍ରେମର ପରିମାଣ ଏତେ ବିପୁଳ, ଏତେ ବିଶୁଦ୍ଧ ଭାବରେ ଥିଲା ଯେ ପରବର୍ତ୍ତୀ କାଳରେ ଏହାକୁ ବାସ୍ତବରେ ପ୍ରୟୋଗ କରିବାକୁ ଜଣେ ଇଚ୍ଛା ବି କରିବ ନାହିଁ; ଯା’ ହେଲେ ବି ବ୍ୟବହାରରେ ତ ତାହା ଲୋକ ଦେଖାଣିଆ ମନେ ହେବ ନା ! ତେବେ ଯାହା ହେଉ, ଏଇସବୁ ଜିନିଷ ଧୀରେ ଧୀରେ, ସନ୍ତୋଷଜନକ ରୀତିରେ, ବେଶ୍ ଅଳସ ଗତିରେ ଗୋଟାଏ ଆକର୍ଷଣୀୟ ପରିବର୍ତ୍ତନ ଦେଇ ‘କଳା’ ନାମରେ ଜୀବନର ସୁନ୍ଦର ଆକୃତିମାନଙ୍କ ଭିତରକୁ ପ୍ରବେଶ କରିଗଲା, ଯାହା ପୂର୍ବରୁ ପ୍ରସ୍ତୁତ ହୋଇ ଅପେକ୍ଷା କରି ରହିଥିଲା ଓ ଏଗୁଡ଼ିକ ସୁନ୍ଦର ଭାବରେ ସେଥିରେ ଖାପ ଖାଇଗଲା ।

 

ଜୀବନର ଏ ‘ଭଲ ଓ ସୁନ୍ଦର’ର ଆକାରମାନ କ’ଣ? ମୁଖ୍ୟତଃ କବି ଓ ଉପନ୍ୟାସକାରମାନଙ୍କଠାରୁ ଚୋରି କରି ଅଣା ହୋଇଥିବା ଚୋରା ମାଲ ଆଉ ଏହାକୁ ଯାବତ ଆବଶ୍ୟକ ସ୍ଥଳେ ଯେମିତି ଇଚ୍ଛା ଯେତେ ଇଚ୍ଛା ବ୍ୟବହାର କରାଯାଇ ପାରେ । କିମିତି? ଉଦାହରଣସ୍ୱରୂପ, ସମସ୍ତେ ହାରିଗଲେ ଆଉ ମୁଁ ଜିତିଗଲି । ‘ସମସ୍ତେ’ ଅବଶ୍ୟ ସ୍ୱାଭାବିକ ଭାବରେ ଥିଲେ ଧୂଳି ମାଟିର କୀଟ ସଦୃଶ, ଏଣୁ ସ୍ୱାଭାବିକ ଭାବରେ ମୋର ବଡ଼ପଣକୁ ଚିହ୍ନିବାକୁ ବାଧ୍ୟ ହୋଇଥିଲେ, ଆଉ ମୁଁ ସମସ୍ତଙ୍କୁ ଉଦାର ଭାବରେ କ୍ଷମା କରିଦେଲି । ମୁଁ ଥିଲି ଗୋଟାଏ କବି ଆଉ ଗୋଟିଏ ପ୍ରାଜ୍ଞ ପୁରୁଷ, ମୁଁ ପ୍ରେମରେ ପଡ଼ିଥିଲି, ମୁଁ ଆସିଥିଲି ଅଗଣିତ ଲକ୍ଷ ଲୋକଙ୍କ ପ୍ରତିନିଧି ହୋଇ ଆଉ ସଂଗେ ସଂଗେ ସେମାନଙ୍କୁ ସମସ୍ତଙ୍କୁ ଅର୍ପଣ କରିଦେଲି ମୋର ସର୍ବସ୍ୱ ମାନବିକତା ନାମରେ, ଆଉ ତାରି ସାଥିରେ ସବୁ ଲୋକଙ୍କ ଆଗରେ ସ୍ୱୀକାର କରିନେଲି ମୋର ସମସ୍ତ ନିର୍ଲଜ୍ଜ କାର୍ଯ୍ୟାବଳୀ, ଯାହା ଅବଶ୍ୟ କେବଳ ଲଜ୍ଜାକର ନଥିଲା, ଥିଲା ବି ଏଥିରେ ବହୁତ କିଛି ‘ଭଲ ଓ ସୁନ୍ଦର’, କିଛିଟା ମାନଫ୍ରେଡ଼ ଷ୍ଟାଇଲରେ ।

ତା’ପରେ ଯେତେବେଳେ ନଗ୍ନପାଦରେ, ନଖାଇ ନପିଇ, ନୂଆ ନୂଆ ଧାରଣାମାନ ପ୍ରଚାର କରିବାକୁ ମୁଁ ବାହାରିବି, ଆଉ ଜ୍ଞାନ, ଜିଜ୍ଞାସା ଓ ପରିବର୍ତ୍ତନ ପ୍ରତି ପ୍ରତିକୁଳ ମନୋଭାବ ପୋଷଣ କରୁଥିବା ସେଇ କଠୋର ନୀତିବାଦୀମାନଙ୍କର ଆତ୍ମନିଗ୍ରହ ତଥା ନିର୍ମମ ସଂଯମକୁ ବିରୋଧ କରିବି, ସେତେବେଳେ ପ୍ରତିଟି ମଣିଷ କାନ୍ଦି କାନ୍ଦି ମୋତେ ଚୁମ୍ବନ କରିବେ (ଯଦି କେହି ସେମିତି ନ କରିବ, କି ମୁର୍ଖ ସେ ଦେଖାଯିବ !) ଆଉ ତାପରେ ଗୋଟାଏ ବ୍ୟାଣ୍ଡପାର୍ଟି ମାର୍ଚ୍ଚିଂ କରି ବାହାରିବ ଓ ଏକ ରାଜକ୍ଷମା ଘୋଷଣା କରାଯିବ ଆଉ ସ୍ୱୟଂ ପୋପ୍ ରୋମ ନଗରୀ ତ୍ୟାଗ କରି ବ୍ରାଜିଲ୍‌ରେ ଯାଇ ଅବସର ନେବାକୁ ରାଜି ହୋଇଯିବେ; ତାପରେ ସମଗ୍ର ଇତାଲୀପାଇଁ ଗୋଟିଏ ବଲ୍‌ନାଚର ଆୟୋଜନ ହେବ କୋମୋ ହ୍ରଦ ଉପକୂଳସ୍ଥ ବର୍ଗିସ୍ ଭିଲ୍ଲାରେ, ସେଇ ଉଦ୍ଦେଶ୍ୟରେ ତ କୋମୋ ହ୍ରଦକୁ ସ୍ଥାନାନ୍ତରିତ କରାଯାଇଥିଲା ରୋମ ନିକଟକୁ; ତାପରେ ଲତା ଗହଳିରେ ଦେଖାଇ ଦିଆହେବ ଗୋଟାଏ ଦୃଶ୍ୟ, ତାପରେ ଏଇମିତି ଚାଲିବ ଓ ଚାଲିବ- ସତେ ଯେମିତି ତୁମେ ଏସବୁ ବିଷୟରେ ଜାଣି ନାହଁ ! ସବୁ ତୁମେ ଜାଣ । ତାପରେ ତୁମେ ହୁଏତ କହିବ ଯେ ମୁଁ ନିଜେ ଯାହାକୁ ଏତେ କାତରତା, ଏତେ ଲୁହ ଓ ବେଦନାରେ ଭରା ବୋଲି ଆଗରୁ କହିଛି, ନିଜେ ମାନିଛି, ସେଇ କଥାଟାକୁ ସମସ୍ତଙ୍କ ସାମ୍ନାକୁ ଗୋଟାଏ ବଜାର ଯାଗାକୁ ଘୋଷାରି ଆଣିବାଟା କ’ଣ ଘୃଣ୍ୟ ଆଉ ଅଶ୍ଳୀଳ ବ୍ୟାପାର ନୁହେଁ? ହେଲେ କାହିଁକି ଏହା ଘୃଣ୍ୟ? ତୁମେ କଳ୍ପନା କରି ପାରୁଛ ଯେ ମୁଁ ଏଥିପାଇଁ ଲଜ୍ଜିତ, ଭଦ୍ରମଣ୍ଡଳୀ, ଏସବୁ କ’ଣ ତୁମ ଜୀବନରେ ଘଟିଥିବା କୌଣସି ଘଟଣାଠାରୁ ଏତେ ହୀନ? ଆଉ ଏକଥା ବି ମୁଁ ଭଲ କରି ଜାଣିଛି ଯେ ଏଇ କଳ୍ପନା ଭିତରୁ କେତେଗୁଡ଼ିଏ ଘଟଣା ଏପରି କିଛି କଦର୍ଯ୍ୟ ଭାବରେ ବର୍ଣ୍ଣିତ ହୋଇ ନାହିଁ... ଏସବୁଯାକ ଘଟଣା କୋମୋ ହ୍ରଦ କୂଳରେ ବି ଘଟି ନାହିଁ । ତଥାପି ତୁମେ ଠିକ୍ କହିଛ- ପ୍ରକୃତରେ ଏସବୁ ଅଶ୍ଳୀଳ ଆଉ ଘୃଣ୍ୟ । ଆଉ ସବୁଠାରୁ ଘୃଣ୍ୟ କଥାଟି ହେଉଛି ତୁମ ଆଗରେ ମୁଁ ପୁଣି ଥରେ ମୋର ଯଥାର୍ଥତା ପ୍ରତିପାଦନ କରିବାକୁ ଚେଷ୍ଟା କରୁଛି । ଆଉ ତା’ଠାରୁ ଘୃଣ୍ୟ ହେଉଛି ମୋର ଏଇ କ୍ଷଣି ଦେଇଥିବା ଏହି ମନ୍ତବ୍ୟ । ହଉ ଥାଉ ଏତିକିରେ, କାରଣ ଏହାର ଅନ୍ତନାହିଁ । ନ ହେଲେ ଆହୁରି କେତେ ଘୃଣ୍ୟ କଥା.. ଆହୁରି ଅଧିକ ଘୃଣ୍ୟ.. ।

 

ଲଗାତାର ତିନିମାସରୁ ଅଧିକ ସମୟ ସ୍ୱପ୍ନ ଦେଖିବା ମୁଁ ସହି ପାରୁ ନଥିଲି ଆଉ ତିନିମାସ ଏଇଭଳି ସ୍ୱପ୍ନ ଦେଖି ବିତାଇ ସାରିଲା ପରେ ମୋ ଭିତରେ ଗୋଟାଏ ପ୍ରବଳ ବାସନା ଜାଗି ଉଠୁଥିଲା ସମାଜ ଭିତରକୁ ଲମ୍ଫ ମାରି ଦଉଡ଼ି ଯିବାକୁ । ସମାଜ ଭିତରକୁ ଦଉଡ଼ି ଯିବା ଅର୍ଥ ଅଫିସକୁ ଯିବା, ମୋ ଉପର ହାକିମ ଆଣ୍ଟନ ଆଣ୍ଟୋନିକ୍ ସେତୋତ୍‌‌କିନ୍‌ଙ୍କୁ ଭେଟିବା । ମୋ ଜୀବନରେ ସେଇ ହିଁ ତ ଥିଲେ ଏକମାତ୍ର ବ୍ୟକ୍ତି, ଯାହାଙ୍କ ସହିତ ମୋର ସଂପର୍କ ଆଦୌ ବଦଳି ନଥିଲା । ଏବେ ବି ସେଇକଥା ଭାବି ମୁଁ ନିଜେ ଆଶ୍ଚର୍ଯ୍ୟ ହେଉଛି, ହେଲେ କେବଳ ସେଇ ଅବସ୍ଥା; ଅର୍ଥାତ୍ ମୋର ସ୍ୱପ୍ନ ଭିଜା ଅବସ୍ଥା ଗୋଟାଏ ସ୍ୱର୍ଗୀୟ ସ୍ତରକୁ ଆସିଗଲେ ମୁଁ ତାଙ୍କୁ ଭେଟିବାକୁ ଯାଉଥିଲି । ଅର୍ଥାତ୍ ମୋର ସ୍ୱପ୍ନାବସ୍ଥା ଯେତେବେଳେ ଆଧ୍ୟାତ୍ମିକ ସ୍ତରରେ ପହଞ୍ଚି ଯାଉଥିଲା, ମୋ ଆଖ ପାଖରେ ସମସ୍ତଙ୍କୁ, ଏପରିକି ସମଗ୍ର ମାନବଜାତିକୁ ଆଲିଙ୍ଗନ କରିପକାଇବାର ପ୍ରବଳ ଆବେଗ ମୋ ଭିତରଟାକୁ ଆକ୍ତାମାକ୍ତା କରିପକାଉଥିଲା; ଆଉ ସେଇ ଆବେଗକୁ କାର୍ଯ୍ୟକାରୀ କରିବାପାଇଁ ମୋର ଦରକାର ହେଉଥିଲା ଅନ୍ତତଃ ଗୋଟିଏ ମଣିଷ- ସେଇଥିପାଇଁ ଆଉ ଗୋଟିଏ ରକ୍ତ ମାଂସର ମଣଷର ଉପସ୍ଥିତି ମୁଁ ବିକଳ ହୋଇ ଦରକାର କରୁଥିଲି । ମୁଁ ଭାବି ପକଉଥିଲି- ଯାହା ହେଲେ ବି, ମଂଗଳବାର ଦିନ ମୁଁ ଯାଇ ଆଣ୍ଟନ୍ ଆଣ୍ଟୋନିକ୍‌ଙ୍କୁ ଦେଖା କରିବି- କାରଣ ତାଙ୍କର ସେଦିନ ଘରେ ରହିବା ପାଳି; ତେଣୁ ମୁଁ ମୋର ‘ମାନବଜାତିକୁ ଆଲିଙ୍ଗନ କରିବା’ର ଆବେଗଭରା କାମନାକୁ ସେଇଭଳି ସମୟ ଦେଖି ନିୟନ୍ତ୍ରଣ କରୁଥିଲି, ଯେମିତି ତାହା ମଙ୍ଗଳବାରରେ ହିଁ ପଡ଼ି ପାରିବ ।

 

ଏଇ ଆଣ୍ଟନ ଆଣ୍ଟୋନିକ ରହୁଥିଲେ ଫାଇଭ କର୍ଣ୍ଣରର ଚତୁର୍ଥ ମହଲାରେ, ଗୋଟେ ନିଚ୍ଚା ଛାତବାଲା ଓ ଅପେକ୍ଷାକୃତ କ୍ଷୁଦ୍ରତର ଚାରି କୋଠରୀ ବିଶିଷ୍ଟ ଗୋଟାଏ ଅସୁନ୍ଦର ଘରେ । ତାଙ୍କ ଦୁଇ ଝିଅ ଆଉ ମାଉସୀ ଚା’ ଆଣି ଦେଉଥିଲେ । ଝିଅମାନଙ୍କ ଭିତରୁ ଗୋଟାଏ ଥିଲା ତେରବର୍ଷର ଆଉ ଗୋଟେ ଚଉଦ ବର୍ଷର, ସେ ଦି’ଜଣ ଯାକ ଥିଲେ ଚେପ୍‌ଟୀନାକୀ, ଆଉ ସେ ଦୁହିଁଙ୍କୁ ଦେଖିଲେ ମୁଁ ଲାଜରେ ମରି ଯାଉଥିଲି, କାରଣ ସେ ଦୁହେଁ ସବୁବେଳେ ଫୁସୁରୁ ଫୁସୁରୁ ହେଉଥିଲେ ଆଉ କୁରୁକୁରୁ ହୋଇ ହସୁଥିଲେ ।

 

ଘର ମାଲିକ ପ୍ରାୟ ତାଙ୍କ ପଢ଼ା ଘରେ ଗୋଟାଏ ଚମଡ଼ା ସୋଫା ଉପରେ କେତେଜଣ ଶୁକ୍ଳ କେଶ ଭଦ୍ରଲୋକଙ୍କ ଗହଣରେ ବସି ରହୁଥିଲେ - ସାଧାରଣତଃ ସେମାନେ ଥିଲେ ତାଙ୍କ ଅଫିସର ସହକର୍ମୀ ବା ଅନ୍ୟ ବିଭାଗର ଲୋକ । ମୁଁ କେବେ ଦୁଇ ବା ତିନିରୁ ଅଧିକ ଲୋକ ସେଠି ଦେଖି ନାହିଁ ଆଉ ସବୁବେଳେ ସେଇ ଏକା ଲୋକଙ୍କୁ ସେଠି ଦେଖିଛି । ସେମାନେ କଥା ହୁଅନ୍ତି ଅବକାରୀ ଟିକସ ଉପରେ, ସିନେଟ ବ୍ୟାପାର, ଦରମା, ପ୍ରମୋସନ ବାବଦରେ ଆଉ ଆଲୋଚନା କରନ୍ତି ମହାମାନ୍ୟ ସମ୍ରାଟ୍‍ ଓ ସମ୍ରାଟ୍‍ଙ୍କୁ ଖୁସି କରିବାର ଶ୍ରେଷ୍ଠ ଉପାୟମାନଙ୍କ ବିଷୟରେ ।

 

ଏଇ ଲୋକମାନଙ୍କ ପାଖରେ ଚାରି ଘଣ୍ଟା କାଳ ବୋକାଙ୍କ ପରି ବସି, ସେମାନଙ୍କ କଥା ଶୁଣି, କ’ଣ କହିବାକୁ ହେବ ନ ଜାଣି ବା ପଦେକଥା ଉଚ୍ଚାରଣ କରିବାର ସାହସ ସଂଗ୍ରହ କରି ନପାରି ତଥାପି ବସି ରହିବାର ଧୈର୍ଯ୍ୟ ମୋର ନିଶ୍ଚୟ ଥିଲା । ତେବେ ସେଇ ଚାରି ଘଣ୍ଟାରେ ମୁଁ ନିର୍ଘାତ ବୋକା ବନି ଯାଉଥିଲି, କେତେ ଥର ମୋ ଦେହରୁ ଗମ୍‌ଗମ୍ ଝାଳ ବୋହି ଯାଉଥିଲା; ତଥାପି ବି ଏସବୁ ମୋପାଇଁ ଥିଲା କେତେ ସୁଖଦାୟକ, କେତେ ମଙ୍ଗଳକାରକ! ଏହା ଫଳରେ ଘରକୁ ଫେରିଲା ପରେ କିଛି ସମୟପାଇଁ ଅନ୍ତତଃ ସମଗ୍ର ମାନବ ଜାତିକୁ ଆଲିଙ୍ଗନ କରିବାର ମୋର କାମନାମାନଙ୍କୁ ନିଜଠାରୁ ଦୂରେଇ ଦେଉଥିଲି, ଅର୍ଥାତ, ମଣିଷଙ୍କ ସାଂଗେ ମିଶିବାର ଉଦଗ୍ର କାମନା ମୋର କେତେ ପରିମାଣରେ ଏହାଦ୍ୱାରା ପ୍ରଶମିତ ହୋଇ ଯାଉଥିଲା ।

 

ସିମନଭ ଥିଲା ମୋର ସେଇମିତି ପରିଚିତମାନଙ୍କ ମଧ୍ୟରୁ ଜଣେ, ଏକପ୍ରକାର ଜଣାଶୁଣା କହିପାର, ପ୍ରକୃତରେ ସେ ଥିଲା ମୋର ପୁରୁଣା ସ୍କୁଲ ସାଂଗ । ସେମିତି ଦେଖିବାକୁ ଗଲେ ପିଟର୍ସବର୍ଗରେ ମୋର କେତେ ସ୍କୁଲ ସାଂଗ ଥିଲେ, ହେଲେ ସେମାନଙ୍କ ସାଂଗେ ମୋର ଏବେ କିଛି ସଂପର୍କ ନଥିଲା, ଏପରିକି ସେମାନଙ୍କୁ ରାସ୍ତାରେ ଦେଖିଲେ ବି ମୁଁ ଆଉ ମୁଣ୍ଡ ହଲାଉ ନଥିଲି । ଏବେ ମୁଁ ଭାବୁଛି, ଯୋଉ ବିଭାଗରେ ମୁଁ ଅବିକା କାମ କରୁଛି ସେଠାକୁ ମୁଁ ନିଜେ ଇଚ୍ଛା କରି ବଦଳି ହୋଇ ଚାଲି ଯାଇଥିଲି କେବଳ ଏଇ ସ୍କୁଲ ସାଂଗମାନଙ୍କ କବଳରୁ ରକ୍ଷା ପାଇବାପାଇଁ ଆଉ ମୋର ଘୃଣ୍ୟ ଶୈଶବ ସହିତ ସମସ୍ତ ସମ୍ପର୍କ ତୁଟେଇ ଦେବାପାଇଁ । ଅଭିଶାପ ପଡ଼ୁ ସେ ସ୍କୁଲ ଉପରେ ଆଉ ଜଳିପୋଡ଼ି ଧ୍ୱଂସ ହୋଇଯାଉ ଯେତେ ସବୁ ଭୟାନକ ବର୍ଷ, ମାସ, ଦିନ, ଲିତାମାନ କଠିଣ ଦଣ୍ଡର, ଦାସତ୍ୱର ।

 

ସଂକ୍ଷେପରେ, ସେଇଥିପାଇଁ ମୁଁ ସଂସାରରେ ପ୍ରବେଶ କଲାକ୍ଷଣି ମୋର ସ୍କୁଲ ବଂଧୁମାନଙ୍କଠାରୁ ଯେତେଶୀଘ୍ର ସଂଭବ ନିଜକୁ ଦୂରେଇ ଆଣିଥିଲି । ଆଉ ଦୁଇତିନି ଜଣ ରହି ଯାଇଥିଲେ ଯାହାଙ୍କୁ ରାସ୍ତା ଉପରେ ଦେଖିଲେ ମୁଁ କେବଳ ମୁଣ୍ଡ ଟୁଙ୍ଗାରି ଦେଉଥିଲି । ସେଇମାନଙ୍କ ଭିତରୁ ଜଣେ ଥିଲା ସିମନଭ, ଯିଏ ସ୍କୁଲରେ କୌଣସି ପାଠରେ ବା କୌଣସି କାମରେ ସେମିତି କିଛି ବିଶେଷତା ଦେଖାଇ ପାରି ନଥିଲା । ବରଂ ଥିଲା ଚୁପ୍‌ଚାପ୍‌, ଶାନ୍ତ, ଉଦାର ପ୍ରକୃତିର ପିଲାଟାଏ; ହେଲେ ତା ଭିତରେ ମୁଁ ଆବିଷ୍କାର କରିଥିଲି ଚାରିତ୍ରିକ ଗୋଟେ ପ୍ରକାର ସ୍ୱାଧୀନତା, ଏପରିକି ଗୋଟେ ପ୍ରକାର ସାଧୁତା । ତାକୁ କେବେ ବି ମୁଁ ବୋକା ବୋଲି ଭାବି ନଥିଲି, ବରଂ ଥରେ କେତୋଟି ଅନ୍ତରଂଗ ମୁହୂର୍ତ୍ତ ତା ସାଥିରେ ମୁଁ ବିତାଇ ଥିଲି, ହେଲେ ଏସବୁ ବେଶୀଦିନ ଚାଲି ପାରି ନଥିଲା; ଆଉ ସବୁ କିମିତି କେଜାଣି ହଠାତ୍ ଅସ୍ପଷ୍ଟ, ଧୂଆଁଳିଆ ହୋଇ ଯାଇଥିଲା । ଏଇସବୁ ଗତ କଥା ମନେ ପକାଇ ଦେଲେ ସେ କାହିଁକି କେଜାଣି ଅତିମାତ୍ରାରେ ଅପ୍ରତିଭ ହୋଇ ପଡ଼ୁଥିଲା, ଆଉ ଯେମିତି ଭୟ ବି କରୁଥିଲା ଯେ, କାଳେ ମୁଁ ପୁଣି ତା ସାଂଗରେ ସେଇ ସ୍କୁଲ ଦିନର ସ୍ୱରରେ କଥାବାର୍ତ୍ତା କରିବି । ଅବଶ୍ୟ ଏହା ମୋର କଳ୍ପନା ହୋଇପାରେ । ପୁଣି ମୁଁ ସନ୍ଦେହ ବି କରୁଥିଲି ଯେ ମୋ ପ୍ରତି ତା’ର ଗୋଟେ ପ୍ରକାର ବିଦ୍ୱେଷଭାବ ଥିଲା, ଆଉ ଆମ ସଂପର୍କର କୌଣସି ଭବିଷ୍ୟତ ନାହିଁ ଜାଣି ବି ମୁଁ ତା ପାଖକୁ ତଥାପି ଯିବା ଆସିବା କରୁଥିଲି ।

 

ଏଇଭଳି ପରିସ୍ଥିତିରେ, ଦିନେ ମୋ ନିସଂଗତାକୁ ଆଉ ସହି ନପାରି ଆଉ ସେଦିନ ଗୁରୁବାର ଥିବା ଓ ଆଣ୍ଟନ ଆଣ୍ଟୋନିକ୍‌ଙ୍କର ଦୁଆର ବନ୍ଦ ଥିବା ଜାଣି, ମୁଁ ସିମନଭ କଥା ଭାବିଲି । ସମଗ୍ର ମାନବ ଜାତିକୁ ଆଲିଙ୍ଗନ କରିବାର ସମ୍ମୋହନରେ ତା ଚତୁର୍ଥ ମହଲାକୁ ଚଢ଼ିଲାବେଳକୁ ମୁଁ ଭାବୁଥିଲି, ଏ ଲୋକଟା ମୋତେ ନାପସନ୍ଦ କରେ, ଏଣୁ ୟା ପାଖକୁ ଆସିବା ଓ ୟାକୁ ଦେଖା କରିବା ଗୋଟେ ଭୁଲ କାମ । ହେଲେ ସବୁବେଳେ ଯେମିତି ମୋ ମନରେ ଘଟେ, ଏବେ ବି ସେଇମିତି ବିଚାର ମତେ ବାଧ୍ୟ କରୁଥିଲା ସେଇ ଭୁଲ କାମ କରିବାକୁ, ବାରମ୍ବାର । ଯେମିତି ଜାଣିଶୁଣି, ନିଜକୁ ଅସୁବିଧା ପରିସ୍ଥିତିରେ ପକାଇବାକୁ, ଜିଦିକଲା ପରି ମୁଁ ଭିତରକୁ ପଶିଲି । ଏ ଭିତରେ ସିମନଭ୍‌କୁ ମୁଁ ଦେଖିଥିଲି ପ୍ରାୟ ବର୍ଷେ ତଳେ ।

 

(ତିନି)

 

ମୋର ଆଉ ଦୁଇଜଣ ସ୍କୁଲ ସାଙ୍ଗଙ୍କୁ ତା ସାଥିରେ ବସିଥିବାର ସେଠାରେ ଦେଖିଲି । ସେମାନେ ଗୋଟାଏ ଭାରି ଗମ୍ଭୀର ବିଷୟ ଉପରେ ଆଲୋଚନା କରୁଥିଲେ । ମୋ ଆସିବାକୁ ସେମାନେ ଲକ୍ଷ୍ୟ ମଧ୍ୟ କଲେ ନାହିଁ, ଏହା ମୋତେ ବିଚିତ୍ର ଲାଗିଲା, କାରଣ ସେମାନଙ୍କୁ ମୁଁ କେତେବର୍ଷ ହେଲା ଦେଖି ନଥିଲି । ଜଣାଯାଉଥିଲା ଯେମିତି ସେମାନେ ମୋତେ ଗୋଟାଏ ସାଧାରଣ ମାଛି ଭଳିଆ ଦେଖୁଥିଲେ । ଯଦିଓ ସେମାନେ ମୋତେ ଘୃଣା କରୁଥିଲେ, ହେଲେ ଏମିତିକା ବ୍ୟବହାର ମୁଁ ସ୍କୁଲରେ ବି ସେମାନଙ୍କଠାରୁ ପାଇ ନଥିଲି । ଅବଶ୍ୟ, ମୁଁ ଜାଣି ଥିଲି ଯେ ସେମାନେ ଏବେ ମୋତେ ମୋର ଚାକିରୀରେ ଅସଫଳତା, ମୋର ନିଜକୁ ଏତେ ତଳକୁ ନେଇଯିବା, ମୋର ମଇଳା କଦର୍ଯ୍ୟ ପୋଷାକ ଇତ୍ୟାଦି ଯୋଗୁ ଘୃଣା କରୁଥିବେ- ଏସବୁ ମୋର ଅସାମର୍ଥ୍ୟ ଓ ମୋର ଗୁରୁତ୍ୱ ନଥିବାର ଚିହ୍ନ ବୋଲି ସେମାନେ ଭାବୁଥିବେ । ହେଲେ ଏପରି ଘୃଣା ତ ମୁଁ କେବେ ଆଶା କରି ନଥିଲି । ମୋର ଏମିତି ପହଞ୍ଚି ଯିବାରେ ସିମନଭ ତ ଏକଦମ ଆଶ୍ଚର୍ଯ୍ୟ ହୋଇଗଲା । ପୂର୍ବଦିନମାନଙ୍କରେ ବି ମୁଁ ଆସି ପହଞ୍ଚିଗଲେ ସେ ସବୁବେଳେ ଆଶ୍ଚର୍ଯ୍ୟ ହେଉଥିଲା-। ଏସବୁ ମିଶି ମୋତେ ଏକବାରେ ବିବ୍ରତ କରିପକାଇଲା । ମୁଁ ବସି ପଡ଼ିଲି, ମୋତେ ଭାରି କଷ୍ଟ ଲାଗିଲା । ଗୋଟେ ପ୍ରକାର କାତରତା ଯିମିତି ଘେରିଗଲା, ମୁଁ ବସି ପଡ଼ିଲି ସେମାନେ କ’ଣ କହୁଥିଲେ ଶୁଣିବାକୁ ।

 

ସେମାନେ ପରଦିନ ଗୋଟାଏ ବିଦାୟ ଭୋଜିର ଆୟୋଜନ କଥା ଖୁବ୍ ଆନ୍ତରିକ ଭାବରେ ଆଲୋଚନା କରୁଥିଲେ । ସେମାନଙ୍କର ଜଣେ ସାଥୀ, ଜେରକୋଭ, ଆର୍ମିର ଗୋଟେ ଅଫିସର, ଅନ୍ୟ ଏକ ଦୂର ପ୍ରଦେଶକୁ କୁଆଡ଼େ ବଦଳି ହୋଇ ଯାଉଥିଲା । ଏଇ ଜେରକୋଭ ସ୍କୁଲରେ ମୋ ସାଥିରେ ପଢୁଥିଲା । ମୁଁ ତାକୁ ସେତେବେଳେ ବି ଘୃଣା କରିବାକୁ ଆରମ୍ଭ କରିଥିଲି, ଅବଶ୍ୟ ଗୋଟେ ପ୍ରକାର ଊର୍ଦ୍ଧ୍ୱତର ଚେତନା-ସ୍ତରରେ । ସେ ଥିଲା ବଡ଼ ଲୋକର ପିଲା, କିନ୍ତୁ ଆଉ ଟିକିଏ ଅଧିକ ବିକଶିତ ତଥା ସୂକ୍ଷ୍ମ ଦୃଷ୍ଟିରେ ଦେଖିଲେ ସେ ଥିଲା କେବଳ ଗୋଟାଏ ସାଧାରଣ ସୁନ୍ଦର, ହସଖୁସିରେ ସମୟ କଟାଉଥିବା ବାଳକଟିଏ । ତାକୁ ସମସ୍ତେ ଭଲ ପାଉଥିଲେ, ହେଲେ ମୁଁ ତାକୁ ତା’ର ସେଇ ସାଧାରଣ ରୂପରେ ବି ଘୃଣା କରୁଥିଲି, କାରଣ ସେ ଥିଲା ଗୋଟାଏ ସୁନ୍ଦର, ହସିଖେଳି ସମୟ କାଟୁଥିବା ପିଲାଟିଏ ଯିଏ ପାଠପଢ଼ାରେ ଥିଲା ଭାରି ଦୁର୍ବଳ, ଆଉ ଯେତେ ଯେତେ ଉପର ଶ୍ରେଣୀକୁ ଯାଉଥିଲା ସେତେ ଅଧିକ ଖରାପ ପଢ଼ିବା ତା’ର ଯେମିତି ଗତରେ ପଡ଼ି ଯାଇଥିଲା । ହେଲେ ଏସବୁ ସତ୍ୱେ ସେ ଭଲ ସାର୍ଟିଫିକେଟ୍ ପାଇ ସ୍କୁଲ ଛାଡ଼ିଥିଲା କାରଣ ତାର ସଂପର୍କୀୟମାନେ ଥିଲେ ଶକ୍ତିଶାଳୀ । ସ୍କୁଲର ଶେଷ ବର୍ଷରେ ସେ ଦୁଇଶହ ଦାସ ଖଟୁଥିବା ଜମିଦାରୀଟିଏ ପାଇଥିଲା । ଆଉ ଆମେ ଅଧିକାଂଶ ଯେହେତୁ ଗରିବ ଥିଲୁ, ଆମ ସହ ତ ଏକ ପ୍ରକାର ଉଦ୍ଧତ ସ୍ୱରରେ ସେ କଥା କହୁଥିଲା ।

 

ସେ ଥିଲା ଅତିମାତ୍ରାରେ ଆଶାଳୀନ, ହେଲେ ସେଇ ଔଦ୍ଧତ୍ୟ ଭିତରେ ବି ଥିଲା ଭଲ ପ୍ରକୃତିର । ସମ୍ମାନ ଓ ଆତ୍ମମର୍ଯ୍ୟାଦାର ମିଥ୍ୟା ଧାରଣା, ବାହ୍ୟ ଚାକଚକ୍ୟ, ଉଦ୍ଭଟ କଳ୍ପନା ପ୍ରବଣତା ସତ୍ୱେ ବି ଆମ ଭିତରୁ ଖୁବ୍ କମ୍ କେତେଜଣ ଜେରକୋଭର ପାଦ ନିଶ୍ଚୟ ଚାଟୁଥିଲେ, ଆଉ ଆମ ପାଦଚଟାଙ୍କ ସଂଖ୍ୟା ଯେତେ ଯେତେ ବଢ଼ି ଚାଲିଲା ତାର ଔଦ୍ଧତ୍ୟ ସେତେସେତେ ବଢ଼ିଚାଲିଲା । ଯେଉଁ କେତେଜଣ ତା ପାଖରେ ମୁଣ୍ଡ ନୁଆଁଇଥିଲେ, ତାହା କୌଣସି ଫାଇଦା ଉଠାଇବା ଉଦ୍ଦେଶ୍ୟରେ କରି ନଥିଲେ, କେବଳ ପ୍ରକୃତିର ବିପୁଳଦାନ ତା ଉପରେ ଏମିତି ଅଜାଡ଼ି ହୋଇ ପଡ଼ିଥିବା ଯୋଗୁଁ କରିଥିଲେ । ତା ଛଡ଼ା ଆମ ଭିତରେ ଗୋଟାଏ ବଦ୍ଧମୂଳ ଧାରଣା ରହିଯାଇଥିଲା ଯେ ଚାଲାକି ଓ ସାମାଜିକ ମର୍ଯ୍ୟାଦା ବାବଦରେ ଜେରକୋଭ ଥିଲା ଗୋଟାଏ ବିଶେଷଜ୍ଞ । ଏଇ ଶେଷ କଥାଟି ବିଶେଷ ଭାବରେ ମୋତେ କ୍ରୋଧାନ୍ୱିତ କରିଥିଲା ।

 

ତା କଥାରେ ଆତ୍ମବିଶ୍ୱାସର ସଂକ୍ଷିପ୍ତ ସ୍ୱର, ନିଜର ପ୍ରତ୍ୟୁତ୍ପନ୍ନମତ୍ତିତାକୁ ନେଇ ନିଜେ ବିହ୍ୱଳ ହୋଇ ପ୍ରଶଂସା କରିବା ଯାହା ଅଧିକାଂଶବେଳେ ଭୟଙ୍କର ମୂର୍ଖତା ପରି ଲାଗୁଥିଲା- ସେ ସବୁକୁ ମୁଁ ଘୃଣା କରୁଥିଲି, ଯଦିଓ କଥାବାର୍ତ୍ତାରେ ସେ ବେଶ ସାହସୀ ଥିଲା ତଥାପି ବି ମୁଁ ତାକୁ ଘୃଣା କରୁଥିଲି; ମୁଁ ଘୃଣା କରୁଥିଲି ତାର ସୁନ୍ଦର ଅଥଚ ମୂର୍ଖ ମୁହଁକୁ ଯାହାପାଇଁ ଖୁସିରେ ମୁଁ ମୋର ବୁଦ୍ଧିଆ ମୁହଁଟାକୁ ବଦଳାଇ ପାରିଥାନ୍ତି । ଆଉ ଚାଳିଶ ମସିହାରେ ଫେସନ ଥିବା ମୁକ୍ତ, ସହଜ ତାର ସୈନିକ ସୁଲଭ ବ୍ୟବହାରକୁ ମୁଁ ଘୃଣା କରୁଥିଲି । ମୁଁ ଘୃଣା କରୁଥିଲି ଭବିଷ୍ୟତରେ ନାରୀମାନଙ୍କ ଉପରେ ତା’ର ବିଜୟ ହାସଲର କାହାଣୀକୁ ଯେପରି ସେ କହୁଥିଲା । (ଗୋଟାଏ ଅଫିସରର ମେଡ଼ାଲ ତା ଛାତିରେ ନଲାଗିଲା ଯାଏ, ନାରୀମାନଙ୍କ ଉପରେ ଆକ୍ରମଣ ଆରମ୍ଭ କରିବାକୁ ସେ ସାହସ କରିନଥିଲା, ଏବଂ ଏହି ଦିନକୁ ସେ ଅଧୈର୍ଯ୍ୟ ହୋଇ ଅପେକ୍ଷା କରିଥିଲା) । ପୁଣି ନିୟମିତ ଦ୍ୱନ୍ଦ୍ୱ ଯୁଦ୍ଧ କରିବାକୁ ନେଇ ଭାରି ଗର୍ବ କରୁଥିଲା ।

 

ମୋର ମନେପଡ଼ୁଛି କିମିତି ମୁଁ ସବୁବେଳେ ଏତେ ଚୁପଚାପ ପ୍ରକୃତିର ଥିବା ସତ୍ୱେ ହଠାତ୍ ଦିନେ ଜେରକୋଭ ସାଂଗେ ମୁହାଁମୁହିଁ ଲାଗିଗଲି । ଦିନେ ସ୍କୁଲରେ ପଢ଼ା ହେଉ ନଥିବାବେଳେ ସେ ତା ସାଙ୍ଗମାନଙ୍କ ଗହଣରେ ବସି ଝିଅମାନଙ୍କ ସହିତ ତାର ଭବିଷ୍ୟତ ସଂପର୍କକୁ ନେଇ ଫୁଟାଣି ମାରୁଥିଲା, ଆଉ କଅଁଳିଆ ଖରାରେ କୁକୁର ପିଲା ପରି ଭାରି ଉତ୍ତେଜିତ ଜଣାପଡ଼ୁଥିଲା । ହଠାତ୍ ସେ ଘୋଷଣା କଲା ଯେ ତା ଜମିଦାରୀର ଗୋଟିଏ ବି ଝିଅକୁ ସେ ନ ଦେଖି ଛାଡ଼ିବ ନାହିଁ, ଅର୍ଥାତ ତାହା ହିଁ ହେବ ତାର ଆଭିଜାତ୍ୟର ପ୍ରତୀକ, ଆଉ ଯଦି କୃଷକମାନେ ଏହାର ବିରୋଧ କରିବାକୁ ଚେଷ୍ଟା କରିବେ, ସେଇ ଦାଢ଼ିଆ, ଗାଉଁଲି, ବଦମାସ ଚଷାଗୁଡ଼ାଙ୍କ ଉପରେ ଟିକସ ଦୁଇଗୁଣ କରିଦେବ ଓ ସେମାନଙ୍କୁ ସମସ୍ତଙ୍କୁ ଚାବୁକ ମାରି ସେ ସାବାଡ଼ କରିଦେବ । ଆମ ପଦଲେହନକାରୀଦଳ ଜୋର ତାଳି ମାରିଲେ, କିନ୍ତୁ ମୁଁ ତା ଉପରେ ଆକ୍ରମଣ କଲି, ଝିଅମାନଙ୍କପାଇଁ ବା ତାଙ୍କ ବାପାମାନଙ୍କ ପ୍ରତି ଦୟାରୁ ନୁହେଁ, କେବଳ ଏ କୁକୁର ଦଳ ଏପରି ଗୋଟାଏ ପୋକପାଇଁ ତାଳି ମାରି ଚାଲିଥିଲେ ବୋଲି ।

 

ସେଦିନ ଘଟଣାରେ ତା ଉପରେ ମୁଁ ଜିତିଗଲି, ହେଲେ ଜେରକୋଭ ଯଦିଓ ମୁର୍ଖ ଥିଲା, ସେଥିଲା ବେଶ୍ ଜୀବନପ୍ରେମୀ ଆଉ ନିର୍ଲଜ ଭାବରେ ଅପମାନ ସହି ପାରୁଥିଲା । ଏଣୁ ଏ କଥାଟାକୁ ସେ ହସରେ ଉଡ଼େଇ ଦେଲା, ଆଉ ଏପରି ଉଡ଼େଇ ଦେଲା ଯେ ମୋର ଜିତାପଟ ପ୍ରକୃତରେ ସଂପୂର୍ଣ୍ଣ ହୋଇପାରିଲା ନାହିଁ । ପରେ ପରେ କେତେଥର ସେ ଜିତିଲା ମୁଁ ହାରିଲି, କିନ୍ତୁ କୌଣସି ମନ୍ଦ ଉଦ୍ଦେଶ୍ୟ ଏଥିରେ ନଥିଲା, ପରିହାସରେ, ସାଧାରଣ ଭାବରେ ଏସବୁ ଘଟିଯାଇଥିଲା । ମୁଁ ରାଗରେ, ଘୃଣାରେ ନୀରବ ରହୁଥିଲି, ତାକୁ କିଛି ଉତ୍ତର ଦେଉ ନଥିଲି ।

 

ଆମେ ଯେତେବେଳେ ସ୍କୁଲ ଛାଡ଼ିଲୁ ସେ ଆଗତୁରା ମୋ ପାଖକୁ ଆସି କେତେକ’ଣ କହିଗଲା, ଥଟ୍ଟା-ନକଲ କଲା, ହେଲେ ମୁଁ ତାକୁ ପ୍ରତ୍ୟୁତ୍ତର ଦେଲି ନାହିଁ, କାରଣ ମତେ ସେସବୁ ଖୋସାମତ ପରି ଲାଗିଲେ ବି ଭଲ ଲାଗିଥିଲା, ହେଲେ ଖୁବ୍‍ଶୀଘ୍ର ଆମେ ପରସ୍ପରଠାରୁ ଅଲଗା ହୋଇଗଲୁ । ତା’ପରେ ଖୁବ୍‍ଶୀଘ୍ର, ଖୁବ୍ ସ୍ୱାଭାବିକ ଭାବରେ ଲେଫ୍ଟନାଣ୍ଟ ଭାବରେ ତା’ର ବାରାକ୍‌‌-କୋଠରୀ ସଫଳତା କଥା ମୋ କାନରେ ପଡ଼ିଥିଲା, ଆଉ କିପରି ଦ୍ରୂତ-ଜୀବନ ସେ କଟାଉଥିଲା ମୁଁ ଶୁଣିଥିଲି । ତାପରେ ଆସିଲା ଚାକିରୀରେ ତା’ର ବହୁ ସଫଳତାର କାହାଣୀ । ସେତେବେଳକୁ ଗଳିରାସ୍ତାରେ ମୋତେ ଦେଖି ବାଟକାଟି ଚାଲିଯିବାକୁ ସେ ଆରମ୍ଭ କରିସାରିଥିଲା । ମୁଁ ଭାବିଲି ମୋ ପରି ଗୋଟାଏ ମାମୁଲି ଲୋକ ସାଥିରେ କଥା ହେଲେ ନିଜ ମର୍ଯ୍ୟାଦାର ହାନି ହେବ ଭାବି ସେ ଡରୁଥିଲା । ଥରେ ମୁଁ ତାକୁ ଥିଏଟରରେ ଦେଖିଥିଲି, ତିନି ମହଲାର ବକ୍ସ କୋଠରୀରେ ସେ ବସିଥିଲା । ସେତେବେଳକୁ ତା କାନ୍ଧରେ ଲାଗିଥିଲା କେତେଗୁଡ଼ିଏ ଚମଡ଼ା ଷ୍ଟ୍ରାପ ଆଉ ସେଥିରୁ ଝୁଲୁଥିଲା ପଦକମାନ ତା ପଦମର୍ଯ୍ୟାଦାର ସଂକେତସ୍ୱରୂପ । ସେ ଖାଲି ଏପଟ ସେପଟ ଅନାଇ ଖୁଜୁରୁବୁଜୁରୁ ହେଉଥିଲା ଓ ଜଣେ ପୁରାତନ ଜେନେରଲଙ୍କ ଝିଅମାନଙ୍କ ପାଖରେ ନାଳେଇ ପାଳେଇ ହେଉଥିଲା । ବର୍ଷ ତିନିଟାରେ ସେ ବେଶ୍‍ ଉପରକୁ ଉଠି ପାରିଥିଲା ଆଉ ତଥାପି ବି ଥିଲା ସୁନ୍ଦର ଓ ଧୂର୍ତ୍ତ । ଅବଶ୍ୟ ତାକୁ ତିରିଶ ବର୍ଷ ହେଲାବେଳକୁ ସେ ଯେ ବେଶ୍‍ ମୋଟା ଆଉ ପେଟା ହୋଇଯିବ ଏହା ଜଣାପଡ଼ି ଯାଉଥିଲା ।

 

ତା ହେଲେ ଏଇ ଜେରକୋଭପାଇଁ ମୋର ସ୍କୁଲ ସାଥୀମାନେ ତାକୁ ଗୋଟେ ବିଦାୟ ଭୋଜି ଦେବାକୁ ଯାଉଥିଲେ । ଏଇ ତିନିବର୍ଷ ଧରି ତା ସାଂଗେ ବେଶ୍‍ ସଂପର୍କ ଜମାଇ ରଖିଥିଲେ ଆଉ ମନ ଭିତରେ ସେମାନେ ଯେ ନିଜକୁ ତା ସହିତ ସମାନ ମର୍ଯ୍ୟାଦା ସ୍ତରରେ ବିଚାର କରୁଥିଲେ ଏ ବିଷୟରେ ମୁଁ ଥିଲି ନିଃସନ୍ଦେହ ।

 

ସିମନଭର ଦୁଇଜଣ ଆଗନ୍ତୁକଙ୍କ ଭିତରୁ ଜଣେ ଥିଲା ଫରଫିସ୍‌କିନ୍‌, ରୁଷିଆରେ ବହୁକାଳ ରହିଥିବା ଜର୍ମାନ- ବାଙ୍ଗରା, ମାଙ୍କଡ଼ ମୁହାଁ ଗଜମୂର୍ଖଟାଏ, ସବୁବେଳେ ଅପରକୁ ଥଟ୍ଟା କରିବାରେ ଅଭ୍ୟସ୍ତ । ସ୍କୁଲର ସେଇ ନିମ୍ନ ରୁଚିର ହିନିମାନିଆ ଦିନମାନଙ୍କରୁ ସେ ମୋର ଗୋଟାଏ ବଡ଼ ଶତ୍ରୁ ଥିଲା । ଥିଲା ଗୋଟାଏ ଅଶାଳୀନ, ଅଭଦ୍ର, ଉଦ୍ଧତ, ଗର୍ବୀ, ବ୍ୟବହାର ଜାଣିନଥିବା ମଣିଷ, ଯିଏ ମଣିଷର ବ୍ୟକ୍ତିଗତ ଇଜ୍ଜତର ସବୁଠାରୁ ଆବେଗମୟ ଅନୁଭବମାନଙ୍କୁ ଆଘାତ କରୁଥିଲା, ଅବଶ୍ୟ ମନଭିତରେ ପ୍ରକୃତରେ ସେ ଥିଲା ଭାରି ଡରୁଆ ଆଉ ଭୀରୁ । ବିଚାରା ! ଜେରକୋଭର ସ୍ତାବକମାନଙ୍କ ଭିତରେ ସେଇଥିଲା ଏକମାତ୍ର ଯିଏ ଉଦ୍ଦେଶ୍ୟମୂଳକ ଭାବରେ ତାର ସ୍ତୁତିଗାନ କରୁଥିଲା ଓ ଦରକାର ପଡ଼ିଲେ ଅଧିକାଂଶବେଳେ ତା’ଠାରୁ ଟଙ୍କା ଧାର ଆଣୁଥିଲା ।

 

ସିମନଭର ଅନ୍ୟ ଅତିଥିଜଣକ ଥିଲା ଟ୍ରଡଲ୍ୟୁବୋଭ୍‌- ଗୋଟାଏ ସାଧାରଣ ମଣିଷ, ତାର ବିଶେଷତ୍ୱ କିଛି ନଥିଲା । ଅଳ୍ପ ବୟସ୍କ, ଡେଙ୍ଗା ଯୁବକଟିଏ, ଆର୍ମି ଚାକିରୀ, ମୁହଁଟା ମୁଖା ପରି ସ୍ଥୂଳ, ଚଳନୀୟଭାବେ ସାଧୁ । ସବୁ ପ୍ରକାର ସଫଳତାକୁ ଯଦିଓ ସେ ପୂଜା କରୁଥିଲା, ତେବେ କେବଳ ପ୍ରମୋଶନ ଯାଏ ଭାବି ପାରିବାର ସାମର୍ଥ୍ୟ ତାର ଥିଲା । ଜେରକୋଭର ଏକ ପ୍ରକାର ଦୂରସଂପର୍କୀୟ ସେ ଥିଲା, ଆଉ ଆପାତତଃ ମୂର୍ଖାମୀ ପରି ମନେ ହେଲେ ବି, ଏଇ ସଂପର୍କ ହିଁ ତାକୁ ଆମ ଭିତରେ ବେଶ୍ କିଛିଟା ପ୍ରାଧାନ୍ୟ ଦେଇଥିଲା । ତେବେ ମୋତେ ସେ ଗୋଟାଏ ଅପଦାର୍ଥ ବୋଲି ବିଚାରୁ ଥିଲା ଆଉ ମୋ ପ୍ରତି ତା’ର ବ୍ୟବହାର ଅତି ଭଦ୍ର ନଥିଲେ ବି ସହିଲା ଭଳି ଥିଲା ।

 

“ଠିକ୍ ଅଛି, ଆମେ ପ୍ରତ୍ୟେକେ ଦେବା ସାତ ରୁବଲ୍ ଲେଖା,’’ କହିଲା ଟ୍ରଡଲ୍ୟୁବୋଭ୍‍, “ଏକୋଇଶ ରୁବଲ ଆମ ତିନିଜଣଙ୍କ ଭିତରେ, ଏଇଥିରେ ଆମେ ଭଲ ଡିନର ପାଇ ପାରିବା । ଜେରକୋଭ ଅବଶ୍ୟ କିଛି ଦେବନି ।’’

 

“ଅବଶ୍ୟ ଦେବନାହିଁ, କାରଣ ଆମେ ତାଙ୍କୁ ନିମନ୍ତ୍ରଣ କରୁଛେ,’’ ସିମନଭ ତା’ର ସିଦ୍ଧାନ୍ତ ଜଣାଇଲା ।

 

“ତୁମେ କଳ୍ପନା କରିପାରୁଛ,” ଫରଫିସ୍‌କିନ୍ ଉତ୍ତେଜିତ ହୋଇ ଯେମିତି ଗୋଟାଏ ଉଦ୍ଧତ ସୈନିକ ତା ମାଷ୍ଟର ଜେନେରଲର ମେଡ଼ାଲ-ରିବନ୍‍ମାନଙ୍କୁ ନେଇ ଗର୍ବ କରେ, ସେଇମିତି ବୃଥା ଗର୍ବରେ କହିଲା, “ତୁମେ କଳ୍ପନା କରିପାରୁଛ ଯେ ଜେରକୋଭ ଆମକୁ ଖର୍ଚ୍ଚ କରିବାକୁ ଦେବ? ସେ ଏହାକୁ ଭଦ୍ରତା ଖାତିରରେ ଅବଶ୍ୟ ଗ୍ରହଣ କରିନେବ, ହେଲେ ଅଧଡଜନେ ସାମ୍ପେନ ଆଗ ବରାଦ କରିଦେବ ।’’

 

“ଆମ ଚାରିଜଣଙ୍କପାଇଁ ଆମେ କ’ଣ ଅଧ ଡଜନେ ଦରକାର କରିବା?’’ ଟ୍ରଡଲ୍ୟୁବୋଭ୍‍ କେବଳ ଅଧଡଜନ ଶବ୍ଦଟିକୁ ଲକ୍ଷ୍ୟ କଲା ।

 

“ତା ହେଲେ ଆମେ ତିନିଜଣ, ଜେରକୋଭ ମିଶିଲେ ଚାରି, ଏକୋଇଶ ରୁବଲ୍‌, ହୋଟେଲ ଡି ପାରିସ୍‌ରେ ଆସନ୍ତା କାଲି ପାଞ୍ଚଟାବେଳେ,’’ ସବୁ ବ୍ୟବସ୍ଥା କରିବା ଦାୟିତ୍ୱରେ ଥିବା ସିମନଭ କହିଲା ଶେଷ କଥା ପଦକ ।

 

“ଏକୋଇଶ ରୁବଲ୍ କେମିତି?’’ ମୁଁ ଆବଶ୍ୟକତାରୁ ଅଧିକ ଉତ୍ତେଜିତ ହୋଇ ଖୁବ୍ ଅପମାନିତ ହୋଇଥିଲା ପରି ମୁହଁ କରି ପଚାରିଲି, “ଯଦି ମୋତେ ତୁମେମାନେ ଗଣ ତା ହେଲେ ଏକୋଇଶ ରୁବଲ୍ ହେବ ନାହିଁ, ହେବ ଅଠେଇଶ ରୁବଲ୍ ।’’

 

ମୋତେ ଲାଗିଲା ଏମିତି ହଠାତ୍ ନିଜକୁ ଅପ୍ରତ୍ୟାଶିତ ଭାବରେ ନିମନ୍ତ୍ରିତ କରିବା ନିଶ୍ଚୟ ସମ୍ମାନଜନକ ହେବ, ଆଉ ମଧ୍ୟ ଏହାଦ୍ୱାରା ସେମାନଙ୍କୁ ଏକାବେଳକେ ଜୟ କରିହେବ ଆଉ ସେମାନେ ମୋତେ ସମ୍ମାନଭରା ଦୃଷ୍ଟିରେ ଦେଖିବେ ।

 

“ତୁମେ ବି ଆମ ସାଂଗେ ମିଶିବାକୁ ଚାହୁଁଛ?’’ ସିମନଭ କହିଲା, ସେ ଖୁସି ହେଲା ପରି ଜଣାଯାଉ ନଥିଲା, ଆଉ ମୋ ମୁହଁକୁ ସିଧା ଅନାଉ ବି ନଥିଲା । ସେ ମୋତେ ଅତି ଭଲ କରି ବାହାର ଭିତର ଜାଣିଥିଲା ।

 

ସେ ମୋତେ ଏତେ ଭଲ କରି ଜାଣିବାଟା ମୋତେ ବିରକ୍ତ କଲା ।

 

“କାହିଁକି ନୁହେଁ? ମୁଁ ବି ତା’ର ଗୋଟାଏ ପୁରୁଣା ସ୍କୁଲ ସାଂଗ । ମୋର ବିଶ୍ୱାସ, ତୁମେମାନେ ମୋତେ ଛାଡ଼ି ଦେଲେ ମୋର ଅପମାନିତ ଅନୁଭବ କରିବାର ଅଧିକାର ଅଛି,’’ ମୁଁ ପୁଣି ଥରେ ଭିତରେ ଭିତରେ ଫଁ ଫଁ ହୋଇ କହିଲି ।

 

“ଆଚ୍ଛା, ଆମେ ତୁମକୁ ପାଇବୁ କୋଉଠୁ?’ ଫରଫିସ୍‌କିନ୍ କର୍କଶ ସ୍ୱରରେ ପଚାରିଲା ।

 

“ତୁମର ତ କେବେ ଜେରକୋଭ ସାଂଗରେ ଭଲ ପଡ଼ୁ ନଥିଲା?’’ ଟ୍ରଡଲ୍ୟୁବୋଭ୍ ଗମ୍ଭୀର ହୋଇ ପ୍ରଶ୍ନ କଲା ।

 

କିନ୍ତୁ କଥାଟା ଯେତେବେଳେ ମୋ ମୁଣ୍ଡରେ ପଶି ସାରିଥିଲା ତାକୁ ଆଉ ଛାଡ଼ିବାର ପ୍ରଶ୍ନ ଉଠୁ ନଥିଲା ।

 

“ସେ ବିଷୟରେ ମନ୍ତବ୍ୟ ଦେବାର ଅଧିକାର କାହାର ଅଛି ବୋଲି ମୁଁ ବିଚାରୁ ନାହିଁ,’’ କଂପିତ ସ୍ୱରରେ ମୁଁ ଜବାବ ଦେଲି, ଯେମିତି କିଛି ଗୋଟାଏ ଭୟଙ୍କର କଥା ଘଟି ଯାଇଥିଲା । “ବର୍ତ୍ତମାନ ଏହା ମୁଁ ଚାହିଁବାର ଏକମାତ୍ର କାରଣ, ସଂଭବତଃ ସେୟା ଯେ ମୁଁ ସବୁବେଳେ ତା ସାଥିରେ ଭଲ ସଂପର୍କ ରଖିପାରି ନାହିଁ ।’’

 

“ଓଃ, ତୁମକୁ ଛାଡ଼ିବାର ପ୍ରଶ୍ନ ଉଠୁନାହିଁ... ଏଇସବୁ ଛୋଟ ଛୋଟ ଖୁସି, ସୂକ୍ଷ୍ମ ଅନୁଭବମାନଙ୍କରେ...’’, ଟ୍ରଡଲ୍ୟୁବୋଭ୍ ଦାନ୍ତ ନିକୁଟିଲା ।

 

“ଆମେ ତମ ନାଁ ଲେଖି ଦେଉଛୁ,’’ ସିମନଭ ନିଷ୍ପତ୍ତି ନେଲା ଓ ମୋତେ ଅନାଇ କହିଲା, “କାଲି ସଂଧ୍ୟା ପାଞ୍ଚଟାରେ ହୋଟେଲ ଡି ପାରିସ୍‌ରେ ।’’

 

“ତା ଭାଗ ଅର୍ଥ ବାବଦରେ କ’ଣ?’’ ଫରଫିସ୍‌କିନ୍ ନିଚ୍ଚା ସ୍ୱରରେ ମୋ’ଆଡ଼କୁ ଇଙ୍ଗିତ କରି ସିମନଭକୁ କହିଲା, କିନ୍ତୁ ସେତିକି କହି ସେ ରହିଗଲା, କାରଣ ସିମନଭ ବି ଅପ୍ରତିଭ ହୋଇ ପଡ଼ିଥିଲା ।

 

“ସେୟା ତା ହେଲେ ଠିକ୍ ହେଲା,’’ ଉଠୁ ଉଠୁ କହିଲା ଟ୍ରଡଲ୍ୟୁବୋଭ୍‍ । “ଯଦି ସେ ଆସିବାକୁ ଚାହୁଁଛି, ଆସୁ ।’’

“କିନ୍ତୁ ଏହା ଆମ ସାଂଗମାନଙ୍କ ଭିତରେ ଗୋଟାଏ ଘରୋଇ ବଂଧୁ ମିଳନର କଥା,’’ ଫରଫିସ୍‌କିନ୍ ଟୋପିଟି ଧରି ଉଠୁ ଉଠୁ ରାଗରେ କହିଲା, “ଏହା ଆଦୌ ଅଫିସ୍ ସ୍ତରୀୟ ମିଳନ ନୁହେଁ ।’’

“ଆମେ ଆଦୌ ବି ଚାହୁଁନୁ - ବୋଧହୁଏ...’’

 

ସେମାନେ ଚାଲିଗଲେ । ଫରଫିସକିନ୍ ବାହାରି ଗଲାବେଳକୁ ମୋତେ କୌଣସି ପ୍ରକାରେ ଅନାଇଲା ବି ନାହିଁ । ଟ୍ରଡଲ୍ୟୁବୋଭ୍ ଗୋଟାଏ କାମଚଳା ସାମାନ୍ୟ ମୁଣ୍ଡ ହଲାଇ ଚାଲିଗଲା । ସିମନଭ୍‌, ଯାହା ସାଥିରେ ମୁଁ ଏକୁଟିଆ ରହିଗଲି, ବିଚାରା ବିରକ୍ତିରେ ଆଉ କ’ଣ କରିବ ଜାଣି ନପାରିବା ଅବସ୍ଥାରେ ମୋତେ ଚୋରଙ୍କ ପରି ଅନେଇଲା । ସେ ନିଜେ ବସିଲା ନାହିଁ କି ମତେ ବସିବାପାଇଁ କହିଲା ନାହିଁ ।

 

“ହୁଁ... ଆଚ୍ଛା... କାଲି ତା ହେଲେ । ତୁମେ ତୁମ ଭାଗ ଅର୍ଥ ଏଇଲେ ଦେଇଦେବ? ମୁଁ ପଚାରୁଛି କେବଳ ଜାଣିବାପାଇଁ ।’’ ସେ ଅପ୍ରତିଭ ଭାବରେ ଗୁଣୁଗୁଣୁ ହେଲା ।

 

ମୋ ମୁହଁ ଜାମୁକୋଳି ରଂଗର ହୋଇଗଲା । କାରଣ ମୋର ମନେ ପଡ଼ିଯାଇଥିଲା ଯେ କେତେବର୍ଷ ହେଲାଣି ସିମନଭ୍‌ର ପନ୍ଦର ରୁବଲ ମୋ ଉପରେ ବାକି ଅଛି । ପ୍ରକୃତରେ ଏକଥା ମୁଁ କେବେ ବି ଭୁଲି ନଥିଲି, ଯଦିଓ କେବେ ତାହା ଫେରାଇ ବି ନଥିଲି ।

 

“ତୁମେ ତ ଅନ୍ତତଃ ବୁଝିବ, ସିମନଭ୍‌, ଯେ ଏଠାକୁ ଆସିଲାବେଳେ ମୋର ଏ ବିଷୟରେ ଆଦୌ ଧାରଣା ନଥିଲା... ମୁଁ ନିଜ ଉପରେ ଅତ୍ୟନ୍ତ ବିରକ୍ତ ଯେ ମୁଁ ଭୁଲିଯାଇଛି...’’

 

“ଠିକ ଅଛି, ଠିକ୍ ଅଛି, ସେଥିରେ କିଛି ଯାଏଆସେ ନାହିଁ । ତୁମେ କାଲି ଖାଇ ସାରିବା ପରେ ଦେଇଦେବ । ମୁଁ କେବଳ ଜାଣିବାକୁ ଚାହୁଁଥିଲି... ଦୟାକରି ଭାବ ନାହିଁ... ।’’

 

ଅଧାରୁ ରହିଯାଇ ସେ କୋଠରୀର ଏ ମୁଣ୍ଡରୁ ସେ ମୁଣ୍ଡକୁ ଚାଲିଚାଲି ଗଲା ଆଉ ଆଗଠାରୁ ଅଧିକ ବିରକ୍ତ ହେଲା ପରି ଦିଶୁଥିଲା । ଚାଲିଲାବେଳକୁ ଜୋତାର ହିଲ୍ ଗୋଇଠିରେ ସେ ଠକ୍ ଠକ୍ କରୁଥିଲା ।

 

“ମୁଁ ତୁମକୁ ଅଟକାଇ ରଖିଛି କି?’’ ଦୁଇମିନିଟର ନୀରବତା’ପରେ ମୁଁ ପଚାରିଲି ।

 

“ଓହୋ,’’ ଚମକି ପଡ଼ି ସେ କହିଲା, “ସତ କହିଲେ ହଁ । ମୋତେ ଏଇଲେ ଯାଇ ଜଣକୁ ଦେଖା କରିବାକୁ ହେବ । ଏଠାରୁ ବେଶୀ ଦୂର ନୁହେଁ ।’’ ସେ କ୍ଷମା ମାଗିଲା ପରି ସ୍ୱରରେ କିଛିଟା ଲଜ୍ଜିତ ହେଲା ପରି କହିଲା ।

 

“ହେ ଭଗବାନ, କାହିଁକି ସେ କଥା କହି ନଥିଲ ଏଯାଏଁ?” ମୋ ଟୋପିଟାକୁ ଜାବୁଡ଼ି ଧରି ମୁଁ ଚିତ୍କାର କଲି, ବହୁତ ଆଶ୍ଚର୍ଯ୍ୟ ହେଲା ପରି ମୁକ୍ତ ସହଜ ଭାବରେ ଏପରି କହିଲି ଯେପରି ମୁଁ ନିଜେ ବି ଆଶା କରି ନଥିଲି ।

 

“ଏଇଟା ବହୁତ ପାଖରେ, ଏଇ ଦି ପାଦ ବି ହେବନି,’’ ସିମନଭ ପୁଣି ଥରେ କହି, ମୋ ସାଥିରେ ଦାଣ୍ଡ ଦୁଆର ପର୍ଯ୍ୟନ୍ତ ଭାରି ଗୋଟାଏ ବଡ଼ ଲୋକି ଠାଣିରେ ଆସିଲା ଯୋଉଟା ତାକୁ ଜମା ଖାପ୍ ଖାଉ ନଥିଲା । “ତା ହେଲେ ପାଞ୍ଚଟାରେ, ଠିକ୍ ଟାଇମ୍‌ରେ, କାଲି,’’ ସେ ମୋ ପଛରୁ ସିଡ଼ି ତଳୁ ବଡ଼ ପାଟିରେ କହିଲା । ମୋ’ଠାରୁ ମୁକ୍ତି ପାଇ ସେ ଖୁସି ହେଉଥିଲା । ମୁଁ ରାଗରେ ଜଳୁଥିଲି ।

 

“କ’ଣ ମୋ ଉପରେ ସବାର ହେଇଥିଲା, କି ଭୂତ ମୋତେ ଗ୍ରାସ କରିଥିଲା ଏପରି ସେମାନଙ୍କ ଉପରେ ଲଦି ହେବାକୁ?’’ ମୁଁ ନିଜେ ଆଶ୍ଚର୍ଯ୍ୟ ହେଉଥିଲି, ଆଉ ଦାନ୍ତ କାମୁଡ଼ି ରାସ୍ତାରେ ଚାଲୁଥିଲି, ସେ ଜେରକୋଭ ଭଳି ଗୋଟାଏ ଘୁଷୁରୀ,ଗୋଟାଏ ପୋକପାଇଁ । ଅବଶ୍ୟ ମୋର ନ ଯିବାଟା ବରଂ ଭଲ ହେବ; ଅବଶ୍ୟ ସେମାନଙ୍କପାଇଁ ହାତ ଯୋଡ଼ି ଚୁପ୍‌ଚାପ୍ ମୁଁ ଘରେ ବି ବସି ପାରିବି । ମୋର ତ ଯିବାର କୌଣସି ବାଧ୍ୟବାଧକତା ନାହିଁ । କାଲି ପୋଷ୍ଟରେ ସିମନଭ୍‌କୁ ଗୋଟାଏ ଚିଠି ପଠାଇ ଦେବି ଯେ... ।’’

 

କିନ୍ତୁ ମୋତେ ସବୁଠାରୁ ଯାହା ରାଗ ଲାଗୁଥିଲା ତାହା ହେଲା ଯେ ମୋ ଯିବାଟା ଏକଦମ୍ ନିଶ୍ଚିତ ଥିଲା, ଅର୍ଥାତ୍ ମୁଁ ଯେମିତି ହେଲେ ଯାଇ ସେଠି ପହଞ୍ଚିବାର ବନ୍ଦୋବସ୍ତ କରିବି । ମାନେ ମୋ ଯିବାଟା ଯେତେ ଅନାବଶ୍ୟକ, ଅକୁଶଳ ଲାଗିବ, ଯେତେ ମୁର୍ଖ କାମ ପରି ଲାଗିବ, ସେତେ ନିଶ୍ଚିତ ହେବ ମୋର ଯିବାଟା ।

 

ମୋ ଯିବାରେ ଆଉ ଗୋଟାଏ ବଡ଼ ବାଧା ଥିଲା; ମୋ ପକେଟ ଥିଲା ସଂପୂର୍ଣ୍ଣ ଶୂନ୍ୟ । ସବୁ ମିଶି ମୋ ପାଖରେ ଥିଲା ମାତ୍ର ନଅ ରୁବଲ୍‌, ସେଥିରୁ ସାତ ରୁବଲ୍ ଦେବାକୁ ଥିଲା ଭୃତ୍ୟ ଆପୋଲନ୍‌କୁ, ତାର ମାସକର ଦରମାପାଇଁ । ସେତିକି ମୁଁ ତାକୁ ଦେଉଥିଲି- ବାକି ସବୁ ଖାଇବା ପିଇବା ଖର୍ଚ୍ଚାଦି ଥିଲା ତାର ନିଜର ।

 

ଆଦୌ କିଛି ନ ଦେବାଟା, ଅନ୍ତତଃ ତା ଚରିତ୍ରକୁ ବିଚାର କଲେ, ଅସମ୍ଭବ ଥିଲା । ତେବେ ତା ବିଷୟରେ, ମୋର ସେଇ ‘ସଂକ୍ରାମକ ପ୍ଲେଗ୍ ରୋଗ ଆପୋଲନ୍‌’ ବିଷୟରେ ବାରାନ୍ତରେ କହିବି ।

 

ସେ ଯାହା ହେଉ, ମୁଁ ଜାଣିଥିଲି ଯେ କାଲି ମୁଁ ସାଂଗମାନଙ୍କ ପାଖକୁ ଯିବି ଓ ଆପୋଲନ୍‌କୁ ତାର ଦରମା ବାବଦ ପ୍ରାପ୍ୟ ଦେବି ନାହିଁ ।

 

ସେଇଦିନ ରାତିରେ ମୋର ସ୍ୱପ୍ନ ଥିଲା ଅତ୍ୟନ୍ତ କୁତ୍ସିତ । ଏଥିରେ ଆଶ୍ଚର୍ଯ୍ୟ ହେବାର ବି କିଛି ନଥିଲା, କାରଣ ସଂଧ୍ୟା ସାରା ମୋର ସ୍କୁଲବେଳର ସେଇ ଦୟନୀୟ ଦିନଗୁଡ଼ିକୁ ମନେପକାଇ ମୁଁ ଭାରି ଉଦାସ ଥିଲି ଆଉ ଅବସାଦ ମୋତେ ଆଦୌ ଛାଡ଼ି ଯାଉନଥଲା । ମୋର ଦୂର ସଂପର୍କୀୟମାନେ, ଯେଉଁମାନଙ୍କ ଉପରେ ମୁଁ ନିର୍ଭର କରୁଥିଲି, ଯେଉଁମାନଙ୍କ ବିଷୟରେ ସେଇ ଦିନଠାରୁ ଆଉକିଛି ମୁଁ ଶୁଣି ନାହିଁ, ସେଇମାନେ ମୋତେ ସ୍କୁଲକୁ ପଠାଉଥିଲେ । ଗୋଟାଏ ଏକାକୀ, ନିଃସଙ୍ଗ, ନିରବ, ଚକିତବାଳକ, ସେମାନଙ୍କ ଭର୍ତ୍ସନାରେ ବହୁ ଆଗରୁ ତଳିତଳାନ୍ତ ହୋଇ, ସନ୍ଦେହର ଜାଲ ଭିତରେ ବନ୍ଦୀ ହୋଇ ରହିଥିଲା । ଏଣୁ ସ୍କୁଲରେ ସମସ୍ତଙ୍କୁ ସେ ଜାନ୍ତବ ଅବିଶ୍ୱାସରେ ଦେଖିବା ସ୍ୱାଭାବିକ । ଏଣେ ସ୍କୁଲ ସାଂଗମାନେ ମୋତେ ହେୟଜ୍ଞାନ କରି ନିର୍ଦ୍ଦୟ ପନ୍‌ଝାରେ ମାଡ଼ି ବସିଲେ କାରଣ ମୁଁ ସେମାନଙ୍କ ଭିତରୁ କାହାଭଳି ନଥିଲି । କିନ୍ତୁ ସେମାନଙ୍କ ଉପହାସ ମୁଁ ସହି ପାରିଲି ନାହିଁ; ସେମାନଙ୍କ ପରି ଆତ୍ମସମ୍ମାନକୁ ଜଳାଞ୍ଜଳି ଦେଇ ଅତି ଆଗ୍ରହରେ ଆତ୍ମସମର୍ପଣ କରି ପାରିଲି ନାହିଁ । ଯେପରି ସେମାନେ ପରସ୍ପର ପାଖରେ କରୁଥିଲେ ।

 

ପ୍ରଥମରୁ ସେମାନଙ୍କୁ ମୁଁ ଘୃଣା କରିଥିଲି ଆଉ ନିଜର ଭୀରୁ, ଆହତ ଓ ଅସମ ଅହଂକାରରେ ନିଜକୁ ସମସ୍ତଙ୍କଠାରୁ ଦୂରେଇ ନେଇ ନିଜ ଭିତରେ ନିଜେ ବନ୍ଦୀ ହୋଇ ରହିଥିଲି । ସେମାନଙ୍କ ସ୍ଥୂଳତା ଦେଖି ମୋତେ ବାନ୍ତି ମାଡ଼ୁଥିଲା । ମୋ ମୁହଁ, ମୋର ଅବାଗିଆ ଚେହେରା ଦେଖି ସେମାନେ ମୋ ମୁହଁ ଉପରେ ଅଜବ ଭାବରେ ହସୁଥିଲେ; ଅଥଚ ସେମାନଙ୍କର ନିଜର କିଭଳି ମୂର୍ଖ ମୁହଁମାନ ଥିଲା!

 

ଆମ ସ୍କୁଲର ବାଳକମାନଙ୍କର ମୁହଁ ଗୋଟାଏ ସ୍ୱତନ୍ତ୍ର ବାଟରେ ଅବକ୍ଷୟଆଡ଼କୁ ଅଧିକ ମୂର୍ଖ ହୋଇ ବଢ଼ିଗଲା ପରି ଜଣାଯାଉଥିଲା । କେତେ ସୁନ୍ଦର ବାଳକ ଆମ ସ୍କୁଲକୁ ଆସିଥିଲେ । ଅଳ୍ପ କେଇଟା ବର୍ଷରେ ସେମାନଙ୍କୁ ଆଉ ଚାହିଁ ହେଉ ନଥିଲା । ଏପରିକି ଷୋହଳ ବର୍ଷରେ ବି ସେମାନଙ୍କୁ ଅନେଇଲେ ମୋତେ ଦୁଃଖ ଲାଗୁଥିଲା; ସେତେବେଳେ ବି ସେମାନଙ୍କ ଭାବନାର ନ୍ୟୂନତା ମୋତେ ବାଧୁଥିଲା; ସେମାନଙ୍କ ଜିଜ୍ଞାସା, ଖେଳ ଓ କଥାବାର୍ତ୍ତାର ମୂର୍ଖପଣ ମୋତେ ଚକିତ କରିଥିଲା । ଆଉ ଏପରି ଆବଶ୍ୟକୀୟ ଜିନିଷମାନଙ୍କୁ ସେମାନେ ବୁଝିବାକୁ କେବେ ଚେଷ୍ଟା କରୁନଥିଲେ ବା ଏଭଳି ପ୍ରଭାବଶାଳୀ ବିଷୟମାନଙ୍କରେ ସେମାନଙ୍କର କୌଣସି ଆଗ୍ରହ ନଥିଲା, ଫଳରେ ସେମାନଙ୍କୁ ମୋ ନିଜଠାରୁ ନ୍ୟୂନତର ଭାବରେ ଦେଖିବାକୁ ମୁଁ ବାଧ୍ୟ ହୋଇଥିଲି । ମୋର ଆହତ ଅଭିମାନ ଏହା ମୋତେ କରିବାକୁ ବାଧ୍ୟ କରି ନଥିଲା; ଆଉ ଭଗବାନଙ୍କ ଦ୍ୱାହି, ତୁମର ଏ ଚିରାଚରିତ ଆରୋପ ବାରମ୍ବାର ମୋ ଉପରେ ଲଗାଅ ନାହିଁ ଯେ ‘ମୁଁ କେବଳ ଗୋଟାଏ ସ୍ୱପ୍ନବାଦୀ ଥିଲି ଆଉ ସେମାନେ ସେତେବେଳେ ବି ଥିଲେ ଜୀବନ ବାବଦରେ ବିଜ୍ଞ ।’

 

ସତ କହିବାକୁ ଗଲେ, ସେମାନେ କିଛି ବି ବୁଝି ନଥିଲେ, ପ୍ରକୃତ ଜୀବନ ସଂବନ୍ଧରେ ସେମାନଙ୍କର ଆଦୌ କିଛି ଧାରଣା ନଥିଲା । ତାହାହିଁ ସେମାନଙ୍କ ପ୍ରତି ମୋର ରାଗ ବଢ଼ାଇ ଥିଲା-। ଅଥଚ ସବୁଠାରୁ ବଡ଼ ବାସ୍ତବତାକୁ ସେମାନେ ତାଙ୍କ ମୂର୍ଖ ବୁଦ୍ଧିରେ ବେଶ ଗ୍ରହଣ କରି ନେଇଥିଲେ ଆଉ ସେତେବେଳେ ବି ସଫଳତାକୁ କିପରି ସମ୍ମାନ ଦେବାକୁ ହୁଏ ତାହା ସହିତ ବେଶ ପରିଚିତ ଥିଲେ । ପୁଣି ସେଇ ସବୁ, ଯାହା ଯେତେ ଯଥାର୍ଥ ହେଲେ ବି ଘୃଣ୍ୟ ଓ ନ୍ୟୂନ ଦୃଷ୍ଟିରେ ଦେଖାଯାଏ, ସେ ସବୁକୁ ସେମାନେ ଅତି ସହଜରେ ନିର୍ଦ୍ଦୟ ତଥା ସଲ୍ଲଜ ଭାବରେ ହସି ଉଡ଼ାଇ ଦେଉଥିଲେ । ପଦପଦବୀକୁ ସେମାନେ ବୌଦ୍ଧିକତାର ପ୍ରତୀକବୋଲି ଭାବୁଥିଲେ; ଷୋଳବର୍ଷରେ ବି ସେମାନେ ନିରାପଦ ଆଶ୍ରୟସ୍ଥଳ ବାବଦରେ କଥା ହେଉଥିଲେ । ଅବଶ୍ୟ, ଏଥିରୁ ଅଧିକାଂଶ ଘଟିଥିଲା ସେମାନଙ୍କ ମୂର୍ଖାମୀ ଯୋଗୁ ଆଉ ଜନ୍ମରୁ କୈଶୋର ଯାଏ ଚାରିପଟେ ସବୁବେଳେ ଘେରି ରହିଥିବା ଖରାପ ଉଦାହରଣମାନଙ୍କ ଯୋଗୁ । ସେମାନେ ଥିଲେ ସ୍ଖଳିତ ଚରିତ୍ରର ଓ ଦୁର୍ନିୀତିଗ୍ରସ୍ତ- ଏକପ୍ରକାର ଆସୁରିକ ଭାବରେ ନୀତିହୀନ । ଅବଶ୍ୟ ସେଥିରୁ ବେଶୀ ଭାଗ ମଧ୍ୟ ଥିଲା କେବଳ ଲୋକ ଦେଖାଣିଆ, ଆଉ ନୈରାଶ୍ୟବୋଧର ପୂର୍ବାନୁମାନ ମାତ୍ର; ଯଦିଓ ସେମାନଙ୍କ ନୈତିକ ସ୍ଖଳନରେ ବି ଥିଲା ଯୌବନର ଗୋଟେ ଝଲକ ଓ ସତେଜତା; କିନ୍ତୁ ସେ ସତେଜତା ବି କେବେ ଆକର୍ଷକ ନଥିଲା, ବରଂ ଏଥିରେ ଏହାର ନିଜର ଗୋଟେ ପ୍ରକାର ଦ୍ରୂତ ଅବକ୍ଷୟ ସିଧା ସଳଖ ନଜରରେ ପଡ଼ୁଥିଲା ।

 

ସେମାନଙ୍କ ଭିତରୁ ପ୍ରତ୍ୟେକଙ୍କଠାରୁ ମୁଁ ନ୍ୟୂନତର ଥିଲେ ବି ସେମାନଙ୍କୁ ମୁଁ ଭୟଙ୍କର ଭାବରେ ଘୃଣା କରୁଥିଲି । ସେମାନେ ବି ସେଇ ଏକା ବାଟରେ ମୋତେ ପ୍ରତିଦାନ ଦେଉଥିଲେ ଏବଂ ମୋ ପ୍ରତି ସେମାନଙ୍କ ଘୃଣାକୁ ଆଦୌ ଲୁଚାଉ ନଥିଲେ । ତେବେ ସେତେବେଳକୁ ସେମାନଙ୍କ ଶ୍ରଦ୍ଧା ମୋର ଆଉ ଦରକାର ନଥିଲା; ବରଂ ବଦଳରେ ମୁଁ ଚାହୁଁଥିଲି ସେମାନଙ୍କ ପରିହାସ ଓ ବ୍ୟଙ୍ଗ ।

 

ସେମାନଙ୍କ ଥଟ୍ଟାରୁ ରକ୍ଷା ପାଇବାପାଇଁ ମୁଁ ସ୍ଥିର ଲକ୍ଷ୍ୟରେ ପାଠପଢ଼ାରେ ଖୁବ୍ ଆଗେଇଯିବା ଚେଷ୍ଟାରେ ଲାଗିଗଲି ଓ ଜବରଦସ୍ତ ସମସ୍ତଙ୍କୁ ପଛରେ ପକାଇ ଶୀର୍ଷ ସ୍ଥାନରେ ପହଞ୍ଚିଗଲି । ଏହାର ପ୍ରଭାବ ସେମାନଙ୍କ ଉପରେ ପଡ଼ିଲା । ତା ଛଡ଼ା, ଧୀରେ ଧୀରେ ସେମାନଙ୍କ ମଗଜରେ ଏକଥା ପଶିବାକୁ ଆରମ୍ଭ କଲା ଯେ ସେମାନେ ତାଙ୍କ ସାରା ଜୀବନକାଳ ଭିତରେ ଯୋଉ ବହି ସବୁ କେବେ ପଢ଼ି ନପାରିବେ, ସେ ସବୁ ମୁଁ ସେତେବେଳକୁ ପଢ଼ି ସାରିଥିଲି, ଏଭଳି ଜିନିଷମାନ (ବିଦ୍ୟାଳୟ ପାଠ୍ୟକ୍ରମର ଅଂଶ ବିଶେଷ ନୁହେଁ) ମୁଁ ବୁଝି ପାରୁଥିଲି ଯେଉଁ ବିଷୟରେ ସେମାନେ କେବେ ଶୁଣି ବି ନଥିଲେ । ଏଥିପ୍ରତି ସେମାନେ ଯଦିଓ ଏକ ପ୍ରକାର ହିଂସ୍ର ଆଉ ବିଦ୍ରୂପାତ୍ମକ ଦୃଷ୍ଟିଭଙ୍ଗୀ ନେଇଥିଲେ, ତଥାପି ଏହାର ନୈତିକ ପ୍ରଭାବରେ ପ୍ରଭାବିତ ହେବାକୁ ବାଧ୍ୟ ହୋଇଥିଲେ । ବିଶେଷ କରି ଶିକ୍ଷକମାନେ ଯେତେବେଳେ ସେଇଥି ଯୋଗୁଁ ମୋ ପ୍ରତି ଅଧିକ ଧ୍ୟାନ ଦେଲେ ତାହା ସେମାନଙ୍କୁ ପ୍ରଭାବିତ ନକରି ବାଟ ନଥିଲା । ନାକଟେକା ପରିହାସ ବନ୍ଦ ହୋଇଗଲା, କିନ୍ତୁ ଶତ୍ରୁତା ରହିଲା, ଆଉ ଆମ ଭିତରେ ଶୀତଳ ଓ କୃତ୍ରିମ ସଂପର୍କ ଚିରସ୍ଥାୟୀ ହୋଇଗଲା ।

 

କିନ୍ତୁ ଧୀରେ ଧୀରେ ଏହା ମୋର ଅସହ୍ୟ ହେଲା; ବୟସ ବଢ଼ିବା ସହିତ ସମାଜପାଇଁ, ବଂଧୁମାନଙ୍କପାଇଁ ବ୍ୟାକୁଳତା ମୋ ଭିତରେ ବଢ଼ିଲା । କେତେଜଣ ସ୍କୁଲ ସାଥୀଙ୍କ ସାଙ୍ଗରେ ବଂଧୁତାର ଖିଅ ଯୋଡ଼ିବାପାଇଁ ମୁଁ ଚେଷ୍ଟା କଲି; କିନ୍ତୁ କେମିତି କେଜାଣି ସେମାନଙ୍କ ସହ ଅନ୍ତରଂଗତା ସବୁବେଳେ ଅପ୍ରାକୃତିକ ହୋଇ ଖୁବ୍ ଶୀଘ୍ର ଛିଣ୍ଡି ଯାଉଥିଲା ।

 

ଥରେ ମୁଁ ସତରେ ଭଲ ବନ୍ଧୁଟିଏ ପାଇଥିଲି । ହେଲେ ସେତେବେଳକୁ ମୁଁ ଭିତରେ ଭିତରେ ଭାରି ଅତ୍ୟାଚାରୀ ହୋଇ ଯାଇଥିଲି; ତା ଉପରେ ସୀମାହୀନ ଅଧିକାର ସାବ୍ୟସ୍ତ କରିବାକୁ ମୁଁ ଚାହିଁଲି; ତା ଚାରିପାଖର ପରିବେଶ ଓ ତା’ର ଅନ୍ୟ ବଂଧୁମାନଙ୍କ ପ୍ରତି ତା ମନ ଭିତରେ ଘୃଣା ଉଦ୍ରେକ କରାଇବାକୁ ଚେଷ୍ଟା କଲି, ସେମାନଙ୍କଠାରୁ ନିଜକୁ ସେ ପୂରା ବିଚ୍ଛିନ୍ନ କରି ଦେବାକୁ ମୁଁ ଦାବି କଲି, ଅତ୍ୟନ୍ତ ଆବେଗଭରା ଶ୍ରଦ୍ଧା ଦେଖାଇ ତାକୁ ଏକ ପ୍ରକାର ଭୟଭୀତ କରାଇଲି; ଶେଷରେ ତାକୁ ଲୋତକର ଗୋଟାଏ ସ୍ରୋତରେ, ପାଗଳାମୀର ଗୋଟାଏ ଗଦାରେ ପରିଣତ କରିଦେଲି । ସେ ଥିଲା ଗୋଟାଏ ସରଳ, ସମର୍ପିତ ଆତ୍ମା । କିନ୍ତୁ ସେ ଯେତେବେଳେ ମୋ ପାଖରେ ସଂପୂର୍ଣ୍ଣ ଆତ୍ମସମର୍ପଣ କଲା, ମୁଁ ତାକୁ ଘୃଣା କରିବାକୁ ଆରମ୍ଭ କଲି ଆଉ ତାକୁ ଏକଦମ୍ ଏତେ ନ୍ୟୂନ କରିଦେଲି, ଯେମିତି ତା ଉପରେ ବିଜୟ ହାସଲ କରିବାକୁ ମୁଁ ଏସବୁ କରୁଥିଲି, ତାକୁ କେବଳ ତଳିତଳାନ୍ତ କରିବାକୁ ଯେମିତି ଏସବୁ କରୁଥିଲି । କିନ୍ତୁ ସେ ସମସ୍ତଙ୍କୁ ମୁଁ ଧ୍ୱଂସ କରି ପାରିଲି ନାହିଁ; ମୋ ସାଂଗଟି ବି ସେମାନଙ୍କ ପରି ଆଦୌ ନଥିଲା, ସେ ବରଂ ଥିଲା ଭିନ୍ନ ଧରଣର ।

 

ସ୍କୁଲ ଛାଡ଼ିଲା ପରେ ଯେଉଁ ପ୍ରଥମ କାମଟି ମୁଁ କଲି, ତାହା ଥିଲା ମୋର ସ୍ୱତନ୍ତ୍ର, ଲୋଭନୀୟ ଚାକିରୀଟିକୁ ପରିତ୍ୟାଗ କରିବା, ଯଦ୍ୱାରା ମୋର ସବୁ ବଂଧନକୁ ମୁଁ ଚ୍ଛିନ୍ନ କରି ପାରିବି ଓ ପାଦତଳିପାରୁ ଏତେ ଦିନର ସବୁ ଧୂଳି ଝାଡ଼ି ଦେଇ ପାରିବି । ହେଲେ ଭଗବାନ ଜାଣନ୍ତି, କାହିଁକି ଏତେ ସବୁ ପରେ, ମୁଁ ଘୁଷୁରି ଘୁଷୁରି ଯାଇଥିଲି ସିମନଭ ଘରକୁ !

 

ପରଦିନ ସକାଳୁ ଅତିଶୀଘ୍ର ଖଟ ଉପରୁ ନିଜକୁ ଉଠାଇ ଉତ୍ତେଜନାରେ ତଳକୁ ଡେଇଁ ପଡ଼ିଲି, ଯେମିତି ସେଇ ଲାଗେ ସାଂଗେ ସାଂଗେ କ’ଣ ଗୋଟେ ବଡ଼ ଘଟଣା ଘଟିବାକୁ ଯାଉଥିଲା-। ହେଲେ ମତେ ଭିତରେ ଭିତରେ ଲାଗୁଥିଲା ଯେମିତି କିଛି ଗୋଟାଏ ବୈପ୍ଲବିକ ପରିବର୍ତ୍ତନ ମୋ ଜୀବନରେ ଆସୁଥିଲା । ମୋତେ ଲାଗୁଥିଲା ଯେମିତି ସେଇଦିନ ହିଁ ସେଇ ପରିବର୍ତ୍ତନ ଆସିବ । ଏହା ଛୋଟ ହୋଇପାରେ ବା ବଡ଼ ହୋଇପାରେ, ହେଲେ ମୋ ହାତ ପାହାନ୍ତାରେ ଏହା ଥିବାର ଗୋଟାଏ ଅନୁଭବ ମୋ ଭିତରେ ହେଉଥିଲା ।

 

ସବୁଦିନ ପରି ମୁଁ ଅଫିସ ଗଲି, କିନ୍ତୁ ଦୁଇ ଘଣ୍ଟା ଆଗରୁ ଲୁଚି କରି ପଳାଇ ଆସିଲି କେବଳ ନିଜକୁ ପ୍ରସ୍ତୁତ କରିବାପାଇଁ । ପୁଣି ମୁଁ ଭାବିଲି, ସବୁଠାରୁ ଆଗରେ ଯାଇ ପହଞ୍ଚିବାଟା ବଡ଼ କଥା ନୁହେଁ, ବା ଭଲ କଥା ନୁହେଁ, ହୁଏତ ସେମାନେ ଭାବିବେ ମୁଁ ଆସିବାପାଇଁ ବ୍ୟାକୁଳ ଥିଲି । କିନ୍ତୁ ଏଇଭଳି ହଜାର ହଜାର କଥା ମୋ ମନରେ ଉଙ୍କି ମାରୁ ଥିଲା ବିଚାର କରିବାକୁ ଯାହା ମୋତେ ଉତ୍ତେଜିତ କରିବା ସହିତ ଆଚ୍ଛନ୍ନ ବି କଲା । ନିଜ ହାତରେ ମୋ ଜୋତାକୁ ମୁଁ ଦ୍ୱିତୀୟବାର ପଲିସ୍ କଲି; କାରଣ ପୃଥିବୀର କୌଣସି ପ୍ରଲୋଭନ ଭୃତ୍ୟ ଆପୋଲନ୍‌କୁ ପ୍ରଲୁବ୍ଧ କରି ପାରି ନଥାନ୍ତା ସେମାନଙ୍କୁ ଦିନରେ ଦୁଇଥର ପଲିସ୍ କରିବାକୁ, କାରଣ ସେ ଭାବୁଥିଲା ତା’ଠାରୁ ଏପରି କାମ ଆଶା କରିବା ଅର୍ଥ ଅତ୍ୟଧିକ ଆଶା କରିବା । ଏଣୁ କନ୍ଦିରୁ ବ୍ରସଟି ଲୁଚାଇ ଆଣି ମୁଁ ଅତି ସତର୍କ ଭାବରେ ଜୋତା ହଳକ ସଫା କରିଦେଲି ଯେମିତି ତା ନଜରରେ ନ ପଡ଼ିବ । କାରଣ ତା ଘୃଣାକୁ ମୋର ଭୟ ଥିଲା । ତା’ପରେ ଅତି ଯତ୍ନରେ ଟିକିନିଖି କରି ମୋ ପୋଷାକକୁ ପରୀକ୍ଷା କଲି, ମୋତେ ଲାଗିଲା ଯେପରି ସେ ସବୁ ଅତି ପୁରୁଣା, ମଇଳା ଓ ସେଥିରୁ ସୂତା ବାହାରି ପଡ଼ିଛି । ଏ ଭିତରେ ମୁଁ ନିଜକୁ ଗୋଟାଏ ‘ଅତି ଅପରିଚ୍ଛନ୍ନ ପୋଷାକ ପିନ୍ଧାରେ ଅଭ୍ୟସ୍ତ’ ଲୋକରେ ପରିଣତ କରିଦେଇଥିଲି । ମୋ ୟୁନିଫର୍ମ କିନ୍ତୁ ବେଶ ପରିଷ୍କାର ଥିଲା, ହେଲେ ମୁଁ ତ ଡିନର୍‌କୁ ୟୁନିଫର୍ମ ପିନ୍ଧି ଯାଇ ପାରିନଥାନ୍ତି । ସବୁଠାରୁ କଦର୍ଯ୍ୟ କଥାଟା ହେଲା, ମୋ ଟ୍ରାଉଜରର ଆଣ୍ଠୁ ପାଖରେ ଗୋଟାଏ ବିରାଟ ହଳଦିଆ ଦାଗ ଲାଗିଥିଲା । ମୁଁ ଜାଣି ପାରୁଥିଲି ଯେ ସେହି ଦାଗଟି ହିଁ ମୋ ବ୍ୟକ୍ତିଗତ ମର୍ଯ୍ୟାଦାର ନଅ-ଦଶମାଂଶ ମୋ’ଠାରୁ ଛଡ଼ାଇ ନେବ ।

 

ମୁଁ ଏହା ମଧ୍ୟ ଜାଣିଥିଲି ଯେ, ଏପରି ଭାବିବାଟା ଗୋଟାଏ ହୀନମନ୍ୟତା ଛଡ଼ା ଆଉକିଛି ନୁହେଁ । “କିନ୍ତୁ ଏଇଟା ବସି ବସି ଭାବିବାର ବେଳ ନୁହେଁ; ଏବେ ତ ମୁଁ ପ୍ରକୃତ ଘଟଣା ଭିତରକୁ ଯାଉଛି,’’ ଭାବିଲି ମୁଁ, ଆଉ ମୋ ହୃଦୟ ଦବିଗଲା । ସେତେବେଳେ ବି ଏତିକି ଅନ୍ତତଃ ଜାଣିଥିଲି ଯେ, ଅତିକଦର୍ଯ୍ୟ ଭାବରେ ମୁଁ ସେଇ ଘଟଣାଟିକୁ ଅତିରଂଜିତ କରୁଥିଲି । ହେଲେ ଆଉ କ’ଣ ବା ମୁଁ କରିପାରି ଥାଆନ୍ତି? ମୁଁ ନିଜକୁ ଆଉ ମୋ ଅକ୍ତିଆରରେ ରଖି ପାରୁ ନଥିଲି । ଆଉ ପ୍ରବଳ ଜ୍ୱର-ତାପରେ କମ୍ପୁଥିଲି । ନିରାଶ ହୋଇ ମୁଁ ନିଜେ ନିଜେ କଳ୍ପନା କରି ଚାଲିଲି- ଦୁଶ୍ଚରିତ୍ର ଜେରକୋଭଟା କିମିତି ଶୀତଳ ଘୃଣାରେ ମୋତେ ଭେଟିବ; ସେ ବୋକା ଟ୍ରଡଲ୍ୟୁବୋଭ୍‍ ବି କି ମୂର୍ଖ, ଲୁଚେଇ ପାରୁ ନଥିବା ଘୃଣାରେ ମୋତେ ବିଚାରା ଅନେଇବ, କି ଉଦ୍ଧତ ନିଷ୍ଠୁରତାରେ ସେ ପୋକଟା, ଫରଫିସ୍‌କିନ୍ ମୋ’ଆଡ଼କୁ ଦାନ୍ତ ନିକୁଟେଇବ- କେବଳ ଜେରକୋଭର କୃପା ଲାଭ କରିବାପାଇଁ; ସିମନଭ କିମିତି ଏସବୁକୁ ସଂପୂର୍ଣ୍ଣ ଭାବରେ ଦେଖି ନଦେଖିଲା ପରି ସହି ଯାଉଥିବ, ଆଉ କିମିତି ସେ ମୋ ଅହଂକାରର ଦୟନୀୟ ଅବସ୍ଥାକୁ ଆଉ ମୋର ସାହାସର ଅଭାବକୁ ଘୃଣା କରିବ- ଆଉ ସବୁଠାରୁ କଦର୍ଯ୍ୟ କଥା ହେବ- କେତେ ଅର୍ଥହୀନ, କେତେ ସାଧାରଣ ଏସବୁ ଦେଖାଯିବ ।’

 

ଅବଶ୍ୟ ସବୁଠାରୁ ଭଲ ହେବ ସେଠାକୁ ଆଦୌ ନଯିବା । ହେଲେ ତାହା ତ ଏବେ ସଂପୂର୍ଣ୍ଣ ଅସମ୍ଭବ ଥିଲା । ଯେତେବେଳେ କିଛି କରିବାକୁ ମୁଁ ବାଧ୍ୟ ଅନୁଭବ କରେ, ସେତେବେଳେ ମୁଁ ତା ଭିତରକୁ ସିଧା ଡେଇଁ ପଡ଼େ । ତାହା ନ କରିଥିଲେ ବୋଧେ ନିଜକୁ ମୁଁ ଧିକ୍କାର କରିଥାନ୍ତି ବାରମ୍ବାର - ‘ତା ହେଲେ ତୁ ଡରିଗଲୁ, ତୁ ୟାକୁ ଡରିଗଲୁ, ତୁ ପ୍ରକୃତ ଜିନିଷକୁ ଡରିଗଲୁ ତା ହେଲେ ।’ କିନ୍ତୁ ତା ବଦଳରେ ସବୁ ଆବେଗକୁ ସାଥିରେ ଧରି ମୁଁ ସିଧା ସେଇ ବିଶୃଙ୍ଖଳା ଭିତରକୁ ପଶିଯାଇ ଦେଖେଇ ଦେବାକୁ ଚାହୁଁଥିଲି ଯେ ନିଜ ସାମ୍ନାରେ ଯେପରି ଛୋଟ ମୁଁ ଦେଖାଯାଏ ସେପରି ଆତ୍ମାହୀନ ଜୀବ ମୁଁ ନୁହେଁ । ଆଉ ଗୋଟେ କଥା, ଏହି ଭୀରୁପଣର ଚରମ ମୁହୂର୍ତ୍ତରେ ବି ମୁଁ ସମସ୍ତଙ୍କ ଉପରେ ରହିଥିବାର ସ୍ୱପ୍ନ ଦେଖେ, ସେମାନଙ୍କ ଉପରେ ଆଧିପତ୍ୟ ବିସ୍ତାର କରିବାକୁ ଚାହେଁ- ଏସବୁ ହେଉ ପଛେ କେବଳ ଭାବନାର ଖୁସିପାଇଁ, ହେଉ ପଛେ ନିର୍ଭୁଲ ପ୍ରତ୍ୟୁତ୍ପନ୍ନମତ୍ତିତା ଜାହିରପାଇଁ, ହେଉ ପଛେ... ମୁଁ ଭାବେ ସେମାନେ ଜେରକୋଭକୁ ପରିତ୍ୟାଗ କରିଦେବେ, ସେ ବିଚାରା ଗୋଟିଏ ପଟକୁ କଣିକିଆ ହୋଇ ବସିଥିବ ନିରବରେ ଲଜ୍ଜିତ ହୋଇ, ଆଉ ମୁଁ ତାକୁ ଭର୍ତ୍ସନା କରି ତଳିତଳାନ୍ତ କରି ଚାଲିଥିବି । ତା’ପରେ ହୁଏତ ଆମର ମିଳାମିଶା ହୋଇଯିବ ଆଉ ଆମେ ଖୁସି ମନରେ ଏକତ୍ର ପାନୀୟ ନେବୁ ଆମ ବଂଧୁତା ନାମରେ; କିନ୍ତୁ ସେତେବେଳେ ବି ମୋର ସବୁଠାରୁ ତିକ୍ତ ଆଉ ଲଜ୍ଜାକର ଅନୁଭବ ଏୟା ଥିବ ଯେ, ପ୍ରକୃତରେ ଏସବୁରୁ କିଛି ବି ମୁଁ ମନ ଭିତରେ ଚାହୁଁ ନ ଥିବି, ପ୍ରକୃତରେ କାହାରିକୁ ଗାଳି ଦେଇ, ଅପମାନ ଦେଇ ତଳିତଳାନ୍ତ କରିବାକୁ ମୁଁ ଚାହେଁ ନାହିଁ । କାହାକୁ ପଦାନତ କରିବା, ବା କାହାକୁ ଆକର୍ଷିତ କରିବା ବା ଏହାର ପରିଣାମ ପ୍ରତି ମୋ ମନରେ ତିଳେହେଲେ ସ୍ପୃହା କେବେ ନଥିଲା, କି ଆଜି ବି ନାହିଁ ।

 

ଓଃ, କିପରି ମୁଁ ପ୍ରାର୍ଥନା କରୁଥିଲି ଏ ଦିନଟି କିମିତି ଶୀଘ୍ର କଟିଯିବ । ନିରବ ଯନ୍ତ୍ରଣାରେ ମୁଁ ଝର୍କା ପାଖକୁ ଗଲି, ଝର୍କାର କାଚ ଝରକାକୁ ଖୋଲି ଦେଲି ଏବଂ ବହୁତ ଜୋର ପଡ଼ୁଥିବା ଓଦା ବରଫର ବିଗଳିତ ଅନ୍ଧକାର ଭିତରକୁ ଅନାଇଲି ।

 

ଶେଷରେ ମୋର ଦୁଃସ୍ଥ ଛୋଟିଆ ଘଣ୍ଟାଟି ପାଞ୍ଚଟା ବାଜିବାର ସଁ ସଁ ଶବ୍ଦ କଲା । ଟୋପିଟିକୁ ଯାବୁଡ଼ି ଧରି, ଆପୋଲନ୍‍ଆଡ଼କୁ ନ ଅନେଇବାକୁ ଚେଷ୍ଟା କଲି, କାରଣ ଆପୋଲନ୍ ସେ ଦିନସାରା ତାର ମାସକର ଦରମା ପାଇବାକୁ ଅନେଇ ରହିଥିଲା, ଅଥଚ ନିଜର ବୋକାମୀ ଯୋଗୁ ଏକଥା ଆଗ କହିବାକୁ ଇଚ୍ଛା କରୁ ନଥିଲା, ମୁଁ କବାଟ ଆଉ ତା ମଝିରେ ଥିବା ଫାଙ୍କ ବାଟେ ଖସିଗଲି ଓ ଡେଇଁ ପଡ଼ିଲି ବଢ଼ିଆ ଗୋଟେ ସ୍ଲେଜ ଗାଡ଼ି ଭିତରକୁ, ଯାହା ଉପରେ ମୋର ଶେଷ ଅଧା ରୁବଲ୍‌ଟି ଖର୍ଚ୍ଛ ହୋଇଗଲା, ରାଜକୀୟ ଢଙ୍ଗରେ ମୁଁ ଆଗେଇଗଲି ହୋଟେଲ-ଡି-ପାରିସ୍ ନିକଟକୁ ।

 

(ଚାରି)

 

ପୂର୍ବ ଦିନଠାରୁ ମୁଁ ନିଶ୍ଚିତ ଥିଲି ଯେ ମୁଁ ହିଁ ସବା ଆଗ ହୋଟେଲରେ ପହଞ୍ଚିବି । ହେଲେ ପ୍ରଶ୍ନଟି କିଏ ଆଗ ପହଞ୍ଚିବାରେ ନଥିଲା । ସେମାନଙ୍କ ଭିତରୁ କେହି ଜଣେ ବି ସେଠି ଆଖପାଖରେ ଦେଖାଯାଉ ନଥିଲେ । ସେତିକି ନୁହେଁ, ଆଗରୁ ବରାଦ ଦିଆଯାଇଥିବା କୋଠରୀଟିକୁ ଖୋଜି ପାଇବାରେ ବି ମୋର ବହୁତ ଅସୁବିଧା ହେଲା । ଟେବୁଲ ବି ସଜା ହୋଇନଥିଲା । ଏହାର ମତଲବ୍ କ’ଣ? କେତେ ପଚରାପଚରି କରି ୱେଟରଠାରୁ ମୁଁ ବାହାର କଲି ଯେ ଡିନର ବରାଦ ହୋଇଥିଲା ଛଅଟାବେଳକୁ, ପାଞ୍ଚଟାବେଳକୁ ନୁହେଁ । ଗୋଟେ ପରିବେଷକକୁ ଏତେ ପ୍ରଶ୍ନ ପଚାରି ଚାଲିଥିବା ଯୋଗୁଁ ମୋତେ ଲାଜ ବି ମାଡ଼ୁଥାଏ । ଯଦି ସେମାନେ ଖାଇବା ସମୟ ବଦଳାଇ ଦେଇଥିଲେ ସେମାନେ ଅନ୍ତତଃ ଏହା ମୋତେ ଜଣାଇଦେବା କଥା- ସେଥିପାଇଁ ତ ଡାକ ବିଭାଗ ରହିଛି, ଆଉ ମୋତେ ବି ଏଭଳି ମୋ ନିଜ ସାମ୍ନାରେ... ଏପରିକି ଏ ପରିଚାରକମାନଙ୍କ ଆଗରେ ଏଭଳି ଉଦ୍ଭଟ ଅବସ୍ଥାରେ ପଡ଼ିବାକୁ ହୋଇ ନଥାନ୍ତା । ମୁଁ ବସି ପଡ଼ିଲି; ବାଳକଟିଏ ଟେବୁଲ ସଜାଡ଼ି ଦେଲା; ତା ଉପସ୍ଥିତିରେ ମୁଁ ଆହୁରି ଉପହସିତ ଅନୁଭବ କଲି । ଛଅଟା ପାଖାପାଖିବେଳକୁ ସେମାନେ ମହମବତୀ ଆଣିଲେ, ଯଦିଓ କୋଠରୀରେ ବତୀ ବି ଜଳୁଥିଲା । ସେ ଯାହା ହେଉ, ମୁଁ ଯେତେବେଳେ ପହଞ୍ଚିଲି, ସେ ସବୁ ଆଣିବା କଥାଟା ୱେଟର ମୁଣ୍ଡକୁ ଜୁଟି ନଥିଲା । ପାଖ କୋଠରୀରେ ଦୁଇଜଣ ସ୍ଥୂଳ, ନିର୍ବେଦ, ବଦ୍‌ରାଗୀ ଲୋକ ଦୁଇଟି ଅଲଗା ଅଲଗା ଟେବୁଲରେ ରାତ୍ରିଭୋଜନ କରୁଥିଲେ । ଆଉ ଟିକେ ଦୂରରେ ଗୋଟେ କୋଠରୀରୁ ଭାରି ଚିତ୍କାର ଶୁଭୁଥିଲା; ଦଳେ ଲୋକଙ୍କର ଖୁବ୍ ଜୋର ହସ ଆଉ ତା ସାଥିରେ ଫ୍ରେଞ୍ଚ ଭାଷାରେ କୁତ୍ସିତ ଗାଳି; ସେଠାରେ ଅନେକ ସ୍ତ୍ରୀ ଲୋକ ବି ଉପସ୍ଥିତ ଥିଲେ । ଏମିତି ଘଟଣା, ପ୍ରକୃତରେ ଅତ୍ୟନ୍ତ ଅରୁଚିକର । ଏଭଳି ଅସହ୍ୟ ମୁହୂର୍ତ୍ତ ମୁଁ କ୍ୱଚିତ କଟାଇଥିବି । ଏତିକିବେଳକୁ ସେମାନେ ସମସ୍ତେ ଏକାଠି ଠିକ୍ ଛଅଟାବେଳେ ଆସି ପହଞ୍ଚିଗଲେ, ସେମାନଙ୍କୁ ଦେଖି ମୁଁ ଖୁସିରେ ଫାଟି ପଡ଼ିଲି, ସତେ ଯେମିତି ମୋ ତ୍ରାଣକର୍ତ୍ତାମାନେ ଆସିଗଲେ, ଏପରିକି ମୁଁ ଭୁଲି ଯାଇଥିଲି ଯେ ସେଇ ମୁହୂର୍ତ୍ତରେ ସେମାନଙ୍କୁ ମୋର ରାଗ ଦେଖାଇବା ଉଚିତ ।

 

ଜେରକୋଭ ସମସ୍ତଙ୍କ ଆଗରେ ଆସୁଥିଲା; ସ୍ୱାଭାବିକ କଥା, ଜଣା ତ ଥିଲା ଯେ ସେ ହିଁ ଥିଲା ଦଳର ଆତ୍ମା । ସେ ଓ ଅନ୍ୟ ସମସ୍ତେ ହସୁଥିଲେ; କିନ୍ତୁ ମୋତେ ଦେଖି ଜେରକୋଭ ନିଜକୁ ଟିକିଏ ସଜାଡ଼ି ନେଲା, ଆଉ ଆସ୍ତେ ଅଣ୍ଟାଠାରୁ ବେକକୁ ଟିକିଏ ନୁଆଁଇ ଗୋଟାଏ ଭାରି ଆତ୍ମବିଶ୍ୱାସୀ ଲୋକ ପରି ମୋ ପାଖକୁ ଆଗେଇ ଆସିଲା । ମୋ ସାଂଗେ ହାତ ମିଳାଇଲା ଗୋଟେ ବଂଧୁ ପରି, କିନ୍ତୁ ଅନ୍ତରଂଗ ବଂଧୁ ଠାଣିରେ ନୁହେଁ, ବରଂ ଗୋଟେ ପ୍ରକାର ମପାଚୁପା ଭଦ୍ରତାରେ ଗୋଟେ ଜେନରାଲ ପରି, ଯେମିତି ମୋ ସାଂଗେ ହାତ ମିଳାଇ ସେ କିଛି ଜିନିଷକୁ ପାପୁଲିରୁ ଝାଡ଼ି ଦେଉଥିଲା । ମୁଁ କିନ୍ତୁ ଓଲଟା ଭାବିଥିଲି । ଭାବିଥିଲି ଯେ ଆସିଲାକ୍ଷଣି ସେ ତାର ସେଇ ପୁରୁଣା ଅଭ୍ୟାସଗତ ସରୁ, ତୀକ୍ଷ୍‌ଣ ହସରେ ଭାଂଗି ପଡ଼ିବ ଆଉ ତାର ସ୍ଥୂଳ ପରିହାସ ଓ ମାନ୍ଦା ପ୍ରତ୍ୟୁତ୍ପନ୍ନମତ୍ତିତାରେ ମାତିଯିବ । ସେଥିପାଇଁ ମୁଁ ନିଜକୁ ଆଗଦିନଠାରୁ ପ୍ରସ୍ତୁତ କରିଥିଲି । କିନ୍ତୁ ଏପରି ମର୍ଯ୍ୟାଦାବନ୍ତ ବ୍ୟବହାର ବା ଏପରି ଉଚ୍ଚ-ଅଫିସରୀୟ ଭଦ୍ରତା କେବେ ଆଶା କରି ନଥିଲି । ଓହୋ ! ତାହେଲେ, ସବୁଥିରେ ସେ ନିଜକୁ ମୋ’ଠାରୁ ଶହେ ଗୁଣ ବଡ଼ ବୋଲି ଭାବୁଛି । ପୁଣି ଭାବିଲି: ସେ ଯଦି ତାର ସେଇ ଉଚ୍ଚ ଅଫିସରୀୟ ସ୍ୱରରେ ଅପମାନ ଦିଅନ୍ତା, ହୁଏତ ସେଥିରେ କିଛି ଫରକ ପଡ଼ନ୍ତା ନାହିଁ- କାରଣ ତାର ପ୍ରତିଦାନ ମୁଁ କୋଉ ନା କୋଉ ବାଟରେ ଦେଇପାରନ୍ତି । ହେଲେ ଯଦି ତାର ପ୍ରକୃତରେ ମୋତେ ଅପମାନିତ କରିବାର ଇଚ୍ଛା ନଥାଏ? ପ୍ରକୃତରେ ସେ ତା ମନ ଭିତରେ ନିଜକୁ ମୋ’ଠାରୁ ବହୁତ ବଡ଼ ବୋଲି ଧାରଣା ଜଣେଇ ମୋତେ ଯଦି ଅନୁକଂପା ପୂର୍ଣ୍ଣ ଦୃଷ୍ଟିରେ ଅନେଇ ଚାଲେ? ଏଇ କଥାଟି ମୋ ତଣ୍ଟିକୁ ଅଠାଳିଆ କରିଦେଲା ।

 

ତା’ର ସେଇ ଚାପାଚାପା ସ୍ୱରରେ, ଅତି ଭଦ୍ର ଭାବରେ, ଅତି ଧୀରେ ଆରମ୍ଭ କଲା ଜେରକୋଭ, “ଆମ ସାଥିରେ ଡିନରରେ ଯୋଗ ଦେବାକୁ ତୁମର ଆଗ୍ରହ ଶୁଣି ମୁଁ ଆଶ୍ଚର୍ଯ୍ୟ ହେଲି-। ତମେ ଆଉ ମୁଁ ପ୍ରକୃତରେ ପରସ୍ପରକୁ ଆଦୌ ଜାଣି ନାହେଁ କହିଲେ ଚଳିବ । ଆଉ ତୁମେ ବି ଆମ ଆଗରେ ସବୁବେଳେ ସଂକୋଚ କରି ଆସିଛ । ସେମିତି କରିବା ଦରକାର ନାହିଁ । ତୁମେ ଯେମିତି ଭାବୁଛ ଆମେ ସେମିତି ଭୟଙ୍କର ଲୋକ ନୁହଁ । ତେବେ ଠିକ୍ ଅଛି, ଆମ ପରିଚୟର ପୃଷ୍ଠା ପୁଣି ଥରେ ଖୋଲା ହୋଇଥିବାରୁ ମୁଁ ଭାରି ଖୁସି ।’’

 

ଦାୟିତ୍ୱହୀନ ଭାବରେ ବୁଲି ପଡ଼ି ସେ ଟୋପିଟାକୁ ଝରକା ରେଲିଂରେ ଟଙ୍ଗେଇ ଦେଲା ।

 

“ତୁମେ କ’ଣ ବହୁତବେଳୁ ଅପେକ୍ଷା କରିଛ?’’ ପଚାରିଲା ଟ୍ରଡଲ୍ୟୁବୋଭ୍ ।

 

ମୁଁ ଅତି ବିରକ୍ତିରେ ରାଗିଲା ପରି ପାଟିକଲି, “ମୁଁ ଆସି ଠିକ୍ ପାଞ୍ଚଟାବେଳେ ପହଞ୍ଚିଲି ଯେମିତି ତମେ କାଲି କହିଥିଲ ।’’

 

ଟ୍ରଡଲ୍ୟୁବୋଭ୍‍ ଆଶ୍ଚର୍ଯ୍ୟ ହୋଇ ସିମନଭ୍‌କୁ ପଚାରିଲା, “ଆମେ ଯେ ସମୟ ବଦଳେଇ ଦେଇଥିଲେ ସେ କଥା କ’ଣ ତୁମେ ତାକୁ ଜଣାଇ ନଥିଲ?’’

 

“ନା, ମୁଁ ଜଣାଇ ନଥିଲି, ଭୁଲି ଯାଇଥିଲି’’, ସିମନଭ କୌଣସି ଦୁଃଖ ପ୍ରକାଶ ନକରି କହିଲା, ଆଉ ମୋତେ କ୍ଷମା ନମାଗି ଚାଲିଗଲା ପାନୀୟ ଅର୍ଡ଼ର ଦେବାକୁ ।

 

“ତା ହେଲେ ତୁମେ ଏଠି ପୂରା ଘଣ୍ଟେ ହେଲାଣି ଅପେକ୍ଷା କରିଛ? ଆହା, ବିଚାରା !’’ ଜେରକୋଭ ବିଦ୍ରୂପ କରି ଚିତ୍କାର କଲା, କାରଣ ତା ଧାରଣାରେ ଏଭଳି ଘଟଣା ବିଚିତ୍ର ହେବାକୁ ବାଧ୍ୟ ଥିଲା ଯେମିତି । ଆଉ ସେ ବଦମାସ ଫରଫିସକିନ୍ ଗୋଟାଏ କୁକୁର ଛୁଆ ଭୁକିଲା ପରି ତାର ଅଧାଚାପା କୁତ୍ସିତ ବ୍ୟଙ୍ଗ ହସ ହସି ତା ପଛେ ପଛେ ଚାଲିଲା । ମୋ ଅବସ୍ଥା ତାକୁ ବି ହାସ୍ୟାସ୍ପଦ ଆଉ ଅତି ମାତ୍ରାରେ ଅପମାନଜନକ ଲାଗିଥିଲା ।

 

“ଏଥିରେ ତ ମଜାର କଥା କିଛି ନାହିଁ?” ଆହୁରି ବିରକ୍ତି ହୋଇ ଫରଫିସକିନ୍‌କୁ ଅନାଇ ମୁଁ କହିଲି । “ଏଥିରେ ତ ମୋର କିଛି ଦୋଷ ନାହିଁ, ଏମାନଙ୍କର ଦୋଷ ଯେ ଏମାନେ ମୋତେ ଜଣାଇବାରେ ଅବହେଳା କରିଛନ୍ତି । ଏହା... ଏହା... ଏମିତି... ବିଚିତ୍ର ।’’

 

“କେବଳ ବିଚିତ୍ର ନୁହେଁ, ଆହୁରି କିଛି ବି ।’’ ଟ୍ରଡଲ୍ୟୁବୋଭ୍ ମୋ ପକ୍ଷ ସମର୍ଥନ କରି ଗାଉଁଲିଆ ପରି ଗୁଣୁଗୁଣୁ ହେଲା । “ତୁମେ ସିନା ଏହା ଉପରେ ଜୋର୍ ଦେଇନ, ହେଲେ ଏହା ତ ପୂରାପୂରି ନିଷ୍ଠୁରତା- ଅବଶ୍ୟ ଅନିଚ୍ଛାକୃତ । ସିମନଭ କେମିତି ଏହା... ହୁଁ !’’

 

“ଏମିତି ଗୋଟାଏ ମଜା ମୋ ଉପରେ ଯଦି କିଏ ଖେଳିଥାନ୍ତା... ତା ହେଲେ ମୁଁ... ମୁଁ’’ କହିଲା ଫରଫିସକିନ୍ ।

“ହେଲେ ତୁମେ ତୁମ ନିଜପାଇଁ କିଛି ମଗାଇ ନେବା ଉଚିତ ଥିଲା,’’ ଜେରକୋଭ ବାଧା ଦେଇ କହିଲା, “କିମ୍ବା ସିଧା ଡିନର ବରାଦ କରି ଦେଇ ପାରିଥାନ୍ତ ଆମକୁ ଅପେକ୍ଷା ନକରି ।’’

 

ମୋ ପାଟିରୁ ବାହାରି ଆସିଲା, “ତୁମମାନଙ୍କ ବିନାନୁମତିରେ ମୁଁ ତ କେବଳ ସେତିକି କରି ପାରିବି ନା, ଯେତିକି କରିବାକୁ ତୁମେ ମୋତେ ଦେବ । ଏଣୁ ଯଦି ମୁଁ ଅପେକ୍ଷା କରିଥିଲି, ଏହା ଥିଲା... ।’’

 

ଭିତରକୁ ପଶି ଆସିଲା ସିମନଭ । ଚିତ୍କାର କରି କହିଲା, “ବସିଯାଅ ବଂଧୁଗଣ, ସବୁ ବର୍ତ୍ତମାନ ପ୍ରସ୍ତୁତ; ସାମ୍ପେନ ଅର୍ଡ଼ର ଦେଇ ଆସିଛି, ଚମତ୍କାର ଥଣ୍ଡା ସାମ୍ପେନ୍‌... ଆଉ ଦେଖ, ତୁମ ଠିକଣା ମୁଁ ଜାଣି ନଥିଲି, କୋଉଠି ତୁମକୁ ଖୋଜିଥାନ୍ତି?’’

 

ସେ ହଠାତ୍ ମୋ’ଆଡ଼କୁ ବୁଲି ପଡ଼ିଲା, କିନ୍ତୁ ମୋ ଆଖିରେ ଆଖି ମିଳାଇବାରୁ ନିବୃତ୍ତ ରହିଲା । ମୁଁ ଜାଣିପାରିଲି, ମୋ ବିରୁଦ୍ଧରେ ତା ମନରେ କିଛି ଥିଲା । ଏହା ନିଶ୍ଚୟ ଗତ କାଲିର ଘଟଣା ହୋଇଥିବ ।

 

ସମସ୍ତେ ବସିଲେ; ମୁଁ ବି ସେୟା କଲି । ଟେବୁଲଟି ଗୋଲ ଥିଲା । ଟ୍ରଡଲ୍ୟୁବୋଭ୍‍ ମୋ ବାମପଟେ ଆଉ ସିମନଭ ଥିଲା ମୋ ଡାହାଣପଟେ । ଜେରକୋଭ ବିପରୀତ ପଟେ, ଫରଫିସକନ୍ ତା ପାଖରେ ।

 

“ମୋତେ କୁହ, ତୁମେ କ’ଣ... ଗୋଟାଏ ସରକାରୀ ଅଫିସରେ ଅଛ?’’ ଜେରକୋଭ ମୋତେ ନେଇ ତାର ଆଗ୍ରହ ଦେଖାଇ ଚାଲିଥିଲା । ମୋତେ ଅପ୍ରତିଭ ହେବା ଦେଖି, ସେ ପ୍ରକୃତରେ ଭାବୁଥିଲା ଯେ ମୋ ସାଂଗେ ଅଧିକ ଭଲ କଥାବାର୍ତ୍ତା ସେ କରିବା ଉଚିତ, ଅର୍ଥାତ ମତେ ଖୁସି କରାଇବା ଦରକାର ।

 

“ସେ କ’ଣ ଚାହୁଁଛି, ମୁଁ ଗୋଟାଏ ବୋତଲ ତା ମୁଣ୍ଡକୁ ଫିଙ୍ଗିବି?’’ ମୋ ରାଗ ବଢ଼ି ଚାଲିଥିଲା । ଏଭଳି ସଂଶୟାକୁଳ ପରିବେଶରେ ଅସ୍ୱାଭାବିକ ଭାବରେ ବିରକ୍ତ ହେବାକୁ ମୁଁ ତିଆର ଥିଲି ।

 

“ଏନ୍‌-ଅଫିସରେ’’, ଖାଇବା ପ୍ଲେଟ ଉପରେ ଆଖି ରଖି ମୁଁ ସଂକ୍ଷିପ୍ତ ଉତ୍ତର ଦେଲି ।

 

“ଆଉ ତୁ-ମେ କ’ଣ ଭ-ଲ ପୋଷ୍ଟରେ ଅଛ? ମାନେ ମୋ କହିବା କଥା ହେଲା ତୁମେ ତୁମର ମୂଳ ଚାକିରୀଟା ଛାଡ଼ି ଦେବାର କାରଣ କ’ଣ?’’

 

“କାରଣ କ’ଣ କି... ମୁଁ ମୋର ମୂଳ ଚାକିରୀଟାକୁ ଛାଡ଼ି ଦେବାକୁ ଚାହିଁଲି,’’ ତା’ଠାରୁ ଆହୁରି ଧୀରେ ଚୋବେଇ ଚୋବେଇ ବହୁ କଷ୍ଟରେ ନିଜକୁ ସମ୍ବରଣ କରି ମୁଁ ଏତିକି କହିଲି । ଫରଫିସକିନ୍‌ର ପାଟିଟା ମେଲା ହୋଇଗଲା । ସିମନଭ ଥଟ୍ଟା କଲା ପରି ମୋତେ ଚାହିଁଥିଲା । ଟ୍ରଡଲ୍ୟୁବୋଭ୍‍ ଖାଇବା ଛାଡ଼ି କିଛି ବୁଝି ନ ପାରିବା ପରି କୁତୁହଳୀ ଆଖିରେ ମତେ ଅନେଇଥିଲା ।

 

ଜେରକୋଭକୁ କାଟିଲା, ହେଲେ ସେ ଏହାକୁ ଲକ୍ଷ୍ୟ ନକରି ପାରିଲା ପରି ଦେଖେଇବାକୁ ଚେଷ୍ଟା କଲା ।

“ଆଉ ପୁରସ୍କାର?’’

“କି ପୁରସ୍କାର?’’

“ମାନେ ତୁମର ଦରମା ।’’

 

“ତୁମେ ମୋତେ ଏଭଳି ପ୍ରଶ୍ନ ପଚାରୁଛ କାହିଁକି?’’ ତେବେ ମୁଁ ତାକୁ ତତ୍‌କ୍ଷଣାତ ମୋ ଦରମା କେତେ କହିଦେଲି । ମୋ ମୁହଁ କିନ୍ତୁ ଭୟଙ୍କରଭାବେ ଲାଲ ପଡ଼ି ଯାଇଥିଲା ।

 

“ଏହା ଏତେ ବେଶୀ ଭଲ ନୁହେଁ, ତେବେ ଠିକ ଅଛି,’’ ରାଜକୀୟ ଢଙ୍ଗରେ କହିଲା ଜେରକୋଭ ।

“ହଁ, ସେଥିରେ ତୁମେ ହୋଟେଲରେ ଖାଇପାରିବ ନାହଁ,’’ଫିରଫିସକିନ୍ ଉଦ୍ଧତ ଭାବରେ ଯୋଗ କଲା ।

“ମୋ ମତରେ ଏହା ଅତି କମ,’’ ଟ୍ରଡଲ୍ୟୁବୋଭ୍‍ ଗମ୍ଭୀର ହୋଇ କହିଲା ।

 

“ଆଉ ତୁମେ ଏ ଭିତରେ କେତେ ପତଳା ହୋଇଯାଇଛ ! କେତେ ବଦଳି ଯାଇଛ!”

 

ଜେରକୋଭ ସ୍ୱରରେ ଥିଲା କିଛିଟା ବିଷାକ୍ତ ଭାବ । ପୁଣି ମୋତେ ଓ ମୋର ପୋଷାକକୁ ସେ ନିରିଖେଇ ତନଖି କରୁଥିଲା ଯେମିତି ମୋତେ ଦୟା କରୁଥିଲା ।

 

“ଓଃ, ବିଚାରା ଲାଜେଇ ଗଲାଣି, ଛାଡ଼ି ଦିଅ ତାକୁ ।’’ ଫରଫିସକିନ୍ କୁକୁର ଛୁଆର ଚାପା ହସ ହସି କହିଲା ।

 

ଏସବୁ ଦେଖି ଓ ଶୁଣି ମୋର ବଂଧନ ଶେଷରେ ଭାଙ୍ଗିଗଲା, ମୁଁ କହିଲି, “ପ୍ରିୟ ମହାଶୟବୃନ୍ଦ, ମୋତେ ତୁମକୁ ଏତିକି କହିବାକୁ ଦିଅ ଯେ, ମୁଁ ଲାଜ କରୁନାହିଁ, ଶୁଣୁଛ ତୁମେମାନେ? ଏଠି ମୁଁ ଖାଉଛି, ଏଇ ହୋଟେଲରେ ମୋ ନିଜ ଖର୍ଚ୍ଚରେ, ଅନ୍ୟ ଲୋକର ଖର୍ଚ୍ଚରେ ନୁହେଁ- ଏହାକୁ ଲେଖି ରଖ ମିଃ ଫରଫିସକିନ୍ ।’’

 

“କ-ଅ-ଣ? ଏଠି ସମସ୍ତେ କ’ଣ ନିଜ ଖର୍ଚ୍ଚରେ ଖାଉ ନାହାନ୍ତି? ତୁମେ ତ ଜଣାଯାଉଛ...’’ ଫରଫିସକିନ୍ ଯେମିତି କଥାଗୁଡ଼ା ମୋ ଉପରକୁ ଫିଙ୍ଗି ଦେଲା, ଚିଙ୍ଗୁଡ଼ି ପରି ଲାଲ ପଡ଼ିଗଲା ଆଉ ରାଗରେ ମୋ ଆଖିକୁ ସିଧା ଅନେଇଲା ।

 

“ହଁ’’, କଥାଟା ବହୁତ ଦୂରକୁ ଚାଲିଯାଉଥିବାର ଅନୁଭବ କରି ମୁଁ କହିଲି, “ମୁଁ ଭାବୁଛି ଏକଥା ଛାଡ଼ି ଆଉକିଛି ଅଧିକ ବୁଦ୍ଧିମାନ କଥାବାର୍ତ୍ତା କଲେ ଭଲ ହେବ ।’’

 

“ତୁମେ ତା ହେଲେ ତୁମର ବୁଦ୍ଧିମତ୍ତା ଦେଖାଇବାକୁ ଚାହୁଁଛ? ନିଜକୁ ଆଉ ବେଶୀ ବୋକା ବନାଅ ନାହିଁ, ତାହା ଏ ଯାଗାରେ ଶୋଭା ପାଇବ ନାହିଁ ।’’

 

“ତୁମେ ଏତେ ବଡ଼ ପାଟି କରୁଛ କାହିଁକି? କ’ଣ ସରକାରୀ ଅଫିସରେ ରହି ତୁମ ବୁଦ୍ଧି ଭ୍ରଷ୍ଟ ହୋଇ ଯାଇଛି?’’

“ଯଥେଷ୍ଟ ହୋଇଗଲା, ଯଥେଷ୍ଟ ।’’ ଜେରକୋଭ ମୁରବୀ ସ୍ୱରରେ କହିଲା ।

“କି ମୂର୍ଖତା ଇୟେ!’’ ବିଡ଼ ବିଡ଼ ହେଲା ସିମନଭ ।

 

“ପ୍ରକୃତରେ ଏହା ମୂର୍ଖାମୀ ଛଡ଼ା ଆଉକିଛି ନୁହେଁ । ଆମେ ଏଠି ଏକାଠି ହୋଇଛେ କେତେଜଣ ସାଂଗ, ଆଉ ଜଣେ ସାଂଗର ବିଦାୟ ଭୋଜିରେ, ଆଉ ତୁମେ କଳିଗୋଳରେ ମାତିଛ-।’’ ଟ୍ରଡଲ୍ୟୁବୋଭ୍‍ କର୍କଶ ସ୍ୱରରେ କେବଳ ମୋତେ ଅନାଇ କହିଲା, “ତୁମେ ନିଜେ ନିଜକୁ ଆମନ୍ତ୍ରଣ କରିଛ, ଏଣୁ ସାଧାରଣ ଆମୋଦକୁ ନଷ୍ଟକର ନାହିଁ ।’’

 

“ଯଥେଷ୍ଟ ହେଲା, ଯଥେଷ୍ଟ ହେଲା ।’’ ଜେରକୋଭ ପାଟିକଲା । “ସେକଥା ଛାଡ଼, ବଂଧୁଗଣ, ଏଠି ଏସବୁ ଭଲ ଲାଗୁନି । ବରଂ ମୁଁ ତୁମକୁ କହେ କିମିତି ପଅରଦିନ ମୁଁ ପ୍ରାୟ ବାହା ହୋଇ ପଡ଼ିଥିଲି ।’’

 

ତା’ପରେ ଚାଲିଲା ଗୋଟାଏ ବିଦ୍ରୂପାତ୍ମକ ନାଟକୀୟ ଅନୁକରଣ କିପରି ଏ ଭଦ୍ରଲୋକ ଦୁଇଦିନ ଆଗରୁ ପ୍ରାୟ ବିବାହ କରି ପକାଇଥିଲେ । ସେଥିରେ ବିବାହ ବିଷୟରେ ଶବ୍ଦଟିଏ ବି ନଥିଲା, ତେବେ କାହାଣୀଟି ସଜ୍ଜିତ ହୋଇଥିଲା ଜେନେରଲ, କର୍ଣ୍ଣେଲ, ଋଷୀୟ-ଜର୍ମାନ ସୈନ୍ୟମାନଙ୍କୁ ନେଇ, ଯେଉଁଥିରେ ଜେରକୋଭ ପ୍ରାୟ ନେତୃତ୍ୱ ହିଁ ନେଇଥିଲା । ଏଇ କାହାଣୀକୁ ଖୁବ୍ ହସରେ ସ୍ୱାଗତ କରାଗଲା; ଫରଫିସକିନ୍ ଚିଁ ଚିଁ କରି ହସି ଲାଗିଲା ।

 

କେହି ମୋ’ଆଡ଼କୁ ନଜର ବି ପକାଉ ନଥିଲେ, ଆଉ ମୁଁ ସେଠି ପାଦ ତଳର ଘାସ ପରି ଉପହସିତ ହୋଇ ବସି ରହିଥିଲି ।

 

“ହେ ଭଗବାନ, ଏମାନେ ମୋ’ପାଇଁ ଠିକ୍ ଲୋକ ନୁହଁନ୍ତି ।’’ ମୁଁ ଭାବିଲି, “ଆଉ ଏମାନଙ୍କ ଆଗରେ ମୁଁ ନିଜକୁ ବି ବୋକା ବନାଇଲି । ଫରଫିସକିନ୍‌କୁ ଏତେଦୂର ଯିବାକୁ ମୁଁ ଛାଡ଼ିଦେଲି । ପଶୁଗୁଡ଼ା ଭାବୁଛନ୍ତି ସେମାନଙ୍କ ସାଥିରେ ବସିବାକୁ ଦେଇ ମୋ ପ୍ରତି ସମ୍ମାନ କରୁଛନ୍ତି ବୋଲି । ସେମାନେ ବୁଝୁନାହାନ୍ତି ଯେ ଏହା ପ୍ରକୃତରେ ସେମାନଙ୍କ ପ୍ରତି ଗୋଟେ ସମ୍ମାନ, ମୋ ପ୍ରତି ନୁହେଁ ! ଆଉ ମୁଁ ଆଗଠାରୁ ପତଳା ହୋଇଯାଇଛି । ମୋ ପୋଷାକ ! ମାରଗୁଲି ମୋ ଟ୍ରାଉଜରକୁ । ଜେରକୋଭ ଆସିଲାକ୍ଷଣି ସେ ହଳଦିଆ ଦାଗଟାକୁ ଲକ୍ଷ୍ୟ କରିଥିଲା... କିନ୍ତୁ ଲାଭ କ’ଣ ହେଲା ! ସାଂଗେ ସାଂଗେ ଏହି ମୁହୂର୍ତ୍ତରେ ଏଠୁ ଉଠି, ଟୋପିଟି ଧରି, ପଦେ କଥା ନକହି ଘୃଣାର ସହିତ ଏଠୁ ମୋର ଚାଲିଯିବା ଉଚିତ । ଆଉ ଆସନ୍ତା କାଲି ଏହାର ଜବାବ ମୁଁ ପଠାଇବି । ସୈତାନ ଦଳ-! ଯେମିତି ସାତ ରୁବଲ୍‌କୁ ମୁଁ ଖାତିର କରିଛି । ସେମାନେ ଭାବି ପାରନ୍ତି... ଛାଡ଼ । ମୁଁ ଖାତିର କରେନି ସାତ ରୁବଲ୍‌କୁ । ମୁଁ ଏଇ ମୁହୂର୍ତ୍ତରେ ଚାଲିଯିବି ଏଠୁ !’’

 

ଅବଶ୍ୟ ମୁଁ ରହିଲି ।

 

ମୋ ଅପ୍ରତିଭତା ଭିତରେ ମୁଁ ଗ୍ଲାସ ପୂର୍ଣ୍ଣ କରି ସେରୀ ଓ ଲାଫ୍‌ତେ ପିଇଲି । ଅଭ୍ୟାସ ନଥିବାରୁ, ଖୁବ୍‍ଶୀଘ୍ର ଏହା ମୋ ମୁଣ୍ଡକୁ ଧରି ନେଲା । ମଦ ଯେତେ ମୋ ମୁଣ୍ଡକୁ ଚଢ଼ିଲା ସେତେ ମୋର ବିରକ୍ତି ବଢ଼ିଲା । ହଠାତ୍ ମୋର ଇଚ୍ଛା ହେଲା ସେ ସମସ୍ତଙ୍କୁ ଅତି ନିକୁଚ୍ଛିଆ କରି ଅପମାନ ଦେଇ ସେଠାରୁ ଚାଲିଯିବି । ଗୋଟାଏ ମୁହୂର୍ତ୍ତର ଅପେକ୍ଷାରେ ରହିଲି ସେମାନଙ୍କୁ ଦେଖାଇ ଦେବାକୁ ଯେ କ’ଣ ମୁଁ କରିପାରେ, ତା ହେଲେ ସେମାନେ କହିବେ, ‘ସେ ଅଜବ୍ ହେଲେ ବି ବୁଦ୍ଧିମାନ,’ ଆଉ... ଛାଡ଼, ଚୁଲିକୁ ଯାଆନ୍ତୁ ସେମାନେ !

 

ମୋର ଅଧା ବନ୍ଦ ଆଖିରେ ସେମାନଙ୍କୁ ମୁଁ ଖୁବ୍ ତନ୍ନତନ୍ନ କରି ଦେଖୁଥିଲି, କିନ୍ତୁ ସେମାନେ ମୋତେ ପୂରାପୂରି ଭୁଲିଯାଇଥିଲେ । ସେମାନେ ଥିଲେ କୋଳାହଳ ପ୍ରିୟ, ଗପୁଡ଼ି, ଆଉ ଖୁସିରେ ମସଗୁଲ । ଜେରକୋଭ ଅହରହ କଥା କହି ଚାଲିଥିଲା । ମୁଁ ଶୁଣିବାକୁ ଆରମ୍ଭ କଲି । ଜେରକୋଭ କହୁଥିଲା କେଉଁ ଗୋଟେ ରମଣୀ ବିଷୟରେ ଯାହାକୁ ସେ ଶେଷରେ ବାଧ୍ୟ କରାଇ ପାରିଥିଲା ତା’ର ପ୍ରେମ ନିବେଦନକୁ ସ୍ୱୀକାର କରିବାକୁ, ଅବଶ୍ୟ ସେ ନିର୍ଘାତ ମିଛ କହୁଥିଲା, ଆଉ କିମିତି ଏଥିରେ ତା’ର ଜଣେ ଘନିଷ୍ଟ ବଂଧୁ, ପ୍ରିନ୍‌ସ କୋଲ୍ୟା, ପଦାତିକ ବାହିନୀର ଜଣେ ଅଫିସର, ଯାହାର ତିନି ହଜାର ଦାସ ଖଟୁଥିବା ଜମିଦାରୀ ଅଛି, ତାକୁ ସାହାଯ୍ୟ କରିଥିଲେ ।

 

“ଆଉ ତଥାପି ଏହି କୋଲ୍ୟା, ଯାହାର ତିନି ହଜାର ଦାସ ଅଛନ୍ତି, ସେ ଏଠାରେ ଆଜି ରାତିରେ ଉପସ୍ଥିତ ନାହାନ୍ତି ତୁମକୁ ବିଦାୟ ଦେବାକୁ,” ମୁଁ ହଠାତ୍ ମଝିରୁ କହିଲି ।

 

ମିନିଟିଏପାଇଁ ସମସ୍ତେ ନିରବ ହୋଇଗଲେ । “ତୁମେ ବହୁତ ପିଇ ଦେଇଛ ।’’ ଟ୍ରଡଲ୍ୟୁବୋଭ୍‍ ମୋ’ଆଡ଼କୁ ଘୃଣାରେ ଅନାଇ, ଶେଷରେ ମୋତେ ଦେଖିବାର ଛଳନା କଲା । ଜେରକୋଭ ପଦେ ବି କଥା ନକହି, ମୋତେ ଏପରି ଅନାଇଲା ଯେପରି ମୁଁ କୀଟଟିଏ । ମୁଁ ଆଖି ତଳକୁ କଲି । ସିମନଭ ତରତର ହୋଇ ଗ୍ଲାସମାନଙ୍କୁ ସାମ୍ପେନରେ ପୂର୍ଣ୍ଣ କରି ଚାଲିଥିଲା ।

 

ଟ୍ରଡଲ୍ୟୁବୋଭ୍‍ ଗ୍ଲାସ ଉଠାଇଲା, ଅନ୍ୟମାନେ ବି, କେବଳ ମୋ ଛଡ଼ା ।

 

“ତୁମ ସ୍ୱାସ୍ଥ୍ୟ ଓ ତୁମ ଯାତ୍ରାର ମଂଗଳ କାମନା କରୁଛି !’’ ସେ ଜେରକୋଭକୁ କହିଲା, “ଆମର ଅତୀତ ନାମରେ ଆଉ ଆମ ଭବିଷ୍ୟତପାଇଁ, ହୁର୍‌ରେ !’’

 

ସେମାନେ ସମସ୍ତେ ଗ୍ଲାସରେ ଗ୍ଲାସ ବଜାଇଲେ, ଆଉ ଜେରକୋଭ ଚାରିପଟେ ଘେରିଗଲେ ତାକୁ ଚୁମ୍ବନ କରିବାକୁ । ମୁଁ ହଲିଲି ନାହିଁ । ମୋର ପୂରା ଗ୍ଲାସଟି ଛୁଆଁ ନହୋଇ ମୋ ସାମ୍ନାରେ ଥୁଆ ହୋଇଥିଲା ।

 

“ତୁମେ କାହିଁକି ପିଉ ନାହଁ?’’ ଟ୍ରଡଲ୍ୟୁବୋଭ୍‍ ଧୈର୍ଯ୍ୟ ହରାଇ ଗର୍ଜନ କଲା ଆଉ ରାଗରେ ମୋ’ଆଡ଼କୁ ଅସୁର ପରି ବୁଲି ପଡ଼ିଲା ।

 

“ମୁଁ ମୋ ନିଜ ତରଫରୁ ଗୋଟାଏ ଅଲଗା ବକ୍ତୃତା ଦେବାକୁ ଚାହୁଁଛି... ଆଉ ତା’ପରେ ମୁଁ ଏହାକୁ ପିଇବି, କ’ଣ ଠିକ୍ ଅଛି ତ, ମିଃ ଟ୍ରଡଲ୍ୟୁବୋଭ୍ ।’’

 

“ଘୃଣ୍ୟ ପଶୁ ।’’ ସିମନଭ ବିଡ଼ବିଡ଼େଇଲା । ମୋ ଚେଆରରୁ ମୁଁ ନିଜକୁ ଉଠାଇଲି ଆଉ ଜରୁଆ ହାତରେ ଗ୍ଲାସଟିକୁ ଚାପି ଧରିଲି, ଯଦିଓ ମୁଁ ନିଜେ ବି ଜାଣି ନଥିଲି ମୁଁ କ’ଣ କହିବାକୁ ଯାଉଥିଲି, ତେବେ କିଛି ଅସାଧାରଣ କଥା କହିବାକୁ ମୁଁ ପ୍ରସ୍ତୁତ ଥିଲି ।

 

“ଚୁପ୍ ଚୁପ୍‌ ! ନିରବତା ରକ୍ଷା କର ।’’ ଚିତ୍କାର କଲା ଫରଫିସକିନ୍ । “ଏବେ ବୌଦ୍ଧିକତାର ପ୍ରଦର୍ଶନପାଇଁ ନିରବତା ରକ୍ଷା କର ।’’

 

“ମିଃ ଲେଫ୍‌ଟନାଣ୍ଟ ଜେରକୋଭ,’’ ମୁଁ ଆରମ୍ଭ କଲି, “ମୁଁ କହି ଦିଏଁ ଯେ ମୁଁ ଘୃଣା କରେ ଖଣ୍ଡବାକ୍ୟକୁ, ଆଉ ଖଣ୍ଡବାକ୍ୟର ଚତୁର ବ୍ୟବହାର କରୁଥିବା ଋଢ଼ିବାଦୀମାନଙ୍କୁ ଆଉ ବାହ୍ୟ ଆକୃତି ଠିକ୍ ପ୍ରଦର୍ଶନପାଇଁ ଚିପା ଅନ୍ତର୍ବାସ ବ୍ୟବହାର କରୁଥିବା ପୁରୁଷମାନଙ୍କୁ... । ଏହା ହେଲା ପ୍ରଥମ କଥା, ଆଉ ତା’ପରେ ଦ୍ୱିତୀୟ କଥାଟିଏ ଅଛି ୟା ପଛକୁ ।’’

 

ସମସ୍ତଙ୍କ ଭିତରେ ଗୋଟାଏ ହଲଚଲ ଦେଖାଗଲା ।

 

“ଦ୍ୱିତୀୟ କଥାଟି ହେଲା: ମୁଁ ଘୃଣା କରେ ଅଶ୍ଳୀଳ ବ୍ୟଙ୍ଗ କରୁଥିବା ଲୋକମାନଙ୍କୁ ! ବିଶେଷ କରି ଅଶ୍ଳୀଳ କଥକମାନଙ୍କୁ । ତୃତୀୟ କଥା; ମୁଁ ନ୍ୟାୟ, ସତ୍ୟ ଓ ସାଧୁତାକୁ ଭଲ ପାଏ ।’’ ଗୋଟାଏ ଯନ୍ତ୍ର ପରି ମୁଁ କହି ଚାଲିଥିଲି, କାରଣ ମୁଁ ନିଜେ ଭୟରେ କଂପୁଥିଲି, ଆଉ ମୋର ନିଜର କିଛି ଧାରଣା ନଥିଲା କିପରି ମୁଁ ଏପରି କହିବାକୁ ଆରମ୍ଭ କରିଥିଲି । “ମୁଁ ଚିନ୍ତା କରିବାକୁ ଭଲ ପାଏ, ମନସିଅର ଜେରକୋଭ; ମୁଁ ଭଲ ପାଏ ସତ୍ ବଂଧୁତା, ଉଭୟପକ୍ଷ ଯେଉଁଠି ସମାନସ୍ତରରେ ଥାଆନ୍ତି, ହଁ... ଆଉ ମୁଁ ଭଲ ପାଏ... ତେବେ ସେ ଯା ହେଉ, କାହିଁକି ମୁଁ ବା ପିଇବି ନାହିଁ? ମୁଁ ବି ତୁମ ସ୍ୱାସ୍ଥ୍ୟ କାମନା କରି ପିଇବି ମିଃ ଜେରକୋଭ । ଯେତେ ଇଚ୍ଛା ସେତେ ପାଲରେ ପକାଅ କକେସୀୟ ଝିଅମାନଙ୍କୁ, ପିତୃଭୂମିର ଶତ୍ରୁମାନଙ୍କୁ ମାର ଗୁଳି, ଆଉ କୃଷକମାନଙ୍କୁ ଚାବୁକ... ଆଉ ତୁମରି ସ୍ୱାସ୍ଥ୍ୟପାଇଁ ମନସିଅର ଜେରକୋଭ ।’’

 

ଜେରକୋଭ ତା ଚଉକିରୁ ଉଠି ପଡ଼ି ମୁଣ୍ଡ ନୁଆଁଇ କହିଲା : “ମୁଁ ତୁମ ପାଖରେ ଅତ୍ୟନ୍ତ କୃତଜ୍ଞ ।’’ ସେ ଅତି ମାତ୍ରାରେ ଅପମାନିତ ହୋଇ ଶେଥା ପଡ଼ି ଯାଇଥିଲା ।

 

“ବଦମାସଟାଏ,’’ ଗର୍ଜନ କରି ଟ୍ରଡଲ୍ୟୁବୋଭ୍‍ ମୁଠାଟାକୁ ଟେବୁଲ ଉପରେ ପିଟି ଦେଲା ।

“ଏବେ ଶଳାଟା ମୁହଁ ଉପରେ ସିଧାସଳଖ ମୁଥଟାଏ ଦରକାର କରୁଛି,’’ ଚିଁ ଚିଁ ହେଲା ଫରଫିସକିନ୍ ।

“ଆମେ ତାକୁ ବାହାର କରି ଦେବା ଉଚିତ,’’ ଗୁଣୁଗୁଣୁ ହେଲା ସିମନଭ ।

 

“ପଦେ ବି କଥା ନାହିଁ, କେହି ହଲିବେନି, ସୁଧୀବୃନ୍ଦ’’, ଜେରକୋଭ ନରମ ସ୍ୱରରେ ନିଜ ବିରକ୍ତିକୁ ଚାପି କହିଲା, “ମୁଁ ତୁମ ସମସ୍ତଙ୍କୁ ଧନ୍ୟବାଦ ଦେଉଛି, ହେଲେ, ମୁଁ ତାକୁ ନିଜେ ଦେଖାଇ ଦେବାକୁ ଚାହେଁ ତା କଥାକୁ ମୁଁ କେତେ ସମ୍ମାନ ଦିଏ ।’’

 

“ମିଃ ଫରଫିସକିନ୍‌, ତୁମର ବର୍ତ୍ତମାନର ଏଇ କଥାପାଇଁ ତୁମେ ଆସନ୍ତା କାଲି ମୋର ସନ୍ତୋଷବିଧାନ କରିବ ।’’ ବଡ଼ ପାଟିରେ କହି ମୁଁ ଫରଫିସକିନ୍‍ଆଡ଼କୁ ଅଭିଜାତ ଢଙ୍ଗରେ ବୁଲି ପଡ଼ିଲି ।

 

“ଦ୍ୱନ୍ଦ୍ୱ ଯୁଦ୍ଧ କହୁଛ? ନିଶ୍ଚୟ,’’ ସେ ଉତ୍ତର ଦେଲା । ହେଲେ ମୁଁ ତାକୁ ଆହ୍ୱାନ ଦେଲାବେଳକୁ ବୋଧହୁଏ ମୁଁ ଏତେ ହାସ୍ୟାସ୍ପଦ ଦେଖା ଯାଉଥିଲି ଆଉ ମୋ ଚେହେରା ସାଥିରେ ଏହା ଏତେ ବେଖାପ ଲାଗୁଥିଲା ଯେ, ଫରଫିସକିନ୍ ସମେତ ସମସ୍ତେ ଏକା ସାଙ୍ଗରେ ଠୋ ଠୋ ହସି ଉଠିଲେ ।

 

“ହଁ, ପୁଣି ସେ ଏକୁଟିଆ ଲଢ଼ିବ ନିଶ୍ଚୟ । ଶଳାଟା ପୂରାପୂରି ମାତାଲ ହୋଇ ଯାଇଛି,’’ ଟ୍ରଡଲ୍ୟୁବୋଭ୍‍ ଅତି ଚିଡ଼ି ଯାଇ କହିଲା ।

 

“ତାକୁ ଆମ ସାଥିରେ ଆସିବାକୁ ଅନୁମତି ଦେଇଥିବା ଯୋଗୁ ମୁଁ କେବେ ନିଜକୁ କ୍ଷମା କରିପାରିବି ନାହିଁ,’’ ସିମନଭ ପୁଣି ବିଡ଼ବିଡ଼ ହେଲା ।

 

“ଏଇଟା ହିଁ ହେଉଛି ଠିକ୍ ବେଳ ସେମାନଙ୍କ ମୁଣ୍ଡକୁ ବୋତଲ ଫିଙ୍ଗିବାର? ମୁଁ ନିଜକୁ ନିଜେ କହିଲି । ବୋତଲଟିଏ ଧରିଲି... ମୋ ଗ୍ଲାସଟିକୁ ପୂର୍ଣ୍ଣ କଲି...’’ ନାଃ, ବରଂ ଏଇଠି ମୁଁ ଶେଷ ପର୍ଯ୍ୟନ୍ତ ବସେ,’’ ମୁଁ ଭାବି ଚାଲିଥିଲି, “ମୁଁ ଚାଲିଗଲେ, ବଂଧୁଗଣ, ତୁମେମାନେ ଖୁସିହେବ ନିଶ୍ଚୟ, ହେଲେ କିଛି ବି ମୋତେ ବର୍ତ୍ତମାନ ଏଠାରୁ ଯିବାକୁ ବାଧ୍ୟ କରିପାରିବ ନାହିଁ । ହଁ, ଏଇଠି ମୁଁ ବସି ରହିବି ଶେଷ ଯାଏ ଆଉ ପିଇ ଚାଲିବି ଏୟା ଦେଖେଇ ଦେବାକୁ ଯେ ମୁଁ ତୁମମାନଙ୍କୁ ସାଧାରଣ ମଣିଷରେ ବି ଗଣେ ନାହିଁ । ତାରି ଚିହ୍ନସ୍ୱରୂପ ମୁଁ ଏଇଠି ବସି ରହିବି ଆଉ ପିଇ ଚାଲିବି । କାରଣ ଏହା ଗୋଟିଏ ସର୍ବସାଧାରଣ ଯାଗା ଆଉ ମୁଁ ମୋର ପ୍ରବେଶିକା ଫି ଦେଇଛି । ମୁଁ ଏଇଠି ବସି ପିଇବି କାରଣ ତୁମମାନଙ୍କୁ ମୁଁ ଖେଳର ଗୋଟି ରୂପରେ ଦେଖେ, ମୂଲ୍ୟହୀନ ଗୋଟି-ଦାନା, ଏଣୁ ଏଇଠି ମୁଁ ବସିବି ଓ ପିଇବି, ଇଚ୍ଛା କଲେ ଗୀତ ବି ଗାଇବି । କାରଣ ମୋର ଅଧିକାର ଅଛି... ଗାଇବାର ... ।’’

 

କିନ୍ତୁ ମୁଁ ଗାଇଲି ନାହିଁ, ମୁଁ କେବଳ ସେମାନଙ୍କୁ ନ ଅନେଇବାକୁ ଚେଷ୍ଟା କରୁଥିଲି । ଅତ୍ୟନ୍ତ ନିରାସକ୍ତ ଭାବରେ ବସି, ଅଧୈର୍ଯ୍ୟ ଭାବରେ ଅପେକ୍ଷା କରିଥିଲି ସେମାନେ କିମିତି ଆଗ କଥା କହିବେ । କିନ୍ତୁ ହାୟ ! ସେମାନେ ମୋତେ କିଛି କହିଲେ ନାହିଁ । ଆଉ ମୁଁ? ସତରେ ସେଇ ମୁହୂର୍ତ୍ତରେ କେତେ ଚାହୁଁଥିଲି ସେମାନଙ୍କ ସଂଗେ ମିଳାମିଶା କରିଦେବାକୁ । ଆଠଟା ବାଜିଲା, ଶେଷରେ ନଅଟା । ସେମାନେ ଟେବୁଲ୍‌ରୁ ସୋଫା ଉପରକୁ ଉଠିଗଲେ । ଜୋରକୋଭ ଲାଉଞ୍ଜ ଉପରେ ଲମ୍ବା ହୋଇ ଯାଇ ଗୋଟାଏ ଗୋଡ଼ ଗୋଲଟେବୁଲ ଉପରେ ଥୋଇ ଦେଲା । ସେଠାକୁ ମଦ ଆସିଲା । ସେ ତା ନିଜ ତରଫରୁ ପ୍ରକୃତରେ ତିନି ବୋତଲ ମଗାଇଥିଲା । ମୁଁ ଅବଶ୍ୟ ସେମାନଙ୍କ ସାଥିରେ ଯୋଗ ଦେବାକୁ ନିମନ୍ତ୍ରିତ ହେଲି ନାହିଁ । ସେମାନେ ସମସ୍ତେ ତା ଚାରିପଟେ ଘେରି ବସିଥିଲେ । ସେମାନେ ତା କଥାକୁ ସମ୍ମାନର ସହ ଶୁଣୁଥିଲେ । ସ୍ପଷ୍ଟ ଜଣାଯାଉଥିଲା ଯେ ସେମାନେ ତାକୁ ଭଲ ପାଉଥିଲେ । “କ’ଣ ପାଇଁ? କ’ଣ ପାଇଁ?’’ ମୁଁ ଆଶ୍ଚର୍ଯ୍ୟ ହେଉଥିଲି । ଥରକୁ ଥର ସେମାନେ ମଦ୍ୟପାନର ଉଲ୍ଲାସରେ ପରସ୍ପରକୁ ଚୁମ୍ବନ କରୁଥିଲେ, ସେମାନେ କଥା ହେଉଥିଲେ କକେସସର ଝିଅମାନଙ୍କ ବିଷୟରେ, ପ୍ରକୃତ ଆବେଗର ପ୍ରକୃତିମାନଙ୍କ ବିଷୟରେ, ଗୋଟିଏ ନିର୍ଦ୍ଦିଷ୍ଟ ତାସଖେଳ ବିଷୟରେ, ଆର୍ମିର ନିର୍ଦ୍ଦିଷ୍ଟ ଚାକିରି ବିଷୟରେ, ହୁସାର ସୈନିକ ପୋଧାର ଜେଭସ୍କିର ଆୟ ବିଷୟରେ, ଯାହାକୁ ସେମାନେ ଜାଣି ନଥିଲେ, କିନ୍ତୁ ତା ଆୟର ବିପୁଳତାକୁ ଉଚ୍ଚାରଣ କରି ଖୁସି ହେଉଥିଲେ, ରାଜକୁମାରୀ ଡି’ଙ୍କ ଅସାଧାରଣ ସୌନ୍ଦର୍ଯ୍ୟ ଓ ଆଭିଜାତ୍ୟ ବିଷୟରେ, ଯାହାଙ୍କୁ ସେମାନଙ୍କ ଭିତରୁ କେହି ଦେଖି ନଥିଲେ; ତାପରେ ସେମାନଙ୍କ କଥା ଆସିଲା ସେକ୍ସ୍‌ପିୟରଙ୍କର ଅମର ହେବା ଉପରକୁ ।

 

ମୁଁ ତାତ୍ସଲ୍ୟର ହସ ହସି କୋଠରୀର ଅପରପାର୍ଶ୍ୱରେ, ସୋଫାର ବିପରୀତ ପଟେ ଏପଟେ ସେପଟ ହେଉଥିଲି ଟେବୁଲରୁ ଷ୍ଟୋଭଯାଏ, ଷ୍ଟୋଭ୍‌ରୁ ଟେବୁଲ୍ ଯାଏ । ଆପ୍ରାଣ ଉଦ୍ୟମ କରୁଥିଲି ସେମାନଙ୍କୁ ଦେଖାଇଦେବାକୁ ଯେ, ସେମାନଙ୍କ ବିନା ମୁଁ ଆରାମରେ ରହିପାରେ, ତଥାପି ମୁଁ ଜାଣି ଜାଣି ମୋ ବୁଟ୍ ଯୋତାର ଗୋଇଠିକୁ ଚଟାଣରେ ପିଟି ଶବ୍ଦ କରୁଥିଲି ।

 

ତା ବି ବ୍ୟର୍ଥ ହେଲା । ସେମାନେ କେହି ମୋ’ଆଡ଼କୁ ନଜର ଦେଲେ ନାହିଁ । ମୋର କିନ୍ତୁ ଧୈର୍ଯ୍ୟ ଥିଲା ସେମାନଙ୍କ ସାମ୍ନାରେ ଟେବୁଲଠାରୁ ଷ୍ଟୋଭ ଯାଏଁ ଆଠଟାରୁ ଏଗାରଟା ପର୍ଯ୍ୟନ୍ତ ଏପଟ ସେପଟ ହେବାକୁ । ‘ମୁଁ ଏପଟ ସେପଟ ହେଉଛି ମୋ ଖୁସିପାଇଁ, ଆଉ କେହି ମୋତେ ଏଥିରେ ବାଧା ଦେଇ ପାରିବେ ନାହିଁ ।’ ଯେଉଁ ୱେଟର୍‌ଟି କୋଠରୀ ଭିତରୁ ବାରମ୍ବାର ମୋତେ ଦେଖିବାକୁ ଆସୁଥିଲା, ଆସିବା ବନ୍ଦ କରିଦେଲା । ମୋର ମୁଣ୍ଡ ଏଇ ବାରମ୍ବାର ଚାଲିବାରୁ ବୁଲେଇବା ଆରମ୍ଭ କରିଥିଲା । ଏଇ ତିନି ଘଣ୍ଟା ଭିତରେ ମୁଁ ତିନିଥର ଝାଳରେ ଗାଧୋଇ ସାରିଥିଲି ଓ ପୁଣି ଶୁଖି ଯାଇଥିଲା ଝାଳ ।ବେଳେବେଳେ ଗୋଟାଏ ଗଭୀର ଯନ୍ତ୍ରଣାରେ ମୁଁ ମୋ ଛାତିକୁ ଚାପିଧରି ଭାବୁଥିଲି: ଦଶବର୍ଷ, କୋଡ଼ିଏ ବର୍ଷ, ଚାଳିଶ ବର୍ଷ ଏଇମିତି ଚାଲିଯିବ, ଆଉ ଚାଳିଶ ବର୍ଷରେ ବି ଏଇ ହୀନ, ଅପମାନଜନକ ଆଉ ମୋ ଜୀବନର ଏଇ ଦୟନୀୟ ମୁହୂର୍ତ୍ତମାନଙ୍କୁ ମୁଁ ଘୃଣା ଓ ଅପମାନର ସହିତ ମନେ ରଖିଥିବି । କେହି ବି ଏପରି ଉପରେ ପଡ଼ି ନିଜକୁ ଅଧିକ ନିର୍ଲଜ୍ଜ ଭାବରେ ଅସମ୍ମାନ କରି ପାରିବ ନାହିଁ; ଏକଥା ମୁଁ ପୂର୍ଣ୍ଣ ଭାବରେ ଉପଲବ୍ଧି କରୁଥିଲି, ତଥାପି ଟେବୁଲଠାରୁ ଷ୍ଟୋଭ ଯାଏ ଚାଲି ଲାଗିଥିଲି । ତାରି ଭିତରେବେଳେବେଳେ ସୋଫା ଉପରେ ବସିଥିବା ମୋ ଶତ୍ରୁମାନଙ୍କୁ ମନେମନେ ସମ୍ବୋଧନ କରି କହୁଥିଲି, ‘ଓଃ, ତୁମେ ଯଦି କେବଳ ଜାଣିଥାନ୍ତ କିଭଳି ଭାବନା ଓ ଅନୁଭବର ସାମର୍ଥ୍ୟ ମୋର ଅଛି, କି ସୁସଂସ୍କୃତ ମୁଁ ।’ ହେଲେ ମୋ ଶତ୍ରୁମାନେ ଏପରି ବ୍ୟବହାର କରୁଥିଲେ ଯେପରି ମୁଁ ସେଠାରେ ନଥିଲି । ଥରଟିଏ, କେବଳ ଥରଟିଏ... ସେମାନେ ମୋ’ଆଡ଼କୁ ବୁଲି ଚାହିଁଲେ, ଯେତେବେଳେ ଜେରକୋଭ ସେକ୍ସପିୟରଙ୍କ ବିଷୟରେ କହୁଥିଲା, ଆଉ ମୁଁ ହଠାତ୍ ଘୃଣାର ହସଟିଏ ହସିଦେଲି । ମୋର ସେ ହସ ଏପରି ଜୋର ପ୍ରଭାବଶାଳୀ, ଏପରି ବିରକ୍ତିକର ଥିଲା ଯେ ସେମାନେ ହଠାତ୍ ସେମାନଙ୍କ କଥାବାର୍ତ୍ତା ବନ୍ଦ କରିଦେଲେ ଏବଂ ଦୁଇ ମିନିଟ୍ ନିରବରେ ଗମ୍ଭୀର ହୋଇ ମୋର ଟେବୁଲଠାରୁ ଷ୍ଟୋଭ ଯାଏ ଏପଟ ସେପଟ ଚାଲିବାକୁ ଲକ୍ଷ୍ୟ କଲେ, ମୁଁ ସେମାନଙ୍କୁ ଲକ୍ଷ୍ୟ କରି ନଥିଲି, କିନ୍ତୁ ସେଥିରୁ ବିଶେଷ କିଛି ଫଳ ହେଲା ନାହିଁ ଏବଂ ଦୁଇମିନିଟ ପରେ ସେମାନେ ମୋତେ ଆଉ ଦେଖୁ ନଥିଲେ ।

 

ଏଗାରଟା ବାଜିଲା ।

“ବଂଧୁଗଣ,’’ ସୋଫାରୁ ଉଠି ଜେରକୋଭ ବଡ଼ ପାଟିରେ କହିଲା, “ଚାଲ ଏଥର ଯିବା ।’’

“ଚାଲ, ଚାଲ, ଯିବା,’’ ଅନ୍ୟମାନେ ସମର୍ଥନ କଲେ । ମୁଁ ହଠାତ୍ ଜେରକୋଭଆଡ଼କୁ ବୁଲି ପଡ଼ିଲି । ମୁଁ ଏତେ ନିରାଶ, ନିର୍ଯ୍ୟାତିତ, କ୍ଳାନ୍ତ ହୋଇ ପଡ଼ିଥିଲି ଯେ, ମୋ ତଣ୍ଟିଟାକୁ କାଟି ଦେଇ ସେଇ ମୁହୂର୍ତ୍ତରେ ଜୀବନକୁ ଶେଷ କରି ଦେଇ ପାରିଥାନ୍ତି । ଦେହରେ ମୋର ଜର ଆସି ଯାଇଥିଲା, କେଶରାଶି ଝାଳରେ ଓଦା ହୋଇ ଯାଇଥିଲା ।

 

“ଜେରକୋଭ, ମୁଁ ତୁମକୁ କ୍ଷମା ମାଗୁଛି,’’ ହଠାତ୍ ଗୋଟାଏ ସିଦ୍ଧାନ୍ତ ନେଲା ପରି ମୁଁ କହିଲି, “ଫରଫିସକିନ୍‌, ତୁମକୁ ଆଉ ଅନ୍ୟ ସମସ୍ତଙ୍କୁ ବି, ଜଣ ଜଣ କରି; ମୁଁ ତୁମମାନଙ୍କୁ ଅପମାନିତ କରିଛି ।’’

 

“ଆହା ! ଗୋଟାଏ ଦ୍ୱନ୍ଦ୍ୱଯୁଦ୍ଧପାଇଁ ଏଇଲେ ତ ଡାକରା ଦେଇଥିଲ । ଏବେ ବୋଧେ ବୁଝିଗଲ ଏହା ତୁମ ଆୟତ୍ତର କଥା ନୁହେଁ ବୋଲି ।’’ ଫରଫିସକିନ୍ ବିଷୋଦ୍‌ଗାର କଲା ପରି ସଁ ସଁ ହୋଇ କହିଲା ।

 

ଏ କଥାଟା ମୋ ହୃଦୟ ଭିତରେ ଯେପରି ସିଧା ଗଳିଗଲା ।

 

“ନା, ମୁଁ ଦ୍ୱନ୍ଦ୍ୱଯୁଦ୍ଧକୁ ଡରୁ ନାହିଁ ଫରଫିସକିନ୍ । ମୁଁ କାଲି ଯୁଦ୍ଧ କରିବାକୁ ପ୍ରସ୍ତୁତ, କିନ୍ତୁ ଆମେ ମିଳାମିଶା କରିସାରିଲା ପରେ । ମିଳାମିଶା ଉପରେ ମୁଁ ଜୋର୍ ଦେଉଛି, ଏହାକୁ ତୁମେ ମନା କରିପାରିବ ନାହିଁ । ମୁଁ ତୁମକୁ ସ୍ପଷ୍ଟ କହି ଦେବାକୁ ଚାହେଁ ଯେ, ଦ୍ୱନ୍ଦ୍ୱ ଯୁଦ୍ଧକୁ ମୁଁ ଡରେ ନାହିଁ । ତୁମେ ଆଗ ଗୁଳି ଚଳାଇବ ଆଉ ମୁଁ ଶୂନ୍ୟକୁ ଗୁଳି ମାରିବି ।

 

“ନିଜକୁ ନିଜେ ବିଚାରା ସାନ୍ତ୍ୱନା ଦେଉଛି,’’ କହିଲା ସିମନଭ ।

“ନାଇଁ ନାଇଁ, ବିଳ୍‌ବିଳଉଛି,’’ କହିଲା ଟ୍ରଡଲ୍ୟୁବୋଭ୍ ।

“ହଉ ଆମେ ଯାଉଛୁ, ତୁମେ କାହିଁକି ଆମ ବାଟ ଓଗାଳୁଛ? କ’ଣ ତୁମେ ଚାହଁ?” ବିରକ୍ତ ହୋଇ ପ୍ରଶ୍ନ କଲା ଜେରକୋଭ ।

 

ସେମାନେ ସମସ୍ତେ ଉତ୍ତେଜିତ ଥିଲେ; ଆଖି ସେମାନଙ୍କର ଉଜ୍ଜ୍ୱଳ ଦିଶୁଥିଲା । ସେମାନେ କେତେବେଳ ହେଲା ଲଗାତାର ପିଇ ଚାଲିଥିଲେ ।

 

“ମୁଁ ତୁମର ବଂଧୁତା ଚାହେଁ ଜେରକୋଭ; ତୁମକୁ ମୁଁ ଅପମାନିତ କରିଛି, କିନ୍ତୁ...”

 

“ଅପମାନିତ? ତୁମେ ଅପମାନିତ କରିଛ ମୋତେ? ବୁଝିବାକୁ ଚେଷ୍ଟାକର, ତୁମେ କେବେ, କୌଣସି ପରିସ୍ଥିତିରେ ବି ମୋତେ ଅପମାନିତ କରିପାରିବ ନାହିଁ?”

 

“ହେଲା? ସେତିକି ତୁମପାଇଁ ଯଥେଷ୍ଟ, ଏଥର ରାସ୍ତାରୁ ହଟିଯାଅ,” କହିଲା ଟ୍ରଡଲ୍ୟୁବୋଭ୍ ।

 

“ଅଲମ୍ପିଆ ହେଉଛି ପୂରାପୂରି ମୋର, କେବଳ ମୋର, ବଂଧୁଗଣ, ଏଥିରେ ସମସ୍ତେ ଏକମତ ତ?” ବଡ଼ ପାଟିରେ କହିଲା ଜେରକୋଭ ।

 

“ଆମେ ତୁମ ଅଧିକାରରେ ହସ୍ତକ୍ଷେପ କରିବୁ ନାହିଁ, ଆମେ ତୁମ ଅଧିକାରରେ ହସ୍ତକ୍ଷେପ କରିବୁ ନାହିଁ,’’ ଅନ୍ୟମାନେ ସମବେତ ସ୍ୱରରେ ହସି ହସି ଉତ୍ତର ଦେଲେ ।

ମୋ ଉପରେ ଲେଣ୍ଡାଏ ଛେପ ପଡ଼ିଲା ପରି ମୁଁ ଠିଆ ହୋଇଥିଲି । ଦଳଟି କୋଠରୀ ଭିତରୁ କୋଳାହଳ କରି ବାହାରି ଗଲେ । ଟ୍ରଡଲ୍ୟୁବୋଭ୍‍ ଗୋଟାଏ ଅଶ୍ଳୀଳ ଗୀତର ସୁର୍ ଧରିଥିଲା । ସିମନଭ ଟିକେ ପଛେଇ ରହିଗଲା ୱେଟରକୁ ବକ୍‌ସିସ୍ ଦେବାକୁ । ହଠାତ୍ ମୁଁ ତା ପାଖକୁ ଚାଲିଗଲି ।

 

“ସିମନଭ, ମୋତେ ଛଅ ରୁବଲ୍ ଦିଅ ।” ନିରାଶା ଅଥଚ ଦୃଢ଼ତାର ସହ ମୁଁ କହିଲି ।

ଫାଙ୍କା ଆଖିରେ, ଅତି ଚକିତ ହୋଇ ସେ ମୋତେ ଅନେଇଲା ।

ସେ ବି ମାତାଲ ହୋଇଥିଲା ।

“ତୁମେ ଆମ ସଂଗେ ଆସିବା କଥା ଭାବୁନାହଁ ନିଶ୍ଚୟ?”

“ହଁ-”

 

“ମୋ ପାଖରେ କିଛି ନାହିଁ”, ପାଲଟା ଜବାବ ଦେଇ ସେ ତାତ୍ସଲ୍ୟର ହସ ହସି କୋଠରୀରୁ ବାହାରିଗଲା ।

 

ମୁଁ ତା ଓଭରକୋଟାଟାକୁ ଧରି ପକାଇଲି । ଏହା ଥିଲା ଗୋଟାଏ ଦୁଃସ୍ୱପ୍ନ । ତା’ପାଇଁ ବି, ମୋ’ପାଇଁ ବି ।

 

“ସିମନଭ, ମୁଁ ଦେଖିଛି ତୁମ ପାଖରେ ନୋଟର ବଣ୍ଡଲ୍ ଅଛି । ତୁମେ ମୋତେ ମନା କରୁଛ କାହିଁକି? ମୁଁ କ’ଣ ଗୋଟାଏ ସଇତାନ? ମୋତେ ମନା କରିବା ପ୍ରତି ସତର୍କ ରୁହ; ଯଦି ତୁମେ ଜାଣିଛ, ଯଦି ଜାଣିଛ କାହିଁକି ମୁଁ ଏପରି ମାଗୁଛି ! ମୋର ସମଗ୍ର ଭବିଷ୍ୟତ, ମୋର ସମସ୍ତ ଯୋଜନା ଏହାରି ଉପରେ ନିର୍ଭର କରୁଛି ।

 

ସିମନଭ ବାହାର କରି ଆଣିଲା ଛଅ ରୁବଲ୍ ଆଉ ମୋ ମୁହଁ ଉପରେ ପ୍ରାୟ ଫିଙ୍ଗିଦେଲା ।

 

“ନିଅ, ନିଅ, ଯଦି ତୁମର ଲଜ୍ଜା ବୋଲି କିଛି ନାହିଁ, ନିଅ ।” ନିର୍ଦ୍ଦୟ ଭାବରେ ଏତକ କହି, ଦୌଡ଼ି ଦୌଡ଼ି ସେ ବାହାରିଗଲା ବଂଧୁମାନଙ୍କ ସଂଗେ ମିଶିଯିବାକୁ ।

 

ମୁହୂର୍ତ୍ତକପାଇଁ ମୁଁ ଏକୁଟିଆ ରହିଗଲି । ବିଶୃଙ୍ଖଳା, ରାତ୍ରି ଭୋଜନର ବଳକାଂଶ, ଚଟାଣରେ ଗୋଟାଏ ଭଙ୍ଗା ମଦଗ୍ଲାସ, ଢଳି ଯାଇଥିବା ମଦ, ସିଗାରେଟର ମୁଣ୍ଡି, ମଦବାସ୍ନା ଆଉ ମୋ ମୁଣ୍ଡରେ ଘୂର୍ଣ୍ଣିବାତ୍ୟା, ମୋ ହୃଦୟରେ ଗୋଟାଏ ଯନ୍ତ୍ରଣାଦାୟକ ଅସହାୟତା, ଆଉ ଶେଷରେ ସେଇ ୱେଟର, ଯିଏ ସବୁ ଦେଖିଥିଲା ଓ ଶୁଣିଥିଲା ଆଉ ଜିଜ୍ଞାସୁ ନୟନରେ ମୋ ମୁହଁକୁ ଅନାଇଥିଲା ।

 

“ମୁଁ ଯାଉଛି ସେଠାକୁ ।” ମୁଁ ଚିତ୍କାର କଲି । “ସେମାନେ ସମସ୍ତେ ସେମାନଙ୍କ ଆଣ୍ଠୁରେ ଆଣ୍ଠେଇ ମୋର ବଂଧୁତା ଭିକ୍ଷା କରିବେ, କିମ୍ବା ମୁଁ ଜେରକୋଭ ମୁହଁରେ ଥାପ୍ପଡ଼ଟାଏ ଲଗାଇବି । ଏ ଦୁଇଟା ଭିତରୁ ଯା’ ହେଲେ ଗୋଟାଏ ଘଟିବ ।’’

 

Unknown

(ପାଞ୍ଚ)

 

‘ତାହେଲେ ଜିନିଷଟା ଏୟା, ଏଇଟା ଶେଷରେ ତା ହେଲେ ଏୟା- ଏଇ ହେଉଛି ବାସ୍ତବ ଜୀବନ ସହିତ ସଂପର୍କ,’ ଗୁଣୁ ଗୁଣୁ ହୋଇ ଏକମୁହାଁ ମୁଁ ଦୌଡ଼ିଲି ସିଡ଼ିରେ ତଳକୁ । ‘ଏହା ପୋପ୍‌ଙ୍କର ରୋମ ପରିତ୍ୟାଗ କରି ବ୍ରାଜିଲ ପଳାଇ ଯିବାଠାରୁ ବହୁତ ଅଲଗା, ଏହା ବହୁତ ଭିନ୍ନ କୋମୋହ୍ରଦ ଉପରେ ବଲ ନାଚଠାରୁ !’

 

ଗୋଟାଏ ଚିନ୍ତା ମୋ ମନରେ ବିଜୁଳି ମାରିଲା ପରି ଖେଳିଗଲା: ‘ଯଦି ମୁଁ ଏହାକୁ ବି ହସି ଉଡ଼େଇ ଦିଏ ତା ହେଲେ ମୁଁ ଯେ ଗୋଟାଏ ସଇତାନ ଏହା ନିଶ୍ଚୟ ଜଣାଯିବ ।’

 

‘କିଛି ଯାଏ ଆସେ ନାହିଁ ସେଥିରେ ।’ ନିଜକୁ ନିଜେ ଉତ୍ତର ଦେବାକୁ ମୁଁ ଚିତ୍କାର କଲି । ହେଲେ ସେଥିରେ ବି କିଛି ଯାଏ ଆସେ ନଥିଲା । ମୁଁ ଜାଣିଥିଲି ସେମାନେ କୁଆଡ଼େ ଯାଇଥିଲେ ।

 

ପାହାଚ କଡ଼କୁ ଠିଆ ହୋଇଥିଲା ନିଃସଂଗ ରାତ୍ରିର ସ୍ଲେଜ ଡ୍ରାଇଭରଟିଏ, ମୋଟା ଚାଷୀ କୋଟ ପିନ୍ଧି, ତଥାପି ଝରୁଥିବା ଓଦା ବରଫ ଗୁଣ୍ଡର ପାଉଡ଼ର ଦେହସାରା ବୋଳି ହୋଇ- ଏକୁଟିଆ ଠିଆ ହୋଇଥିଲା । ବରଫ ଜମା ହୋଇଗଲେ ଯେଉଁ ଗରମ ବାହାରେ ସେଇଥିଯୋଗୁ ଚାରିପଟ ବାମ୍ଫୁଳିଆ ଲାଗୁଥିଲା । ଛୋଟ, ଦୁର୍ବଳ, ଧଳାକଳା ଗାରଥିବା ଘୋଡ଼ାଟି ମଧ୍ୟ ବରଫରେ ଆଚ୍ଛାଦିତ ହୋଇ କାଶୁଥିଲା । ମୁଁ ସେ ସବୁ ଭଲ ମନେରଖେ । ସେଇ ପୁରୁଣା ସ୍ଲେଜଟି ଆଡ଼କୁ ମୁଁ ଦୌଡ଼ିଗଲି; କିନ୍ତୁ ତା ଭିତରକୁ ପଶିବାକୁ ପାଦ ଥୋଇଲା କ୍ଷଣି ମୋର ମନେପଡ଼ିଗଲା ସିମନଭ କିପରି ଏଇକ୍ଷଣି ମୋତେ ଛଅ ରୁବଲ୍ ଦେଇଛି ଓ ମୁଁ ଦ୍ୱିଗୁଣ ଗତିରେ ସ୍ଲେଜ ଭିତରକୁ ବସ୍ତାଟିଏ ପରି ଗଡ଼ିଗଲି ।

 

“ନାଃ, ଏଇ କ୍ଷତିର ଭରଣାପାଇଁ ମୋତେ ବହୁତ କିଛି କରିବାକୁ ପଡ଼ିବ,” ମୁଁ ଚିତ୍କାର କଲି । “ଯେମିତି ହେଲେ ବି ଏଇ କ୍ଷତିକୁ ମୁଁ ପୂରଣ କରିବି ନଚେତ ଆଜି ରାତିରେ ସେଇ ଯାଗାରେ ମୃତ୍ୟୁକୁ ବରଣ କରିବି । ଚାଲ୍‌ !”

 

ଆମେ ଚାଲିଲୁ । ସ୍ଲେଜ ଚକା ସହ ସମ ତାଳରେ ମୋ ମୁଣ୍ଡ ଭିତରେ ସଂପୂର୍ଣ୍ଣ ଘର୍‌ର୍ ଘର୍‌ର୍ ନାଦ ବାଜି ଚାଲିଥିଲା ।

 

“ସେମାନେ କେବେ ବି ମୋ ବଂଧୁତାପାଇଁ ଆଣ୍ଠେଇ କ୍ଷମା ମାଗିବେ ନାହିଁ । ତାହା ଏକ ମରୀଚିକା, ଗୋଟାଏ ଶସ୍ତା ମରୀଚିକା, ବିରକ୍ତିକର, କାଳ୍ପନିକ ଆଉ ଆକର୍ଷଣୀୟ-ସେସବୁ କୋମୋହ୍ରଦ ଉପରେ ଆଉ ଗୋଟାଏ ବଲ୍‌ନାଚ । ଏଣୁ ଜେରକୋଭର ମୁହଁ ଉପରେ ଥାପଡ଼ଟାଏ ପକାଇବାକୁ ମୁଁ ବାଧ୍ୟ । ଏହା କରିବା ମୋର କର୍ତ୍ତବ୍ୟ । ଏଣୁ ଏହା ସ୍ଥିର ହୋଇଗଲା; ତା ମୁହଁ ଉପରେ ଚାପୁଡ଼ାଟାଏ ଦେବାପାଇଁ ମୁଁ ଏବେ ଉଡ଼ି ଚାଲିଛି । ଜଲ୍‌ଦି ଚାଲ୍‌ !”

 

ଡ୍ରାଇଭର ଲଗାମ ଟାଣି ଲାଗିଲା ।

 

“ଯେତେଶୀଘ୍ର ଯାଇ ମୁଁ ପହଞ୍ଚିବି ତାକୁ ଆଗ ଥାପ୍ପଡ଼ଟା ଲଗାଇ ଦେବି । ହେଲେ ଚାପୁଡ଼ଟା ଦେବା ଆଗରୁ ମୁଖବନ୍ଧ ଭଳି ଅଳ୍ପ କିଛି ମୋର କହିବା ଉଚିତ କି? ନାଃ, ମୁଁ କେବଳ ଭିତରକୁ ପଶିଯିବି ଆଉ ସେ ଲୋଡ଼ୁଥିବା ତା’ର ପ୍ରାପ୍ୟ ତାକୁ ଦେଇଦେବି । ସେମାନେ ସମସ୍ତେ ଡ୍ରଇଁ ରୁମରେ ବସିଥିବେ, ଆଉ ସେ ବସିଥିବ ଅଲମ୍ପିଆ ସହିତ ସୋଫା ଉପରେ । ଆଉ ସେ କୁଲକ୍ଷଣୀ ଅଲମ୍ପିଆ । ସେ ଥରେ ମୋ ଚେହେରା ଦେଖି ହସିଥିଲା ଆଉ ମୋ ମୁହଁ ଉପରେ ମତେ ମନା କରିଦେଇଥିଲା । ମୁଁ ଅଲମ୍ପିଆର ଚୁଟି ଧରି ଟାଣି ଆଣିବି, ଆଉ ଜେରକୋଭର କାନ ଦୁଇଟାକୁ । ନା, ବରଂ ଗୋଟାଏ କାନ ଭଲ ହେବ, ଆଉ କୋଠରୀ ସାରା ସେଇମିତି ଘୋଷାରି ନେବି । ହୁଏତ ସେମାନେ ସମସ୍ତେ ମିଶି ମୋତେ ମାରିବେ ଓ ଲାତମାରି ବାହାର କରିଦେବେ । ଏହା ଘଟିବାର ସମ୍ଭାବନା ପ୍ରକୃତରେ ବେଶୀ ଥିଲା । କିଛି ଯାଏ ଆସେ ନାହିଁ ! ଯା’ ହେଲେ ବି ମୁଁ ତ ତାକୁ ଆଗ ମାରିବି; ଉସୁକେଇବାଟା ତ ମୋରି ଆଡ଼ୁ ହେବ; ଆଉ ସମ୍ମାନର ନିୟମ ଦୃଷ୍ଟିରୁ ତାହା ହିଁ ତ ସବୁକିଛି; ସେ ଦାଗମରା ହୋଇଯିବ ଆଉ ଯେତେ ମୁଥ ଦେଲେ ବି ନିଜ ଗାଲର ଚାପୁଡ଼ାଟାକୁ ତ ଆଉ ଲିଭାଇ ପାରିବ ନାହିଁ, କୌଣସି ପ୍ରକାରେ ନୁହେଁ କେବଳ ଦ୍ୱନ୍ଦ୍ୱଯୁଦ୍ଧ ଛଡ଼ା । ସେ ବାଧ୍ୟ ହେବ ଯୁଦ୍ଧ କରିବାକୁ । ଆଉ ଏବେ ସେମାନେ ମାରନ୍ତୁ ମତେ ମନଇଚ୍ଛା ! ଯେତେ ଇଚ୍ଛା ମାରନ୍ତୁ କୃତଘ୍ନ କୁକୁର ଦଳ !

 

ଟ୍ରଡଲ୍ୟୁବୋଭ୍ ସବୁଠୁ ଜୋର୍‌ରେ ମୋତେ ମାରିବ, ସେ ଏତେ ବଳୁଆ; ଫରଫିସକିନ୍ ନିଶ୍ଚୟ ଗୋଟାଏପଟୁ ମୋତେ ଧରି ମୋ ଚୁଟିକୁ ଟାଣିବ । କିନ୍ତୁ କିଛି କ୍ଷତି ନାହିଁ, କିଛି କ୍ଷତି ନାହିଁ ! ମୁଁ ତ ସେଇଥିପାଇଁ ଯାଉଛି । ଗୋବର ମୁଣ୍ଡିଆ ଦଳ ଶେଷରେ ବାଧ୍ୟ ହେବେ ଆପଣା କୃତକର୍ମର ଦୟନୀୟ ପରିଣତି ଦେଖିବାକୁ ! ସେମାନେ ଯେତେବେଳେ ମୋତେ ଦୁଆର ପାଖକୁ ଘୋଷାରି ଆଣିବେ ମୁଁ ପାଟିକରି ସେମାନଙ୍କୁ କହିବି ଯେ ବାସ୍ତବରେ ସେମାନେ ମୋ କାଣିଆଙ୍ଗୁଠି ସାଂଗେ ବି ସମାନ ନୁହଁନ୍ତି । ଆଗେଇଚାଲ ଡ୍ରାଇଭର, ଜୋର ଚାଲ !” ମୁଁ ଡ୍ରାଇଭରକୁ ପାଟିକଲି । ସେ ଚମକି ପଡ଼ି ଚାବୁକ ଛାଟିଦେଲା, ମୁଁ ଏତେ ଜୋର ହିଂସ୍ର ପଶୁ ପରି ଚିତ୍କାର କରିଥିଲି ।

 

“ସକାଳ ହେବା ମାତ୍ରେ ଆମେ ଯୁଦ୍ଧ କରିବୁ, ସେଇଟା ସୁନିଶ୍ଚିତ । ମୁଁ ଅଫିସ କାମ ସବୁ ସାରି ଦେଇଛି । ଫରଫିସକିନ୍ ଏଇଲାଗେ ଏ ବିଷୟରେ ଥଟ୍ଟା କରିଥିଲା । କିନ୍ତୁ ମୁଁ ପିସ୍ତଲ କେଉଁଠାରୁ ପାଇବି? ନନ୍‌ସେନ୍‌ସ । ମୁଁ ମୋ ଦରମା ଆଗୁଆ ନେଇ ଆସିବି ଓ କିଣି ଦେବି ସେସବୁ । ଆଉ ପାଉଡ଼ର ଓ ବୁଲେଟ? ଓଃ, ସେ ସବୁ ତ ମୋ କା’ର କାମ ମାନେ ମୋ ଦ୍ୱିତୀୟର କାମ । ହେଲେ ଏସବୁ ଭୋର୍ ହେଉ ହେଉ କିମିତି ସେ ପାଇପାରିବ? ମୁଁ ବି କୋଉଠୁ ଦ୍ୱିତୀୟଟିଏ ପାଇବି? ମୋର ତ କେହି ସାଂଗ ନାହାନ୍ତି । ନନ୍‌ସେନ୍‌ସ ।” ମୁଁ ପାଟିକଲି ଓ ନିଜକୁ ଅଧିକରୁ ଅଧିକ କ୍ଷତାକ୍ତ କରି ଚାଲିଥିଲି । “ଏଇଟା ଏମିତି କିଛି ବଡ଼ କଥା ନୁହେଁ । ରାସ୍ତା ଉପରେ ପ୍ରଥମ ଯାହାକୁ ମୁଁ ଭେଟିବି ସେଇ ମୋର ଦ୍ୱିତୀୟ ହେବାକୁ ବାଧ୍ୟ ହେବ ଯେମିତି ଗୋଟାଏ ବୁଡ଼ିଗଲା ଲୋକକୁ ପାଣିରୁ ଛାଣି ଆଣିବାକୁ ସେ ବାଧ୍ୟ ହୋଇଥାନ୍ତା । ଆଉକିଛି ମାତ୍ରାଧିକ ଜିନିଷ ବି ଘଟିପାରେ । ଏପରିକି ଯଦି ମୁଁ ସ୍ୱୟଂ ଡାଇରେକ୍ଟରଙ୍କୁ ଡାକେ ଆସନ୍ତା କାଲି ମୋର ଦ୍ୱିତୀୟ ହୋଇ ଠିଆ ହେବାକୁ, ସେ ବି ବାଧ୍ୟ ହେବେ ସମ୍ମତି ଦେବାକୁ, କେବଳ ଗୋଟାଏ ଦୁର୍ବଳ ଲୋକକୁ ସାହାଯ୍ୟ କରିବାର ଭଦ୍ରତା ଦୃଷ୍ଟିରୁ ହେଉପଛେ । ଆଉ ରହିଲା କଥାଟାକୁ ଗୋପନ ରଖିବା କଥା! ଆଣ୍ଟନ୍ ଆଣ୍ଟୋନିକ୍‌...”

 

ହେଲେ, କଥାଟା ହେଲା, ସେଇ ମିନିଟରେ ହିଁ ମୋ ଯୋଜନାର ସମସ୍ତ ହୀନ ଉଦ୍ଭଟତା ଓ ପ୍ରଶ୍ନର ଠିକ୍ ବିପରୀତ ଦିଗଟି ମୋ କଳ୍ପନାରେ ଅତ୍ୟନ୍ତ ସ୍ପଷ୍ଟ ଭାବରେ ଉଦ୍ଭାସିତ ହୋଇ ଉଠିଲା, ଏତେ ସ୍ପଷ୍ଟ ଓ ସ୍ୱଚ୍ଛ ଭାବରେ ଏହା ମୋତେ ଦେଖାଗଲା ଯେ ପୃଥିବୀର ଅନ୍ୟ ଯେକୌଣସି ବ୍ୟକ୍ତି ଠାରୁ ଅଧିକ ଭଲ ଭାବରେ ଏହାକୁ ମୁଁ ବୁଝି ପାରିଲି । କିନ୍ତୁ ....

 

“ଜୋର୍ ଚାଲ, ଡ୍ରାଇଭର, ଜୋର ଚାଲ... ଆହୁରି ଜୋର୍‌ !’’

 

“ଉଫ୍‌, ସାର୍‌,” କହିଲା ମାଟିର ସନ୍ତାନ ।

 

ମୋ ମେରୁଦଣ୍ଡରେ ହଠାତ୍ ଗୋଟେ ଶୀତଳ ସ୍ରୋତ ବୋହିଗଲା । ସିଧା ଘରକୁ ଫେରିଯିବାଟା... କ’ଣ ଭଲ ହେବ ନାହିଁ? ହେ ପ୍ରଭୁ, ହେ ଭଗବାନ ! କାହିଁକି ମୁଁ ଗତକାଲି ନିଜକୁ ନିଜେ ଆମନ୍ତ୍ରଣ କରିଥିଲି ଏଇ ଡିନର୍‌କୁ? କିନ୍ତୁ ନା, ଏହା ଅସମ୍ଭବ । ଆଉ ଟେବୁଲଠାରୁ ଷ୍ଟୋଭ ଯାଏ ମୋର ତିନି ଘଣ୍ଟାର ଚାଲିବା? ନାଃ, ସେଇମାନେ, ଆଉ କେହି ନୁହଁନ୍ତି, ସେଇମାନେ ହିଁ ମୋର ଏପଟ ସେପଟ ତିନିଘଣ୍ଟା ଚାଲିବାର ମୂଲ୍ୟ ନିଶ୍ଚୟ ଦେବେ । ସେମାନଙ୍କୁ ନିଶ୍ଚୟ ଏ ଅପମାନକୁ ଲିଭାଇବାକୁ ପଡ଼ିବ । ଆଗେଇ ଚାଲ !

 

ଆଉ କ’ଣ ହେବ ଯଦି ସେମାନେ ମୋତେ ଜେଲ୍‌ରେ ଢୁକାଇ ଦିଅନ୍ତି? ସେ ସାହସ ସେମାନେ କରିବେ ନାହିଁ । ସେମାନେ ବଦନାମକୁ ଡରିବେ । ଆଉ କ’ଣ ହେବ ଯଦି ଜେରକୋଭ, ଏତେ ଘୃଣ୍ୟ ପଶୁଟା ଦ୍ୱନ୍ଦ୍ୱ ଲଢ଼ିବାକୁ ମନା କରିଦିଏ? ତା ତ ସେ ନିଶ୍ଚୟ କରିବ; କିନ୍ତୁ ସେମିତି ହେଲେ ମୁଁ ବି ସେମାନଙ୍କୁ ଦେଖାଇ ଦେବି... ଆସନ୍ତା କାଲି ସେ ବାହାରିଲାବେଳକୁ ମୁଁ ଯାଇ ହାଜର ହୋଇଯିବି ତା ଚାକିରୀ ଯାଗାରେ, ତା ଗୋଡ଼ ଆଡ଼ୁ ଆଗ ଧରି ପକେଇବି, ସେ ଗାଡ଼ିରେ ବସିବାକୁ ଗଲା ବେଳକୁ ତା କୋଟଟାକୁ ଟାଣି ଉତ୍ତାରି ଦେବି । ତା ହାତରେ ସିଧା ଦାନ୍ତ ଲଗାଇ ଦେବି, ମୁଁ ତାକୁ କାମୁଡ଼ି ପକେଇବି । “ଦେଖ, ଗୋଟାଏ ନିରାଶ ଲୋକକୁ ତୁମେ କୋଉଠିକି ଟାଣି ନେଇଛ ।” ସେ ମୋ ମୁଣ୍ଡରେ ଆଘାତ କରିପାରେ ଆଉ ସେମାନେ ମୋତେ ପଛ ଆଡ଼ୁ କାବୁ କରିଦେଇ ପାରନ୍ତି । ସେଠି ଜମା ହୋଇଥିବା ଅସଂଖ୍ୟ ଜନତାଙ୍କୁ ମୁଁ ଚିତ୍କାର କରି କହିବି, “ଦେଖ ଏଇ ଯୁବ କୁକୁର ପିଲାକୁ, ମୁଁ ତା ମୁହଁରେ ଛେପ ପକେଇଲା ପରେ ବି ସେ କକେସୀୟ ଝିଅମାନଙ୍କୁ ପ୍ରେମଜାଲରେ ଫସେଇବାକୁ ଏଠାରୁ ପଳେଇ ଯାଉଛି ।

 

ଅବଶ୍ୟ ତା’ପରେ ସବୁ ସରିଯିବ । ମୋ ଅଫିସଟି ଅନ୍ତର୍ଦ୍ଧାନ ହୋଇଯିବ ପୃଥିବୀ ବକ୍ଷରୁ, ମୁଁ ଯିବି ଜେଲ୍‌କୁ, ତା’ପରେ ମୋର ବିଚାର ହେବ, ଚାକିରୀରୁ ହଟାଇ ମୋତେ କାରାଗାରରେ ଫୋପଡ଼ା ହେବ, ତା’ପରେ ମୋର ବିଚାର ହେବ, ତା’ପରେ ସାଇବେରିଆକୁ ପଠା ହେବ । କିଛି ଭାବିବାର ନାହିଁ । ପନ୍ଦରବର୍ଷ ପରେ ଯେତେବେଳେ ମୋତେ ସେମାନେ କାରାଗାରରୁ ମୁକ୍ତ କରିଦେବେ ମୁଁ ତାରି ପାଖକୁ ଘୁଷୁରି ଘୁଷୁରି ଖାଲିପାଦ, ଛିଣ୍ଡା ପୋଷାକରେ ଭିକାରୀ ହୋଇଯିବି । ତାକୁ ମୁଁ ପାଇବି କୌଣସି ଗୋଟେ ରାଜଧାନୀ ସହରରେ । ସେ ବିବାହ କରି ଖୁସିରେ ଥିବ । ତାର ଗୋଟିଏ ବଢ଼ିଲା ଝିଅ ଥିବ... । ମୁଁ ତାକୁ କହିବି, “ଦେଖ ରାକ୍ଷସ, ଦେଖ ମୋର ଗାତୁଆ ଗାଲ ଆଉ ଛିଣ୍ଡା ଲୁଗାକୁ । ମୁଁ ସବୁ ମୋର ହରାଇଛି- ମୋର ବୃତ୍ତି, ମୋର ସୁଖ, କଳା, ବିଜ୍ଞାନ, ସେଇ ନାରୀ ଯାହାକୁ ମୁଁ ଭଲ ପାଇଥିଲି । ଆଉ ଏସବୁ ତୋରି ଲାଗି ଘଟିଛି । ଏଇ ରହିଲା ଦୁଇଟି ପିସ୍ତଲ । ମୁଁ ଆସିଛି ମୋର ପିସ୍ତଲ କାର୍ଯ୍ୟ ସମ୍ପାଦନା କରିବାକୁ ଆଉ... ଆଉ... ମୁଁ ତୋତେ କ୍ଷମା କରୁଛି ।’’ ତାପରେ ମୁଁ ଶୂନ୍ୟକୁ ଗୁଳି ଚଳାଇବି ଓ ସେ ମୋ’ଠାରୁ ଆଉ କେବେ କିଛି ଶୁଣିବ ନାହିଁ ।

 

ପ୍ରକୃତରେ ମୁଁ କାନ୍ଦିବା ଅବସ୍ଥାକୁ ଆସି ଯାଇଥିଲି, ଯଦିଓ ସେଇ ମୁହୂର୍ତ୍ତରେ ମୁଁ ବେଶ ଭଲଭାବେ ଜାଣିସାରିଥିଲି ଯେ ଏସବୁ ସିଲ୍‌ଭି ଓ ଲରମୋଣ୍ଟଭ୍‌ଙ୍କ ‘ମସ୍କାରେଡ’ରୁ ଆସିଥିଲା(୪) । ସାଂଗେ ସାଗେ ମୁଁ ଭୟଙ୍କରଭାବେ ଲଜ୍ଜିତ ହେଲି, ଏତେ ଲଜ୍ଜିତ ଯେ ଘୋଡ଼ାକୁ ଅଟକେଇବାକୁ କହି ସ୍ଲେଜ ଭିତରୁ ବାହାରି ଆସିଲି, ଆଉ ରାସ୍ତା ଉପରେ ମଝିଟାରେ ବରଫ ଭିତରେ ସ୍ଥିର ହୋଇ ଠିଆ ହେଲି । ଡ୍ରାଇଭରଟି ମୋତେ ନିରିଖେଇ ଚାହିଁଲା, ଚକିତ ହେଲା, ତାପରେ ଦୀର୍ଘଶ୍ୱାସଟିଏ ପକେଇଲା ।

ମୋର କ’ଣ କରିବାର ଥିଲା? ସେଠାକୁ ତ ମୁଁ ଯାଇ ପାରିବିନି... ଏହା ନିହାତି ମୂର୍ଖ କାମଟାଏ ହେବ, ଏଣେ ପୁଣି ଘଟଣାଟାକୁ ସେଇ ଅବସ୍ଥାରେ ଛାଡ଼ି ବି ପାରିବିନି କାରଣ ତାହା ଲାଗିବ ଯେପରି... ହେ ଭଗବାନ, କେମିତି ଏହାକୁ ମୁଁ ଏଇ ଅବସ୍ଥାରେ ଛାଡ଼ି ଦେଇ ପାରିବି । ପୁଣି ଏପରି ଅପମାନ ପରେ । “ନାଃ” ମୁଁ ପାଟି କଲି, ନିଜକୁ ପୁଣି ଥରେ ସ୍ଲେଜ ଭିତରକୁ ଫିଙ୍ଗି ଦେଲି, “ଏହା ହିଁ ଭାଗ୍ୟରେ ଥିଲା । ଏହା ହିଁ ଭାଗ୍ୟ ! ଆଗେଇ ଚାଲ, ଆଗେଇ ଚାଲ ।’’

 

ମୋର ଅଧୈର୍ଯ୍ୟ ପଣ ଭିତରେ ମୁଁ ସ୍ଲେଜ ଡ୍ରାଇଭର୍‌ର ବେକକୁ ଚିମୁଟି ଦେଲି ।

 

“କ’ଣ ତୁମେ କରୁଛ? ମୋତେ କାହିଁକି ମାରୁଛ?” କୃଷକଟି ପାଟିକଲା, କିନ୍ତୁ ତାର ଚାବୁକ ଛାଟି ଚାଲିଲା ଓ ଗାଡ଼ି ଦୌଡ଼ି ଲାଗିଲା ।

 

ଓଦା ବରଫଖଣ୍ଡ ଏବେ ବଡ଼ ବଡ଼ ଫୁଲ୍‌କା ଫୁଲ୍‌କା ହୋଇ ଖସୁଥିଲା; ଏହାକୁ ଖାତିର୍ ନକରି ମୁଁ ମୋର କୋଟ ଖୋଲି ଦେଲି ଓ ଆଉ ସବୁ ଭୁଲିଗଲି କାରଣ ମୁଁ ଚାପୁଡ଼ା ଦେବା ଉପରେ ଶେଷ ସିଦ୍ଧାନ୍ତ ନେଇ ସାରିଥିଲ. ଆଉ ନିଜ ଭିତରେ ଭୟଭୀତ ହୋଇ ଅନୁଭବ କରୁଥିଲି ଯେ ଏହା ବର୍ତ୍ତମାନ ହିଁ ଘଟିବାକୁ ଯାଉଥିଲା, ଏଇ ଅଳ୍ପ ସମୟ ଭିତରେ, ଆଉ କୌଣସି ଶକ୍ତି ଏହାକୁ ଅଟକାଇ ପାରିବ ନାହିଁ । ନିଛାଟିଆ ରାସ୍ତାକଡ଼ ଖୁଣ୍ଟର ବତୀଗୁଡ଼ିକ ତୁଷାରୀୟ ଅନ୍ଧକାର ଭିତରେ ମିଞ୍ଜି ମିଞ୍ଜି ହୋଇ ଅନ୍ତ୍ୟେଷ୍ଟିକ୍ରିୟାର ବତୀ ପରି ଜଳୁଥିଲା । ବରଫ ମୋର ବିରାଟ କୋଟ ଭିତର ଦେଇ, କୋଟ ତଳେ, ସ୍କାର୍ଫ ତଳେ ଓ କମିଜ ତଳ ଦେଇ ଖସି ଖସି ତରଳି ଯାଉଥିଲା । ମୁଁ ନିଜକୁ ଘୋଡ଼ାଇଲି ନାହିଁ- ଯାହା କଲେ ବି ସବୁତ ସରିଯାଇଥିଲା ।

 

ଶେଷରେ ଆମେ ପହଞ୍ଚିଲୁ । ମୁଁ ବାହାରକୁ ଡେଇଁ ପଡ଼ିଲି, ପ୍ରାୟ ଅର୍ଦ୍ଧଚେତନ ଅବସ୍ଥାରେ, ପାହାଚ ଚଢ଼ି ଦୌଡ଼ିଲି ଓ କବାଟକୁ ଗୋଇଠା-ବିଧା ମାରି ଚାଲିଲି । ମୋତେ ଅସମ୍ଭବ ଦୁର୍ବଳ ଲାଗୁଥିଲା, ବିଶେଷ କରି ମୋ ଗୋଡ଼ ଦୁଇଟି ଓ ମୋ ଆଣ୍ଠୁ । କବାଟ ହଠାତ୍ ଖୋଲିଗଲା-ଯେମିତି ସେମାନେ ଜାଣିଥିଲେ ମୁଁ ଆସୁଛି ବୋଲି । ପ୍ରକୃତରେ, ସିମନଭ୍‍ ବୋଧେ ସେମାନଙ୍କୁ ଆଗରୁ ସତର୍କ କରାଇ ଦେଇଥିଲା ଯେ ଆଉ ଜଣେ ଭଦ୍ରଲୋକ ଆସି ପହଞ୍ଚି ପାରନ୍ତି, ଆଉ ଏହା ବି ଏପରି ଏକ ଯାଗା ଥିଲା ଯେଉଁଠାକୁ ଜଣେ ଆସିବାକୁ ଚାହିଁଲେ ଆଗରୁ ଜଣାଇବାକୁ ବାଧ୍ୟ ଏବଂ କିଛିଟା ସତର୍କତା ଅବଲମ୍ବନ କରିବାକୁ ମଧ୍ୟ ବାଧ୍ୟ । ଏହା ସେଇ ଦେହ-ବ୍ୟବସାୟ ସଂସ୍ଥା ମଧ୍ୟରୁ ଥିଲା ଅନ୍ୟତମ ଯେଉଁଗୁଡ଼ିକ ବେଶ୍ କିଛିଦିନ ଆଗରୁ ପୋଲିସଦ୍ୱାରା ବନ୍ଦ କରି ଦିଆଯାଇଥିଲା । ଦିନବେଳେ ଏହା ପ୍ରକୃତରେ ଥିଲା ଗୋଟାଏ ଦୋକାନ; କିନ୍ତୁ ରାତିରେ କେହି ଯଦି କୋଉ ବଡ଼ ଲୋକର ପରିଚୟ ବା ଉପର ଆଡ଼ୁ ଚିଠି ଧରି ଆସୁଥିଲା, ତା ହେଲେ ଏହା ଭିତରକୁ ପ୍ରବେଶ କରୁଥିଲା ଅନ୍ୟ ଉଦ୍ଦେଶ୍ୟରେ ।

 

ମୁଁ ତରତର ହୋଇ ସେଇ ଅନ୍ଧାର ଦୋକାନ ଭିତର ଦେଇ ପରିଚିତ ଡ୍ରଇଁରୁମ ଭିତରକୁ ପଶିଗଲି, ସେଠି କେବଳ ଗୋଟିଏ ମହମବତୀ ଜଳୁଥିଲା ଓ ଚକିତ ହୋଇ ଯେମିତି ସ୍ଥିର ହୋଇ ଯାଇଥିଲା; କେହି ସେଠି ନଥିଲେ, “କୁଆଡ଼େ ଗଲେ ସେମାନେ?” କାହାକୁ ଗୋଟାଏ ପଚାରିଲି, ତେବେ ଏତେବେଳକୁ ଅବଶ୍ୟ ସେମାନେ ପଳାଇ ଯାଇଥିବେ । ମୋ ଆଗରେ ଜଣେ କେବଳ ବୋକାଙ୍କ ପରି ହସି ଠିଆ ହୋଇଥିଲେ - ‘ମାଡ଼ାମ’ ନିଜେ, ସେ ମୋତେ ଆଗରୁ ଦେଖି ସାରିଥିଲେ । ମିନିଟିଏ ପରେ ଆଉ ଗୋଟିଏ କବାଟ ଖୋଲିଲା ଓ ଆଉ ଜଣେ ଭିତରକୁ ଆସିଲା ।

 

କୁଆଡ଼କୁ ନଜର ନଦେଇ, ମୁଁ ଘରସାରା ବୁଲିଲି, ବୋଧେ ନିଜ ସାଂଗେ ନିଜେ କଥା ହେଉଥିଲି । ମୋତେ ଲାଗୁଥିଲା ଯେପରି ମୁଁ ମୃତ୍ୟୁମୁଖରୁ ରକ୍ଷା ପାଇ ଯାଇଥିଲି, ଆଉ ଏ ବିଷୟରେ ବି ସଚେତନ ଥିଲି ଯେ, ଯା’ ହେଉ ସବୁକାମ ଭଲରେ ଭଲରେ ଛିଡ଼ି ଯାଇଥିଲା; ମୁଁ ସେ ଚାପୁଡ଼ାଟା ଦେବା ଉଚିତ, ଦେଇ ବି ଥାନ୍ତି ନିଶ୍ଚୟ । କିନ୍ତୁ ବର୍ତ୍ତମାନ ସେମାନେ ଏଠି ନଥିଲେ... ଆଉ ସବୁ ଜିନିଷ ଯେମିତି ଉଭାନ ହୋଇ ଯାଇଥିଲା ଆଉ ବଦଳି ବି ଯାଇଥିଲା । ମୁଁ ଚାରିପଟକୁ ଚାହିଁଲି । ଏ ଯାଏ ମୋ ନିଜ ଅବସ୍ଥାକୁ ମୁଁ ଜାଣି ପାରିନଥିଲି । ଯନ୍ତ୍ରବତ୍ ମୁଁ ସେ ଝିଅଟାକୁ ଅନେଇଲି ଯିଏ ପଛରେ ଘର ଭିତରକୁ ଆସିଥିଲା; ତା ମୁହଁ ଥିଲା ସତେଜ, ଯୌବନରେ ଟଳମଳ, ସାମାନ୍ୟ ଶେଥା, ଭ୍ରୂଲତା ଦୁଇଟି ଥିଲା ସଳଖ ଓ ଘନ କଳା ଆଉ ଆଖି ଦୁଇଟି ଥିଲା ଗମ୍ଭୀର ଯେମିତି କିଛି ଖୋଜୁଥିଲା ।

 

ଏଇ ଆଖି ଦୁଇଟି ମୋତେ ତତ୍‌କ୍ଷଣାତ ଆକର୍ଷିତ କଲା; ସେ ହସିଥିଲେ ମୁଁ ହୁଏତ ତାକୁ ଘୃଣା କରିଥାନ୍ତି, ତାକୁ ମୁଁ ଆହୁରି ଗହିରେଇ ଚାହିଁଲି, ଭଲକରି ଦେଖିବାକୁ ଚେଷ୍ଟା କଲି । ସେତେବେଳଯାଏ ମୁଁ ମୋ ଭାବନାମାନଙ୍କୁ ଏକାଠି ବି କରିପାରି ନଥିଲି । ତା ମୁହଁରେ ଥିଲା ଗୋଟେ ଅଦ୍ଭୁତ ପ୍ରକାରର ସରଳତା ଆଉ ଭଲ ପଣର ସଂକେତ, ହେଲେ କିମିତି ଗୋଟାଏ ବିଚିତ୍ରଭାବେ ଗମ୍ଭୀର । ମୁଁ ନିଶ୍ଚିତ ହୋଇଗଲି ଯେ ଏଇଟା ହିଁ ତା ବାଟର ପ୍ରତିବନ୍ଧକ ହୋଇ ଠିଆ ହୋଇଥିଲା, ଆଉ ସେ ବୋକାଦଳଙ୍କ ଭିତରୁ କେହି ବି ତାକୁ ଲକ୍ଷ୍ୟ କରି ନଥିଲେ । ଅବଶ୍ୟ ସେ ଗୋଟାଏ ସୁନ୍ଦରୀ ତାଲିକାଭୁକ୍ତ ହୋଇ ପାରିନଥାନ୍ତା, ଯଦିଓ ସେ ଥିଲା ଦୀର୍ଘାଙ୍ଗୀ, ବଳିଷ୍ଠ ଆଉ ତାର ଗଢ଼ଣଟି ଥିଲା ବେଶ ପୁଷ୍ଟ । ଅତି ସରଳ ପୋଷାକ ସେ ପିନ୍ଧିଥିଲା । ମୋ ଭିତରେ କିଛି ଗୋଟାଏ ‘ଘୃଣ୍ୟ’ ଚଞ୍ଚଳ ହୋଇ ଉଠିଲା । ମୁଁ ସିଧା ତା ପାଖକୁ ଗଲି ।

 

କାଚ ଝରକା ଭିତରକୁ ହଠାତ୍ ମୁଁ ଚାହିଁ ଦେଲି । ମୋ ନିଜର ହତାଶ କ୍ଳାନ୍ତ ମୁହଁ ମୋ ନିଜକୁ ଅତ୍ୟନ୍ତ ଘୃଣ୍ୟ, ବିରକ୍ତିକର ମନେ ହେଲା, ଶେଥା, କ୍ରୁଦ୍ଧ, ଦୟନୀୟ, ଆଉ କେଶରାଶି ଅଯତ୍ନ-। “କିଛି ଯାଏ ଆସେ ନାହିଁ, ଏଥିପାଇଁ ମୁଁ ଖୁସି” ମୁଁ ଭାବିଲି; “ମୁଁ ଖୁସି ଯେ ତାକୁ ମୁଁ ଘୃଣ୍ୟ, ହୀନ ଦେଖାଯିବି; ବେଶ୍ ଭଲ ହେଲା, ଏଇଆକୁ ତ ମୁଁ ଭଲପାଏ ।’’

 

(ଛଅ)

 

... କେଉଁଠି ଗୋଟାଏ ପାର୍ଟିସନ ପଛ ପଟ କାନ୍ଥ ଘଣ୍ଟାଟି ଅଣନିଃଶ୍ୱାସୀ ହେବାକୁ ଆରମ୍ଭ କରିଥିଲା, ସତେ ଯେପରି କିଏ ତାକୁ ଜୋର୍‌ରେ ଚିପି ପକାଉଥିଲା, ସତେ ଯେମିତି କେହି ଜଣେ ତା ଗଳା ଚିପି ଶ୍ୱାସରୁଦ୍ଧ କରି ଦେଉଥିଲା ତାକୁ । ଗୋଟାଏ ଅସ୍ୱାଭାବିକ, ଦୀର୍ଘ ଚିପା ଶବ୍ଦ ପରେ ପରେ ଭାସି ଆସିଲା ସରୁ, କୁତ୍ସିତ, ଆଶାତୀତଭାବେ ଦ୍ରୂତ ଘଣ୍ଟା ଶବ୍ଦ- ସତେ ଯେମିତି କେହି ଜଣେ ହଠାତ୍ ଆଗକୁ ଦୌଡ଼ି ଯାଉଥିଲା । ଦୁଇଟା ବାଜିଲା । ମୁଁ ଉଠି ପଡ଼ିଲି, ପ୍ରକୃତରେ ମୁଁ ଶୋଇ ନଥିଲି, କେବଳ ପଡ଼ି ରହି ଢୁଳଉଥିଲି ।

 

ସେଇ ସଂକୀର୍ଣ୍ଣ, ଗୁଞ୍ଜାଗୁଞ୍ଜି, ନୁଆଁଣିଆ କୋଠରୀ ଭିତରଟା ଥିଲା ବିଲ୍‌କୁଲ ଅନ୍ଧାର ପ୍ରାୟ । ସେଠି ଥିଲା ଗୋଟାଏ ବିରାଟ ପୋଷାକ ଭର୍ତ୍ତି ଆଲ୍‌ମୀରା, ଗଦାଗଦା କାଗଜପେଟିର ବାକ୍ସ ଆଉ ଯେତେସବୁ ଅନାବଶ୍ୟକ ଲୁଗାପଟା ଓ କାଗଜପତ୍ର । ଯେଉଁ ମହମବତୀଟି ଟେବୁଲ ଉପରେ ଜଳୁଥିଲା ତାହା ଲିଭି ଆସୁଥିଲା ଆଉ ମଝିରେ ମଝିରେ ହାଲ୍‌କା ଶିଖାଟି ଟିକିଏ ଜୋର୍‌ରେ ଦୋହଲି ଯାଉଥିଲା । ଆଉ କେଇ ମିନିଟ୍‌ରେ ଚାରିଆଡ଼ ପୂରା ଅନ୍ଧାର ହୋଇଯିବ ।

 

ସବୁ ଜିନିଷ ବୁଝିବାକୁ ମୋତେ ବେଶୀ ସମୟ ଲାଗିଲା ନାହିଁ; ଖୁବ୍‍ଶୀଘ୍ର ମୋ ମନକୁ ସବୁ କଥା ହଠାତ୍ ଆସିଗଲା; ବିନା ଚେଷ୍ଟାରେ, ସତେ ଯେପରି ଏହା କୋଉଠି ଲୁଚି ରହିଥିଲା କେବଳ ମୋ ଉପରେ ଅକସ୍ମାତ ଝାମ୍ପ ମାରିବାକୁ । ଆଉ ପ୍ରକୃତରେ ବି ଯେତେବେଳେ ମୁଁ ଅଚେତନ ଥିଲି ମୋ ସ୍ମୃତିରେ ଗୋଟାଏ କଥା ଯେପରି ସବୁବେଳେ ସତେଜ ରହିଥିଲା, ଅଭୁଲା କଥାଟି ପରି, ଆଉ ଏହାରି ଚାରିପଟେ ହିଁ ମୋର ସ୍ୱପ୍ନମାନ କୁହେଳି ପରି ଘୁରି ବୁଲୁଥିଲା । କିନ୍ତୁ ଆଶ୍ଚର୍ଯ୍ୟର କଥା, ସେଦିନ ମୋ ଉପରେ ଯାହା ସବୁ ବିତିଯାଇଥିଲା, ଏବେ ଉଠିଲା ପରେ ଲାଗିଲା, ଯେପରି ତାହା କେଉଁ ଦୂର ଅତୀତରେ କେବେ ଘଟିଥିଲା, ଯେପରି ସେ ସବୁକୁ ବହୁତ, ବହୁତ ଦିନ ତଳେ ମୁଁ ଭୋଗି ଥିଲି ।

 

ମୋ ମୁଣ୍ଡ ଭିତରଟା ଯେମିତି ଖାଲି ଧୂଆଁରେ ପୂରି ଯାଇଥିଲା । କ’ଣ ଗୋଟାଏ ମୋ ଉପରେ ଘୁରିଲା ପରି ଲାଗୁଥିଲା, ମୋତେ ଉତ୍ତେଜିତ କରୁଥିଲା, ମୋତେ ଚମକାଇ ଦେଉଥିଲା, ଆଉ ମୋତେ ଭାରି ଅଶାନ୍ତ ଲାଗୁଥିଲା । ପୁଣି ମୋ ଭିତରେ ଭୟଙ୍କର ଅସହାୟତା ଓ ନ୍ୟୂନତା ଜମାଟ ବାନ୍ଧିଗଲା ପରି ଲାଗିଲା ଆଉ ସେସବୁ ବାହାରି ଆସିବାକୁ ବାଟ ଖୋଜୁଥିବା ପରି ମନେହେଲା । ହଠାତ୍ ମୁଁ ଦେଖିଲି ମୋ କଡ଼ରେ ଦୁଇଟି ବିସ୍ଫାରିତ ନୟନ ମୋତେ ଖୁବ୍ ତନ୍ନ ତନ୍ନ କରି ପରୀକ୍ଷା କରୁଛି ଜିଜ୍ଞାସାରେ, ନଛୋଡ଼ବନ୍ଧା ହୋଇ । ମୋ ଆଖିର ଚାହାଣୀ ଥିଲା ଶୀତଳ, ଅସଂପୃକ୍ତ ଓ ଗମ୍ଭୀର-ସେ ଯେମିତି ବହୁତ ଦୂରରେ ଥିଲା; ଏହାର ଓଜନ ମୋ ଉପରେ ଆହୁରି ମାଡ଼ି ପଡ଼ିଲା ପରି ଲାଗିଲା ।

 

ଗୋଟାଏ ଉଦାସ ବେଦନା ମୋ ଦେହସାରା ଚରିଗଲା, ଗୋଟାଏ ଭୟଙ୍କର ଶିହରଣ ପରି, ଗୋଟାଏ ଓଦା, ଅନ୍ଧାରୁଆ ଆଟୁ ଘର ଭିତରେ ପଶିଲାବେଳକୁ ଯେମିତି ଲାଗେ, ସେଇମିତି ମତେ ଲାଗିଲା । ତାର ଦୁଇ ଆଖିରେ କିଛିଟା ଅସ୍ୱାଭାବିକତା ବି ଥିଲା ଆଉ ତାହା ଏବେ କେବଳ ମୋତେ ହିଁ ଦେଖିବାକୁ ଆରମ୍ଭ କରିଥିଲା । ମୁଁ ବି ମନେପକେଇଲି ଯେ, ଏଇ ଦୁଇଘଣ୍ଟା ଭିତରେ ମୁଁ ଏ ଜୀବଟିକୁ ପଦେ ବି କଥା କହି ନଥିଲି ଆଉ ପ୍ରକୃତରେ ଏହାକୁ ଗୋଟାଏ ସଂପୂର୍ଣ୍ଣ ବାହ୍ୟବସ୍ତୁ ପରି ଉପରଠାଉରିଆ ଭାବରେ ବିଚାରି ଥିଲି; ଫଳରେ, ଏ ନିରବତା କେତେ କାରଣ ଯୋଗୁ ମୋତେ ତୃପ୍ତ ବି କରିଥିଲା । ଏବେ ହଠାତ୍ ସ୍ପଷ୍ଟ ଭାବରେ ମୋର ସେଇ ହୀନ କୁତ୍ସିତ ଧାରଣାଟିକୁ ମୁଁ ଜାଣି ପାରିଲି, ବୁଢ଼ିଆଣୀ ଜାଲ ପରି ବିରକ୍ତିକର ଏ ଧାରଣା ଥିଲା ପାପର-ଯାହା ବିନା ପ୍ରେମରେ ସ୍ଥୂଳ ଭାବରେ ଓ ନିର୍ଲଜ୍ଜ ଭାବରେ ଆରମ୍ଭ ହୁଏ ତାହାରି ସହିତ, ଯାହା ଭିତରେ ପ୍ରକୃତ ପ୍ରେମ ଖୋଜେ ତାର ନିର୍ବାଣ । ଦୀର୍ଘ ସମୟ ଧରି ଆମେ ପରସ୍ପରକୁ ଚାହିଁ ରହିଲୁ, କିନ୍ତୁ ସେ ତାର ଆଖିପତା ମୋ ଆଗରୁ ପକାଇଲା ନାହିଁ କିମ୍ବା ତାର ଚାହାଣୀର ଭଂଗୀ ବଦଳି ନଥିଲା, ତେଣୁ ଶେଷରେ ମୁଁ ହିଁ ଅଶ୍ୱସ୍ତି ଅନୁଭବ କଲି ।

 

“ତୁମ ନାଁ କ’ଣ?” ଏ ସବୁରେ ପୂର୍ଣ୍ଣଚ୍ଛେଦ ଟାଣିବାକୁ ମୁଁ ପଚାରିଲି ।

 

“ଲିଜା’, ସେ ଫୁସ୍‌ଫୁସ୍ ସ୍ୱରରେ ଉତ୍ତର ଦେଲା, ହେଲେ କେମିତି ଗୋଟାଏ ଆଭିଜାତ୍ୟଠାରୁ ବହୁ ଦୂରରେ ଥିଲା ପରି କହି ଦେଇ ସେ ତାର ଆଖି ବୁଲାଇ ନେଲା ।

 

ମୁଁ ଥିଲି ନିରବ ।

“କି ପାଗ ! ବରଫ... ଓଃ ଭୀଷଣ ବିରକ୍ତିକର ।” ପ୍ରାୟ ନିଜକୁ ନିଜେ କହିଲା ପରି ମୁଁ କହିଲି ଆଉ ଅଳସୁଆଙ୍କ ପରି ଡେଣାକୁ ମୁଣ୍ଡତଳେ ଦେଇ, ଛାତକୁ ଦେଖି ଲାଗିଲି ।

ସେ କିଛି ଉତ୍ତର ଦେଲା ନାହିଁ, ମୁଁ ଡରିଗଲି ।

“ତୁମେ ସବୁବେଳେ ପିଟର୍ସବର୍ଗରେ ଥାଅ?’’ ମିନିଟିଏ ପରେ ମୁଁ ପଚାରିଲି, ରାଗରେ ମୁଣ୍ଡକୁ ତା’ଆଡ଼କୁ ଟିକିଏ ବୁଲେଇ ଦେଲି ।

“ନାଁ ।”

“କୋଉଠୁ ଆସିଚ ତୁମେ?”

“ରିଗାରୁ”, ଅନିଚ୍ଛାସତ୍ୱେ ସେ ଉତ୍ତର ଦେଲା ।

“ତୁମେ କ’ଣ ଜର୍ମାନ?’’

“ନା, ରଷିଆନ୍ ।”

“ତୁମେ ଏଠି କ’ଣ ବହୁତ ଦିନ ରହିଲଣି?”

“କୋଉଠି?’’

“ଏଇ ଘରେ?’’

“ପନ୍ଦର ଦିନ ।’’

ଅଧକରୁ ଅଧିକ ଅନିୟମିତ ଭାବରେ ଧକେଇ ଧକେଇ ସେ କହୁଥିଲା, ମହମବତୀଟି ଲିଭିଗଲା; ମୁଁ ତା ମୁହଁ ଆଉ ଦେଖି ପାରିଲି ନାହିଁ ।

“ତୁମର ବାପା-ମା’ ଅଛନ୍ତି?”

“ହଁ... ନା... ଅଛନ୍ତି ।’’

“କୋଉଠି ସେମାନେ?”

ସେଇଠି... ରିଗାରେ ।”

“ସେମାନେ କିଏ, କ’ଣ କରନ୍ତି?’’

“ଓଃ କେହି ନୁହନ୍ତି, କିଛି ନୁହନ୍ତି ।”

“ତା କେମିତି ସମ୍ଭବ? କିଏ ସେମାନେ? କି ପ୍ରକାର ଲୋକ?”

“ବେପାରୀ ଲୋକ ।”

“ତୁମେ ସେମାନଙ୍କ ସାଂଗେ ସବୁବେଳେ ରହି ଆସିଛ?’’

“ହଁ ।’’

“କେତେ ବର୍ଷ ତୁମକୁ?’’

“କୋଡ଼ିଏ ।’’

“ସେମାନଙ୍କୁ କାହିଁକି ଛାଡ଼ି ଆସିଲ?’’

“ଓଃ, କିଛି କାରଣ ନଥିଲା ।”

 

ତା ଉତ୍ତରର ଅର୍ଥ ଥିଲା, “ମୋତେ ଏକୁଟିଆ ରହିବାକୁ ଦିଅ । ମତେ ବାନ୍ତି ଲାଗୁଛି, ମତେ ଦୁଃଖ ଲାଗୁଛି, ମତେ ଏକୁଟିଆ ଛାଡ଼ିଦିଅ, ମତେ କିଛି ପଚାରନି ।”

 

ଆମେ ନିରବ ଥିଲୁ ।

 

ଭଗବାନଙ୍କୁ ହିଁ ଗୋଚର କାହିଁକି ମୁଁ ସେଠୁ ସେଇ ମୁହୂର୍ତ୍ତରେ ପଳାଇ ଆସିଲି ନାହିଁ । ଅଧିକରୁ ଅଧିକ ରୁଗ୍‌ଣ ଓ ନିର୍ବୋଧ ପରି ଲାଗୁଥିଲା ମୋତେ । ଅନିଚ୍ଛା ସତ୍ୱେ ଗତଦିନର କେତେ ପ୍ରତିଛବି ଆପେ ଆପେ ବାହାରି ମୋ ସ୍ମୃତି ଭିତରକୁ ଗୋଳିଆମିଶା ହୋଇ ପଶି ଆସିଲା । ହଠାତ ସେଇଦିନ ସକାଳେ ତରତର ହୋଇ ଅଫିସକୁ ଚିନ୍ତିତ ମନରେ ଯାଉଥିଲାବେଳେ ଦେଖିଥିବା ଗୋଟାଏ ଜିନିଷ ମୋର ମନେପଡ଼ିଗଲା ।

 

“ଗତକାଲି ସେମାନେ ଗୋଟାଏ କଫିନ ବୋହି ନେଉଥିବାର ମୁଁ ଦେଖିଥିଲି ଆଉ ସେମାନେ ଏହାକୁ ପ୍ରାୟ ପକେଇ ଦେଇଥାନ୍ତେ,” ବଡ଼ ପାଟିରେ ହଠାତ ଏତକ ମୁଁ କହିପକାଇଲି, ମୁଁ ଏକଥା କହିବାକୁ ଚାହୁଁ ନଥିଲି, ହେଲେ ହଠାତ୍ ପାଟିରୁ ବାହାରି ଆସିଲା ।

 

“ଗୋଟାଏ କଫିନ୍‌?”

“ହଁ, ହେ’ ମାର୍କେଟ ଅଂଚଳରେ, ସେମାନେ ଏହାକୁ ଗୋଟାଏ ଆଟୁଘରୁ ବାହାର କରି ଆଣୁଥିଲେ ।”

“ଆଟୁ ଘରୁ?’’

 

“ନା, ଆଟୁଘରୁ ନୁହଁ, ମାଟିତଳ ବେସ୍‌ମେଣ୍ଟ ଘରୁ । ଓଃ, ତୁମେ ଜାଣିଛ-ସବାତଳେ ଯେଉଁ ଘର ଥାଏ-ଗୋଟାଏ ବଦନାମ ଗଳି ଘରୁ । ଚାରିପଟ ଏହାର ଭାରି ଅପରିଷ୍କାର ଥିଲା...ଅଣ୍ଡା ଖୋଳ, ଛିଣ୍ଡା କାଗଜ-ଗୋଟାଏ ଦୁର୍ଗନ୍ଧ । ଭାରି ଘୃଣ୍ୟ ।”

ନିରବତା ।

“ଶେଷକୃତ୍ୟପାଇଁ ଏଇଟା ଗୋଟାଏ ଦୁର୍ଦ୍ଦିନ ଥିଲା,” ନିରବତାରୁ ରକ୍ଷା ପାଇବାକୁ ମୁଁ ଖାଲି ଖାଲି କହି ପକାଇଲି ।

“ଦୁର୍ଦ୍ଦିନ କେମିତି?”

 

“ବରଫ, ଓଦା ।” (ମୁଁ ହାଇ ମାରିଲି)

 

“କିଛି ଫରକ ପଡ଼େନି ଏଥିରେ,’’ ଟିକିଏ ରହିଯାଇ ହଠାତ୍ ସେ ବେଶ୍ ଜୋର୍‌ରେ କହିଲା ।

 

“ନା, ଏଇଟା ଭାରି ଭୟଙ୍କର ।” (ପୁଣି ହାଇ ମାରିଲି) “କବର ଖୋଳାଳୀମାନେ ବରଫରେ ଓଦା ହୋଇ ନିଶ୍ଚୟ ଗାଳି କରୁଥିବେ । ଆଉ ତା ଛଡ଼ା ସମାଧିରେ ପାଣି ନିଶ୍ଚୟ ଜମି ଯାଇଥିବ ।’’

 

“ସମାଧିରେ ପାଣି କାହିଁକି?’’ ଟିକିଏ ଜିଜ୍ଞାସୁ ହୋଇ ସେ ପଚାରିଲା, ହେଲେ ଆଗ ଅପେକ୍ଷା ଆହୁରି କର୍କଶ ଓ ସଂକ୍ଷିପ୍ତ ଥିଲା ତା’ର ସ୍ୱର ।

 

ହଠାତ ମତେ ଲାଗିଲା ଯେମିତି ସେ ମୋତେ ଉସୁକାଉ ଥିଲା । ଭୀଷଣ ଚିଡ଼ା ଲାଗିଲା ମତେ ।

 

“କାଇଁ, ଫୁଟେ ତଳେ ତ ନିଶ୍ଚୟ ପାଣିଥିବ । ଭୋଲିକୋଭ୍ ଶ୍ମଶାନ ଘାଟରେ ତୁମେ ଗୋଟାଏ ଶୁଖିଲା କବର ତ ଖୋଳି ପାରିବନି ।”

 

“କାହିଁକି?’’

 

“କାହିଁକି? କାରଣ ସେ ଯାଗାଟା ସବୁବେଳେ ପାଣି ଭର୍ତ୍ତି ହୋଇଥାଏ । ଏଇଟା ଗୋଟାଏ ଏକଦମ ସନ୍ତସନ୍ତିଆ ଅଂଚଳ ଆଉ ନିଚ୍ଚା ବି । ତେଣୁ ସେମାନେ ସମସ୍ତଙ୍କୁ ପାଣିରେ ହିଁ ସମାଧି ଦିଅନ୍ତି, ଜାଣ, ମୁଁ ନିଜେ ଆଖିରେ ଏହାକୁ ଦେଖିଛି, ବହୁତ ଥର ।’’

 

(ମୁଁ ଥରେ ବି ଏହାକୁ ଦେଖିନି, ପ୍ରକୃତରେ ମୁଁ ଭେଲ୍‌କୋଭ୍ ଅଂଚଳକୁ କେବେ ଯାଇନି ବି, କେବଳ ଏହାର ଗପମାନ ଶୁଣିଛି ।)

 

ସେ ନିରବ ଥିଲା ।

 

“ତା ମାନେ ତୁମେ କହିବାକୁ ଚାହୁଁଛ ଯେ ତୁମେ କିମିତି ମରିବ ସେଥିକୁ ତୁମେ ଖାତିର କରନି?’’

 

“ହେଲେ ମୁଁ ମରିବି କାହିଁକି?’’ ଯେମିତି ଆତ୍ମରକ୍ଷା କରିବାକୁ ଚେଷ୍ଟା କରୁଥିଲା ସେଇମିତି ସ୍ୱରରେ କହିଲା ଝିଅଟି ।

 

“କାହିଁକି, ଦିନେ ତ ତୁମେ ନିଶ୍ଚୟ ମରିବ, ଆଉ ତୁମେ ମରିବ ଯେମିତି ସେ ମୃତା ସ୍ତ୍ରୀ ଲୋକଟି ମଲା । ସେ ବି ଥିଲା- ତୁମରି ଭଳି ଝିଅଟିଏ । ଅତ୍ୟଧିକ ବ୍ୟବହୃତ ହୋଇ ସେ ମଲା ।”

 

“ଗୋଟାଏ ଯୁବତୀ ହୋଇଥିଲେ ହସ୍‌ପିଟାଲରେ ମରିଥାନ୍ତା... ।” (ତା ମାନେ ଏକଥା ସବୁ ସେ ଆଗରୁ ଜାଣିଥିଲା; ସେ କହିଲା ‘ଯୁବତୀ’, କାହିଁ ‘ଝିଅ’ ବୋଲି ତ କହିଲାନି ।)

 

“ତା ମାଡ଼ାମ ପାଖରୁ ଆଣିଥିବା ଋଣରେ ସେ ବୁଡ଼ି ରହିଥିଲା,’’ ଏଇ କଥାବାର୍ତ୍ତାରେ ଅଧିକ ଉତ୍ତେଜିତ ହୋଇ ମୁଁ କହିଲି, “ସେଇଥିପାଇଁ ଶେଷଯାଏଁ ତା’ପାଇଁ ଅର୍ଥ ରୋଜଗାର କରିଲାଗିଥିଲା, ଯଦିଓ ଏହାଦ୍ୱାରା ସେ ବେମାର ହୋଇ ଯାଇଥିଲା । କେତେଜଣ ସ୍ଲେଜ ଡ୍ରାଇଭର ସେଠି ଠିଆ ହୋଇ ତା ବିଷୟରେ କେତେଜଣ ସୈନ୍ୟଙ୍କୁ ଏକଥା କହୁଥିଲେ । ନିଃସନ୍ଦେହରେ ସେ ସୈନ୍ୟମାନେ ତାକୁ ଭଲ କରି ଜାଣିଥିଲେ । ସେମାନେ ହସୁଥିଲେ ଆଉ ତା ସ୍ମୃତିରେ ମଦ୍ୟପାନ କରିବାକୁ ଗୋଟାଏ ପାନ୍ଥଶାଳାରେ ଏକାଠି ହେବାକୁ ଯାଉଥିଲେ ।

 

ଏଥିରୁ ଅଧିକାଂଶ ଥିଲା ମୋର ମନଗଢ଼ା । ନିରବତା ଛାଇଗଲା, ଗଭୀର ନିରବତା । ସେ ହଲଚଲ ବି ହେଉ ନଥିଲା ।

“ଆଉ କ’ଣ ଡାକ୍ତରଖାନାରେ ମରିବାଟା ଅଧିକ ଭଲ?’’

“ଏହା ବି କ’ଣ ସେଇ ଏକା କଥା ନୁହେଁ? ତା ଛଡ଼ା ମୁଁ ବା ମରିବି କାହିଁକି?’’ ଚିଡ୍‌ଚିଡା ସ୍ୱରରେ ସେ ପୁଣି କହିଲା ।

“ଏବେ ନ ହେଲେ ବି ଟିକିଏ ପରେ ।”

 

“ଠିକ ଅଛି, ତା ହେଲେ ପରେ ।”

 

“ଖୁବ୍‍ଶୀଘ୍ର । ଏବେ ତୁମେ କିଶୋରୀ, ସୁନ୍ଦରୀ, ସତେଜ ଅଛ ଆଉ ତୁମେ ବହୁତ ଦାମ ବି ପାଉଛ । କିନ୍ତୁ ଏଭଳି ଜୀବନର ଆଉ ବର୍ଷଟିଏ ପରେ ତୁମେ ବହୁତ ଭିନ୍ନ ହୋଇଯିବ- ତୁମେ ଉପରକୁ ଚାଲିଯିବ ।”

 

“ଗୋଟାଏ ବର୍ଷରେ?”

“ଯାହା ହେଲେ ବି ଗୋଟାଏ ବର୍ଷରେ ତୁମେ ମୂଲ୍ୟହୀନ, ଅଚଳ ହୋଇଯିବ ।” ମୁଁ ପ୍ରତିଶୋଧ ନେଲା ପରି ସ୍ୱରରେ କହିଲି, ଏଠାରୁ ତୁମେ ଆଉ କୋଉ ନିମ୍ନତର କୋଠିକୁ ଚାଲିଯିବ, ବର୍ଷେ ପରେ ତୃତୀୟକୁ, ତଳକୁ ତଳକୁ ଆଉ ସାତବର୍ଷରେ ତୁମେ ଆସି ସାରିଥିବ ହେ’ ମାର୍କେଟର ତଳ ଘରକୁ, ବେସ୍‌ମେଣ୍ଟକୁ । ଏହା ହେବ, ଯଦି ତୁମେ ଖୁବ୍ ଭାଗ୍ୟବତୀ ଥିବ । କିନ୍ତୁ ଯଦି କିଛି ରୋଗ ଧରିନେଲା ତା ହେଲେ, ଅବସ୍ଥା ତୁମର ବହୁତ ଖରାପ ହେବ, ଯେମିତି ଧର ଯକ୍ଷ୍ମା... ନିମୋନିଆ କିମ୍ବା ସେମିତି କିଛି, ବା ଆଉକିଛି । ତୁମ ଜୀବନ ଧାରାରେ ଜଣେ ରୋଗରୁ ମୁକୁଳିବା ସହଜ ନୁହେଁ । ଯଦି ତୁମକୁ ଆଉକିଛି ରୋଗ ଧରିଲା ସେଥିରୁ ତୁମେ ମୁକ୍ତି ପାଇ ନପାର । ଏଣୁ ତୁମେ ମରିବ ।’’

 

“ଓଃ, ହେଲା ଏବେ ମୁଁ ମରିବି ।’’ ସେ ପୂରାପୂରି ହିଂସ୍ର ଭାବରେ ଏଥର ଉତ୍ତର ଦେଲା ଆଉ ଚଟକିନା ବୁଲି ପଡ଼ିଲା ।

“ତୁମକୁ ଦୁଃଖ ଲାଗୁନି?”

“ଦୁଃଖ କ’ଣ ପାଇଁ?”

“ଦୁଃଖ ଯେ ଜୀବନଟା ସରିଗଲା ।”

ନିରବତା -

“ତୁମର କେବେ ବାହାଘର ବା ନିର୍ବନ୍ଧ ବା ସେହିପରି କିଛି ଠିକ ହୋଇଥିଲା?

“ସେଥିରେ ତୁମର କ’ଣ ଅଛି?”

 

“ଓଃ, ମୁଁ ତୁମକୁ ପ୍ରଶ୍ନ ପଚାରୁନି । ଏଥିରେ ମୋର କିଛି ଲାଭ ନାହିଁ । ତୁମେ ଏତେ ରାଗୁଛ କାହିଁକି? ଅବଶ୍ୟ ତୁମର କିଛି ନିଜର ସମସ୍ୟା ବି ଥାଇପାରେ । ସେଥିରେ ମୋର କ’ଣ ଅଛି? କଥା କେବଳ ଏତିକି ଯେ ମୋତେ ଦୁଃଖ ଲାଗିଲା ।”

 

“ଦୁଃଖ କାହାପାଇଁ?”

“ଦୁଃଖ ତୁମପାଇଁ ।”

 

“ଦରକାର ନାହିଁ ।’’ ସେ ଏମିତି ଗୁଣୁଗୁଣୁ ହୋଇ କହିଲା ଯେ ତା ସ୍ୱର ଆଦୌ ଶୁଭୁ ନଥିଲା-। ପୁଣି ଥରେ ସେ ଟିକିଏ ହଲଚଲ ହେଲା ।

 

ଏଥର ମୁଁ ରାଗିଗଲି । କ’ଣ ! ମୁଁ ତାକୁ ଭଲ ହେଉଛି, ଅଥଚ ସେ...

“କାହିଁକି ତୁମେ ଭାବୁଛ ଯେ ତୁମେ ଠିକ୍ ବାଟରେ ଅଛ ବୋଲି?”

“ମୁଁ କିଛି ଭାବୁ ନାହିଁ ।’’

“ସେଇଟା ହିଁ ତ ଭୁଲ, ଯେ ତୁମେ ଭାବ ନାହିଁ । ଯେତେବେଳେ ତଥାପି ସମୟ ଅଛି ସେତିକିବେଳେ ବୁଝିବାକୁ ଚେଷ୍ଟା କର । ତଥାପି ବି ସମୟ ଅଛି । ତୁମର ବୟସ ତଥାପି କମ, ତୁମେ ସୁନ୍ଦର; ତୁମେ ପ୍ରେମ ବି କରିପାର, ବାହା ହୋଇଯାଅ, ଖୁସିରେ ରୁହ... ।”

 

“ସବୁ ବିବାହିତା ସ୍ତ୍ରୀ ତ ସୁଖୀ ନୁହଁନ୍ତି;’’ ସେ ତାର ପ୍ରଥମେ ବ୍ୟବହାର କରିଥିବା କଠୋର, ସଂକ୍ଷିପ୍ତ ସ୍ୱରରେ ଜବାବ ଦେଲା ।

 

“ସମସ୍ତେ ନୁହଁନ୍ତି ଅବଶ୍ୟ, ତେବେ ସେ ଯାହା ହେଉ, ଏଠାର ଜୀବନଠାରୁ ବହୁ ଗୁଣରେ ଭଲ, ହଜାର ଗୁଣରେ ଭଲ । ତା ଛଡ଼ା, ପ୍ରେମ ସହିତ ଜଣେ ବେଶ୍ ବଞ୍ଚିପାରେ ସୁଖ ନଥିଲେ ବି । ଏପରିକି ଦୁଃଖ ଭିତରେ ବି ଜୀବନ ମଧୁର ହୋଇପାରେ; ଜୀବନ ତ ମଧୁର, ଜଣେ ଯେମିତି ବଞ୍ଚୁ ପଛେ । କିନ୍ତୁ ଏଠି ଅଛି କ’ଣ... କେବଳ ଦୁର୍ଗନ୍ଧ, ଛି !’’

 

ବିରକ୍ତିରେ ମୁଁ ବୁଲି ପଡ଼ିଲି; ଆଉ ମୁଁ କେବଳ ଅର୍ଥହୀନ, ଶୀତଳ ତର୍କ କରୁ ନଥିଲି । ଯାହା ମୁଁ କହୁଥିଲି ସେ ସବୁ ମୁଁ ଧୀରେ ଧୀରେ ଅନୁଭବ କରିବାକୁ ଆରମ୍ଭ କରିଥିଲି ଓ ପ୍ରସଂଗଟି ଧୀରେ ଉଷ୍ମ ହୋଇ ଆସୁଥିଲା । ମୋ ମାଟିତଳ ଭାଡ଼ିଟି କୋଣରେ ମୁଁ ଯୋଉ ଯୋଉ ଅନ୍ତରଂଗ ଇଚ୍ଛାମାନଙ୍କ ବିଷୟରେ ଭାବି ମୋର ଦିନମାନ କଟାଇ ଦେଉଥିଲି, ସେଇଗୁଡ଼ିକୁ ବିସ୍ତାରିତ କରିବାକୁ ମୋର ମନ ହେଉଥିଲା । ହଠାତ୍ କିଛି ଗୋଟାଏ ମୋ ଭିତରେ ଜଳି ଉଠିଲା । ମୋ ସାମ୍ନାରେ ଯେମିତି ଗୋଟାଏ ବସ୍ତୁର ଆବିର୍ଭାବ ହୋଇ ଯାଇଥିଲା ।

 

“ଏଠି ମୋର ଉପସ୍ଥିତିକୁ ଦେଖି ତୁମର କିଛି ଭାବିବା ଦରକାର ନାହିଁ । ମୁଁ ତୁମପାଇଁ ଗୋଟାଏ ଭଲ ଉଦାହରଣ ନୁହେଁ । ସମ୍ଭବତଃ ତୁମଠାରୁ ବେଶୀ ଖରାପ ମୁଁ । ଅବଶ୍ୟ ଏଠାକୁ ଆସିଲାବେଳକୁ ମୁଁ ମାତାଲ ଥିଲି,” ତରତର ହୋଇ ଆତ୍ମରକ୍ଷା କରିବାକୁ ଏତକ ମୁଁ କହି ପକାଇଲି-। “ତା ଛଡ଼ା ଗୋଟାଏ ପୁରୁଷ ଆଦୌ ଗୋଟେ ମାପକାଠି ନୁହେଁ ସ୍ତ୍ରୀ ଲୋକପାଇଁ । ଏହା ଗୋଟାଏ ଭିନ୍ନ କଥା । ମୁଁ ନିଜକୁ ଅଧଃପତିତ, ଅପଭ୍ରଷ୍ଟ, ଅପବ୍ୟୟ କରିପାରେ । କିନ୍ତୁ ମୁଁ କାହାର ଦାସ ନୁହେଁ, ଭୃତ୍ୟ ନୁହେଁ ।

 

“ମୁଁ ଆସେ ଏବଂ ଯାଏ, ବାସ୍ ସେଇଠି ତାହା ଶେଷ ହୋଇଯାଏ । ମୁଁ ଏହାକୁ ଧୂଳି ଝାଡ଼ିଲା ପରି ଝାଡ଼ି ଦିଏ ଏବଂ ବନିଯାଏ ଗୋଟାଏ ଭିନ୍ନ ମଣିଷ । ହେଲେ ତୁମେ ତ ଆରମ୍ଭରୁ ହୋଇଯାଅ ଗୋଟାଏ ଦାସୀ, ହଁ ଗୋଟିଏ ଦାସୀ ! ତୁମେ ସବୁ ତ୍ୟାଗ କର, ଏପରିକି ତୁମର ସ୍ୱାଧୀନତା । ପରେ ଯଦି ତୁମେ ତୁମର ଏଇ ଶିକୁଳିକୁ ଛିଣ୍ଡାଇବାକୁ ଚେଷ୍ଟା କର, ତାହା କରିବାକୁ ସମର୍ଥ ହେବ ନାହିଁ; ଅଧିକରୁ ଅଧିକ ଗଣ୍ଠି ପଡ଼ି ତୁମେ ବାନ୍ଧି ହୋଇଯିବ ଆହୁରି ଜୋର୍‌ରେ । ଏହା ଗୋଟିଏ ଅଭିଶପ୍ତ ବନ୍ଧନ । ମୁଁ ଏହାକୁ ଜାଣେ । ଆଉ ଅନ୍ୟ ଉଦାହରଣ ମୁଁ ଦେଉ ନାହିଁ, ହୁଏତ ତୁମେ ବୁଝିବ ନାହିଁ; କିନ୍ତୁ ମୋତେ କୁହ, ତୁମେ ତୁମ ମ୍ୟାଡ଼ାମଙ୍କ ପାଖରେ ଋଣବନ୍ଦୀ ହୋଇ ରହିଛ ନିଶ୍ଚୟ? ଏଇ କଥାଟାକୁ ଦେଖ’’, ମୁଁ କହି ଚାଲିଥିଲି, ସେ ଅବଶ୍ୟ କିଛି ଉତ୍ତର ଦେଉ ନଥିଲା, କିନ୍ତୁ ନିରବରେ ଶୁଣୁଥିଲା ସଂପୂର୍ଣ୍ଣ ଆଚ୍ଛନ୍ନ ହୋଇ, “ତାହା ହିଁ ତୁମ ବନ୍ଧନ । ତୁମେ କେବେ ବି ତୁମର ମୁକ୍ତି କିଣି ପାରିବ ନାହିଁ । ସେମାନେ ଦେଖିବେ ଯେପରି ଏଥିରୁ ତୁମେ ମୁକୁଳି ନ ପାରିବ । ଏହା ତୁମର ଆତ୍ମାକୁ ସଇତାନକୁ ବିକି ଦେଲା ପରି... ଆଉ ତା ଛଡ଼ା... ବୋଧେ ମୁଁ ବି ତୁମରି ପରି ହତଭାଗା- କିମିତି ତୁମେ ସବୁ ଜାଣିଥାଅ ଆଉ ଜାଣି ଜାଣି ପଶିଯାଅ ପଙ୍କ ଭିତରେ? ଆଉ ପଙ୍କ ଭିତରେ ପଶିବାର ଯନ୍ତ୍ରଣା ଯୋଗୁ-ଦୟନୀୟ ଅବସ୍ଥା... ଦୟନୀୟ ଯନ୍ତ୍ରଣା ଯୋଗୁ? ତୁମେ ଜାଣ, ପୁରୁଷମାନେ ଦୁଃଖରୁ ମଦକୁ ବରଣ କରନ୍ତି । ଦେଖ, ହୁଏ ତ ମୁଁ ବି ଏଠି ଦୁଃଖ ଯୋଗୁ ହିଁ ଅଛି । ମୋତେ କୁହ, ଏଠି କ’ଣ ବା ଭଲ ଅଛି? ଏଠି ତୁମେ ଆଉ ମୁଁ-ଏକାଠି ଆସିଲେ-ବସିଲେ-ଏବେ ଦେଖ ଏତେବେଳଯାଏ ପଦେ ବି କଥା କହି ନାହେଁ ପରସ୍ପର ସାଥିରେ, ଆଉ ଦୀର୍ଘ ସମୟ ପରେ ହିଁ କେବଳ ତୁମେ ଗୋଟାଏ ଜଂଗଲୀ ଜୀବ ପରି ମୋତେ ଜଳଜଳ କରି ଅନାଇବାକୁ ଆରମ୍ଭ କଲ, ଆଉ ମୁଁ ତୁମକୁ ଅନେଇଲି । ସେଇଟା କ’ଣ ଭଲ ପାଇବା? ଏଇମିତି କ’ଣ ଗୋଟାଏ ମଣିଷ ଆଉ ଗୋଟାଏ ମଣିଷକୁ ଭେଟିବା ଉଚିତ? ଏହା ଘୃଣ୍ୟ, ହଁ ହଁ ସେୟା ଇୟେ !”

 

“ହଁ!” ସେ ସାଂଗେ ସାଂଗେ ତରତର ହୋଇ ତାର ସମ୍ମତି ଜଣାଇଲା ।

 

ମୁଁ ନିଶ୍ଚୟ ଆଶ୍ଚର୍ଯ୍ୟ ହୋଇଗଲି ତାର ଏଇ ‘ହଁ’ର ଆବେଗ ଓ ତୀକ୍ଷ୍ମତାରେ । ତା ହେଲେ ସେଇ ଏକା ଭାବନା ତା ମନ ଭିତରେ ବି ବିକ୍ଷିପ୍ତଭାବେ ଏପଟ ସେପଟ ହୋଇ ଚାଲିଥିଲା ସେତେବେଳେ, ଯେତେବେଳେ ୟା ଆଗରୁ ସେ ମୋତେ ମଟମଟ କରି ଅନାଇଥିଲା । ତା ହେଲେ, ସେ ବି କେତେ ନିର୍ଦ୍ଦିଷ୍ଟ ଭାବନା ଭାବିବାକୁ ସମର୍ଥ?

 

‘ଆଉ ସବୁ ଚୁଲିକୁ ଯାଉ, ଏଇଟା ହିଁ ତ ସବୁଠୁ ଭଲ କଥା, ଏଇତ ହେଉଛି ଆତ୍ମୀୟତା ।’ ଦୁଇ ହାତକୁ ମଳି ମଳି ମୁଁ ଭାବିଲି । ଆଉ ବି ତା’ପରି ଗୋଟାଏ ଅଳ୍ପ ବୟସର କୋମଳ ଆତ୍ମାକୁ ଅକ୍ତିଆର କରିବା ଥିଲା ଅତି ସହଜ ବ୍ୟାପାର । ଅନ୍ୟର ଆତ୍ମାକୁ ଅକ୍ତିଆର କରିବାର ଏଇ ଖେଳ ହିଁ ମୋତେ ଏବେ ସବୁଠାରୁ ବେଶୀ ଆକର୍ଷିତ କରୁଥିଲା ।

 

ସେ ତା ମୁଣ୍ଡଟିକୁ ମୋ ପାଖକୁ ଟିକେ ବୁଲେଇ ଆଣିଲା, ଆଉ ସେଇ ଅନ୍ଧାରରେ ମତେ ଲାଗିଲା ଯେପରି ତା ଡେଣା ଉପରେ ନିଜକୁ ସେ ଟିକେ ଉଠେଇ ଦେଇଥିଲା । ବୋଧେ ସେ ମୋତେ ନିରିଖେଇ ପରୀକ୍ଷା କରୁଥିଲା । ଆଉ ମୁଁ ଏତେ ହନ୍ତସନ୍ତ ହେଉଥିଲି ଭିତରେ ଭିତରେ ଯେ ତା ଆଖିକୁ ବି ଅନେଇ ପାରୁ ନଥିଲି । ତା’ର ଦୀର୍ଘଶ୍ୱାସ ମୁଁ ଶୁଣିଲି ।

 

“କାହିଁକି ତୁମେ ଏଠାକୁ ଆସିଛ?’’ ମୁଁ ତାକୁ ପଚାରିଲି, ମୋ ସ୍ୱରରେ ସେତେବେଳକୁ ଆସି ସାରିଥିଲା ଗୋଟେ ପ୍ରକାର ମୁରବୀର ଦୃଢ଼ତା ।

 

“ଓଃ, ମୁଁ ଜାଣେନି ।”

 

“କିନ୍ତୁ କେତେ ଭଲ ହୋଇଥାନ୍ତା ଯଦି ତୁମ ବାପାଙ୍କ ଘରେ ତୁମେ ରହିଥାନ୍ତ । ଏହା ମମତାରେ ଉଷ୍ମ, ସ୍ୱାଧୀନ; ପୁଣି ତୁମ ନିଜର ଘରଟିଏ ଥିବାର ମୁକ୍ତ ଭାବନାରେ ପରିପୂର୍ଣ୍ଣ ।”

 

“କିନ୍ତୁ ଏହାଠାରୁ ବି ଖରାପ ଯଦି ସେଇଟା ହୋଇଥାଏ ତେବେ?’’

 

‘ମୁଁ ଏଠି ଠିକ୍ ସ୍ୱର ବ୍ୟବହାର କରିବା ଉଚିତ,’ ମୋ ମନ ଭିତରେ ଚମକିଗଲା । ‘ଆବେଗ ପ୍ରକାଶ ହୁଏତ ମୋତେ ଏ ପରିସ୍ଥିତିରେ ବେଶୀ ବାଟ ନେଇ ପାରିବ ନାହିଁ ।’ ହେଲେ ଏହା ଥିଲା କେବଳ ଗୋଟାଏ ସାମୟିକ ଭାବନା । ସତ କହୁଛି, ସେ ପ୍ରକୃତରେ ସେତେବେଳକୁ ମୋ ଭିତରେ ଆଗ୍ରହ ସୃଷ୍ଟି କରିଆସୁଥିଲା । ତା ଛଡ଼ା, ମୁଁ କ୍ଳାନ୍ତ ହୋଇ ଯାଇଥିଲି ଆଉ ମନଟା ତ ମୋର ଥିଲା ସବୁବେଳେ ଏକବାଗିଆ । ପୁଣି ଭାବନା ସାଥିରେ ଧୂର୍ତ୍ତତା କେତେ ସହଜରେ ହାତ ଧରାଧରି ହୋଇ ଚାଲି ପାରନ୍ତି !

“କିଏ ମନା କରୁଛି !” ତରତର ହୋଇ ମୁଁ ଉତ୍ତର ଦେଲି । “କେତେ କଥା ଘଟିପାରେ । ମୁଁ ନିଶ୍ଚିତ ଯେ କେହି ଜଣେ ତୁମ ପ୍ରତି ଅନ୍ୟାୟ କରିଥିବ । ଘୋର ଅନ୍ୟାୟ, ଆଉ ସ୍ୱୟଂ ପାପଠାରୁ ଅଧିକ ପାପର ଶୀକାର ତୁମେ ବି ହୋଇଥାଇ ପାର । ଅବଶ୍ୟ ମୁଁ ତୁମ କାହାଣୀ ବିଷୟରେ କିଛି ଜାଣେ ନାହିଁ । କିନ୍ତୁ ତୁମ ଭଳି ଗୋଟାଏ ଝିଅ ଏଠାକୁ ମନକୁ ମନ ଆସିବ ଏହା କଦାପି ସମ୍ଭବ ନୁହେଁ...!”

 

“ମୋ ଭଳି ଗୋଟାଏ ଝିଅ?” ସେ ଫୁସ୍‌ଫୁସ୍ କରି କହିଲା, ନ ଶୁଣି ପାରିଲା ପରି, କିନ୍ତୁ ମୁଁ ଶୁଣି ପାରିଲି ।

 

ଏଃ, ଛାଡ଼ ଏସବୁ । ମୁଁ ତାକୁ ଖୋସାମତ କରୁଥିଲି । ଅତି ଭୟଙ୍କର କଥା । କିନ୍ତୁ ବୋଧହୁଏ ଏଇଟା ଥିଲା ଗୋଟାଏ ଭଲ କାମ... ସେ ନିରବ ଥିଲା ।

 

“ଦେଖ, ଲିଜା, ମୁଁ ମୋ ବିଷୟରେ ତୁମକୁ କିଛି କହୁଛି । ମୋର ଶୈଶବରୁ ଯଦି ଗୋଟାଏ ଘର ଥାଆନ୍ତା, ମୁଁ ଏବେ ଯାହା ହୋଇଛି ତା ହୋଇ ନଥାନ୍ତି । ଘରେ, ଯେତେ ଯାହା ବି ଖରାପ ହେଉ, ଯା ହେଲେ ବି ସେମାନେ ତୁମର ବାପା-ମାଆ, ଶତ୍ରୁ ନୁହଁନ୍ତି, ଅଜଣା ନୁହଁନ୍ତି । ଅତି କମ୍‌ରେ ବର୍ଷକରେ ଥରେ, ସେମାନେ ସେମାନଙ୍କର ତୁମ ପ୍ରତି ସ୍ନେହକୁ ଦେଖାଇବେ ତ? ଆଉ ବି, ତୁମେ ଜାଣିଲ ଯେ ତୁମେ ନିଜର ଘରେ ଅଛ । ମୁଁ ବଢ଼ିଛି ଗୋଟାଏ ବିନା ଘରରେ, ଆଉ ସେଇଥିପାଇଁ ବୋଧେ ମୁଁ ହୋଇଯାଇଛି ଏମିତି-ନିର୍ମମ ।”

 

ମୁଁ ପୁଣି ଅପେକ୍ଷା କଲି । “ବୋଧହୁଏ ସେ ବୁଝି ପାରୁନି,” ମୁଁ ଭାବିଲି, “ଆଉ, ପ୍ରକୃତରେ ବି ଏସବୁ ଅର୍ଥହୀନ- ଏସବୁ କେବଳ ନୀତିଶିକ୍ଷା ଦେବା ।”

 

“ମୁଁ ଯଦି ଗୋଟାଏ ବାପା ହୋଇଥାନ୍ତି ଆଉ ମୋର ଯଦି ଝିଅଟିଏ ଥାଆନ୍ତା, ତା ହେଲେ ମୁଁ ଭାବୁଛି ମୋର ଝିଅକୁ ପୁଅଠାରୁ ବେଶୀ ମୁଁ ଭଲ ପାଇଥାନ୍ତି, ସତରେ ।’’ “ସିଧାସଳଖ ମୁଁ ଆରମ୍ଭ କଲି, ଯେମିତି ଅନ୍ୟ ଗୋଟେ କୋଉ ବିଷୟରେ କହୁଥିଲି, କେବଳ ତା ମନକୁ ଅନ୍ୟଆଡ଼କୁ ଟାଣିବାକୁ ଏପରି ମୁଁ କରିଥିଲି, ଏହା ମାନୁଛି ।

 

ମୋ ମୁହଁ ଲାଲ ହୋଇଯାଇଥିଲା ।

“କାହିଁକି ସେମିତି କରିଥାନ୍ତ?’’ ସେ ପଚାରିଲା ।

ଆଃ, ସେ ତା ହେଲେ ଶୁଣୁଥିଲା ।

 

“ମୁଁ ଜାଣେନି ଲିଜା । ହେଲେ ଗୋଟାଏ ବାପାକୁ ମୁଁ ଜାଣେ ଯିଏ ଭାରି କଠୋର, ନୀତିବାଦୀ, ସଂସ୍କାରଗ୍ରସ୍ତ ଥିଲା, କିନ୍ତୁ ଝିଅ ପାଖରେ ଆଣ୍ଠେଇ କରି କଥା କହିବ, ତା ହାତକୁ ଚୁମା ଦେବ, ତା ପାଦକୁ, ସେ ଯେତେ ଯାହା କଲେ ବି ଝିଅପାଇଁ ଯଥେଷ୍ଟ କରି ପାରୁ ନଥିଲା ଯେମିତି । ପାର୍ଟିମାନଙ୍କରେ ଝିଅ ନାଚ କଲାବେଳେ ସେ ଏକଲୟରେ ପାଞ୍ଚଘଣ୍ଟା ଧରି ଠିଆ ହୋଇ, ଝିଅକୁ ଅନାଇଥିବ । ସେ ତାପାଇଁ ପାଗଳ ଥିଲା: ମୁଁ ବୁଝୁଛି । ଝିଅ ରାତିରେ କ୍ଳାନ୍ତ ହୋଇ ଶୋଇ ପଡ଼ିଥିବ ଆଉ ବାପା ତାକୁ ଉଠାଇ ଗେଲ କରି ତା ଉପରେ କାହା ନଜର ନ ପଡ଼ିବ ବୋଲି କ୍ରସ୍ ଚିହ୍ନ କରି ଦେବ । ସେ ନିଜେ ଗୋଟାଏ ଅପରିଚ୍ଛନ୍ନ କୋଟ ପିନ୍ଧି ବୁଲୁଥିବ, ସମସ୍ତଙ୍କ ପାଖରେ କଞ୍ଜୁସ୍ ବୋଲାଉଥିବ, କିନ୍ତୁ ଝିଅକୁ ଦାମୀ ଉପହାର ଦେଇ ସବୁ ତାପାଇଁ ଖର୍ଚ୍ଚ କରିଦେଉଥିବ, ଆଉ ଝିଅଟି ଯେତେବେଳେ ବାପା ଯାହା ଦେଇଥିବ ଦେଖି ଖୁସି ହେଉଥିବ, ସେଇ ଖୁସି ହିଁ ବାପର ସବୁ ଆନନ୍ଦଠୁ ବଳି ଆନନ୍ଦ ହେଉ ଥିବ । ବାପାମାନେ ସବୁବେଳେ ତାଙ୍କ ଝିଅକୁ ମାଆର ଭଲ ପାଇବାଠାରୁ ବେଶୀ ଭଲ ପାଆନ୍ତି । କେତେ ଝିଅ କି ବିପୁଳ ଖୁସିରେ ବାପା ଘରେ ରହନ୍ତି । ଆଉ ମୁଁ ଭାବୁଛି, ମୋ ଝିଅକୁ ମୁଁ କେବେ ବାହା ଦେଇ ନଥାନ୍ତି ।”

 

“ଆଉ ତା’ପରେ?’’ ସେ ଟିକିଏ ମୁରୁକି ହସି ପଚାରିଲା ।

“ମୁଁ ଈର୍ଷା କରିଥାନ୍ତି, ପ୍ରକୃତରେ କରିଥାନ୍ତି । ସେ ଆଉ ଜଣକୁ ଚୁମା ଦେବ ! ତା ବାପାଠୁ ଆଉ ଗୋଟେ ଅଜଣା ଲୋକକୁ ବେଶୀ ଭଲ ପାଇବ । ଏକଥା କଳ୍ପନା କରିବା ବି ଦୁଃଖଦାୟକ । ଅବଶ୍ୟ ଏସବୁ ମୂର୍ଖ କଥା, ଅବଶ୍ୟ ସବୁ ବାପା ଶେଷରେ ଯାହା କରିବା ଉଚିତ ତାହା କରନ୍ତି । କିନ୍ତୁ ମୁଁ ଭାବୁଛି, ତାକୁ ବାହା ଦେବା ପୂର୍ବରୁ ବ୍ୟସ୍ତ ହୋଇ ମୁଁ ନିଜେ ମରିଯାଇଥାନ୍ତି; ସବୁ ବରଙ୍କ ପାଖରେ ମୁଁ ବହୁତ ଦୋଷ ଦେଖିଥାନ୍ତି । କିନ୍ତୁ ଶେଷରେ ସେ ଯାହାକୁ ଭଲ ପାଇଥାନ୍ତା ତା’ରି ସାଥିରେ ତାକୁ ବାହା ଦେଇଥାନ୍ତି । ଜଣକୁ, ଯାହାକୁ ଝିଅ ଭଲପାଏ ସବୁବେଳେ ବାପ ଆଖିରେ ସେଇଟା ସଇତାନ ହୋଇଥାଏ, ଜାଣ? ସବୁବେଳେ ସେୟା ଘଟେ । ଯେତେସବୁ ପାରିବାରିକ ସମସ୍ୟା ସେଇଥିରୁ ଆସେ ।”

 

“କେତେଜଣ ଝିଅକୁ ସମ୍ମାନର ସହ ବାହାଦେବା ଅପେକ୍ଷା ବିକି ଦେବାକୁ ଭଲ ପାଆନ୍ତି ।”

ଓହୋ, କଥାଟା ତା ହେଲେ ଏଠି ଅଛି ।

 

“ଏଭଳି ଘଟଣା ଲିଜା, ସେଇ ଅଭିଶପ୍ତ ପରିବାରରେ ଘଟେ ଯେଉଁଠି ପ୍ରେମ ନଥାଏ କି ଭଗବାନ ନଥାନ୍ତି,” ମୁଁ ସ୍ନେହରେ କହିଲି, “ଆଉ ଯେଉଁଠି ଭଲ ପାଇବା ନଥାଏ, ସେଠି ହିତାହିତ ଜ୍ଞାନ ବି ନଥାଏ । ଏମିତି କେତେ ପରିବାର ଅଛନ୍ତି, ସତକଥା । ହେଲେ ସେମାନଙ୍କ କଥା ମୁଁ କହୁନାହିଁ । ଆଉ ତୁମେ ଯଦି ସେପରି କହୁଛ ତାହେଲେ ତୁମେ ତୁମ ପରିବାର ଭିତରେ ବହୁତ ସଇତାନୀ ନିଶ୍ଚୟ ଦେଖିଥିବ । ପ୍ରକୃତରେ ତୁମେ ଭାରି ହତଭାଗିନୀ ହୋଇଥିବ । ହୁଁ... ସେଭଳି ଘଟଣା ଘଟେ ପ୍ରାୟତଃ ଦାରିଦ୍ର‌୍ୟରୁ ।”

 

“ଆଉ କ’ଣ ଧନୀ ଭଦ୍ରଲୋକଙ୍କ ଘରେ ଏହା ଅଧିକ ଭଲ ଥାଏ? ଗରିବ ଲୋକଙ୍କ ଭିତରେ ବି ସାଧୁ ଲୋକମାନେ ତ ସୁଖରେ ବଞ୍ଚନ୍ତି?”

 

“ହୁଁ... ହଁ... । ବୋଧହୁଏ, ଆଉ ଗୋଟେ କଥା, ଲିଜା, ମଣିଷ ତାର ଦୁର୍ଭାଗ୍ୟକୁ ଗୋଟି ଗୋଟି କରି ଗଣିବାକୁ ଭଲ ପାଏ, କିନ୍ତୁ ସୁଖକୁ ଗଣେ ନାହିଁ । ଯେମିତି ସେ ସବୁକୁ ଗଣିବା ଉଚିତ ସେମିତି ଯଦି ସୁଖକୁ ଗଣୁଥାନ୍ତା, ସେ ଦେଖିପାରନ୍ତା ଯେ ସବୁଥିରେ ଯେଥେଷ୍ଟ ସୁଖ ବି ତାପାଇଁ ଗଚ୍ଛିତ ଅଛି । ଆଉ ପରିବାର ଭିତରେ ସବୁ ଯଦି ଭଲ ଚାଲିଲା, ଯଦି ଭଗବାନଙ୍କ ଆଶୀର୍ବାଦ ଅଛି, ସ୍ୱାମୀ ଗୋଟାଏ ଭଲ ମଣିଷ, ତୁମକୁ ଭଲ ପାଏ, ପୂଜାକରେ, କେବେ ତୁମକୁ ଛାଡ଼ି ଯାଏ ନାହିଁ ତା ହେଲେ? ଏଇଭଳି ପରିବାରରେ ସୁଖ ଭରା ଥାଏ ।ବେଳେବେଳେ ଗଭୀର ଦୁଃଖ ଭିତରେ ବି ସୁଖ ଥାଏ; ଆଉ ପ୍ରକୃତରେ ଦୁଃଖ ସବୁଠି ଅଛି । ଯଦି ତୁମେ ବାହା ହୁଅ ତା ହେଲେ ସେସବୁ ଦେଖି ପାରିବ । କିନ୍ତୁ ତୁମେ ଭଲ ପାଉଥିବା ଲୋକ ସହିତ ତୁମ ବିବାହର ପ୍ରଥମ ବର୍ଷଟି କଥା ଭାବିଲ: କି ସୁଖ, କି ସ୍ୱର୍ଗୀୟ ସୁଖ ସେଥିରେବେଳେବେଳେ ଥାଏ ! ପ୍ରକୃତରେ ଏହା ଗୋଟାଏ ଅତି ସାଧାରଣ କଥା । ସେଇ ବୟସରେ ସ୍ୱାମୀ ସହ କଳହ ବି ସୁଖରେ ସମାପ୍ତ ହୁଏ । କେତେ ସ୍ତ୍ରୀ ତ ଉଠିପଡ଼ି ସ୍ୱାମୀ ସଂଗେ କଳି ଆରମ୍ଭ କରନ୍ତି କେବଳ ସ୍ୱାମୀକୁ ବହୁତ ଭଲ ପାଆନ୍ତି ବୋଲି ।

 

“ପ୍ରକୃତରେ ମୁଁ ସେମିତି ଗୋଟିଏ ସ୍ତ୍ରୀ ଲୋକକୁ ଜାଣିଥିଲି; ସେ ସେୟା କହିଲା ପରି ଜଣାଯାଉଥିଲା, ଯେହେତୁ ସେ ସ୍ୱାମୀକୁ ବହୁତ ଭଲ ପାଏ, ତାକୁ ସେ କଷ୍ଟ ଦେବ ଓ ତାକୁ ଏହା ଅନୁଭବ କରାଇବ । ତୁମେ ଜାଣ, ତୁମେ ବି ଗୋଟାଏ ଲୋକକୁ ଜାଣିଜାଣି ପ୍ରୀତି ଜରିଆରେ କଷ୍ଟ ଦେଇପାର । ସ୍ତ୍ରୀ ଲୋକମାନେ ବିଶେଷ କରି ଏଇମିତି କରନ୍ତି । ନିଜ ଭିତରେ ନିଜେ ଭାବନ୍ତି, “ମୁଁ ତାକୁ ଏତେ ଭଲ ପାଇବି, ପରେ ତା’ପାଇଁ ଏତେ କରିବି ଯେ ଏବେ ତାକୁ ଟିକିଏ କଷ୍ଟ ଦେଲେ କିଛି କ୍ଷତି ନାହିଁ ।’’ ଆଉ ଘରସାରା ସମସ୍ତେ ତୁମରି ଦର୍ଶନରେ ମାତି ଯାଆନ୍ତି, ଆଉ ତୁମେ ସେଠି ଥାଅ ସୁଖରେ, ଆନନ୍ଦରେ, ଶାନ୍ତିରେ, ସମ୍ମାନର ସହିତ ।

 

“ତାପରେ ଆଉ ଦଳେ ସ୍ତ୍ରୀଲୋକ ଅଛନ୍ତି ଯେଉଁମାନେ ଈର୍ଷା ପରାୟଣ । ଯଦି ପୁରୁଷଟି କୁଆଡ଼େ ଗଲା-ତ ସରିଗଲା କଥା । ମୁଁ ଏମିତି ଗୋଟିଏ ସ୍ତ୍ରୀକୁ ଜାଣିଥିଲି, ଯେ ନିଜକୁ ଆଦୌ ସମ୍ଭାଳି ପାରୁ ନଥିଲା, ରାତି ଅଧରେ ଡେଇଁପଡ଼ି, ରାସ୍ତା ଉପରେ ଦୌଡ଼ି ଦୌଡ଼ି ଖୋଜୁଥିଲା କୋଉଠି ତା ସ୍ୱାମୀ ଥିଲା, କୋଉ ସ୍ତ୍ରୀ ଲୋକ ସାଂଗେ କାଳେ ଥିଲା କି ! ଏଭଳି ହେବାଟା ଅବଶ୍ୟ ଅତ୍ୟନ୍ତ ଦୟନୀୟ । ଆଉ ସ୍ତ୍ରୀ ଲୋକଟି ଜାଣେ ଯେ ଏମିତି କରିବାଟା ତାର ଭୁଲ ଆଉ ତାର ହୃଦୟ ଦବିଯାଏ ଓ ସେ କଷ୍ଟ ପାଏ, ହେଲେ ସେ ତା ସ୍ୱାମୀକୁ ଭଲ ପାଏ- ଆଉ ଏସବୁ ଘଟେ ଭଲ ପାଇବାରୁ ।

 

“ଆଉ ଝଗଡା ପରେ ମିଳାମିଶାଟା କେତେ ମଧୁର ! ନିଜର ଭୁଲକୁ ଜାଣିପାରି ସୁଧାରି ନେବା ହେଉ ବା ସ୍ୱାମୀକୁ କ୍ଷମା କରିଦେବା ହେଉ ! ଆଉ ତା’ପରେ ସାଂଗେ ସଂଗେ ଉଭୟେ କେତେ ସୁଖୀ ହୁଅନ୍ତି ! - ଯେମିତି ସେଇ ଲାଗେ ତାଙ୍କର ପ୍ରଥମ ଭେଟ ହୋଇଛି, ପୁଣି ଥରେ ନୂଆ କରି ବାହା ହୋଇଛନ୍ତି; ଯେମିତି ତାଙ୍କ ପ୍ରେମ ନୂଆ ହୋଇ ଆରମ୍ଭ ହୋଇଛି । ସ୍ୱାମୀ-ସ୍ତ୍ରୀ ଯଦି ପରସ୍ପରକୁ ଭଲ ପାଆନ୍ତି, ତା ହେଲେ କେହି ନୁହଁ, କେହି ଜଣେ ବି ଏ ପୃଥିବୀରେ ଜାଣିପାରିବ ନାହିଁ ସ୍ୱାମୀ-ସ୍ତ୍ରୀଙ୍କ ଭିତରେ କ’ଣ ଘଟି ଚାଲିଥାଏ । ଆଉ ସେମାନଙ୍କ ଭିତରେ ଯେତେ କଳି ହେଲେ ବି ସେମାନେ ସେମାନଙ୍କ ମାଆକୁ ଏହାର ବିଚାର କରିବାକୁ ଡାକି ଆଣିବା ଆଉ ପରସ୍ପର ବିଷୟରେ କାହାଣୀମାନ କହିବା ଆଦୌ ଉଚିତ ନୁହେଁ । ସେମାନେ ନିଜେ ନିଜର ବିଚାରକ । ପ୍ରେମ ହେଉଛି ଏକ ପବିତ୍ର ରହସ୍ୟ ଏବଂ ସମସ୍ତଙ୍କ ଆଖି ଆଢ଼ୁଆଳରେ ଏହା ଲୁଚା ହୋଇ ରହିବା ଉଚିତ, ଯାହା ଘଟିଯାଉ ପଛେ । ତାହା ଏହାକୁ ଅଧିକ ଭଲ, ଅଧିକ ପବିତ୍ର କରିଦିଏ । ସେମାନେ ପରସ୍ପରକୁ ଅଧିକ ସମ୍ମାନ କରନ୍ତି, ଆଉ ସମ୍ମାନ ଉପରେ ଅନେକ କିଛି ଗଢ଼ା ହୋଇଯାଏ । ଆଉ ଥରେ ଯଦି ସେଠି ଭଲପାଇବା ଅଛି, ଯଦି ସେମାନେ ପ୍ରେମପାଇଁ ବାହା ହୋଇଛନ୍ତି, ତାହା ହେଲେ ପ୍ରେମ କାହିଁକି ହଜିଯିବ? ନିଶ୍ଚୟ ଜଣେ ଏହାକୁ ରଖି ପାରିବ ସାରା ଜୀବନ !

 

“ଜଣେ ଏହାକୁ ରଖି ନପାରିବାଟା ବିରଳ । ଆଉ ଯଦି ସ୍ୱାମୀଟି ଦୟାଳୁ ଓ ସ୍ପଷ୍ଟବାଦୀ ପ୍ରକୃତିର ହୋଇଥାଏ ତା ହେଲେ ପ୍ରେମ ଚିରସ୍ଥାୟୀ ହେବ ନାହିଁ କାହିଁକି? ବୈବାହିକ ପ୍ରେମର ପ୍ରଥମ ଅବସ୍ଥାଟା ଚାଲିଯିବ, ଏକଥା ସତ, କିନ୍ତୁ ତା’ପରେ ଯେଉଁ ପ୍ରେମ ଆସିବ ତାହା ଆଗଠାରୁ ଆହୁରି ଭଲ ହୋଇ ଆସିବ । ତା’ପରେ ହେବ ଆତ୍ମାର ମିଳନ; ସେମାନେ ସବୁ ଜିନିଷକୁ ଏକାଠି ଭଲ ପାଇବେ, ସେମାନଙ୍କ ଭିତରେ କିଛି ଗୋପନ ରହିବ ନାହିଁ । ଆଉ ଥରେ ତାଙ୍କର ସନ୍ତାନ ହୋଇଗଲେ, ସବୁଠାରୁ କଷ୍ଟ ସମୟ ବି ତାଙ୍କୁ ସୁଖକର ମନେହେବ, ଯେ ପର୍ଯ୍ୟନ୍ତ ପ୍ରେମ ଆଉ ସାହସ ଅଛି । ଏପରିକି କଠିଣ ପରିଶ୍ରମ ବି ଆନନ୍ଦ ଦେବ, ତୁମେ ନିଜେ ନଖାଇ ପିଲାଙ୍କ ପାଟିରେ ଦାନା ଦେବ, ତାହା ବି ହେବ ଆନନ୍ଦ । ସେଇଥି ଯୋଗୁ ପିଲାଏ ତୁମକୁ ପରେ ଭଲ ପାଇବେ; ଏହିପରି ତୁମେ ତୁମର ଭବିଷ୍ୟତର ସୁଖ ଗଢ଼ିବ । ପିଲା ଯେତେ ଯେତେ ବଢ଼ିବେ ତୁମେ ନିଜକୁ ସେତେସେତେ ଗୋଟାଏ ଆଦର୍ଶ ବୋଲି ଅନୁଭବ କରିବ, ସେମାନଙ୍କପାଇଁ ଗୋଟାଏ ସାହାରା, ଏପରିକି ତୁମେ ମରିଗଲା ପରେ ବି ତୁମ ପିଲାମାନେ ସବୁବେଳେ ତୁମରି ଚିନ୍ତାଧାରା ଓ ଆଦର୍ଶକୁ ସଜୀବ ରଖିବେ, କାରଣ ତାହା ସେମାନେ ତୁମଠାରୁ ପାଇଛନ୍ତି, ସେମାନେ ତୁମରି ସାମଞ୍ଜସ୍ୟ ନେଇ ବଢ଼ିବେ । ଏଣୁ ଏସବୁ ଗୋଟାଏ ବଡ଼ ଦାୟିତ୍ୱ । ଏହା ବାପା-ମାଆଙ୍କୁ ଏକାଠି କରିବାରେ ବ୍ୟର୍ଥ ହେବ କେମିତି?”

 

“ଲୋକେ କହନ୍ତି ପିଲା ଜନ୍ମ କରି ସେମାନଙ୍କୁ ଲାଳନପାଳନ କରିବା ଗୋଟାଏ ଭାରି କଷ୍ଟ କାମ ।”

 

“କିଏ କହେ ଏ କଥା? ଏହା ତ ସ୍ୱର୍ଗୀୟ ସୁଖ । ତୁମେ ଛୋଟ ପିଲାଙ୍କୁ ଭଲ ପାଅ ଲିଜା? ମୁଁ ସେମାନଙ୍କୁ ବହୁତ ଭଲପାଏ, ତୁମେ ଜାଣ-ଗୋଟାଏ ଛୋଟ ଗୋଲାପୀ କୁନି ପୁଅଟିଏ ତୁମ କୋଳରେ, ଆଉ କୋଉ ସ୍ୱାମୀର ହୃଦୟ ତରଳି ନ ଯିବ ଏଥିରେ, ଯେ ତା ସ୍ତ୍ରୀ ପିଲାଟିକୁ କ୍ଷୀର ଖୁଆଉଛି । ଗୋଟାଏ ଥୁକୁଲ ଥାକୁଲ ଛୋଟ ଗୋଲାପୀ ପିଲା ଗୁରୁଣ୍ଡୁଚି, ପେଟଉଚି, କୁନିକୁନି ହାତ ଆଉ ପାଦ, ସଫା ଛୋଟ ନଖ, ଏତେ ଛୋଟ ଯେ ଦେଖିଲେ ଜଣେ ନ ହସି ରହିପାରିବନି; ଆଖି ଏମିତି ଅନେଇଥିବ ଯେମିତି ସବୁ ବୁଝିପାରୁଛି । ଆଉ ଯେତେବେଳେ କ୍ଷୀର ଚୁଚୁମୁଥିବ, ତା ଛୋଟ ହାତରେ ତୁମ ଛାତିକୁ ଧରିଥିବ, ଖେଳୁଥିବ, ବାପା ଆସି ପହଞ୍ଚିଗଲେ, ପିଲାଟି ଛାତିରୁ ନିଜକୁ ଅଲଗା କରି, ପଛକୁ ପଡ଼ିଯିବ, ବାପାକୁ ଚାହିଁବ, ହସିବ-ଯେମିତି ଏସବୁ ଥିଲା ଗୋଟିଏ ଅତି ମଜାର ଘଟଣା, ଆଉ ପୁଣି ଥରେ ଚୁଚୁମିବାରେ ଲାଗିଯିବ । ପୁଣି ଯେତେବେଳେ ତା’ର ନୂଆ ଦାନ୍ତ ଉଠୁଥିବ, ସେ ମାଆର ଥନକୁ କାମୁଡ଼ି ଦେଉଥିବ, ଏଣେ କଣେଇକି ମାଆକୁ ଚାହିଁ ଯେପରି କହୁଥିବ, “ଦେଖ୍‌, ମୁଁ କାମୁଡ଼ୁଛି !’’ ଯେତେବେଳେ ଏ ତିନିଜଣ ବାପ, ମା, ପିଲା ଏକାଠି ଥାଆନ୍ତି, ଏହା ସବୁ ସୁଖ ନୁହେଁ? ଏଇଭଳି ମୁହୂର୍ତ୍ତମାନଙ୍କପାଇଁ ଜଣେ ଅନେକ କିଛି କ୍ଷମା କରିଦେଇ ପାରେ । ହଁ, ଲିଜା, ଅନ୍ୟକୁ ଦୋଷ ଦେବା ଆଗରୁ ଜଣେ ଆଗ ବଂଚିବାକୁ ଶିଖିବା ଦରକାର !”

 

“ଏଇଭଳି ଛବି ସହିତ ଜଣେ ତୁମ ପାଖକୁ ଆସିବା ଉଚିତ,’’ ମୁଁ ମନକୁ ମନ ଭାବିଲି । ଯଦିଓ ଯାହା ସବୁ ମୁଁ କହୁଥିଲି ହୃଦୟର ଅନୁଭବ ଦେଇ କହୁଥିଲି, ହଠାତ୍ ମୋ ମୁହଁ ଲାଲ ପଡ଼ିଗଲା । “କ’ଣ ହେବ? ଯଦି ସେ ହଠାତ ହସି ହସି ଗଡ଼ିଯାଏ କ’ଣ ହେବ? ମୁଁ କ’ଣ କରିବି ସେତେବେଳେ?’’ ଏ ଭାବନାରେ ମୋ ମୁଣ୍ଡକୁ ରାଗ ଉଠି ଆସିଲା । ମୋ କଥାର ଶେଷଆଡ଼କୁ ମୁଁ ପ୍ରକୃତରେ ଉତ୍ତେଜିତ ହୋଇ ପଡ଼ିଥିଲି, ଆଉ ଏବେ ମୋର ଅହଂକାର ଯେପରି ଆହତ ହୋଇଥିଲା । ନିରବତା ଲାଗି ରହିଥିଲା । ମୁଁ କହୁଣୀରେ ତାକୁ ପ୍ରାୟ ଖେଞ୍ଚି ପକାଇଥିଲି ।

 

“କାହିଁକି ତୁମେ...” ସେ ଆରମ୍ଭ କଲା ଓ ବନ୍ଦ ହୋଇଗଲା ।

 

ହେଲେ ମୁଁ ବୁଝି ପାରିଥିଲି : ତା ସ୍ୱରରେ ଥିଲା ଗୋଟେ ଭିନ୍ନ ପ୍ରକାରର କଂପନ, ଆଗପରି ସଂକ୍ଷିପ୍ତ ନୁହେଁ ବା କଠୋର ଜିଦ୍‌ଖୋର ନୁହେଁ, ବଦଳରେ ଏକ ପ୍ରକାର ନରମ ଲଜ୍ଜାଭର୍ତ୍ତି, ଏତେ ଲାଜ ସେ ମୁହଁରେ ଯେ ମୁଁ ହଠାତ୍ ଲଜ୍ଜିତ ଓ ଦୋଷୀ ମନେକଲି ନିଜକୁ ।

 

“କ’ଣ?’’ କୋମଳ ଜିଜ୍ଞାସାରେ ମୁଁ ପଚାରିଲି ।

“କାହିଁକି ତୁମେ...”

“କ’ଣ?’’

 

“କାହିଁକି ତୁମେ - ଏମିତି ଗୋଟାଏ ବହି ପରି କହୁଚ,’’ ସେ କହିଲା ଓ ତା ସ୍ୱରରେ ପୁଣି ଥିଲା ବ୍ୟଙ୍ଗର ଗୋଟେ କ୍ଷୀଣ ଧ୍ୱନି ।

 

ସେ ମନ୍ତବ୍ୟ ମୋ ହୃଦୟକୁ ଥରାଇ ଦେଲା । ଏହା ତ ମୁଁ ଆଶା କରି ନଥିଲି!

 

ମୁଁ ବୁଝି ପାରିଲି ନାହିଁ ଯେ ସେ ତାର ଅନୁଭବମାନଙ୍କୁ ବ୍ୟଙ୍ଗ ତଳେ ଲୁଚାଇ ଦେଉଥିଲା, ବୁଝି ପାରିଲି ନାହିଁ ଯେ ସାଧାରଣତଃ ବିନୀତ, ଶିଷ୍ଟ, ବିଶୁଦ୍ଧ ଓ ସତ୍ ଆତ୍ମା ଥିବା ଲୋକମାନଙ୍କର ଏହି ବ୍ୟଙ୍ଗ ହିଁ ହୋଇଥାଏ ଶେଷ ଆଶ୍ରୟ, ସେତେବେଳେ ମୁଁ ବୁଝି ପାରିଲି ନାହିଁ ଯେ ଏଇ ପବିତ୍ର ଆତ୍ମାମାନଙ୍କର... ଯେତେବେଳେ ସେମାନଙ୍କ ଆତ୍ମାର ଗୋପନୀୟତା ଅମାର୍ଜିତ ଆଉ ଅଶ୍ଳୀଳ ଭାବରେ ଆକ୍ରମଣର ସମ୍ମୁଖୀନ ହୁଏ, ଅହଂକାର ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ସେମାନଙ୍କୁ ସବୁ କଥା ଖୋଲି କହି ଦେବାକୁ ଦିଏ ନାହିଁ, ଆଉ ସଂକୋଚବଶତଃ, ସେତେବେଳେ ତୁମ ଆଗରେ ସେମାନଙ୍କର ପ୍ରକୃତ ଅନୁଭବମାନଙ୍କୁ ପ୍ରକାଶ ନକରି ସେମାନେ ଲାଜରେ ପଛେଇ ଯାଆନ୍ତି । ଯେଉଁ ଭୀରୁତାର ସହ ସେ ବାରମ୍ବାର ତାର ବ୍ୟଙ୍ଗ ନିକଟକୁ ଫେରି ଆସୁଥିଲା ଓ ଶେଷରେ ବହୁ ଚେଷ୍ଟା କରି ନିଜ ପାଟିରେ ଏହାକୁ ସେ ଯେପରି ଉଚ୍ଚାରଣ କଲା ସେଇଥିରୁ ଏଇ ସତ୍ୟଟିକୁ ମୋର ଅନୁମାନ କରିନେବା ଉଚିତ ଥିଲା । ହେଲେ ମୁଁ ଅନୁମାନ କରି ପାରିନଥିଲି । ମୋ ଚିନ୍ତା ଓ ଅନୁଭବ ଉପରେ ଗୋଟାଏ ସଇତାନ ଯେମିତି ସବାର ହୋଇ ସାରିଥିଲା ।

 

“ରହି ଯା’ ଟିକିଏ!’’ ମୁଁ ଭାବିଲି ।

 

(ସାତ)

 

“ଓଃ, ସ୍‌...ସ୍‌...ସ୍‌...ଲିଜା... ଚୁପ୍‌ରହ ! ତୁମେ କେମିତି କହିପାରୁଛ ଗୋଟାଏ ବହି ପରି ମୁଁ କହୁଛି ବୋଲି? ଅଥଚ ଯେତେବେଳେ ଏହା ମୋତେ, ଗୋଟାଏ ବାହାର ଲୋକକୁ ବି ଏସବୁ ଏତେ ବିଚଳିତ କରି ଦେଉଚି । ଅବଶ୍ୟ ଏସବୁକୁ ମୁଁ ଗୋଟାଏ ବାହାର ଲୋକର ଆଖି ନେଇ ଦେଖୁ ନାହିଁ, କାରଣ ଏହା ପ୍ରକୃତରେ ମୋର ହୃଦୟକୁ ଛୁଇଁଛି... । ଏହା କ’ଣ ସମ୍ଭବ, ଏହା କ’ଣ କେବେ ହେଲେ ସମ୍ଭବ ଯେ ଏଠାଭଳି ଗୋଟେ ଯାଗାରେ ତୁମର ନିଜର ଉପସ୍ଥିତି ତୁମକୁ ଖରାପ ଲାଗୁ ନାହିଁ? ଅବଶ୍ୟ ଏଇଟା ବି ଗୋଟେ ଜଣାକଥା ଯେ ଅଭ୍ୟାସ ଆଶ୍ଚର୍ଯ୍ୟଜନକ କାମମାନ କରିପାରେ । ଭଗବାନ ଜାଣନ୍ତି ଅଭ୍ୟାସ ଜଣକୁ କ’ଣ କରିଦେଇ ପାରେ ! ତମେ କ’ଣ ସତରେ ସିରିୟସ୍‌ଲି ଭାବୁଛ ଯେ ତୁମେ କେବେ ବୁଢ଼ୀ ହେବ ନାହିଁ, ଆଉ ସେମାନେ ତୁମକୁ ଏଠାରେ ରଖିବେ ଚିରକାଳ, ଚିରକାଳ? ଏଠାରେ ଘୃଣ୍ୟ, ବିରକ୍ତିକର ଜୀବନ ବିଷୟରେ କିଛି ବି ତୁମକୁ ମୁଁ କହିନାହିଁ... ଏବେ ମୋତେ କହିବାକୁ ଦିଅ ଏ ବିଷୟରେ, ଏଇ ବିଷୟରେ, ତୁମର ବର୍ତ୍ତମାନର ଜୀବନ ବିଷୟରେ, ମାନେ; ବର୍ତ୍ତମାନ ତୁମେ ଅଛ କୋମଳ ଯୌବନରେ ପୂର୍ଣ୍ଣ, ଅବର୍ଣ୍ଣନୀୟ, ସୁନ୍ଦର, ଅଛି ତୁମର ଆତ୍ମାଟିଏ, ଅଛି ତୁମର ଅନୁଭବ, ତା ସତ୍ୱେ ବି ତୁମେ ଜାଣ ଏଇଲାଗେ ଯେତେବେଳେ ମୁଁ ମୋ ଜ୍ଞାନ ଫେରି ପାଇଲି, ସଂଗେ ସଂଗେ ନିଜକୁ ତୁମ ସାଥିରେ ଏଠାରେ ଦେଖି ନିଜ ପ୍ରତି ମୋର ଘୃଣା ଆସିଲା । ଜଣେ ଖୁବ୍ ମାତାଲ ଅବସ୍ଥାରେ କେବଳ ଏଠାକୁ ଆସେ । କିନ୍ତୁ ତୁମେ ଏଠାରେ ନଥାଇ, ଯଦି ଆଉ କୋଉଠି ଥାଆନ୍ତ, ଭଲ ଲୋକମାନେ ବଞ୍ଚିଲା ପରି ବଞ୍ଚୁଥାଆନ୍ତ, ମୁଁ ବୋଧେ ତୁମ ପ୍ରତି ଆହୁରି ଅଧିକ ଆକର୍ଷିତ ହୋଇଥାଆନ୍ତି, ତୁମ ପ୍ରେମରେ ପଡ଼ିଥାଆନ୍ତି, ତୁମଠାରୁ ପଦେ କଥା ତ ବହୁତ ବେଶୀ, କେବଳ ଗୋଟାଏ ଚାହାଣୀ ପାଇ କେତେ ଖୁସି ହୋଇଥାନ୍ତି; ତୁମ ଦୁଆର ପାଖରେ ସବୁବେଳେ ବୁଲୁଥାଆନ୍ତି, ତୁମ ପାଖରେ ଆଣ୍ଠେଇ ପଡ଼ିଥାଆନ୍ତି, ତୁମକୁ ମୋର ବାକ୍‌ଦତ୍ତା ରୂପରେ ଦେଖିଥାଆନ୍ତି । ତୁମକୁ ନେଇ ଗୋଟିଏ ବି ଅପବିତ୍ର ଚିନ୍ତା କରିବାକୁ ମୁଁ ସାହସ କରି ପାରିନଥାନ୍ତି । କିନ୍ତୁ ଏଠି ଦେଖ, ମୋର ଖାଲି ଗୋଟାଏ ହୁଇସିଲ୍‌ରେ ତୁମେ ମୋ ପାଖକୁ ଆସିବାକୁ ବାଧ୍ୟ, ଏହାକୁ ତୁମେ ପସନ୍ଦ କର ବା ନକର । ତୁମର ଇଚ୍ଛା କ’ଣ ମୁଁ ପଚାରେନି, କିନ୍ତୁ ତୁମେ ମୋ ଇଚ୍ଛାକୁ ଅପେକ୍ଷା କର । ସବୁଠାରୁ ନ୍ୟୂନ ଶ୍ରମିକଟିଏ ନିଜକୁ ମଜଦୂର ରୂପେ ଖଟାଏ, ହେଲେ ନିଜକୁ ଦାସଟିଏ କେବେ କରିଦିଏ ନାହିଁ; ତା ଛଡ଼ା, ସେ ବି ଜାଣେ ଯେ ସେ ଏଥିରୁ ଏବେ ପୁଣି ମୁକୁଳି ଯିବ ।

 

“କିନ୍ତୁ ତୁମେ କେବେ ମୁକୁଳିବ? କେବଳ ଭାବ, ଏଠାରେ ତୁମେ ଦେଉଛ କ’ଣ? କ’ଣ ସବୁ ତୁମକୁ ଛାଡ଼ି ଚାଲିଯାଉଛି । କ’ଣ ଦେଇ ତୁମେ ନିଜକୁ ଏଭଳି ଦାସତ୍ୱରେ ଖଟାଉଛ? କାହାର ଦାସତ୍ୱ ତୁମେ କରୁଛ? ତୁମେ ଦେଉଛ ତୁମର ଆତ୍ମାକୁ, ତୁମର ସଂପୂର୍ଣ୍ଣ ଦେହ ସହିତ; ତୁମେ ତୁମ ଆତ୍ମାକୁ ବିକୁଛ, ଯାହାକୁ ଦେବାର ଅଧିକାର ତୁମର ଆଦୌ ନାହିଁ । ପ୍ରତ୍ୟେକ ମଦୁଆଦ୍ୱାରା ଲାଞ୍ଛିତ, ବିରକ୍ତ ହେବାକୁ ତୁମେ ତୁମର ପ୍ରେମ ଦେଉଛ । ପ୍ରେମ ! ହେଲେ ସେଇତ ଜଣକର ସବୁକିଛି, ତୁମେ ଜାଣ, ଏହା ଏକ ଦୁର୍ମୂଲ୍ୟ ହୀରା, ପ୍ରେମ: ଏହା ହିଁ ତ ଗୋଟିଏ ଅନୁଢାର ଅସଲ ସଂପତ୍ତି, ପ୍ରେମ-ଜାଣିଚ, ଗୋଟାଏ ପୁରୁଷ ସେଇ ପ୍ରେମ ପାଇବାପାଇଁ ମୃତ୍ୟୁର ମୁହାଁମୁହିଁ ହେବାକୁ, ତାର ଆତ୍ମା ଦେଇ ଦେବାକୁ ପ୍ରସ୍ତୁତ ହୋଇଯିବ ।

 

“ହେଲେ ତୁମ ପ୍ରେମର ମୂଲ୍ୟ ବର୍ତ୍ତମାନ କେତେ? ତୁମେ ବିକା ହୋଇ ସାରିଛ, ତୁମର ସଂପୂର୍ଣ୍ଣ ଦେହ ଓ ଆତ୍ମା ସହିତ, ଆଉ ଏଠି ପ୍ରେମପାଇଁ ବ୍ୟାକୁଳ ହେବାର କିଛି ନାହିଁ, କାରଣ ତୁମେ ଏଠି ସବୁକିଛି ପାଇ ପାରିବ କେବଳ ପ୍ରେମକୁ ଛାଡ଼ି । ଆଉ ତୁମେ ଜାଣ, ଏହାଠାରୁ ବଳି ବଡ଼ ଅପମାନ ଗୋଟାଏ ଝିଅପାଇଁ ଆଉକିଛି ହୋଇ ନପାରେ, ବୁଝି ପାରୁଛ? ଆହୁରି ଭଲ କରି ବୁଝିବାପାଇଁ କହୁଛି, ମୁଁ ଶୁଣିଛି ଯେ ସେମାନେ ତୁମକୁ ସାନ୍ୱନା ବି ଦିଅନ୍ତି, ବିଚାରୀ ବୋକୀ ଦଳ, କୁଆଡ଼େ ଏଠି ନିଜର ପ୍ରେମିକ ବାଛି ନେବାକୁ ସେମାନେ ତୁମକୁ ଅନୁମତି ଦିଅନ୍ତି । କିନ୍ତୁ ତୁମେ ଜାଣ, ସେସବୁ ଗୋଟାଏ ପ୍ରହସନ ମାତ୍ର, ସେସବୁ କେବଳ ଠକାମୀ, ଗୋଟାଏ ବାହାନା, ପ୍ରକୃତରେ ଏହା ତୁମକୁ ନେଇ ଉପହାସ କରିବା, ଆଉ ତୁମେ ତାଙ୍କ କଥାରେ ଭଳି ଯାଅ! କାହିଁକି, ତୁମେ ସତରେ ଭାବ ସେ ତୁମକୁ ପ୍ରକୃତରେ ଭଲପାଏ, ସେ ତୁମର ପ୍ରେମିକ? ମୁଁ ଏକଥା ବିଶ୍ୱାସ କରୁନି । କିମିତି ତୁମକୁ ସେ ଭଲ ପାଇପାରିବ, ଯେତେବେଳେ ସେ ଜାଣେ ଯେ ତା ପାଖରେ ଥିଲାବେଳେ ବି ତୁମକୁ ଅନ୍ୟପାଇଁ ଯେକୌଣସି ମୁହୂର୍ତ୍ତରେ ଡାକରା ଆସିପାରେ? ଯଦି ସେ ଭଲ ପାଏ ତା ହେଲେ ସେ ଅତି ନିଚ୍ଚ ହୋଇଥିବ । ତାର ଏତେ ଟିକେ ବି ସମ୍ମାନ ତୁମ ପ୍ରତି ଥିବ? ତା ସହିତ ତୁମର କି ସାମଞ୍ଜସ୍ୟ ଅଛି? ସେ ତୁମକୁ ଦେଖି ମନେମନେ ହସୁଥିବ ଆଉ ତୁମକୁ ଲୁଣ୍ଠନ କରିଚାଲିଥିବ- ସେତିକି ହିଁ ତାର ସମସ୍ତ ପ୍ରେମର ତାକତ୍‌ ! ସେ ଯଦି ତୁମକୁ ନ ବାଡ଼େଇଛି ତା ହେଲେ ତୁମେ ନିଜକୁ ବହୁତ ଭାଗ୍ୟବାନ ଭାବ । ବହୁତ ସମ୍ଭବ ସେ ତୁମକୁ ବାଡ଼ିଆବାଡ଼ି ବି କରେ, ଯଦି ତୁମର ସେମିତି କେହି ଥାଏ, ତାକୁ ପଚାର ସେ ତୁମକୁ ବିବାହ କରିବ କି? ଯଦି ତୁମ ମୁହଁ ଉପରେ ସେ ଛେପ ନ ପକେଇଚି ବା ତୁମ ଗାଲରେ ମୁଥଟାଏ ନ ଦେଇଛି, ତା ହେଲେ ତୁମ ମୁହଁ ଉପରେ ନିଶ୍ଚୟ ଠୋ ଠୋ ହସି ଉଠିବ । ହୋଇପାରେ, ହୁଏତ ସେ ନିଜେ ଦି’କଡ଼ାର ଆଦମୀଟାଏ ହୋଇଥିବ ।

 

“କିନ୍ତୁ ତୁମେ କ’ଣ ପାଇଁ ତୁମ ଜୀବନଟାକୁ ଧ୍ୱଂସ କରି ଚାଲିଛ- ଭାବିଲ ଏ କଥା, ଯେଉଁ କଫି ସେମାନେ ତୁମକୁ ପିଇବାକୁ ଦିଅନ୍ତି, ଆଉ ପ୍ରଚୁର ଖାଦ୍ୟ? ହେଲେ କୋଉ ଉଦ୍ଦେଶ୍ୟରେ ସେମାନେ ତୁମକୁ ଖୁଆଇ ଚାଲିଛନ୍ତି? ଗୋଟାଏ ସାଧୁ ପ୍ରକୃତିର ଝିଅ ଏ ଖାଦ୍ୟକୁ ଗିଳି ବି ପାରିବ ନାହିଁ, କାରଣ ସେ ଜାଣିଥିବ କ’ଣ ପାଇଁ ତାକୁ ଏ ଖାଦ୍ୟ ଖାଇବାକୁ ଦିଆଯାଉଛି । ତୁମେ ଏଠି ଋଣରେ ବୁଡ଼ି ରହିଛ, ଆଉ ସବୁବେଳେ ଏଇମିତି ଋଣରେ ରହିବ । ଏପରିକି ତୁମ ଶେଷ ନିଶ୍ୱାସ ଯାଏ ଅଧିକରୁ ଅଧିକ ଋଣରେ ବୁଡ଼ି ଚାଲିବ, ଏଠାର ଅତିଥିମାନେ ତୁମକୁ ତ୍ୟାଗ କଲାଯାଏ । ଆଉ ତାହା ଖୁବ୍‍ଶୀଘ୍ର ଘଟିବ । ତୁମେ ଯୌବନ ଉପରେ ବିଶ୍ୱାସ କରନାହିଁ- ସେସବୁ ଏଠି ଏକ୍ସପ୍ରେସ୍ ଟ୍ରେନ୍‌ରେ ଉଡ଼ିଯାଏ । ଏଠାରୁ ଲାତଖାଇ ତୁମେ ତଡ଼ା ହେବ; ଖୁବ୍ ବେଶୀଦିନ ଲାଗିବ ନାହିଁ ସେ ମାଡ଼ାମ ତୁମକୁ ଦେଖିଲେ ଅବିରତ ତୁମର ଦୋଷ ଦେଖିବ, ଗାଳିଦେବ, ଭର୍ତ୍ସନା କରିବ ଯେମିତି ତୁମ ସ୍ୱାସ୍ଥ୍ୟକୁ ତୁମେ ତା’ପାଇଁ ବଳି ଦେଇ ନାହଁ, । ଯୌବନକୁ ଫିଙ୍ଗି ଦେଇ ନାହଁ ତାପାଇଁ ଆଉ ତୁମ ଆତ୍ମାକୁ ତା ଭଲପାଇଁ ବିକି ଦେଇ ନା, ଓଲଟି ଯେମିତି ତୁମେ ତାକୁ ଧ୍ୱଂସ କରିଛ, ଗରିବ କରିଛ, ଋଣ ଶୁଝି ନାହଁ, ଲୁଣ୍ଠନ କରିଛ ତାକୁ, ସେଇମିତି ବ୍ୟବହାର କରିବ ସେ ।

 

“ଆଉ ତୁମ ପକ୍ଷ ନେଇ କେହି ଯେ ସମର୍ଥନ କରିବେ ଏକଥା ଆଶା କରନାହିଁ; ଅନ୍ୟମାନେ, ତୁମ ସାଥିମାନେ ବି ତୁମକୁ ଆକ୍ରମଣ କରିବେ, ତାର ଶ୍ରଦ୍ଧାଭାଜନ ହେବାକୁ, କାରଣ ସମସ୍ତେ ଏଠି ଦାସତ୍ୱରେ ବନ୍ଧା, ଆଉ ଏଠାରେ ସମସ୍ତେ ବିବେକ ଓ ଦୟାକୁ ବହୁ ପୂର୍ବରୁ ହରାଇ ସାରିଛନ୍ତି । ସେମାନେ ଅତ୍ୟନ୍ତ କୁତ୍ସିତ ପ୍ରକୃତିର ହୋଇଯାଇଛନ୍ତି, ପୁଣି ଏ ପୃଥିବୀରେ ସେମାନଙ୍କ ଗାଳିଠାରୁ ଅଧିକ କୁତ୍ସିତ, ଅଧିକ ଘୃଣ୍ୟ, ଆଉ ଅଧିକ ଅସମ୍ମାନଜନକ କିଛି ନାହିଁ । ଅଥଚ ତୁମେ ଏଠି ସବୁକିଛି ବିନା ସର୍ତ୍ତରେ ବାଜି ଲଗାଇ ଦେଉଛ, ଯୌବନ, ସ୍ୱାସ୍ଥ୍ୟ, ସୌନ୍ଦର୍ଯ୍ୟ ଆଉ ଆଶା-ବାଇଶ ବର୍ଷବେଳକୁ ତୁମେ ଦେଖାଯିବ ପଇଁତିରିଶ ବର୍ଷର ସ୍ତ୍ରୀ ଲୋକଟାଏ ପରି, ଆଉ ଯଦି ରୋଗ ହୋଇ ନଥାଏ, ନିଜକୁ ଭାଗ୍ୟବାନ ବୋଲି ଭାବିବ । ଭଗବାନଙ୍କୁ ପ୍ରାର୍ଥନା କର, ଏହାଠାରୁ ଦୂରରେ ତୁମକୁ ରଖନ୍ତୁ ! ଏଥିରେ ସନ୍ଦେହ ନାହିଁ ଯେ ତୁମେ ବର୍ତ୍ତମାନ ଭାବୁଛ କିଛି କାମ ତ ଏଠି କରିବାର ନାହିଁ ଆଉ ଖୁବ୍ ଖୁସିରେ ସମୟ କଟି ଯାଉଛି । ତଥାପି ଏହାଠାରୁ କଠିଣତର ବା ଅଧିକ ଭୟଙ୍କର କାମ ପୃଥିବୀରେ ଆଉକିଛି ନାହିଁ ବା କେବେ ନଥିଲା । ଜଣେ ଭାବୁ ଥାଇପାରେ ଯେ କେବଳ ଲୁହରେ ହୃଦୟଟା ଟିକିଟିକି ହୋଇ ଧ୍ୱଂସ ପାଇଯିବ । ଅଥଚ ସେମାନେ ଯେତେବେଳେ ତୁମକୁ ଏଠାରୁ ତଡ଼ିଦେବେ ତୁମେ ସେତେବେଳେ ଗୋଟାଏ ଶବ୍ଦ ଏପରିକି ଅଧେ ଶବ୍ଦ ବି ଉଚ୍ଚାରଣ କରିବାକୁ ସାହସ କରିବ ନାହିଁ; ତୁମେ ଏଠା ଛାଡ଼ି ଏପରି ପଳାଇଯିବ ଯେପରି ଦୁନିଆଟାଯାକର ଦୋଷ ତୁମରି ।

 

“ତୁମେ ଆଉ ଗୋଟାଏ ଘର ବଦଳାଇ ନେବ, ତାପରେ ଆଉ ଗୋଟେ, ତାପରେ ଆଉ କୋଉଠି, ଶେଷରେ ହେ’ ମାର୍କେଟକୁ ଆସିଲା ପର୍ଯ୍ୟନ୍ତ । ସେଠି ତୁମେ ସବୁ ଅବସ୍ଥାରେ ମାଡ଼ ଖାଇବ; ତାହା ହିଁ ସେଠାର ଭଦ୍ରତା, ସେଠାର ଖାତିର, ସେଠି ଅତିଥିମାନେ ତୁମକୁ ମାଡ଼ ନ ମାରିଲା ଯାଏ ଜାଣନ୍ତି ନାହିଁ ବଂଧୁତା କ’ଣ ଜିନିଷ । ସେଠି ସବୁ ଏତେ ଘୃଣ୍ୟ ବୋଲି ତୁମେ ବିଶ୍ୱାସ କରୁନାହଁ ନା? ଯାଅ, ଦେଖି ଆସ କେତେବେଳେ ଯାଇ, ନିଜ ଆଖିରେ ସବୁ ଦେଖିପାରିବ ସେଠି । ଥରେ, ଗୋଟିଏ ନୂଆବର୍ଷ ଦିନରେ, କବାଟ ପାଖରେ ସ୍ତ୍ରୀ ଲୋକଜଣକୁ ମୁଁ ଦେଖିଥିଲି । ସେମାନେ ମଜାକରି ପରିହାସରେ ତାକୁ ବାହାରକୁ ବାହାର କରି ଦେଇଥିଲେ, ବରଫର ମଜା ଚଖାଇବାକୁ । ସେ ବହୁତ କାନ୍ଦୁଥିଲା ଆଉ ସେମାନେ ପଛରୁ ଦୁଆର କିଳି ଦେଇଥିଲେ । ସକାଳ ନଅଟା ବେଳକୁ ସେ ପୁରାପୁରି ମାତାଲ ହୋଇଯାଇଥିଲା, ବାଳ ଫୁରୁଫୁରୁ ଉଡ଼ୁଥିଲା, ଅର୍ଦ୍ଧ ଉଲଗ୍ନ, ଦେହ, ମୁହଁ କଟା ଦାଗରେ ଭର୍ତ୍ତି ।

 

“ମୁହଁରେ ବହୁତ ପାଉଡ଼ର ଲଗାଇ ଥିଲା, କିନ୍ତୁ ଗୋଟାଏ ଆଖି ତାର କଳା ପଡ଼ି ଯାଇଥିଲା, ତା ନାକ ଆଉ ଦାନ୍ତରୁ ରକ୍ତ ବାହାରୁଥିଲା; କୋଉ ଗୋଟାଏ ଡ୍ରାଇଭର ତାକୁ ସେଇଲାଗେ ନିସ୍ତୁକ ମାଡ଼ ମାରିଥିଲା । ସେ ଗୋଟାଏ ପଥର ପାହାଚ ଉପରେ ବସିଥିଲା, ଗୋଟେ ଶୁଖୁଆ କି କ’ଣ ତା ହାତରେ ଥିଲା; ସେ କାନ୍ଦୁଥିଲା, ନିଜ ଭାଗ୍ୟକୁ ନିନ୍ଦି ଚିତ୍କାର କରୁଥିଲା ଆଉ ଶୁଖୁଆଟାକୁ ପଥର ପାହାଚରେ ପିଟି ଲାଗିଥିଲା, ଅଥଚ ଡ୍ରାଇଭର ଓ ସୈନିକ ବନ୍ଧୁମାନେ କବାଟ ପାଖରେ ଗହଳି କରି ତାକୁ ଥଟ୍ଟା କରୁଥିଲେ । ତମେ ବିଶ୍ୱାସ କରୁନାହଁ ନା ତୁମର ବି କେବେ ଏମିତି ଅବସ୍ଥା ହୋଇପାରେ? ମତେ ବି ଏକଥା ବିଶ୍ୱାସ କରିବାକୁ ଦୁଃଖ ଲାଗୁଛି, କିନ୍ତୁ କିଏ ଜାଣେ ହୁଏତ ଦଶବର୍ଷ, ଆଠବର୍ଷ ଆଗରୁ ସେଇ ଶୁଖୁଆ ଧାରିଣୀ ସ୍ତ୍ରୀଲୋକଟି ଏଠାକୁ ଆସିଥିଲା ସେଇ ସ୍ୱର୍ଗୀୟ ସୌନ୍ଦର୍ଯ୍ୟ ସାଥିରେ ଆଣି-ନିରୀହ, ପବିତ୍ର, ସରଳ, ଅପାପବିଦ୍ଧ, ପ୍ରତିଟି ଶବ୍ଦରେ ଲଜ୍ଜା ଉକୁଟି ଆସୁଥିବା ବାଳିକାଟିଏ ହୋଇ । ସମ୍ଭବତଃ ସେ ଥିଲା ତୁମରି ପରି ଅହଂକାରୀ, ଅପମାନ ଗ୍ରହଣ କରିବାକୁ ତିଆର ନଥିଲା ଅନ୍ୟମାନଙ୍କ ପରି; ହୁଏତ ସେ ଦେଖା ଯାଉଥିଲା ରାଣୀଟିଏ ପରି ଆଉ ମନରେ ଭାବୁଥିଲା କି ସୁଖ ସେ ପୁରୁଷର ଭାଗ୍ୟରେ ଅଛି ଯିଏ ତାକୁ ଭଲ ପାଇବ ଆଉ ଯାହାକୁ ସେ ଭଲ ପାଇବ । ତୁମେ ଦେଖିଲ ତ ଏହାର କି ସମାପ୍ତି ହେଲା? ଆଉ ଯଦି ସେହି ମୁହୂର୍ତ୍ତରେ, ଯେତେବେଳେ ସେ ମଇଳା ପାହାଚ ଉପରେ ଶୁଖୁଆ ପିଟୁଥିଲା, ମାତାଲ, ଅର୍ଦ୍ଧଉଲଗ୍ନ ହୋଇ ସେତେବେଳେ ସେଇ ମୁହୂର୍ତ୍ତରେ ଯଦି ସେ ମନେ ପକାଇଥିବ ତା ବାପା ଘରେ ତାର ସେଇ ପବିତ୍ର ଗତଦିନମାନଙ୍କୁ, ଯେତେବେଳେ ସେ ସ୍କୁଲକୁ ଯାଉଥିଲା ଆଉ ତା ପଡ଼ୋଶୀ ପୁଅଟି ତାକୁ ରାସ୍ତାରେ ଅପେକ୍ଷା କରି ରହୁଥିଲା, ଆଉ କହୁଥିଲା ଜୀବଥିବା ଯାଏ ତାକୁ ଭଲ ପାଇବାରେ କେବେ ସେ ହେଳା କରିବ ନାହିଁ, ପୁଣି ସେମାନେ ପ୍ରତିଜ୍ଞା କରୁଥିଲେ ଯେ ଚିରକାଳ ସେମାନେ ପରସ୍ପରକୁ ଭଲ ପାଇବେ ଓ ବଡ଼ ହୋଇଗଲା ପରେ ବିବାହ କରିବେ । ନାଃ ଲିଜା, ତୁମପାଇଁ ବରଂ ସୁଖକର ହେବ ଯଦି ତୁମେ ଅତ୍ୟଧିକ ବ୍ୟବହାରରୁ ଶୁଖି ଶୁଖି କୋଉ ଗୋଟାଏ କୋଣରେ ପଡ଼ି ଶୀଘ୍ର ମରିଯାଅ, ସେଇ ଆଟୁଘରେ ମରିଯାଇଥିବା ସ୍ତ୍ରୀ ଲୋକଟି ପରି । ହସ୍‌ପିଟାଲରେ ମରିବା କଥା କହୁଚ? ଯଦି ତୁମେ ନିହାତି ଭାଗ୍ୟବତୀ ହୋଇଥିବ, ସେମାନେ ତୁମକୁ ଡାକ୍ତର ପାଖକୁ ନେବେ, ହେଲେ ଯଦି ଏଠି ମାଡ଼ାମଙ୍କର ଆବଶ୍ୟକତା ତଥାପି ତୁମଠି ଥାଏ? ଅତ୍ୟଧିକ ବ୍ୟବହାର ହେବା ଗୋଟିଏ ଅଦ୍ଭୁତ ବେମାରୀ, ଏହା ସାଧାରଣ ଜ୍ୱର ପରି ନୁହେଁ ।

 

“ରୋଗୀ ଶେଷ ପର୍ଯ୍ୟନ୍ତ ଭାବି ଚାଲିଥାଏ ଆଉ ନିଜକୁ କହି ଚାଲିଥାଏ ଯେ ସେ ଠିକ୍ ଅଛି-। ସେ ନିଜକୁ ନିଜେ ଠକୁଥାଏ । ଆଉ ସେଇଟା ତୁମ ମାଡ଼ାମଙ୍କୁ ବେଶ୍ ସୁହାଏ । ଏଥିରେ ଆଦୌ ସନ୍ଦେହ କରନାହିଁ; ଏହା ହିଁ ଘଟେ; ତୁମେ ତୁମର ଆତ୍ମାକୁ ବିକି ଦେଇଥାଅ ଆଉ ରହିଥାଏ ତୁମ ଉପରେ ଋଣର ଭାର, ଏଣୁ ପଦେ କଥା କହିବାର ଶକ୍ତି ବି ତୁମର ନଥାଏ । କିନ୍ତୁ ତୁମେ ଯେତେବେଳେ ମରୁଥିବ, ସମସ୍ତେ ତୁମକୁ ଛାଡ଼ି ଚାଲିଯିବେ, ସମସ୍ତେ ମୁହଁ ବୁଲାଇ ନେବେ, କାରଣ ସେତେବେଳେ ତୁମଠାରୁ କାହାର କିଛି ପାଇବାର ନଥିବ । ଆଉ ସବୁଠୁ ବଡ଼ କଥା ହେଲା, ଏ ଯାଗାକୁ ଅପବିତ୍ର କରୁଥିବା ଯୋଗୁ, ଅସୁବିଧା ସୃଷ୍ଟି କରୁଥିବା ଯୋଗୁ ତୁମକୁ ସମସ୍ତେ ଗାଳି ଦେବେ, ତିରସ୍କାର କରିବେ ମରିବାପାଇଁ ଏତେ ଦୀର୍ଘ ସମୟ ନେଉଛ କାହିଁକି ବୋଲି । ଯେତେ ତୁମେ କାତର ପ୍ରାର୍ଥନା କର ବିନା ଭର୍ତ୍ସନାରେ ଟୋପେ ପାଣିବି ମିଳିବ ନାହିଁ । “କେବେ ତୁ ଏଠୁ ଯିବୁ? ତୁ ପୋଡ଼ା ମୁହିଁ, ଚୁଲିପଶି, ବେଶ୍ୟା, ତୋ କାନ୍ଦରେ ଆମକୁ ଶୁଆଇ ବି ଦଉନୁ ଟିକେ ଶାନ୍ତିରେ? କି ବିଭତ୍ସ ମାଇକିନା ତୁ । ଏଠି ଭଦ୍ରଲୋକମାନଙ୍କୁ ବିରକ୍ତ କରୁଚୁ, ଶାଳୀ କୁତ୍ତି ।

 

“ଏକଥା ସତ, କିଏ ଜଣେ ଏକଥା କହିଥିବାର ମୁଁ ନିଜେ ଶୁଣିଛି । ସେମାନେ ତୁମକୁ ଗୋଟାଏ ପରିତ୍ୟକ୍ତ କୋଠରୀର କୋଣରେ ମରିବାକୁ ଫିଙ୍ଗି ଦେବେ- ସନ୍ତସନ୍ତିଆ ଅନ୍ଧାରରେ; ସେଠି ଏକୁଟିଆ ପଡ଼ି ରହି ତୁମେ କ’ଣ ଭାବୁଥିବ? ତୁମେ ଯେତେବେଳେ ମରୁଥିବ, ଅଜଣା ହାତମାନ ତୁମକୁ ବିରକ୍ତିରେ, ଅଧୈର୍ଯ୍ୟ ହୋଇ ଟାଣି ନେବ; କେହି ତୁମକୁ ଆଶୀର୍ବାଦ କରିବେ ନାହିଁ, କେହି କ୍ରସ୍‌ଟିଏ ଆଙ୍କି ଦେବ ନାହିଁ, ସେମାନେ କେବଳ ଚାହୁଁଥିବେ ତୁମଠାରୁ ମୁକ୍ତି-ଯଥାଶୀଘ୍ର ସମ୍ଭବ; ତୁମପାଇଁ କିଣିଦେବେ କଫିନ୍‌ଟିଏ, ନେଇଯିବେ ମଶାଣୀକୁ ଯେମିତି ଆଜି ନେଇଗଲେ ସେ ସ୍ତ୍ରୀ ଲୋକଟାକୁ, ଆଉ ତୁମର ସ୍ମୃତିକୁ ପାଳନ କରିବେ ପାନଶାଳାରେ ମାତାଲ ହୋଇ । ସମାଧି ଭିତରେ ମାଟି, ମଇଳା, ଓଦା ବରଫ-ତୁମପାଇଁ ସେମାନେ ବାହାରକୁ ବାହାରି ଆସି ଯାଗାଟିକୁ ସୁନ୍ଦର କରିଦେବା ଦରକାର ନାହିଁ- “ଯାଉ ସେଇଟା ତଳକୁ, ଏଇଟା ବି ତା ଭାଗ୍ୟପରି, ଏଇଠି ତା ମୁଣ୍ଡଟାକୁ ପୁରେଇ ଦେ ତଳକୁ କରି, ପାଜି ଉଦ୍ଧତ୍ ମାଇକିନା । ଜୋର୍ ବାନ୍ଧ ଦଉଡ଼ିଟାକୁ, ସଇତାନ ଶାଳୀ ।’ ‘ଠିକ୍ ଅଛି ଏଇମିତି ।’ ‘ଠିକ୍ ଅଛି ଏଇମିତି? କାହିଁକି ସେ ତ କଡ଼େଇ କି ପଡ଼ିଚି !’ ‘ପଡ଼ିଥାଉ, ଯା’ ହେଲେ ବି ନିକୁଚ୍ଛିଆ ଜୀବଟାଏ ତ । କିଛି ଭାବିବାର ନାହିଁ, ପକା ମାଟି ତା ଉପରେ-।’’ ଆଉ ସେମାନେ ଅଧିକ ସମୟ ତମ ଉପରେ କଳି କରି ନଷ୍ଟ କରିବେ ନାହିଁ । ସେମାନେ ଓଦା ନୀଳମାଟିକୁ ଖେଳେଇ ଦେବେ ତୁମ ଉପରେ, ଯେତେଶୀଘ୍ର ପାରନ୍ତି, ଆଉ ପଳେଇଯିବେ ପାନଶାଳାକୁ- ସେଇଠି ଶେଷ ହୋଇଯିବ ଧରଣୀ ଉପରେ ତୁମର ଯେତେସବୁ ସ୍ମୃତି; ଅନ୍ୟ ସ୍ତ୍ରୀଲୋକମାନଙ୍କର ସମାଧି ପାଖକୁ ଯିବାକୁ ଥିବେ ତାଙ୍କ ସନ୍ତାନ, ସ୍ୱାମୀ, ବାପାମାନେ । ଅଥଚ ତୁମପାଇଁ ନଥିବ ଲୁହ, କ୍ରସ, ସ୍ମୃତିଫଳକ, ତୁମ ନାମ ଲିଭିଯିବ ପୃଥିବୀ ବକ୍ଷରୁ -ଯେମିତି କେବେ ବି ତୁମେ ନଥିଲ, କେବେ ଆଦୌ ଜନ୍ମ ହୋଇନଥିଲ । ଥିବ କେବଳ ମଇଳା ମାଟି, ପଙ୍କ ଆଉ କାଦୁଅ । ଯେତେ ତୁମ କଫିନର ଘୋଡ଼ଣୀଟିକୁ ରାତିରେ ଉଠାଇବାକୁ ଚେଷ୍ଟା କର, ଯେତେବେଳେ ମୃତମାନେ ଉଠନ୍ତି, ଯେତେ ତୁମେ ରୋଦନ କର, “ହେ ଦୟାଳୁ ଲୋକମାନେ, ମୋତେ ଛାଡ଼ିଦିଅ ଦିନର ଆଲୁଅରେ ବଞ୍ଚିବାକୁ । ମୋ ଜୀବନ ତ ଆଦୌ ଜୀବନ ନଥିଲା, ମୋ ଜୀବନ ତ ଫିଙ୍ଗା ହୋଇ ଯାଇଛି ଗୋଟାଏ ଭଂଗା ବାସନ ପରି; ଏହା ତ ହେ’ ମାର୍କେଟର ପାନଶାଳାରେ ପିଆ ହୋଇସାରିଛି; ମୋତେ ବାହାର କରିଦିଅ, ହେ ଦୟାଳୁ ଲୋକମାନେ,ଆଉ ଥରେ ଏ ପୃଥିବୀରେ ବଞ୍ଚିବାକୁ ମୋତେ ସୁଯୋଗ ଦିଅ’’-କିଛି ବି ଘଟିବ ନାହିଁ, ତୁମେ ସେହିପରି ପଡ଼ିଥିବ କାଦୁଅ, ମାଟିରେ ।”

 

ମୁଁ ଏତେ ଉତ୍ତେଜିତ ହୋଇ ପଡ଼ିଥିଲି ଆଉ ସ୍ୱରକୁ ଏତେ ଉପରକୁ ଉଠାଇ କଥା କହୁଥିଲି ଯେ, ମୋ ତଣ୍ଟିରେ ଗୋଟାଏ ଗଣ୍ଠି ପଡ଼ିଗଲା ପରି ଲାଗିଲା ମୋତେ । ଆଉ ହଠାତ୍ ମୁଁ ଗୁମ ହୋଇଗଲି, କ’ଣ ହେଲା ଜାଣି ନପାରି ଉଠି ବସିଲି, ତାପରେ ଆତଙ୍କରେ ଛାତି ଧଡ଼ ଧଡ଼ ସହ ନଇଁ ପଡ଼ି ଶୁଣିବାକୁ ଲାଗିଲି । ମୋର ଏପରି ଆତଙ୍କିତ ହେବାର କାରଣ ବି ଥିଲା ।

 

କେତେବେଳ ଧରି ମୋତେ ଲାଗୁଥିଲା ଯେପରି ତା ଆତ୍ମାଟିକୁ ମୁଁ ଉପରୁ ତଳକୁ ଓଲଟପାଲଟ କରୁଥିଲି ଆଉ ତା ହୃଦୟକୁ ଖିନ୍‌ଭିନ୍ କରି ଚାଲିଥିଲି - ଆଉ ଯେତେ ବେଶୀ ଏଥିରେ ମୋର ବିଶ୍ୱାସ ବଢ଼ୁଥିଲା, ସେତେ ଆଗ୍ରହ ଉତ୍ତେଜନାରେ ମୁଁ ମୋ ଲକ୍ଷ୍ୟ ଶୀଘ୍ର ହାସଲ କରିବାକୁ ଓ ଯେତେ ଅଧିକ ସମ୍ଭବ ସଫଳତା ହାସଲ କରିବାକୁ ବ୍ୟଗ୍ର ହୋଇ ଉଠୁଥିଲି । ଏହା ଥିଲା ମୋର କୁଶଳତାର ବ୍ୟାୟାମ ଯାହା ମୋତେ ଗୋଟାଏ ଉଚ୍ଛ୍ୱାସରେ ବହୁ ଦୂରକୁ ଭସାଇ ନେଇ ଯାଇଥିଲା; ତଥାପି ଏହା କେବଳ ଗୋଟାଏ ଖେଳ ନଥିଲା ।

 

ମୁଁ ଜାଣିଥିଲି, ଅସହଜ, କୃତ୍ରିମ ଏପରିକି ବହିରେ ଲେଖା ହୋଇଥିବା କଥା ପରି କଥା ମୁଁ କହୁଥିଲି, ପ୍ରକୃତରେ ମୁଁ ବହିଟିଏ ପରି ନକହି ଆଉ କୋଉ ବାଟରେ କହି ବି ପାରି ନଥାନ୍ତି । ମୋପାଇଁ ଆଉ କୋଉ ବାଟ ନଥିଲା । ହେଲେ ତାହା ମୋତେ ବିଚଳିତ କଲା ନାହିଁ । ମୁଁ ଜାଣିଥିଲି, ଅନୁଭବ ବି କରିଥିଲି ଯେ ସେ କେବଳ ମୋତେ ବୁଝିବା ଦରକାର, ଆଉ ସେଥିପାଇଁ ଏଇମିତି ବହି ଭଳିଆ ହେବାଟା ହୁଏତ ସାହାଯ୍ୟ କରିପାରେ । କିନ୍ତୁ ଏବେ, ମୁଁ ଯାହା ଚାହୁଁଥିଲି ସେତକ ହାସଲ କରିସାରିଲାବେଳକୁ, ମୁଁ ହଠାତ୍ ଭୟରେ ଜଡ଼ସଡ଼ ହୋଇଗଲି । କେବେ ବି ଆଗରୁ ମୁଁ ଦେଖିନଥିଲି ଏଭଳି ନିରାଶା ! ସେ ତଳକୁ ମୁହଁ ମାଡ଼ି ଶୋଇଥିଲା, ମୁହଁକୁ ତକିଆରେ ମାଡ଼ି ଧରି ଦୁଇ ହାତରେ ତକିଆର ଦୁଇ ପାଖକୁ ଚାପି ଧରିଥିଲା । ତା ହୃଦୟ ଖଣ୍ଡ ଖଣ୍ଡ ହୋଇ ଯାଉଥିଲା । ତାର ଯୌବନଭରା ସାରା ଦେହ ଯେପରି ବାତ ମାରିଲା ପରି କମ୍ପୁଥିଲା ଥରଥର ହୋଇ । ଚାପା କୋହ ତା ଛାତିକୁ ରୁନ୍ଧି ଦେଇଥିଲା ଆଉ ହଠାତ୍ ସେ ବଡ଼ ପାଟି କରି ଭୋ, ଭୋ କାନ୍ଦିବାକୁ ଲାଗିଲା, ତାପରେ ତକିଆରେ ଜୋର୍‌ରେ ମୁହଁକୁ ଚାପି ଦେଲା; କେହି ତାର କାନ୍ଦ ଶୁଣନ୍ତୁ ସେ ଚାହୁଁ ନଥିଲା, କେହି ଗୋଟିଏ ବି ଜୀବନ୍ତ ଆତ୍ମା, ନଜାଣୁ ତାର ଯନ୍ତ୍ରଣାକୁ, ନ ଦେଖୁ ତା ଲୁହକୁ-। ସେ କାମୁଡ଼ି ପକାଉଥିଲା ତକିଆକୁ, ପୁଳାପୁଳା କରି ନିଜ ହାତରୁ ରକ୍ତ ବାହାରିଲା ଯାଏ (ପରେ ମୁଁ ଏହା ଦେଖିଥିଲି), କିମ୍ବା ତା ଆଙ୍ଗୁଠିଗୁଡ଼ାକୁ ବିପର୍ଯ୍ୟସ୍ତ କେଶରାଶିରେ ପୁରାଇ ଟାଣି ପକାଉଥିଲା, ନିଜକୁ ସମ୍ଭାଳିବାକୁ ଚେଷ୍ଟା କରି ଦେହକୁ ଟାଣ କରି ଦେଇଥିଲା, ନିଃଶ୍ୱାସକୁ ଚାପି ଧରି ଦାନ୍ତକୁ କଡ଼ମଡ଼ କରୁଥିଲା ।

 

ମୁଁ ତାକୁ ଶାନ୍ତ ହେବାକୁ ଅନୁନୟ କରି କିଛି କହିବାକୁ ଆରମ୍ଭ କରିବାକୁ ଗଲାବେଳକୁ ଅନୁଭବ କଲି ଯେ ସେଥିପାଇଁ ମୁଁ ସାହସ କରିପାରୁ ନାହିଁ; ଆଉ ହଠାତ୍‌, ଗୋଟାଏ ଶୀତଳ କଂପନର ଝଟକାରେ, ପ୍ରାୟ ଭୟରେ, ଅନ୍ଧାରରେ ଅଣ୍ଡାଳି ଅଣ୍ଡାଳି, ତରତର ହୋଇ ପୋଷାକ ପିନ୍ଧି ସେଠାରୁ ବାହାରି ଯିବାକୁ ଚେଷ୍ଟା କଲି । ଅନ୍ଧାର ହୋଇଥିଲା; ମୋ ସାଧ୍ୟମତେ ଚେଷ୍ଟା କରି ମଧ୍ୟ ମୋର ପୋଷାକ ପିନ୍ଧିବା କାମ ଚଞ୍ଚଳ ସାରି ପାରିଲି ନାହିଁ । ହଠାତ୍ ମୋ ହାତ ଗୋଟାଏ ଦିଆସିଲି ଡବା ଆଉ ମହମବତୀଟିଏ ଉପରେ ପଡ଼ିଲା, ମହମବତୀଟି ପୂରା ନୂଆ ଥିଲା । କୋଠରୀଟି ଆଲୋକିତ ହେବା କ୍ଷଣି ଲିଜା ଚମକି ପଡ଼ି, ଡେଇଁ ପଡ଼ି ଉଠି ବସିଲା ଖଟ ଉପରେ, ଆଉ ସଂକୁଚିତ, ତ୍ରସ୍ତ ମୁହଁରେ, ଅର୍ଦ୍ଧପାଗଳ ପରି ହସଟିଏ ହସି ମୋତେ ଏକପ୍ରକାର ଅଜ୍ଞାତ ପରି ଚାହିଁଲା । ମୁଁ ତା ପାଖରେ ବସିଲି, ତା ହାତକୁ ମୋ ହାତ ଭିତରେ ଧରିଲି; ସେ ତା ନିଜ ଭିତରକୁ ଫେରି ଆସିଲା, ମୋ’ଆଡ଼କୁ ସ୍ୱତଃସ୍ଫୂର୍ତ୍ତ ଭାବରେ ଆଗେଇ ଆସିବାକୁ ନଇଁ ପଡ଼ିଲା; ସଂଗେ ସଂଗେ ମତେ ସେ ଧରି ପକାଇ ଥାଆନ୍ତା, କିନ୍ତୁ ସାହସ କଲା ନାହିଁ, ଆଉ ଧୀରେ ଧୀରେ ମୋ ଆଗରେ ମୁଣ୍ଡଟିକୁ ତାର ନୁଆଁଇ ଦେଲା ।

 

“ଲିଜା, ପ୍ରିୟା, ମୋର ସବୁ ଭୁଲ... ମତେ କ୍ଷମା କରିଦିଅ, ପ୍ରିୟା ।” ମୁଁ ଆରମ୍ଭ କରୁଥିଲି, ହେଲେ ସେ ମୋ ହାତକୁ ଯାବୁଡ଼ି ଏତେ ଜୋର ଚିପି ଦେଲା ଯେ ମୁଁ ଜାଣି ପାରିଲି ମୁଁ ଭୁଲ କଥା କହୁଥିଲି ବୋଲି ଏବଂ ଚୁପ ରହିଲି ।

 

“ଏଇ ମୋ ଠିକଣା ଲିଜା, ଆସିବ ମୋ ପାଖକୁ ।”

“ମୁଁ ଆସିବି,” ସେ ଗୋଟାଏ ସିଦ୍ଧାନ୍ତ ନେଲା ପରି କହିଲା, ତା ମୁଣ୍ଡ ତଥାପି ତଳକୁ ନଇଁ ରହିଥିଲା ।

“ହଉ, ବର୍ତ୍ତମାନ ମୁଁ ଯାଉଛି, ବିଦାୟ... ପୁଣି ଆମର ସାକ୍ଷାତ୍‍ ହେଲା ଯାଏଁ ।”

 

ମୁଁ ଉଠି ଠିଆ ହେଲି; ସେ ବି ଉଠି ଠିଆ ହୋଇ ପଡ଼ିଲା ଓ ହଠାତ୍ ତା’ର ସାରା ଦେହ ଲଜ୍ଜାରେ ଲାଲ ହୋଇଗଲା, ଦେହ ତାର କଂପିଗଲା । ଚେଆର ଉପରେ ପଡ଼ିଥିବା ସାଲଟିକୁ ଝାମ୍ପିନେଲା ପରି ନେଇଯାଇ, ଦେହକୁ ତାର ଓଠଯାଏ ଘୋଡ଼େଇ ପକେଇଲା । ଏଇତକ କରିବା ଭିତରେ ଆଉ ଥରେ ସେ ହସିଲା ରୋଗୀଟିଏ ପରି, ମୁହଁ ଲାଲ ହୋଇଗଲା ଲାଜରେ, ଆଉ ମତେ ସେ ଅନେଇଲା ଅଦ୍ଭୁତ ଆଖିରେ । ମୋତେ ମାଟିରେ ମିଶିଗଲା ପରି ଲାଗିଲା; ସେଠାରୁ ଉଭାନ୍ ହୋଇଯିବାପାଇଁ, ଦୂରକୁ ପଳାଇଯିବାପାଇଁ ମୁଁ ତରବର ହେଲି ।

 

“ଗୋଟେ ମିନିଟ୍‍ ରୁହ,” ହଠାତ୍ କବାଟ ପାଖକୁ ଯିବା ବାଟରେ, ମୋ ଓଭର୍‌କୋଟ ଉପରେ ତା ହାତ ରଖି ସେ ଅଟକାଇ ଦେଲା । ମହମବତୀଟିକୁ ତରତରରେ ତଳେ ଥୋଇ ଦେଇ ସେ ଦୌଡ଼ି ଚାଲିଗଲା; କିଛି ଗୋଟାଏ ତାର ନିଶ୍ଚୟ ମନେପଡ଼ି ଯାଇଥିଲା କିମ୍ବା ମୋତେ କିଛି ସେ ଦେଖାଇବାକୁ ଚାହୁଁଥିଲା । ଦୌଡ଼ିଗଲାବେଳକୁ ତା ମୁହଁକୁ ସବୁଯାକ ରକ୍ତ ଚହଟି ଆସିଥିଲା, ଆଖି ତାର ଚକ୍‌ଚକ୍ କରୁଥିଲା । ଆଉ ତା ଓଠରେ ଲାଖିଥିଲା ଧାରେ ହସ- ଏହାର ଅର୍ଥ କ’ଣ ଥିଲା? ମୋ ଇଚ୍ଛା ବିରୁଦ୍ଧରେ ମୁଁ ଅପେକ୍ଷା କଲି: ମିନିଟ୍‌କ ଭିତରେ ସେ ଫେରି ଆସିଲା ଆଖିରେ କ୍ଷମା ପ୍ରାର୍ଥନାର ମିନତି ଧରି । ପ୍ରକୃତରେ ଏ ମୁହଁ ଆଉ ସଂଧ୍ୟାବେଳର ସେ ମୁହଁ ନଥିଲା, ଏ ଚାହାଣୀ ଆଉ ନଥିଲା ସେଇ ସଂଧ୍ୟାର ପୂର୍ବ ଚାହାଣୀ-ରୁଦ୍ଧ ରାଗ, ଅବିଶ୍ୱାସ, ନିର୍ଦ୍ଦୟତା ଓ ଜିଦିରେ ପୂର୍ଣ୍ଣ । ଏବେ ତାର ଆଖିଯୋଡ଼ିକ ଯେପରି କିଛି ଖୋଜୁଥିଲା, ଏହା ଥିଲା କୋମଳ ଓ ବିଶ୍ୱାସନୀୟ, ଅନୁରାଗୀ ଓ ଭୀରୁ । ଏ ଚାହାଣୀ ଥିଲା ସେଇ ପିଲାମାନଙ୍କ ପରି, ଯେଉଁମାନେ ବଡ଼ମାନଙ୍କୁ ବେଶୀ ଭଲ ପାଆନ୍ତି ଆଉ ଯାହାଠାରୁ କିଛି ପାଇବାର ଆଶା ଥାଏ, ସେମାନଙ୍କୁ ଯେମିତି ଅନାନ୍ତି, ସେଇମିତି ସେ ମୋତେ ଅନାଇଥିଲା । ତା’ର ଆଖି ଥିଲା ହାଲକା ବାଦାମୀ ରଂଗର ଆଉ ଏହା ପ୍ରେମ ପ୍ରକାଶ କରିବାକୁ ଥିଲା ଯେତିକି ସମର୍ଥ, ଅବରୁଦ୍ଧ ଘୃଣା ପ୍ରକାଶ କରିବାକୁ ବି ଥିଲା ସେତିକି ବ୍ୟଗ୍ର ।

 

ସତେ ଯେମିତି ମୁଁ ଗୋଟାଏ ଉଚ୍ଚତର ଜୀବ, ବିନା ବ୍ୟାଖ୍ୟାରେ ସବୁ ନିଶ୍ଚିୟ ବୁଝିଯିବି ସେଇମିତି ଭାବି, କିଛି ଗୌରଚନ୍ଦ୍ରିକା ନକରି ସେ ମୋତେ ଖଣ୍ଡେ କାଗଜ ବଢ଼ାଇ ଦେଲା । ସେଇ ମୁହୂର୍ତ୍ତରେ ତା’ର ସଂପୂର୍ଣ୍ଣ ମୁହଁଟି ଝଲସୁଥିଲା ଗୋଟେ ସରଳ, ଗ୍ରାମ୍ୟ ଶିଶୁସୁଲଭ ବିଜୟରେ । କାଗଜଟିକୁ ମୁଁ ଖୋଲିଲି । ଏହା ଥିଲା ଗୋଟେ ମେଡ଼ିକାଲ ଛାତ୍ର ବା ସେହିପରି ଏକ ଯୁବକର ତା ପାଖକୁ ଲେଖା ଚିଠିଟିଏ । ଖୁବ୍ ଉଚ୍ଚ କାଳ୍ପନିକ ଭାବରେ, ସୁନ୍ଦର ଭାଷାରେ ଲେଖା ପ୍ରେମ ନିବେଦନ, ଆଉ ଅତି ମାତ୍ରାରେ ସମ୍ମାନଜନକ ପ୍ରେମ ପତ୍ରଟିଏ । ଏବେ ମୁଁ ଆଉ ସେ ଶବ୍ଦଗୁଡ଼ିକୁ ମନେପକାଇ ପାରୁ ନାହିଁ । କିନ୍ତୁ ମୋର ଭଲ କରି ମନେଅଛି ଏହି ଉଚ୍ଚକୋଟୀର ଭାଷା ଓ ବର୍ଣ୍ଣର୍ନା ଭିତରେ ସ୍ପଷ୍ଟ ହେଉଥିଲା ଗୋଟେ ପ୍ରକାର ସ୍ୱଚ୍ଛ ହାର୍ଦ୍ଦିକତା । ମୁଁ ଯେତେବେଳେ ଚିଠିଟିକୁ ପଢ଼ି ସାରିଲି, ଦେଖିଲି ତା ଆଖି ଚକ୍ ଚକ୍ କରୁଥିଲା ଆଉ ତା’ର ପିଲାଳିଆ ଅଧୈର୍ଯ୍ୟ ଆଖି ଦୁଇଟି ମୋ ଉପରେ ସ୍ଥିର ହୋଇ ଯାଇଥିଲା ।

 

ସେ ତା ଆଖି ଦୁଇଟିକୁ ମୋ ମୁହଁ ଉପରେ ସ୍ଥିର ରଖି ଅଧୈର୍ଯ୍ୟ ହୋଇ ଅପେକ୍ଷା କରିଥିଲା ମୁଁ କ’ଣ କହିବି ଶୁଣିବାପାଇଁ । ଅତି ଅଳ୍ପ ଶବ୍ଦରେ, ତରତର ହୋଇ, କିନ୍ତୁ ଏକ ପ୍ରକାର ଖୁସି ଓ ଗର୍ବର ସହିତ ସେ ମୋତେ ବୁଝାଇ ଦେଲା ଯେ, ଏଇଠି ସେ ଜଣେ ଭଦ୍ରଲୋକଙ୍କ ଘରକୁ ନାଚ ଆସରରେ ଯୋଗ ଦେବାକୁ ଯାଇଥିଲା । ସେ ପରିବାରଟିରେ ଥିଲେ ବହୁତ ଭଲ ଲୋକ, ଯେଉଁମାନେ ତା ବିଷୟରେ କିଛି, କିଛି ବି ଜାଣି ନଥିଲେ, କାରଣ ସେ ଏତେ କମ୍ ଦିନ ହେଲା ଏଠାକୁ ଆସିଥିଲା, ଆଉ ଏସବୁ ଘଟିଗଲା... ତା ଛଡ଼ା ସେ ବି ତାର ମନ ସ୍ଥିର କରି ନଥିଲା ଏଠି ରହିବାକୁ, ଯେତେଶୀଘ୍ର ପାରେ ଋଣ ପରିଶୋଧ କରି ତାର ଚାଲିଯିବା କଥା... । ସେଇ ପାର୍ଟିକୁ ଆସିଥିଲା ସେଇ ଛାତ୍ରଟି ଯିଏ ନାଚି ଥିଲା ତା ସାଥିରେ ସଂଧ୍ୟା ସାରା । ତା ସାଂଗେ ବହୁତ କଥା ହୋଇଥିଲା ଆଉ ସେଇଥିରୁ ଜଣା ପଡ଼ିଥିଲା ଯେ ସେ ତାକୁ ବହୁ ଆଗରୁ ରିଗାରେ ଥିଲାବେଳେ ଯେତେବେଳେ ପିଲାଟିଏ ହୋଇଥିଲା ଜାଣିଥିଲା, ସେମାନେ ଏକାଠି ଖେଳିଥିଲେ, କିନ୍ତୁ ସେସବୁ ବହୁତ ଦିନ ତଳର କଥା-ଆଉ ପୁଅଟି ଝିଅର ବାପା-ମାଆଙ୍କୁ ଜାଣିଥିଲା, ହେଲେ ଏ ବିଷୟରେ କିଛି ଜାଣିନଥିଲା, କିଛି ବି ନୁହେଁ, ତାର ସନ୍ଦେହ ବି ନଥିଲା । ଆଉ ନାଚ ପରଦିନ (ତିନିଦିନ ପୂର୍ବରୁ) ପିଲାଟି ଏ ଚିଠିଟି ପଠାଇଥିଲା ତାର ଗୋଟିଏ ସାଂଗ ହାତରେ ଯାହା ସାଥିରେ ଲିଜା ସେ ପାର୍ଟିକୁ ଯାଇଥିଲା.. ଆଉ.. ବାସ୍‌... ଏଇତକ ସବୁକଥା ।

 

ଏକ ପ୍ରକାର ସସ୍ନେହ ଅଧିକାରରେ ସେ ତାର ଚକ୍‌ଚକ୍ ଆଖି ଦୁଇଟିକୁ ତଳକୁ କଲା ।

 

ବିଚାରି ଝିଅଟି ଛାତ୍ରର ଏଇ ଚିଠିଟିକୁ ଗୋଟିଏ ମହାମୂଲ୍ୟବାନ ସଂପତ୍ତି କରି ସାଇତି ରଖିଥିଲା, ଆଉ ଦୌଡ଼ି ଯାଇଥିଲା ଏହାକୁ ଆଣିବାକୁ, ତାର ଏକମାତ୍ର ସଂପତ୍ତିକୁ, କାରଣ ସେ ଚାହୁଁନଥିଲା ମୁଁ ଏହା ନ ଜାଣି ଚାଲିଯାଏ ଯେ ସେ ବି ପ୍ରକୃତ, ସ୍ୱର୍ଗୀୟ, ନିର୍ମଳ, ସଚ୍ଚୋଟ ପ୍ରେମ ପାଇଛି; ସେ ବି ସମ୍ମାନର ସହ ସମ୍ବୋଧିତ ହୋଇଛି, ନିଃସନ୍ଦେହରେ ସେଇ ଚିଠିଟି ତାର ବାକ୍ସ ଭିତରେ ଚିରକାଳ ସାଇତା ହେବାର ଭାଗ୍ୟ ଧରି ଆସିଥିଲା, ଏହାର ଭବିଷ୍ୟତ କିଛି ନଥିଲା । କିନ୍ତୁ ତଥାପି ବି, ମୁଁ ଦୃଢ଼ ନିଶ୍ଚିତ ଯେ ସେ ଏହାକୁ ତାର ସାରାଜୀବନ ଗୋଟିଏ ଦୁର୍ମୂଲ୍ୟ ଧନ ପରି, ତାର ଅହଂକାର ଓ ସାର୍ଥକତା ପରି ପାଖେ ପାଖେ ରଖିବ, ଆଉ ଏବେ ଏଭଳି ଏକ ମୁହୂର୍ତ୍ତରେ ସେ ଯେ ସେଇ ଚିଠିଟି କଥା ଭାବିଥିଲା ଓ ସରଳ ଅହଂକାରରେ ମୋତେ ଆଣି ଦେଖାଇଥିଲା ମୋ ଆଖିରେ ନିଜକୁ ଉପରକୁ ଉଠାଇବାକୁ, ତା ହେଲେ ମୁଁ ବି ଦେଖିପାରିବି ଚିଠିଟିକୁ ଓ ତା ବିଷୟରେ ଅଧିକ ଭଲ ଧାରଣା କରିବି । ମୁଁ କିଛି କହିଲି ନାହିଁ, ତା ହାତ ପାପୁଲିକୁ ଟିକିଏ ଚିପି ଦେଇ, ବାହାରକୁ ବାହାରିଗଲି । ଓଃ, ସେଠାରୁ ପଳାଇ ଆସିବାକୁ କେତେ ମୁଁ ଚାହୁଁଥିଲି... । ସେତେବେଳେ ବରଫ ତରଳ କୁଣ୍ଡା ଝଡ଼ିଲା ପରି ଫୁଲ୍‌କା ଫୁଲ୍‌କା ପଡ଼ୁଥିବା ସତ୍ୱେ ମୁଁ ଚାଲିଚାଲି ଘରକୁ ଫେରିଲି । ମୁଁ କ୍ଳାନ୍ତ, ଧ୍ୱସ୍ତ ବିଧ୍ୱସ୍ତ ହୋଇ ଯାଇଥିଲି, ଆଶ୍ଚର୍ଯ୍ୟରେ, ଜୀବନର ଅହେତୁକତାରେ, ଜଟିଳତାରେ, ଦୁର୍ବୋଧ୍ୟତାରେ । ହେଲେ ସେଇ ଅବୁଝା ପଣର ପଛପଟୁ ଝଟକିବା ଆରମ୍ଭ କରିସାରିଥିଲା ସତ୍ୟ । ଘୃଣ୍ୟ, ନଗ୍ନ ସତ୍ୟ !

 

Unknown

(ଆଠ)

 

ହେଲେ ସେଇ ସତ୍ୟକୁ ଚିହ୍ନିବାପାଇଁ ମୋ ଅନ୍ତର ସମ୍ମତି ଜଣାଇଲାବେଳକୁ ଢେର୍ ବେଳ ଗଡ଼ି ଯାଇଥିଲା । କେତେ ଘଣ୍ଟାର ନିଘୋଡ଼ ନିଦ ପରେ ସକାଳୁ ଉଠିଲାବେଳକୁ ଗତ ଦିନର ଘଟଣାସବୁ ମନେପଡ଼ିଗଲା, ଲିଜା ସହିତ ମୋର ଗତରାତିର ଆବେଗମୟ ଆଳାପ ମନେପଡ଼ି ମୁଁ ନିଜ ଭିତରେ ନିଜେ ଚକିତ ହେଲି, ଅଭିଭୂତ ହେଲି, “ଯେତେ ସବୁ ଭୟ ଓ ଦୟାର ଆର୍ତ୍ତ ଚିତ୍କାର... ନାରୀ ସୁଲଭ ପାଗଳାମୀର ପରିପ୍ରକାଶ” ଥିଲା ଏସବୁ । ଫୁଃ । ହେଲେ କ’ଣ ପାଇଁ ମୁଁ ତା ହାତରେ ମୋ ଠିକଣା ଦେଇ ଆସିଲି? ଆଉ ଯଦି ସେ ଏଠାକୁ ଚାଲି ଆସେ? ଆସୁ ସେ, କିଛି ଯାଏ ଆସେ ନାହିଁ... ହେଲେ ଏଇଟା ବର୍ତ୍ତମାନର ମୁଖ୍ୟ ଆଉ ସବୁଠାରୁ ଦରକାରୀ କଥା ନୁହେଁ ନିଶ୍ଚୟ । ମୋତେ ତରତର ହୋଇ ବାହାରି ଯିବାକୁ ହେବ ଆଉ ଯେ କୌଣସି ପ୍ରକାରେ ଜେରକୋଭ ଓ ସିମନଭ୍‍ ସାମ୍ନାରେ ଯେତେଶୀଘ୍ର ସମ୍ଭବ ମୋର ସମ୍ମାନ ରକ୍ଷା କରିବାକୁ ପଡ଼ିବ; ସେଇଟା ଥିଲା ମୋର ପ୍ରଥମ କାମ । ଆଉ ସେଦିନ ସକାଳୁ ପ୍ରକୃତରେ ମୁଁ ଏତେ କାର୍ଯ୍ୟବ୍ୟସ୍ତ ରହିଲି ଯେ ଲିଜା କଥା ପୂରାପୂରି ଭୁଲିଗଲି ।

 

ପ୍ରଥମରେ ଗତକାଲି ସିମନଭ୍‍ଠାରୁ ଯାହା ମୁଁ ଧାର ଆଣିଥିଲି ସେସବୁ ସାଂଗେ ସାଂଗେ ଫେରାଇବାକୁ ହେବ । ଗୋଟାଏ ନିରାଶାସୂଚକ ପଦକ୍ଷେପ ନେବାକୁ ସ୍ଥିର କଲି । ମୁଁ ସିଧାସଳଖ ଆଣ୍ଟୋନ ଆଣ୍ଟୋନେକଠାରୁ ପନ୍ଦର ରୁବଲ୍ ଧାର ଆଣିଲି । ମୋ ଭାଗ୍ୟକୁ ସେଦିନ ସକାଳୁ ସେ ଭଲ ମିଜାଜ୍‌ରେ ଥିଲେ, ଆଉ ସାଂଗେ ସାଂଗେ କହୁ କହୁ ମୋତେ ଅର୍ଥତକ ବଢ଼ାଇ ଦେଲେ । ମୁଁ ଏଥିରେ ଏତେ ଖୁସି ହୋଇଗଲି ଯେ, ଷ୍ଟାମ୍ପ କାଗଜରେ ଛାତି ଫୁଲାଇ ଦସ୍ତଖତ କଲାବେଳକୁ, ମୁଁ ତାଙ୍କୁ ସାଧାରଣ ଭାବରେ ଗତରାତି କଥା କହିଲି “ହୋଟେଲ ଡି ପାରିସ୍‌ରେ କେତେଜଣ ସାଙ୍ଗଙ୍କ ସାଥିରେ କାଲି ସଂଧ୍ୟାଟା କଟିଗଲା; ଆମର ଗୋଟାଏ ସାଂଗକୁ ଆମେ ବିଦାୟ ଭୋଜି ଦେଉଥିଲୁ, ମୋର ପିଲାଦିନର ସାଂଗ-ଅବଶ୍ୟ ସେ ଧନୀ ପରିବାରର ପିଲାଟା, ବେଶ୍ ସ୍ୱଚ୍ଛଳ, ସଂପନ୍ନ, ଖୁବ୍ ଭଲ ଡିଗ୍ରୀ ପାଇଛି; ବୁଦ୍ଧିମାନ, ସୁନ୍ଦର, ଆକର୍ଷଣୀୟ-ବୁଝିପାରୁଛନ୍ତି ତ? ଆମେ ଅଧିକା ଅଧଡଜନେ ପିଇଦେଲୁ... ଆଉ... ।”

 

ବାସ୍‌, ସବୁ ଠିକ୍ ହୋଇଗଲା; ଏସବୁ ଅତି ସହଜରେ ମୁଁ ଉଚ୍ଚାରଣ କରି ପକାଇଲି, ବିନା କଷ୍ଟରେ, ବିନା ସଂକୋଚରେ, ଶାନ୍ତ ସନ୍ତୋଷରେ ।

 

ଘରେ ପହଞ୍ଚି ମୁଁ ସାଂଗେ ସାଂଗେ ସିମନଭ୍‌କୁ ଗୋଟିଏ ଚିଠି ଲେଖିଲି ।

 

ଏ ପର୍ଯ୍ୟନ୍ତ ବି ମୁଁ ଲେଖିଥିବା ଚିଠିର ପ୍ରକୃତ ମର୍ଯ୍ୟାଦାବୋଧ, ବନ୍ଧୁତ୍ୱପୂର୍ଣ୍ଣ ଶବ୍ଦ, ସ୍ୱଚ୍ଛ ସ୍ୱରକୁ ଯେତେବେଳେ ମନେପକାଏ ମୁଁ ନିଜେ ମୋ ନିଜର ପ୍ରଶଂସାରେ ହଜିଯାଏ । କୁଶଳତା ଓ ଆଭିଜାତ୍ୟର ସହିତ, ଗୋଟିଏ ବି କୃତ୍ରିମ ଶବ୍ଦ ପ୍ରୟୋଗ ନକରି, ମୁଁ ନିଜକୁ ହିଁ ଦୋଷୀ ସାବ୍ୟସ୍ତ କରିଥିଲି ପୂର୍ବ ସଂଧ୍ୟାରେ ଘଟିଥିବା ଘଟଣାପାଇଁ, ମୁଁ ନିଜପାଇଁ ସଫେଇ ଦେଇଥିଲି, “ଯଦି ପ୍ରକୃତରେ ମୋ ନିଜପାଇଁ ମୋତେ ସଫେଇ ଦେବାକୁ ଅନୁମତି ଦିଆଯାଏ,” ଯେ ମଦ ସହ ଆଦୌ ଅଭ୍ୟସ୍ତ ନଥିବା ହେତୁ, ମୁଁ ପ୍ରଥମ ଗ୍ଲାସରେ ହିଁ ମାତାଲ ହୋଇ ଯାଇଥିଲି । ସେମାନେ ଆସିବା ଆଗରୁ ମୁଁ ସେମାନଙ୍କୁ ଅପେକ୍ଷା କଲାବେଳେ ପିଇଥିଲି ବୋଲି ଯାହା ଲେଖିଥିଲି, ହୋଟେଲ ଡି ପାରିସରେ ପାଞ୍ଚଟାରୁ ଛଅଟା ଭିତରେ ଏହା ମୁଁ କରିଥିଲି । ସିମନଭ୍‍ର କ୍ଷମା ମୁଁ ବିଶେଷ ଭାବରେ ଲୋଡ଼ିଥିଲି; ତାକୁ ଲେଖିଥିଲି ଅନ୍ୟମାନଙ୍କୁ ମୋର କ୍ଷମା ପ୍ରାର୍ଥନା ଜଣାଇ ଦେବାକୁ, ବିଶେଷତଃ ଜେରକୋଭକୁ । ଯାହାକୁ (ମୋତେ ଲାଗୁଥିଲା ଯେମିତି ସ୍ୱପ୍ନରେ ମନେ ରଖିଥିଲି) ମୁଁ ବହୁତ ଅପମାନିତ କରିଥିଲି । ଆଉ ମଧ୍ୟ ଲେଖିଥିଲି ଯେ ମୁଁ ନିଜେ ଯାଇ ସେମାନଙ୍କୁ ବ୍ୟକ୍ତିଗତ ଭାବରେ ଦେଖା କରିଥାନ୍ତି, ହେଲେ ମୋର ଭୀଷଣ ମୁଣ୍ଡବ୍ୟଥା ହେଉଥିଲା, ତା ଛଡ଼ା ମୋର ମୁହଁ ବି ନଥିଲା ସେମାନଙ୍କୁ ଦେଖା କରିବାକୁ । ଗୋଟେ ପ୍ରକାର ହାଲ୍‌କାଭାବ, ଏପରିକି ପ୍ରାୟ ଦାୟିତ୍ୱହୀନ ଭାବରେ ମୁଁ ଖୁସି ଥିଲି (ତେବେ ଭଦ୍ରତାର ସୀମା ଭିତରେ ଥିଲି ନିଶ୍ଚୟ) ଏସବୁ ମୋ ଲେଖିବା ଷ୍ଟାଇଲରେ ଥିଲା ସୁସ୍ପଷ୍ଟ । କଥାଟା ମଧ୍ୟ ଥିଲା ଯେ କୌଣସି ସମ୍ଭାବ୍ୟ ଯୁକ୍ତିଠାରୁ ଅଧିକ ଯୁକ୍ତିନିଷ୍ଠ । ସେମାନଙ୍କୁ ଚିଠିରେ ତତ୍‌କ୍ଷଣାତ୍ ମୁଁ ବୁଝାଇ ଦେଇଥିଲି ଯେ, “ଗତ ରାତିର ଯେତେ ସବୁ ଅସୁଖକର ଘଟଣା”ପାଇଁ ମୁଁ ବି ତୁମ ମାନଙ୍କଠାରୁ କମ୍ ଲଜ୍ଜିତ ହୋଇ ନାହିଁ; ମୋ ସାଂଗମାନେ, ତୁମେ ସମ୍ଭବତଃ ଯେପରି ଭାବୁଛ ସେପରି ମୁଁ ଆଦୌ କ୍ରୋଧାନ୍ୱିତ ହୋଇ ନାହିଁ, ବରଂ ଠିକ୍ ଓଲଟା ଘଟିଅଛି । ଘଟଣାଟିକୁ ମୁଁ ଠିକ୍ ସେହିପରି ଦେଖିଛି ଯେପରି ନିଜକୁ ଅତି ପବିତ୍ର ଭାବରେ ସମ୍ମାନ କରୁଥିବା ଜଣେ ଭଦ୍ରଲୋକ ଏହାକୁ ଦେଖିଥାନ୍ତା । ‘ଗୋଟାଏ ଯୁବ ବୀରର ଅତୀତ ଉପରେ କୌଣସି ପ୍ରତିବନ୍ଧକ ଲଗାଯାଏ ନାହିଁ !’

 

“ଏଥିରେ ପ୍ରକୃତରେ ଗୋଟାଏ ଅଭିଜାତ ସୁଲଭ ଶ୍ରଦ୍ଧା ଅଛି ।” ଚିଠିଟିକୁ ପଢ଼ି ସାରିଲା ପରେ ପ୍ରଶଂସାସୂଚକ ଭାବରେ ମୁଁ ଭାବିଲି । ଏସବୁ ପୁଣି ସଂଭବ ହୋଇଛି କାରଣ ମୁଁ ଗୋଟାଏ ବୁଦ୍ଧିମାନ ଆଉ ସୁସଂସ୍କୃତ ଲୋକ ବୋଲି । ମୋ ଯାଗାରେ ଆଉ ଗୋଟେ ଲୋକ ଥିଲେ ସେ ଜାଣି ପାରିନଥାନ୍ତା କିମିତି ନିଜକୁ ପ୍ରକାଶ କରିବ । କିନ୍ତୁ ଏଠି ମୁଁ ଏଥିରୁ ମୁକୁଳି ଆସିଛି ଆଉ ସବୁବେଳ ପରି ପୁଣି ଖୁସି ଅଛି । ଏସବୁ ସଂଭବ ହୋଇପାରିଛି କାରଣ ମୁଁ ଗୋଟାଏ “ସୁସଂସ୍କୃତ ଶିକ୍ଷିତ ଲୋକ ଆମ ସମୟର ।” ଆଉ ପ୍ରକୃତରେ ବୋଧେ, ଗତକାଲି ସବୁକଥା ଘଟିଗଲା କେବଳ ମଦପାଇଁ । ହୁଃ... । ନା, ଏହା ମଦ ନଥିଲା । ମୁଁ ଯେତେବେଳେ ପାଞ୍ଚଟାରୁ ଛଅଟା ଭିତରେ ସେମାନଙ୍କୁ ଅପେକ୍ଷା କରିଥିଲି ଟୋପାଏ ବି ମଦ ପିଇ ନଥିଲି । ସିମନଭ୍‍କୁ ମୁଁ ମିଛ କହିଥିଲି; ନିର୍ଲଜ ଭାବରେ ମିଛ କହିଥିଲି, ହଁ; ଅଥଚ ଏବେ ମୁଁ ସେଥିପାଇଁ ଟିକେ ବି ଲଜ୍ଜା ଅନୁଭବ କରୁନଥିଲି... ଛାଡ଼ ସେ ସବୁ କଥା, ଅସଲ କଥାଟା ଏବେ ଥିଲା ଯେ ଏଥିରୁ ମୁଁ ବର୍ତ୍ତି ଯାଇଥିଲି ।

 

ଚିଠି ଭିତରେ ମୁଁ ଛଅ ରୁବଲ୍ ରଖିଦେଲି, ଚିଠି ବନ୍ଦ କରି ସିଲ୍ ମାରି ଦେଲି, ଆଉ ଆପୋଲନ୍‌କୁ କହିଲି ଚିଠିଟି ନେଇ ସିମନଭ୍‌କୁ ଦେଇ ଦେବାକୁ । ଯେତେବେଳେ ଚିଠି ଭିତରେ ଅର୍ଥ ଥିବାର ଜାଣିଲା, ଆପୋଲନ୍ ଅଧିକ ସମ୍ମାନର ସହ ଏହାକୁ ନେଇଯିବାକୁ ରାଜି ହୋଇଗଲା । ସଂଧ୍ୟାବେଳକୁ ମୁଁ ଟିକେ ଚାଲିଚାଲି ବୁଲିଯିବାକୁ ବାହାରିଲି । ମୋ ମୁଣ୍ଡ ଭାରି ଜୋର ବିନ୍ଧି ବୁଲେଇ ହେଉଥିଲା । ହେଲେ ଯେତେବେଳେ ସଂଜ ନଇଁ ଆସିଲା ଆଉ ଗୋଧୂଳି ହେଲା ଗାଢ଼ତର, ମୋ ମନ ଭିତରେ ଧାରଣାମାନଙ୍କ ପଛେ ପଛେ, ମୋର ଚିନ୍ତା ଓ ଭାବନାମାନ ଅଧିକ ଅଲଗା ପ୍ରକାରର, ଅଧିକ ଅସ୍ୱଚ୍ଛ ହୋଇ ବଢ଼ିଚାଲିଲା । କିଛି ଗୋଟାଏ ମୋ ଭିତରେ ମରି ନଥିଲା, ମୋ ହୃଦୟ ଆଉ ବିବେକ ତଳେ ଏହା କେବେ ବି ଯେ ମରିବ ନାହିଁ, ଏଇ କଥାଟି ଗଭୀର ନୈରାଶ୍ୟ ଭିତରେ ମୁଣ୍ଡଟେକି ନିଜକୁ ନିଜେ ଦେଖାଉଥିଲା । ବହୁତ ବାଟ ସେଇ ଜନଗହଳି ରାସ୍ତା ମଝିରେ ମୁଁ ଗଳିପଶି ଆଗେଇ ଚାଲିଥିଲି- ମେକନ୍‌ସ୍କି ଗଳି, ସାଦ୍‌ଭି ଗଳି ପରେ ୟୁସୁପୋଭ୍ ପାର୍କ ଦେଇ ଚାଲିଥିଲି ମୁଁ ।

 

ବିଶେଷ କରି ସଂଜବେଳେ ଏଇସବୁ ଗଳି ଭିତରେ ଲୋକଙ୍କ ମଝିରେ ଠେଲିପେଲି ବୁଲିବାକୁ ମୋତେ ଭଲ ଲାଗୁଥିଲା । ଠିକ୍ ଯେତେବେଳେ ମଜ୍‌ଦୂର ଶ୍ରେଣୀର ଲୋକମାନେ ସେମାନଙ୍କ ଦିନ ମଜୁରୀ ଖଟି ବ୍ୟସ୍ତ ହୋଇ ଘରକୁ ବିବ୍ରତ ମୁହଁରେ ଫେରୁଥିଲେ ସେମାନଙ୍କ ଭିତରେ ଗଳି ପଶି ଚାଲିବାକୁ ମତେ ସବୁବେଳେ ଭାରି ଭଲ ଲାଗୁଥିଲା । ମୋତେ ଭଲ ଲାଗୁଥିଲା ଶସ୍ତା ଚଞ୍ଚଳତା, ସେଇ ନିର୍ମମ ସାଧାରଣ ଗଦ୍ୟମୟ ଜୀବନ । ହେଲେ ଆଜି ମୋତେ ଗଳି ଭିତରେ ଠେଲି ପେଲି ଚାଲିବା ଭାରି ବିରକ୍ତିକର ଲାଗିଲା । ମୁଁ ଜାଣିପାରିଲି ନାହିଁ କୋଉ ଜିନିଷଟା ମୋତେ ବିରକ୍ତ ଲାଗୁଥିଲା, ଭୁଲଟା କୋଉଠି ଥିଲା ମୁଁ ଜାଣି ପାରୁ ନଥିଲି । ମୋ ଆତ୍ମା ଭିତରେ କିଛି ଗୋଟାଏ କ୍ରମାଗତ ଭାବରେ ଉପରକୁ ଉଠିଲା ପରି ଲାଗୁଥିଲା, ଭାରି କଷ୍ଟରେ - ପୁଣି ଶାନ୍ତ ହୋଇ ରହିଯିବାକୁ ଯେପରି ମନା କରି ଚାଲିଥିଲା । ଘରକୁ ମୁଁ ଫେରିଲି ସଂପୂର୍ଣ୍ଣ ବିବ୍ରତ ହୋଇ, ମତେ ଲାଗୁଥିଲା ଯେପରି ଗୋଟାଏ କ’ଣ ଅପରାଧ ମୋ ବିବେକ ଉପରେ ଚେକାମାଡ଼ି ଶୋଇଥିଲା ।

 

ଲିଜାର ଆସିବା ଚିନ୍ତାଟା ବି ମୋତେ ବାରମ୍ବାର ବିଚଳିତ କରୁଥିଲା । ମୋତେ ବିଚିତ୍ର ବି ଲାଗିଲା ଯେ ଗତକାଲିର ସବୁ ସ୍ମୃତି ଭିତରୁ ଏଇ କଥାଟି କେବଳ ମୋତେ ଭାରି ଯନ୍ତ୍ରଣାରେ ଦଗ୍ଧ କରୁଥିଲା, ବାକି ସବୁ ଘଟଣାକୁ ଭୁଲିଯିବାରେ ମୁଁ ପ୍ରାୟ ସଫଳ ହୋଇଥିଲି । ହେଲେ ଏଇଟା ଯେମିତି ଗୋଟାଏ ଅଲଗା କଥା ଥିଲା । ମୁଁ ମନରୁ ସବୁ ପୋଛି ଦେଇଥିଲି ଓ ସିମନଭ୍‌କୁ ଲେଖିଥିବା ଚିଠି ନେଇ ବେଶ୍ ସନ୍ତୁଷ୍ଟ ଥିଲି । କିନ୍ତୁ ଏଇ କଥାଟାରେ ମୁଁ ଆଦୌ ସନ୍ତୁଷ୍ଟ ନଥିଲି । ଏମିତି ଲାଗୁଥିଲା ଯେମିତି କେବଳ ଲିଜା ହିଁ ମୋତେ ବିଚଳିତ କରୁଥିଲା । ମୁଁ ଭାବି ଚାଲିଥିଲି, “କ’ଣ ହେବ ଲିଜା ଆସିଲେ,” ଭାବୁଥିଲି, “ହଉ, କିଛି ଯାଏ ଆସେ ନାହିଁ, ଆସୁ ଲିଜା, ହୁଃ !” “ସେ ଆସି ମୁଁ କେମିତି ରହୁଛି ଦେଖିବାଟା ଭାରି ଭୟଙ୍କର କଥା ହେବ । ଗତକାଲି ମୁଁ ଏପରି ଗୋଟାଏ ବଡ଼ ହିରୋ ହୋଇ ତା ଆଗରେ ଠିଆ ହୋଇଥିଲି, ହେଲେ ଆଜି ! ହୁଃ !’’ “ଏପରି ଭାବରେ ତା ଆଗରେ ନିଜକୁ ଦେଖାଇବାଟା ପ୍ରକୃତରେ ଭାରି ଭୟଙ୍କର ହେବ, ଯେତେବେଳେ ଏଇଠି ଏଭଳି ଜୀବନକୁ ମୁଁ ଆପେ ଇଚ୍ଛା କରି ବରଣ କରି ନେଇଛି, ଏ ଘରଟା ତ ଗୋଟାଏ ଭିକାରୀର ଘର ପରି ଦେଖାଯାଉଚି । ପୁଣି ମୁଁ ଡିନର୍‌କୁ ଯାଇଥିଲି ନିଜକୁ ଏଇ ସୁଟ୍ ପିନ୍ଧେଇ ! ଛି ! ଆଉ ମୋ ଆମେରିକାନ୍ ଲେଦର୍ ସୋଫା ଦେହରୁ ବାହାରକୁ ବାହାରିଛି ପୁଳା ପୁଳା ସ୍ପଞ୍ଜ । ମୋ ଘରପିନ୍ଧା ଡ୍ରେସିଂଗାଉନ୍ ମୋ ଦେହକୁ ଘୋଡ଼ାଇବାକୁ ଅସମର୍ଥ, ଏପରି ଜରାଜୀର୍ଣ୍ଣ । ସେ ଏସବୁ ଦେଖିବ, ଆଉ ମଧ୍ୟ ଦେଖିବ ଆପୋଲ୍‌ନ୍‌କୁ । ସେ ପଶୁଟା ତ ନିଶ୍ଚୟ ତାକୁ ଅପମାନ ଦେବ । ସେ ନିଶ୍ଚୟ ଲିଜା ପାଖେ ପାଖେ ଲାଖି ରହିବ କେବଳ ମୋ ପ୍ରତି ନିର୍ଦ୍ଦୟ ହେବାପାଇଁ । ଆଉ ମୁଁ, ଅବଶ୍ୟ ଭୟରେ ଜଡ଼ସଡ଼ ହୋଇ, ଯେମିତି ମୁଁ ହୁଏ, ତା ଆଗରେ ସେଇମିତି ବାରମ୍ବାର ମୁଣ୍ଡ ନୁଆଁଇ, କାନ କୁଣ୍ଡେଇ, ମୋ ଡ୍ରେସିଂ ଗାଉନ୍‌କୁ ମୋ ଚାରିପଟେ ଟାଣିଟାଣି, ହସିବା ଆରମ୍ଭ କରିବି, ମିଛଗୁଡ଼ାଏ ବକିବି । ଓଃ କି ପଶୁତା ! ଆଉ ଏଇ ପଶୁତା ହିଁ ପ୍ରକୃତରେ ଏ ସବୁ ଭିତରେ ସବୁଠାରୁ ବଡ଼ ଦୁର୍ଭାଗ୍ୟଜନକ କଥା ନୁହେଁ କି? ତା’ଠାରୁ ଆହୁରି ବଡ଼, ଆହୁରି ଘୃଣ୍ୟ, ଆହୁରି ବିଭତ୍ସ କିଛି ବି ଅଛି ! ହଁ, ଅଛି ଆହୁରି ବିଭତ୍ସ ! ସେଇ ଅସାଧୁ ମିଛର ମୁଖାଟାକୁ ପୁଣିଥରେ ପିନ୍ଧି ପକେଇବା !”...

 

ମନ ମୋର ଏଇ ଭାବନାରେ ଅଟକି ଗଲା କ୍ଷଣି ମୁଁ ପୁଣି ବିରକ୍ତ ହୋଇଗଲି ।

 

କାହିଁକି ଅସାଧୁ? କିପରି ଅସାଧୁ? ମୁଁ ତ ଗତରାତିରେ ସାଧୁଭାବରେ ସବୁକଥା କହୁଥିଲି । ମୋର ମନେଅଛି ଯାହା କହୁଥିଲି ସେ ସବୁ ନିଜ ଭିତରେ ମୁଁ ଅନୁଭବ ବି କରୁଥିଲି । ମୁଁ କେବଳ ଚାହୁଁଥିଲି ତା ଭିତରର ସମ୍ମାନଜନକ ଅନୁଭବମାନଙ୍କୁ ଜାଗ୍ରତ କରାଇବାପାଇଁ... ତା କାନ୍ଦିବାଟା ବେଶ୍ ଭଲ ଜିନିଷ ଥିଲା, ଏହାର ପ୍ରଭାବ ଭଲ ହେବ ।’’

 

ତଥାପି ବି ମୁଁ ସହଜ ହୋଇ ପାରିଲି ନାହିଁ । ପୂରା ସଂଧ୍ୟା ବେଳଟା, ଏପରିକି ନଅଟା ପରେ ବି ଯେତେବେଳେ ମୁଁ ଘଣ୍ଟାକଣ୍ଟା ଗଣି ଗଣି ଜାଣୁଥିଲି ଯେ ଲିଜା ଆଉ ବୋଧେ ଆସିବନି, ତଥାପି ବି ସେ ମୋତେ କୋରି କୋରି ଖାଉଥିଲା, ଆଉ ଏଥିରେ ସବୁଠାରୁ କଦର୍ଯ୍ୟ କଥା ଥିଲା ଯେ, ତାର ସେଇ ଗୋଟିଏ ରୂପରେ ସେ ବାରମ୍ବାର ମୋ ମନଭିତରକୁ ଫେରି ଆସୁଥିଲା । ଗତ ରାତିରେ ଘଟିଥିବା ସବୁ ଘଟଣା ଭିତରୁ ଗୋଟିଏ ମୁହୂର୍ତ୍ତ ମୋ ମନରେ ପୂରା ସ୍ପଷ୍ଟ ହୋଇ ସ୍ମୃତିପଟରେ ଆଙ୍କି ହୋଇ ରହିଯାଇଥିଲା; ଯେତେବେଳେ ମୁଁ ଦିଆସିଲି ମାରିଦେଲି ଓ ନୀଳ ଅନ୍ଧକାର ଭିତରେ ସେଇ ମହମବତୀ ଶିଖାରେ ଦେଖିଲି ମଳିନ, ଅପମାନରେ ସଂକୁଚିତ, ବିକଳ ମୁଖ ମଣ୍ଡଳ ତାର ଯନ୍ତ୍ରଣାରେ କିପରି କାତର ହୋଇଥିଲା । କି ଦୟନୀୟ, କି ଅପ୍ରାକୃତିକ, କି ବିକଳ ହସ ତା ମୁହଁରେ ସେଇ ମୁହୂର୍ତ୍ତରେ ଥିଲା !

 

ପରଦିନ ମୁଁ ପୁଣିଥରେ ପ୍ରସ୍ତୁତ ହୋଇଗଲି ଏସବୁକୁ ଗୋଟାଏ ନିର୍ବୋଧ, ଅଜ୍ଞାନ, ଉତ୍ତେଜିତ ସ୍ନାୟବିକ ଦୁର୍ବଳତାଜନିତ ତଥା ଅତିଶୟ କରି ଦେଖୁଥିବା ଘଟଣାରୂପେ ବିଚାର କରିବାକୁ । ମୁଁ ବି ସବୁବେଳେ ମୋ ନିଜର ସେଇ ଦୁର୍ବଳତାଟି ପ୍ରତି ସଚେତନ ଥିଲି ଆଉବେଳେ ତାକୁ ଭୟ ବି କରୁଥିଲି । “ଯେଉଁଠି ମୁଁ ଭୁଲ କରେ ସେଇ ଜିନିଷକୁ ମୁଁ ଭାରି ଫେଣେଇ ଫେଣେଇ ବିଚାର କରେ ।” ଏଇ କଥାଟିକୁ ପ୍ରତି ଘଣ୍ଟାରେ ମୁଁ ନିଜ ପାଖରେ ନିଜେ ଆବୃତ୍ତି କରୁଥିଲି । “କିନ୍ତୁ ଯା’ ହେଲେ ବି ଲଜା ତାର ଆସିବା କଥା ଆସିବ ନିଶ୍ଚୟ,” ଶେଷ ଉକ୍ତିରେ ହିଁ ଅନ୍ତ ହେଉଥିଲା ମୋର ସବୁ କଳ୍ପନା ଜଳ୍ପନା ।ବେଳେବେଳେ ମୋତେ ଏତେ ଅସହଜ ଲାଗୁଥିଲା ଯେ ମୁଁ ଅଯଥାରେ ବହୁତ ଜୋର୍‌ରେ ରାଗି ଯାଉଥିଲି । “ସେ ଆସିବ, ନିଶ୍ଚୟ ଆସିବ, ଆସିବାକୁ ବାଧ୍ୟ ସେ ।” କୋଠରୀ ସାରା ଦୌଡ଼ି ଦୌଡ଼ି ଏଇକଥା ମୁଁ କହି ଚାଲିଥିଲି । “ଯଦି ଆଜି ନୁହେଁ, କାଲିକୁ ସେ ଆସିବ; ସେ ମୋତେ ନିଶ୍ଚୟ ଖୋଜି ବାହାର କରିବ!” ଏଇ ଯେତେ ସବୁ ସରଳ ହୃଦୟର ବିଧ୍ୱଂସକାରୀ କଳ୍ପନା ବିଳାସ ! ଓଃ ଗ୍ଲାନିକର - ଓଃ ଚପଳତା- ଓଃ ଏଇ ସବୁ ଦୁଃସ୍ଥ ଆବେଗ ପ୍ରବଣ ଆତ୍ମାମାନଙ୍କର ମୂର୍ଖତା ! କାହିଁକି, କିପରି ବୁଝିବାକୁ ଅସମର୍ଥ? କିପରି ଜଣେ ଏହାକୁ ବୁଝିବାକୁ ଅସମର୍ଥ ହୁଏ?

 

ହେଲେ ଏଇଠି ମୁଁ ଅଟକି ଯାଏ, ପ୍ରକୃତରେ ଭାରି ଜଟିଳ ଅବୁଝାପଣ ଭିତରେ ଅଟକି ଯାଏ-

 

ପ୍ରକୃତରେ କେତେ ଅଳ୍ପ, କେତେ ଅଳ୍ପ ଶବ୍ଦ ଦରକାର ଭାବ ବିନିମୟପାଇଁ; ଛବିଳ ପ୍ରେମର କେତେ ଟିକିଏ କାଳ୍ପନିକ କଥା (ବେଶ ପ୍ରଭାବଶାଳୀ, ବହିର ଲେଖା ପରି, ହେଉ ପଛେ କୃତ୍ରିମ ଭାବରେ କଳ୍ପିତ) ଯଥେଷ୍ଟ ହୋଇଯାଏ ଗୋଟାଏ ସମଗ୍ର ଜୀବନକାଳକୁ ବଦଳାଇ ଦେବାକୁ ଗୋଟାଏ ମୁହୂର୍ତ୍ତରେ! ତାହା ହିଁ ତ ଅନୁଢ଼ା ପଣକୁ ଜାଣିବା, ତାହା ହିଁ ତ ମାଟିର ସତେଜ ପଣ !

 

ବେଳେବେଳେ ମୋ ମନକୁ ଆସୁଥିଲା, ତା ପାଖକୁ ଚାଲି ଯିବାକୁ, ‘ତାକୁ ସବୁ କହି ଦେବାକୁ; ଆଉ ତାକୁ ବିନତି କରିବାକୁ ଯେ ସେ ମୋ ପାଖକୁ ନଆସୁ । ହେଲେ ଏ ଭାବନା ମୋ ରାଗକୁ ଏମିତି ବଢ଼େଇ ଦେଉଥିଲା ଯେ ମୁଁ ଭାବୁଥିଲି ସେଇ ମୁହୂର୍ତ୍ତରେ ଯଦି ସେ ମୋ ପାଖକୁ ଆସିଥାନ୍ତା କୌଣସି ପ୍ରକାରେ ସେଇ ‘ବଜ୍ଜାତ’ ଲିଜାର ବେକଟାକୁ ମୁଁ ମୋଡ଼ି ଦେଇଥାନ୍ତି ବୋଧେ । ତାକୁ ମୁଁ ଅପମାନ ଦେଇଥାନ୍ତି, ତା ଉପରେ ଛେପ ପକାଇଥାନ୍ତି, ଆଉ ତାକୁ ଧକ୍କା ଦେଇ ବାହାର କରି ଦେଇଥାଆନ୍ତି, ମାଡ଼ ବି ମାରିଥାଆନ୍ତି ।

 

ଗୋଟାଏ ଦିନ ଗଲା, ଯା’ ହେଉ ଆଉ ଗୋଟେ ଦିନ ବି ଗଲା, ଆଉ ଦିନେ; ସେ ଆସିଲା ନାହିଁ ଆଉ ମୁଁ ଧୀରେ ଧୀରେ ଶାନ୍ତ ହୋଇ ଆସିଲି, ବିଶେଷ କରି ରାତି ନଅଟା ପରେ ମୋ ଭୟ ଛାଡ଼ି ଯାଉଥିଲା ଆଉ ମତେ ବେଶ୍‍ ଖୁସି ଲାଗୁଥିଲା । ଏପରିକିବେଳେବେଳେ ମୁଁ ସ୍ପପ୍ନ ଦେଖିବା ବି ଆରମ୍ଭ କରିଦେଲି । ଉଦାହରଣସ୍ୱରୂପ, ସ୍ୱପ୍ନରେ ସ୍ୱପ୍ନରେ ମୁଁ ଲିଜାର ମୁକ୍ତିଦାତା ବନିଯାଉଥିଲି, କେବଳ ତାର ମୋ ପାଖକୁ ଆସିବା ଓ ମୋର ତା ସହିତ କଥାବାର୍ତ୍ତା ଜରିଆରେ ମୁଁ ତାକୁ ଗଛଟିଏ ବଢ଼ାଇଲା ପରି ବିକଶିତ କରାଇଲି, ଶିକ୍ଷିତ କରାଇଲି ଆଉ ଶେଷରେ ଲକ୍ଷ୍ୟ କଲି ତା’ର ମୋ ପ୍ରତି ଭଲ ପାଇବା, ଆବେଗପୂର୍ଣ୍ଣ ଭଲ ପାଇବା । ମୁଁ କିନ୍ତୁ ନ ଜାଣିବାର ଛଳନା କରୁଥିଲି । (ମୁଁ ଜାଣେନି କାହିଁକି ମୁଁ ଛଳନା କରୁଥିଲି, ବୋଧହୁଏ ଏହାର ଗଭୀରତର ପ୍ରଭାବପାଇଁ) । ଶେଷରେ ସବୁ ଅବୁଝାମଣା, ତାକୁ ଦେବୀରୂପରେ ଦେଖିବାର ସବୁ ରୂପାନ୍ତର, କଂପନ, ରୋଦନ, ତା’ପରେ ସେ ନିଜକୁ ମୋ ପାଦତଳେ ଲୋଟାଇ ଦେଉଥିଲା ଓ କହୁଥିଲା ଯେ ମୁଁ ହିଁ ତା’ର ମୁକ୍ତିଦାତା, ଏବଂ ସେ ମୋତେ ପୃଥିବୀର ଯେ କୌଣସି ବସ୍ତୁଠାରୁ ଅଧିକ ଭଲ ପାଏ । ମୁଁ ଅଭିଭୂତ ହୋଇ ଯାଉଥିଲି କିନ୍ତୁ କହୁଥିଲି, “ଲିଜା, ତୁମେ କଳ୍ପନା କରିପାରୁଛ ଯେ ମୁଁ ତୁମ ପ୍ରେମକୁ ଲକ୍ଷ୍ୟ ବି କରିନାହିଁ, ଏସବୁ ମୁଁ ଦେଖିଛି, ହେଲେ ଏହାକୁ ଆଧ୍ୟାତ୍ମିକତାର ରୂପ ଦେଇଛି । ତୁମ ପାଖରେ ଆଗ ନିବେଦନ କରିବାକୁ ସାହସ କରିପାରିନାହିଁ, କାରଣ ମୋର ତୁମ ଉପରେ ଏକ ପ୍ରକାର ପ୍ରଭାବ ଥିଲା । ଆଉ ମୁଁ ଡରୁଥିଲି ଯେ ତୁମେ, କୃତଜ୍ଞତାବଶତଃ, ନିଜକୁ ବାଧ୍ୟ କରିବ ମୋ ପ୍ରେମର ପ୍ରତିଦାନ ଦେବାକୁ, ନିଜ ହୃଦୟରେ ଅନୁପସ୍ଥିତ ଏକ ଅନୁଭବକୁ ଚେଷ୍ଟା କରି ଜାଗ୍ରତ କରାଇବ, ତାହା ମୁଁ ଆଦୌ ଚାହୁଁ ନଥିଲି... କାରଣ ଏହା ଅତ୍ୟାଚାର ହୋଇଥାନ୍ତା... ଏହା ହୋଇଥାନ୍ତା ସଂଭ୍ରମ ବାହାରର କଥା (ସଂକ୍ଷେପରେ ସେତିକି ବେଳକୁ, ମୁଁ ଭାସିଯାଏ କୋଉ ଦୂର ୟୁରୋପୀୟ ଦ୍ୱୀପପୁଞ୍ଜ ଭିତରକୁ, ସ୍ୱର୍ଗୀୟ ବଳିଷ୍ଠ ସବୁଜିମାରେ ଭରା) କିନ୍ତୁ ଏବେ, ଏବେ ତୁମେ ମୋର, ମୋରି ସୃଷ୍ଟି, ତୁମେ ପବିତ୍ର, ତୁମେ ଭଲ, ତୁମେ ମୋର ସାଧ୍ୱୀ ସ୍ତ୍ରୀ ।

 

      “ଆସ ମୋ ଘରକୁ ପ୍ରିୟେ ନିର୍ଭର ମୁକ୍ତିରେ

       ଏ ଘର ତୁମର ରାଣୀ ନିଜ ଅଧିକାରେ ।”

 

ତା’ପରେ ଆମେ ଆରମ୍ଭ କରୁ ଆମର ଏକାଠି ବଂଚିବାର ଜୀବନ, ବିଦେଶ ଯାଉ, ତାପରେ, ତାପରେ, ତାପରେ ଚାଲେ ଏହିପରି । ସତ କହିବାକୁ ଗଲେ, ସବାଶେଷରେ ଏସବୁ ମତେ ଭାରି ଅଶ୍ଳୀଳ ଲାଗେ, ଆଉ ମୁଁ ନିଜେ ନିଜକୁ ଜିଭ ଦେଖାଇ ଖତେଇ ହୁଏ ।

 

ତା ଛଡ଼ା ସେମାନେ ବି ତାକୁ ବାହାରକୁ ଛାଡ଼ିବେ ନାହିଁ, “ନଗର ବଧୁ !” ମୁଁ ଭାବେ, ସେମାନଙ୍କୁ ବାହାରେ ଯେକୌଣସି ମୁହୂର୍ତ୍ତରେ ବୁଲି ଆସିବାକୁ ସେମାନେ ଛାଡ଼ନ୍ତି ନାହିଁ, ବିଶେଷ କରି ସଂଧ୍ୟାବେଳେ (କୌଣସି କାରଣରୁ ମୁଁ ଭାବୁଥିଲି ସେ ସଂଧ୍ୟାବେଳେ, ସାତଟା ବେଳକୁ ଆସିବ) । ଅବଶ୍ୟ, ସେ କହିଥିଲା ଯେ ସେଠାରେ ସେ ଏଯାଏଁ ସଂପୂର୍ଣ୍ଣ ଦାସୀ ହୋଇ ନାହିଁ, ଆଉ ତା’ର କେତେକ ଅଧିକାର ବି ଅଛି; ତା ହେଲେ, ହୁଁ, ଛାଡ଼ ଏସବୁ, ସେ ନିଶ୍ଚୟ ଆସିବ, ଆସିବାଟା ତାର ସୁନିଶ୍ଚିତ ।

 

ଭଲ ହେଲା ସେତିକିବେଳକୁ ଆପୋଲନ୍ ତା’ର ରୁକ୍ଷ ସ୍ୱରରେ ମୋର ଧ୍ୟାନ ଭଂଗ କଲା । ସେ ଏପରି କଲା ଯେ ମୋର ଧୈର୍ଯ୍ୟ ସୀମା ଲଂଘନ କଲା । ସେ ତ ସହଜେ ଥିଲା ମୋ ଜୀବନର ଧ୍ୱଂସର କାରଣ, ଆଉ ଭାଗ୍ୟ ମୋ ଉପରେ ଏଇ ଅଭିଶାପକୁ ଲଦି ଦେଇଥିଲା । ବର୍ଷ ବର୍ଷ ଧରି ଆମେ କଳି କରୁଥିଲୁ, ଆଉ ମୁଁ ତାକୁ ଘୃଣା କରୁଥିଲି । ହେ ଭଗବାନ, କିମିତି ମୁଁ ତାକୁ ଘୃଣା କରୁଥିଲି ! ସେ ଥିଲା ବେଶ୍ ବୟସ୍କ, ଅଭିଜାତ ଲୋକଟିଏ, ଯିଏ ଦର୍ଜୀ ଭାବରେ ବେଶ୍ କିଛିଦିନ କାମ କରିଥିଲା । ହେଲେ କୌଣସି ଅଜ୍ଞାତ କାରଣରୁ ମୋତେ ସେ ପ୍ରବଳ ଘୃଣା କରୁଥିଲା, ଆଉ ମୋତେ ନ୍ୟୂନଦୃଷ୍ଟିରେ ସବୁବେଳେ ଉଦ୍ଧତ ଭାବରେ ଚାହୁଁଥିଲା । ଅବଶ୍ୟ ଯେକୌଣସି ଲୋକକୁ ନିମ୍ନ ଦୃଷ୍ଟିରେ ଦେଖିବା ଥିଲା ତା’ର ଗୋଟାଏ ବଦ୍‌ଖୋଇ । କେବଳ ତା’ର ସେ ସିଲ୍‌କ ଚିକ୍କଣ ମୁହଁ, ଚିକ୍କଣ ବ୍ରସ୍‌କରା ମୁଣ୍ଡ, କପାଳ ଉପରେ ସୂର୍ଯ୍ୟମୁଖୀତେଲ ମଖା ବାଳର ଚିକ୍କଣ ମାଙ୍ଗ ଆଉ ଇଂରାଜୀ ଅକ୍ଷର ‘ଭି’ ପରି ସବୁବେଳେ ଚିପା ତାର ସେଇ ଅଭିଜାତ ପାଟିକୁ ଦେଖିଲେ ଯେ କେହି ଭାବିବ ସତେ ଯେପରି ତା ସାମ୍ନାରେ ଠିଆ ହୋଇଥିବା ଲୋକଟି କେବେ ତା ଜୀବନରେ କାହାରିକୁ ସନ୍ଦେହ କରିନାହିଁ ଆଉ ଜୀବନରେ କେବେ କିଛି ଭୁଲ କରିନାହିଁ ବୋଲି ଭଲ କରି ଜାଣିଛି । ସେ ଥିଲା ଅତି ମାତ୍ରାରେ ତତ୍ତ୍ୱବାଦୀ, ଏ ପୃଥିବୀରେ ତା ଭଳି କଠୋର ନିୟମ ମାନିଲାବାଲା ମୁଁ ଦ୍ୱିତୀୟ ଦେଖିନାହିଁ । ଆଉ ତା’ସାଂଗକୁ ଏଭଳି ଗୋଟାଏ ଅହଂକାର ଯାହା କେବଳ ମାସେଡନ୍‌ର ଆଲେକ୍‌ଜାଣ୍ଡର୍‌ଙ୍କୁ ଶୋଭାପାଏ । ସେ ଭଲ ପାଉଥିଲା ତା କୋଟ୍‌ର ପ୍ରତିଟି ବୋତାମକୁ, ଅଙ୍ଗୁଳିର ପ୍ରତିଟି ନଖକୁ-ପୂରାପୂରି ସେମାନଙ୍କ ପ୍ରେମରେ ନିମଜ୍ଜିତ ଥିଲା ସେ, ଆଉ ତାକୁ ବି ସେସବୁ ଖାପ ଖାଉଥିଲା ।

 

ମୋ ପ୍ରତି ତାର ବ୍ୟବହାରରେ ସେ ଥିଲା ଗୋଟାଏ ସଫଳ ଅତ୍ୟାଚାରୀ । ମୋ ସାଥିରେ ଖୁବ୍ କମ୍ କଥା କହୁଥିଲା ଆଉ ଯଦି କେତେବେଳେ ମୋତେ ଚାହିଁ ଦେଉଥିଲା, ତା ଚାହାଣୀରେ ଥିବା ଦୃଢ଼, ଆଭିଜାତ୍ୟଭରା ଆତ୍ମବିଶ୍ୱାସ, ଆଉ ପ୍ରାୟତଃ ଥିବା ବ୍ୟଙ୍ଗ ମୋତେବେଳେବେଳେ ଭାରି ରଗାଇ ଦେଉଥିଲା । ସେ ତା କାମ ଏମିତି କରୁଥିଲା, ଯେମିତି ମୋତେ ଭାରି ଗୋଟାଏ ଦୟା କରୁଥିଲା, ଆଉ ସେ ଯେ କିଛି କରିବାକୁ ବାଧ୍ୟ ଏପରି କେବେ ବି ଭାବୁ ନଥିଲା । ମୋତେ ଯେ ସେ ପୃଥିବୀର ସବୁଠାରୁ ବଡ଼ ବୋକା ବୋଲି ଭାବୁଥିଲା, ଏଥିରେ ଆଦୌ ସନ୍ଦେହ ନଥିଲା, ଆଉ ଯଦି ସେ ‘ମୋ କବଳରୁ ରକ୍ଷା ପାଇ ନଥିଲା’ ତାର ଏକମାତ୍ର କାରଣ ଥିଲା ଯେ ସେ ମୋ’ଠାରୁ ପ୍ରତି ମାସରେ ଦରମାଟି ନିୟମିତ ପାଇପାରୁ ଥିଲା । ମାସକୁ ସାତ ରୁବଲ୍‌ରେ ମୋପାଇଁ କିଛି ବି ନକରିବାକୁ ସେ ସମ୍ମତି ଜଣାଇଥିଲା । ତା’ଠାରୁ ମୁଁ ଯେତେ ଯନ୍ତ୍ରଣା ପାଇଥିଲି ସେଥିରେ କେତେ ପାପ ବି ମୋର କ୍ଷମା ହୋଇଯାଇଥାନ୍ତା । ମୋର ଘୃଣାବେଳେବେଳେ ଏପରି ଅବସ୍ଥାରେ ଆସି ପହଞ୍ଚି ଯାଉଥିଲା ଯେ ତାର ପାଦ ଶବ୍ଦ ବି ମୋତେ ବାତ-କମ୍ପରେ କମ୍ପାଇ ଦେଉଥିଲା । ସବୁଠାରୁ ବେଶୀ ଯେଉଁ ଜିନିଷଟାକୁ ମୁଁ ଘୃଣା କରୁଥିଲି ତାହା ଥିଲା ତା’ର ଜିଭ ବାହାର କରି କଥା କହିବା ଢଙ୍ଗ, ତା ଜିଭଟା ନିଶ୍ଚୟ ଟିକେ ବଡ଼ ଥିଲା । କାରଣ ସେ ସବୁବେଳେ ଜିଭଟାକୁ ଓଠ ଉପରେ ବୁଲଉଥିଲା, ଆଉ ଜଣା ଯାଉଥିଲା ଯେମିତି ଏଥିପାଇଁ ତା ମନରେ ଭାରି ଗର୍ବ ଥିଲା, ତାର ଆଭିଜାତ୍ୟକୁ ଏହା ବହୁଗୁଣରେ ବଢାଉଥିଲା ବୋଲି ସେ କଳ୍ପନା କରୁଥିଲା । ସେ ଖୁବ୍ ଧୀରେ, ମାପଚୁପ ସ୍ୱରରେ, ଦୁଇ ହାତକୁ ତା ପଛରେ ଚାପି ଧରି ଆଖିକୁ ଭୂଇଁ ଉପରେ ସ୍ଥିର ରଖି କଥା କହୁଥିଲା ।

 

ମତେ ସେ ପାଗଳ କରି ଦେଉଥିଲା, ବିଶେଷକରି କାନ୍ଥ ଆରପଟେ ଯେତେବେଳେ ବଡ଼ ପାଟିରେ ଧର୍ମଗ୍ରନ୍ଥରୁ ମନ୍ତ୍ରପାଠ କରୁଥିଲା ସେତେବେଳେ କେତେ ଅନ୍ତର୍ଦାହ ମୁଁ ସହିଛି ସେଇ ପଢ଼ାକୁ ନେଇ! କିନ୍ତୁ ସଂଜବେଳେ ବଡ଼ ପାଟିରେ ଏହାକୁ ପଢ଼ିବା ପ୍ରତି ଥିଲା ତାର ପ୍ରବଳ ଆସକ୍ତି, ଧୀରେ ଧୀରେ ଏପରିକି ଗୀତ ଗାଇଲା ପରି, ଯେମିତି ମୃତ ଲୋକଙ୍କ ପାଖରେ ଗାଆନ୍ତି, ସେମିତି ଗାଇବାକୁ ସେ ଭଲ ପାଉଥିଲା । ଆଉ ସବୁଠାରୁ ବଡ଼ କଥା ହେଲା, ସେଇଥିରେ ତାର ସାରା ଜୀବନ କଟିଗଲା; ମୃତମାନଙ୍କପାଇଁ ମନ୍ତ୍ର ପଢ଼ିବା କାମରେ ନିଜକୁ ସେ ଭଡାରେ ଲଗାଇ ଦେଇଥିଲା ଆଉ ସେଇ ଏକା ସମୟରେ ମୂଷା ମରାରୁ ଆରମ୍ଭ କରି ଜୋତା ପାଲିସ୍ କାମ ବି କରୁଥିଲା । ହେଲେ ସେତେବେଳେ ତା କବଳରୁ ନିଜକୁ ମୁଁ ରକ୍ଷା କରିପାରି ନଥିଲି । ସେ ଯେମିତି କୋଉ ଗୋଟେ ରସାୟନ ପ୍ରକ୍ରିୟାରେ ମୋ ସ୍ଥିତି ସହିତ ଯୋଖି ହୋଇ ଯାଇଥିଲା । ତା ଛଡ଼ା କିଛି ବି ତାକୁ ସେତେବେଳେ ମୋତେ ଛାଡ଼ି ଯିବାକୁ ପ୍ରବର୍ତ୍ତାଇ ପାରି ନଥାନ୍ତା । ଆସବାବ ପତ୍ରରେ ସଜ୍ଜିତ ଭଲ ଲଜିଂରେ ମୁଁ ରହିପାରି ନଥାନ୍ତି; ମୋ ଘରଟି ଥିଲା ମୋର ବ୍ୟକ୍ତିଗତ ନିଃସଙ୍ଗତାର ସାଥି । ମୋର ଖୋଳପା, ମୋର ଭାଡ଼ି, ମୋର ସୁଡଙ୍ଗ, ଯାହା ଭିତରେ ସମଗ୍ର ମାନବଜାତିଠାରୁ ମୁଁ ନିଜକୁ ଲୁଚାଇ ରଖୁଥିଲି, ଆଉ କୌଣସି କାରଣରୁ ମୋତେ ଲାଗୁଥିଲା, ଆପୋଲନ୍ ଥିଲା ସେଇ ଫ୍ଲାଟର ଗୋଟେ ଅବିଚ୍ଛେଦ୍ୟ ଅଂଗ । ଆଉ ସାତରୁବଲ୍‍ପାଇଁ ମୁଁ ତାକୁ ବାହାର କରି ଦେଇପାରି ନଥାନ୍ତି ।

 

ତାର ଦରମା ଦୁଇତିନି ଦିନ ଡେରି କରି ଦେବା ବି ଅସମ୍ଭବ ବ୍ୟାପାର ଥିଲା । ସେ ତା ଉପରେ ଏମିତି ଢଙ୍ଗ ଦେଖେଇଥାନ୍ତା ଯେ ମୁଁ ମୋର ମୁହଁକୁ କୋଉଠି ଲୁଚେଇବି ଜାଣିପାରି ନଥାନ୍ତି । ହେଲେ ସେଇ ଦିନମାନଙ୍କରେ ସମସ୍ତଙ୍କ ଉପରେ ମତେ ଏମିତି ଚିଡ଼ଚିଡ଼ ଲାଗୁଥିଲା ଯେ, କିଛି ନା କିଛି ଗୋଟାଏ କାରଣ କାଢ଼ି, କିଛି ନା କିଛି ବାହାନା କରି ଅନ୍ତତଃ ଆପୋଲନ୍‌କୁ ଦଣ୍ଡ ଦେବାକୁ, ତାର ପନ୍ଦର ଦିନର ଦରମା ତାକୁ ନଦେବାକୁ ମୁଁ ମନରେ ସ୍ଥିର କରି ନେଲି । ଦୀର୍ଘଦିନ ଧରି ପ୍ରାୟ ଦୁଇବର୍ଷ କାଳ- ମୁଁ ଏଇ କାମଟି କରିବାକୁ ଭାବୁଥିଲି, କେବଳ ତାକୁ ଶିକ୍ଷା ଦେବାକୁ ଯେ ମୋ ସାଥିରେ ତା’ର ଫୁଟାଣି ଚଳିବ ନାହିଁ, ଆଉ ବି ତାକୁ ଦେଖାଇ ଦେବାକୁ ଚାହୁଁଥିଲି ଯେ ମୁଁ ଇଚ୍ଛା କଲେ ତାକୁ ତା ଦରମା ଦେବା ବି ବନ୍ଦ କରି ଦେଇପାରେ । ଏ ବିଷୟରେ ଜାଣି ଜାଣି ତାକୁ ମୁଁ କିଛି କହି ନଥିଲି, ଏହା ପ୍ରକୃତରେ ଥିଲା ଉଦ୍ଦେଶ୍ୟମୂଳକ ନିରବତା, ତା ଅହଂକାରକୁ ଚୂନା କରିବାପାଇଁ ଓ ତାକୁ ବାଧ୍ୟ କରିବାପାଇଁ ଯେପରି ସେ ଆଗ କରି ତା ଦରମା କଥା କହିବ, ତା’ପରେ ମୁଁ ଡ୍ରରୁ ସାତ ରୁବଲ୍ କାଢ଼ି ଆଣିବି, ଦେଖାଇ ଦେବି ତାକୁ ଯେ ତା ଦରମା ଅର୍ଥ ଅଲଗା ହୋଇ ଥୁଆ ହୋଇଛି, କିନ୍ତୁ ମୁଁ ତାକୁ ତାହା ଦେବି ନାହିଁ, ଦେବି ନାହିଁ, ତା ଦରମା ମୁଁ ତାକୁ ଦେବି ନାହିଁ, ବାସ୍ । ମୁଁ ଦେବି ନାହିଁ, କାରଣ ତାହା ହିଁ “ମୁଁ ଇଚ୍ଛା କରେ”, କାରଣ “ମୁଁ ମାଲିକ”, ଆଉ ମୁଁ ଯାହା କରିବାକୁ ଚାହିଁବି ତାହା କରିବି, କାରଣ ସେ ଅସମ୍ମାନଜନକ ବ୍ୟବହାର କରିଛି, କାରଣ ସେ ନିଷ୍ଠୁର ହୋଇଛି; କିନ୍ତୁ ଯଦି ସେ ସମ୍ମାନର ସହ ମାଗେ ତା ହେଲେ ମୁଁ ହୁଏତ ନରମି ଯାଇ ପାରେ ଓ ଏହା ତାକୁ ଦେଇ ପାରେ, ନହେଲେ ତାକୁ ଆହୁରି ପନ୍ଦର ଦିନ ଅପେକ୍ଷା କରିବାକୁ ପଡ଼ିପାରେ, ଆଉ ତିନି ସପ୍ତାହ ବା ପୂରା ମାସେ... ।

 

କିନ୍ତୁ ରାଗଟା ମୋର ହୋଇଥିଲେ ବି, ସେ ତାର କର୍ତ୍ତୃତ୍ୱ ମୋ ଉପରେ ଠିକ୍ ଜାରି ରଖିଥିଲା । ଦିନ ଚାରିଟା ବି ମୁଁ ସମ୍ଭାଳି ପାରିଲି ନାହିଁ । ଏହିଭଳି ଘଟଣାରେ ସେ ସବୁବେଳେ ଯେପରି ଆରମ୍ଭ କରୁଥିଲା ଠିକ୍ ସେହିପରି ଆରମ୍ଭ କରିଦେଲା, କାରଣ ଏଭଳି ଉଦାହରଣ ବହୁତ ଥିଲା । ଏଇଭଳି ପ୍ରଚେଷ୍ଟା ବି ବହୁତ ଥିଲା-(ଆଉ ଏହା ବି ଲକ୍ଷ୍ୟ କରାଯାଇ ପାରେ ଯେ ଆଗରୁ ମୁଁ ଏସବୁ ଜାଣିଥିଲି, ତା’ର କୁତ୍ସିତ କୌଶଳମାନଙ୍କୁ ମୁଁ ମୁଖସ୍ଥ କରିସାରିଥିଲି) । ପ୍ରଥମେ ମୋ ଉପରେ ତାର ଭୟଙ୍କର କଠୋର ଦୃଷ୍ଟି ସ୍ଥିର କରି ଦେଇ ସେ ଆରମ୍ଭ କରିବ, ଏକକାଳୀନ କେତେମିନିଟ ଯାଏ ଏହାକୁ ସେହିପରି ସ୍ଥିର ରଖିବ । ବିଶେଷ କରି ମୋ ସାମ୍ନାସାମ୍ନି ହୋଇଗଲେ ବା ମୋତେ ଘରୁ ବାହାରି ଯିବାର ଦେଖିବାବେଳେ ଏହିପରି ସେ କରୁଥିଲା । ଯଦି ମୁଁ ଅଟକି ଯିବି, ତା ଚାହାଣୀକୁ ନଦେଖିଲା ପରି ଛଳନା କରିବି, ତଥାପି ବି ସେ ନିରବରେ, ଆହୁରି ଅଧିକ ଯାତନା ଦେବାକୁ ଆଗେଇ ଆସିବ । ହଠାତ୍ କିଛି ଉଦ୍ଦେଶ୍ୟ ନଥାଇ, ପାଦ ଚାପି ଚାପି ସେ ସିଧା ନରମ ଭାବରେ ମୋ କୋଠରୀକୁ ପଶି ଆସିବ, ଯେତେବେଳେ ମୁଁ ଘରର ଏ ମୁଣ୍ଡରୁ ସେ ମୁଣ୍ଡକୁ ଏପଟ ସେପଟ ହେଉଥିବି, ବା ପଢ଼ୁଥିବି, କବାଟ ପାଖରେ ସେ ଠିଆ ହେବ । ପଛକୁ ଗୋଟାଏ ହାତ ରଖି ଆଉ ଗୋଟାଏ ଗୋଡ଼କୁ ଆର ଗୋଡ଼ରେ ଛନ୍ଦି, ମୋ ଉପରେ ସ୍ଥିର କରି ଦେବ ଅତି ନୃଶଂସ, ଅତି ଘୃଣ୍ୟ ଗୋଟାଏ ଚାହାଣୀ । ଯଦି ମୁଁ ହଠାତ୍ ପଚାରିଦେବି କ’ଣ ସେ ଚାହୁଁଛି, ସେ ମୋତେ କିଛି ଉତ୍ତର ଦେବ ନାହିଁ, କିନ୍ତୁ କେତେ ସେକେଣ୍ଡ ଯାଏଁ ଲଗାତାର ଭାବରେ ଜିଦି କଲା ପରି ଅନେଇ ରହିବ ଅତି ବିଚିତ୍ର ଭାବରେ ଓଠ ଦୁଇଟିକୁ ଚାପି ଧରି, ତାପରେ ଖୁବ୍ ଗୋଟାଏ ଅଭିଜାତ ଅହଂକାରରେ ଧୀରେ ରାଜକୀୟ ଠାଣିରେ ବୁଲିପଡ଼ି ତା କୋଠରୀକୁ ଚାଲିଯିବ । ଦୁଇଘଣ୍ଟା ପରେ ପୁଣିଥରେ ସେ ବାହାରି ଆସିବ ଅଉ ପୁଣିଥରେ ନିଜକୁ ଉପସ୍ଥାପିତ କରିବ ମୋ ସାମ୍ନାରେ ସେଇ ଏକା ଭଂଗୀରେ । ଏମିତି ବି ଘଟିଛି ଯେ ରାଗରେ ମୁଁ ତାକୁ ପଚାରି ନାହିଁ କ’ଣ ସେ ଚାହୁଁଛି, କିନ୍ତୁ କେବଳ ମୁଣ୍ଡକୁ ତୀକ୍ଷ୍‌ଣ ଭାବରେ ଉପରକୁ ଉଠାଇ ସମ୍ରାଟୀୟ ଢଙ୍ଗରେ ତାକୁ ପାଲଟା ଚାହିଁଛି । ଫଳରେ ଆମେ ପରସ୍ପରକୁ ଦୁଇମିନିଟ୍ ନିରବରେ ଅନାଇ ରହିଛୁ ପଲକ ନପକାଇ, ଶେଷରେ ସେ ଇଚ୍ଛାକୃତ ଭାବରେ, ରାଜକୀୟ ଠାଣିରେ ବୁଲିପଡ଼ି ଫେରିଯାଇଛି ପୁଣିଥରେ ଦୁଇଘଣ୍ଟା ପରେ ଆସିବାପାଇଁ ।

 

ଏସବୁ ପରେ ତଥାପି ବି ଯଦି ମୁଁ ନବୁଝୁଥିଲି ଆଉ ମୋ ବିଦ୍ରୋହରେ ଅଟଳ ରହୁଥିଲି, ତା ହେଲେ ସେ ହଠାତ୍ ଆରମ୍ଭ କରି ଦେଉଥିଲା ମୋତେ ଅନାଉଥିବାବେଳେ ଦୀର୍ଘ, ଗଭୀର ଦୀର୍ଘଶ୍ୱାସ ପକାଇବା । ଏମିତି ତା ଦୀର୍ଘଶ୍ୱାସଗୁଡ଼ିକୁ ମାପିଚୁପି ପକାଉଥିଲା ଯେପରି ତାହାଦ୍ୱାରା ମୋ ନୈତିକ ଅଧଃପତନର ଗଭୀରତାକୁ ସେ ମାପୁଥିଲା, ଆଉ ସ୍ୱାଭାବିକ ଭାବରେ ଏହାର ସମାପ୍ତି ଘଟୁଥିଲା ଶେଷରେ ତାର ସଂପୂର୍ଣ୍ଣ ବିଜୟରେ: ମୁଁ ରାଗୁଥିଲି, ଚିତ୍କାର କରୁଥିଲି କିନ୍ତୁ ତଥାପି ବି ସେ ଯାହା ଚାହୁଁଥିଲା ତାହା ହିଁ ମୁଁ କରୁଥିଲି ।

 

ଏଥରକ ତା ଅପଲକ ଦୃଷ୍ଟିର କାର୍ଯ୍ୟକ୍ରମ ଆରମ୍ଭ ହେଉ ହେଉ ମୁଁ ପ୍ରଚଣ୍ଡ ରାଗିଗଲି ଆଉ ତାକୁ ଗାଳି ଦେବା ଆରମ୍ଭ କରିଦେଲି । ଏମିତିରେ ତାକୁ ଛାଡ଼ି ଦେଲେ ବି ମୋ ବିରକ୍ତି ଆଉ ସମ୍ଭାଳି ହେବା ଅବସ୍ଥାରେ ନଥିଲା ।

 

“ରହ !” ପାଗଳ ପରି ମୁଁ ଚିତ୍କାର କଲି ଯେତେବେଳେ ସେ ଧୀରେ ଧୀରେ ନିରବରେ ବୁଲିପଡ଼ି, ଗୋଟାଏ ହାତ ତା ପଛରେ ଚାପି ଧରି , ତା କୋଠରୀକୁ ଯିବାକୁ ବୁଲି ପଡ଼ୁଥିଲା । ମୁଁ ପାଟି କଲି, “ରହ ! ଫେରିଆସ, ଫେରିଆସ ମୁଁ କହୁଛି !” ମୁଁ ନିଶ୍ଚୟ ଏମିତି ଅସ୍ୱାଭାବିକ ଭାବରେ ବୋବାଇଥିଲି ଯେ ସେ ବି ବୁଲିପଡ଼ିଲା ଆଉ ମୋତେ କିଛିଟା ଆଶ୍ଚର୍ଯ୍ୟ ହୋଇ ଅନାଇଲା । ତେବେ କିଛି ନକହିବା ଜିଦିରେ ସେ ଅଟଳ ରହିଥିଲା, ଆଉ ତାହା ମୋତେ ରାଗରେ ବିଲ୍‌କୁଲ୍ ଅଜ୍ଞାନ କରିଦେଲା ।

 

“ତୁମକୁ ଡକା ନ ହୋଇଥିବାବେଳେ ତୁମେ କିପରି ଏଠାକୁ ଆସି ମୋତେ ଏପରି ଅନାଇବାକୁ ସାହସ କଲ? ଉତ୍ତର ଦିଅ !”

 

ଶାନ୍ତ ଭାବରେ ମୋତେ ଅଧଘଣ୍ଟା ଅନାଇବା ପରେ, ସେ ପୁଣି ବୁଲିପଡ଼ିବାକୁ ଆରମ୍ଭ କଲା-

 

“ରହ ।” ଏଥର ମୁଁ ଗର୍ଜନ କଲି, ତା ପାଖକୁ ଗଲି, “ହଲଚଲ ହ’ନି ! ରହ ସେଠି ! ଉତ୍ତର ଦିଅ, ଏଇଠି ଏବେ କହ: କ’ଣ ଦେଖିବାକୁ ଏଠାକୁ ଆସିଥିଲ?”

 

ଟିକେ ସମୟ ପରେ ଧୀରେ ମପାଚୁପା ଭାଷାରେ, ଭ୍ରୂଲତାକୁ ଟେକି, ଶାନ୍ତ ଭାବରେ ମୁଣ୍ଡକୁ ଗୋଟେ ପଟୁ ଆଉ ଗୋଟେ ପଟକୁ ବୁଲାଇ, ଅତ୍ୟନ୍ତ ବିରକ୍ତିକର ଭାବରେ ଶାନ୍ତ ସ୍ୱରରେ ଉତ୍ତର ଦେଲା, “ଆପଣଙ୍କର ଯଦି କିଛି ଆଦେଶ ଦେବାକୁ ଥିବ, ତାହାକୁ ପାଳନ କରିବା ମୋର କର୍ତ୍ତବ୍ୟ-।”

 

“ସେ କଥା ମୁଁ ତୁମକୁ ପଚାରୁ ନାହିଁ, ହତ୍ୟାକାରୀ !” ରାଗରେ ଲାଲ ପଡ଼ିଯାଇ ମୁଁ ବୁଲିପଡ଼ି ପାଟିକଲି, “ମୁଁ ନିଜେ କହିବି ତୁମେ କାହିଁକି ଏଠାକୁ ଆସିଥିଲ; ତୁମେ ଦେଖିଲ ତୁମ ଦରମା ମୁଁ ତୁମକୁ ଦେଉନାହିଁ, ତୁମେ ଏତେ ଗର୍ବୀ ଯେ ତୁମେ ମୋ ପାଖରେ ମୁଣ୍ଡ ନୁଆଁଇ ଦରମା ମାଗିବାକୁ ଚାହଁ ନାହିଁ, ଏଣୁ ତୁମେ ତୁମର ମୂର୍ଖ ଚାହାଣୀରେ ମୋତେ ଦଣ୍ଡିତ କରିବାକୁ ଆସ, ମୋତେ ବିଚଳିତ କରାଇବାକୁ, ଆଉ ତୁମର ସାମାନ୍ୟତମ ସନ୍ଦେହ ବି ନାହିଁ ଯେ ଏସବୁ କେତେ ବଡ଼ ବୋକାମୀ- ବୋକାମୀ, ବୋକାମୀ, ବୋକାମୀ !...”

 

ପଦେ ବି କଥା ନ କହି ପୁଣି ସେ ବୁଲିପଡ଼ି ଚାଲିଯାଇଥାନ୍ତା, ହେଲେ ତା ଡେଣାଟାକୁ ମୁଁ ଧରି ପକାଇଲି ।

 

“ଶୁଣ,’ ତା’ଆଡ଼କୁ ଅନେଇ ବଡ଼ ପାଟିରେ ଚିତ୍କାର କଲି । “ଦେଖ, ଏଇଠି ରହିଛି ତୁମ ଦରମା, ଦେଖୁଛ, ଏଇଠି ଦେଖ,” (ଟେବୁଲ ଡ୍ର’ରୁ ଏହାକୁ ବାହାର କଲି); ଏଇଠି ଅଛି ପୂରାପୂରି ସାତ ରୁବଲ୍‌, କିନ୍ତୁ ତୁମେ ଏହାକୁ ପାଇବାକୁ ଯାଉ ନାହଁ, ତୁମେ ଏହାକୁ ପାଉନାହଁ ଯେପର୍ଯ୍ୟନ୍ତ ତୁମେ ସସମ୍ମାନେ ଆସି ମୋ ପାଖରେ ମୁଣ୍ଡ ନୁଆଁଇ ମୋତେ କ୍ଷମା ନମାଗିଛ । ଶୁଣୁଛ ତୁମେ?”

 

“ତା ହୋଇପାରିବ ନାହିଁ,” ସବୁଠାରୁ ଅସ୍ୱାଭାବିକ ଆତ୍ମବିଶ୍ୱାସର ସହିତ ସେ ଉତ୍ତର ଦେଲା-

 

“ଏହା ହିଁ ହେବ,” ମୁଁ କହିଲି, “ମୁଁ ତୁମକୁ ଭଗବାନଙ୍କ ଦ୍ୱାହି ଦେଇ କହୁଛି, ଏହା ହିଁ ହେବ ।”

 

“ହେଲେ ତୁମ ଠାରୁ କ୍ଷମା ମାଗିବାର କାରଣ ତ ମୋର କିଛି ନାହିଁ,” ମୋ କଥା ଯେମିତି ସେ ଆଦୌ ଶୁଣି ନାହିଁ, ସେହିପରି କହି ଚାଲିଥିଲା । “କାହିଁକି, ତା ଛଡ଼ା ତୁମେ ବି ତ ମୋତେ ‘ହତ୍ୟାକାରୀ’ କହିଲ, ଯେଉଁଥିପାଇଁ ତୁମକୁ ଯେତେବେଳେ ଇଚ୍ଛା ସେତେବେଳେ ମୁଁ ପୋଲିସ୍ ଷ୍ଟେସନକୁ ଡକାଇ ପାରିବି ଏଇ ଅପମାନଜନକ ବ୍ୟବହାରପାଇଁ ।”

 

“ଯାଅ, ଡକାଇ ପଠାଅ,” ମୁଁ ଗର୍ଜନ କଲି, “ଏଇ ମୁହୂର୍ତ୍ତରେ ଯାଅ, ଏଇ ମୁହୂର୍ତ୍ତରେ, ଏଇ ସେକେଣ୍ଡରେ । ତୁମେ ଗୋଟାଏ ହତ୍ୟାକାରୀ, ହତ୍ୟାକାରୀ ଆଉ ହତ୍ୟାକାରୀ ।”

 

କିନ୍ତୁ ସେ କେବଳ ମୋତେ ଚାହିଁଲା, ତା’ପରେ ବୁଲି ପଡ଼ିଲା ଓ ମୋର ବଡ଼ ପାଟିରେ ତାକୁ ଡାକିବା ସତ୍ୱେ, ସେ କୋଠରୀଆଡ଼କୁ ଚାଲିଲା ଧୀରେ, ମପାଚୁପା ପାଦ ପକାଇ, ମୋତେ ନଅନାଇ ।

 

ମୁଁ ଭିତରେ ଭିତରେ ରାଗରେ କୁହୁଳିଲି । ଭାବିଲି, ‘ଏ ସବୁର ମୂଳ ହେଉଛି ସେଇ ଲିଜା, ସେ ନଥିଲେ ଏସବୁ କିଛି ଘଟି ନଥାନ୍ତା,’ ତା’ପରେ ମିନିଟିଏ ଖଣ୍ଡେ ଅପେକ୍ଷା କଲା ପରେ ତା ପର୍ଦ୍ଦା ପଛ ପଟକୁ ମୁଁ ଚାଲିଲି ମୋର ସ୍ୱୀୟ ଆଭିଜାତ୍ୟ, ସମ୍ଭ୍ରମତାର ସହିତ, ଅବଶ୍ୟ ଭିତରେ ମୋ ଛାତିର ବାମ ପଟଟା ଭୟଙ୍କର ଭାବରେ ଧକ ଧକ ହେଉଥିଲା ।

 

“ଆପୋଲନ୍‌”, ଗମ୍ଭୀର ଭାବରେ ଦୃଢ଼ତାର ସହ ମୁଁ ଡାକିଲି ତାକୁ, ଯଦିଓ ଭିତରେ ଭିତରେ ଅଣନିଃଶ୍ୱାସୀ ହେଉଥିଲି, “ମିନିଟିଏ ବି ବିଳମ୍ବ ନକରି ଯାଅ ଆଉ ଡାକି ଆଣ ପୁଲିସ ଅଫିସରକୁ-।”

 

ସେତେବେଳକୁ ସେ ବେଶ୍ କୁଶଳତାର ସହିତ ନିଜକୁ ଟେବୁଲ ପାଖରେ ବସାଇ ସାରିଥିଲା, ଚଷମା ପିନ୍ଧି ସାରିଥିଲା ଆଉକିଛି ସିଲେଇ କରିବାରେ ବ୍ୟସ୍ତ ଥିଲା । କିନ୍ତୁ ମୋ ଆଦେଶ ଶୁଣି ପାଟିରେ ପବନ ଭର୍ତ୍ତି କରି ଛାଡ଼ି ଦେଲା ପରି ସ୍ଥୂଳ ହସଟାଏ ହସି ଦେଲା ସେ ।

 

“ସାଂଗେ ସାଂଗେ, ଏଇ ମୁହୂର୍ତ୍ତରେ ଯାଅ! ଯାଅ, ନ ହେଲେ ତୁମେ କଳ୍ପନା କରିପାରିବନି କ’ଣ ଘଟିବ ।”

 

“ତୁମ ମୁଣ୍ଡ ନିଶ୍ଚୟ ଖରାପ ହୋଇଗଲାଣି,” ସେ ତା ମୁଣ୍ଡ ନଉଠାଇ, ଜିଭ ଚାଟିଚାଟି ଧୀରେ ଧୀରେ ଅତି ଧୀରେ ଛୁଞ୍ଚିକୁ କପଡ଼ାରେ ଫୋଡୁ ଫୋଡୁ କହିଲା, “ଏମିତି ମଣିଷ କଥା କିଏ କେବେ ଶୁଣିଛି ଯିଏ ନିଜ ବିରୁଦ୍ଧରେ ନିଜେ ପୋଲିସ୍‌କୁ ଡକାଇ ପଠାଏ? ଆଉ ଭୟଭୀତ ହେବା କଥା-ତୁମେ ଅଯଥାଟାରେ ନିଜ ମୁଣ୍ଡ ଖରାପ କରୁଛ, କାରଣ ଏଥିରୁ କିଛି ବି ବାହାରିବ ନାହିଁ ।”

 

“ଯାଅ ।” ମୁଁ ପୁଣିଥରେ ତୀକ୍ଷ୍‌ଣ ସ୍ୱରରେ ଚିତ୍କାର କରି ତା କାନ୍ଧଟାକୁ ମୁଠେଇ ପକେଇଲି । ମନ ହେଉଥିଲା ସେଇ ମୁହୂର୍ତ୍ତରେ ତାକୁ ମାରି ପକାନ୍ତି ।

 

କିନ୍ତୁ ମୁଁ ଲକ୍ଷ୍ୟ କରି ନଥିଲି ଆମ ଯିବା ଆସିବା ବାଟର କବାଟଟି ଆସ୍ତେ, ନରମ ଭାବରେ ଠିକ୍ ସେଇ ମୁହୂର୍ତ୍ତରେ ଖୋଲି ଯାଇଥିଲା ଓ କେହି ଜଣେ ଭିତରକୁ ଆସି, ଥକ୍କା ହୋଇ କିଛି ବୁଝି ନପାରିଲା ପରି ଆଖିରେ ଆମକୁ ଅନାଇ ରହିଥିଲା । ମୁଁ ଅନେଇଲି, ଲଜ୍ଜାରେ ପ୍ରାୟ ମାଟିରେ ମିଶିଗଲା ପରି ହୋଇ, ମୋ କୋଠରୀକୁ ଦୌଡ଼ି ପଳେଇଲି । ସେଠି, ମୋ ବାଳକୁ ଦୁଇ ହାତ ମୁଠାରେ ଟାଣି ଧରି, କାନ୍ଥରେ ମୁଣ୍ଡଟାକୁ ଡେରି ଦେଲି ଆଉ ସେଇ ଅବସ୍ଥାରେ ସ୍ଥିର ହୋଇ ଠିଆ ହୋଇ ରହିଲି ।

 

ଦୁଇମିନିଟ୍ ପରେ ମୁଁ ଆପୋଲନ୍‌ର ମପାଚୁପା ପାଦଶବ୍ଦ ଶୁଣି ପାରିଲି । “କିଏ ଜଣେ ସ୍ତ୍ରୀଲୋକ ତୁମକୁ ଦେଖା କରିବାକୁ ଆସିଛନ୍ତି,” ବିଚିତ୍ର ନିର୍ମମତାରେ ମୋତେ ଅନାଇ ସେ କହିଲା-। ତାପରେ ଗୋଟାଏ କଡ଼କୁ ଘୁଞ୍ଚି ଯାଇ ଲିଜାକୁ ଆସିବାକୁ ବାଟ ଛାଡ଼ି ଦେଲା । ନିଜେ କିନ୍ତୁ ସେଠାରୁ ଚଙ୍କିଲା ନାହିଁ, ଓଲଟି ଆମ ଆଡ଼କୁ ଥଟ୍ଟାକଲା ପରି ଆଖିରେ ଅନେଇ ରହିଲା ।

 

“ଯା ଯା, ପଳା ଏଠୁ,” ମୁଁ ଅତ୍ୟନ୍ତ ନିରାଶ ହୋଇ ଆଦେଶ ଦେଲି, ସେତିକିବେଳେ ମୋ ଘଣ୍ଟାରେ ଘର୍‌ର ଘର୍‌ର ହୋଇ ସାତଟା ବାଜିଲା ।

 

(ନଅ)

 

ଆସ ମୋ ଘରକୁ ପ୍ରିୟେ ନିର୍ଭୟ ମୁକ୍ତିରେ

ଏ ଘର ତୁମର ରାଣୀ ତୁମ ଅଧିକାରେ ।

 

ତା ସାମ୍ନାରେ ମୁଁ ଠିଆ ହୋଇଥିଲି ଧ୍ୱସ୍ତ ବିଧ୍ୱସ୍ତ, ଭଗ୍ନଜାନୁ, କ୍ରୋଧରେ ଅଧୀର । ମୁଁ ଭାବୁଛି ବୋଧହୁଏ ହସିଲି ଟିକିଏ ମୁଁ ଏବଂ ପାରୁପର୍ଯ୍ୟନ୍ତ ଚେଷ୍ଟାକଲି ମୋ ଛିଣ୍ଡା ପୁରୁଣା ଡ୍ରେସିଂ ଗାଉନଟିର ତଳ ଭାଗରେ ମୋ ନିଜକୁ ଯେତେପାରେ ଘୋଡ଼ାଇ ପକାଇବାକୁ-ଠିକ୍ ଯେଉଁ ଦୃଶ୍ୟଟି କଳ୍ପନା ମୁଁ କରିଥିଲି ଅଳ୍ପ ଦିନ ଆଗରୁ ମୋ ନୈରାଶ୍ୟର ଚରମ ବେଳାରେ । ଆମ ପାଖରେ ଦୁଇ ମିନିଟ ଠିଆ ହେଲା ପରେ ଆପୋଲନ୍ ପଳାଇଗଲା, ହେଲେ ତାହା ମୋତେ ଅଧିକା ସୁବିଧାଜନକ ବା ସହଜ କରି ପାରିଲା ନାହିଁ । ଆଉ ଅଧିକ ଖରାପ ଘଟିଥିବା ଘଟଣାଟି ହେଲା, ଲିଜା ବି ଏ ପରିସ୍ଥିତିର ଥଳକୂଳ ନପାଇ ଜଟିଳତା ଜାଲରେ ଛନ୍ଦି ହୋଇ ପଡ଼ିଲା ପରି ଏମିତି ଠିଆ ହୋଇଥିଲା ଯେପରି ମୁଁ କେବେ ବି ଆଶା କରି ନଥିଲି । ଅବଶ୍ୟ ମୋ ଅବସ୍ଥା ଦର୍ଶନରେ ଏହା ହୋଇଥିଲା ।

 

“ବସ’’, ଯନ୍ତ୍ରଚାଳିତବତ୍ କହି, ଚୌକିଟିଏ ଟେବୁଲ ପାଖକୁ ଘୁଞ୍ଚାଇ ଦେଲି ଓ ନିଜେ ମୁଁ ସୋଫା ଉପରେ ବସି ପଡ଼ିଲି । ସେ ବାଧ୍ୟ ଶିଶୁ ପରି ତତ୍‌କ୍ଷଣାତ୍ ବସି ପଡ଼ିଲା, ଆଉ ଏଡ଼େ ଏଡ଼େ ଆଖିରେ ଅନେଇଲା, ଜଣା ଯାଉଥିଲା ଯେପରି ସାଂଗେ ସାଂଗେ ମୋ’ଠାରୁ କିଛି ସେ ଆଶା କରୁଥିଲା । କିଛି ପାଇବାର । ଏ ପ୍ରକାର ଅପରିପକ୍ୱତା ମୋତେ ରାଗର ଚରମ ସୀମାକୁ ନେଇଗଲା । ହେଲେ ମୁଁ ନିଜକୁ ସମ୍ଭାଳି ନେଲି ।

 

ଏସବୁ କିଛି ଦେଖି ନଥିବାର ଛଳନା ଅନ୍ତତଃ ସେ କରିପାରିଥାନ୍ତା, କିନ୍ତୁ ତା ବଦଳରେ ସେ... ମୋ ଭିତରେ ଅସ୍ପଷ୍ଟ ଭାବରେ ଅନୁଭବ କଲି ଯେ ଏଭଳି ଭୁଲ ସମୟ ବାଛିଥିବା ଯୋଗୁ ତାକୁ ବହୁତ ବେଶୀ ତଣ୍ଡ ଦେବାକୁ ପଡ଼ିବ, ଆଉ ମୁଁ ଦେଖିବି ଏହା ସେ କିପରି ଦେବ ।

 

“ତୁମେ ମୋତେ ଗୋଟାଏ ଅଦ୍ଭୁତ ଅବସ୍ଥାରେ ପକାଇଲ ଲିଜା”- ମୋ ପାଟି ଖନି ମାରି ଯାଉଥିଲା ଓ ଏପରି ଆରମ୍ଭ କରିବାଟା ଗୋଟାଏ ଭୁଲ ବୋଲି ଜାଣିପାରି ପୁଣି ତରତର ହୋଇ ମୁଁ କହିଲି, “ନା, ନା, ମନେ ମନେ ଗୁଡ଼ାଏ କିଛି ଭାବି ପକାଅ ନାହିଁ,” ସେ ଲାଲ ପଡ଼ିଯିବା ଦେଖି ପୁଣି ମୁଁ ଚିତ୍କାର କଲି । “ମୁଁ ମୋର ଦାରିଦ୍ର‌୍ୟପାଇଁ ଲଜ୍ଜିତ ନୁହେଁ, ବରଂ ମୋ ଦାରିଦ୍ର‌୍ୟକୁ ମୁଁ ଅହଂକାରର ସହିତ ଦେଖେ । ମୁଁ ଗରିବ କିନ୍ତୁ ସମ୍ମାନର ଯୋଗ୍ୟ... ଜଣେ ଗରିବ ହୋଇ ବି ସମ୍ମାନର ଯୋଗ୍ୟ ହୋଇପାରେ,” ମୁଁ ଗଡ଼ ଗଡ଼ ହୋଇ କହିଗଲି । “ସେ ଯା ହେଉ- ତୁମେ ଚା ଖାଇବ?’’

 

‘ନା’- ସେ କହି ଆସୁଥିଲା

“ଟିକିଏ ରୁହ ।”

ମୁଁ ଡେଇଁ ପଡ଼ି ଆପୋଲନ ପାଖକୁ ଦୌଡ଼ିଲି । ଏ କୋଠରୀରୁ କୌଣସି ପ୍ରକାର ବାହାରିଯିବା ମୋର ଦରକାର ଥିଲା ।

 

“ଆପୋଲନ୍‌’’, ତା’ପାଖକୁ ଯାଇ ଜରୁଆ ସ୍ୱରରେ ତରତର ହୋଇ ମୁଁ ଡାକିଲି, ମୋ ହାତ ମୁଠାରେ ସବୁବେଳେ ରହିଥିବା ସାତ ରୁବଲ ତା ସାମ୍ନାରେ ମୁଁ ଫିଙ୍ଗି ଦେଲି, ‘ଏଇଠି ରହିଲା ତୁମର ଦରମା, ଦେଖ, ତୁମ ଦରମା ତୁମକୁ ମୁଁ ଦେଇ ଦେଉଛି; କିନ୍ତୁ ସେଥିପାଇଁ ତୁମକୁ ମୋତେ ରକ୍ଷା କରିବାକୁ ହେବ; ଯାଅ ପାଖ ଦୋକାନରୁ କପେ ଚା’ ଆଉ ଡଜନେ ହେବ ରସ୍କ ବିସ୍କୁଟ ଆଣିଦିଅ । ଯଦି ତୁମେ ନ ଯାଅ, ତୁମେ ମୋତେ ସବୁଠାରୁ ଲାଞ୍ଛିତ ମଣିଷରେ ପରିଣତ କରିଦେବ । ତୁମେ ଜାଣନି ଏ ସ୍ତ୍ରୀ ଲୋକଟି କ’ଣ ! ଏ ହେଉଛି.. ସବୁକିଛି ! ହୁଏତ ତୁମେ କେତେ କଥା ଭାବୁଥିବ, ହେଲେ ତୁମେ ଜାଣନି ଏ ସ୍ତ୍ରୀ ଲୋକଟି କ’ଣ !”

 

ଆପୋଲନ୍ ସେତେବେଳକୁ ତା କାମରେ ବସି ସାରିଥିଲା ଓ ପୁଣି ଚଷମାଟାକୁ ନାକ ଉପରେ ଥୋଇ ଦେଇଥିଲା, ଆଗ ସେ ତାର ବିଖ୍ୟାତ ପ୍ରଶ୍ନବାଚୀ ଚାହାଣୀରେ ରୁବଲ୍‌କୁ ଦେଖି ନେଲା, ପଦେ ବି କିଛି କହିଲା ନାହିଁ କିମ୍ବା ଛୁଞ୍ଚିଟାକୁ ତଳେ ଥୋଇଲା ନାହିଁ; ତା’ପରେ ମୋ’ଆଡ଼କୁ ସାମାନ୍ୟ ବି ନଜର ନଦେଇ, ଯେପରି ମୁଁ ସେଠି ନାହିଁ, ସେହିପରି କିଛି ଉତ୍ତର ନଦେଇ, ତାର ଛୁଞ୍ଚି ସହିତ ନିଜକୁ ବ୍ୟସ୍ତ ରଖିଲା, ଯେଉଁ ଛୁଞ୍ଚିରେ ଏ ଯାଏ ସୂତା ଲାଗି ନଥିଲା । ମୁଁ ଅପେକ୍ଷା କଲି, ମୋ ହାତକୁ ଛାତି ଉପରେ ଛନ୍ଦି ନେପୋଲିୟନ ପରି ମୁଁ ତିନିମିନିଟ ଠିଆ ହୋଇ ରହିଲି । ମୋ କପାଳ ଦୁଇପଟ ଝାଳରେ ଓଦା ହୋଇ ଯାଇଥିଲା । ମୁଁ ଶେଥା ପଡ଼ି ଯାଇଥିଲି, ମୋତେ ଖରାପ ବି ଲାଗୁଥିଲା । କିନ୍ତୁ ଭଗବାନଙ୍କୁ ଧନ୍ୟବାଦ, ମୋତେ ଦେଖି ତା ମନରେ ଦୟା ଆସିଲା ନିଶ୍ଚୟ ।

 

ଛୁଞ୍ଚିରେ ତା’ର ସୁତା ଗଳାଇ ସାରି ସେ ଜାଣିଜାଣି ଅତି ଧୀରେ ଉଠିଲା ତା ସିଟରୁ । ଇଚ୍ଛା କରି ଧୀରେ ଚୌକିଟିକୁ ପଛକୁ ଠେଲିଲା, ତା’ପରେ ବେଶ୍ ବିଳମ୍ବ କରି ଚଷମାଟିକୁ କାଢ଼ିଲା, ଢେର ସମୟ ନେଇ ଜାଣିଜାଣି ଧୀରେ ରୁବଲ୍ ତକ ଗଣିଲା ଆଉ ଶେଷରେ, କାନ୍ଧ ଉପରୁ ମୁହଁ ବୁଲାଇ ମୋତେ ପଚାରିଲା, “ମୁଁ କ’ଣ ପୂରା ପାକେଟଟିଏ ନେଇ ଆସିବି?” ତା’ପରେ ଇଚ୍ଛାକୃତ ଭାବରେ ଘରୁ ବାହାରିଗଲା । ମୁଁ ଲିଜା ପାଖକୁ ଫେରି ଗଲାବେଳକୁ, ବାଟରେ ଗୋଟାଏ ଚିନ୍ତା ମୋ ମନକୁ ଆସିଲା, ମୁଁ ଯେହେତୁ ମୋର ଏ ଛିଣ୍ଡା ଡ୍ରେସିଂ ଗାଉନରେ ଅଛି, ମୁଁ କୁଆଡ଼େ ଦୌଡ଼ି ପଳେଇଯିବା ଉଚିତ ହେବକି? ଯୋଉଠିକି ଯାଏ ପଛେ, ତା’ପରେ ଦେଖିବାନି କ’ଣ ହେବ?

 

ପୁଣିଥରେ ମୁଁ ବସି ପଡ଼ିଲି । ସେ ମୋତେ ଅପ୍ରତିଭ ହୋଇ ଅନେଇଲା । କେତେ ମିନିଟ ଆମେ ନିରବ ରହିଲୁ ।

“ମୁଁ ତାକୁ ମାରି ଦେବି,” ହଠାତ୍ ମୁଁ ପାଟି କଲି ଆଉ ଟେବୁଲଟାକୁ ହାତ ମୁଠାରେ ଏତେ ଜୋର କୁଟି ଦେଲି ଯେ ଦୁଆତରୁ କଲମଟା ଛିଟିକି ଆସି କାଳି ଚାରିଆଡ଼େ ଢଳିଗଲା ।

 

“କ’ଣ ତୁମେ କହୁଛ?’’ ସେ ଚମକି ପଡ଼ି ପଚାରିଲା ।

 

“ମୁଁ ତାକୁ ମାରି ଦେବି । ମାରିଦେବି,” ଚିତ୍କାର କରି, ହଠାତ୍ ପୂରା ପାଗଳଙ୍କ ପରି ଟେବୁଲଟାକୁ ପିଟି ଲାଗିଲି, ଆଉ ସେଇ ସମୟରେ ମୁଁ ବୁଝି ବି ପାରୁଥିଲି ଯେ ଏଭଳି ପାଗଳାମୀ କି ଭୟଙ୍କର ମୂର୍ଖତାର ପରିଚୟ ଦେଉଥିଲା । “ତୁମେ ଜାଣନି, ଲିଜା, ସେ ଅତ୍ୟାଚାରୀ ମୋତେ କ’ଣ କରିଛି । ସେ ମୋର ଅତ୍ୟାଚାରୀ... ସେ ଏବେ ଯାଇଛି କିଛି ରସ୍କ ଆଣିବାକୁ; ସେ... ।”

 

ହଠାତ୍ ମୁଁ କାନ୍ଦି ପକାଇଲି । ଏହା ଥିଲା ଗୋଟେ ଆବେଗର ଆକ୍ରମଣ । ମୋ କାନ୍ଦ ମଝିରେ ବି ମୁଁ ଲଜ୍ଜିତ ଓ ଅପମାନିତ ଅନୁଭବ କରୁଥିଲି, କିନ୍ତୁ ତଥାପି କାନ୍ଦକୁ ରୋକି ପାରୁ ନଥିଲି-

 

ସେ ଡରିଗଲା ।

 

“ଘଟଣା କ’ଣ? କ’ଣ ଭୁଲ ହୋଇଛି?” ସେ ମୋ ଚାରିପଟକୁ ଦେଖେଇ ଚିତ୍କାର କଲା ।

“ପାଣି, ମୋତେ ପାଣି ଦିଅ, ସେଇଠି ।” ମୁଁ ଖୁବ୍ ଦୁର୍ବଳ ସ୍ୱରରେ ବିଡ଼ ବିଡ଼ ହେଲି, ଅବଶ୍ୟ ଭିତରେ ମୁଁ ଜାଣିଥିଲି ଯେ ବିନା ପାଣିରେ ବି ମୋର ଚଳିଥାନ୍ତା, ମୋର ଦୁର୍ବଳ ସ୍ୱର ଥିଲା ସାମୟିକ । ତଥାପି ଏସବୁ ଯାହା କହନ୍ତି ମୁଁ ଜାଣି ଜାଣି କରୁଥିଲି, ମୋ ମୁହଁ ରଖିବାକୁ । ଅବଶ୍ୟ ଆବେଗର ଆକ୍ରମଣଟି ଥିଲା ସତ ।

 

ସେ ମୋତେ ପାଣି ଦେଲା, ମୋତେ ଚକିତ ହୋଇ ଦେଖୁଥିଲା । ସେତିକିବେଳେ ଆପୋଲନ୍ ଆଣି ଚା’ ଦେଲା । ମୋତେ ହଠାତ୍ ଲାଗିଲା ଯାହାସବୁ ଏବେ ଏବେ ଘଟି ଯାଇଥିଲା, ତାପରେ ଏହି ଅତି ସାଧାରଣ, ଗଦ୍ୟମୟ ଚା’ଟା ଯେପରି ଅତି ମାତ୍ରାରେ ଅଶାଳୀନ ଓ ଘୃଣ୍ୟ ଗୋଟେ ବସ୍ତୁ, ମୁଁ ଲଜ୍ଜାରେ ଲାଲ ହୋଇଗଲି । ଲିଜା ଅତି ସତର୍କ ଦୃଷ୍ଟିରେ ଆପୋଲନ୍‌କୁ ଦେଖିଲା । ଆପୋଲନ୍ ଘର ଭିତରୁ ବାହାରି ଗଲା, ଆମଆଡ଼କୁ ଅନାଇଲା ବି ନାହିଁ ।

 

“ଲିଜା, ତୁମେ କ’ଣ ମୋତେ ଘୃଣା କରୁଛ?” ତାକୁ ସିଧା ସ୍ଥିର ଦୃଷ୍ଟିରେ ଅନାଇ ମୁଁ ପଚାରିଲି, ସେ କ’ଣ ଭାବୁଥିଲା ଜାଣିବାକୁ ଅଧୈର୍ଯ୍ୟ ହୋଇ ଥରୁଥିଲି ମୁଁ ।

 

ସେ ଯେମିତି ଗୋଲକଧନ୍ଦାରେ ପଡ଼ି ଯାଇଥିଲା, କ’ଣ ଉତ୍ତର ଦେବ ଜାଣି ପାରୁ ନଥିଲା ।

 

‘ତୁମ ଚା’ ପିଅ’, ମୁଁ ରାଗରେ ତାକୁ କହିଲି । ମୁଁ ନିଜ ଉପରେ ରାଗିଥିଲି, ହେଲେ ତାକୁ ଏଥିପାଇଁ ମୂଲ୍ୟ ଦେବାକୁ ପଡ଼ିବ । ତା ବିରୁଦ୍ଧରେ ଏକ ଭୟଙ୍କର ପ୍ରତିଶୋଧ ପରାୟଣତା ମୋ ହୃଦୟ ଭିତରେ ମୁଣ୍ଡ ଟେକି ଥିଲା; ମୋର ବିଶ୍ୱାସ ସେତେବେଳେ ମୁଁ ତାକୁ ମାରି ଦେଇ ପାରିଥାନ୍ତି । ମୋ ନିଜ ଉପରର ପ୍ରତିଶୋଧ ତା ଉପରେ ନେବାକୁ ମୁଁ ଭିତରେ ଭିତରେ ପ୍ରତିଜ୍ଞା କଲି, ଯେତେ ସମୟ ସେ ରହିବ, ମୁଁ ତାକୁ ପଦେ ବି କଥା କହିବି ନାହିଁ । ‘ସେଇ ହିଁ ଏ ସବୁର ମୂଳ କାରଣ,’ ମୁଁ ଭାବିଲି ।

 

ପାଞ୍ଚ ମିନିଟ ନିରବତା ଭିତରେ ବିତିଗଲା । ଟେବୁଲ ଉପରେ ଚା’ ଥୁଆ ହୋଇଥିଲା; ଆମେ ତାକୁ ଛୁଇଁ ନଥିଲୁ । ତାକୁ ଅଧିକ ଅପ୍ରତିଭ କରିବାପାଇଁ କେବଳ, ମୁଁ ଆଗ କଥା ଆରମ୍ଭ କରିବାରୁ ଜାଣି ଜାଣି ନିଜକୁ ନିବୃତ୍ତ କରାଇବା ଅବସ୍ଥାକୁ ଚାଲି ଯାଇଥିଲି; ତାପାଇଁ ଏକୁଟିଆ କଥା ଆରମ୍ଭ କରିବା ଅସୁବିଧାଜନକ ଥିଲା । କେତେଥର ସେ ମୋତେ କାନ୍ଦ କାନ୍ଦ, ବିଚଳିତ ହୋଇ ଚାହିଁଲା । ମୁଁ ଜିଦି ଖୋର ପରି ନିରବ ଥିଲି । ଅବଶ୍ୟ, ମୁଁ ନିଜେ ହିଁ ଥିଲି ସବୁଠାରୁ ପୀଡ଼ିତ, କାରଣ ମୁଁ ମୋର ମୁର୍ଖ ପ୍ରତିଶୋଧ ପରାୟଣତାର ବିରକ୍ତିକର ଛୋଟଲୋକି ପ୍ରତି ପୂର୍ଣ୍ଣ ସଚେତନ ଥିଲି, ତଥାପି ସେତେବେଳେ ମୁଁ ନିଜକୁ ସମ୍ବରଣ କରିପାରି ନଥିଲି ।

 

“ମୁଁ ଚାହୁଁଛି... ପଳାଇଯିବାକୁ... ସେଠୁ...’’ ସେ କୌଣସି ପ୍ରକାର ନିରବତା ଭାଙ୍ଗିବାକୁ ଚେଷ୍ଟା କଲା, କିନ୍ତୁ ବିଚାରୀ, ମୋ’ଭଳି ଗୋଟାଏ ମୂର୍ଖ ଲୋକକୁ ଏପରି ଏକ ବିରକ୍ତିକର ମୁହୂର୍ତ୍ତରେ ସେଇ କଥାଟା କହିବା ତା’ର ଉଚିତ ନଥିଲା । ତା’ର ଅକୁଶଳ, ଅପରିପକ୍ୱ, ଅଦରକାରୀ ସିଧାସଳଖ ପଣିଆପାଇଁ ମୋ ହୃଦୟ ଦୟାରେ ନିଶ୍ଚୟ ବିଗଳିତ ହୋଇଗଲା । ହେଲେ ହଠାତ୍ କିଛି ଗୋଟାଏ ଘୃଣ୍ୟ ମୋ ଭିତରର ବିଷକୁ ଅଧିକ ଉସୁକେଇ ଦେଲା । କ’ଣ ଘଟିଥିଲା ସେଥିପାଇଁ ମୋର ଆଉ ଖାତିର୍ ନଥିଲା । ଆଉ ପାଞ୍ଚ ମିନିଟ୍ ବିତିଗଲା ।

 

“ବୋଧହୁଏ ମୁଁ ତୁମରି ବାଟରେ ଚାଲୁଛି,’’ ସେ ଉଠୁ ଉଠୁ ଭୀରୁ ସ୍ୱରରେ ନ ଶୁଭିଲା ପରି କହିଲା ।

 

କିନ୍ତୁ ତା’ର ଆହତ ଅଭିମାନର ପ୍ରଥମ ପ୍ରକାଶକୁ ଦେଖି ଦେଲାକ୍ଷଣି କ୍ରୋଧରେ ମୁଁ ଥରିଗଲି, ଆଉ ରାଗରେ ଫାଟି ପଡ଼ିଲି ।

 

“ତୁମେ ଏଠାକୁ କାହିଁକି ଆସିଛ ଆଗ ଦୟାକରି କହିବ କି?’’ ମୋ କଥାର ଯଥାର୍ଥତା ପ୍ରତି ଟିକେ ବି ନଜର ନଦେଇ, ଅଣନିଶ୍ୱାସୀ ହୋଇ ମୁଁ ଆରମ୍ଭ କଲି । ସବୁଯାକ ଏକାଥରକେ, ଗୋଟାଏ ଝଟକାରେ ମୁଁ ବାହାର କରି ଦେବାକୁ ଚାହୁଁଥିଲି; କେମିତି ଆରମ୍ଭ କରିବି ସେଥିପାଇଁ ମୋର ଆଉ ଚିନ୍ତା ନଥିଲା । “ତୁମେ କାହିଁକି ଆସିଛ? ଉତ୍ତର ଦିଅ, ଉତ୍ତର ଦିଅ,” ମୁଁ କ’ଣ କରୁଛି, କ’ଣ କହୁଛି ନବୁଝି ଚିତ୍କାର କଲି “ମୁଁ କହୁଛି, ମୁଁ କହୁଛି, ମୋ ସୁନାଝିଅ, ତୁମେ କାହିଁକି ଆସିଛ ମୁଁ କହୁଛି । ତୁମେ ଆସିଛ କାରଣ ସେତେବେଳେ ମୁଁ ତୁମକୁ ଆବେଗଭରା ଅନେକ କଥା କହିଥିଲି । ଏଣୁ ତୁମେ ଏବେ ଲହୁଣୀ ପରି ନରମ ହୋଇ ଯାଇଛ ଏବଂ ଆହୁରି ସୂକ୍ଷ୍ମତର ଆବେଗ ପୁଣି ପାଇବାକୁ ଚାହୁଁଛ । ହେଲେ ତୁମେ ଭଲ ଭାବେ ଜାଣିବା ଦରକାର ଯେ ସେତେବେଳେ ମୁଁ ତୁମକୁ ପରିହାସ କରୁଥିଲି । ଆଉ ଏବେ ବି ତୁମକୁ ପରିହାସ କରୁଛି । ତୁମେ ଥରୁଛ କାହିଁକି? ହଁ, ମୁଁ ତୁମକୁ ପରିହାସ କରୁଥିଲି । ମୁଁ ତାର ଅଳ୍ପ ସମୟ ଆଗରୁ ନିଜେ ଅପମାନିତ ହୋଇଥିଲି, ସେଇ ଦିନ ସଂଧ୍ୟାରେ, ରାତ୍ରି ଭୋଜନରେ, ଯେଉଁମାନେ ମୋ ଆଗକୁ ଆସିଥିଲେ ସେଇମାନଙ୍କଦ୍ୱାରା । ସେମାନଙ୍କ ଭିତରୁ ଜଣଙ୍କୁ, ଗୋଟାଏ ଅଫିସରକୁ ମାରିବା ଉଦ୍ଦେଶ୍ୟରେ, ମୁଁ ତୁମ ପାଖକୁ ଆସିଥିଲି; କିନ୍ତୁ ସଫଳ ହେଲି ନାହିଁ, ତାକୁ ମୁଁ ପାଇଲି ନାହିଁ; ସେ ଅପମାନର ପ୍ରତିଶୋଧ କାହା ଉପରେ ଗୋଟାଏ ମୋର ନେବାର ଥିଲା, ଅନ୍ତତଃ ମୋ ନିଜର ଶାନ୍ତିପାଇଁ । ମୁଁ ତାକୁ ତ ପାଇଲି ନାହିଁ, ହେଲେ ତୁମେ ଆସିଗଲ ସାମ୍ନାକୁ, ମୁଁ ମୋ ମନକଥା ଖୋଲି ଦେଲି ତୁମ ଆଗରେ ଓ ତୁମକୁ ଥଟ୍ଟା କଲି । ମୁଁ ନିଜେ ଉପହସିତ ହୋଇଥିଲି; ତେଣୁ ମୁଁ ଚାହୁଁଥିଲି ଉପହାସ କରିବାକୁ; ମୁଁ ଗୋଟାଏ ଛିଣ୍ଡା କନ୍ଥା ପରି ବ୍ୟବହୃତ ହୋଇଥିଲି, ଏଣୁ ମୁଁ ଚାହୁଁଥିଲି ମୋ କ୍ଷମତା ଦେଖାଇବାକୁ...--ଏହା ହିଁ ଥିଲା ସେଦିନର କଥା, ଆଉ ତୁମେ ଭାବିଲ ମୁଁ ସେଠାକୁ ଆସିଥିଲି ତୁମକୁ ରକ୍ଷା କରିବାକୁ । ହଁ? ତୁମେ ସେୟା ଭାବିଥିଲ? ତୁମେ ସେୟା କଳ୍ପନା କରିଥିଲ ନା?”

 

ମୁଁ ଜାଣିଥିଲି ଯେ ସେ ଏଥିରୁ ଅଧା ବୁଝିବ ଅଧା ବୁଝି ପାରିବନି ଆଉ ଏ ସବୁକୁ ଆକ୍ଷରିକ ଅର୍ଥରେ ନେବ ନାହିଁ, କିନ୍ତୁ ଏହା ବି ମୁଁ ଜାଣି ଥିଲି ଯେ, ସେ ଏସବୁର ସାରାଂଶଟିକୁ ଠିକରେ ବୁଝିନେବ । ଆଉ ପ୍ରକୃତରେ ବି ସେ ବୁଝିଲା । ଗୋଟାଏ ସାଦା ରୁମାଲ ପରି ସେ ଧଳା ହୋଇଗଲା, କିଛି କହିବାକୁ ଚେଷ୍ଟା କଲା, ତା ଓଠ ଯନ୍ତ୍ରଣାରେ ଥରିବାକୁ ଲାଗିଲା; କିନ୍ତୁ ସେ ଚୌକି ଉପରେ ଥପକିନା ବସି ପଡ଼ିଲା ଯେମିତି ଗୋଟାଏ କୁରାଢ଼ିରେ ତା ଉପରେ ସିଧା ଗୋଟେ ଚୋଟ ବସିଥିଲା । ଏହା ପରେ ସାରା ସମୟ ସେ ଆଖି ମେଲା କରି ଓଠ ଆଁ କରି ମୋ କଥା ଶୁଣିଲା, ମଝିରେ ମଝିରେ କୁତ୍ସିତ ଭୟରେ କଂପୁଥିଲା । ମୋ କଥାରେ ବିଶ୍ୱାସର ଅଭାବ, ମାନବିକତାର ବିରୋଧ, ଭଲ ପଣ ପ୍ରତି ଘୃଣା, ନିରାଶାବାଦ ଆଦି ତାକୁ ବିଚଳିତ କରିଦେଲା ।

 

“ଭଗବାନ ତୁମକୁ ରକ୍ଷା କରନ୍ତୁ ।” ମୁଁ ଚେୟାରରୁ ଲମ୍ଫ ପ୍ରଦାନ କରି ଘରର ଏ ମୁଣ୍ଡରୁ ସେ ମୁଣ୍ଡ ଯାଏ ଦୌଡ଼ି ଦୌଡ଼ି କହିଚାଲିଥିଲି, “କେଉଁଥିରୁ ତୁମକୁ ରକ୍ଷା? ହେଲେ ମୁଁ ନିଜେ ବୋଧେ ତୁମଠାରୁ ବି ଖରାପ । ଯେତେବେଳେ ତୁମକୁ ମୁଁ ଉପଦେଶ ଦେଉଥିଲି ମୋ ମୁହଁ ଉପରେ ଓଲଟା ସେ ସବୁ ତୁମେ ଫୋପାଡ଼ି ଦେଲ ନାହିଁ କାହିଁକି । “ଆଉ ତୁମେ ନିଜେ ଏଠାକୁ କ’ଣ ପାଇଁ ଆସିଛ? ମୋ ଆଗରେ ଉପଦେଶ ପଢ଼ିବାକୁ?’’ ଶକ୍ତି, ଶକ୍ତି ହିଁ ମୋର ସେତେବେଳେ ଦରକାର ଥିଲା, ହଁ ଶକ୍ତି, ମୁଁ ଚାହୁଁଥିଲି ଖେଳ, ମୁଁ ଚାହୁଁଥିଲି ଚୁପୁଡି ନିଗାଡ଼ି ଦେବାକୁ ତୁମର ଲୁହ, ତୁମର ଅପମାନ, ତୁମର ପାଗଳାମୀ - ତାହା ହିଁ ସେତେବେଳେ ମୁଁ ଚାହିଁଥିଲି! ଅବଶ୍ୟ, ସେତେବେଳେ ମୁଁ ସେହି ଧାରାଟିର କ୍ରମ ରଖିପାରି ନଥିଲି, କାରଣ ମୁଁ ନିଜେ ହିଁ ଗୋଟାଏ ନିଚ୍ଚ, ନିମ୍ନତମ କର୍ଦ୍ଦମାକ୍ତ ଜୀବ, ସେତେବେଳ ମୁଁ ଥିଲି ଭୟରେ ଜଡସଡ, ଆଉ କେବଳ ସଇତାନ ଜାଣେ, କାହିଁକି, ମୁଁ ଭୁଲରେ ମୋ ଠିକଣା ତୁମକୁ ଦେଇ ଦେଇଥିଲି, ଆଉ ପରେ, ମୁଁ ଘରେ ପହଞ୍ଚିବା ପୂର୍ବରୁ, ମୁଁ ସେଇ ଠିକଣାପାଇଁ କେବଳ ତୁମକୁ ଅଭିଶାପ ଦେଉଥିଲି, ଗାଳି ଦେଉଥିଲି, ତୁମକୁ ଘୃଣା କରୁଥିଲ ମୁଁ ନିଜେ ମିଛ କହିଥିବା ଯୋଗୁ । କାରଣ ମୁଁ କେବଳ ଶବ୍ଦ ସହିତ ଖେଳିବାକୁ ଭଲ ପାଏ, କେବଳ ସ୍ୱପ୍ନ ଦେଖିବାକୁ, ସତ କହିବାକୁ ଗଲେ, ମୁଁ ଯାହା ଚାହେଁ, ତାହା ହେଲା, ତୁମେମାନେ ସମସ୍ତେ ନର୍କକୁ ଯାଅ । ତାହା ହିଁ ମୁଁ ଚାହେଁ ।

 

“ମୁଁ ଚାହେଁ ଶାନ୍ତି; ହଁ ହଁ, ମୁଁ ଶାନ୍ତିରେ ରହିବାପାଇଁ ସବୁ କିଛି କରିପାରେ, ସାରା ପୃଥିବୀକୁ, ସିଧାସଳଖ ପାହୁଲାଟାକରେ ବିକି ଦେଇପାରେ । କ’ଣ ହେବ ତା ହେଲେ? ପୃଥିବୀ ରସାତଳଗାମୀ ହୋଇଯିବ କିମ୍ବା ମୁଁ ବିନା ଚା’ରେ ରହିବାକୁ ବାଧ୍ୟ ହେବି । ତା’ମାନେ ମୁଁ ଏୟା କହିବାକୁ ଚାହୁଁଛି ଯେ ପୃଥିବୀ ପଛେ ବୁଡ଼ି ମରୁ ମତେ ଯେତେଦିନ ଚା ମିଳୁଛି ମୁଁ ସେଥିରେ ଖୁସି । ତୁମେ ଏକଥା ଜାଣିଛ ନା ଜାଣିନାହଁ? ସେ ଯା ହେଉ, ମୁଁ ଏତିକି ଜାଣେ ଯେ ମୁଁ ଗୋଟାଏ ଖଳ ସଇତାନ, ବଦମାସ, ଅହଂକାରୀ, ସ୍ୱାର୍ଥପର ଅଳସୁଆ ଲୋକ । ଏଠି ମୁଁ ଗତ ତିନିଦିନ ହେଲା ତୁମ ଆସିବା ଭାବନାରେ ଆତଙ୍କିତ ହୋଇ ରହିଛି । ଆଉ ତୁମେ ଜାଣ କୋଉ ଜିନିଷଟା ମୋତେ ବିଶେଷ ଭାବରେ ଏଇ ତିନି ଦିନ ଧରି ବିଚଳିତ କରିଛି? ଏୟା ଯେ, ତୁମ ଆଗରେ ମୁଁ ନିଜକୁ ସେଦିନ ଗୋଟାଏ ପୁରୁଷୋତ୍ତମ ପରି ଦେଖାଇ ହେଲି, ଆଉ ଏବେ ତୁମେ ମୋତେ ଏଠି ଚିରା ଫଟା ଦୁଃସ୍ଥ ଡ୍ରେସିଂ ଗାଉନ୍‌ରେ ଦେଖିବ ଭିକାରୀ ପରି, ଘୃଣ୍ୟ ଅବସ୍ଥାରେ । ଏବେ ହିଁ ମୁଁ ତୁମକୁ କହିଥିଲି ଯେ, ମୁଁ ମୋର ଦାରିଦ୍ର‌୍ୟପାଇଁ ଲଜ୍ଜିତ ନୁହେଁ; ଏଣୁ ତୁମେ ବି ଏଥିରୁ ଭଲ ଭାବେ ବୁଝିବା ଦରକାର ଯେ ଏଥିପାଇଁ ମୁଁ ବିଶେଷ ଭାବରେ ଲଜ୍ଜିତ; ଅନ୍ୟ ଯେ କୌଣସି ଜିନିଷଠାରୁ ଏଥିପାଇଁ ମୁଁ ଅଧିକ ଲଜ୍ଜିତ, ଯଦି ମୁଁ ଗୋଟାଏ ଚୋର ହୋଇ ଧରା ପଡ଼ିଥାନ୍ତି, ସେ ଅବସ୍ଥାଠାରୁ ବି ଏ ଅବସ୍ଥାକୁ ମୋର ବେଶୀ ଡର ।

 

କାରଣ ମୁଁ ନିହାତି ଗୋଟାଏ ଫମ୍ପା, ନିସ୍ୱ ମଣିଷ ଯେମିତି ମୋ ଦେହରୁ ଚମଡ଼ା ଉତ୍ତାରି ଦିଆ ହୋଇଛି ଆଉ ପବନ ଟିକେ ବୋହିଲେ ବି ମୋତେ କାଟୁଛି । ଏଣୁ ନିଶ୍ଚିତ ଭାବରେ ତୁମେ ଏବେ ବୁଝି ସାରିଥିବ ଯେ ଠିକ୍ ଯେତେବେଳେ ମୁଁ ଆପୋଲନ୍ ଉପରେ ଗୋଟାଏ ରାଗ ରଖିଥିବା କୁକୁର ପରି ଝାମ୍ପ ମାରୁଥିଲି ସେତିକିବେଳେ ତୁମର ଏପରି ଆସି ମୋତେ ଏହି ଦୟନୀୟ ଡ୍ରେସିଂ ଗାଉନ୍‌ରେ ଭେଟିଥିବା ଯୋଗୁ ତୁମକୁ ମୁଁ କେବେ ହେଲେ କ୍ଷମା କରିବି ନାହିଁ । ତୁମର ସେଇ ତ୍ରାଣକର୍ତ୍ତା, ପୂର୍ବର ସେଇ ନାୟକ ପୁରୁଷୋତ୍ତମ, ଗୋଟାଏ ଅପରିଚ୍ଛନ୍ନ, ଅବହେଳିତ, ଦୁଃସ୍ଥ ଜଗୁଆଳି କୁକୁର ପରି ତା ଚାକର ଉପରକୁ ଝାମ୍ପ ମାରୁଛି, ଆଉ ଚାକରଟି ତାକୁ ଦାନ୍ତ ନିକୁଟୁଛି ! ମୁଁ ତୁମକୁ କେବେ ବି କ୍ଷମା କରିପାରିବି ନାହିଁ ମୋର ସେଇ ଲୁହପାଇଁ, ଯାହା ଏଇ ଲାଗେ ଗୋଟାଏ ଚପଳ ସ୍ତ୍ରୀ ଲୋକ ଲଜ୍ଜାରେ ପଡ଼ିଲା ପରି ତୁମ ଆଗରେ ବୁହାଇ ଦେବାରୁ ନିଜକୁ ମୁଁ ଅଟକାଇ ପାରିଲି ନାହିଁ । ଆଉ କ’ଣ ପାଇଁ ତୁମ ଆଗରେ ମୋର ଏ ସ୍ୱୀକାରୋକ୍ତି କରି ଚାଲିଛି ମୁଁ, କେବେ ବି ତୁମକୁ ମୁଁ ତ କ୍ଷମା କରିବି ନାହିଁ ! ହଁ- ତୁମକୁ କିନ୍ତୁ ଏ ସବୁର ଉତ୍ତର ଦେବାକୁ ହେବ । କାରଣ, ତୁମେ ଏପରି ଅବେଳରେ ଆସିଛ, କାରଣ, ମୁଁ ଗୋଟାଏ ଶଳା ସଇତାନ, କାରଣ, ଏ ପୃଥିବୀ ଉପରେ ବୁଲୁଥିବା କୀଟମାନଙ୍କ ମଧ୍ୟରେ ମୁଁ ହେଉଛି ଅପରିଚ୍ଛନ୍ନତମ, ମୁର୍ଖତମ, ସବୁଠାରୁ ଅଦ୍ଭୁତ ଆଉ ସବୁଠାରୁ ଈର୍ଷାପରାୟଣ କୀଟଟିଏ । ପୃଥିବୀ ଉପରେ ଏଇ ଯୋଉ କୀଟମାନେ ବୁଲୁଛନ୍ତି, ସେମାନେ ମୋ’ଠାରୁ କିଛି ବେଶୀ ଭଲ ନୁହଁନ୍ତି, ହେଲେ ସେଇ ସଇତାନ ହିଁ ଜାଣେ, କାହିଁକି ସେମାନେ ଏପରି ଦୟନୀୟ ଅବସ୍ଥାରେ ପଡ଼ନ୍ତି ନାହିଁ; ଅଥଚ ମୁଁ ହିଁ ସବୁବେଳେ ପ୍ରତିଟି ଉକୁଣୀଦ୍ୱାରା ବି ଅପମାନିତ ହୁଏ, ସେୟା ବୋଧେ ମୋର ଭାଗ୍ୟ । ଆଉ ଏଥିରୁ ଗୋଟିଏ ବି ଶବ୍ଦ ଯଦି ତୁମେ ବୁଝି ପାରିଲନି ମୋର ସେଥିରେ କ’ଣ ଅଛି? ଆଉ ମୁଁ କ’ଣ ଖାତିର କରେ, ମୁଁ କ’ଣ ଖାତିର କରେ ତୁମପାଇଁ, ତୁମେ ସେଠି ମଲ କି ବଞ୍ଚିଲ? ବୁଝି ପାରିଲ ଏବେ? ଏତକ କହି ସାରିଲା ପରେ କେତେ ମୁଁ ତୁମକୁ ଘୃଣା କରିବି ତୁମର ଏଠି ରହି ଏଇ ସବୁ ଶୁଣିଥିବାପାଇଁ! କାହିଁକି ଗୋଟାଏ ମଣିଷ ତାର ସମଗ୍ର ଜୀବନକାଳ ଭିତରେ ଥରେ ବି ଏମିତି ମନ ଖୋଲି କହି ପାରେନି, ଆଉ ତା’ପରେ ଏସବୁ ହୋଇଯାଏ ପାଗଳ ପଣ... ଆଉ ଅଧିକ କ’ଣ ତୁମେ ଚାହୁଁଛ? କାହିଁକି ତୁମେ ସେଠି ମୋର ମୁକାବିଲା କଲା ପରି ମୋ ମୁହଁକୁ ମଟମଟ ଅନେଇ ଠିଆ ହୋଇଛ? କାହିଁକି ମୋତେ ତୁମେ ବିବ୍ରତ କରୁଛ? କାହିଁକି ତୁମେ ଚାଲି ଯାଉନାହଁ?”

 

ହେଲେ, ଠିକ୍ ଏଇଠାରେ ଗୋଟାଏ ଅଦ୍ଭୁତ ଜିନିଷ ଘଟିଗଲା । ବହିର ପଢ଼ା ଜିନିଷମାନ ଭାବିବା ଆଉ କଳ୍ପନା କରିବାରେ, ଆଉ ସେସବୁକୁ ମନ ଭିତରେ ସ୍ୱପ୍ନଭଳି ସଜେଇ ରଖିଲା ପରି ଆଙ୍କି ଦେଇ ରଖିବାରେ ମୁଁ ଏତେ ଅଭ୍ୟସ୍ତ ହୋଇ ଯାଇଥିଲି ଯେ ହଠାତ୍ ମୁଁ ଏହି ଅଦ୍ଭୁତ ପରିସ୍ଥିତିଟିକୁ ଗ୍ରହଣ କରିପାରିଲି ନାହିଁ । ଯାହା ଘଟିଥିଲା ତାହା ଥିଲା ଏହିପରି । ଲିଜା ମୋଦ୍ୱାରା ଅପମାନିତ ଓ ଧ୍ୱସ୍ତ ବିଧ୍ୱସ୍ତ ହୋଇ ଯାଇଥିଲା, ବିଶେଷ କରି ଏ ସବୁଥିରୁ ସେ ସେୟା ବୁଝିଥିଲା, ଯାହା ଗୋଟାଏ ନାରୀ ତା’ର ପ୍ରକୃତ ପ୍ରେମ ଅନୁଭବରୁ ସର୍ବପ୍ରଥମେ ବୁଝେ । ସେ ବୁଝି ଯାଇଥିଲା ଯେ ମୁଁ ନିଜେ ଥିଲି ଖୁବ୍ ଅସୁଖୀ ।

 

ତା ମୁହଁ ଉପରର ଭୟ ଓ ଆହତ ଚାହାଣୀ ଉଭେଇ ଯାଇ ତା ଯାଗାରେ ବିଷାଦ ଓ ବିଚଳିତ ଭାବନା ଦେଖା ଦେଲା । ଯେତେବେଳେ ମୁଁ ନିଜକୁ ଶଳା ସଇତାନ ଓ ଖଳବଦମାସ ବୋଲି କହୁଥିଲି ଓ ମୋ ଆଖିରୁ ଲୁହ ବୋହି ଯାଉଥିଲା (ଆତ୍ମଘାତର ଦୀର୍ଘ ବକ୍ତୃତା ସାଥିରେ ଆରମ୍ଭରୁ ଶେଷ ଯାଏ ଲୋତକ ହିଁ ରହିଥିଲା) ତା’ର ସାରା ମୁହଁ ବାତ ମାରିଲା ପରି ସଂକୁଚିତ ପ୍ରସାରିତ ହୋଇ ଚାଲିଥିଲା । ସେ ଉଠିପଡ଼ି ମୋତେ ବନ୍ଦ କରିବା ଅବସ୍ଥାରେ ହିଁ ଅଟକି ଯାଇଥିଲା-। ମୋ କଥା ଯେତେବେଳେ ସରିଲା ସେ ମୋ ଆର୍ତ୍ତ ଚିତ୍କାର, “ତୁମେ ଏଠି କାହିଁକି ଅଛ, କାହିଁକି ଚାଲିଯାଉ ନାହଁ?’’ ପ୍ରତି ନଜର ବି ଦେଲା ନାହିଁ, ଏତିକି କେବଳ ଅନୁଭବ କଲା ଯେ ଏ ସବୁ କହିବାକୁ ମୋତେ ନିଶ୍ଚୟ ବହୁତ କଷ୍ଟ ହୋଇଥିବ । ସେ ନିଜେ ବିଚାରୀ ଏଇଭଳି ତଳିତଳାନ୍ତ ହୋଇ ଯାଇଥିଲା । ତା ଛଡ଼ା ନିଜକୁ ତ ନିଶ୍ଚୟ ମୋ’ଠାରୁ ବହୁତ ତଳେ ରଖିଥିଲା । ଏଭଳି ଅବସ୍ଥାରେ ସେ କିପରି ରାଗ ବା ପ୍ରତିରୋଧ ଦେଖାଇ ପାରିଥାନ୍ତା? ସେ ହଠାତ୍ ଏକ ଅସମ୍ଭାଳ ଆବେଗରେ ତା ଚୌକିରୁ ଡେଇଁ ପଡ଼ିଲା ଓ ଦୁଇ ହାତକୁ ମୋ’ଆଡ଼କୁ ଆକୁଳରେ ବଢ଼ାଇ ଦେଲା । ଅବଶ୍ୟ ଭୀରୁତା ତା ଦେହସାରା ତଥାପି ଲେଖା ହୋଇଥିଲା ଆଉ ସେ ହଲିବାକୁ ବି ସାହସ କରୁ ନଥିଲା... । ଏଇଠି ମୋ ଅନ୍ତର ଭିତରେ ବି ଗୋଟାଏ ବିକାର ଜାତ ହୋଇଥିଲା । ତା’ପରେ ସେ ହଠାତ୍ ମୋ ପାଖକୁ ଦୌଡ଼ି ଆସିଲା, ତାର ବାହୁ ଯୁଗଳକୁ ମୋ ଚାରିପଟେ ଗୁଡ଼ାଇ ଦେଲା ଆଉ ତା ଆଖି ଲୁହରେ ମୋ ଛାତି ତିନ୍ତିଗଲା । ମୁଁ ବି ମୋ ନିଜକୁ ସମ୍ବରଣ କରି ପାରିଲି ନାହିଁ, କାନ୍ଦିଲି, ଏପରି କାନ୍ଦିଲି ଯେପରି ଆଗରୁ କେବେ କାନ୍ଦି ନଥିଲି ।

 

“ସେମାନେ ମୋତେ ଛାଡ଼ିବେନି... ମୁଁ କେବେ ବି ଭଲ ହୋଇ ପାରିବିନି !” ଏଇତକ କଷ୍ଟେମଷ୍ଟେ ପାଟି ଭିତରେ ଚାକୁଳେଇ ଚାକୁଳେଇ କହିଲି; ତା’ପରେ ସୋଫା ପାଖକୁ ଗଲି ଆଉ ଏହା ଉପରେ ମୁହଁ ମାଡ଼ି ପଡ଼ି ଯାଇ ହୃଦୟରୁ ଉଠୁଥିବା ପ୍ରକୃତ କୋହରେ ପନ୍ଦର ମିନିଟ ଧରି କାନ୍ଦିଲି । ସେ ମୋ ପାଖକୁ ଆସିଲା, ବାହୁ ଦୁଇଟି ମୋ ଚାରିପଟେ ରଖିଲା ଆଉ ସେହି ଅବସ୍ଥାରେ ନିଶ୍ଚଳ ହୋଇ ବସି ରହିଲା ।

 

କିନ୍ତୁ ଅସୁବିଧାଟି ଏୟା ଥିଲା ଯେ ଆବେଗଗୁଡ଼ାକ ଚିରକାଳପାଇଁ ରହି ପାରନ୍ତିନି, ଆଉ (ଘୃଣ୍ୟ ସତ୍ୟଟିକୁ ଏଠି ମୁଁ ଲିପିବଦ୍ଧ କରୁଛି) ମୋ ମଇଳା ଜୀର୍ଣ୍ଣ ଚମଡ଼ା ତକିଆରେ ମୁହଁ ଗୁଞ୍ଜି ସୋଫା ଉପରେ ତଳକୁ ମୁହଁ କରି ପଡ଼ି ରହି, ଧୀରେ ଧୀରେ ମୁଁ ବି କେଉଁ ବହୁଦୂର ବାବଦରେ ସଚେତନ ହେବାକୁ ଆରମ୍ଭ କଲି, ଅନିଚ୍ଛାକୃତ ଅଥଚ ଦୃଢ଼ ଭାବରେ ଅନୁଭବ କଲି ଯେ ଏଇ ଲାଗେ ମୁଣ୍ଡ ଉଠାଇ ଲିଜା ମୁହଁକୁ ସିଧାସଳଖ ଅନାଇବାଟା ମୋପାଇଁ ଭାରି ଲଜ୍ଜାକର ହେବ । କାହିଁକି ମୁଁ ଲଜ୍ଜା ଅନୁଭବ କରୁଥିଲି? ମୁଁ ଜାଣେନି, ହେଲେ ମୁଁ ଲଜ୍ଜିତ ହେଉଥିଲି । ଏ ଚିନ୍ତା ବି ମୋର ଅତ୍ୟଧିକ କାର୍ଯ୍ୟକ୍ଷମ ମସ୍ତିଷ୍କକୁ ଆସିଥିଲା ଯେ ଆମ ସ୍ଥିତି ଏବେ ପୂରାପୂରି ବଦଳି ଯାଇଥିଲା, ଅର୍ଥାତ ସେ ଏବେ ଥିଲା ନାୟିକା ପଦ୍ମାବତୀ, ଯେତେବେଳେ ମୁଁ ଥିଲି କେବଳ ଗୋଟାଏ ଧ୍ୱସ୍ତ, ଉପହସିତ, ନିକୁଛିଆ ଜୀବଟାଏ, ଯେମିତି ସେଦିନ ରାତିରେ ମୋ ଆଗରେ ସେ ହୋଇଥିଲା ଚାରିଦିନ ଆଗରୁ ଆଉ ଏସବୁ ମୋ ମନକୁ ସେତିକିବେଳକୁ ଆସିଲା ଯେତେବେଳେ ସୋଫା ଉପରେ ମୁଁ ମୁହଁ ମାଡ଼ି କେତେ ମିନିଟପାଇଁ ପଡ଼ି ରହିଥିଲି ।

 

ହେ ଭଗବାନ, ଏମିତି ବି କ’ଣ ହୋଇପାରେ ଯେ ମୁଁ ତାକୁ ସେତେବେଳେ ଈର୍ଷା କରୁଥିଲି?

 

ମୁଁ ଜାଣେ ନାହିଁ, ଆଜି ଏଇ ମୁହୂର୍ତ୍ତ ପର୍ଯ୍ୟନ୍ତ ବି ମୁଁ ସ୍ଥିର କରିପାରି ନାହିଁ, ଆଉ ସେତେବେଳେ ମୁଁ କ’ଣ ଅନୁଭବ କରୁଥିଲି ତାହାକୁ ବୁଝିବାର ସାମର୍ଥ୍ୟ ତ ମୋର ବର୍ତ୍ତମାନଠାରୁ ଆହୁରି କମ ଥିଲା । କାହା ଉପରେ ଅତ୍ୟାଚାର ନକରି, ଆଧିପତ୍ୟ ବିସ୍ତାର ନକରି ମୁଁ ସଂପର୍କ ରଖି ପାରେନି, ହେଲେ ତର୍କରେ ତ କୌଣସି ଜିନିଷକୁ ବୁଝାଇ ହୁଏ ନାହିଁ, ଏଣୁ ଏ ବାବଦରେ ତର୍କ କରିବା ଅର୍ଥହୀନ ।

 

ଯା’ ହେଉ ମୁଁ ନିଜକୁ ଶେଷରେ ସମ୍ଭାଳି ନେଲି ଓ ମୁଣ୍ଡ ଉଠାଇଲି; ଶୀଘ୍ର ହେଉ ବା ବିଳମ୍ବରେ ହେଉ ଏହା ତ ମୋତେ କରିବାକୁ ହେବ । ଆଉ ଆଜି ପର୍ଯ୍ୟନ୍ତ ଏ ବିଷୟରେ ମୁଁ ଦୃଢ଼ ନିଶ୍ଚିତ ଯେ ତା ମୁହଁକୁ ସେତେବେଳେ ଅନାଇବାକୁ ଯେ ହେତୁ ମୋତେ ଲାଜ ଲାଗୁଥିଲା, ଆଉ ଗୋଟାଏ ଭାବନା, ଅନୁଭବ, ହଠାତ୍ ମୋ ଅନ୍ତର ଭିତରେ ଜାଗ୍ରତ ହୋଇ ଜଳି ଉଠିଲା... ଗୋଟାଏ ଅନୁଭବ ମାଲିକାନାର ଓ ଅଧିକାରର । ମୋ ଚକ୍ଷୁ ଆବେଗରେ ଚକ୍ ଚକ୍ ହୋଇ ଉଠିଲା ଓ ତାର ହାତ ଦୁଇଟିକୁ ମୁଁ ଜୋର୍‌ରେ ଚାପି ଧରିଲି । ତାକୁ ମୁଁ ସେତେବେଳେ କେତେ ଘୃଣା କରୁଥିଲି ଓ ସେଇ ଏକା ମୁହୂର୍ତ୍ତରେ ତା’ଆଡ଼କୁ କେତେ ଆକର୍ଷିତ ବି ହେଉଥିଲି ! ଗୋଟିଏ ଅନୁଭବ ଆଉ ଗୋଟିକୁ ଗାଢ଼ତର କରୁଥିଲା । ଏହା ଥିଲା ପ୍ରାୟ ଗୋଟାଏ ପ୍ରତିଶୋଧର ପ୍ରକ୍ରିୟା ପରି । ପ୍ରଥମେ ତା ଆଖିରେ ଥିଲା ଚକିତ ହେବାର ଚାହାଣୀ, ଏପରି କି ମୁହଁରେ ତା’ର ଥିଲା ଭୟ, କିନ୍ତୁ ତାହା ଥିଲା କେବଳ ଗୋଟାଏ ମୁହୂର୍ତ୍ତପାଇଁ । ତା’ପରେ ସେ କୋମଳ ଉଷ୍ମ ଆବେଗରେ ଆଉ ଆନନ୍ଦ ଉତ୍ତେଜନାରେ ମୋତେ ଜଡ଼ାଇ ଧରିଲା ।

 

(ଦଶ)

 

ପନ୍ଦର ମିନିଟ୍ ପରେ ମୁଁ କୋଠରୀର ଏ ମୁଣ୍ଡରୁ ସେ ମୁଣ୍ଡ ପାଗଳପରି ଅଧୈର୍ଯ୍ୟ ହୋଇ ଦୌଡ଼ୁଥିଲି, ମିନିଟକୁ ମିନିଟ ପର୍ଦ୍ଦା ପାଖକୁ ଦୌଡ଼ିଯାଇ ଫାଙ୍କବାଟେ ଲିଜାକୁ ଅନାଉଥିଲି । ସେ ଖଟ ଉପରେ ମୁଣ୍ଡ ଥୋଇ ଚଟାଣରେ ବସିଥିଲା, ଆଉ ବୋଧେ କାନ୍ଦୁଥିଲା । ମାତ୍ର ସେ ଯେ ପଳାଇ ଯାଇ ନଥିଲା, ତାହା ଦେଖି ମତେ ଭାରି ଚିଡ଼ା ଲାଗିଲା । ଏଥରକ ସେ ସବୁ ବୁଝି ଯାଇଥିଲା । ଶେଷରେ ମୁଁ ତାକୁ ଅପମାନ ଦେଇ ପାରିଥିଲି, ହେଲେ... ସେସବୁ ବର୍ଣ୍ଣନା କରିବା ଦରକାର ନାହିଁ । ସେ ବୁଝି ପାରିଥିଲା ଯେ ମୋ ଆବେଗର ଏଭଳି ବିସ୍ଫୋରଣ ଥିଲା କେବଳ ପ୍ରତିଶୋଧ । ଗୋଟାଏ ନୂତନ ଅପମାନ, ଆଉ ମୋର ପୂର୍ବର କାରଣ ବିହୀନ ଘୃଣା ସାଥିରେ ଏବେ ଈର୍ଷାରୁ ଜାତ ଗୋଟେ ପ୍ରକାର ବ୍ୟକ୍ତିଗତ ଘୃଣା ମିଶି ଯାଇଥିଲା । ସେ ଏସବୁ ଭଲ କରି ସ୍ପଷ୍ଟ ଭାବରେ ବୁଝୁ ବୋଲି ଯଦିଓ ମୁଁ ବିଶେଷ ଚେଷ୍ଟା କରିନଥିଲି, ତଥାପି ସେ ନିଶ୍ଚିତ ଭାବରେ ପୂରାପୂରି ବୁଝି ଯାଇଥିଲା ଯେ ମୁଁ ଥିଲି ଗୋଟାଏ ଅତ୍ୟନ୍ତ ଘୃଣ୍ୟ ଚରିତ୍ରର ଲୋକ, ଆଉ, ତା’ଠାରୁ ଆହୁରି ଖରାପ କଥାଟି ଏୟା ଥିଲା ଯେ, ମୁଁ ତାକୁ ଭଲ ପାଇବାକୁ ଥିଲି ଅସମର୍ଥ ।

 

ମୁଁ ଜାଣେ ଏହା ପରେ ମୋତେ କୁହାଯିବ ଯେ ଏକଥା ଅବିଶ୍ୱାସନୀୟ-ହେଲେ ମୁଁ କହେ ଏହା ଯଦି ଅବିଶ୍ୱାସନୀୟ, ତା’ହେଲେ ମୁଁ ଯେପରି ଘୃଣ୍ୟ ଓ ମୂର୍ଖ ହୋଇଛି ସେପରି ଘୃଣ୍ୟ ଓ ମୂର୍ଖ ହେବାଟା ବି ଅବିଶ୍ୱାସନୀୟ । ଏତକ ବି ସେଥିରେ ଯୋଗ କରାଯାଇ ପାରେ ଯେ ମୁଁ ତାକୁ ଭଲ ନପାଇବାଟା ଗୋଟାଏ ଅଦ୍ଭୁତ କଥା ତ ନିଶ୍ଚୟ । ହେଲେ ଯେ କୌଣସି ପ୍ରକାରେ ତା ଭଲ ପାଇବାର ମର୍ଯ୍ୟାଦାକୁ ବୁଝି ନପାରିବା ତ ଥିଲା ଆହୁରି ଅଦ୍ଭୁତ । ହେଲେ ଏହା ଏତେ ଅଦ୍ଭୁତ କାହିଁକି? ପ୍ରଥମତଃ, ସେତେବେଳକୁ ମୁଁ ପ୍ରେମ କରିବାକୁ ଅସମର୍ଥ ଥିଲି, କାରଣ ମୁଁ ଆଉ ଥରେ ପୁନରାବୃତ୍ତି କରୁଛି, ମୋ ପାଖରେ ପ୍ରେମର ମାନେ ଥିଲା ଅତ୍ୟାଚାର ଆଉ ନିଜର ବଡ଼ପଣିଆ ପ୍ରେମିକାକୁ ଦେଖେଇବା, ତାକୁ ଚପେଇ ରଖିବା । ମୋ ଜୀବନରେ କେବେ ବି ମୁଁ ଅନ୍ୟ ପ୍ରକାର ପ୍ରେମର କଳ୍ପନା କରିପାରି ନାହିଁ, ଆଉ ଆଜିକାଲି ଏପରିବେଳେବେଳେ ଭାବିବା ଅବସ୍ଥାକୁ ବି ମୁଁ ଆସିଯାଇଛି ଯେ ପ୍ରେମ ପ୍ରକୃତରେ ହେଉଛି କେତେଗୁଡ଼ିଏ ଅଧିକାରର ସମାହାର-ଯାହା ପ୍ରେମିକା ନାମକ ବସ୍ତୁଟିଦ୍ୱାରା ହିଁ ମୁକ୍ତ ହସ୍ତରେ କାର୍ଯ୍ୟକାରୀ କରାଯାଇଥାଏ-ତାରି ଉପରେ ଅତ୍ୟାଚାର କରିବାକୁ ।

 

ଏପରିକି ମୋର ମାଟି ତଳର ସ୍ୱପ୍ନମାନଙ୍କରେ ବି ମୁଁ ପ୍ରେମକୁ ଏକ ଖଣ୍ଡ ଯୁଦ୍ଧ ଛଡ଼ା ଆଉକିଛିରୂପେ କଳ୍ପନା କରିନାହିଁ । ଏହାକୁ ମୁଁ ସବୁବେଳେ ଆରମ୍ଭ କରିଛି ଘୃଣାରେ ଓ ଶେଷ କରିଛି ବିଶେଷ ନୈତିକ ବଶବର୍ତ୍ତୀକରଣରେ, ଆଉ ତା’ପରେ କେବେ ବି ମୁଁ ଜାଣିପାରି ନାହିଁ ଏହି ନୈତିକ-ବିଚାର-ପରିସରଭୁକ୍ତ ଜୀବଟିକୁ ନେଇ କ’ଣ କରାଯାଇ ପାରେ ! ଆଉ ସେଥିରେ ଆଶ୍ଚର୍ଯ୍ୟ ହେବାର ବି କ’ଣ ଅଛି, ଯେତେବେଳେ ମୁଁ ନିଜେ ନିଜକୁ ଏଭଳି ଦୁର୍ନୀତିଗ୍ରସ୍ତ କରିବାରେ ସମର୍ଥ ହୋଇଥିଲି, ଯେତେବେଳେ ନିଜେ ମୁଁ ‘ବାସ୍ତବ ଜୀବନ’ର ସ୍ପର୍ଶଠାରୁ ଏତେଦୂରରେ ଥିଲି, ଠିକ୍ ସେତିକିବେଳେ ତାକୁ ଭର୍ତ୍ସନା କରିବା କଥାଟାକୁ ଯଦି ମୁଁ ଭାବିପାରି ଥିଲି, ଆଉ ମୋ ପାଖକୁ ‘ସୂକ୍ଷ୍ମ ଆବେଗ’ର କଥାମାନ ଶୁଣିବାକୁ ଆସିଥିଲାବେଳେ ତାକୁ ଲଜ୍ଜା ଅପମାନରେ ତଳିତଳାନ୍ତ କରିଦେଇ ପାରିଥିଲି; ଆଉ ଅନୁମାନ ବି କରିପାରି ନଥିଲି ଯେ ସେ ହୁଏତ ‘ସୂକ୍ଷ୍ମ ଆବେଗ’ର କଥା ଶୁଣିବାକୁ ଆସି ନଥିଲା, ଆସିଥିଲା ମୋତେ ଭଲ ପାଇବାକୁ । କାରଣ ମୋର ଧାରଣା ଗୋଟାଏ ସ୍ତ୍ରୀ ଲୋକପାଇଁ ସମସ୍ତ ସଂସ୍କାର ତଥା ସମସ୍ତ ପ୍ରକାର ଧ୍ୱଂସରୁ ମୁକ୍ତି, ଆଉ ସମସ୍ତ ପ୍ରକାର ନୈତିକ ନବମୂଲ୍ୟାୟନ ସଂଯୁକ୍ତ ହୋଇଥାଏ ପ୍ରେମରେ ଆଉ ପ୍ରେମ ହିଁ କେବଳ ନିଜକୁ ସେଇ ସବୁ ରୂପରେ ଦେଖାଇ ପାରେ ।

 

ଯେତେବେଳେ କୋଠରୀର ଏ ମୁଣ୍ଡରୁ ସେ ମୁଣ୍ଡ ମୁଁ ଦୌଡୁଥିଲି ଆଉ ପର୍ଦ୍ଦା ଫାଙ୍କ ଦେଇ ଦେଖୁଥିଲି ସେତେବେଳେ ପ୍ରକୃତରେ ମୁଁ ତାକୁ ଏତେ ଘୃଣା କରୁ ନଥିଲି । କେବଳ ତାର ଉପସ୍ଥିତିଦ୍ୱାରା ମୁଁ ଅକଥନୀୟ ଯନ୍ତ୍ରଣା ଭୋଗ କରୁଥିଲି । ମୁଁ ଚାହୁଁଥିଲି ଯେ ସେଠାରୁ ସେ ଅନ୍ତର୍ଦ୍ଧାନ ହୋଇଯାଉ । ମୁଁ ଚାହୁଁଥିଲି ଶାନ୍ତି । ମୋ ମାଟିତଳ ଦୁନିଆରେ ଏକୁଟିଆ ରହିବାକୁ । ବାସ୍ତବ ଜୀବନ ତାର ନୂଆ ବୈଚିତ୍ର‌୍ୟରେ ମୋତେ ଏଭଳି କାତର କରିପକାଇଥିଲା ଯେ ମୁଁ ଅଣନିଶ୍ୱାସୀ ହୋଇ ଯାଇଥିଲି, କ୍ୱଚିତ ନିଶ୍ୱାସ ନେଇ ପାରୁଥିଲି ।

 

କିନ୍ତୁ କେତେ ମିନିଟ ଚାଲିଗଲା ଏବଂ ସେ ହଲଚଲ୍ ନହୋଇ, ତଥାପି ସେହିପରି ପଡ଼ି ରହିଥିଲା, ଯେମିତି ସେ ଅଚେତା ହୋଇ ଯାଇଥିଲା । ମୋ ଭିତରେ ବି ଯଥେଷ୍ଟ ନିର୍ଲଜ୍ଜତା ଥିଲା ପରଦାରେ ଧୀରେ ଶବ୍ଦ କରିବାକୁ, ଯେପରି ତାକୁ ମନେପକାଇ ଦେବାକୁ... । ସେ ଚମକି ପଡ଼ିଲା, ଡେଇଁ ପଡ଼ିଲା ଓ ଉଡ଼ିଗଲା ଖୋଜିବାକୁ ତାର ରୁମାଲ, ତା ଟୋପି, ତା କୋଟ, ଯେମିତି ମୋ’ଠାରୁ ରକ୍ଷା ପାଇବାକୁ ବାଟ ଖୋଜୁଥିଲା... । ଦୁଇ ମିନିଟ ପରେ ସେ ଆସିଲା ପର୍ଦ୍ଦା ପଛପଟୁ ଏବଂ ଓଜନିଆ ଆଖିରେ ମତେ ଅନେଇଲା । ମୁଁ ହସିଲି ଘୃଣାର ହସ, ଏହା ଥିଲା ଅବଶ୍ୟ ଜବରଦସ୍ତ ହସିବା, ଯା ହେଉ, ମୁହଁ ରଖିବାକୁ ତ ହେବ, ତା’ପରେ ତା ଆଖି ଆଗରୁ ମୁଁ ବୁଲି ପଡ଼ିଲି ।

 

“ବିଦାୟ”, କହି ସେ ଚାଲିଯାଉଥିଲା ଦୁଆର ମୁହଁଆଡ଼କୁ । ମୁଁ ଦୌଡ଼ିଗଲି ତା ପାଖକୁ, ଧରି ପକାଇଲି ତାର ହାତ, ପାପୁଲି ଖୋଲି ଦେଇ ତା ଭିତରେ ଗୁଞ୍ଜିଦେଲି କିଛି, ଆଉ ବନ୍ଦ କରିଦେଲି ତା ପାପୁଲିକୁ । ତାପରେ ସଂଗେ ସଂଗେ ବୁଲି ପଡ଼ିଲି ଏବଂ ତରବର ହୋଇ ଦୌଡ଼ି ଗଲି କୋଠରୀର ଆର କୋଣକୁ ଯେମିତି ଦେଖିବିନି କିଛି ।

 

ପ୍ରକୃତରେ ମୁହୂର୍ତ୍ତକପାଇଁ ମିଛ କଥାଟିଏ ଲେଖିବାକୁ ଏଠି ଭାବୁଥିଲି-ଭାବୁଥିଲି ଲେଖିବାକୁ ଯେ ଏହା ମୁଁ ହଠାତ୍ ଅଜାଣତରେ କରି ଦେଇଥିଲି, କ’ଣ କରୁଥିଲି ନଜାଣି ମୋ ବୋକାମୀ ଯୋଗୁ କରିଥିଲି, ମୋ ମୁଣ୍ଡ ଠିକ୍ ନଥିଲା ବୋଲି । ହେଲେ ମୁଁ ମିଛ କହିବାକୁ ଚାହେଁ ନାହିଁ, ଏଣୁ ସିଧା ସଳଖ ମୁଁ କହିବି ଯେ ତା ହାତମୁଠା ମୁଁ ଖୋଲି ଦେଲି ଆଉ ସେଥିରେ ଥୋଇ ଦେଲି ନୋଟଟିଏ... ଘୃଣାରେ । ସେ ଯେତେବେଳେ ପର୍ଦ୍ଦା ପଛପଟେ ଥିଲା ଆଉ ମୁଁ କୋଠରୀର ଏ କୋଣରୁ ସେ କୋଣକୁ ଦୌଡ଼ୁଥିଲି ସେତିକିବେଳେ ଏହି କାମଟି କରିବା କଥା ମୋ ମୁଣ୍ଡକୁ ଜୁଟି ଥିଲା । ହେଲେ, ଏତିକି ମୁଁ ନିଶ୍ଚିତ ଭାବରେ କହିପାରେ ଯେ, ସେ ନିଷ୍ଠୁର କାମଟିକୁ ଯଦିଓ ମୁଁ ଇଚ୍ଛା କରି କରିଥିଲି, ଏହା ମୋର ହୃଦୟର ଆବେଗରୁ ଆସି ନଥିଲା, ଆସିଥିଲା ମୋର ଅପରାଧୀ ମନରୁ । ଏହି ନିଷ୍ଠୁରତା ଏଭଳି ପ୍ରଭାବଶାଳୀ ଥିଲା, ଏଭଳି ଉଦ୍ଦେଶ୍ୟ ପ୍ରଣୋଦିତ ହୋଇ ତିଆରି ହୋଇଥିଲା, ଏଭଳି ସଂପୂର୍ଣ୍ଣ ମସ୍ତିଷ୍କ-ପ୍ରସୂତ ଥିଲା ଆଉ ପୁସ୍ତକପଠନରୁ ଆସିଥିଲା ଯେ, ଏହାକୁ ମୁଁ ମିନିଟିକପାଇଁ ବି ଆଉ ସମ୍ଭାଳି ପାରିଲି ନାହିଁ - ପ୍ରଥମେ ତାକୁ ଆଉ ଦେଖିବି ନାହିଁ ବୋଲି ସେଠୁ ଦୌଡ଼ି ପଳାଇଗଲି, ତା’ପରେ ଲଜ୍ଜା ଓ ନିରାଶାରେ ଲିଜା ପଛରେ ଧାଇଁଲି, ମଝି ବାଟର କବାଟ ଖୋଲି ଦେଲି ଆଉ ଶୁଣିବାକୁ ଆରମ୍ଭ କଲି ।

 

“ଲିଜା ! ଲିଜା !’’ ସିଡ଼ି ପାହାଚ ଉପରୁ ପାଟି କରି ଡାକିଲି ସତ, ହେଲେ ଧୀର ସ୍ୱରରେ, ସେଥିରେ ସାହସ ନଥିଲା ।

 

କିଛି ଉତ୍ତର ନଥିଲା, କିନ୍ତୁ ମତେ ଲାଗିଲା ଯେପରି ତା’ର ପାଦଶବ୍ଦ ମୁଁ ଶୁଣିଲି ସିଡ଼ିର ତଳପାହାଚରେ ।

 

‘ଲିଜା!’ ଆଉ ଟିକିଏ ବଡ଼ ପାଟିରେ ଏଥର ଡାକିଲି ।

 

କିଛି ଉତ୍ତର ନଥିଲା । ହେଲେ ସେଇ ମୁହୂର୍ତ୍ତରେ ବାହାରର ଅବରୁଦ୍ଧ କାଚ ଦୁଆର ଶବ୍ଦ କରି ଫିଟିଗଲା ଓ ଜୋର୍‌ରେ ଧଡାସ କରି ବନ୍ଦ ହୋଇଗଲା, ଏହାର ଶବ୍ଦ ସମଗ୍ର ସିଡ଼ିରେ ସୃଷ୍ଟି କଲା ପ୍ରତିଧ୍ୱନି ।

 

ସେ ଚାଲି ଯାଇଥିଲା । କୁଣ୍ଠିତ ଭାବରେ ମୁଁ ଫେରି ଆସିଲି ମୋ କୋଠରୀକୁ ଭୟଙ୍କର ଭାବରେ ଉଦାସ ଓ ନିର୍ଯ୍ୟାତିତ ହୋଇ ।

 

ସେଇ ଟେବୁଲ ପାଖରେ ମୁଁ ନିଶ୍ଚଳ ହୋଇ ଠିଆ ହେଲି, ସେଇ ଚୌକି ନିକଟରେ, ଯାହା ଉପରେ ସେ ବସିଥିଲା ଆଉ ଲକ୍ଷ୍ୟହୀନ ଭାବରେ ଚାହୁଁଥିଲା ମୋତେ । ମିନିଟିଏ ଗଲା, ହଠାତ୍ ମୁଁ ଚମକି ପଡ଼ିଲି । ସିଧା ମୋ ଆଗରେ ଟେବୁଲ ଉପରେ ମୁଁ ଦେଖିଲି... । ସଂକ୍ଷେପରେ, ମୁଁ ଦେଖିଲି ଖଣ୍ଡେ ଲୋଚାକୋଚା ପାଞ୍ଚ ରୁବଲ୍‌ର ନୋଟ, ଯେଉଁ ନୋଟ ଖଣ୍ଡିକ ମିନିଟିଏ ଆଗରୁ ମୁଁ ଗୁଞ୍ଜି ଦେଇଥିଲି ତା ହାତରେ । ଏହା ଥିଲା ସେଇ ଏକା ନୋଟ, ଏହା ଅନ୍ୟ କିଛି ହୋଇ ବି ପାରି ନଥାନ୍ତା, ଘରେ ବି ଅନ୍ୟ ନୋଟ ଆଉ ନଥିଲା । ତା ହେଲେ ମୁଁ ଦୂର କୋଣକୁ ଦୌଡ଼ି ଗଲାବେଳେ, ସେଇ ମୁହୂର୍ତ୍ତରେ ସେ ତା ହାତରୁ ଏଇଟାକୁ ଫୋପାଡ଼ି ଦେବାକୁ ସମର୍ଥ ହୋଇଥିଲା ।

 

ଠିକ୍ ଅଛି । ମୁଁ ଏହା ଆଗରୁ ଆଶା କରିବା ଉଚିତ ଥିଲା ଯେ ସେ ଗୋଟାଏ ଗର୍ବୀ ଲୋକ, ମୋ ନିଜ ଭଳି ଲୋକମାନଙ୍କ ପ୍ରତି ମୋ ମନରେ ସମ୍ମାନର ଏତେ ଅଭାବ ଯେ ମୁଁ ଭାବି ବି ପାରି ନଥିଲି, ଯେ ସେ ଏପରି କରିବ । ମିନିଟିଏ ପରେ ଗୋଟାଏ ପାଗଳ ପରି ମୁଁ ଦୌଡ଼ିଗଲି ପୋଷାକ ପିନ୍ଧିବାକୁ, କ୍ଷଣକ ଭିତରେ ଯାହା ପାଇଲି ଗଳାଇ ପକାଇ ସିଧା ଦୌଡ଼ିଲି ତା ପଛରେ । ସେ ଦୁଇ ଶହ ପାଦ ଯାଇଥିବ କି ନାହିଁ ମୁଁ ଦୌଡ଼ିଗଲି ରାସ୍ତା ଉପରକୁ ।

 

ରାତ୍ରି ଥିଲା ସ୍ଥିର ଆଉ ବରଫ ମୁଣ୍ଡା ମୁଣ୍ଡା ହୋଇ ସିଧା ଆକାଶରୁ ଗଳି ପଡ଼ୁଥିଲା ରାସ୍ତା ଉପରକୁ ନବେ ଡିଗ୍ରୀରେ, ଫାଙ୍କା ଗଳିକୁ ଆଉ ଚଲାପଥକୁ ତକିଆରେ ଆବୃତ କଲା ପରି । ରାସ୍ତା ଉପରେ କେହି ନଥିଲେ, ଶବ୍ଦ କିଛି କୋଉଠୁ ଶୁଭୁ ନଥିଲା । ଗଳିର ବତୀଗୁଡ଼ିକ ଜଳୁଥିଲା ନିଷ୍ପ୍ରଭ, ନିଷ୍ଫଳ, ବ୍ୟର୍ଥ ବେଦନାରେ ହଳଦିଆ, କାନ୍ଦିଲା ପରି । ମୁଁ ଦୁଇଶହ ପାଦ ଦୌଡ଼ି ଯାଇ ଠିଆ ହୋଇଗଲି ସେଇ ଚାରିକୋଣିଆ ଛକଟି ଉପରେ ।

 

କୁଆଡ଼େ ସେ ଗଲା? ଆଉ କାହିଁକି ମୁଁ ଦୌଡୁଥିଲି ତା ପଛରେ?

 

କାହିଁକି? ଜାନୁପାତି ପଡ଼ିଯିବାକୁ ତା ସାମ୍ନାରେ, କାନ୍ଦିବାକୁ ତା ଆଗରେ ଦୁଃଖରେ, ଚୁମ୍ବନ କରିବାକୁ ତା ପାଦ, ଭିକ୍ଷା କରିବାକୁ ତା’ଠାରୁ କ୍ଷମା । ମୁଁ ତାହା ହିଁ ଚାହୁଁଥିଲି, ମୋର ଛାତିତଳ ସାରା ହୋଇଯାଉଥିଲା ଟିକିଟିକି, ଖଣ୍ଡ ଖଣ୍ଡ । ଆଉ କେବେ ବି, କେବେ ବି ସେଇ ମୁହୂର୍ତ୍ତଟିକୁ ମୁଁ ମନେପକେଇ ପାରିବି ନାହିଁ ସେଇ ବେଳର ବେଦନାକୁ ଅନୁଭବ ନକରି । ହେଲେ କ’ଣ ପାଇଁ? ମୁଁ ଭାବିଲି, ମୁଁ କ’ଣ ତାକୁ ଘୃଣା କରିବାକୁ ଆରମ୍ଭ କରିବା ଉଚିତ ନୁହେଁ, ବୋଧହୁଏ, ଏପରିକି ଆସନ୍ତା କାଲିଠୁ ନୁହେଁ, କାରଣ ଆଜି ତା ପାଦକୁ ମୁଁ ଚୁମ୍ବନ କରିଛି ବୋଲି? ମୁଁ ତାକୁ କ’ଣ ସୁଖ ଦେବା ଉଚିତ? ମୁଁ କ’ଣ ସେଦିନ ଚିହ୍ନି ପାରି ନଥିଲି ନିଜକୁ? ଜାଣି ପାରି ନଥିଲି ମୋର ମୂଲ୍ୟ କେତେ? ମୁଁ କ’ଣ ତାକୁ ଯନ୍ତ୍ରଣାରେ ଜର୍ଜର କରିବା ଉଚିତ ହୋଇନି?

ବରଫ ଭିତରେ ନିଶ୍ଚଳ ଠିଆ ହୋଇ, ମୁଁ ଚାହିଁ ରହିଥିଲି ଅଶାନ୍ତ ଅନ୍ଧକାରକୁ ଆଉ ଏୟା ଭାବୁଥିଲି ।

 

ଘରକୁ ଫେରିଆସି, ହୃଦୟର ଜୀବନ୍ତ ଯନ୍ତ୍ରଣାକୁ ସୁନେଲି ସ୍ୱପ୍ନରେ ଚାପି ମୁଁ ଅଦ୍ଭୁତ ଆବେଗରେ ଭାବୁଥିଲି, “ଏଇଟା କ’ଣ ଭଲ ହେବ ନାହିଁ, ହଁ ଏଇଟା କ’ଣ ଭଲ ହେବ ନାହିଁ ଯେ ସେ ଏଇ ଅପମାନର ତିକ୍ତ ଅନୁଭବକୁ ମନ ଭିତରେ ଚିରକାଳ ବଞ୍ଚାଇ ରଖିବ? ତିକ୍ତ କ୍ରୋଧ କାହିଁକି, ଏହା ହିଁ ତ ପବିତ୍ରତାର ଆନନ୍ଦ, ଏହା ହିଁ ତ ସବୁଠାରୁ ଯନ୍ତ୍ରଣାଦାୟକ, ପୀଡ଼ାଦାୟକ, ବେଦନାରେ ଭରା ବିବେକ ! ଆସନ୍ତା କାଲି ହୁଏତ ମୁଁ ତାର ଆତ୍ମାକୁ କରିଥାନ୍ତି କଳୁଷିତ ଆଉ ତାର ହୃଦୟକୁ ନିଃସ୍ୱ, ଅଥଚ ଆଜି ମୁଁ ତାକୁ ଦେଇଥିବା ଅପମାନ ତା ହୃଦୟରୁ କେବେ ମରିଯିବ ନାହିଁ, ଆଉ ଯେତେ ଘୃଣ୍ୟ ଆବର୍ଜନା ତାକୁ ଅପେକ୍ଷା କରିଥାଉ ପଛେ- ଅପମାନର ଅନୁଭବ ତାକୁ ରକ୍ଷା କରିବ, ତାକୁ ପବିତ୍ର କରିବ, ତାକୁ ସାନ୍ତ୍ୱନା ଦେବ... ଘୃଣା ମାଧ୍ୟମରେ... ହୁଃ! ହୁଏତ କ୍ଷମାରେ ବି... ହେଲେ ଏସବୁ କ’ଣ ତା’ପାଇଁ ଅନ୍ୟ ଜିନିଷକୁ ସହଜତର କରିଦେବ?

 

ପ୍ରକୃତରେ ଏଠି ମୁଁ ନିଜକୁ ନିଜେ ମୋରି ପାପପୂଣ୍ୟର ବିଚାରରେ ଗୋଟାଏ ଅଥର୍ବ ପ୍ରଶ୍ନ ପଚାରୁଛି । କୋଉଟା ବେଶୀ ଭଲ - ସହଜସୁଖ ନା ବେଦନା ଦାୟକ ଯନ୍ତ୍ରଣା? କୁହ କୋଉଟା ବେଶୀ ଭଲ?

 

ଏଣୁ ସେଦିନ ସଂଧ୍ୟାସାରା ମୁଁ ଭୀଷଣ ପୀଡିତ ହୋଇ ପଡ଼ିଲି । ଆତ୍ମାରେ ମୋର ଭୟଙ୍କର ଯନ୍ତ୍ରଣାରୁ ଏକ ପ୍ରକାର ମୃତପ୍ରାୟ ହୋଇ ଘର ଭିତରେ ବସି ମୁଁ ସ୍ୱପ୍ନ ଦେଖିଲି । କେବେ ବି ମୁଁ ଏଭଳି ଯନ୍ତ୍ରଣା, ଏଭଳି ଦୁଃଖ ପାଇ ନଥିଲି, ତଥାପି ଯେତେବେଳେ ମୋ ଘରୁ ମୁଁ ଦୌଡ଼ି ଯାଇଥିଲି ତା ପଛରେ, ସେତେବେଳେ ମୋ ମନରେ କ’ଣ ସାମାନ୍ୟତମ ସନ୍ଦେହ ଥିଲା ଯେ ମୁଁ ଅଧାବାଟରୁ ଫେରି ଆସିବି ବୋଲି? ତା’ପରେ ମୁଁ ଆଉ ଲିଜାକୁ ଭେଟି ନାହିଁ କିମ୍ବା ତା ବିଷୟରେ କିଛି ଶୁଣି ନାହିଁ । ତାପରେ ମୋ ନିଜ କାତରତା ଯୋଗୁ ଯଦିଓ ବହୁଦିନ ରୋଗରେ ପଡ଼ି ରହିଲି, ତଥାପି ଏକଥା ମୁଁ ଅବଶ୍ୟ କହିବି ଯେ, ତା ପରଠାରୁ ବହୁକାଳ ଯାଏ ମୁଁ ବେଶ୍ ଖୁସିରେ ରହିଥିଲି କ୍ରୋଧ ଓ ଘୃଣାର ଉପକାରିତା ବିଷୟରେ ଭାବି ଭାବି ।

 

ଏପରିକି ଆଜି ବି, ଏତେ ବର୍ଷ ପରେ ବି, ଏସବୁ କିମିତି ଗୋଟାଏ ରୁଚିହୀନ ସ୍ମୃତି ହୋଇ ରହିଛି ମୋ ଭିତରେ । ଆଜିକାଲି ମୋ ମନରେ ବହୁତ କୁତ୍ସିତ ସ୍ମୃତି ରହିଛି, ହେଲେ... ମୋର ଏ ଲିପିକୁ ମୁଁ ଏଇଠି ଶେଷ କରିଦେବା କ’ଣ ଭଲ ହେବ ନାହିଁ । ମୁଁ ଭାବୁଛି ଏହାକୁ ଲେଖିବାକୁ ଆରମ୍ଭ କରି ହିଁ ମୁଁ ଗୋଟାଏ ମସ୍ତବଡ ଭୁଲ କରିଛି, ତେବେ ସେ ଯାହା ହେଉ, ଏହି କାହାଣୀକୁ ଲେଖିଲାବେଳେ ପ୍ରତିଟି ମୁହୂର୍ତ୍ତରେ ମୁଁ ଘୋର ଲଜ୍ଜା ଅନୁଭବ କରିଛି । ଏଣୁ ଏହାକୁ ସାହିତ୍ୟ ନକହି ବରଂ ଆତ୍ମା ସଂଶୋଧନକାରୀ ଦଣ୍ଡ ବିଧାନର ରଚନା କୁହାଯାଇ ପାରିବ । କାରଣ ଦୀର୍ଘ କାହାଣୀ କହିବା, ମୋ ଭାଡ଼ି କୋଣରେ ନୈତିକ ଅଧଃପତନ ଜରିଆରେ ମୋ ଜୀବନକୁ ମୁଁ କିପରି ନଷ୍ଟ କରିଛି ତାକୁ ଦେଖାଇବା, ଉପଯୁକ୍ତ ପରିବେଶର ଅଭାବ, ପଳାୟନପନ୍ଥୀ ହୋଇ ବାସ୍ତବ ଜୀବନରୁ ବିଚ୍ୟୁତି ଆଉ ମୋ ମାଟିତଳ ଅନ୍ଧାରୀ ଦୁନିଆରେ ଈର୍ଷା ଓ ନିରାଶାର ଘୃଣାକୁ ଜାବୁଡ଼ି ଧରିବାର କାହାଣୀ କେବେ ବି କାହା ମନରେ ଆଗ୍ରହ ସୃଷ୍ଟି କରି ପାରିବ ନାହିଁ; ଗୋଟାଏ ଉପନ୍ୟାସ ଦରକାର କରେ ଗୋଟେ ନାୟକ, ଆଉ ଏଠି ଗୋଟାଏ ଖଳନାୟକର ଯାବତ୍ ଆବଶ୍ୟକୀୟ ଚତୁରତା ଓ କୌଶଳ ସ୍ପଷ୍ଟ ଭାବରେ ଖୋଲାଖୋଲି ଠୁଳ ହୋଇ ପ୍ରକାଶିତ ହୋଇଛି-। ଆଉ, ସବୁଠାରୁ ବଡ଼କଥା ହେଲା, ଏସବୁ ମିଶି ଗୋଟାଏ ନିତାନ୍ତ ଅରୁଚିକର ଧାରଣା ସୃଷ୍ଟି କରୁଛନ୍ତି, କାରଣ ଆମେ ସମସ୍ତେ ଜୀବନଠାରୁ ବିଚ୍ୟୁତ, ଆମେ ସମସ୍ତେ ବିକଳାଙ୍ଗ, ଆମେ ପ୍ରତ୍ୟେକେ ଗୋଟି ଗୋଟି ହୋଇ ! କେହି ବେଶୀ ବା କେହି କମ୍ । ଜୀବନଠାରୁ ଆମେ ଏତେ ବେଶୀ ବିଚ୍ୟୁତ ହୋଇ ପଡ଼ିଛେ ଯେବେଳେବେଳେ ପ୍ରକୃତ ‘ବଞ୍ଚୁଥିବା ଜୀବନ’ ପ୍ରତି ଆମେ ମନରେ ଏକପ୍ରକାର ଘୃଣା ଅନୁଭବ କରୁଛେ । ଏଣୁ ଏହାକୁ ସ୍ମରଣ କରିବାକୁ ବି ଆମେ ମନକରୁ ନାହେଁ, ଆମକୁ ଭୟ ଲାଗୁଛି । କାହିଁକି, ଏପରି ବି ହୋଇଛି ଯେ ଆମେ ସମସ୍ତେ ପ୍ରକୃତ ‘ବଞ୍ଚୁଥିବା ଜୀବନ’କୁ ଗୋଟାଏ ଭୟାନକ ପ୍ରଚେଷ୍ଟାରୂପେ ଦେଖୁଛେ । ଗୋଟାଏ ଭାରି କଠିଣ କାମ, ତାଳିପକା କାମ ପରି ଜୀବନକୁ ଦେଖିବାକୁ ଆରମ୍ଭ କରିଛେ । ଆମେ ସମସ୍ତେ ନିଶ୍ଚୟ ଗୋପନରେ ଏ କଥାରେ ରାଜି ହେବା ଯେ ବହିରେ ବରଂ ଏହାର ବର୍ଣ୍ଣନା ବାସ୍ତବତାଠାରୁ ଭଲ ।

 

କାହିଁକି ତେବେ ୟାକୁଇ ନେଇ ଏତେ ରାଗରୁଷା ଏତେ ଅନର୍ଥ? କାହିଁକି ଆମେ ପଥଭ୍ରଷ୍ଟ ହେଉଁ, ଯାହା ଶ୍ରେୟ ତାହା ନ ମାଗି ଅନ୍ୟ କିଛି ମାଗି ବସୁ? ଆମେ ନିଜେ ମଧ୍ୟ ଜାଣୁନା ଆମେ କ’ଣ ଚାହୁଁ । ସତରେ ଯଦି ଭଗବାନ ଆମର ଅଭିମାନୀ ପ୍ରାର୍ଥନା ଶୁଣନ୍ତି ତେବେ... ତେବେ ତ ଆମେ ଆହୁରି ଅସୁବିଧାରେ ପଡ଼ିଯିବା । ଯେମିତିକି ଆମେ କହିବା, ‘ହେ ପ୍ରଭୁ ଆମ ଭିତରୁ ଜଣେ କାହାକୁ ଦିଅନ୍ତୁ ଆଉ ଟିକିଏ ସ୍ୱାଧୀନତା, ଖୋଲି ଦିଅନ୍ତୁ ବନ୍ଧା ହୋଇଥିବା ହାତ, ଆମର କର୍ମ କ୍ଷେତ୍ରକୁ କରନ୍ତୁ ଅଧିକ ପ୍ରଶସ୍ତ, ଆଉ ଉପରୁ ନିୟନ୍ତ୍ରଣ ଟିକିଏ କୋହଳ କରନ୍ତୁ, ତେବେ ଆମେ ସତ କହୁଛୁ, ଆପଣଙ୍କ ସର୍ବମୟତା ନିକଟରେ ନିଜକୁ ସମର୍ପଣ କରିବୁଁ ।’

 

ଆଉ ଆମ ଭିତରୁ ଜଣକୁ ବି ଯଦି ସର୍ବମୟ ଭଗବାନ ଏହା ଦେଇ ଦିଅନ୍ତି, ବିଶ୍ୱାସ କର, ଆମେ ସମସ୍ତେ ସାଂଗେ ସାଂଗେ ଆଣ୍ଠେଇ ପଡ଼ି ପ୍ରାର୍ଥନା କରିବା, “ଆମକୁ ଶୃଙ୍ଖଳରେ ପୁନଶ୍ଚ ଆବଦ୍ଧ କରିଦିଅନ୍ତୁ ।”

 

ମୁଁ ଏକଥା ବି ଜାଣେ ଯେ ଏଥିପାଇଁ ତୁମେମାନେ ମୋ ଉପରେ ଖୁବ୍ ରାଗିଯିବ, ଆଉ ଗୋଡ଼ ପିଟି ଚିତ୍କାର କରି କହିବ, “ତୁମ ନିଜପାଇଁ କୁହ, କୁହ ମାଟି ତଳେ ତୁମ ଅଜ୍ଞାତବାସର ଦୟନୀୟ ଯନ୍ତ୍ରଣାପାଇଁ, କିନ୍ତୁ ‘ଆମେ ସମସ୍ତେ’ ଉଚ୍ଚାରଣ କରିବାର ଦୁଃସାହସ କର ନାହିଁ ।”

 

କ୍ଷମା କରନ୍ତୁ ସୁଧୀବୃନ୍ଦ, ମୁଁ ସେଇ ‘ଆମେ ସମସ୍ତେ’ ଭିତରେ ନିଜପାଇଁ ସାର୍ଥକତା ପ୍ରମାଣ କରିବାକୁ ଯାଉନାହିଁ । ମୋତେ ପ୍ରକୃତରେ ଯେଉଁ ଜିନିଷଟି ଏବେ ଚିନ୍ତିତ କରୁଛି ତାହା ହେଲା ମୋ ଜୀବନରେ ଯେଉଁ କ୍ଳାନ୍ତିକର ସଚେତନତାକୁ ଏତେ ଯାଏଁ ମୁଁ ବୋହି ବୋହି ଚାଲି ଆସିଛି, ତାହାକୁ ଅଧାବାଟ ଯାଏ ବି ନେଇ ଯିବାର ସାହସ ତୁମେ କରି ପାରିନାହଁ, ଆଉ କରିଛ କ’ଣ, ତୁମ ଭୀରୁତାକୁ ତୁମ ସଂସାରବୋଧ ବୋଲି ମନେକରିଛ, ନିଜକୁ ପ୍ରବଞ୍ଚିତ କରି ଅଧିକ ସୁଖ ପାଇଛ । ତେଣୁ ସମ୍ଭବତଃ ସର୍ବଶେଷରେ ଯା ହେଲେ ବି, ତୁମ ଅପେକ୍ଷା ମୋ ଭିତରେ ଅଧିକ ଜୀବନ ଅଛି । ଏହାକୁ ଆହୁରି ଭଲ କରି ନିରୀକ୍ଷଣ କର । କାହିଁକି, ଦେଖ, ଏବେ ଆମେ ବଞ୍ଚିବା ଜିନିଷଟା କ’ଣ ବି ଜାଣି ନାହେଁ, ଏହାର ଅର୍ଥ କ’ଣ, କ’ଣ ଏହାର ନାମ ଆମକୁ ଜଣାନାହିଁ ! ଏବେ ଆମକୁ ଏକୁଟିଆ ଛାଡ଼ି ଦେଇ ଦେଖ । ଛାଡ଼ିଦିଅ ଆମକୁ ବିନା ପୁସ୍ତକରେ, ଆଉ ତତ୍‌କ୍ଷଣାତ୍ ଆମେ ଭୁଲିଯିବୁ ଆମର ନିଜ ପରିଚୟ, ନାମ, ଗ୍ରାମ ପର୍ଯ୍ୟନ୍ତ, ବୃଦ୍ଧି ବୃତ୍ତି ଲୋପ ପାଇଯିବ ଆମର, କେମିତି ଖାଇବୁ, କେମିତି ଚାଲିବୁ ଆମେ ଜାଣି ପାରିବୁନି, କାହାକୁ ଜଡେଇ ଧରିବୁ, କାହା ସାଥିରେ ମିଶିବୁ, କାହାକୁ ଭଲ ପାଇବୁ ବା କାହାକୁ ଘୃଣା କରିବୁ, କାହାକୁ ସମ୍ମାନ ଦେବୁ ବା କାହାକୁ ଭର୍ତ୍ସନା କରିବୁ ସବୁ କଥା ଭୁଲିଯିବୁ । ଏପରି କି ମଣିଷ ହେବାଟା ବି ଆମ ଉପରେ ଯେମିତି ଗୋଟାଏ ବଡ଼ ବୋଝ - ଆମରି ଭଳି ରକ୍ତ ମାଂସର ମଣିଷମାନେ; ଆମେ ସମସ୍ତେ ଏଥିପାଇଁ ଭାରି ଲଜ୍ଜିତ, ଏହାକୁ ଆମେ ଗୋଟାଏ ଅପମାନବୋଲି ଭାବୁଁ ଆଉ ବିଧିବଦ୍ଧ ଯୋଜନା କରି, ସବୁ କୌଶଳ ପ୍ରୟୋଗ କରି ଚେଷ୍ଟା କରୁଁ ଗୋଟେ ଅସମ୍ଭବ ପ୍ରକାରର ସାଧାରଣ ମଣିଷଟିଏ ହେବାକୁ ।

 

ଆମେ ସବୁ ପ୍ରସବ ସମୟ ପୂର୍ବରୁ ଜନ୍ମ ହୋଇ ପଡ଼ିଥିବା ବିକଳାଙ୍ଗ ମଣିଷମାନେ, ପୁଣି କେତେ ପୁରୁଷ ଧରି ଜୀବିତ ପିତାର ଔରସରୁ ଆମେ ଜନ୍ମ ହୋଇ ନାହୁଁ- ଏଇ କଥାଟା ଆମକୁ ଅଧିକରୁ ଅଧିକ ଭଲ ସୁହାଉଛି । ଆମକୁ ଏ ସ୍ଥିତି ଭଲ ବି ଲାଗୁଛି । ରକ୍ତ ମାଂସରୁ ନଜନ୍ମି ଗୋଟେ ଅବଧାରଣାରୁ ଜନ୍ମିବାର ବ୍ୟବସ୍ଥା ବି ଆମେ କରିନେବା ଖୁବ୍‍ଶୀଘ୍ର । ସେ ଯାହାହେଉ ଖୁବ୍ ହେଲା, ଆଉ ନୁହେଁ । ଆଉ ମୁଁ ଅଧିକ ଲେଖିବାକୁ ଚାହେଁ ନାହିଁ ମୋର ଏ ଅଜ୍ଞାତବାସର ଜୀବନ ବିଷୟରେ ।

 

(ବିରୋଧାଭାସର ଏ ଉପକଥା ପ୍ରକୃତରେ ଏହିଠାରେ ସରେ ନାହିଁ । ହୁଏତ ସେ ଏମିତି କହିଚାଲିବ, କିନ୍ତୁ ଆମେ ଏହିଠାରେ ହିଁ ଏ କାହାଣୀ ଶେଷ ହେଲା ବୋଲି ଭାବି ନେବା ।)

 

•••